Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୫୧)

ସରଯୂ ନଦୀର ତୀରେ (୫୧)

4 mins
248



ଶ୍ରୀରାମଙ୍କ ପାଇଁ କୁଳଗୁରୁ ବଶିଷ୍ଠ ଦେବଗୁରୁ ବୃହସ୍ପତିଙ୍କ ସମାନ ଥିଲେ। ବିଧିମତେ ତାଙ୍କ ପାଦ ପୂଜାକରି ଆଶୀର୍ବାଦ ନେଲେ ଶ୍ରୀରାମ। ଶ୍ରୀରାମଙ୍କ ପର୍ଣ୍ଣକୁଟୀର ଭିତରେ ବଶିଷ୍ଠ ,ଜାବାଳି ସୁମନ୍ତ୍ର,ତିନି ରାଜମାତା ଏବଂ ନିଷାଦରାଜ ଗୁହକଙ୍କ ବ୍ୟତୀତ ଅନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉତ୍ସୁକତାର ସହିତ ଜାଣିବାପାଇଁ ଅପେକ୍ଷା କରିଥିଲେ ଶ୍ରୀରାମ ଭରତଙ୍କ ଅନୁରୋଧକୁ କିଭଳି ଭାବରେ ଗ୍ରହଣ କରୁଛନ୍ତି।

ଭରତ କିଛି କହିବା ପୂର୍ବରୁ ଶ୍ରୀରାମ ପଚାରିଲେ ଭରତ ! ପିତାଙ୍କ ମହାଯାତ୍ରା ସଂଦେଶ ତୁମେ ଆର୍ଯ୍ୟ ସୁମନ୍ତ୍ରଙ୍କ ଦ୍ବାରା ମୋ ପାଖକୁ ପଠାଇ ପାରିଥାନ୍ତ;ରାଜକାର୍ଯ୍ୟର ଦାୟିତ୍ଵ ଛାଡି, ବଳ୍କଳ-ବସ୍ତ୍ର ପରିହିତ ହୋଇ,ବଟବୃକ୍ଷର କ୍ଷୀରରେ ମୋ ଭଳି ଜଟା ବାନ୍ଧି ଏଠାକୁ ତୁମର କାହିଁକି ଆଗମନ ଅନୁଜ ?"

ଅଶ୍ରୁଳ ନେତ୍ରରେ ଭରତ କହିଲେ..ଆପଣଙ୍କୁ ଅରଣ୍ୟକୁ ପଠାଇ ପୁତ୍ର ଶୋକରେ ଜର୍ଜରିତ ଆମର ପିତା ମରଶରୀର ତ୍ୟାଗ କରି ସ୍ବର୍ଗଗାମୀ ହୋଇଛନ୍ତି।ମୋ ମାତା ମହତ ଆକାଂକ୍ଷା ନେଇ ଯେଉଁ ଘୃଣ୍ୟ ଷଡଯନ୍ତ୍ର କରିଥିଲେ ସେହି ପାପର ଫଳ ସ୍ବରୂପ ଦାରୁଣ ବୈଧବ୍ୟ ଭୋଗ କରୁଛନ୍ତି।ସାରା ସଂସାର ତାଙ୍କୁ ଘୃଣା କରୁଛି ଏବଂ ସେହି ନର୍କ ଯନ୍ତ୍ରଣା ସେ ମର୍ମେ ମର୍ମେ ଅନୁଭବ କରୁଛନ୍ତି।ତାଙ୍କ ଯୋଗୁଁ ମୋ ଜୀବନ ମଧ୍ୟ ନର୍କରେ ପରିଣତ ହୋଇଛି। ଏହି ନର୍କରୁ କେବଳ ଆପଣ ହିଁ ଆମକୁ ଉଦ୍ଧାର କରିପାରିବେ ଅଗ୍ରଜ!ଆପଣ ରାଜସିଂହାସନରେ ଆସୀନ ହେଲେ ଆମର ଏ ଦୁଃଖ ଓ ଲୁହର ଦିନ ଶେଷହେଵ।ଆମକୁ ନିରାଶ କରନ୍ତୁ ନାହିଁ। ଅଯୋଧ୍ୟା ଫେରି ଚାଲନ୍ତୁ। ଅଯୋଧ୍ୟାର ପ୍ରଜାପୁଞ୍ଜ, ସେନା ବାହିନୀ,ବିଧବା ରାଜମାତାମାନେ,ମହାମନ୍ତ୍ରୀ ସୁମନ୍ତ୍ର ଏବଂ କୁଳଗୁରୁ ବଶିଷ୍ଠ ସମେତ ଅନ୍ୟ ଗୁରୁଜନ ମାନଙ୍କର ଆଗମନ,କେବଳ ଆପଣଙ୍କୁ ଫେରାଇ ନେଇ ରାଜପଦରେ ଅଭିଷିକ୍ତ କରିବାପାଇଁ। 

ସମସ୍ତେ ଅପେକ୍ଷା କରିଛନ୍ତି ଆପଣଙ୍କ ଆସ୍ତି ସୂଚକ ସମ୍ମତି ବାକ୍ୟ ଶୁଣିବା ପାଇଁ।କେବଳ ଆପଣ ହିଁ ଅଯୋଧ୍ୟାର ଦୁଃଖ ଦୂର କରିପାରିବେ ଓ ଧର୍ମ ପ୍ରତିଷ୍ଠା କରିପାରିବେ।ରାଜାହୀନ ରାଜ୍ୟ ସ୍ବାମୀହୀନା ଦୁଃଖିନୀ,ନିରାଶ୍ରୟା ବିଧବା ନାରୀ ସହିତ ସମାନ।ଆପଣ ହିଁ କେବଳ ଦୁଃଖିନୀ ଅଯୋଧ୍ୟାର ଦୁଃଖ ଦୂର କରିପାରିବେ।ପୂର୍ଣ୍ଣମାସୀ ଚନ୍ଦ୍ରପରି ଆପଣଙ୍କ ଉପସ୍ଥିତି ଅଯୋଧ୍ୟାର ଦୁର୍ଦ୍ଦିନର ଅନ୍ଧକାର ଦୂର କରିପାରିବ। ଅଯୋଧ୍ୟାର ମନ୍ତ୍ରୀଗଣଙ୍କ ସହିତ ମୁଁ ଆପଣଙ୍କ ପାଦ ଧରି ଭିକ୍ଷାମାଗୁଛି ନାସ୍ତିବାକ୍ୟ କହି ଆମକୁ ନିରାଶ କରନ୍ତୁ ନାହିଁ।"

ଏଭଳି କହି ଶୋକଜର୍ଜରିତ ଭରତ ଶ୍ରୀରାମଙ୍କ ପାଦତଳେ ମସ୍ତକ ରଖି ପାଦଦ୍ବୟକୁ ଜାବୁଡ଼ି ଧରିଲେ।

ଶ୍ରୀରାମ ଭରତଙ୍କୁ ପାଦତଳୁ ଉଠାଇ ଗଭୀର ଆଶ୍ଳେଷରେ ହୃଦୟରେ ଭିଡ଼ିଧରି କହିଲେ ପ୍ରାଣ ପ୍ରିୟ ମୋର ଅନୁଜ ! ମହାନ ଇକ୍ଷ୍ବାକୁ ବଂଶରେ ଆମ ଦୁହିଁଙ୍କର ଜନ୍ମ। ରାମ ହେଉ ବା ଭରତ, ରଘୁବଂଶରେ କେହି କିଛି ଭୁଲ କାମ କରନ୍ତି ନାହିଁ। ମୁଁ ତୁମଠାରେ କୌଣସି ଦୋଷ ଦେଖି ପାରୁନାହିଁ ଭାଇ। ନିର୍ଦ୍ଦୋଷ ସରଳତାର ପ୍ରତିମୂର୍ତ୍ତି ମୋ ଭାଇ ଭରତ କେବେ କିଛି ଦୋଷାବହ କାର୍ଯ୍ୟ କରିନପାରେ।ମନରେ କୌଣସି ହୀନମନ୍ୟତା ଆଣ ନାହିଁଁ ଭରତ!ମାତା କୈକେୟୀଙ୍କୁ ଅସମ୍ମାନ କରନାହିଁ କିମ୍ବା ତାଙ୍କପ୍ରତି କିଛି ଅପଶବ୍ଦ ବ୍ୟବହାର କରନାହିଁ।ତାଙ୍କର କିଛି ଦୋଷ ନାହିଁ ଭରତ !ସବୁ ବିଧାତାର ବିଧାନ। ମାତାପିତାଙ୍କ ଆଦେଶ ପାଳନ କରିବା ଆମର ଧର୍ମ। ସିଂହାସନ ଦାନ କରିବା ପିତାଙ୍କର ଯେପରି ଅଧିକାରଭୁକ୍ତ ଥିଲା, ମାତାଙ୍କୁ ଦେଇଥିବା ବଚନ ପାଳନ ପାଇଁ ନିର୍ବାସନ ଆଦେଶ ଦେବା ମଧ୍ୟ ସେହିପରି ତାଙ୍କ ଅଧିକାରଭୁକ୍ତ ଥିଲା। ତାକୁ ଅବମାନନା କଲେ ପିତୃସତ୍ୟର ଅବମାନନା ହେବ।"ପ୍ରାଣ ଯାଉ ପଛେ,ବଚନ ନଯାଉ",ଏହା ପରା ରଘୁବଂଶର ପରମ୍ପରା। ମୋର ପ୍ରାଣର ଭାଇ ଭରତ କଣ କେବେ ଚାହିଁବ,ବଚନ ରକ୍ଷା ନକରି ତା'ର ଅଗ୍ରଜ ରାମ ରଘୁବଂଶର କୀର୍ତ୍ତିଚନ୍ଦ୍ରରେ କଳଙ୍କ ଲଗାଉ?

ପିତା ତାଙ୍କର ରାଜଧର୍ମ ଓ ବଂଶ ପରମ୍ପରା ରକ୍ଷା କରି ଦିବଙ୍ଗତ ହୋଇଛନ୍ତି। ପିତାଙ୍କ ସତ୍ୟରକ୍ଷା ପାଇଁ ମୁଁ ଅରଣ୍ୟ ଜୀବନକୁ ଆଦରି ନେଇ ମୋର ପୁତ୍ରଧର୍ମ ଓ କର୍ତ୍ତବ୍ୟ ପାଳନ କରୁଛି।ମାତାଙ୍କ ଇଚ୍ଛା ଓ ପିତୃସତ୍ୟ ପାଳନ କରି ଅଯୋଧ୍ୟାର ରାଜା ଭାବରେ ତୁମେ ତୁମ କର୍ତ୍ତବ୍ୟ ପାଳନ କର ଭରତ ! ଦୁଇଦିନ ଧରି ରାଜଧାନୀ ଅସୁରକ୍ଷିତ ରହିଛି। ସୈନ୍ୟସାମନ୍ତ ସହିତ ତୁମେ ଅତି ଶୀଘ୍ର ଫେରିଯାଇ ସିଂହାସନରେ ଅଭିଷିକ୍ତ ହୋଇ ରାଜ୍ୟ ଶାସନ କର। ମୁଁ ପିତୃସତ୍ୟ ଲଙ୍ଘନ କରି ଅଯୋଧ୍ୟାକୁ ଫେରି ଯାଇ ପାରିବି ନାହିଁ। ଶତ୍ରୁଘ୍ନର ସହାୟତା ନେଇ ତୁମେ ରାଜ୍ୟ ଶାସନ କର। ବନବାସ ଜୀବନରେ ମୋତେ ସହାୟତା ଦେବାପାଇଁ ମୋ ପାଖରେ ଲକ୍ଷ୍ମଣ ରହିଛି।ଆସ,ନିଜନିଜର କର୍ତ୍ତବ୍ୟ ସମ୍ପାଦନ କରି ଆମେ ଚାରିଭାଇ ପିତୃସତ୍ୟ ପାଳନ କରିବା।"

 ଭରତଙ୍କ ମନରେ ଥିଲା ଅଗ୍ରଜଙ୍କୁ ଫେରାଇ ନେବାର କଠୋର ଜିଦ୍ ଏବଂ ଶ୍ରୀରାମ ପିତୃସତ୍ୟ ପାଳନର ଦ୍ୱାହି ଦେଇ ନଫେରିଵା ନିଷ୍ପତ୍ତିରେ ଅଟଳ ଥିଲେ। ଅଗତ୍ୟା ଉପସ୍ଥିତ ଥିବା ଅଯୋଧ୍ୟା ବାସୀ କିଛି ସମାଧାନ ଦେଖିପାରୁନଥିଲେ।ଭରତଙ୍କ ସହିତ ଯାଇଥିବା ମହର୍ଷି ଜାଵାଳି ଶ୍ରୀରାମଙ୍କୁ କହିଲେ..ଆପଣ ବାରମ୍ବାର ଯେଉଁ ପିତୃସତ୍ୟର ଦ୍ୱାହି ଦେଉଛନ୍ତି,ଆପଣଙ୍କ ପିତା ସେହି ସତ୍ୟପାଇଁ ଅନୁତପ୍ତ ହୋଇ ପୁତ୍ର ଶୋକରେ ପଞ୍ଚତତ୍ତ୍ବରେ ବିଲୀନ ହୋଇଛନ୍ତି। ଯେଉଁ ମାତା ଶପଥ କରାଇଥିଲେ ସେ ଏବେ ଅନୁତପ୍ତା। ତେଣୁ ଏହି ତଥାକଥିତ ପିତୃସତ୍ୟ ବର୍ତ୍ତମାନ ଏକ ମାୟାର କୁହେଳିକା ବ୍ୟତୀତ ଅନ୍ୟ କିଛି ନୁହେଁ।ମୋ ମତରେ ଅଯୋଧ୍ୟାର ଜନସାଧାରଣଙ୍କ ଇଚ୍ଛା ପ୍ରତି ସମ୍ମାନ ଜଣାଇ ଆପଣ ବନଚାରୀ ବେଶ ତ୍ୟାଗକରି ନିଜର ଅଧିକାରଭୁକ୍ତ ସିଂହାସନ ଆରୋହଣ କରନ୍ତୁ ଏବଂ ରାଜପଦର ଐଶ୍ୱର୍ଯ୍ୟ ଭୋଗ କରନ୍ତୁ।"

ଜାବାଳିଙ୍କର ଏଭଳି ଯୁକ୍ତି ଶ୍ରୀରାମଙ୍କୁ ବିରକ୍ତ କଲା।ସେ କହିଲେ.. ମୁଁ ଆଶ୍ଚର୍ଯ୍ୟ ଯେ ଆପଣ ଏଭଳି ଯୁକ୍ତି କରୁଛନ୍ତି। ରଘୁବଂଶର ଗାରିମା ଓ ଅସ୍ମିତା କଣ ଆପଣଙ୍କୁ ଜଣାନାହିଁ !ମୋର ପିତା ଦିବଙ୍ଗତ ହେବା ଅର୍ଥ ନୁହେଁ ଯେ ରଘୁକୁଳର ରୀତି ମଧ୍ୟ ଦିବଙ୍ଗତ ହୋଇଯାଇଛି। ଆପଣଙ୍କ ଭଳି ଅଯୋଧ୍ୟା ରାଜଦରବାରରେ ଥିବା ପଣ୍ଡିତଙ୍କୁ ଏଭଳି ଦୃଷ୍ଟିକୋଣ ଶୋଭା ପାଏନାହିଁ।"

ବଶିଷ୍ଠ ହସ୍ତକ୍ଷେପ କରି କହିଲେ ଅଯୋଧ୍ୟାର ଜନସାଧାରଣଙ୍କ ଇଚ୍ଛାକୁ ଆଖି ଆଗରେ ରଖି ମହର୍ଷି ଜାବାଳି ଏଭଳି ମତାମତ ଦେଇଛନ୍ତି। କିନ୍ତୁ ନିଷ୍ପତ୍ତି ଭରତ ଏବଂ ଶ୍ରୀରାମଙ୍କ ମଧ୍ୟରେ ଆଲୋଚନାର ନିଷ୍କର୍ଷ ଉପରେ ନିର୍ଭର କରେ।

କିଛି ନିରବତା ପରେ ବଶିଷ୍ଠ କହିଲେ ପୁତ୍ର ଶ୍ରୀରାମ ! ପିତୃସତ୍ୟ ପାଳନ କରି ତୁମେ ବନବାସ ପାଇଁ ଆସିବା ସମୟରେ ପରିସ୍ଥିତି ଭିନ୍ନ ଥିଲା।ଏବେ ପରିସ୍ଥିତି ଭିନ୍ନ।ଅକୀର୍ତ୍ତିକୁ ଭୟକରି ଏବଂ ଅସୀମ ଭ୍ରାତୃପ୍ରେମ ଯୋଗୁଁ ଭରତ ରାଜସିଂହାସନରେ ଅଭିଷିକ୍ତ ହେବା ପାଇଁ ଅନିଚ୍ଛୁକ। ତେଣୁ ଅଯୋଧ୍ୟାର ସୁରକ୍ଷା ଏବଂ ସୁଶାସନକୁ ଆଖି ଆଗରେ ରଖି ତୁମେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଆବଶ୍ୟକ।"

ଅଯୋଧ୍ୟା ଫେରିଯିବା ପାଇଁ ରାମଚନ୍ଦ୍ରଙ୍କର ଦୃଢ଼ ନାସ୍ତିବାଣୀ ଶୁଣି ଭରତ ସୁମନ୍ତ୍ରଙ୍କୁ ଚାହିଁ କହିଲେ ଅଗ୍ରଜ ଯେବେ ଫେରିବେ ନାହିଁ, ତାହେଲେ ମୁଁ ମଧ୍ୟ ଏହି ଅରଣ୍ୟରେ ଜୀବନ ଯାପନ କରିବି।ଫଳମୂଳ ଭୋଜନ କରିବି,କୁଶ ଆସନରେ ଶୟନ କରିବି। ଜ୍ୟେଷ୍ଠ ଭ୍ରାତା ଚଉଦବର୍ଷ ବନବାସ ଶେଷକରି ଫେରିବା ସମୟରେ ମୁଁ ମଧ୍ୟ ତାଙ୍କ ସହିତ ଫେରିବି।"

ଭରତ ଶେଷ ଚେଷ୍ଟା କରିବାକୁ ଯାଇ ଉପସ୍ଥିତ ପ୍ରଜାମାନଙ୍କୁ ସମ୍ବୋଧିତ କରି କହିଲେ.. ଆପଣମାନେ ମୂକଭଳି ମୋ ମୁହଁକୁ ଅନାଇଁ କାହିଁକି ଠିଆ ହୋଇଛନ୍ତି ! ଆପଣମାନେ କଣ ଚାହାଁନ୍ତି ନାହିଁ ଯେ ଶ୍ରୀରାମ ଅଯୋଧ୍ୟାକୁ ଫେରି ଯାଆନ୍ତୁ ?"

ଦୁଇ ଭାଇଙ୍କ ଭିତରେ ଚାଲିଥିବା କଥୋପକଥନ ଶୁଣୁଥିଵା ଅଯୋଧ୍ୟାର ଜନସାଧାରଣ କଣ ବା କହିବେ ? ସେମାନଙ୍କ ଭିତରୁ କେବଳ ଗୋଟିଏ ମିଳିତ ସ୍ବର ଶୁଣାଗଲା....ଶ୍ରୀରାମ ପିତୃସତ୍ୟ ପାଳନ ନକରି ଫେରିଯିବେ ବୋଲି ଆମର ଆଉ ବିଶ୍ବାସ ନାହିଁ।ତାଙ୍କୁ ଆଉ ଅଧିକ ବାଧ୍ୟକରି କଣ ଲାଭ ?"

ପ୍ରଜାଙ୍କ ଉତ୍ତର ଶୁଣି ଶ୍ରୀରାମଙ୍କ ମୁଖ ଉଜ୍ଜଳ ଦେଖାଗଲା। କହିଲେ ଦେଖିଲ ତ ଭରତ ? ପ୍ରଜାମାନେ ଉଭୟ ରଘୁବଂଶ ଏବଂ ଅଯୋଧ୍ୟାର ମଙ୍ଗଳ କାମନା କରନ୍ତି। ସେମାନଙ୍କ ମତକୁ ଆଦେଶ ଭାବରେ ଗ୍ରହଣ କର।

ଦୁଇଭାଇଙ୍କର ଜିଦ୍ ଦେଖି ଶେଷରେ କୁଳଗୁରୁ ବଶିଷ୍ଠ ବାଧ୍ୟହୋଇ ହସ୍ତକ୍ଷେପ କରି କହିଲେ ଭରତ ! ରାମଚନ୍ଦ୍ରଙ୍କର ପ୍ରତିନିଧି ଭାବେ ତୁମେ ରାଜ୍ୟଶାସନ କରିବାରେ କୌଣସି ବାଧା ନାହିଁ। ଶ୍ରୀରାମ ଚଉଦଵର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରି ଆସିବାପରେ ତୁମେ ତାଙ୍କୁ ଶାସନ ଭାର ଅର୍ପଣ କରିବ।

ଭରତ କହିଲେ ଆପଣଙ୍କ ନିଷ୍ପତ୍ତି ମୁଁ ଗ୍ରହଣ କରିବି,କିନ୍ତୁ ଅଯୋଧ୍ୟାର ରାଜସିଂହାସନରେ ବସିବି ନାହିଁ। ଜ୍ୟେଷ୍ଠଭ୍ରାତାଙ୍କ ପାଦୁକାଦ୍ବୟ ଅଯୋଧ୍ୟାର ସିଂହାସନରେ ସ୍ଥାପନ କରି ମୁଁ ତାଙ୍କ ପ୍ରତିନିଧି ଭାବରେ ଉତ୍ତର କୋଶଳ ଶାସନ କରିବି। ଅଯୋଧ୍ୟା ରାଜପ୍ରାସାଦରେ ଅବସ୍ଥାନ ନକରି ଉପକଣ୍ଠରେ ଥିବା ନନ୍ଦିଗ୍ରାମରେ ପର୍ଣ୍ଣକୁଟୀରରେ ବନୌକା ବେଶରେ ନିବାସ କରିବି।"

ଭରତଙ୍କ ସର୍ତ୍ତରେ ସମ୍ମତ ହେଲେ ଦାସରଥି। ଶ୍ରୀରାମଙ୍କ ପାଦୁକା ଦୁଇଟି ମସ୍ତକରେ ଧାରଣ କରି ଅଯୋଧ୍ୟାବାସୀଙ୍କ ସହିତ ରାଜଧାନୀକୁ ଫେରିଗଲେ ଭରତ।


କ୍ରମଶଃ


Rate this content
Log in

Similar oriya story from Classics