Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୫୦)

ସରଯୂ ନଦୀର ତୀରେ (୫୦)

3 mins
1.1K


ସମ୍ମୁଖରେ ଦେଖା ଯାଉଥିଲା ଏକ ପର୍ଣ୍ଣକୁଟୀର ଏବଂ ତା'ର ଚତୁର୍ପାଶ୍ବରେ ରହିଥିଲା ଏକ ଭବ୍ୟ ଆଶ୍ରମର ପରିବେଶ। କୁଟୀର ଭିତରୁ ଧୂଆଁ ଉଠୁଥିଲା ଆକାଶକୁ।ଏହା ରାମଚନ୍ଦ୍ରଙ୍କ କୁଟୀର ବୋଲି ନିଶ୍ଚିତ ହେବାପାଇଁ ଭରତ କିଛି ଅନୁଗାମୀଙ୍କୁ ସେ ସ୍ଥାନ ପରିଦର୍ଶନ କରିବାପାଇଁ ପଠାଇଲେ। ସେମାନେ ଆଶ୍ରମର ଚତୁର୍ପାର୍ଶ୍ବ ପରୀକ୍ଷଣକରି ଫେରିଆସି ଜଣାଇଲେ ଯେ ଭରଦ୍ବାଜ ମହର୍ଷିଙ୍କ ଦ୍ବାରା ବର୍ଣ୍ଣିତ ସ୍ଥାନରେ ସେମାନେ ପହଞ୍ଚିଛନ୍ତି। କେବଳ ଶତ୍ରୁଘ୍ନ,ବଶିଷ୍ଠ ଓ ସୁମନ୍ତ୍ରଙ୍କ ସହିତ ଭରତ ଆଶ୍ରମ ଦିଗରେ ଆଗେଇ ଗଲେ।ଆଶ୍ରମର ପରିସ୍କାର ପରିବେଶରୁ ଜଣାଯାଇଥିଲା ଯେ ଭିତରେ କିଛି ଅନ୍ତେବାସୀ ରହିଛନ୍ତି।ଆଶ୍ରମରୁ ନଦୀ ଭିତରକୁ ଯିବା ଆସିବା କରିବାପାଇଁ ବୃକ୍ଷ ଲତା କାଟି ରାସ୍ତା ପ୍ରସ୍ତୁତ ହୋଇଥିଲା।ପ୍ରାଙ୍ଗଣରେ ବଣ ମଇଁଷି ମାନଙ୍କର ଗୋବରରେ ତିଆରି ଘଷି ସାଇତା ହୋଇ ରଖାଯାଇଥିଲା ରନ୍ଧନ କାର୍ଯ୍ୟ ପାଇଁ।ପର୍ଣ୍ଣକୁଟୀରର କାନ୍ଥରେ ଝୁଲୁଥିଲା ରାମଚନ୍ଦ୍ରଙ୍କର ବିଶାଳ ଧନୁ,ଦିବ୍ୟ ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ତୂଣୀର ଏବଂ ଶାଣିତ ଖଡ୍ଗ।ପ୍ରାଙ୍ଗଣରେ ଶୁଖୁଥିଲା ବଳ୍କଳ-ବସ୍ତ୍ର।ଏସବୁ ଦେଖି ବିଦୀର୍ଣ୍ଣ ହୃଦୟରେ ଭରତ କହିଲେ ନିଶ୍ଚିତ ଭାବରେ ଏହି ମୋ ଅଗ୍ରଜଙ୍କ ବାସସ୍ଥଳୀ।

ଇତି ମଧ୍ୟରେ ରାମଚନ୍ଦ୍ର ପର୍ଣ୍ଣକୁଟୀର ଭିତରେ ନିର୍ଦ୍ଦିଷ୍ଟ ସମୟରେ ପୂଜା ଏବଂ ହୋମ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ।କୁଟୀରରେ ପ୍ରବେଶ କରି ଭରତ ଦେଖିଲେ ହୋମକୁଣ୍ଡ ଆଗରେ ବସିଛନ୍ତି ଆଜାନୁ ଲମ୍ବିତଭୁଜ, ବଳ୍କଳ-ବସ୍ତ୍ର ପରିହିତ,ଜଟାଜୁଟଧାରୀ ଅଗ୍ରଜ। ହୋମ କୁଣ୍ଡର ପ୍ରଜ୍ବଳିତ ଅଗ୍ନି ଆଗରେ ଝଲକି ଉଠୁଛି ସୁଦୀର୍ଘ ବଳିଷ୍ଠ ତେଜୋଦୀପ୍ତ କନ୍ଦର୍ପ-ବିନିନ୍ଦିତ ଶ୍ୟାମଳ ଶରୀର। ଆଃ ! ମନ୍ତ୍ରୋଚ୍ଚାରଣ କରି ହୋମକୁଣ୍ଡରେ ଆହୂତି ଦେବା ସମୟର କି ଶାଶ୍ବତ ଅଭିରାମ ଦୃଶ୍ୟ ପ୍ରଭୁଙ୍କର !ଭରତଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଦେଲେ ରଘୁପତି।ପ୍ରେମ ଓ କରୁଣାର ଅମୃତଧାରା ଝରିପଡିଲା ସେ ଦୃଷ୍ଟିରୁ।କୋମଳ କଣ୍ଠରେ କହିଲେ ଭରତ ! ମୋ ଭାଇ !"

ବଳ୍କଳ ପରିହିତ ଅଗ୍ରଜ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଏବଂ ସୀତାଙ୍କୁ ଦେଖି କୋହ ସମ୍ବରଣ କରିପାରିଲେ ନାହିଁ ଭରତ। କଣ୍ଠରୁ ତାଙ୍କର ବାକ୍ୟ ସ୍ଫୁରଣ ହେଲାନାହିଁ। ସାଷ୍ଟାଂଗ ପ୍ରଣିପାତ କରି ଶ୍ରୀରାମଙ୍କ ପାଦରେ ମଥା ରଖି ଅଶ୍ରୁଜଳରେ ଅଗ୍ରଜଙ୍କ ପାଦ ଭିଜାଇଦେଲେ ଭରତ।

ଶ୍ରୀରାମଙ୍କ ପାଦତଳେ ପଡିଛନ୍ତି ଭରତ।କେବଳ "ଭାଇ" ଶବ୍ଦ ବ୍ୟତୀତ ଆଉ କିଛି କହିପାରୁ ନାହାଁନ୍ତି।ଦେହରେ କଷାୟ ବାସ,ମସ୍ତକରେ ବଟବୃକ୍ଷ କ୍ଷୀରର ଜଟା ,ଶୀର୍ଣ୍ଣ-ଶରୀର ଭରତ ଦେଖାଯାଉଥିଲେ ପୂର୍ବରୂପର ପ୍ରେତଛାୟା ପରି। ଗଭୀର ଆଶ୍ଳେଷରେ ଭରତଙ୍କୁ ଆଲିଙ୍ଗନ କରି,ମଥାରେ ଚୁମ୍ବନ ଦେଇ ଶ୍ରୀରାମ କହିଲେ..ମୋ ପ୍ରାଣର ଭାଇ ଭରତ ! ତୋର ଏ କି ରୂପ !ପିତାଙ୍କୁ ଏକାକୀ ଛାଡି, ଅଯୋଧ୍ୟା ସିଂହାସନ ଛାଡି ବନକୁ ଏଭଳି ବେଶରେ ଆସିବାର ଅଭିପ୍ରାୟ କଣ ଭରତ ! କାହିଁକି ମୁହଁ ତୋର ମଳିନ ପଡ଼ିଯାଇଛି,ଶରୀର ଶୀର୍ଣ୍ଣ ଦେଖାଯାଉଛି ! ଅଯୋଧ୍ୟାର ସବୁ କୁଶଳ ତ? ତୋର ରାଜ୍ୟାଭିଷେକରେ କିଛି ବାଧା ଆସିନାହିଁ ତ; ପ୍ରଜାମାନେ କୁଶଳରେ ଅଛନ୍ତି ତ ଭରତ ?

କିଛି କହିବା ପାଇଁ ଭରତଙ୍କ ମନରେ ଶକ୍ତି ନଥିଲା,କଣ୍ଠରେ ବାଣୀ ନଥିଲା।କିଛି ସମୟ ପରେ ଶକ୍ତି ସଞ୍ଚୟ କରି କହିଲେ ପିତାପ୍ରତିମ ମୋର ଅଗ୍ରଜ ! ବାରମ୍ବାର ରାଜ୍ୟର ସମ୍ବାଦ ମୋତେ ପଚାରୁଛନ୍ତି,ସତେ ଯେପରି ମୁଁ ଅଯୋଧ୍ୟାର ରାଜା।ରାଜପଦ ସହିତ ମୋର ସମ୍ପର୍କ କଣ ଅଗ୍ରଜ?ଆପଣ ହିଁ ଅଯୋଧ୍ୟାର ରାଜା; ମୁଁ ଆପଣଙ୍କ ଦାସାନୁଦାସ। ରଘୁବଂଶର ରୀତି ଅନୁଯାୟୀ ରାଜସିଂହାସନ ଜ୍ୟେଷ୍ଠପୁତ୍ରର ପ୍ରାପ୍ୟ।ଆପଣ ଅଯୋଧ୍ୟା ଫେରି ଚାଲନ୍ତୁ ଅଗ୍ରଜ।ଆପଣଙ୍କ ଉପସ୍ଥିତି ପାଇଁ ରାଜପରିବାର ଓ ଆଶୀର୍ବାଦ ପାଇଁ ପ୍ରଜାମାନେ ଚାତକ ଭଳି ଚାହିଁ ରହିଛନ୍ତି।"

କୋହ ସମ୍ବରଣ କରି ଭରତ କହିଲେ..ପିତା ଦଶରଥ ତାଙ୍କ କର୍ତ୍ତବ୍ୟ ଶେଷକରି ସ୍ବର୍ଗଗାମୀ ହୋଇଛନ୍ତି ଅଗ୍ରଜ।ଆପଣ ଅଯୋଧ୍ୟା ଛାଡ଼ିବାପରେ ଏବଂ ମୋର ମାତୁଳାଳୟରୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପୁତ୍ରଶୋକ କଷ୍ଟ ସହ୍ୟ କରି ନପାରି ପିତା ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ମୁଖରେ କେବଳ ଆପଣଙ୍କ ନାମ ଥିଲା।ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ଆପଣଙ୍କ ହାତରୁ ଜଳଦାନ ନପାଇଲେ ପିତାଙ୍କ ଆତ୍ମା ତୃପ୍ତ ହେବନାହିଁ।ଶୋକ ପରିତ୍ୟାଗ କରି ପିତାଙ୍କୁ ପିଣ୍ଡଦାନ ଓ ଜଳଦାନ କରନ୍ତୁ ଏବଂ ଅଯୋଧ୍ୟା ଫେରିଯାଇ ସିଂହାସନ ଗ୍ରହଣ କରନ୍ତୁ।"

ପିତାଙ୍କ ମୃତ୍ୟୁ ସମ୍ବାଦ ପାଇ ଉତ୍ପାଟିତ ବୃକ୍ଷ ଭଳି ସଂଜ୍ଞା ହରାଇ ପଡିଗଲେ ଶ୍ରୀରାମ। ସଂଜ୍ଞା ଲାଭକରି ଶ୍ରୀରାମ କହିଲେ.. କେଡେ ହତଭାଗ୍ୟ ମୁଁ ଭରତ ! ଶେଷ ମୁହୂର୍ତ୍ତରେ ପିତାଙ୍କ ତୁଣ୍ଡରେ ଟୋପାଏ ଜଳ ଦେଇପାରିବି ନାହିଁ ! ଶୋକାକୁଳ ପରିବେଶ ସୃଷ୍ଟି ହେଲା ଆଶ୍ରମରେ।ରାମ ଲକ୍ଷ୍ମଣ,ଭରତ,ଶତ୍ରୁଘ୍ନ ଓ ସୀତାଙ୍କ କ୍ରନ୍ଦନରେ କରୁଣାକ୍ତ ହେଲା ପରିବେଶ।ସମସ୍ତଙ୍କୁ ଶାନ୍ତ୍ବନା ଦେଇ ବଶିଷ୍ଠ କହିଲେ ମନୁଷ୍ୟ ଜୀବନରେ ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ଶୋକ କରି ଲାଭ ନାହିଁ।ପିତାଙ୍କୁ ପିଣ୍ଡ ଓ ଜଳଦାନ କରି ଜ୍ୟେଷ୍ଠ ପୁତ୍ରର କର୍ତ୍ତବ୍ୟ ପାଳନ କର ଶ୍ରୀରାମ।"

ଚାରିଭାଇ ବଶିଷ୍ଠଙ୍କ ପୌରାହିତ୍ୟରେ ମନ୍ଦାକିନୀ ନଦୀରେ ଜଳଦାନ କରି ବାଲୁକା ଶଯ୍ୟାରେ ପିଣ୍ଡଦାନ କଲେ।କୁଟୀରକୁ ଫେରିଯାଇ ଚାରିଭାଇ ପରସ୍ପରର ବାହୁବନ୍ଧନ ଭିତରେ ଏକତ୍ରିତ ହୋଇ ପିତାଙ୍କ ଶୋକରେ ଅଶ୍ରୁ ତର୍ପଣ କଲେ।

ଚାରିଭାଇ ଏକତ୍ରିତ ହୋଇ ମନ୍ଦାକିନୀ ତଟରେ ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ସମ୍ବାଦ ପାଇ ଅଦୂରରେ ଅପେକ୍ଷା କରିଥିବା ଅଯୋଧ୍ୟାର ପ୍ରଜାପୁଞ୍ଜ ଆନନ୍ଦରେ ଆତ୍ମହରା ହୋଇଗଲେ।ଏବେ ସେମାନେ ସ୍ଥିର ନିଶ୍ଚିତ ଥିଲେ ଯେ ରାମଚନ୍ଦ୍ର ଅଯୋଧ୍ୟା ଫେରିଯିବେ।

ରାଜମାତାମାନଙ୍କ ସହିତ ଅପେକ୍ଷମାଣ ପ୍ରଜାପୁଞ୍ଜ ଆଶ୍ରମ ପ୍ରାଙ୍ଗଣ ନିକଟରେ ପହଞ୍ଚିଲେ। ମନ୍ଦାକିନୀ ନଦୀର ଯେଉଁ ଘାଟରୁ ଲକ୍ଷ୍ମଣ ପ୍ରତିଦିନ ଆଶ୍ରମ ପାଇଁ ଜଳ ନେଉଥିଲେ,ବଶିଷ୍ଠ ତାହା କୌଶଲ୍ୟାଙ୍କୁ ଦେଖାଇ ଦେଲେ।ଲୁହଭିଜା ଆଖିରେ କୌଶଲ୍ୟା ସୁମିତ୍ରାଙ୍କୁ କହିଲେ ଦେଖ ସୁମିତ୍ରା ! ଏହି ଘାଟରୁ ପ୍ରତିଦିନ ମୋ ଲକ୍ଷ୍ମଣ,ରାମ ଓ ସୀତା ପାଇଁ ଜଳ ସଂଗ୍ରହ କରେ।ଆହା,ଅଗ୍ରଜ ପାଇଁ କେତେ ବଳିଦାନ ସତେ ଲକ୍ଷ୍ମଣର ! କାହିଁ ଅଯୋଧ୍ୟା ରାଜପୁରୀର ସୁଖ,କାହିଁ ଅରଣ୍ୟର କଷ୍ଟକର ଜୀବନ।

କୁଟୀରରେ ବାତାବରଣ ହୃଦୟ ବିଦାରକ ଥିଲା। ଚାରିଭାଇ ମନଦୁଃଖରେ ତଳକୁ ମୁହଁ ପୋତି ବସିଥିଲେ।ସେମାନଙ୍କୁ ଏଭଳି ମାନସିକ ସ୍ଥିତିରେ ଦେଖି ରାଜମାତାମାନେ ପରିବେଶକୁ କ୍ରନ୍ଦନରେ ଶୋକାକୁଳ କରିଦେଲେ। କୌଶଲ୍ୟା ରାମଙ୍କୁ କୋଳେଇ ନେଇ କପାଳରେ ଚୁମ୍ବନ ଦେଇ କୋମଳ ହାତରେ ମୁହଁ ପୋଛିଦେଇ କହିଲେ ଆହା ! କେତେ କଳା ପଡିଯାଇଛି ମୋ ଧନ !

ପୁଣି ସୀତାଙ୍କୁ କୋଳେଇ ନେଇ କୌଶଲ୍ୟା କାନ୍ଦି କାନ୍ଦି କହିଲେ ଆହା ଜାନକୀ,ମୋ ନୟନ ପିତୁଳା ! ବିଦେହ ରାଜାଙ୍କ କନ୍ୟା,ଅଯୋଧ୍ୟାର ରାଜଲକ୍ଷ୍ମୀ ! ତୁ ପତ୍ରକୁଡିଆ ଭିତରେ କେମିତି ରହିଛୁ ଧନ! ଧୂଳିରେ ଆବୃତ ସୁବର୍ଣ୍ଣ ପ୍ରତିମା ଆଉ ଝାଉଁଳି ଯାଇଥିବା ପଦ୍ମଫୁଲ ପରି ତୁ ଦେଖାଯାଉଛୁ ସୀତା ! ତୋର ଏ କଷ୍ଟକର ଜୀବନ ମୋ ହୃଦୟକୁ ବିଦୀର୍ଣ୍ଣ କରିଦେଉଛି। ଏହା ଦେଖିବା ପୂର୍ବରୁ ମୋ ଜୀବନ ଚାଲିନଗଲା ଯାହା।


କ୍ରମଶଃ


Rate this content
Log in

Similar oriya story from Classics