STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୫)

ସରଯୂ ନଦୀର ତୀରେ (୫)

4 mins
178


ପ୍ରେମ ଆବେଗରେ କ୍ରୌଞ୍ଚ ପକ୍ଷୀ-ଦମ୍ପତି ଚନ୍ଦନ ବୃକ୍ଷରେ ଆନନ୍ଦରେ ଖେଳୁଥିବାର ଦେଖି ମହର୍ଷି ବାଲ୍ମୀକିଙ୍କ ହୃଦୟ ଆନନ୍ଦରେ ପୂରିଗଲା। ଗୋଟିଏ ସ୍ଥାନରେ ଠିଆହୋଇ ନିର୍ନିମେଷ ନେତ୍ରରେ ପକ୍ଷୀ ଦ୍ବୟଙ୍କର ଚଞ୍ଚୁ ମାଧ୍ୟମରେ ପ୍ରୀତି ଆଦାନପ୍ରଦାନ ଖେଳକୁ ମନଭରି ଉପଭୋଗ କରୁଥାନ୍ତି ମୁନିଶ୍ରେଷ୍ଠ।ଏହି ସମୟରେ ଏକ ଅଘଟଣ ଘଟିଗଲା। ଗୋଟିଏ ବ୍ୟାଧ ଧନୁଶର ଧରି ସେ ସ୍ଥାନରେ ପହଞ୍ଚିଲା ଏବଂ ପ୍ରେମବିହ୍ବଳ ହୋଇ ଖେଳୁଥିବା ସେହି ପକ୍ଷୀଙ୍କ ଉପରକୁ ତୀର କ୍ଷେପଣ କଲା।ତୀରଟି ଯାଇ ପୁରୁଷ ପକ୍ଷୀ ଦେହରେ ବିଦ୍ଧ ହୋଇଗଲା। ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହୋଇ ପୁରୁଷ ପକ୍ଷୀଟି ହୃଦୟ ବିଦାରକ ରା ରା ଶବ୍ଦକରି ବୃକ୍ଷ ଡାଳରୁ ତଳେ ପଡିଯାଇ ପ୍ରାଣ ହରାଇଲା।ସାଥୀର ମୃତ୍ୟୁରେ କରୁଣ ସ୍ବରରେ ବନପ୍ରଦେଶ ପ୍ରକମ୍ପିତ କରିଦେଲା ସ୍ତ୍ରୀ ପକ୍ଷୀଟି।


ଦୁଃଖରେ ବାଲ୍ମୀକି'ଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା।ସମ୍ମୁଖରେ ପକ୍ଷୀହନ୍ତା ବ୍ୟାଧକୁ ଦେଖି ଦୁଃଖ ଏବଂ କ୍ରୋଧରେ ଅଭିଭୂତ ବାଲ୍ମୀକିଙ୍କ କଣ୍ଠରୁ ବାହାରି ଆସିଲା ।


"ମା ନିଷାଦ ପ୍ରତିଷ୍ଠାଂ ତ୍ବମଗମଃ ଶାଶ୍ବତିସମାଃ

ଯତକ୍ରୌଞ୍ଚ ମିଥୁନାଦିକମବଧିଃ କାମ ମୋହିତମ୍"।


ରେ ନିର୍ଦ୍ଦୟ ବ୍ୟାଧ ! ପ୍ରେମରେ ବିଭୋର ଦୁଇ ପକ୍ଷୀ ମଧ୍ୟରୁ ଗୋଟିଏ ସାଥୀକୁ ତୁ ବଧ କଲୁ;ତୋର ଏହି କର୍ମ ଯୋଗୁଁ ତୁ ଧରାଧାମରେ ଅଧିକ ଦିନ ବଞ୍ଚି ରହିବୁ ନାହିଁ।ତୁ ମହା କଷ୍ଟ ପାଇବୁ ଏବଂ ତୋର ଜନ୍ମ ବ୍ୟର୍ଥ ହେବ।


ଏହା ଥିଲା ଦେବ ଭାଷାରେ ଉଚ୍ଚାରିତ ବିଶ୍ବର ପ୍ରଥମ ଶ୍ଳୋକ।ପ୍ରଚଣ୍ଡ କ୍ରୋଧ ଏବଂ ଦରଦୀ ହୃଦୟର ଭାବନାରୁ ଜନ୍ମ ଏହି ଉଚ୍ଚାରଣର ଅନ୍ତଃସ୍ବର 'ଶୋକ' ହୋଇଥିବାରୁ ଏହା ଶ୍ଳୋକ ନାମରେ ନାମିତ।କ୍ରୋଧ ଏବଂ ଦୁଃଖରେ ଜର୍ଜରିତ ବାଲ୍ମୀକି, ଆଶ୍ରମକୁ ଫେରିଆସି,ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ବ୍ୟାଧକୁ ଶାପ ଦେଇ ଥିବାରୁ ଅନୁତାପରେ ଘାରି ହେଲେ।ମହର୍ଷିଙ୍କର ଶିଷ୍ୟମାନେ ଗୁରୁଙ୍କ ମୁଖ ନିସ୍ରୁତ ପଦମାନଙ୍କୁ ଅନୁସ୍ତୁଭ ଛନ୍ଦରେ ଗାୟନ କରିବାରେ ଲାଗିଲେ ଏବଂ ତାହା ଅତ୍ୟନ୍ତ ଶ୍ରୁତି ମଧୁର ହେଲା।


ଏହି ସମୟରେ ବ୍ରହ୍ମା ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚିଲେ।ମହର୍ଷି ବାଲ୍ମୀକି ବେଦପତିଙ୍କର ପାଦ ବନ୍ଦନା କରିବାପରେ ବିଧାତା କହିଲେ..ହେ ମୁନି ଶ୍ରେଷ୍ଠ ! ଯେଉଁ ସମୟରେ ଆପଣ ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମୀକିରେ ପରିଣତ ହେଲେ ସେତେବେଳେ ମୁଁ ଆପଣଙ୍କୁ ଅନୁରୋଧ କରିଥିଲି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜୀବନ ଗାଥା "ରାମାୟଣ" ରଚନା କରିବା ପାଇଁ। ବର୍ତ୍ତମାନ ସେ ସମୟ ଉପସ୍ଥିତ।ଆପଣ ଶୀଘ୍ର ରାମାୟଣ ରଚନା କରନ୍ତୁ।ମୋ ଆଶୀର୍ବାଦରୁ ରାମାୟଣର ସମସ୍ତ ଘଟଣାବଳୀ,ରଚନା ସମୟରେ ଆପଣଙ୍କୁ ସ୍ପଷ୍ଟଭାବେ ପ୍ରତୀତ ହେବ।ଯେ ପର୍ଯ୍ୟନ୍ତ ପର୍ବତଶ୍ରେଣୀ ପୃଥିବୀ ପୃଷ୍ଠରେ ଦଣ୍ଡାୟମାନ ଏବଂ ନଦୀର ଶ୍ରୋତ ପ୍ରବହମାନ ରହିବେ,ପବିତ୍ର ରାମାୟଣ ସହିତ ଆପଣଙ୍କର ଅମ୍ଳାନ ଯଶ ଚିରଭାସ୍ବର ରହିଥିବ।


 ସବୁ ଗ୍ରନ୍ଥ ମଧ୍ୟରେ ଶ୍ରେଷ୍ଠଗ୍ରନ୍ଥ ଭାବରେ ପରିଗଣିତ ହେବ ଆପଣଙ୍କଦ୍ଵାରା କୃତ ରାମାୟଣ ଏବଂ ସମଗ୍ର ବିଶ୍ବରେ ଘରେ ଘରେ ତାହା ଆଦର ଲାଭ କରିବ।ଏହା ଶ୍ଳୋକରେ ଆଦ୍ୟ ଲେଖା ହୋଇଥିବାରୁ ଆପଣ "ଆଦିକବି" ବୋଲାଇବେ।ବ୍ରହ୍ମାଣ୍ଡରେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଆପଣଙ୍କ ଯଶ ଅମ୍ଳାନ ରହିବ।ଆପଣଙ୍କ ଯଶୋଦେହ ଚିର ଆୟୁଷ୍ମାନ ରହିବ।


ହେ ମୁନିଶ୍ରେଷ୍ଠ ! ବ୍ୟାଧ ଦ୍ବାରା କ୍ରୌଞ୍ଚପକ୍ଷୀ ବଧ ସମୟରେ ଆପଣଙ୍କ ମୁଖରୁ ଯେଉଁ ଶ୍ଳୋକ ନିସ୍ରୁତ ହୋଇଛି ତାହା ହିଁ ବିଶ୍ବରେ ଆଦିଶ୍ଳୋକ ନାମରେ ପରିଗଣିତ ହେବ।ସେହି ଶ୍ଳୋକର ଅନୁସ୍ତୁଭ ଛନ୍ଦରେ ଆପଣ ରଚନା କରିବେ ଶ୍ରୀରାମ ଚରିତ ରାମାୟଣ। ଆପଣଙ୍କ ରଚିତ ଗ୍ରନ୍ଥ ପାଠକରି ଏବଂ ଶ୍ରବଣ କରି ପ୍ରାଣୀମାନେ ସମସ୍ତ ପାପ ତାପରୁ ଉଦ୍ଧାର ପାଇଯିବେ।"


ଏହା କହି ବ୍ରହ୍ମଦେବ ବ୍ରହ୍ମ ଲୋକକୁ ଫେରିଗଲେ। ଭରଦ୍ୱାଜ ଏବଂ ଶାର୍ଙ୍ଗରବ ଆଦି ଶିଷ୍ୟମାନଙ୍କ ଗହଣରେ ବାଲ୍ମୀକି ଆଶ୍ରମରେ ସ୍ଥିର ଚିତ୍ତରେ ରାମାୟଣ ଲେଖିବା ଆରମ୍ଭ କଲେ।ଶିଷ୍ୟମାନେ ଅନୁସ୍ତୁଭ ଛନ୍ଦରେ ଆଦିଶ୍ଳୋକ ଯେତେବେଳେ ଉଚ୍ଚ କଣ୍ଠରେ ଗାୟନ କଲେ ମଧୁର ଗମ୍ଭୀର ସ୍ବରରେ ବନଭୂମି ଗୁଞ୍ଜରିତ ହୋଇ ଉଠିଲା।ତାର ତାଳେ ତାଳେ ପଦ ସଂଯୋଜନା କରି ରାମାୟଣ ଲେଖିବା ଆରମ୍ଭ କଲେ ଆଦିକବି ବାଲ୍ମୀକି।ବ୍ରହ୍ମଦେବଙ୍କ କୃପାରୁ ଶ୍ରୀରାମଙ୍କ ଜୀବନାୟନର ଅତୀତ ଭବିଷ୍ୟତ ତାଙ୍କୁ ସବୁ ସ୍ପଷ୍ଟ ଦେଖାଗଲା।


ସୂର୍ଯ୍ୟଙ୍କ ପୁତ୍ର ବୈବସ୍ଵତ ମନୁଙ୍କ ବଂଶରେ ଅନେକ ପ୍ରଥିତଯଶା ନରପତି ଭାରତ ଭୂଖଣ୍ଡରେ ନିଜନିଜର ସୁଶାସନ ପ୍ରତିଷ୍ଠା କରିଯାଇଥିଲେ।ମନୁଙ୍କ ପୁତ୍ର ଇକ୍ଷ୍ବାକୁଙ୍କ ନାମ ଅନୁଯାୟୀ ଏହି ସୂର୍ଯ୍ୟବଂଶର ନାମ ଇକ୍ଷ୍ବାକୁ ବଂଶ ଭାବରେ ମଧ୍ୟ ପରିଚିତ।ରାମଚନ୍ଦ୍ରଙ୍କ ପୂର୍ବରୁ ଏହି ବଂଶରେ ୬୧ ଜଣ ରାଜା ରାଜତ୍ଵ କରିଯାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ରାଜା ଇକ୍ଷ୍ବାକୁ, ମାନ୍ଧାତା,ମୁଚୁକୁନ୍ଦ,ଅମ୍ବରିଶ,ଭରତ, ହରିଶ୍ଚନ୍ଦ୍ର,ଦିଲ୍ଲୀପ,ସଗର ଏବଂ ରଘୁ।ରାଜା ସଗର ସୃଷ୍ଟି କରିଥିଲେ ସପ୍ତସିନ୍ଧୁ; ରାଜା ଭଗିରଥ ଗଭୀର ତପସ୍ୟା ବଳରେ ଗଙ୍ଗାଦେବୀଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହି ସୂର୍ଯ୍ୟ ବଂଶର ଦ୍ବିତୀୟ ରାଜା ଇକ୍ଷ୍ବାକୁ ଧର୍ମ ଏବଂ ନ୍ୟାୟ ପରାୟଣ ହୋଇ ବିଶାଳ ଭାରତ ଭୂଖଣ୍ଡ ଶାସନ କରିଥିଲେ; ପ୍ରଥମ ରାଜା ମନୁ ଗଙ୍ଗା ନଦୀର ଉତ୍ତର ଭାଗରେ ବିଶାଳ କୋଶଳ ରାଜ୍ୟ ପ୍ରତିଷ୍ଠା କରିଥିଲେ ଏବଂ ସରଯୂ ନଦୀ କୂଳରେ ଗୋଟିଏ ପବିତ୍ର ସ୍ଥାନ ପାଇ ସେଠାରେ ରାଜଧାନୀ ପ୍ରତିଷ୍ଠା କରି ତାର ନାମ 'ଅଯୋଧ୍ୟା' ରଖିଥିଲେ। ଅଯୋଧ୍ୟା ନଗରୀ ଅଳକାପୁରୀ ଠାରୁ ଆହୁରି ସୁନ୍ଦର ନଗରୀ ଥିଲା। ସେଠାରେ ଅଦିନରେ ମଧ୍ୟ ମନ୍ଦ ମଳୟ ପ୍ରସରିତ ହେଉଥିଲା।


ସେହି ବଂଶରେ ଅଜଙ୍କ ପୁତ୍ର ରାଜା ଦଶରଥ ଅଯୋଧ୍ୟାରେ ଶାନ୍ତିରେ ରାଜ୍ୟ ଶାସନ କରୁଥିଲେ।ଦେବ ଦାନବ ଯୁଦ୍ଧ ସମୟରେ ଦେବତା ମାନଙ୍କ ଦ୍ବାରା ନିମନ୍ତ୍ରିତ ହୋଇ ସେ ସେମାନଙ୍କ ପକ୍ଷରେ ରହି ଦାନବ ମାନଙ୍କ ବିରୁଦ୍ଧରେ ଯୁଦ୍ଧକରି ବିଜୟ ଲାଭ କରିଥିଲେ।ଇନ୍ଦ୍ର ଏବଂ କୁବେରଙ୍କ ଯଶ ତୁଳନାରେ ଦଶରଥଙ୍କ ଯଶ କୌଣସି ପ୍ରକାରେ ଉଣା ନଥିଲା।ତାଙ୍କ ଶାସନରେ କୋଶଳର ପ୍ରଜାପୁଞ୍ଜ ସୁଖ, ଶାନ୍ତି ଏବଂ ତୃପ୍ତିର ଜୀବନ ଯାପନ କରୁଥିଲେ। ମହର୍ଷି ବାଲ୍ମୀକିଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ସେ ସମୟର ଅଯୋଧ୍ୟା ଯେ କୌଣସି ଆଧୁନିକ ରାଜଧାନୀ ଠାରୁ ସୁନ୍ଦରତାରେ ଉଣା ନଥିଲା। ବିଶାଳ ସୈନ୍ୟ ବାହିନୀ ରାଜ୍ୟକୁ ସବୁ ଦିଗରୁ ସୁରକ୍ଷିତ କରି ରଖିଥିଲେ। ଶତ୍ରୁ-ରାଜ୍ୟର ସାହସ ନଥିଲା କୋଶଳର ସୀମା ସ୍ପର୍ଶ କରିବାପାଇଁ।ରାଜ୍ୟର ଚାରିଦିଗରେ ବିଶାଳ ଦୁର୍ଗମାନ ପ୍ରତିଷ୍ଠିତ ହୋଇଥିଲା।ଦୁର୍ଗଗୁଡିକ ଗଡ଼ଖାଇ ଦ୍ବାରା ସୁରକ୍ଷିତ ରହିଥିଲା। "ଅଯୋଧ୍ୟା" ଅର୍ଥ ଯୁଦ୍ଧରେ ପରାଜିତ ନ'ହୋଇଥିବା ରାଜ୍ୟ ଏବଂ ଦଶରଥଙ୍କ ଅଯୋଧ୍ୟା ନିଜ ନାମକୁ ସାର୍ଥକ କରିଥିଲା।ମହାରାଜା ଦଶରଥଙ୍କର ଆଠଜଣ ବିଜ୍ଞ ମନ୍ତ୍ରୀ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିଲେ।


 ବଶିଷ୍ଠ,ଜାବାଳି,ବାମଦେବ,କଶ୍ୟପ ଆଦି ବିଜ୍ଞ ମହର୍ଷିମାନେ ଦଶରଥଙ୍କ ଦରବାର ଅଳଙ୍କୃତ କରିଥିଲେ।ସେମାନଙ୍କ ପ୍ରଭାବରେ ରାଜା ଧର୍ମମାର୍ଗରେ ପରିଚାଳିତ ହୋଇ ପ୍ରଜା ପାଳନ କରୁଥିଲେ ଏବଂ ଯଜ୍ଞହୋମାଦି ଅନୁଷ୍ଠାନ କରି ପ୍ରଜାଙ୍କର ପ୍ରୀତି ଓ ସମ୍ମାନର ଅଧିକାରୀ ହୋଇଥିଲେ।ପ୍ରଜାଙ୍କ ଉପରେ କର ଭାର କମ୍ ଥିଲା ଏବଂ ଦୋଷୀ ମାନଙ୍କୁ ଦୋଷ ଅନୁରୂପ ଦଣ୍ଡ ଦିଆ ଯାଉଥିଲା। ଉପଯୁକ୍ତ ମନ୍ତ୍ରୀ ଏବଂ ପାରିଷଦମାନଙ୍କ ଦ୍ବାରା ପରିବେଷ୍ଟିତ ରାଜା ଦଶରଥଙ୍କ ଯଶ ଉଦିତ ସୂର୍ଯ୍ୟ ସଦୃଶ ଜାଜ୍ଜ୍ୱଲ୍ୟମାନ ଥିଲା।


ଶାନ୍ତିରେ ଏହିପରି ଦଶରଥଙ୍କର ସମୟ ବିତି ଯାଉଥିଲା।ସବୁ ପ୍ରାପ୍ତି ଭିତରେ ରାଜାଙ୍କର ଗୋଟିଏ ମାତ୍ର ଅପ୍ରାପ୍ତି ରହି ଯାଇଥିଲା... ରାଜାଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ।



Rate this content
Log in

Similar oriya story from Classics