Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୯)

ସରଯୂ ନଦୀର ତୀରେ (୪୯)

4 mins
512



ସଙ୍ଗରେ ଲକ୍ଷ୍ମଣଙ୍କ ଭଳି ଅନୁଗତ ଭାଇ ଏବଂ ସୀତାଙ୍କ ଭଳି ପତିପ୍ରାଣା ସୁନ୍ଦରୀ ଗୁଣବତୀ ପତ୍ନୀ;ରାମଚନ୍ଦ୍ରଙ୍କର ଆଉ ଅଧିକ କଣ ଆବଶ୍ୟକ ? ବନବାସର ଦୁଃଖ ତାଙ୍କ ମନକୁ ତିଳେମାତ୍ର ସ୍ପର୍ଶ କରୁନଥିଲା।ଚିତ୍ରକୂଟ ଅରଣ୍ୟ ପ୍ରଦେଶ ଅତି ସୁନ୍ଦର ସ୍ଥାନଟିଏ ଥିଲା। ଚତୁର୍ଦ୍ଦିଗ ସବୁଜିମାରେ ଭରା ପର୍ବତଶ୍ରେଣୀ,ଝରଣାର କୁଳୁକୁଳୁ ସଙ୍ଗୀତ, ପକ୍ଷୀମାନଙ୍କର ଶ୍ରୁତିମଧୁର କୂଜନ ତଥା ପଶୁପକ୍ଷୀ ମାନଙ୍କର ପର୍ବତର ସବୁଜ ରଙ୍ଗମଞ୍ଚରେ ନୃତ୍ୟଗୀତ ରାମ,ଲକ୍ଷ୍ମଣ ଓ ସୀତାଙ୍କ ମନକୁ ପରୀରାଜ୍ୟରେ ଭ୍ରମଣ କରାଉଥିଲା। ଏହି ଅଳ୍ପଦିନ ଭିତରେ ମାତାପିତାଙ୍କ ବିଚ୍ଛେଦ ଏବଂ ସ୍ବର୍ଗସମ ଅଯୋଧ୍ୟାଠାରୁ ଦୂରତା ଭୁଲିଯାଇଥିଲେ ତ୍ରିମୂର୍ତ୍ତି। ସେଦିନର ପ୍ରଭାତସୂର୍ଯ୍ୟ ଚିତ୍ରକୂଟର ଚୂଡାରେ ରଚିଥିଲେ ଅପୂର୍ବ ବର୍ଣ୍ଣବିଭାର ମଧୁଚକ୍ର। ପ୍ରକୃତିର ସୌନ୍ଦର୍ଯ୍ୟରେ ହଜିଯାଇଥିଲେ ରଘୁବଂଶୀ। ସୀତାଙ୍କ ଦୃଷ୍ଟି ଚିତ୍ରକୂଟ ଚୂଡା ପ୍ରତି ଆକର୍ଷିତ କରି ରାମଚନ୍ଦ୍ର କହିଲେ ଶୁଶୀଳେ ! ପର୍ବତ ଶୀର୍ଷରେରେ ଥିବା ଶିଳା ଉପରେ ନୃତ୍ୟ କରୁଥିବା କିରଣର ରଙ୍ଗିନ ବର୍ଣ୍ଣବିଭାକୁ ଦେଖ।ଦେଖ ସୀତେ ! ଚିରକୂଟ ପର୍ବତର ବୃକ୍ଷଲତାର ସବୁଜ ଶାଖା ଓ ପତ୍ର ମଧ୍ୟରେ ହସିଉଠୁଥିବା ମନଲୋଭା ଫୁଲମାନଙ୍କୁ।ଆମେ ସିନା ଅଯଥା ବିବ୍ରତ ହେଉଥିଲେ, କିନ୍ତୁ ସତରେ ଏ'ବଣପାହାଡର ପ୍ରକୃତି ଭିତରେ ରହିବା କେଡେ ଆନନ୍ଦ ଦାୟକ ! ଏହି ମନଲୋଭା ପରିବେଶ ଭିତରେ ତୁମେ ଓ ଲକ୍ଷ୍ମଣ ମୋ ସହିତ ରହିଥିବା ଯୋଗୁଁ ମୋର ବନବାସୀ ଜୀବନର ସବୁ ଦୁଃଖ ଦୂର ହୋଇଯାଇଛି। ମନେହୁଏ ଚଉଦବର୍ଷର ଅରଣ୍ୟବାସ ଚଉଦ ଦିନ ଭଳି ବିତିଯିବ; ତା'ପରେ ମାତା ପିତାଙ୍କ ପାଖକୁ ଅଯୋଧ୍ୟା ଫେରିଯିବା। ସର୍ବୋପରି ମୁଁ ଆନନ୍ଦିତ ପ୍ରିୟେ ଯେ ମୋ ଅନୁଜ ଭରତ ଅଯୋଧ୍ୟାର ରାଜଦଣ୍ଡ ଗ୍ରହଣ କରି ପ୍ରଜାପାଳନ କରୁଛି।ଜାଣ ସୀତେ ! ଅଯୋଧ୍ୟା ସିଂହାସନ ପାଇଁ ଭରତଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି କେହି ନାହାନ୍ତି।" ଏହିଭଳି କଥୋପକଥନ ସମୟରେ ହଠାତ୍ ଦୂରରୁ ଆକାଶ ଧୂଳିପୂର୍ଣ୍ଣ ଦେଖାଗଲା। ପ୍ରଶାନ୍ତ ବନଭୂମି କୋଳାହଳରେ ଅଶାନ୍ତ ଜଣାଗଲା। ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ..ଏ କୋଳାହଳ ଶୁଣି ପାରୁଛ ଲକ୍ଷ୍ମଣ ! ବଣ ମଇଁଷି,ହସ୍ତୀ ଏବଂ ଅନ୍ୟାନ୍ୟ ଯନ୍ତୁ ମାନଙ୍କର ଇତସ୍ତତ ଦଉଡିବା ଦେଖି ପାରୁଛ ? ବୋଧହୁଏ ଚିତ୍ରକୂଟ ଭିତରେ ସୈନ୍ୟ ସାମନ୍ତ ସହିତ ଶିକାର କରିବା ପାଇଁ କେଉଁ ରାଜା ପ୍ରବେଶ କରିଛି। ଲକ୍ଷ୍ମଣ ବୃକ୍ଷ ଆରୋହଣ କରି ଦେଖିଲେ ଉତ୍ତର ଦିଗରୁ ଏକ ବିଶାଳ ସେନାବାହିନୀ ମାଡ଼ି ଆସୁଛି। ସତର୍କତା ଅବଲମ୍ବନ କରିବା ପାଇଁ ସେ ଶ୍ରୀରାମଙ୍କୁ କହିଲେ..ଅଗ୍ରଜ ଏକ ବିଶାଳ ସେନାବାହିନୀ ଉତ୍ତର ଦିଗରୁ ମାଡ଼ି ଆସୁଛି।ମାତା ସୀତାଙ୍କୁ କୁଟୀର ଭିତରକୁ ନେଇ ଯାଆନ୍ତୁ। ଅଗ୍ନି ନିର୍ବାପିତ କରିଦିଅନ୍ତୁ; ଧୂମଶିଖା ଦେଖି ଯେପରି ସେମାନେ ଏ ଦିଗକୁ ଆକର୍ଷିତ ନହୁଅନ୍ତି। ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କ ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ହୁଅନ୍ତୁ ଅଗ୍ରଜ।" ଶ୍ରୀରାମ କହିଲେ ଅଧୈର୍ଯ୍ୟ ହୁଅନାହିଁ ଲକ୍ଷ୍ମଣ; ସ୍ଥିରଦୃଷ୍ଟିରେ ଦେଖ ସେମାନଙ୍କ ରଥରେ କେଉଁ ଦେଶର ଧ୍ବଜା ଉଡୁଛି। ପୁନର୍ବାର ନିରୀକ୍ଷଣ କରି କ୍ରୋଧରେ କମ୍ପିଗଲେ ଲକ୍ଷ୍ମଣ; କହିଲେ ଅଗ୍ରଜ,ଏ' ତ ଅଯୋଧ୍ୟାର ସେନାବାହିନୀ ! ରଥମାନଙ୍କରେ ବୃକ୍ଷ ଚିହ୍ନର ପତାକା ଉଡୁଛି। ମନେହୁଏ ରାଜ୍ୟ ଲାଭ କରି ସନ୍ତୁଷ୍ଟ ନହୋଇ ଭ୍ରାତା ଭରତ ଆମ୍ଭମାନଙ୍କର ଅନୁଧାବନ କରୁଛି।ଆପଣଙ୍କୁ ହତ୍ୟାକରି ନିଷ୍କଣ୍ଟକ ସିଂହାସନ ପାଇବା ଆଶାରେ କୁମାତା କୈକେୟୀଙ୍କ ପୁତ୍ର ଭରତ ସୈନ୍ୟ ସାମନ୍ତ ନେଇ ଆମକୁ ହତ୍ୟା କରିବାପାଇଁ ମାଡ଼ି ଆସୁଛି ଅଗ୍ରଜ! କିନ୍ତୁ ମୁଁ ତାହା ହେବାପାଇଁ ଦେବି ନାହିଁ।ଧର୍ମ ହତ୍ୟାକାରୀ ଏହି ରାଜ୍ୟଲୋଭୀକୁ ହତ୍ୟା କଲେ ପାପ ଲାଗିବ ନାହିଁ ଅଗ୍ରଜ ! ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆମେ ସେମାନଙ୍କୁ ପ୍ରଥମେ ଆକ୍ରମଣ କରିବା କିମ୍ବା ନିକଟକୁ ଆସିବାପରେ। ମୋତେ ଆଜ୍ଞା ଦିଅନ୍ତୁ ଅଗ୍ରଜ! ମୁଁ ଭରତ ସମେତ ଅଯୋଧ୍ୟାର ସେନାବାହିନୀକୁ ଧ୍ବଂସକରି ବଣ୍ୟଯନ୍ତୁଙ୍କର କ୍ଷୁଧା ମେଣ୍ଟାଇବି।ରକ୍ତରଞ୍ଜିତ ହୋଇଯାଉ ମନ୍ଦାକିନୀ ଧାରା।ଭରତର ମୃତ୍ୟୁ ସହିତ ଅଯୋଧ୍ୟାରେ ଷଡଯନ୍ତ୍ରର ମୃତ୍ୟୁ ହେଉ।"କହୁ କହୁ ଭୟଙ୍କର କ୍ରୋଧରେ କମ୍ପିଗଲେ ସୌମିତ୍ରି। ଆଶ୍ଚର୍ଯ୍ୟ ହୋଇ ରାମଚନ୍ଦ୍ର କହିଲେ ଶାନ୍ତ ହୁଅ ସୌମିତ୍ରି ! ଆଜି ତୁମର କଣ ହୋଇଛି ! ଏତେ ଅଧୈର୍ଯ୍ୟ ଓ କ୍ରୋଧିତ କାହିଁକି ! ମୁଁ ଜାଣେ ତୁମେ ଚାହିଁଲେ ଚଉଦ ବ୍ରହ୍ମାଣ୍ଡ କ୍ଷଣକରେ ଧ୍ବଂସ କରିଦେଇପାରିବ।ଭରତ ଏବଂ ଅଯୋଧ୍ୟାର ସେନାବାହିନୀକୁ ଧ୍ବଂସକରି ମୃତ୍ୟୁ ଦାନ କରିବା ତୁମ ବାମ ହାତର ଖେଳ। କିନ୍ତୁ ଏପରି କରିବା ପୂର୍ବରୁ ଥରେ ଚିନ୍ତା କର ଅନୁଜ ! କାହିଁକି ଆମେ ଏସବୁ କରିବା ! ପିତୃସତ୍ୟକୁ ଅବଜ୍ଞା କରି, ବଂଶର ମହାନତାକୁ କଳଙ୍କିତ କରି,ଭ୍ରାତୃରକ୍ତରେ ହସ୍ତ ରଞ୍ଜିତ କରି କଣ ଆମେ ପାଇବା ଅନୁଜ ! ସାମାନ୍ୟ ରାଜପଦ !ଧିକ୍ ସେ ରାଜପଦକୁ ଭାଇ ! ସେପରି କାର୍ଯ୍ୟ ଖାଦ୍ୟରେ ବିଷ ମିଶାଇ ଭକ୍ଷଣ କରିବା ସହିତ ସମାନ। ନିଜର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ମାନଙ୍କର ଖୁସି ପାଇଁ ସିନା ଏହି କ୍ଷମତା ଓ ରାଜପଦ ! ସେମାନଙ୍କ ରକ୍ତରେ ରଞ୍ଜିତ ରାଜପଦ ମୋର ଲୋଡା ନାହି ଲକ୍ଷ୍ମଣ ! ମୋ ତିନି ଭାଇଙ୍କର ଖୁସିରେ ହିଁ ମୋର ଖୁସି। ଲକ୍ଷ୍ମଣ ! ତୁମେ ଭରତକୁ ସନ୍ଦେହ କରନାହିଁ। ଇକ୍ଷ୍ବାକୁ ବଂଶର ରକ୍ତ ତା ଧମନୀରେ ପ୍ରବାହିତ। ମୁଁ ଜାଣେ ଭରତ କେଉଁ ଉଦ୍ଦେଶ୍ୟରେ ଆମ ପାଖକୁ ଆସୁଛି।ଭରତ ମାତୁଳାଳୟରେ ଥିବା ସମୟରେ ଅଯୋଧ୍ୟାରେ ଅନେକ କିଛି ଘଟିଯାଇଛି। ସେଠାରୁ ଫେରିଆସି ପିତାଙ୍କ ଶୋକ ଦୂର କରିବାପାଇଁ ମାତା କୈକେୟୀଙ୍କ ଇଚ୍ଛାକୁ ସେ ଅବଜ୍ଞା କରିଥିବ ଏବଂ ରାଜପଦ ଗ୍ରହଣ କରିନଥିବ। ମୋତେ ଅରଣ୍ୟରୁ ଫେରାଇ ନେଇ ରାଜପଦରେ ଅଭିଷିକ୍ତ କରି ପିତାଙ୍କ ଦୁଃଖ ଦୂର କରିବା ପାଇଁ ନିଶ୍ଚିତ ଭାବରେ ଭରତ ଆମ ପାଖକୁ ଆସୁଛି ଲକ୍ଷ୍ମଣ ! ତୁମେ ଅଯଥା ସନ୍ଦେହ କରନାହିଁ।" ଶ୍ରୀରାମଙ୍କ ମୁଖ ନିସ୍ରୁତ ଏହି ବାଣୀ ଲକ୍ଷ୍ମଣଙ୍କୁ କେବଳ ଶାନ୍ତ ନୁହେଁ ଲଜ୍ଜିତ ମଧ୍ୟ କଲା।ନତମସ୍ତକ ହୋଇ ଲକ୍ଷ୍ମଣ କହିଲେ ଆପଣ କଦାଚିତ୍ ଠିକ୍ କହୁଛନ୍ତି ଅଗ୍ରଜ ! କିନ୍ତୁ ଏ ବିଶାଳ ସେନା କାହିଁକି ? ବୋଧହୁଏ ପୁତ୍ର ଶୋକରେ ବିଦଗ୍ଧ ଆମ ପିତା ଅରଣ୍ୟରେ ଆମ ସହିତ ସାକ୍ଷାତ କରିବାପାଇଁ ଆସୁଛନ୍ତି।" ଶ୍ରୀରାମ କହିଲେ ତୁମର ଅନୁମାନ ବୋଧହୁଏ ଠିକ୍ ଲକ୍ଷ୍ମଣ !ଅରଣ୍ୟକୁ ଆସିବା ସମୟରେ ବଧୂ ସୀତାଙ୍କ ପାଇଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ଥିଲେ ପିତା ଦଶରଥ। ବୋଧହୁଏ କୁଳବଧୂକୁ ଫେରାଇନେବା ଉଦ୍ଦେଶ୍ୟରେ ଏହା ପିତାଙ୍କର ଆଗମନ। କିନ୍ତୁ ରାଜାଙ୍କ ସହିତ ଯେଉଁ ଧବଳ ରଙ୍ଗର ଛତ୍ରି ଥାଏ ତାହା ତ ଦୃଷ୍ଟି ଗୋଚର ହେଉନାହିଁ। ତୁମେ କ୍ରୋଧ ଶାନ୍ତ କର ଏବଂ ପ୍ରକୃତ କାରଣ ଜାଣିବାପାଇଁ ଅପେକ୍ଷା କର ଅନୁଜ।" ଏଣେ ଭରତଙ୍କ ସହିତ ଆସିଥିବା ସୈନିକ ଏବଂ ପ୍ରଜାମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଥାଏ। ରାମଚନ୍ଦ୍ରଙ୍କୁ ଦର୍ଶନ କରିବାର ଉଦ୍ବେଗ ସମସ୍ତଙ୍କ ମନରେ। ବତ୍ସାହରା ଧେନୁ ଭଳି ଥିଲା ରାମ ଏବଂ ଲକ୍ଷ୍ମଣଙ୍କ ଜନନୀଙ୍କ ଅବସ୍ଥା।ଆଖିରୁ ଝରି ଯାଉଥାଏ ଅବାରିତ ଅଶ୍ରୁ।ହାନ୍ଦୋଳାରୁ ଓହ୍ଲାଇ ପାଦରେ ଚାଲି ଚାଲି ଯାଉ ଯାଉ ବାତୁଳୀଙ୍କ ଭଳି ହେଉଥାନ୍ତି ଦୁଇ ରାଜମାତା। କେତେବେଳେ ପୁତ୍ର ମାନଙ୍କୁ ଓ ବଧୂଙ୍କୁ କୋଳରେ ଧରି ଚୁମ୍ବନ ଦେବେ,ମନରେ ଥିଲା ସେହି ଚିନ୍ତା।ତ୍ରିମୂର୍ତ୍ତି ଅଯୋଧ୍ୟା ଛାଡ଼ିବା ପରଠାରୁ ସବୁ ଆନନ୍ଦ ଉଭେଇ ଯାଇଛି ଦୁଇମାତାଙ୍କ ଜୀବନରୁ।ଅଖିଆ ଅପିଆ ଭୂଇଁରେ ଶୋଇବାରେ ସମୟ ବିତିଛି ଏପର୍ଯ୍ୟନ୍ତ। ସୀତାଙ୍କ ଚିନ୍ତା ବେଶି ଘାରିଛି ରାଜମାତାମାନଙ୍କୁ ଏବଂ ଅଯୋଧ୍ୟାର ପୁରନାରୀମାନଙ୍କୁ।କୋମଳାଙ୍ଗୀ ଜନକନନ୍ଦିନୀ କିପରି ଫଳମୂଳ ଖାଇ ଝରଣାର ଜଳ ପିଇ ହିଂସ୍ରଜନ୍ତୁପୂର୍ଣ୍ଣ ନିଘଞ୍ଚ ଅରଣ୍ୟରେ ଜୀବନ ବିତାଉଛନ୍ତି, ସେହି ଚିନ୍ତା ସମସ୍ତଙ୍କୁ ଘାରିଛି। ରାଜମାତା କୈକେୟୀ ଅନୁତାପ ଅନଳରେ ଦଗ୍ଧିଭୂତ ଲତାଟିଏ ପରି ଝାଉଁଳି ଯାଇଛନ୍ତି। ଚିତ୍ରକୂଟ ପର୍ବତ ଶିଖରରେ ଧୂମଶିଖା ଦେଖି ଭରତଙ୍କ ସମସ୍ତ ଅନୁଗାମୀ ଆନନ୍ଦରେ ଆତ୍ମହରା;ଏକ ସ୍ଵରରେ ସମସ୍ତଙ୍କ କଣ୍ଠସ୍ବର ଗଗନ ପବନ ପ୍ରକମ୍ପିତ କଲା ଜୟ ଶ୍ରୀରାମ,ଜୟ ସୀତାରାମ, ରାମ-ଲକ୍ଷ୍ମଣଙ୍କର ଜୟ ହେଉ ।"


କ୍ରମଶଃ


Rate this content
Log in

Similar oriya story from Classics