STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୮)

ସରଯୂ ନଦୀର ତୀରେ (୪୮)

4 mins
583


ନିଷାଦରାଜ ଗୁହକ ଅଯୋଧ୍ୟାର ପ୍ରଜା ଏବଂ ସୈନିକଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କଲେ।ଗଙ୍ଗାକୂଳରେ,ଆଗରୁ ଯେଉଁଠାରେ ରାମ,ଲକ୍ଷ୍ମଣ, ସୀତା ବିଶ୍ରାମ ନେଇଥିଲେ,ତାର ଅଳ୍ପଦୂରରେ ଗୁହକଙ୍କ ସହିତ ଭରତ,ଶତ୍ରୁଘ୍ନ ରାତିରେ ବିଶ୍ରାମ ନେଲେ।ଭରତଙ୍କ ଆଖିରୁ ନିଦ ଉଭେଇ ଯାଇଥିଲା।ଗୁହକଙ୍କ ସହିତ ଶ୍ରୀରାମଙ୍କ ବିଷୟରେ ଯେତିକି ଆଲୋଚନା କରୁଥାନ୍ତି ଭରତଙ୍କ ଦୁଃଖ ସେତିକି ବଢି ବଢି ଚାଲିଥାଏ।ଗଙ୍ଗାକୂଳରେ ବିଶ୍ରାମ ନେବାଠାରୁ ବଟବୃକ୍ଷ କ୍ଷୀରରେ ଜଟା ବାନ୍ଧି ବନୌକା ବେଶରେ ରାମ ଏବଂ ଲକ୍ଷ୍ମଣ ସୀତାଙ୍କ ସହିତ ଗଙ୍ଗାନଦୀ ପାର ହେବା କଥା ଗୁହକ ଟିକି ନିଖି ବର୍ଣ୍ଣନା କଲାବେଳେ ଭରତଙ୍କ ଆଖିରେ ଅଶ୍ରୁ ହିଁ ଅଶ୍ରୁ ଭରି ରହିଥିଲା। ଦୀର୍ଘ ନିଃଶ୍ବାସ ଭରତଙ୍କ ଛାତି ଥରାଇ ବାହାରି ଆସିଲା।ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥାନ୍ତି ଭରତ କେଉଁଠାରେ ମୋ ଭ୍ରାତା ବିଶ୍ରାମ ନେଇଥିଲେ?କଣ ଭୋଜନ କରିଥିଲେ ଇତ୍ୟାଦି ପ୍ରଶ୍ନର ଉତ୍ତର ଦେଉଥିଲେ ଗୁହକ ଏବଂ ଭରତଙ୍କ ଆଖିରୁ ବହି ଚାଲିଥାଏ ଅବିଶ୍ରାନ୍ତ ଅଶ୍ରୁଧାର। ଶେଷରେ ଭରତ ପଚାରିଲେ.. କେଉଁଠାରେ ମୋ ଅନୁଜ ଲକ୍ଷ୍ମଣ ଶୟନ କରିଥିଲେ ନିଷାଦରାଜ ?

ଗୁହକ କହିଲେ ରାମ ଓ ସୀତା ଯେଉଁ ସମୟରେ ଏହି ବୃକ୍ଷମୂଳରେ ଶୟନ କରିଥିଲେ,ଅନୁଜ ଲକ୍ଷ୍ମଣ ଅନତି ଦୂରରେ ଧନୁଶର ଧରି ବିନିଦ୍ର ରଜନୀ କଟାଇଥିଲେ। ଶୟନ କରିବାକୁ ମୁଁ ଅନୁରୋଧ କରିବାରୁ ଲକ୍ଷ୍ମଣ କହିଥିଲେ ଭୂମିରେ କୁଶାସନରେ ଶୟନ କରିଛନ୍ତି ଅଯୋଧ୍ୟାର ରାଜଲକ୍ଷ୍ମୀ ଜାନକୀ ଏବଂ ମୋର ପିତାସମ ଅଗ୍ରଜ; ମୁଁ କିପରି ନିଦ୍ରା ଯାଇପାରିବି ଗୁହକ?"ଆଖିରେ ଥିଲା ଅଶ୍ରୁ,ହାତରେ ଧନୁଶର ;ଅଗ୍ରଜ ଶ୍ରୀରାମ ଓ ସୀତାଙ୍କୁ ଏହିଠାରେ ଦଣ୍ଡାୟମାନ ହୋଇ ସାରା ରାତି ଜଗି ରହିଥିଲେ ଅନୁଜ ଲକ୍ଷ୍ମଣ।"

ଭରତଙ୍କ ଆଖି ଆଗରେ ରାମ,ଲକ୍ଷ୍ମଣ ଓ ସୀତାଙ୍କ ହୃଦୟ ବିଦାରକ ଅବସ୍ଥା ଭାସିଉଠିଲା। ଅଳ୍ପ ଦୂରରେ ବିନିଦ୍ର ରଜନୀ କଟାଉଥିବା କୌଶଲ୍ୟା ଓ ସୁମିତ୍ରାଙ୍କୁ ସେ ସ୍ଥାନକୁ ଆଣି ରାମ,ଲକ୍ଷ୍ମଣ ସୀତା ବିଶ୍ରାମ କରିଥିବା ସ୍ଥାନ ଦେଖାଇ ଛୋଟ ପିଲାପରି କାନ୍ଦି ଉଠିଲେ ଭରତ। ପୁଣି ଗୁହକଙ୍କୁ ପଚାରିଲେ କଣ ଖାଦ୍ୟ ଖାଇଲେ ମୋ ପ୍ରଭୁ ?ଗୁହକ କହିଲେ ସେ ଦିନ କିଛି ଖାଦ୍ୟ ଗ୍ରହଣ କଲେନାହିଁ ରାମଚନ୍ଦ୍ର,ଲକ୍ଷ୍ମଣ ଓ ସୀତା। ମୁଁ ଆଣିଥିବା କିଛି ଫଳମୂଳକୁ ଫେରାଇ ଦେଇ କେବଳ ଜଳପାନ କରି ରାତ୍ରି ବିତାଇଲେ।ପରଦିନ ସକାଳୁ ସନ୍ୟାସୀ ବେଶରେ ଗଙ୍ଗା ପାରହୋଇ ଅରଣ୍ୟକୁ ଚାଲିଗଲେ।

ଗୁହକଙ୍କଠାରୁ ଏହା ଶୁଣି ଭରତଙ୍କ ଆଖିରେ ଲୁହର ବନ୍ୟା ଉଛୁଳି ପଡ଼ିଲା।କୋହ ସମ୍ବରଣ କରି ଭରତ କହିଲେ ଏତେ କଷ୍ଟ ପାଉଛନ୍ତି ମୋ ଅଗ୍ରଜ ! ଅଥଚ ଏମାନେ ମୋତେ ରାଜସିଂହାସନ ଗ୍ରହଣ କରିବାପାଇଁ କହୁଛନ୍ତି !

ପରଦିନ ଭରତଙ୍କ ସମେତ ଅଯୋଧ୍ୟାର ସୈନ୍ୟସାମନ୍ତ ଓ ଜନସାଧାରଣଙ୍କର ଗଙ୍ଗାନଦୀ ପାର ହେବା ବ୍ୟବସ୍ଥା ଗୁହକ କରିଦେଲେ ଏବଂ ମହର୍ଷି ଭରଦ୍ୱାଜଙ୍କ ଆଶ୍ରମର ପଥ ଦର୍ଶାଇ ଦେଲେ। କିଛି ପଥ ଅତିକ୍ରମ କରିବାପରେ ପ୍ରୟାଗ ନିକଟରେ ଥିବା ଅରଣ୍ୟର ମନୋରମ ଦୃଶ୍ୟ ଦୃଷ୍ଟି ଗୋଚର ହେଲା।ଅରଣ୍ୟର ମଧ୍ୟଭାଗରେ ଏକ ସୁନ୍ଦର ତପୋବନରେ ଶିଷ୍ୟ ପରିବେଷ୍ଠିତ ହୋଇ ରହିଥିଲେ ମହର୍ଷି ଭରଦ୍ବାଜ। ଆଶ୍ରମଠାରୁ ବହୁ ଦୂରରେ ସୈନ୍ୟ ମାନଙ୍କୁ ଅଟକାଇ ବଶିଷ୍ଠ ଏବଂ ସୁମନ୍ତ୍ରଙ୍କୁ ସଙ୍ଗରେ ନେଇ ଭରଦ୍ୱାଜଙ୍କ ଆଶ୍ରମରେ ଭରତ ପହଞ୍ଚିଲେ। ବାହାରେ ସୁମନ୍ତ୍ରଙ୍କୁ ଅପେକ୍ଷା କରିବାକୁ କହି କେବଳ ବଶିଷ୍ଠଙ୍କ ସହିତ ଭରଦ୍ୱାଜଙ୍କ କୁଟୀରରେ ପ୍ରବେଶ କଲେ ଭରତ।ନିଜର ରାଜକୀୟ ବେଶଭୂଷା ତ୍ୟାଗକରି ସାଧାରଣ ବ୍ୟକ୍ତିଙ୍କ ବେଶ ଧାରଣ କରି ଯୋଡ଼ ହସ୍ତରେ ଆଶ୍ରମ ଭିତରେ ସେ ପ୍ରବେଶ କଲେ।ଦୂରରୁ ବଶିଷ୍ଠଙ୍କୁ ଦେଖି ମହର୍ଷି ଭରଦ୍ୱାଜ ନିଜେ ଆସି ମୁନିଙ୍କ ପାଦପୂଜା କରି ଦିବ୍ୟ ଆସନରେ ବସାଇଲେ।ଭରତ ମୁନିଙ୍କ ପାଦତଳେ ମଥା ନୁଆଁଇବା ସମୟରେ ବଶିଷ୍ଠ ତାଙ୍କର ପରିଚୟ ପ୍ରଦାନ କଲେ। ଭରଦ୍ବାଜ ଭରତଙ୍କୁ ରାଜଯୋଗ୍ୟ ସମ୍ମାନ ଦେଇ ଅଯୋଧ୍ୟାର ଅନାମୟ ଜିଜ୍ଞାସା କଲେ ଏବଂ ପଚାରିଲେ ରାଜା ଦଶରଥ ଅତିପ୍ରିୟ ଭାର୍ଯ୍ୟାଙ୍କ ପାଖରେ କରିଥିବା ଶପଥ ଅନୁଯାୟୀ ରାମଚନ୍ଦ୍ର ଚଉଦ ବର୍ଷ ପାଇଁ ବନବାସ ଗଲେ ଏବଂ ତୁମ୍ଭଙ୍କୁ ସିଂହାସନ ପ୍ରାପ୍ତ ହେଲା। ତେବେ ରାଜ୍ୟର ଶାସନ ଦାୟିତ୍ୱ ନିର୍ବାହ ନକରି ତୁମର ପୁଣି ବନକୁ ଆସିବାର ଅଭିପ୍ରାୟ କଣ ଭରତ ?ଏବେ ମଧ୍ୟ କଣ ତୁମ୍ଭେ ଭାବୁଛ ଯେ ତୁମ ଶାସନ ପାଇଁ ପଥ ପରିଷ୍କାର ହୋଇନାହିଁ ?ଦଶରଥଙ୍କର କୃତକର୍ମରୁ କଣ କିଛି ଅପୂରଣୀୟ ରହିଯାଇଛି ଯାହା ତୁମେ ପୂର୍ଣ୍ଣ କରି ନିଷ୍କଣ୍ଟକ ରାଜ୍ୟ ଭୋଗ କରିବା ଉଦ୍ଦେଶ୍ୟରେ ସୈନ୍ୟସାମନ୍ତ ନେଇ ବନକୁ ଆସିଛ ?" 

ଏହା ଶୁଣି ଭରତ ଅବୋଧ ଶିଶୁଭଳି କ୍ରନ୍ଦନ କରିବାକୁ ଲାଗିଲେ ଏବଂ କହିଲେ ମୋର ଏଭଳି ଅଭିଶପ୍ତ ଜୀବନଠାରୁ ମୃତ୍ୟୁ ଶ୍ରେଷ୍ଠ ମୁନିଶ୍ରେଷ୍ଠ। ପ୍ରଭୁ ! ଆପଣ ମୋତେ ସନ୍ଦେହ କରୁଛନ୍ତି ? ମୋର ଅନୁପସ୍ଥିତିରେ ଏବଂ ବିନା ମତାମତରେ ମୋ ଅପରିଣାମଦର୍ଶୀ ଦୁଷ୍ଟାମାତା କୈକେୟୀ ଦ୍ବାରା ଯେଉଁ ଘୋର ବିତ୍ପାତ ସୃଷ୍ଟି ହେଲା ସେଥିପାଇଁ ଆପଣ ମୋତେ ଦାୟୀ କରୁଛନ୍ତି ମୁନିଶ୍ରେଷ୍ଠ ! ମୋ ଦେବୋପମ ଭ୍ରାତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ଓ ଅବିଚାର ଦୂର କରିବା ପାଇଁ ମୁଁ ଅରଣ୍ୟକୁ ଆସିଛି ତାଙ୍କ ହାତପାଦ ଧରି କାକୁତି ମିନତି କରି ଅଯୋଧ୍ୟାକୁ ଫେରାଇ ନେଇ ରାଜପଦରେ ଅଭିଷିକ୍ତ କରିବାପାଇଁ। ମୁଁ ଆପଣଙ୍କ ପାଖକୁ ଆସିଛି ଜିଜ୍ଞାସା କରିବାପାଇଁ ଯେ ମୋ ଅଗ୍ରଜଙ୍କୁ ମୁଁ କେଉଁଠାରେ ପାଇବି;ଅଥଚ ଆପଣ ମୋତେ ସନ୍ଦେହ କରୁଛନ୍ତି !

ଭରତଙ୍କୁ ଶାନ୍ତ୍ବନା ଦେଇ ଭରଦ୍ୱାଜ କହିଲେ ମୁଁ ତୁମକୁ ପରୀକ୍ଷା କରୁଥିଲି ପୁତ୍ର ! ବାସ୍ତବରେ ମୁଁ କଣ ତୁମର ପ୍ରକୃତ ସ୍ବଭାବ ଜାଣେନା ? ତୁମେ ରଘୁକୁଳର ଉଜ୍ଜଳ ମଣି ସଦୃଶ।ମନରେ ଦୁଃଖ ଆଣ ନାହିଁ ଭରତ। ଶ୍ରୀରାମ ଚିତ୍ରକୂଟ ପର୍ବତରେ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ଅବସ୍ଥାନ କରୁଛନ୍ତି।ଚିତ୍ରକୂଟ ଏଠାରୁ ଅଢେଇ ଯୋଜନ ଦୂର। ଆଜି ତୁମ ସୈନ୍ୟ ସାମନ୍ତ ଏବଂ ପ୍ରଜାଙ୍କ ସହିତ ଏହି ଆଶ୍ରମରେ ମୋର ଆତିଥ୍ୟ ଗ୍ରହଣ କର।କାଲି ପ୍ରଭାତରୁ ସମସ୍ତେ ଚିତ୍ରକୂଟ ଅଭିମୁଖେ ଯାତ୍ରା କରିବ। ଭରତ କହିଲେ ମୁନିଶ୍ରେଷ୍ଠ ! ମୋ ଅଗ୍ରଜଙ୍କ ସମ୍ବାଦ ଦେଇ ଆପଣ ଯେଉଁ ଉପକାର କରିଛନ୍ତି ତାହା ଆତିଥ୍ୟଠାରୁ ବହୁ ଉର୍ଦ୍ଧ୍ବରେ,ଆପଣ ଆମକୁ ବିଦାୟ ଦିଅନ୍ତୁ।"

ଭରଦ୍ବାଜ କହିଲେ ରାଜକୁମାର ! ଆପଣଙ୍କ ଆଭିଜାତ୍ୟ ଅନୁରୂପ ଆତିଥ୍ୟ ପ୍ରଦାନ କରିବା ମୋର କର୍ତ୍ତବ୍ୟ ଏବଂ ମୋ ତପୋଶକ୍ତି ଯୋଗୁଁ ସେଥିରେ କାର୍ପଣ୍ୟ ହେବନାହିଁ।"

ତତ୍ପରେ ମନ୍ତ୍ରୋଚ୍ଚାରଣ କରି ବିଶ୍ଵକର୍ମା,ମାୟା,ବରୁଣ,କୁବେର ଏବଂ ଅଗ୍ନି ଆଦିଙ୍କୁ ଆବାହନ କରି ସେମାନଙ୍କ ଦ୍ବାରା ପ୍ରଦତ୍ତ ଖାଦ୍ୟଦ୍ରବ୍ୟରେ ଭରତଙ୍କ ସୈନ୍ୟସାମନ୍ତ ଏବଂ ଅଯୋଧ୍ୟାର ପ୍ରଜାମାନଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କଲେ ଭରଦ୍ୱାଜ।

ଆଶ୍ରମ ଛାଡ଼ିବା ପୂର୍ବରୁ ତିନି ରାଜମାତା ଭରଦ୍ବାଜଙ୍କ ପାଦବନ୍ଦନା କଲେ। ମାତାମାନଙ୍କ ପରିଚୟ ଦେବା ସମୟରେ ଭରତ କହିଲେ ମୁନିଶ୍ରେଷ୍ଠ ! ଏ ହେଉଛନ୍ତି ଅଗ୍ରଜ ଶ୍ରୀରାମଙ୍କ ଜନନୀ ରାଜମାତା କୌଶଲ୍ୟା।ତାଙ୍କ ହସ୍ତକୁ ଧରି ଦୁଃଖରେ ମ୍ରିୟମାଣ ହୋଇ ଠିଆ ହୋଇଛନ୍ତି ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ମାତା ସୁମିତ୍ରା ଏବଂ ତାଙ୍କ ପାଖରେ ଠିଆ ହୋଇଛନ୍ତି ଅଯୋଧ୍ୟାର ସବୁ ଦୁଃଖର କାରଣ ତଥା ମୋଭଳି ହତଭାଗାର ଜନନୀ କୈକେୟୀ। "

ଭରଦ୍ୱାଜ ବାଧାଦେଇ କହିଲେ ନା ପୁତ୍ର ! ନିଜ ମାତାଙ୍କୁ ଏଭଳି ଆକ୍ଷେପ କରନାହିଁ।ଏ ସଂସାରରେ କୌଣସି କାର୍ଯ୍ୟ କେହି କରେନାହିଁ,ସବୁ ସ୍ରଷ୍ଟାଙ୍କ ବିଧାନ।ତାଙ୍କ ବିନା ଅନୁମତିରେ ଗଛର ପତ୍ର ମଧ୍ୟ ହଲେନାହିଁ। ଯାହା କିଛି ଘଟିଯାଇଛି, ସ୍ରଷ୍ଟାଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂସାରର ମଙ୍ଗଳ ପାଇଁ ଘଟିଛି। ଗୋଟିଏ ଦୁଇଟି ଘଟଣାକୁ ନେଇ ମାତୃତ୍ଵ ଉପରେ ତୁମର ଦୃଷ୍ଟିକୋଣ ନିଶ୍ଚିତ କରନାହିଁ। ମାତା କୈକେୟୀଙ୍କର ଅନୁତାପ ତାଙ୍କୁ ଶୁଦ୍ଧ ସୁବର୍ଣ୍ଣରେ ପରିଣତ କରିଦେଇଛି। ରାମଚନ୍ଦ୍ର ଏଠାକୁ ଆସିଥିଲେ। କଥୋପକଥନ ଅବସରରେ ମାତା କୈକେୟୀଙ୍କ ବିରୁଦ୍ଧରେ ସେ ପଦେହେଲେ କହିନାହାନ୍ତି। ଘଟିଯାଇଥିବା ଘଟଣାବଳୀକୁ ସେ ଅଦୃଷ୍ଟର ବିଧାନ ବୋଲି ଧରିନେଇଛନ୍ତି। ମାତା କୈକେୟୀଙ୍କ ପ୍ରତି ତୁମେ ତୁମର ଦୃଷ୍ଟିକୋଣ ବଦଳାଅ ଭରତ !ଯାଅ ପୁତ୍ର ! ତୁମ ଯାତ୍ରାର ସଫଳତା କାମନା କରୁଛି। 


କ୍ରମଶଃ


Rate this content
Log in

Similar oriya story from Classics