STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୭)

ସରଯୂ ନଦୀର ତୀରେ (୪୭)

4 mins
468

ଭରତଙ୍କର ଏକା ଜିଦ୍ ସେ ଅରଣ୍ୟକୁ ଯାଇ ରାମ,ଲକ୍ଷ୍ମଣ ଓ ସୀତାଙ୍କୁ ଫେରାଇ ଆଣିବେ ଏବଂ ଅଗ୍ରଜ ଶ୍ରୀରାମଙ୍କୁ ଅଯୋଧ୍ୟାର ସିଂହାସନରେ ଅଭିଷିକ୍ତ କରିବେ।ସୁମନ୍ତ୍ର ବଶିଷ୍ଠ ଆଦି ଗୁରୁଜନ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଭରତଙ୍କ ସରଳତା ଓ ଅଶ୍ରୁ ପ୍ରଭାବିତ କଲା।ଭରତ ମଧ୍ୟ ଶ୍ରୀରାମଙ୍କ ଭଳି ଅଯୋଧ୍ୟା ସିଂହାସନପାଇଁ ଯୋଗ୍ୟ ଉତ୍ତର ଦାୟାଦ, ଏଥିରେ କାହାର ସନ୍ଦେହ ରହିଲା ନାହିଁ। କିନ୍ତୁ ବଶିଷ୍ଠ ଜାଣିଥିଲେ ଶ୍ରୀରାମ କଦାପି ପିତୃସତ୍ୟ ଭାଙ୍ଗିବେ ନାହିଁ;ଚଉଦ ବର୍ଷ ପୂର୍ବରୁ ସେ କଦାପି ଅଯୋଧ୍ୟାକୁ ଫେରିବେ ନାହିଁ। ସେଥିପାଇଁ ଦରବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା ପରେ ଭରତଙ୍କୁ ସିଂହାସନରେ ଅଭିଷିକ୍ତ କରିବାପାଇଁ ସେ ଶେଷ ପ୍ରୟାସ କଲେ। ଗହ ଗହ କମ୍ପୁଥିଲା ଦରବାର। ବଶିଷ୍ଠଙ୍କ ନିର୍ଦ୍ଦେଶକ୍ରମେ ଭରତ ଦରବାରରେ ଉପସ୍ଥିତ ହେଲେ। ରାଜସଭାର ନିଷ୍ପତ୍ତି ଶୁଣାଇ ଧୀରକଣ୍ଠରେ ବଶିଷ୍ଠ ଭରତଙ୍କୁ କହିଲେ..ପୁତ୍ର ଭରତ ! ବର୍ତ୍ତମାନ ଉପୁଜିଥିବା ପରିସ୍ଥିତିରେ ଆମ୍ଭ ସମସ୍ତଙ୍କର ଗୁରୁଦାୟିତ୍ଵ ହେଉଛି ସିଂହାସନକୁ ରିକ୍ତ ନରଖିବା। ରାଜା ଦଶରଥଙ୍କ ସତ୍ୟପାଳନ ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସରେ ଯାତ୍ରା କରିଛନ୍ତି। ରାଣୀ କୈକେୟୀଙ୍କ ସର୍ତ୍ତ ଅନୁଯାୟୀ ରାଜସିଂହାସନ ତୁମର ନୀତିଗତ ଭାବରେ ପ୍ରାପ୍ୟ।ଚଉଦ ଦିନ ଧରି ଖାଲିଥିବା ସିଂହାସନରେ ତୁମେ ଅଭିଷିକ୍ତ ହୋଇ ଉତ୍ତର କୋଶଳ ଶାସନ କର ବୋଲି ରାଜସଭାର ନିଷ୍ପତ୍ତି।" ନତଜାନୁ ହୋଇ ସଭାଗୃହର ମଧ୍ୟସ୍ଥଳରେ ବସିଗଲେ ଭରତ।ଯୋଡହସ୍ତରେ ବଶିଷ୍ଠ ସମେତ ସମସ୍ତ ଗୁରୁଜନଙ୍କୁ ପ୍ରଣାମ କଲେ ଭରତ।ଆଖିରୁ ବହି ଯାଉଥାଏ ଧାର ଧାର ଅଶ୍ରୁ।ରୁଦ୍ଧ କଣ୍ଠରେ ଭରତ କହିଲେ..ମୋ ଉପରେ ଆପଣମାନେ ଦୟା କରନ୍ତୁ।ମୋ ଅଗ୍ରଜଙ୍କ ସିଂହାସନକୁ ମୁଁ କଦାପି ଗ୍ରହଣ କରିପାରିବି ନାହିଁ। ମୁଁ ଜାଣେ ସିଂହାସନ ବେଶି ଦିନ ରିକ୍ତ ରହିବା ଅନୁଚିତ। କିନ୍ତୁ ମୁଁ ଆପଣମାନଙ୍କୁ କଥା ଦେଉଛି, ଅରଣ୍ୟକୁ ଯାଇ ଅଗ୍ରଜଙ୍କୁ ମୁଁ ଯଥାଶୀଘ୍ର ଫେରାଇ ଆଣିବି। ମୁଁ କାଲି ହିଁ ସୈନ୍ୟସାମନ୍ତଙ୍କ ସହିତ ଅରଣ୍ୟକୁ ଯାତ୍ରା କରିବି।ମୋ ସହିତ ଅଯୋଧ୍ୟାର ଯେଉଁମାନେ ଯିବାପାଇଁ ଚାହାଁନ୍ତି ଚାଲନ୍ତୁ।ଆମ୍ଭ ସମସ୍ତଙ୍କ ଅନୁରୋଧ ଶ୍ରୀରାମ ନିଶ୍ଚୟ ରକ୍ଷା କରିବେ।" ଭରତଙ୍କ ନିଷ୍ପତ୍ତି ରାଜସଭାରେ ସମସ୍ତଙ୍କୁ ଆନନ୍ଦିତ କଲା। ବଶିଷ୍ଠ,ସୁମନ୍ତ୍ର ସମେତ ସମସ୍ତ ବୟୋଜ୍ୟେଷ୍ଠ ପାରିଷଦ ଗଣ ଭରତଙ୍କ ସହିତ ଯିବାପାଇଁ ପ୍ରସ୍ତୁତ ହେଲେ। ସୈନ୍ୟସାମନ୍ତ, ରଥାରୋହୀ, ଅଶ୍ଵାରୋହୀ, ଗଜାରୋହୀ ସମେତ ଅଧିକାଂଶ ନଗ୍ରବାସୀ ଭରତଙ୍କ ସହିତ ଯିବାପାଇଁ ପ୍ରସ୍ତୁତ ହୋଇ ରହିଲେ। କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ସହିତ ଅନେକ ଅନ୍ତେବାସିନୀ ମଧ୍ୟ ବନକୁ ଯିବାପାଇଁ ପ୍ରସ୍ତୁତ ହେଲେ। ଯାତ୍ରାର ସୁବିଧା ପାଇଁ ଆଗୁଆ ରଜକ,କାଠୁରିଆ ଏବଂ ଶ୍ରମିକମାନେ ବଣଜଙ୍ଗଲ ସଫା କରି ଆଗେଇ ଚାଲିଲେ।ନଦୀ ନାଳ ପାରହେବାପାଇଁ କାଠର ପୋଲ ନିର୍ମାଣ କରାଗଲା। ଅନେକ ସଂଖ୍ୟାରେ ସୈନ୍ୟ ସାମନ୍ତ ଓ ପ୍ରଜାଗଣ ଭରତଙ୍କ ସହିତ ବନଯାତ୍ରା ପାଇଁ ବାହାରିଲେ। ଲାଗିଲା ଯେପରି ରାମଚନ୍ଦ୍ରଙ୍କ ଅନୁପସ୍ଥିତି ସହ୍ୟ କରି ନପାରି ନଗ୍ରବାସୀ ଅଯୋଧ୍ୟା ପରିତ୍ୟାଗ କରି ଦଣ୍ଡକାରଣ୍ୟରେ ନୂତନ ନଗ୍ର ପ୍ରତିଷ୍ଠା ଉଦ୍ଦେଶ୍ୟରେ ବାହାରିଛନ୍ତି। ପରଦିନ ଦୀର୍ଘ ପଥ ଅତିକ୍ରମକରି ଭରତଙ୍କ ସହିତ ଅଯୋଧ୍ୟାବାସୀ ଗଙ୍ଗାକୂଳରେ ପହଞ୍ଚିଲେ। ଅଯୋଧ୍ୟାର ବିଶାଳ ସେନାବାହିନୀ ଦେଖି ନିଷାଦରାଜ ଗୁହକ ତାଙ୍କ ସେନାପତିଙ୍କୁ କହିଲେ ଦେଖ ସେନାପତି ! ଭରତ କିପରି ଅଯୋଧ୍ୟାର ସେନାବାହିନୀ ନେଇ ମୋର ପରମ ସଖା ରାମଚନ୍ଦ୍ରଙ୍କ ଉପରେ ଆକ୍ରମଣ କରିବାପାଇଁ ଅରଣ୍ୟ ଅଭିମୁଖେ ଯାତ୍ରା କରୁଛନ୍ତି।ରଥମାନଙ୍କରେ ଉଡୁଥିବା ପତାକାରେ ଥିବା ବୃକ୍ଷ ଚିହ୍ନରୁ ମୁଁ ଜାଣି ପାରୁଛି ଏହା ଅଯୋଧ୍ୟାର ସେନାବାହିନୀ। ଅନୈତିକ ଉପାୟରେ ସିଂହାସନ ଅଧିକାର କରି ବର୍ତ୍ତମାନ ଭରତ ଚାହେଁ ରାମଚନ୍ଦ୍ରଙ୍କୁ ହତ୍ୟା କରି ସବୁଦିନ ପାଇଁ କଣ୍ଟା ଦୂର କରିବାପାଇଁ। କିନ୍ତୁ ମୋ ମିତ୍ରଙ୍କ ପ୍ରତି ଏଭଳି ଅନ୍ୟାୟ ମୁଁ ହେବାପାଇଁ ଦେବିନାହିଁ। ଧମନୀରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଅଯୋଧ୍ୟା ସହିତ ଯୁଦ୍ଧକରି ରାମଚନ୍ଦ୍ରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବି। ତୁମେ ଆମ ସେନାବାହିନୀକୁ ସତର୍କତା ସହିତ ପ୍ରସ୍ତୁତ କରି ରଖ। ମୁଁ ଭରତଙ୍କ ପାଖକୁ ଯାଇ ତାଙ୍କ ମତିଗତି ଜାଣି ଫେରିଆସେ। ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବା ଯେବେ ସେମାନଙ୍କର ଉଦ୍ଦେଶ୍ୟ ତାହେଲେ ସେ ଆମଠାରୁ ସବୁ ସହଯୋଗ ପାଇବେ। ନଚେତ୍ ଅଯୋଧ୍ୟା ବାହିନୀ ସହିତ ଆମର ଯୁଦ୍ଧ ଅବଶ୍ୟମ୍ଭାବୀ।" ଗୁହକ ଭରତଙ୍କ ପାଇଁ କିଛି ଉପହାର ନେଇ ତାଙ୍କ ନିକଟରେ ପହଞ୍ଚିଲେ।ଦୂରରୁ ନିଷାଦରାଜଙ୍କୁ ଦେଖି ସୁମନ୍ତ୍ର ଭରତଙ୍କୁ କହିଲେ.. କୁମାର ! ଏଇ ଦେଖନ୍ତୁ ରାମଚନ୍ଦ୍ରଙ୍କ ପରମ ମିତ୍ର ନିଷାଦରାଜ ଗୁହକ ଆମ୍ଭ ପାଖକୁ ଆସୁଛନ୍ତି। ଏହି ବନପ୍ରଦେଶର ସେ ରାଜା। ରାମଚନ୍ଦ୍ରଙ୍କୁ ଠାବ କରିବାରେ ସେ ଆମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିପାରିବେ।" ରାମଚନ୍ଦ୍ରଙ୍କ ମିତ୍ର ବୋଲି ଜାଣି ଭରତ ଆନନ୍ଦରେ ଗୁହକଙ୍କୁ କୋଳାଗ୍ରତ କଲେ।ଗୁହକ କହିଲେ କୁମାର ଭରତ ! ଆପଣଙ୍କୁ ବିଶାଳ ସେନାବାହିନୀ ସହିତ ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ଯ ହେଲେ ମଧ୍ୟ ଆପଣଙ୍କ ସହିତ ସହଯୋଗ କରିବାକୁ ନିଜର ଗର୍ବ ବୋଲି ମନେକରୁଛୁ,କାରଣ ଆପଣ ମୋ ପ୍ରିୟ ମିତ୍ରଙ୍କ ଅନୁଜ।ଶୃଙ୍ଗବେରପୁରୀକୁ ଆପଣ ନିଜ ରାଜ୍ୟ ମନେକରି ଆମର ଆତିଥ୍ୟ ଗ୍ରହଣ କରନ୍ତୁ।" କୃତକୃତ୍ୟ ହୋଇ ଭରତ କହିଲେ ଆପଣଙ୍କ ଦର୍ଶନ ପାଇ ଧନ୍ୟହେଲି ନିଷାଦରାଜ। ଅଯୋଧ୍ୟାର ବିଶାଳ ସେନାବାହିନୀକୁ ଆତିଥ୍ୟ ପ୍ରଦାନ କରି ଆମକୁ ଗୌରବାନ୍ବିତ କରିଛନ୍ତି। ଆମ୍ଭେମାନେ ଭ୍ରାତା ରାମଚନ୍ଦ୍ରଙ୍କ ନିକଟକୁ ଯିବାପାଇଁ ଇଚ୍ଛୁକ। ଗଙ୍ଗାନଦୀ ପାର କରାଇବାରେ ଆପଣ ଦୟାକରି ଆମକୁ ସାହାଯ୍ୟ କରନ୍ତୁ ଏବଂ ଭରଦ୍ୱାଜ ମୁନିଙ୍କ ଆଶ୍ରମକୁ ରାସ୍ତା ବତାଇ ଦିଅନ୍ତୁ।ଶୁଣିଛି ନିଘଞ୍ଚ ବନାନୀରେ ପ୍ରବେଶ କରିବା ପୂର୍ବରୁ ମୋ ଅଗ୍ରଜ ପ୍ରଥମେ ପ୍ରୟାଗ ତୀର୍ଥ ଭ୍ରମଣ କରି ପରେ ଭରଦ୍ୱାଜ ମହର୍ଷିଙ୍କ ଆଶ୍ରମକୁ ଯାଇଥିଲେ।" ଗୁହକ କହିଲେ ମୋର ପ୍ରଜାମାନେ ଆପଣଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଦେବାପାଇଁ ପ୍ରସ୍ତୁତ କୁମାର ଭରତ ! କିନ୍ତୁ ମୋ ମନରେ ଗୋଟିଏ ସନ୍ଦେହ ଆସୁଛି ଅଯୋଧ୍ୟାର ବିଶାଳ ସେନାବାହିନୀ ନେଇ ଆପଣ ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ଯାଉ ନାହାଁନ୍ତି ତ ?" ଗୁହକଙ୍କ ମୁଖରୁ ଏହାଶୁଣି ସ୍ତବ୍ଧ ହୋଇ ରହିଗଲେ ଭରତ।ଆଖିରୁ ବହିଗଲା ଅବାରିତ ଅଶ୍ରୁ। ଭାବିଲେ ହେ ଭଗବାନ ! ମୋ ଅଗ୍ରଜଙ୍କୁ ଯେଉଁମାନେ ଭକ୍ତି ଓ ପ୍ରେମ କରନ୍ତି ସେମାନଙ୍କ ମୁହଁରୁ ଏହା ଶୁଣିବା ମୋ ପାଇଁ କେତେ ଲଜ୍ଜାଜନକ ! କେତେ ଘୃଣ୍ୟ ମୋ ଜୀବନ ସତେ ! ମାତା କୈକେୟୀ ! ସତରେ ତୁ ମୋ ଜୀବନକୁ ନର୍କରେ ପରିଣତ କରିଦେଲୁ। ଅଗ୍ରଜଙ୍କ ମିତ୍ରଙ୍କଠାରୁ ଏହା ଶୁଣିବା ପରେ ଏ ପ୍ରାଣ କାହିଁକି ପିଣ୍ଡରେ ରହିଛି !"

ଅଶ୍ରୁଳ ନେତ୍ରରେ ଭରତ କହିଲେ ହେ ଅଗ୍ରଜ ପ୍ରତିମ ନିଷାଦରାଜ ! ଦୟାକରି ମୋତେ ସନ୍ଦେହ କରନ୍ତୁ ନାହିଁ।ମୋ ପିତାଙ୍କ ମୃତ୍ୟୁ ପରେ ଶ୍ରୀରାମ ମୋର ପିତା, ମାତା ଗୁରୁଜନ, ସବୁକିଛି। ମୁଁ ତାଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଆସିଛି।ଏ ଯେଉଁ ବିଶାଳ ସୈନ୍ୟବାହିନୀ ଆପଣ ଦେଖୁଛନ୍ତି, ସେମାନେ ଯୁଦ୍ଧ କରିବାପାଇଁ ନୁହେଁ,ମୋ ଅଗ୍ରଜଙ୍କ ପାଦପୂଜା କରିବାପାଇଁ ଯାଉଛନ୍ତି। ସେମାନଙ୍କ ସହିତ ଅଛନ୍ତି ମୋ ଦୁଃଖିନୀ ଜନନୀ କୌଶଲ୍ୟା ଓ ସୁମିତ୍ରା; ଅଛନ୍ତି ଗୁରୁଜନ,ଲଘୁଜନ ଓ ଅଯୋଧ୍ୟାର ଅଗଣିତ ପ୍ରଜା। ଦୟାକରି ମୋତେ ସନ୍ଦେହ କରନ୍ତୁ ନାହିଁ ନିଷାଦରାଜ। ଦୟାକରି ବତାଇ ଦିଅନ୍ତୁ କେଉଁ ପଥରେ ମୋ ପିତୃପ୍ରତିମ ଅଗ୍ରଜ ରାମଚନ୍ଦ୍ର,ଅନୁଜ ଲକ୍ଷ୍ମଣ ଏବଂ ଅଯୋଧ୍ୟାର ରାଜଲକ୍ଷ୍ମୀ ମାତା ସୀତା ନିଘଞ୍ଚ ଅରଣ୍ୟକୁ ଯାତ୍ରା କରିଛନ୍ତି।" ନିଜ ମନର ସନ୍ଦେହ ପାଇଁ ଲଜ୍ଜିତ ମନେକରି ଗୁହକ କହିଲେ ମୋତେ କ୍ଷମା କରିଦିଅନ୍ତୁ ମହାତ୍ମା ଭରତ ! ମୁଁ ଗୋଟାଏ ବଣୁଆ ଆଦିବାସୀଟାଏ, ଅଯୋଧ୍ୟା ରାଜକୁମାରଙ୍କ ହୃଦୟର ବିଶାଳତା ମାପିବାର ଶକ୍ତି ମୋର କାହିଁ ! ଏଭଳି ବଳିଦାନ ଓ ସିଂହାସନ ପ୍ରତି ନିର୍ଲୋଭ ଭାବ ଅଶ୍ରୁତପୂର୍ବ ! ଧନ୍ୟ ତୁମେ ଭରତ,ଧନ୍ୟ ତୁମର ବଂଶ ଆଭିଜାତ୍ୟ ଓ ଅସ୍ମିତା।ତୁମର ସାନ୍ନିଧ୍ୟ ପାଇ ମୋର ଜୀବନ ଧନ୍ୟ ହୋଇଗଲା।"


କ୍ରମଶଃ


Rate this content
Log in

Similar oriya story from Classics