Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୬)

ସରଯୂ ନଦୀର ତୀରେ (୪୬)

4 mins
333



ଇତିହାସ ସାକ୍ଷୀ,ଯୁଗେ ଯୁଗେ କୈକେୟୀର ସ୍ବାର୍ଥ ଓ ମହତାକାଂକ୍ଷା ଭରତର ସରଳତାକୁ ବଦନାମ ଓ ଅପମାନିତ କରିଛି।ଏକ ନିଷ୍ପାପ ଚରିତ୍ର ସନ୍ଦେହର ବଳୟ ଭିତରେ ଅଣନିଃଶ୍ବାସୀ ହୋଇଛି।ଅବଶ୍ୟ ଯେତେଥର ଷଡଯନ୍ତ୍ର କାର୍ଯ୍ୟକାରୀ କରିବାରେ ସ୍ବାର୍ଥ ଓ ମହତାକାଂକ୍ଷା ସଫଳ ହୋଇଛି ସେତେଥର ମାନବିକତା ଲଜ୍ଜିତ ହୋଇଛି ଏବଂ ପରିବାର ନର୍କରେ ପରିଣତ ହୋଇଛି।

ମାତାଙ୍କ ଭଳି ଯଦି ଭରତ ସ୍ୱାର୍ଥପର ଏବଂ କୁଟିଳ ଚରିତ୍ରର ବ୍ୟକ୍ତି ହୋଇଥାନ୍ତେ ରାମାୟଣର କଥା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। କିନ୍ତୁ ଆଦିକବି ବାଲ୍ମୀକି ରାମାୟଣ ନାମକ ଯେଉଁ ଦର୍ପଣ ସମାଜକୁ ଦେଖାଇବାକୁ ଚାହୁଁଥିଲେ ତାଭିତରେ ଥିଲା ଧର୍ମର ଅଧର୍ମ ଉପରେ ଏବଂ ବଳିଦାନର ଆକାଂକ୍ଷା ଉପରେ ବିଜୟ। ସେଥିପାଇଁ ଭିନ୍ନ କାରଣ ପାଇଁ କୈକେୟୀ ଓ ମନ୍ଥରାଙ୍କ ନାମ ଭାରତୀୟ ସମାଜରେ ଘରେ ଘରେ ପରିଚିତ।ସମାଜରେ ଓ ପରିବାର ଭିତରେ ଷଡ଼ଯନ୍ତ୍ର କରୁଥିବା ନାରୀକୁ ସହଜରେ ନାଁ ଟିଏ ମିଳେ "ମନ୍ଥରା"। ରାମାୟଣରେ ଚରିତ୍ରାୟନ ଏଭଳି ଯେ ଅନେକେ କୈକେୟୀ ତୁଳନାରେ ମନ୍ଥରାକୁ ଅଧିକ ଦୋଷାରୋପ କରନ୍ତି।

ଯେଉଁ କୈକେୟୀ ରାମଚନ୍ଦ୍ରଙ୍କୁ ନିଜ ପୁତ୍ରଠାରୁ ଅଧିକ ଭଲ ପାଉଥିଲେ ସେ ତାଙ୍କ ପାଇଁ ଏତେ କଠୋର ମନୋଭାବ ରଖିଲେ କିପରି ! ଏହା କେବଳ ମନ୍ଥରାର କୁମନ୍ତ୍ରଣା ଓ ଷଡ଼ଯନ୍ତ୍ର ଯୋଗୁଁ ସମ୍ଭବ ହୋଇଥିଲା। ସେଥିପାଇଁ କଥନିକାଟିଏ ଅଛି ପର କଥାରେ ଘର ଭାଙ୍ଗେ।

ଭରତଙ୍କର ଉଗ୍ରରୂପ ଏବଂ ଗାଳି ବର୍ଷଣ ଦେଖି କୈକେୟୀଙ୍କ ମୁଣ୍ଡରୁ ରାଜମାତା ହେବାର ସ୍ବପ୍ନ ଦିବାସ୍ବପ୍ନ ଭଳି ଶୂନ୍ୟେ ଶୂନ୍ୟେ ଉଡିଗଲା। ଭରତଙ୍କୁ ଅଧିକ କିଛି କହିବା ପାଇଁ ସେ ସାହସ କଲେନାହିଁ। ପରିସ୍ଥିତିର ଗମ୍ଭୀରତା ସେ ହଠାତ୍ ହୃଦୟଙ୍ଗମ କଲେ। ଭାବିଲେ.. ଆଃ ! ମନ୍ଥରାର ପ୍ରରୋଚନାରେ ପଡି କି ଅପରାଧ ମୁଁ ନକଲି ସତେ ! ରାମଚନ୍ଦ୍ରଙ୍କ ଭଳି ଗୁଣବାନ ନିଷ୍ପାପ ପୁତ୍ରକୁ ଅରଣ୍ୟକୁ ପଠାଇ ଦେଲି ! ନିଜେ ସ୍ବାମୀଙ୍କ ମୃତ୍ୟୁର କାରଣ ହେଲି।" ସମାଜର ଯେଉଁ ଘୃଣାକୁ ସେ କ୍ଷମତା ଲୋଭରେ ହେୟଜ୍ଞାନ କରୁଥିଲେ, ସେହି ଘୃଣା ଓ ବଦନାମ ତାଙ୍କୁ ଏକ ଅନୁତପ୍ତ ଚରିତ୍ରରେ ପରିଣତ କରିଦେଲା। କୌଶଲ୍ୟା, ସୁମିତ୍ରା,ରାମ,ଲକ୍ଷ୍ମଣ, ସୀତା,ଉର୍ମିଳା ଓ ସର୍ବୋପରି ଅଯୋଧ୍ୟାର ପ୍ରଜାଙ୍କ ଆଗରେ ସେ ନିଜକୁ ଘୋର ଅପରାଧୀ ମନେକଲେ।ନିରବରେ ଅଶ୍ରୁମୋଚନ କରି ସେ ଗୋଟିଏ କୋଣରେ ପଡିରହିଲେ।

ଏ ସବୁ ଘଟଣା ପ୍ରବାହଠାରୁ ଦୂରରେ ଥିବା ମନ୍ଥରା କିନ୍ତୁ ନିଜକୁ ରାଜମାତା ଭଳି ବେଶରେ ସଜାଇ ଭରତଙ୍କଠାରୁ ବିପୁଳ ପୁରସ୍କାର ଆଶାରେ ଥିଲା। କୈକେୟୀ ବିଧବା ହେବାପରେ ନିଜ ଅଙ୍ଗର ଅଳଙ୍କାର ସେ ମନ୍ଥରାକୁ ଦାନ କରି ଦେଇଥିଲେ।ସେ ସମସ୍ତ ଅଳଙ୍କାରରେ ମଣ୍ଡିତା ହୋଇ,ନୀଳାମ୍ବରୀ ପାଟଶାଢ଼ୀ ପିନ୍ଧି,ମୁଣ୍ଡରେ ଠିଆଖୋସା ପାରି,ମଥାରେ ଟୋପି ଚନ୍ଦନର ଚିତା ଲଗାଇ,ତା' ମଝିରେ ସିନ୍ଦୂର ଟୋପା ଥୋଇ,ଆଖିରେ କଜଳର ଲାଞ୍ଜି ଟାଣି,ଷଣ୍ଢଚୂଳ ଭଳି ପିଠିରେ ଥିବା କୁଜକୁ ହଲାଇ ହଲାଇ,ଲମ୍ବକାନିକୁ ଛାଟି, ପୁରସ୍କାର ଆଶାରେ ଭରତଙ୍କ ଆଗରେ ମନ୍ଥରା ପହଞ୍ଚିଲା।

ସେ ସମୟରେ ଭରତ ଓ ଶତ୍ରୁଘ୍ନ ଘୋର ମାନସିକ ଚିନ୍ତା ଭିତରେ ଥିଲେ। ରାମଚନ୍ଦ୍ରଙ୍କୁ କିପରି ଅରଣ୍ୟରୁ ଫେରାଇ ଆଣି ସିଂହାସନରେ ଅଭିଷିକ୍ତ କରିବେ ସେହି ଆଲୋଚନାରେ ବ୍ୟସ୍ତ ଥିଲେ ଦୁଇଭାଇ।ଭରତ କହୁଥିଲେ ଆଃ ! କେତେ କଷ୍ଟରେ ସତେ ଅଗ୍ରଜ,ସୀତାମାତା ଓ ଲକ୍ଷ୍ମଣ ଅରଣ୍ୟରେ ଜୀବନ ବ୍ୟତୀତ କରୁଥିବେ ! ଅଗ୍ରଜ ଯେବେ ନିଜ ଜିଦ୍'ରେ ଅଟଳ ରହନ୍ତି ଆମେମାନେ ମଧ୍ୟ ସେହି ଅରଣ୍ୟରେ ତାଙ୍କ ସହିତ ରହିବା।ଚଉଦବର୍ଷ ତାଙ୍କ ସେବା କରି ତାଙ୍କ ସହିତ ଅଯୋଧ୍ୟାକୁ ଫେରିବା।"

ଏହି ସମୟରେ ପିଠିର କୁଜକୁ ହଲାଇ ହଲାଇ ପାଉଁଜି ଋଣୁ ଝୁଣୁ କରି ଭରତଙ୍କ ପାଖରେ ପହଞ୍ଚି ମନ୍ଥରା କହିଲା..କି ଗୋ ଅଯୋଧ୍ୟାର ନୂଆ ରାଜେଶ୍ବର ! ମୋତେ ଆଜି ମନଖୁସି ପୁରସ୍କାର ଦିଅ।ମୋ ଯୋଗୁଁ ଆଜି ତୁମେ ରାଜାହେଲ,ନହେଲେ ରାମଚନ୍ଦ୍ରର ପାଦପୂଜା କରୁଥାନ୍ତ। ଠିକ୍ ସମୟରେ ଯୋଜନା ତିଆରି କରି ତୁମ ମାଆଙ୍କ କାନରେ ପକାଇବାରୁ ସିନା ସେ ତୁମ ପିତାଙ୍କୁ ଦୁଇଟି ବର ମାଗିଲେ;ନହେଲେ ତ ରାତି ପାହିଲେ ରାମ ରାଜା ହୋଇଥାନ୍ତା ଆଉ ତୁମ ବିମାତା କୌଶଲ୍ୟା ରାଜମାତା ହୋଇ ତୁମ ମାତାଙ୍କୁ ଚାକରାଣୀ ଭଳି ବ୍ୟବହାର କରୁଥାନ୍ତେ।"

ମନ୍ଥରାକୁ ସାମ୍ନାରେ ଦେଖି ଶତ୍ରୁଘ୍ନଙ୍କ ରାଗ ପଞ୍ଚମରେ ପହଞ୍ଚିଲା। ନିଆଁରେ ଘିଅ ଢାଳିବାର କାମ ଦେଲା ମନ୍ଥରାର ପୁରସ୍କାର ଯାଚନା। ଶତ୍ରୁଘ୍ନ କ୍ରୋଧରେ କହିଲେ ସବୁ ଅନର୍ଥର ମୂଳ ତୁ କୁବୁଜୀ ! କୈକେୟୀ ମାତାଙ୍କ ମନକୁ ବିଷାକ୍ତ କରିଥିବା ରାକ୍ଷସୀ ! ଆଜି ତୋର ଉପଯୁକ୍ତ ପୁରସ୍କାର ତୋତେ ନିଶ୍ଚିତ ଭାବରେ ମିଳିବ।"ଏହା କହି ବାମ ହାତରେ ମନ୍ଥରାର କେଶ ଭିଡିଆଣି, ପିଠିରେ ଥିବା କୁଜରେ ଏକ ନିର୍ଘାତ ଗୋଇଠା ମାରିଲେ ଶତ୍ରୁଘ୍ନ। ତାପରେ ମନ୍ଥରା ଉପରେ ବର୍ଷଣ ହେଲା ନିର୍ଘାତ ବିଧା ଆଉ ଗୋଇଠାର ପୁରସ୍କାର ।ମଲି ମଲି ବୋଲି ଚିତ୍କାର କରୁଥାଏ ମନ୍ଥରା; ଶତ୍ରୁଘ୍ନ କିନ୍ତୁ ଅବିରତ ଗାଳି ମାଡ ବର୍ଷଣ କରୁଥାନ୍ତି।

ମନ୍ଥରାର ଚିତ୍କାର ଶୁଣି ରାଣୀହଂସପୁରରୁ ଅନ୍ତେବାସୀମାନେ ଦଉଡ଼ି ଆସିଲେ। କିନ୍ତୁ ଶତ୍ରୁଘ୍ନଙ୍କ ଉଗ୍ରରୂପ ଦେଖି ସମସ୍ତେ ଦୂରେଇ ରହିଥାନ୍ତି।ଶେଷରେ ମନ୍ଥରା କୈକେୟୀଙ୍କୁ ଡାକ ଛାଡ଼ିଲା ମୋତେ ରକ୍ଷାକର ଲୋ କୈକେୟୀ,ତୋ ଯୋଗୁଁ ଆଜି ମୋର ଏ ଅବସ୍ଥା।ତୁ ରକ୍ଷା ନକଲେ ମୁଁ ଆଜି ମଲି।"

ଶତ୍ରୁଘ୍ନଙ୍କ ଉଗ୍ରରୂପ ଦେଖି କୈକେୟୀ ନିକଟକୁ ଆସିବାକୁ ସାହସ କଲେନାହିଁ।

ମନ୍ଥରାର ଚିତ୍କାର ଶୁଣି ଅନ୍ତଃପୁରରୁ କୌଶଲ୍ୟା ଦଉଡ଼ି ଆସିଲେ।ଦେଖିଲେ ଶତ୍ରୁଘ୍ନଙ୍କ ମାଡ଼ରେ ମନ୍ଥରା ପଞ୍ଚତ୍ବପ୍ରାପ୍ତ ହେବାକୁ ଯାଉଛି। ଶତ୍ରୁଘ୍ନଙ୍କ ମଥାରେ ନାରୀ ହତ୍ୟାର କଳଙ୍କ ଲାଗିବ। ବାଧା ଦେଇ କୌଶଲ୍ୟା କହିଲେ ବାବୁରେ ! ଚୁଚୁନ୍ଦ୍ରାକୁ ମାରିଲେ କଣ ବା ଲାଭ ହେବ,ହାତ ଗନ୍ଧହେବା ସାର ହେବ। ନାରୀ ହତ୍ୟାର ପାପ କାହିଁକି ତୋ ଉପରକୁ ନେଉଛୁ? ତାକୁ ଉଆସରୁ ବିଦା କରିଦେ, କର୍ମ ଆଦରି ଭିଖମାଗି ସେ ବୁଲୁଥାଉ।"

ଶତ୍ରୁଘ୍ନଙ୍କୁ ବାଧା ଦେବା ଦେଖି ଭରତ କହିଲେ..ଏ ପାପିଷ୍ଠାକୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ ଜନନୀ !ଏହାଯୋଗୁଁ ମୋର ଦେବୋପମ ନିର୍ଦ୍ଦୋଷ ଅଗ୍ରଜ ଏବଂ ଅଯୋଧ୍ୟାର ରାଜଲକ୍ଷ୍ମୀ ମାତା ସୀତା ଆଜି ଅରଣ୍ୟରେ କଷ୍ଟ ଭୋଗ କରୁଛନ୍ତି। ଏହି ପାପିୟସୀ ଯୋଗୁଁ ମୋ ପିତା,ପୁତ୍ର ଶୋକରେ ଅକାଳରେ ପ୍ରାଣତ୍ୟାଗ କରିଛନ୍ତି। ଏହି ଦୁଷ୍ଟା ଯୋଗୁଁ ଶେଷ ସମୟରେ ଆମେ ଚାରିଭାଇ ପିତାଙ୍କ ମୁଖ ଦର୍ଶନରୁ ବଞ୍ଚିତ ହୋଇଛୁ।ସମାଜର କଳଙ୍କ ଏ ପାପିୟସୀକୁ ହତ୍ୟାକଲେ ମଧ୍ୟ ନାରୀ ହତ୍ୟା ଦୋଷ ଲାଗିବ ନାହିଁ।ଏହାକୁ ଉପଯୁକ୍ତ ଦଣ୍ଡ ଦେଇସାରି ମୁଁ ମୋ କୁମାତା କୈକେୟୀ କଥା ବୁଝିବି।"

କୌଶଲ୍ୟା କହିଲେ ମାତା କେବେ କୁମାତା ହୁଏନାହିଁ ପୁତ୍ର ! ତୋର ଭବିଷ୍ୟତର ମଙ୍ଗକାମନା କରି କୈକେୟୀ ଯାହାକିଛି କରିଛି। ସେଥିପାଇଁ ସେ ଆଜି ଅନୁତପ୍ତ। ଅନୁତାପ ଠାରୁ ବଳି ପ୍ରାୟଶ୍ଚିତ ଆଉ କିଛି ନାହିଁ ପୁତ୍ର।ଏହି ପାପିଷ୍ଠା ମନ୍ଥରାକୁ ମଧ୍ୟ ହତ୍ୟାକଲେ ରଘୁକୁଳରେ କଳଙ୍କ ଲାଗିବ। ତାକୁ ଉଆସରୁ ତଡିଦିଅ। ଦ୍ବାର ଦ୍ବାର ବୁଲି ଭିକ୍ଷା ମାଗି ତା କର୍ମଫଳ ସେ ଭୋଗ କରୁଥାଉ।"

ଶତ୍ରୁଘ୍ନଙ୍କୁ ଚାହିଁ ଭରତ କହିଲେ ଏ ପାପିଷ୍ଠାକୁ ଛାଡ଼ିଦିଅ ଅନୁଜ।ତାର ଭାଗ୍ୟ ଭଲ। ମାତା କୌଶଲ୍ୟାଙ୍କ ଯୋଗୁଁ ସେ ଆଜି ରକ୍ଷା ପାଇଗଲା।ତାର ମସ୍ତକ ମୁଣ୍ଡନ କରି ,ସାତବେଣ୍ଟିଆ କରି ମୁହଁରେ ଚୁନକଳା ବୋଳି ଅଯୋଧ୍ୟାର ରାଜଦାଣ୍ଡରେ ସାତ ଥର ପରିକ୍ରମା କରାଅ। ସମସ୍ତେ ଜାଣନ୍ତୁ ଷଡଯନ୍ତ୍ରର ଶାସ୍ତି କେତେ ଭୟାବହ ହୋଇପାରେ।


କ୍ରମଶଃ


Rate this content
Log in

Similar oriya story from Classics