STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୫)

ସରଯୂ ନଦୀର ତୀରେ (୪୫)

4 mins
307

ଭୟଙ୍କର କ୍ରୋଧରେ କମ୍ପିଗଲେ ଭରତ। ଘୃଣାପୂର୍ଣ୍ଣ ନେତ୍ରରେ ମାତା କୈକେୟୀଙ୍କୁ ଚାହିଁ କହିଲେ..ତୁ ଏ କ'ଣ କଲୁ ରାକ୍ଷସୀ ! ମୋର ପ୍ରାଣସମ ପିତାଙ୍କ ମୃତ୍ୟୁର କାରଣ ହୋଇ ଏବଂ ଦେବୋପମ ଭ୍ରାତାଙ୍କୁ ଅରଣ୍ୟକୁ ପଠାଇ ତୁ କ'ଣ ଆଶା କରୁଛୁ ମୁଁ ଏ ରାଜପଦ ଗ୍ରହଣ କରିବି ?ଏହା ମୋ ଦୁଃଖର ଅଗ୍ନିରେ ଘୃତାହୂତି ସହିତ ସମାନ।କେଡେ ହତଭାଗ୍ୟ ସତେ ମୋର ପିତା ଯେ ତୋତେ ପତ୍ନୀ ଭାବରେ ଗ୍ରହଣ କରି ନର୍କ ଯନ୍ତ୍ରଣା ଭୋଗ କଲେ !ଆରେ ରାକ୍ଷସୀ! ତୋର ଏହି ଅପକର୍ମ ଯୋଗୁଁ ମୋ ସ୍ନେହମୟୀ ଜନନୀ କୌଶଲ୍ୟା ଓ ସୁମିତ୍ରା ମଧ୍ୟ ପ୍ରାଣ ହରାଇବେ;ଏଡେ ସ୍ୱାର୍ଥପର କିପରି ତୁ ହୋଇ ପାରିଲୁ ମାତା ! 

ଆଃ ! ମାଆ ନାମରେ ତୁ ଗୋଟାଏ କଳଙ୍କ। ଯେଉଁ ଶ୍ରୀରାମ ତୋତେ ଏତେ ଭଲ ପାଆନ୍ତି, ତାଙ୍କପ୍ରତି ତୁ ଏ ଅନ୍ୟାୟ କିପରି କରିପାରିଲୁ ! ପୂଜନୀୟା ମାତା କୌଶଲ୍ୟା ତ ତୋତେ ଜନ୍ମିତା ଭଉଣୀ ଠାରୁ ଅଧିକ ଭଲ ପାଉଥିଲେ; କିପରି ତାଙ୍କ ହୃଦୟର ଅଂଶକୁ ବଣକୁ ପଠାଇ ପାରିଲୁ ? ତୁ କ'ଣ ଜାଣିନଥିଲୁ ମା' ମୁଁ ମୋ ଅଗ୍ରଜ ରାମଙ୍କୁ କେତେ ଭଲପାଏ ? ଏପରି କିପରି ସ୍ବାର୍ଥ ତୋର ବିବେକ ଧ୍ବଂସ କରିଦେଲା!ଏସବୁ କରି ତୁ କିପରି ଭାବିପାରୁଛୁ ଯେ ମୁଁ ସିଂହାସନ ଗ୍ରହଣ କରିବି ! ତୋର ଏ ଘୃଣ୍ୟ ଯୋଜନା ମୁଁ ସଫଳ ହେବାକୁ ଦେବିନାହିଁ । ଆଜିଠାରୁ ମୁଁ ତୋର ମାତୃତ୍ଵ ଅଧିକାରକୁ ଘୃଣାର ସହିତ ଆଗ୍ରାହ୍ୟ କଲି। ଆଜିଠାରୁ ତୁ ମୋର ମାତା ନୋହୁ। ରଘୁବଂଶର ରୀତି ଅନୁଯାୟୀ ଜ୍ୟେଷ୍ଠପୁତ୍ର ରାଜସିଂହାସନର ଅଧିକାରୀ।ସ୍ବାର୍ଥସାଧନ ପାଇଁ ଏ ଶାଶ୍ଵତ ପରମ୍ପରାକୁ କିପରି ହେୟଜ୍ଞାନ କରିପାରିଲୁ ତୁ ! କିପରି ଭାବିପାରିଲୁ ଯେ ତୋର ଏ ଘୃଣ୍ୟ ଯୋଜନାରେ ନିଜ ସ୍ବାର୍ଥସାଧନ ପାଇଁ ମୁଁ ସାମିଲ୍ ହେବି, ତାହା ପୁଣି ମୋ ପ୍ରିୟତମ ଭ୍ରାତା ରାମଙ୍କ ବିରୁଦ୍ଧରେ ! ରାମଚନ୍ଦ୍ରଙ୍କୁ ପୁଣି ବନବାସ ! ବନବାସ ଦଣ୍ଡ ତ ତୋତେ ଦେବା ଆବଶ୍ୟକ ଥିଲା ନାରୀକୁଳର କଳଙ୍କ କୈକେୟୀ ! ଧର୍ମପଥ ତ୍ୟାଗକରିଥିବା ଏବଂ ରାଜାଙ୍କ ହତ୍ୟା ଷଡଯନ୍ତ୍ର କାରିଣୀ ଘୃଣ୍ୟ ମହିଳା ! ଚଉଦବର୍ଷର ବନବାସ ଦଣ୍ଡ ତୁ ପାଇବାକୁ ଯୋଗ୍ୟ। ମୁଁ ତୋ ପାଇଁ ମୃତ;ତୋଭଳି ମାତାର ପୁତ୍ର ହେବା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର।  ସ୍ବାମୀ ହତ୍ୟାକାରୀ ମହିଳା ! ତୁ କେକୟ ରାଜା ପବିତ୍ରମନା ଅଶ୍ବପତିଙ୍କ କନ୍ୟା ହେବାପାଇଁ ଅଯୋଗ୍ୟା। ରାକ୍ଷସୀ ! ତୁ ମାତା କୌଶଲ୍ୟାଙ୍କ ଅଲିଅଳ ପୁତ୍ର ରାମଙ୍କୁ ବନକୁ ପଠାଇ ସୁଖ ଭୋଗ କରିବା ଆଶା କରୁଥିଲୁ ! କେବଳ ନର୍କଭୋଗ ହିଁ ତୋ ଭାଗ୍ୟରେ ଅଛି। ମୁଁ ପ୍ରାୟଶ୍ଚିତ କରିବି, ଦଣ୍ଡକାରଣ୍ୟକୁ ଯାଇ ମୋର ଦେବୋପମ ଭାଇ ରାମଚନ୍ଦ୍ରଙ୍କ ପାଦତଳେ ପଡ଼ି କ୍ଷମା ଭିକ୍ଷା କରିବି।ମୋ ପାତକ ପ୍ରକ୍ଷାଳନ କରିବା ପାଇଁ ନିଜେ ଅରଣ୍ୟରେ ତପସ୍ୱୀ ଜୀବନ ଯାପନ କରିବି। ଆଃ ପୃଥିବୀକୁ କି ଘୋର ଦୁଖର ବନ୍ୟାରେ ତୁ ପ୍ଲାବିତ କରିଦେଲୁ ଜନନୀ ! କେଉଁ ଗଙ୍ଗାଜଳରେ ତୋର ଏ ପାପ ଧୋଇ ହେବ ! ମୁଁ କଣ କରିବି ? ହେ ଭଗବାନ !"କହୁ କହୁ ଅଶ୍ରୁଜଳରେ ପ୍ଲାବିତ ହୋଇଗଲା ଭରତଙ୍କ ବିଶାଳ ଶରୀର। କାନ୍ଦି କାନ୍ଦି କୌଶଲ୍ୟାଙ୍କ ପ୍ରକୋଷ୍ଠରେ ପହଞ୍ଚିଲେ ଭରତ। କୌଶଲ୍ୟାଙ୍କ ଦୁଇ ପାଦ ଧରି ଅବୋଧଶିଶୁ ପରି କ୍ରନ୍ଦନ କରିବାକୁ ଲାଗିଲେ ଭରତ।କୌଶଲ୍ୟା ପ୍ରଥମେ ମନେକରିଥିଲେ ଯେ ମାତୁଳାଳୟରୁ ଅତି ଚଞ୍ଚଳ ଭରତ ଫେରି ଆସିଛନ୍ତି ରାଜପଦରେ ଅଭିଷିକ୍ତ ହେବାପାଇଁ। ଅଶ୍ରୁଳ ନେତ୍ରରେ ସେ କହିଲେ ବାବୁ ଭରତ ! ପିତାଙ୍କ ଅବର୍ତ୍ତମାନରେ ରିକ୍ତ ରାଜସିଂହାସନ ତୋ ପାଇଁ ଅପେକ୍ଷା କରିଛି।ତୋର ଜନନୀ କୈକେୟୀଙ୍କ ପ୍ରୟାସ ଯୋଗୁଁ ତୁ ବର୍ତ୍ତମାନ ରାଜା ହେବାକୁ ଯାଉଛୁ ପୁତ୍ର ! ଆନନ୍ଦରେ ରାଜ୍ୟ ଶାସନ କର। ପୁତ୍ରକୁ ମୋର ବନବାସ ପଠାଇ ଦେଇଛନ୍ତି ରାଜମାତା କୈକେୟୀ। ତୋ ପାଇଁ କିଛି ବାଧା ବିଘ୍ନ ନାହିଁ ପୁତ୍ର !ମୋ ଉପରେ ଗୋଟିଏ ଉପକାର କର ପୁତ୍ର ! ମୋତେ ମୋ ରାମଲକ୍ଷ୍ମଣଙ୍କ ପାଖକୁ ବନକୁ ପଠାଇବା ବ୍ୟବସ୍ଥା କରିଦେ।" କୌଶଲ୍ୟାଙ୍କ କଥା ପୋଡ଼ା ଘାଆରେ ଚୂନ ବୋଳିବା ଭଳି କଷ୍ଟ ଦେଲା ଭରତଙ୍କୁ। କାନ୍ଦି କାନ୍ଦି କୌଶଲ୍ୟାଙ୍କ ପାଦ ଅଶ୍ରୁଜଳରେ ଧୋଇଦେଇ ଭରତ କହିଲେ.. ଏପରି କହି ତୁମ ନିରୀହ ପୁତ୍ର ଭରତ ମନରେ କାହିଁକି ଯନ୍ତ୍ରଣା ଦେଉଛ ଜନନୀ ! ତୁମେ କଣ ଜାଣନାହିଁ ଯେ ଏହି ନାରକୀୟ ଷଡଯନ୍ତ୍ର ଚାଲିଥିବା ସମୟରେ ମୁଁ ଏଠାରୁ ବହୁ ଦୂରରେ ଥିଲି ବୋଲି। ତୁମେ କଣ ଜାଣିନାହିଁ ଜନନୀ ଅଗ୍ରଜ ଶ୍ରୀରାମଙ୍କୁ ମୁଁ କେତେ ଭଲପାଏ ! ଏ ରାଜନୀତି ସହିତ ମୋର କିଛି ସମ୍ପର୍କ ନାହିଁ ଜନନୀ। ମୁଁ ରାଜା ହେବାପାଇଁ ଚାହେଁନାହିଁ। ସିଂହାସନ ପାଇଁ ତିଳେମାତ୍ର ଯେବେ ଲୋଭ ମୋର ଥାଏ ତାହେଲେ ମୁଁ କୁମ୍ଭୀପାକ ନର୍କ ଭୋଗ କରିବି। ରାଜସିଂହାସନରେ କେବଳ ମୋ ଅଗ୍ରଜ ରାମଚନ୍ଦ୍ରଙ୍କର ଅଧିକାର ରହିଛି। ମୁଁ ତାଙ୍କର ଦାସାନୁଦାସ।ଅରଣ୍ୟକୁ ଯାଇ ତାଙ୍କୁ କାକୁତି ମିନତି କରି ଅଯୋଧ୍ୟାକୁ ଲେଉଟାଇ ଆଣିବି ଜନନୀ ! ମୋତେ ଦୟାକରି ସନ୍ଦେହ କରନାହିଁ। ପିତାଙ୍କ ମୃତ୍ୟୁ ଏବଂ ଅଗ୍ରଜଙ୍କ ବନବାସ ଦୁଃଖରେ ଦୁଃଖୀ ଏ ପୁତ୍ରକୁ କୋଳକୁ ନେଇ ସ୍ନେହ ଦିଅ ଜନନୀ, ଅଭିଶାପ ନୁହେଁ।" ଭରତଙ୍କ ସରଳତା କୌଶଲ୍ୟାଙ୍କ ହୃଦୟକୁ ବିଗଳିତ କରିଦେଲା।ତଳୁ ଉଠାଇ ଭରତଙ୍କୁ କୋଳକୁ ତୋଳିନେଲେ ମାତା କୌଶଲ୍ୟା। କହିଲେ ତୋର ହୃଦୟ ଏତେ ବିଶାଳ ବୋଲି ମୁଁ ଜାଣିନଥିଲି ଧନ ! ଏ' ମାଆକୁ ତୋର କ୍ଷମା କରି ଦେ।ତୋ ଭିତରେ ମୋ ରାମକୁ ମୁଁ ଖୋଜିପାଇଛି।ତୁ ରାଜସିଂହାସନ ଗ୍ରହଣ କର ବାବୁ ! ମୋ ମନରେ ତିଳେ ମାତ୍ର ଅସୂୟା ନାହିଁ।ଚଉଦ ବର୍ଷ ପରେ ରାମ ଅରଣ୍ୟରୁ ଫେରି ଆସିଲେ ସେ ରାଜା ହେବ।ସେ ପର୍ଯ୍ୟନ୍ତ ଅଯୋଧ୍ୟାର ଶାସନ ଭାର ଗ୍ରହଣ କର।ଅତୀତରେ ଇକ୍ଷ୍ବାକୁ ବଂଶର ଅନେକ ରାଜା ଅନେକ ଗୌରବ ଅର୍ଜନ କରିଛନ୍ତି। ତୋର ମହାନତା କିନ୍ତୁ ସମସ୍ତଙ୍କଠାରୁ ଅନେକ ଉର୍ଦ୍ଧ୍ବରେ ଭରତ ! ଆଖିରୁ ଲୁହ ପୋଛୁ ପୋଛୁ ଭରତ କହିଲେ ତାହା ଅସମ୍ଭବ ଜନନୀ ! ମୋର ଅଗ୍ରଜ ରାମଚନ୍ଦ୍ର ହିଁ ଅଯୋଧ୍ୟାର ସିଂହାସନ ଆରୋହଣ କରିବେ। ମୁଁ ନିଜେ ଯାଇ ତାଙ୍କୁ ଅରଣ୍ୟରୁ ଫେରାଇ ଆଣିବି।ନଆସିଲେ ସେହି ଅରଣ୍ୟରେ ଯତିବ୍ରତ ଧାରଣ କରି ମୋ ଭ୍ରାତାଙ୍କ ଭଳି ଆରଣ୍ୟକ ଜୀବନ ଯାପନ କରିବି।ତାହା ହିଁ ହେବ ମୋ ମାତା କୈକେୟୀଙ୍କର ପାପ କର୍ମର ପ୍ରାୟଶ୍ଚିତ। ଭରତଙ୍କ ହୃଦୟର ମହାନତାର ବାର୍ତ୍ତା ଚାହୁଁ ଚାହୁଁ ବିଜୁଳି ବେଗରେ ରାଜଧାନୀ ଅଯୋଧ୍ୟାରେ ଖେଳିଗଲା। ପ୍ରଜାମାନଙ୍କ ମନ ଆନନ୍ଦରେ ପରିପୂର୍ଣ୍ଣ। ସମସ୍ତଙ୍କ ମୁହଁରେ ଭରତଙ୍କର ଭୂୟସୀ ପ୍ରଶଂସା। ମୃତ ରାଜାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାପରେ ବଶିଷ୍ଠ,ଜାବାଳି, ବାମଦେବ ଏବଂ ସୁମନ୍ତ୍ର ସମେତ ସମସ୍ତ ଗୁରୁଜନ ରାଜସଭାରେ ଏକତ୍ରିତ ହେଲେ। ବଶିଷ୍ଠ ଭରତଙ୍କୁ କହିଲେ ପୁତ୍ର! ମହାରାଜା ଦଶରଥ ଦିବଙ୍ଗତ ହେବାର ଆଜକୁ ଚଉଦ ଦିନ ପୂର୍ଣ୍ଣ ହେଲା। ରାଜସିଂହାସନ ଅଧିକ ଦିନ ରିକ୍ତ ରହିବା ଅନୁଚିତ।ଦିବଙ୍ଗତ ରାଜାଙ୍କ ସତ୍ୟର ସର୍ତ୍ତ ଅନୁଯାୟୀ ତୁମେ ରାଜଦଣ୍ଡ ଗ୍ରହଣ କରିବା ଆବଶ୍ୟକ। ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ବର୍ତ୍ତମାନ ତୁମର ସମ୍ମତି ପାଇଁ ପ୍ରଜାଗଣ ଅପେକ୍ଷା କରିଛନ୍ତି।ତୁମେ ରାଜଦଣ୍ଡ ଗ୍ରହଣ କରି ଉତ୍ତର କୋଶଳ ରାଜ୍ୟ ଶାସନ କର। ଅଶ୍ରୁଳ ନେତ୍ରରେ ଯୋଡହସ୍ତରେ ଭରତ କହିଲେ ହେ ବିଦ୍ୱାନ ଗଣ ! ଆପଣମାନେ ମୋତେ ଏଭଳି ଅନୁରୋଧ କରିବା ଠିକ୍ ନୁହେଁ। ଇକ୍ଷ୍ବାକୁ ବଂଶର ରୀତି ଅନୁଯାୟୀ ରାଜସିଂହାସନ ଜ୍ୟେଷ୍ଠ ପୁତ୍ରର ପ୍ରାପ୍ୟ।ବିନମ୍ରତା ସହିତ ମୁଁ ଜଣାଉଛି ଯେ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ଅରଣ୍ୟରୁ ଫେରାଇ ଆଣି ଜ୍ୟେଷ୍ଠ ଭ୍ରାତାଙ୍କୁ ସିହାସନରେ ଅଭିଷିକ୍ତ ନକରିବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ରହିପାରିବି ନାହିଁ।ଅରଣ୍ୟକୁ ଯିବାପାଇଁ ଆବଶ୍ୟକୀୟ ପଦାର୍ଥ ଓ ସୈନ୍ୟ ସାମନ୍ତ ପ୍ରସ୍ତୁତ କରନ୍ତୁ।ସମସ୍ତ ପ୍ରଜାପୁଞ୍ଜଙ୍କ ସହିତ ଅରଣ୍ୟକୁ ଯାଇ ଅଗ୍ରଜଙ୍କୁ ଅନୁରୋଧ କଲେ ସେ ନିଶ୍ଚୟ ଫେରିଆସିବେ।" ଭରତଙ୍କର ମହାନ ହୃଦୟର ଅଭିବ୍ୟକ୍ତି ରାଜସଭାରେ ସୁଧାବୃଷ୍ଟି କଲା। ଅଯୋଧ୍ୟାର ଘରେ ଘରେ ଆନନ୍ଦର ଲହରୀ ଖେଳିଗଲା ରାମଙ୍କୁ ଭରତ ଫେରାଇ ଆଣିବେ ଅଭିଷେକ ପାଇଁ।ଚଳଚଞ୍ଚଳ ହୋଇ ଉଠିଲା ଅଯୋଧ୍ୟା ନଗରୀ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଇ ହେବ ତ ଭରତ ଭଳି।


କ୍ରମଶଃ


Rate this content
Log in

Similar oriya story from Classics