STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୪୩)

ସରଯୂ ନଦୀର ତୀରେ (୪୩)

4 mins
275

ମୁଣ୍ଡକୋଡି କାନ୍ଦୁଥିଲେ କୌଶଲ୍ୟା ସୁମିତ୍ରା ଏବଂ ରାଜପରିବାର ଅନ୍ୟାନ୍ୟ ଅନ୍ତେବାସୀଗଣ।ଦଶରଥଙ୍କ ନିର୍ଜୀବ ଶରୀର ଶଯ୍ୟା ଉପରେ ପଡିଥିଲା। ନିଶାର୍ଦ୍ଧରେ କେତେବେଳେ ପ୍ରାଣ ଚାଲିଯାଇଥିଲା, କେହି ଜାଣି ପାରିନଥିଲେ;ପାଖେ ପାଖେ ଛାଇ ପରି ରହିଥିବା କୌଶଲ୍ୟା ଓ ସୁମିତ୍ରା ମଧ୍ୟ ଜାଣିପାରି ନଥିଲେ।ପ୍ରଭାତରେ ହିମଶୀତଳ ଶରୀରରେ ହାତମାରି ଚମକି ପଡିଲେ କୌଶଲ୍ୟା।ଘୋର ବିଳପନରେ ରାଜଅବରୋଧ ସ୍ତବ୍ଧ କରିଦେଲେ ରାଣୀମାନେ। ରାଣୀ ମାନଙ୍କର ବିଳାପ ଶୁଣି ଦଉଡ଼ି ଆସିଲେ କୈକେୟୀ।ଦଶରଥଙ୍କ ନିର୍ଜିବ ଶରୀର ଦେଖି ସେ ମଧ୍ୟ ସ୍ତବ୍ଧ ହୋଇଗଲେ। 

କୌଶଲ୍ୟା ଚିତ୍କାର କରି କହୁଥାନ୍ତି କଣ ତୋତେ ମିଳିଲା କୈକେୟୀ ? ପ୍ରଥମେ ରାମ ସୀତା ଓ ଲକ୍ଷ୍ମଣଙ୍କୁ ବନକୁ ପଠାଇ ମୋ ପ୍ରାଣ କଣ୍ଠାଗ୍ରତ କଲୁ,ଏବେ ମୋ ସ୍ବାମୀଙ୍କ ଜୀବନ ନେଇ ବୈଧବ୍ୟ ଯନ୍ତ୍ରଣା ଦେଲୁ !ଏଡେ ସ୍ୱାର୍ଥପର କିପରି ହୋଇପାରିଲୁ ତୁ ରାକ୍ଷସୀ !ପୁତ୍ର,ବଧୂ ଓ ସ୍ବାମୀଙ୍କୁ ହରାଇ ମୁଁ ଆଉ କାହିଁକି ବଞ୍ଚିବି ? ସ୍ବାମୀଙ୍କ ଚିତାରେ ଝାସ ଦେଇ ପ୍ରାଣତ୍ୟାଗ କରିବି।"କହୁ କହୁ ଚେତନା ଶୂନ୍ୟ ହୋଇ ପଡିଗଲେ କୌଶଲ୍ୟା। 

କୈକେୟୀଙ୍କ ସ୍ନାୟୁରେ ଖେଳିଗଲା ହିମଶୀତଳ ତରଙ୍ଗ;ଭାବି ପାରୁନଥିଲେ ସେ ସତରେ ଦଶରଥ ପୁତ୍ର ଶୋକରେ ପ୍ରାଣତ୍ୟାଗ କରିଛନ୍ତି ! ପ୍ରଥମଥର ପାଇଁ ସେ ଭାବିଲେ ଆଃ ! କି ଭୁଲ୍ ନକଲି ମୁଁ ! ମନ୍ଥରା ପ୍ରରୋଚନାରେ ପଡି କି ଅନର୍ଥ ସୃଷ୍ଟି ନକଲି ସତେ ! ଅଯୋଧ୍ୟାର ପ୍ରଜାମାନେ ତ ନିଶ୍ଚିତ ଭାବରେ ମୋତେ ଘୃଣା କରିବେ। କିନ୍ତୁ ମୋର ଏ ନିଷ୍ପତି ମୋ ପୁତ୍ର ଭରତ କିଭଳି ଭାବରେ ଗ୍ରହଣ କରିବ ?ଭରତ ଯେବେ ଅନ୍ୟମାନଙ୍କ ଭଳି ମୋତେ ଘୃଣା କରେ ? ପିତାଙ୍କ ମୃତ୍ୟୁ ପାଇଁ ସେ ଯଦି ମୋତେ ଦାୟୀ କରେ ?କଣ ହେବ ମୋ ଅବସ୍ଥା !

ମନକୁ ଦୃଢ଼ କଲେ କୈକେୟୀ ନାଁ,ଭରତ କେବେ ମୋତେ ଘୃଣା କରିବ ନାହିଁ। ଯାହା ମୁଁ କରିଛି,ଭରତର ଭଲ ପାଇଁ କରିଛି।ରାଜ ପରିବାରରେ କ୍ଷମତା ପାଇଁ କନ୍ଦଳ କିଛି ନୂଆ କଥା ନୁହେଁ।ମୋ ପୁତ୍ରର ସ୍ୱାର୍ଥ ପାଇଁ ମୁଁ ଯେବେ ପରିସ୍ଥିତିକୁ ନିଜ ସପକ୍ଷରେ ପରିବର୍ତ୍ତିତ କରିପାରିଲି ସେଥିରେ ମୋର ଭୁଲ୍ ରହିଲା କେଉଁଠି ?ଭରତ ନିଶ୍ଚୟ ମୋ ମନକଥା ବୁଝି ପାରିବ।ଥରେ ଭରତ ରାଜସିଂହାସନରେ ଅଭିଷିକ୍ତ ହୋଇଗଲେ,ଆଉ କିଛି ଅସୁବିଧା ରହିବ ନାହିଁ; ପରିସ୍ଥିତି ନିଜ ନିୟନ୍ତ୍ରଣକୁ ଆସିଯିବ।"

ମହାରାଜା ଦଶରଥଙ୍କ ମୃତ୍ୟୁ ସମ୍ବାଦ ବିଜୁଳି ବେଗରେ ରାଜଧାନୀରେ ଖେଳିଗଲା।ମହାମନ୍ତ୍ରୀ ସୁମନ୍ତ୍ର, କୁଳଗୁରୁ ବଶିଷ୍ଠଙ୍କୁ ଏ ସମ୍ବାଦ ଜଣାଇଲେ।ବଶିଷ୍ଠଙ୍କ ସହିତ ଜାବାଳି,ବାମଦେବ,କଶ୍ୟପ ଏବଂ ସୁମନ୍ତ୍ର କୌଶଲ୍ୟାଙ୍କ ପ୍ରକୋଷ୍ଠରେ ପହଞ୍ଚିଲେ।ବହୁ କଷ୍ଟରେ କ୍ରନ୍ଦନରତା ରାଣୀ ମାନଙ୍କଠାରୁ ରାଜାଙ୍କ ମୃତ ଶରୀରକୁ ଅଲଗା କରାଗଲା ପରେ ଶରୀରକୁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଗଲା। 

କୁଳଗୁରୁ ବଶିଷ୍ଠ କହିଲେ ରାଜାଙ୍କ ମୃତ୍ୟୁ ଏବଂ ରାଜପୁତ୍ର ମାନଙ୍କର ଅନୁପସ୍ଥିତିରେ ସୂର୍ଯ୍ୟବଂଶର ରକ୍ଷାଦାୟିତ୍ଵ ବର୍ତ୍ତମାନ ଆମ୍ଭମାନଙ୍କ ଉପରେ।ଏହିଭଳି ସମୟରେ ଅରାଜକତା ବ୍ୟାପିବା ସମ୍ଭାବନା ଅଧିକ।ବିନା ରାଜାରେ ରାଜ୍ୟ ତିଷ୍ଠି ପାରିବନାହିଁ। ଶାନ୍ତି ଶୃଙ୍ଖଳା ନଷ୍ଟ ହୋଇଯିବ।ଧର୍ମ ବିପଦରେ ପଡିବ। ସନ୍ତାନମାନେ ପିତା ମାତାଙ୍କ ଆଦେଶ ପାଳନ କରିବେ ନାହିଁ। ଦସ୍ୟୁ,ଚୋର ଖଣ୍ଟ, ସୈତାନମାନେ ରାଜ୍ୟର ଶାନ୍ତି ଶୃଙ୍ଖଳା ନଷ୍ଟ କରିବେ। ପ୍ରଜାମାନଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସ ରହିବ ନାହିଁ। କୃଷି ଓ ବାଣିଜ୍ୟ ବାଧାପ୍ରାପ୍ତ ହେବ।ଦାନଧର୍ମ ପୁଣ୍ୟକର୍ମ,ଦେବାର୍ଚ୍ଚନା ଓ ଶାସ୍ତ୍ର ଆଲୋଚନା ପ୍ରତି ପ୍ରଜାମାନେ ବିମୁଖ ହେବେ।"

ଆଦିକବି ବାଲ୍ମୀକି, କୁଳଗୁରୁ ବଶିଷ୍ଠଙ୍କ ମୁଖରେ ରାଜାହୀନ ରାଜ୍ୟର ଅରାଜକତା ବିଷୟରେ ଏହିପରି ବର୍ଣ୍ଣନା କରିଛନ୍ତି।

ବଶିଷ୍ଠ ପୁନର୍ବାର କହିଲେ ସେଥିପାଇଁ ଅତିଶୀଘ୍ର ସିଂହାସନରେ ଉତ୍ତରାଧିକାରୀ ଆସୀନ ହେବା ଆବଶ୍ୟକ। ସୂର୍ଯ୍ୟବଂଶର ନିୟମ ଅନୁଯାୟୀ ପରବର୍ତ୍ତୀ ଉତ୍ତରାଧିକାରୀ ସିଂହାସନରେ ଅଭିଷିକ୍ତ ନହେବା ପର୍ଯ୍ୟନ୍ତ ରାଜାଙ୍କ ମୃତ ଦେହର ସଂସ୍କାର କରାଯାଇପାରିବ ନାହିଁ। ବର୍ତ୍ତମାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ବନବାସୀ ତଥା ଭରତ ଓ ଶତ୍ରୁଘ୍ନ ମାତୁଳାଳୟରେ ରହିଛନ୍ତି।ଭରତଙ୍କ ରାଜ୍ୟାଭିଷେକ ନହେଲେ ରାମଚନ୍ଦ୍ରଙ୍କର ପିତୃସତ୍ୟ ମଧ୍ୟ ରକ୍ଷା ହୋଇ ପାରିବ ନାହିଁ। ତେଣୁ ମୃତ ରାଜାଙ୍କ ଶରୀରକୁ ତୈଳ କୁଣ୍ଡରେ ସୁରକ୍ଷିତ ରଖି,ଭରତଙ୍କୁ ମାତୁଳାଳୟରୁ ଡକାଇ ତାଙ୍କୁ ଅଯୋଧ୍ୟାର ରାଜସିଂହାସନରେ ଅତିଶୀଘ୍ର ଅଭିଷିକ୍ତ କରିବା ଆମ୍ଭମାନଙ୍କର ସର୍ବାଦୌ କର୍ତ୍ତବ୍ୟ।"

କୁଳଗୁରୁଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲକ୍ଷ୍ୟ କରିବାକଥା। କୁଳଗୁରୁଙ୍କ ଆସନ ସେ ସମୟରେ କେବଳ ଏକ ଅଳଙ୍କାରିକ ଆସନ ନଥିଲା।ରାଜ୍ୟରେ ଏଭଳି ରାଜନୈତିକ ସଙ୍କଟ ସମୟରେ ତାଙ୍କ ସନ୍ତୁଳିତ ନିର୍ଦ୍ଦେଶ ରାଜ୍ୟର ସ୍ଥିରତା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ବଶିଷ୍ଠ,ଅନୁଭବୀ ଦୂତଙ୍କୁ ଡକାଇ ନିର୍ଦ୍ଦେଶ ଦେଲେ...ଅଶ୍ଵ ଆରୋହଣ କରି କ୍ଷିପ୍ର ଗତିରେ କେକୟ ରାଜ୍ୟ ଅଭିମୁଖେ ଏହିକ୍ଷଣି ଯାତ୍ରାକର ଦୂତ।ଭରତ ଏବଂ ଶତ୍ରୁଘ୍ନଙ୍କୁ ଅତିଶୀଘ୍ର ଅଯୋଧ୍ୟାକୁ ଫେରି ଆସିବା ପାଇଁ କୁଳଗୁରୁ ଓ ମନ୍ତ୍ରୀମାନଙ୍କ ନିର୍ଦ୍ଦେଶ କଥା ଜଣାଇବ।ମନେରଖ,ଦଶରଥଙ୍କ ମୃତ୍ୟୁ ବିଷୟରେ ଦୁଇ ରାଜପୁତ୍ର ଯେପରି ବିନ୍ଦୁ ବିସର୍ଗ ନଜାଣନ୍ତି। ଧ୍ୟାନ ରଖିବ, ରାମଚନ୍ଦ୍ର, ସୀତା ଏବଂ ଲକ୍ଷ୍ମଣଙ୍କ ବନବାସ କଥା ଏବଂ ତତ୍ ଜନିତ ଶୋକରେ ଦଶରଥଙ୍କ ମୃତ୍ୟୁ ବିଷୟରେ ଭରତ ଶତ୍ରୁଘ୍ନ ଯେପରି କିଛି ନଜାଣନ୍ତି।ମାତାମହ ଅଶ୍ବପତିଙ୍କ ପାଇଁ ହୀରାନୀଳା ମୋତି ମାଣିକ୍ୟ ଏବଂ ମୂଲ୍ୟବାନ ବସ୍ତ୍ର ଇତ୍ୟାଦି ଉପଢୌକନ ଭାବେ ନେଇଯାଅ ଦୂତ!ଏହାଦ୍ବାରା ଅଯୋଧ୍ୟାରେ ପଡ଼ିଥିବା ବିପଦର ଆଭାସ ଦୁଇ ରାଜପୁତ୍ର ତଥା ମାତାମହ ଅଶ୍ବପତି ପାଇପାରିବେ ନାହିଁ।"

ଏହା କୁଳଗୁରୁ ବଶିଷ୍ଠଙ୍କର ମିଥ୍ୟା ଅବତାରଣା ବା ମିଥ୍ୟାଭାଷକୁ ପ୍ରୋତ୍ସାହନ କାର୍ଯ୍ୟ ବୋଲି କୁହାଯିବ ନାହିଁ। ସଫଳତାର ସହିତ ଶାସନ ହସ୍ତାନ୍ତର କରିବାପାଇଁ କୁଳଗୁରୁଙ୍କର ଏହା ସମ୍ପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଥିଲା। ରାଜ୍ୟାଭିଷେକ ପୂର୍ବରୁ ସେ ଚାହୁଁ ନଥିଲେ ଯେ ଦଶରଥଙ୍କ ମୃତ୍ୟୁ ସମ୍ବାଦ ଅନ୍ୟ କେଉଁ ରାଜ୍ୟ(ଏପରିକି ଭରତଙ୍କ ମାତୁଳାଳୟ) ପାଆନ୍ତୁ।

କ୍ଷିପ୍ର ବେଗରେ ଗତି କରୁଥିବା ଅଶ୍ଵ ଆରୋହଣ କରି ଦୂତମାନେ ବଣ ପାହାଡ ପର୍ବତ ନଦୀ ଉପତ୍ୟକା ଇତ୍ୟାଦି ପାର ହୋଇ କେକୟ ରାଜ୍ୟର ରାଜଧାନୀ ରାଜଗୃହରେ ପହଞ୍ଚିଲେ, ଯେଉଁଠାରେ ଭରତ ଓ ଶତ୍ରୁଘ୍ନ ଅଶ୍ବପତିଙ୍କ ପ୍ରସାଦରେ ଅବସ୍ଥାନ କରୁଥିଲେ।ସେ ସମୟର କେକୟ ରାଜ୍ୟ ବର୍ତ୍ତମାନର ପଞ୍ଜାବରାଜ୍ୟର ପଶ୍ଚିମ ଭାଗରେ ଅବସ୍ଥିତ ଥିଲା। ଉତ୍ତର କୋଶଳରୁ କେକୟର ଦୀର୍ଘ ଦୂରତା ଅତିକ୍ରମ କରିଥିବା ଦୂତମାନଙ୍କ ପାଇଁ ବିଶ୍ରାମ ନିହାତି ଆବଶ୍ୟକ ଥିଲା। ମଧ୍ୟରାତ୍ରରେ ସେମାନେ ପ୍ରାସାଦକୁ ପ୍ରବେଶ ନକରି ନଗ୍ରରେ ବିଶ୍ରାମ ନେଲେ।

ସେହି ରାତ୍ରିର ଶେଷ ପ୍ରହରରେ ରାଜକୁମାର ଭରତ ସ୍ଵପ୍ନରେ ଭୟଙ୍କର ଅପଶକୁନ ଦେଖିଲେ।ରାମ,ଲକ୍ଷ୍ମଣ ଏବଂ ତାଙ୍କ ନିଜ ପ୍ରତି ମୃତ୍ୟୁ ଭଳି ଘୋର ବିପଦ ମାଡ଼ି ଆସୁଥିବା ସ୍ବପ୍ନ ଦେଖି ବିଚଳିତ ହୋଇ ପଡିଲେ କୁମାର ଭରତ। ପ୍ରଭାତରେ ମାନସିକ ଦୁଶ୍ଚିନ୍ତାରେ ଥିବା ସମୟରେ ଅଯୋଧ୍ୟାର ଦୂତଦ୍ବୟ କେକୟ ରାଜପ୍ରାସାଦରେ ପହଞ୍ଚିଲେ।ସେମାନଙ୍କୁ ରାଜା ଅଶ୍ବପତି ଏବଂ ରାଜପୁତ୍ର ଯୁଦ୍ଧାଦିତ୍ୟ ସସମ୍ମାନେ ପାଛୋଟିନେଲେ।ସାଙ୍ଗରେ ଆଣିଥିବା ଉପଢ଼ୌକନ ଉପହାର ଦେଇ ଦୂତମାନେ ଅଯୋଧ୍ୟାର କୁଳଗୁରୁ ଏବଂ ମନ୍ତ୍ରୀ ମାନଙ୍କର ବାର୍ତ୍ତା ଜଣାଇଲେ।ବ୍ୟଗ୍ର ମନରେ ଭରତ ପଚାରିଲେ ଅଯୋଧ୍ୟାର ସବୁ କୁଶଳ ମଙ୍ଗଳ ତ ଦୂତ ! ମୋ ପିତା ମାତା ଓ ଭ୍ରାତାମାନେ ସମସ୍ତେ କୁଶଳରେ ଅଛନ୍ତି ତ !" ଦୂତମାନେ ନତମସ୍ତକ ହୋଇ କହିଲେ ରାଜଧାନୀରେ ଯେତେ ଶୀଘ୍ର ପହଞ୍ଚିବେ,ଆପଣଙ୍କ ନିମନ୍ତେ ଉଦ୍ଧିଷ୍ଟ ମଙ୍ଗଳ ସମ୍ବାଦ ସେତେଶୀଘ୍ର ପାଇବେ କୁମାର ! କୁଳଗୁରୁ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅତି ଶୀଘ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତୁ।" 

ଗୃହ ଅନାମୟ ଶୁଣିବା ପରେ ମଧ୍ୟ ଭରତଙ୍କ ମନର ବ୍ୟଗ୍ରତା ଦୂର ହେଲା ନାହିଁ।ନିଶାନ୍ତରେ ଦେଖିଥିବା ସ୍ୱପ୍ନ ତାଙ୍କୁ ଅବିରତ ବିବ୍ରତ କରୁଥିଲା।ପିତା ଦଶରଥଙ୍କ ମୃତ୍ୟୁ ଏବଂ ରାମଚନ୍ଦ୍ରଙ୍କ ବନବାସ ସମ୍ବାଦ ସେ ନପାଇ ଥିଲେ ମଧ୍ୟ ତାଙ୍କର ମାନସିକ ଅସ୍ଥିରତା ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ମାନସିକ "ଦୂରସମ୍ବେଦନତା" ବା ଟେଲିପାଥି ବୋଲି କୁହାଯାଇପାରେ।କାଳବିଳମ୍ବ ନକରି ଭରତ ଏବଂ ଶତ୍ରୁଘ୍ନ ଅଯୋଧ୍ୟା ଅଭିମୁଖେ କ୍ଷିପ୍ର ବେଗରେ ପ୍ରତ୍ୟାବର୍ତ୍ତନ କଲେ।

କ୍ରମଶଃ


Rate this content
Log in

Similar oriya story from Classics