STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୪୨)

ସରଯୂ ନଦୀର ତୀରେ (୪୨)

4 mins
164


ଶୂନ୍ୟ ରଥ ନେଇ ସୁମନ୍ତ୍ର ଅଯୋଧ୍ୟାର ରାଜପଥରେ ପହଞ୍ଚିଲେ;ଅସମ୍ଭବ ଭିଡ ଲାଗିଗଲା ରଥ ଚାରିପାଖରେ। ସମସ୍ତଙ୍କର ଗୋଟିଏ ପ୍ରଶ୍ନ..କେଉଁଠାରେ ଛାଡି ଆସିଲ ଆମ ପ୍ରିୟ ରାଜପୁତ୍ର ରାମ,ଲକ୍ଷ୍ମଣଙ୍କୁ ଏବଂ ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତାଙ୍କୁ ?ସୁମନ୍ତ୍ରଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନଥିଲା। କିନ୍ତୁ ତାଙ୍କ ନିରବତା ସବୁ କାହାଣୀ ବଖାଣି ଦେଉଥିଲା। ଅଯୋଧ୍ୟାବାସୀଙ୍କୁ ବୁଝିବାପାଇଁ ଆଉ ବାକି ରହିଲା ନାହିଁ ଯେ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ସେମାନଙ୍କୁ ଛାଡି ଅରଣ୍ୟକୁ ଚାଲିଯାଇଛନ୍ତି,ଦୀର୍ଘ ଚଉଦବର୍ଷ ପାଇଁ।ନଗ୍ରଵାସୀଙ୍କ ଆଖିରେ ଦୁଃଖର ଲୁହ ଲହଡ଼ି ମାରୁଥିଲା।


ଜନସମୁଦ୍ର ପାରହୋଇ ସୁମନ୍ତ୍ରଙ୍କ ଶୂନ୍ୟ ରଥ ପ୍ରାସାଦର ସିଂହଦ୍ବାରରେ ଲାଗିଲା। ଅନ୍ତଃପୁରରୁ ରାଣୀମାନେ ଏବଂ ପ୍ରାସାଦର ପରିଚାରକ /ପରିରିକାମାନେ ଦଉଡ଼ି ଆସିଲେ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ଦେଖିବା ଆଶାରେ।ସେମାନଙ୍କୁ ଅତିକ୍ରମ କରି, ମୁହଁ ତଳକୁ କରି ଅଶ୍ରୁଳ ନେତ୍ରରେ ସୁମନ୍ତ୍ର ଦଶରଥଙ୍କ ପାଖରେ ପହଞ୍ଚିଲେ।


ସେ ସମୟରେ ଦଶରଥ ମୁମୂର୍ଷୁ ଅବସ୍ଥାରେ କୌଶଲ୍ୟାଙ୍କ ପ୍ରକୋଷ୍ଠରେ ଶଯ୍ୟାଶାୟୀ ହୋଇଥିଲେ।ଖରନିଃଶ୍ବାସ ନିର୍ଗତ ହେଉଥିଲା ଛାତି ଭିତରୁ;ମୁହଁରୁ ନିରନ୍ତର ରାମ ରାମ ଶବ୍ଦ ବାହାରୁଥିଲା।


ସୁମନ୍ତ୍ରଙ୍କ ଆଗମନ ଜାଣିପାରି ଶେଯରୁ ଉଠି ତାଙ୍କୁ ଅଣ୍ଡାଳି ଧରି ବିକଳରେ ଦଶରଥ ପଚାରିଲେ..ମୋ ରାମ ଲକ୍ଷ୍ମଣ କାହାନ୍ତି ସୁମନ୍ତ୍ର ?ମୋ ରାଜଲକ୍ଷ୍ମୀ ଅଯୋଧ୍ୟାର କୁଳବଧୂ ସୀତା କାହିଁ ? କେଉଁଠାରେ ସେମାନଙ୍କୁ ଛାଡି ଆସିଲ ? ସେମାନଙ୍କୁ ନଦେଖି ମୁଁ କିପରି ବଞ୍ଚିବି ସୁମନ୍ତ୍ର ?କୁହ,ମୋର ବନ୍ଧୁ ସୁମନ୍ତ୍ର ! କେଉଁଠି ମୋ ରାମକୁ ପାଇବି ? ତାକୁ ଦେଖି ମୋ ନୟନ ଓ ଆତ୍ମାକୁ ପବିତ୍ର କରିବି।ମୋତେ ଶୀଘ୍ର ସେମାନଙ୍କ ପାଖକୁ ନେଇଯାଅ ସୁମନ୍ତ୍ର,ରାମଙ୍କୁ ନଦେଖି ମୁଁ ବଞ୍ଚି ପାରିବି ନାହିଁ ।


ରାଜାଙ୍କ ବାଚାଳତା ଦେଖି ଧୈର୍ଯ୍ୟ ଦେବାପାଇଁ ସୁମନ୍ତ୍ର କହିଲେ.. ଅଯୋଧ୍ୟାର ରାଜଦଣ୍ଡଧାରୀ, ବିବେକ ବିଚାର ପୂର୍ଣ୍ଣ ହେ ରାଜନ୍ ! ମୁଁ ଛାର ଆପଣଙ୍କୁ କ'ଣ ବା ବୁଝାଇବି ?ବିପଦ ସମୟରେ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରିବା ଜଣେ ଉତ୍ତମ ଶାସକର ଲକ୍ଷଣ। ଅଯୋଧ୍ୟାର ସମସ୍ତ ପ୍ରଜା ଆପଣଙ୍କ ସନ୍ତାନ ସଦୃଶ। ସେମାନେ ସମସ୍ତେ ରାମଙ୍କ ପାଇଁ ଦୁଃଖୀ।ଆପଣ ନିଜେ ଅଧୈର୍ଯ୍ୟ ହେଲେ ସେମାନଙ୍କୁ କିଏ ଧୈର୍ଯ୍ୟ ଦେବ ? ଆପଣ ନିଜକୁ ସମ୍ଭାଳନ୍ତୁ । ଚାହୁଁ ଚାହୁଁ ଚଉଦ ବର୍ଷ ଚଉଦ ମୁହୂର୍ତ୍ତ ଭଳି ବିତିଯିବ। ରାମଚନ୍ଦ୍ର ଫେରି ଆସିବେ।ଇତି ମଧ୍ୟରେ ଭରତଙ୍କୁ ସିଂହାସନରେ ବସାଇ ଆପଣ ରାଜକାର୍ଯ୍ୟରୁ ଅବ୍ୟାହତି ନେଇ ବିଶ୍ରାମ କରନ୍ତୁ। ମାତା କୌଶଲ୍ୟା ଓ ସୁମିତ୍ରାଙ୍କୁ ଧୈର୍ଯ୍ୟ ଓ ଆଶ୍ଵାସନା ଦିଅନ୍ତୁ। ଏହି ବାର୍ତ୍ତା ପ୍ରଭୁ ରାମଚନ୍ଦ୍ର ମୋ ମାଧ୍ୟମରେ ଆପଣଙ୍କ ପାଖକୁ ପଠାଇଛନ୍ତି।ଆଉ ମଧ୍ୟ ରାମଚନ୍ଦ୍ର କହିଛନ୍ତି ଯେ ସେ ଅରଣ୍ୟ ପ୍ରଦେଶରେ , ପ୍ରକୃତି କୋଳରେ ସୀତା ଓ ଲକ୍ଷ୍ମଣଙ୍କ ସହିତ ସେ ମହା ଆନନ୍ଦରେ ଅଛନ୍ତି। ସେମାନଙ୍କ ନିରାପତ୍ତା ପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ।


ସୁମନ୍ତ୍ରଙ୍କ ଆଶ୍ଵାସନା ଦଶରଥଙ୍କ ଦୁଃଖ ପ୍ରଶମିତ କରିବା ପରିବର୍ତ୍ତେ ବଢ଼ାଇବାରେ ଲାଗିଲା। ପଚାରିଲେ..କୁହ ସୁମନ୍ତ୍ର ! ଲବଣୀକୋମଳଶରୀର ମୋର ପିଲାମାନେ କିପରି କେଉଁ ଠାରେ ରହୁଛନ୍ତି,କଣ ଖାଉଛନ୍ତି, କେଉଁଠାରେ ଶୋଇଛନ୍ତି ? ମୋତେ ଟିକିନିଖି ସମାଚାର ଦିଅ।


ସୁମନ୍ତ୍ର ,ରାମ ଅଯୋଧ୍ୟା ଛାଡ଼ିବା ଠାରୁ ଗଙ୍ଗାନଦୀ ପାର ହେବା ପର୍ଯ୍ୟନ୍ତ ସମସ୍ତ ଘଟଣା ଦଶରଥଙ୍କ ଆଗରେ ବର୍ଣ୍ଣନା କଲେ। ରାମଚନ୍ଦ୍ର ବଟ କ୍ଷୀରରେ ଜଟା ବାନ୍ଧିବା ସମ୍ବାଦ ଶୁଣି ମୂର୍ଚ୍ଛା ହରାଇ ପଡିଗଲେ ଦଶରଥ। ରାଣୀ ମାନଙ୍କର କ୍ରନ୍ଦନରୋଳ ରାଜପ୍ରାସାଦରେ କାରୁଣ୍ୟ ଭରିଦେଲା।ସେ ସ୍ଥାନ ଛାଡି ରାଜବୈଦ୍ୟଙ୍କ ପାଖକୁ ଧାଇଁଲେ ସୁମନ୍ତ୍ର।


ପାଖରେ ବସିଥାନ୍ତି କୌଶଲ୍ୟା ଓ ସୁମିତ୍ରା।ଦଶରଥଙ୍କ ନିର୍ଦ୍ଦେଶ ଥାଏ କୈକେୟୀଙ୍କ ଛାୟା ଯେପରି ତାଙ୍କ ଉପରେ ନପଡେ। କହୁଥାନ୍ତି..ତୁମେ ମୋତେ ଛାଡ଼ି କେଉଁଆଡେ ଯାଅନାହିଁ କୌଶଲ୍ୟା।ସେ ରାକ୍ଷସୀ ମୋ ବଂଶ ଧ୍ବଂସ କରିବାପାଇଁ ମାୟାବିନୀ ରୂପ ନେଇ ମୋତେ ବିବାହ କରିଥିଲା।ତୁମପ୍ରତି ମୁଁ ଘୋର ଅନ୍ୟାୟ କରିଛି କୌଶଲ୍ୟା।ତୁମ ପ୍ରାଣସମ ରାମଚନ୍ଦ୍ରକୁ ତୁମ କୋଳରୁ ଛଡ଼ାଇ ନେଇ ଘୋର ଅରଣ୍ୟକୁ ପଠାଇ ଦେଇଛି।ମୋ ଭଳି ସନ୍ତାନ ଭକ୍ଷକ ଆଉ କିଏ ଅଛି କୌଶଲ୍ୟା ! କାହିଁ ମୋ ସୁମିତ୍ରା ? ଆଃ କଣ ନକଲି ମୁଁ,ଅଜ୍ଞାତରେ ତୁମ ହୃଦୟର ଅଂଶକୁ ମଧ୍ୟ ଘୋର ଅରଣ୍ୟକୁ ପଠାଇ ଦେଲି ?କୁଆଡେ ଗଲା ମୋ ରାଜଲକ୍ଷ୍ମୀ ସୀତା ? ଜନକ ଯେବେ ପଚାରିବେ ସୀତା କାହିଁ,କଣ ମୁଁ ତାଙ୍କୁ ଉତ୍ତର ଦେବି ? କିପରି ମୁଁ କହିବି ତାଙ୍କର ସ୍ନେହର ପିତୁଳା ଅଲିଅଳି କନ୍ୟାକୁ ମୁଁ ଅରଣ୍ୟକୁ ପଠାଇ ଦେଇଛି !ହେ ବିଧାତା !ମୋ ଭଳି କୁଳାଙ୍ଗାରକୁ ରଘୁବଂଶ ରେ କାହିଁକି ଜନ୍ମଦେଲୁ ? ବଂଶ ଧ୍ବଂସକାରୀ ଦଶରଥକୁ ନର୍କରେ ମଧ୍ୟ ସ୍ଥାନ ମିଳିବ ନାହିଁ ।


ମୁଁ ଆଉ ବଞ୍ଚିବି ନାହିଁ ସୁମିତ୍ରା। ମନେହୁଏ ଶ୍ରବଣ କୁମାରଙ୍କ ମାତାପିତାଙ୍କ ଅଭିଶାପ ମୋ ଉପରେ ଫଳିବା ପାଇଁ ଯାଉଛି।ଅତୀତରେ ମୋ ତୀରରେ, ଅଜ୍ଞାତରେ ମୁନିକୁମାର ଶ୍ରବଣଙ୍କର ବଧ ହୋଇଥିଲା।ସେ ନଦୀଘାଟରୁ ଜଳ ସଂଗ୍ରହ କରିବା ସମୟରେ ହସ୍ତୀ ଜଳପାନ କରୁଛି ଭାବି ମୁଁ ଶବ୍ଦଭେଦୀ ବାଣ ପ୍ରହାର କରିଥିଲି।ନିରୀହ ବାଳକର ରକ୍ତାକ୍ତ ଶରୀର ପଡ଼ିଥିଲା ଜଳଘାଟରେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଋଷି କୁମାର କହିଥିଲେ କିପରି ତାଙ୍କ ଅନ୍ଧ, ତୃଷିତ ମାତାପିତା ଜଳଟୋପାଏ ପାଇଁ ଅପେକ୍ଷା କରିଛନ୍ତି।ବାଳକର ରକ୍ତାକ୍ତ ଶରୀର ତୋଳିଧରି ଅନ୍ଧ ମାତାପିତାଙ୍କ ପାଖରେ ପହଞ୍ଚି ଦୁଃଖଦ ଘଟଣାର ବର୍ଣ୍ଣନା କଲି।ସେତେବେଳକୁ ଶ୍ରବଣ କୁମାରର ଜୀବନ ଦୀପ ଲିଭି ଯାଇଥିଲା। ଆଃ ! କି କରୁଣ ବିଳାପ କରୁଥିଲେ ଦୁଃଖିନୀ ଜନନୀ ଜନକ।ହୃଦୟ ବିଦାରକ ସେ ଦୃଶ୍ୟ ଆଜି ଆଖି ଆଗରେ ଭାସିଯାଉଛି କୌଶଲ୍ୟା ! 


ସେଦିନ ଅଭିଶାପ ଦେଇଥିଲେ ଋଷିଦମ୍ପତ୍ତି...ହେ ହୃଦୟହୀନ ରାଜା ! ଆମ ଭଳି ତୁମେ ମଧ୍ୟ ଦିନେ ପୁତ୍ର ଶୋକରେ ବିଦଗ୍ଧ ହୋଇ ପ୍ରାଣ ହରାଇବ। ଆଜି ସେ ସମୟ ଆସିଯାଇଛି କୌଶଲ୍ୟା। ଆଜି ମୋ ପାଖରେ ଚାରି ପୁଅଙ୍କ ମଧ୍ୟରୁ ଜଣେ ମଧ୍ୟ ନାହିଁ।ଏଇ ଦେଖ କୌଶଲ୍ୟା ! କିପରି ଲେଲିହାନ ଅଗ୍ନି ହୋଇ ମୋ ଉପରକୁ ମାଡ଼ି ଆସୁଛି ଋଷି-ଅଭିଶାପ।ଦେଖ କୌଶଲ୍ୟା ! କିପରି କୁତ୍ସିତ କଦାକାର ରାକ୍ଷସୀ ରୂପରେ କୈକେୟୀ ମୋତେ ହତ୍ୟା କରିବାପାଇଁ ମାଡ଼ି ଆସୁଛି ! ବାଘୁଣୀ ମୋ ଛାତି ଚିରି ରକ୍ତ ପିଇଯିବ, ମୋତେ ରକ୍ଷାକର କୌଶଲ୍ୟା,ରକ୍ଷାକର ସୁମିତ୍ରା! ଏଇ ଦେଖ ଯମଦୂତମାନେ କିପରି ଅଟ୍ଟହାସ କରି ମୋ ଚାରିପାଖରେ ବେଢ଼ି ରହିଛନ୍ତି।


ମୋର ଶେଷ ସମୟ ଆସିଗଲା କୌଶଲ୍ୟା। ଟିକିଏ ମୋ ରାମକୁ ମୋ ପାଖକୁ ଆଣ।ତା ହାତର ଶୀତଳ ସ୍ପର୍ଶ ମୋ ଛାତି,ମୋ କପାଳ ଚାହୁଁଛି କୌଶଲ୍ୟା।ରାମ ମୋ ଉପରେ ରାଗିଛି ନାଁ ? ସେ ମୋ କଥା ଶୁଣିବନି,ତୁମ କଥା ଶୁଣିବ, ଟିକିଏ ତାକୁ ମୋ ପାଖକୁ ଡାକ କୌଶଲ୍ୟା।"


ରାଜାଙ୍କର ଏଭଳି ଗୁରୁତର ଅବସ୍ଥା କଥା ଜାଣି ସୁମନ୍ତ୍ରଙ୍କ ସହିତ କୁଳଗୁରୁ ବଶିଷ୍ଠ ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶ୍ୱାସନା ଦେଇ କହିଲେ..ହେ ରାଜନ୍ ! ଧୈର୍ଯ୍ୟ ଧରନ୍ତୁ। ରାମଚନ୍ଦ୍ରଙ୍କ ପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ।ସେ ସାଧାରଣ ମନୁଷ୍ୟ ନୁହଁନ୍ତି, ସ୍ବୟଂ ପରମବ୍ରହ୍ମ।ଦୁଷ୍କୃତ ବିନାଶ ପାଇଁ ଧରାଧାମରେ ତାଙ୍କର ଅବତରଣ।ତାଙ୍କ ପିତା ଭାବରେ ଆପଣ ଭାଗ୍ୟବାନ। କିନ୍ତୁ ଅଦୃଷ୍ଟକୁ କିଏ ଅନ୍ୟଥା କରିପାରିବ ? ଋଷି ଶାପ୍ୟ ଫଳିବା ସମୟ ଉପସ୍ଥିତ।ଶେଷ ସମୟରେ ସେହି ପରମବ୍ରହ୍ମ ଶ୍ରୀରାମଙ୍କ ନାମ ଉଚ୍ଚାରଣ କରନ୍ତୁ।ସେଇ ହିଁ ସମସ୍ତ ଗତି ମୁକ୍ତିର କାରଣ।


ବଶିଷ୍ଠଙ୍କ ପ୍ରସ୍ଥାନ ପରେ ଦଶରଥ କେବଳ ରାମ ନାମ ହିଁ ଜପ କରିବାରେ ଲାଗିଲେ।କ୍ରମେ ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ହେବାକୁ ଲାଗିଲା। ନାସିକା ବକ୍ର ଦେଖାଗଲା। କାହାକୁ ଚିହ୍ନି ପାରିଲେ ନାହିଁ ଦଶରଥ।ବିକଳରେ ଚିତ୍କାର କଲେ..ମୋ ପାଖରୁ ଦୂରକୁ ଯାଅନାହିଁ କୌଶଲ୍ୟା, ସୁମିତ୍ରା।ଋଷିଶାପ୍ୟ ଭୟଙ୍କର ରାକ୍ଷସୀ ରୂପରେ ମାଡି ଆସୁଛି।ମୋତେ ଶେଷ କରିଦେବ,ହେ ରାମ,ହେ ରାମ୍।

ପୁଣି ଥରେ ଚୈତନ୍ୟ ହରାଇଲେ ଦଶରଥ।ଏଥର କିନ୍ତୁ ଚେତନା ଫେରିଲା ନାହିଁ।ହିମଶୀତଳ ଶରୀରରେ ହାତମାରି କୌଶଲ୍ୟା ଜାଣିପାରିଲେ ସ୍ବାମୀଙ୍କର ପ୍ରାଣପକ୍ଷୀ ଶରୀର ବୃକ୍ଷ ଛାଡି ଉଡିଯାଇଛି।


କ୍ରମଶଃ.


Rate this content
Log in

Similar oriya story from Classics