ସରଯୂ ନଦୀର ତୀରେ (୪୧)
ସରଯୂ ନଦୀର ତୀରେ (୪୧)
ଶ୍ରୀରାମଚନ୍ଦ୍ରଙ୍କ ଅନୁରୋଧକୁ ଆଦେଶ ମନେକରି ସୁମନ୍ତ୍ର ଅଯୋଧ୍ୟା ଅଭିମୁଖେ ରଥ ଲେଉଟାଇଲେ।ଶୂନ୍ୟ ରଥରେ ଯୋଚା ଯାଇଥିବା ଅଶ୍ବ ଦ୍ବୟ ଆଗକୁ ବଢ଼ିବାକୁ ନାରାଜ;ପ୍ରଭୁ ରାମଚନ୍ଦ୍ର,ଲକ୍ଷ୍ମଣ ଓ ସୀତାଙ୍କୁ ଛାଡି ସେମାନେ ରଥକୁ ଅଯୋଧ୍ୟା ଦିଗକୁ ଟାଣନ୍ତେ ବା କିପରି ! ବାକ୍'ହୀନ ପଶୁମାନଙ୍କ ମନକଥା ଜାଣିପାରିଲେ ସୁମନ୍ତ୍ର।ରଥରୁ ଅବତରଣ କରି ସେମାନଙ୍କୁ ଆଉଁସି ଦେଇ କହିଲେ..ଆଉ ଅପେକ୍ଷା କରି ଲାଭ ନାହିଁ,ପ୍ରଭୁ ଆମକୁ ପରିତ୍ୟାଗ କରିଛନ୍ତି।ଚାଲ, ଅଯୋଧ୍ୟା ଫେରି ଚାଲ।ଅଶ୍ଵ ଦ୍ବୟଙ୍କ ଆଖିରୁ ଝରିପଡିଲା ଲୁହ। ପଛକୁ ନଚାହିଁ ଶୂନ୍ୟ ରଥ ଆରୋହଣ କରି କ୍ଷୀପ୍ର ବେଗରେ ଅଯୋଧ୍ୟା ଦିଗରେ ଚାଲିଗଲେ ସୁମନ୍ତ୍ର। ଦୃଷ୍ଟି ପଥରୁ ଅତିକ୍ରାନ୍ତ ହେବା ପର୍ଯ୍ୟନ୍ତ ଅପଲକ ଦୃଷ୍ଟିରେ ସୁମନ୍ତ୍ରଙ୍କ ରଥକୁ ଚାହିଁ ରହିଥିଲେ ରାମଚନ୍ଦ୍ର।
ନିର୍ବାକ, ନିସ୍ପନ୍ଦ ହୋଇ ଠିଆ ହୋଇଥିଲେ ନିଷାଦରାଜ ଗୁହକ।ତାଙ୍କୁ ଚାହିଁ ରାମଚନ୍ଦ୍ର କହିଲେ..ମୋ ପାଇଁ ଆଉ ଗୋଟିଏ ଉପକାର କରିଦିଅ ବନ୍ଧୁ;ଗଙ୍ଗାନଦୀ ପାର ହେବାପାଇଁ ଗୋଟିଏ ନୌକାର ବ୍ୟବସ୍ଥା କରିଦିଅ।
ଗୁହକ କହିଲେ.. ଏହି ସାମାନ୍ୟ କଥା ପାଇଁ ଚିନ୍ତା କାହିଁକି ପ୍ରଭୁ ! ଦୁଃଖପୂର୍ଣ୍ଣ ସଂସାର ସାଗରରେ ନାଉରୀ ହୋଇ ଆପଣ ସମସ୍ତଙ୍କୁ ପାର କରାଉଛନ୍ତି; ମୁଁ ଆପଣଙ୍କୁ ମୋ ତରୀରେ ଗଙ୍ଗା ନଦୀ ପାର କରାଇ ପାରିବି ନାହିଁ ? "
ସଙ୍ଗେ ସଙ୍ଗେ ତରୀର ବ୍ୟବସ୍ଥା କରି,ତା ଉପରେ ତିନିଜଣଙ୍କ ପାଇଁ ପଦ୍ମପତ୍ରର ଆସନ ବିଛାଇ ସେମାନଙ୍କୁ ନୌକାକୁ ପାଛୋଟି ନେଲେ ଗୁହକ। ନୌକାରେ ଆରୋହଣ କରିବା ପୂର୍ବରୁ ଶ୍ରୀରାମଙ୍କ ପାଦ ଧୋଇ ନିଜ ଉତ୍ତରୀୟରେ ପୋଛିବା ଆରମ୍ଭ କଲେ ନିଷାଦରାଜ।ବାଧା ଦେଇ ଶ୍ରୀରାମ କହିଲେ..ଏ କଣ କରୁଛ ବନ୍ଧୁ ! କହିଛି ପରା ତୁମର ସ୍ଥାନ ମୋ ହୃଦୟରେ।ମୋର ପାଦ ଧୋଇ ମୋତେ ଲଜ୍ଜିତ କରନାହିଁ।"
ହସିଦେଲେ ଗୁହକ;ଆଖିରୁ ବହି ଯାଉଥାଏ ଅବାରିତ ଅଶ୍ରୁ, ଅନାବିଳ ବନ୍ଧୁପ୍ରେମର ଅଶ୍ରୁ, କହିଲେ..ଆପଣଙ୍କ ପାଦଧୂଳି ପଡ଼ି ପାଷାଣ ମଧ୍ୟ ନାରୀରେ ପରିଣତ ହୋଇଯାଏ ରାଜୀବ ଲୋଚନ ! ଏ ସାମାନ୍ୟ ନୌକାଟି ଯେବେ ନାରୀ ହୋଇଯାଏ,ମୋଭଳି କୈବର୍ତ୍ତର ଭେଳା ବୁଡିବ ହିଁ ବୁଡିବ,ଆପଣଙ୍କ ନଦୀ ପାର ହେବା ମଧ୍ୟ ସମ୍ଭବ ହେବନାହିଁ। ତେଣୁ ମୋତେ ମୋ କର୍ତ୍ତବ୍ୟ କରିବାରେ ବାଧା ଦିଅନ୍ତୁ ନାହିଁ।"
ବନ୍ଧୁଙ୍କର ଅନାବିଳ ସ୍ନେହ ଆଗରେ ଦାଶରଥିଙ୍କ ହୃଦୟ ବିଗଳିତ ହୋଇଗଲା। ଗୁହକଙ୍କ ବାହାନା ଆଗରେ ତାଙ୍କୁ ହାର ମାନିବାକୁ ପଡିଲା।ପ୍ରଭୁଙ୍କର ପାଦ ଧୋଇଦେଇ,ଉତ୍ତରୀୟରେ ପୋଛି ପଦ୍ମପତ୍ରରେ ପ୍ରସ୍ତୁତ ଆସନରେ ରାମଙ୍କୁ ବସାଇଲେ ଗୁହକ ଏବଂ ନିଜେ ଜାହ୍ନବୀ ଜଳରେ ନୌକା ଚଳାଉ ଚଳାଉ ନଦୀର ମଧ୍ୟସ୍ଥଳରେ ପହଞ୍ଚିଲେ। ନୌକାରେ ରହି ଜାହ୍ନବୀ ଜଳକୁ ସ୍ପର୍ଶ କରି ମଥାରେ ଲଗାଇ ସୀତା ଯୋଡ ହସ୍ତରେ କହିଲେ..ମୋ ସ୍ବାମୀ ଓ ଦେବରଙ୍କ ଉପରେ ଦୟା ରଖିଥାଅ ମା ଜାହ୍ନବୀ ! ନିର୍ଵିଘ୍ନରେ ଚଉଦଵର୍ଷ ଅତିବାହିତ କରି ଆମେମାନେ ଫେରି ଆସୁ, ଏହି କୃପା ରଖିଥାଅ ଜନନୀ !
ଗଙ୍ଗାନଦୀ ପାର ହୋଇ ଅପର ପାର୍ଶ୍ୱରେ ନୌକା ଲାଗିଲା।ଗୁହକ ଆଉ ଥରେ ରାମଚନ୍ଦ୍ରଙ୍କ ଆଗରେ କରଯୋଡି କହିଲେ...ଏ ଭୃତ୍ୟକୁ ସାଙ୍ଗରେ ନେଇଯାଆନ୍ତୁ ଦାଶରଥି।ଚଉଦ ବର୍ଷ ଆପଣଙ୍କ ସହିତ ବନରେ ବୁଲି ବୁଲି ଆପଣଙ୍କ ସେବା କରିବି। ମୁଁ ବନବାସୀ ଜନଜାତିର ମଣିଷ।ମୋ ପାଇଁ ବଣରେ ଜୀବନ କାଟିବା ସହଜ।ଆପଣଙ୍କ କଷ୍ଟ ଲାଘବ କରିବାରେ ସାହାଯ୍ୟ କରିବି। ଦୟାକରି ଆପଣଙ୍କ ସହିତ ଯିବାପାଇଁ ଅନୁମତି ଦିଅନ୍ତୁ।
ରାମଚନ୍ଦ୍ର କହିଲେ..ମୋର ପ୍ରାଣସମ ପରମମିତ୍ର ଗୁହକ ! ଆପଣଙ୍କର ମୋପ୍ରତି ସ୍ନେହ ଅତୁଳନୀୟ; କିନ୍ତୁ ନିଜର ପିତୃସତ୍ୟ ପାଳନ ପାଇଁ ଅନ୍ୟ କାହାକୁ ମୁଁ କଷ୍ଟ ଦେଇ ପାରିବି ନାହିଁ।ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପ୍ରଜା ଏବଂ ପରିବାରବର୍ଗ କଷ୍ଟ ଭୋଗ କରିବେ,ତାହା ମୋ ପାଇଁ ଗ୍ରହଣୀୟ ନୁହେଁ। ମୋତେ ମୋର କର୍ତ୍ତବ୍ୟ ପାଳନ କରିବାରେ ସାହାଯ୍ୟ କରନ୍ତୁ।ଦୟାକରି ଏଠାରୁ ନିଜ ରାଜ୍ୟକୁ ଫେରି ଯାଆନ୍ତୁ।ଚଉଦ ବର୍ଷ ବନବାସ ବିତାଇବା ପରେ ମୁଁ ଅଯ
ୋଧ୍ୟା ଫେରିବା ପୂର୍ବରୁ ଆପଣଙ୍କର ଏହି ଭବ୍ୟ ରାଜ୍ୟ "ଶୃଙ୍ଗବେରପୁରୀ"ରେ ଆପଣଙ୍କ ଆତିଥ୍ୟ ଗ୍ରହଣ କରି ଫେରିବି।"
ରାମଚନ୍ଦ୍ରଙ୍କ ପାଦଧୂଳି ମସ୍ତକରେ ଲଗାଇ ବିଦାୟ ନେଲେ ଶୃଙ୍ଗବେରପୁରୀ ଅଧିଶ୍ବର ନିଷାଦରାଜ ଗୁହକ। ବନ୍ଧୁଙ୍କୁ ବିଦାୟ ଦେବା ପୂର୍ବରୁ ଗଭୀର ଆଶ୍ଳେଷରେ ହୃଦୟରେ ଭିଡ଼ି ଧରିଲେ ରାମଚନ୍ଦ୍ର। କାନ୍ଦି କାନ୍ଦି ନୌକା ଚଳାଇ ଫେରିଗଲେ ଗୁହକ।
ଗୁହକଙ୍କ ପ୍ରସ୍ଥାନ ପରେ ପ୍ରଥମ ଥର ପାଇଁ ରାମଚନ୍ଦ୍ର ନିଜକୁ ଏକାକୀ ପାଇଲେ ଅରଣ୍ୟ ଭିତରେ।ଲକ୍ଷ୍ମଣଙ୍କୁ ଚାହିଁ କହିଲେ..ପ୍ରିୟ ଅନୁଜ ! ବର୍ତ୍ତମାନଠାରୁ ଆମକୁ ବହୁତ ସନ୍ତର୍ପଣରେ ଆଗେଇବାକୁ ପଡିଵ; ଏଠାରେ ଆମକୁ ସାହାଯ୍ୟ କରିବା ପାଇଁ ନିଜର ବୋଲି କେହି ନାହାନ୍ତି;ଅଥଚ ଭୟଙ୍କର ଅରଣ୍ୟ ଓ ବଣ୍ୟଯନ୍ତୁଙ୍କ ଦ୍ବାରା ପରିପୂର୍ଣ୍ଣ ଏହି ବନ ପ୍ରଦେଶ।ଜନକ ନନ୍ଦିନୀ ସୀତାଙ୍କ ସୁରକ୍ଷା ତୁମ ଉପରେ। ତୁମେ ଆଗେ ଆଗେ ନିରାପତ୍ତା ନିଶ୍ଚିତ କରି ପଥ କଢାଇ ଚାଲ,ପଛରେ ରହି ମୁଁ ସୀତାଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ରଖୁଛି।"
ହାତରେ ଧନୁଶର ଧରି, କଣ୍ଟା ଗୁଳ୍ମ ପରିସ୍କାର କରି ସୁମିତ୍ରା-ନନ୍ଦନ ପଥ କଢାଇ ଆଗେଇ ଯାଉଥିଲେ,ପଛରେ ତାଙ୍କର ଚାଲୁଥିଲେ କୋମଳାଙ୍ଗୀ ଜନକ ନନ୍ଦିନୀ। ମନକୁ ତାଙ୍କର ପ୍ରଫୁଲ୍ଲିତ ରଖିବାପାଇଁ ଅରଣ୍ୟର ଶୋଭାରାଜିର ପ୍ରଶଂସାରେ ଶତମୁଖ ହେଉଥିଲେ ରାଜୀବ ଲୋଚନ। ଏଭଳି କିଛି ପଥ ଅତିକ୍ରମ କରିବା ପରେ ପଥଶ୍ରାନ୍ତି ବାଧିଲା ସୀତାଙ୍କୁ। ବାରମ୍ବାର ପଚାରୁଥିଲେ...ବାବୁ ଲକ୍ଷ୍ମଣ ! ଆଉ କେତେବାଟ ଏପରି ଚାଲିବାକୁ ପଡିବ ? କିଛି ସମୟ ବିଶ୍ରାମ ନେଲେ ଭଲ ହୁଅନ୍ତା ନାହିଁ ?"
ସୀତାଙ୍କ କପାଳରେ ବିନ୍ଦୁ ବିନ୍ଦୁ ଘର୍ମ। ସୀତାଙ୍କ ଅଞ୍ଚଳ କୋଣରେ ସେ ସ୍ବେଦ ପୋଛି ଦେଉଦେଉ ଧୀରେ କାନ ପାଖରେ ପଚାରିଲେ ଦାସରଥୀ..ସତରେ ପାଦକୁ କଷ୍ଟ ହେଲାଣି ଜାନକୀ ? କିଛି ସମୟ ଅଟକି ଯିବା ?"
ସୀତାଙ୍କ କଷ୍ଟ ଲକ୍ଷ୍ମଣଙ୍କୁ ଅସହ୍ୟ ଲାଗିଲାଣି; କହିଲେ...ଅଗ୍ରଜ! ଆଜି ଆଉ ଆଗକୁ ଯାଇ ପାରିବା ନାହିଁ।ମାତାଙ୍କର ବିଶ୍ରାମ ଆବଶ୍ୟକ।
ରାମଚନ୍ଦ୍ର କହିଲେ... ଠିକ୍ କଥା ଲକ୍ଷ୍ମଣ ! ଏହି ବଟବୃକ୍ଷ ମୂଳରେ ଆଜି ବିଶ୍ରାମ ନେବା।କାଲି ସକାଳୁ ସକାଳୁ ଶୀଘ୍ର ବାହାରି ଗଲେ ସନ୍ଧ୍ୟା ସମୟକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଞ୍ଚି,ତାଙ୍କ ପାଦପୂଜା କରି,ଦିଗ୍'ଦର୍ଶନ ନେଇ ଆଗକୁ ଅଗ୍ରସର ହେବା।ଯାଅ ନିକଟରୁ କିଛି ଫଳମୂଳ ଓ ଜଳ ସଂଗ୍ରହ କରି ଆଣ।"
ଲକ୍ଷ୍ମଣ ଚାଲିଯିବା ପରେ ବଟବୃକ୍ଷର ସୁଶୀତଳ ଛାୟାରେ ବିଶ୍ରାମ ନେଉ ନେଉ ସୀତାଙ୍କର ଆଖି ଲାଗି ଆସିଲା।କୋମଳ ପତ୍ରର ଶେଯଟିଏ ପ୍ରସ୍ତୁତ କରି ତା ଉପରେ ଅପୂର୍ବ ଶାନ୍ତିରେ ବିଶ୍ରାମ ନେଲେ ଶ୍ରୀରାମ ଓ ଜାନକୀ। କିଛି ସମୟ ପରେ ନିମିଳିତ ଆଖିରେ ରାମଚନ୍ଦ୍ରଙ୍କୁ ଚାହିଁ ସୀତା କହିଲେ.. ଆଃ ! ପ୍ରଭୁ କି ତୃପ୍ତି ! ରାଜପ୍ରାସାଦର ତୁଳିତଳ୍ପଠାରୁ ମଧ୍ୟ ଆହୁରି ଆନନ୍ଦଦାୟିନୀ ଏ ପଲ୍ଲବ-ଶଯ୍ୟା ! ଆପଣଙ୍କୁ ନିକଟରେ ପାଇବାର ତୃପ୍ତି ଆହୁରି ନିଆରା। ଅଯୋଧ୍ୟା ରାଜପ୍ରସାଦରେ କାର୍ଯ୍ୟବ୍ୟସ୍ତ ଥିବା ଯୋଗୁଁ ଆପଣଙ୍କ ସହିତ କ୍ଵଚିତ ଦେଖାମିଳେ, ଏଠାରେ ଆପଣ ସମ୍ପୂର୍ଣ୍ଣ ମୋର। କିନ୍ତୁ କାନନ ଭ୍ରମଣ ସମୟରେ ଆପଣ ମୋତେ ପାଦର ଶୃଙ୍ଖଳ ଭଳି ମନେ କରୁନାହାଁନ୍ତି ତ ପ୍ରଭୁ !"
ଟିକିଏ ହସି ଦେଇ ରାମଚନ୍ଦ୍ର କହିଲେ...ସୀତେ ! ତୁମେ ମୋ ପ୍ରଣୟର ପ୍ରତିମା ! ମୋର ସ୍ବର୍ଗସୁଖର ଗରିମା ତୁମେ ଜାନକୀ ! ତୁମ ସ୍ନେହ ଓ ପ୍ରେମରେ ଯୁଗେ ଯୁଗେ ବନ୍ଧା ଏହି ରାମଚନ୍ଦ୍ର। ଲୋକେ କହନ୍ତି... ମୁଁ ବିଷ୍ଣୁ,ତୁମେ ଲକ୍ଷ୍ମୀ;ସେ କଥା ମୁଁ ଜାଣେନା। ଏତିକି ମାତ୍ର ଜାଣେ ମୁଁ ରାମ,ତୁମେ ମୋ ଜୀବନ-ସରସୀର ପ୍ରଷ୍ଫୁଟିତା ପ୍ରୀତିପଦ୍ମା ସୀତା। ମୋ ଜୀବନର ତୁମେ ହିଁ ସାରାଂଶ।ତୁମ ବିନା ରାମଚନ୍ଦ୍ରର ସ୍ଥିତି ଯେ ଅକଳ୍ପନୀୟ।
ଦିନାନ୍ତ ସୂର୍ଯ୍ୟର ଫଲ୍ଗୁ ସହିତ ସୀତାଙ୍କ ଲଜ୍ଜାବନତ ମୁଖର ଅରୁଣିମା ମିଶି ପ୍ରୀତିର ଅପୂର୍ବ ଚିତ୍ରକଳ୍ପ ସୃଷ୍ଟି ହେଉଥିଲା ରାମଚନ୍ଦ୍ରଙ୍କ ମନ ପରଦାରେ।
କ୍ରମଶଃ