Kulamani Sarangi

Classics

3.4  

Kulamani Sarangi

Classics

ସରଯୂ ନଦୀର ତୀରେ ୪

ସରଯୂ ନଦୀର ତୀରେ ୪

4 mins
214



ପରିବାର ବର୍ଗଙ୍କର ଏବଂ ବିଶେଷତଃ ପତ୍ନୀର ଧିକ୍କାର ଦସ୍ୟୁ ରତ୍ନାକର'ର ବିବେକକୁ ଦଂଶନ କଲା। ଫେରି ଆସିଲା ସେ ସେହି ସ୍ଥାନକୁ ଯେଉଁଠାରେ ତପସ୍ୱୀରୂପୀ ବ୍ରହ୍ମା ଓ ଦେବର୍ଷି ନାରଦଙ୍କୁ ସେ ବୃକ୍ଷ ଦେହରେ ବନ୍ଧନ କରିଥିଲା। ଲୌହଦଣ୍ଡ ଓ ଛୁରୀ ଫିଙ୍ଗିଦେଇ,ଦୁଇ ତପସ୍ୱୀଙ୍କୁ ବନ୍ଧନମୁକ୍ତ କରି ସେମାନଙ୍କ ପାଦତଳେ ପଡ଼ି ଉଚ୍ଚ ସ୍ବରରେ କାନ୍ଦିବାରେ ଲାଗିଲା ରତ୍ନାକର।

ଆଖିରୁ ବହିଯାଉଥାଏ ଅନୁତାପର ଅବିଶ୍ରାନ୍ତ ଅଶ୍ରୁ।କହୁଥାଏ ମୋ ଭଳି ପାପୀ ସଂସାରରେ କେହି ନଥିବେ ମୁନିବର। ଯେଉଁମାନଙ୍କ ପାଇଁ ନରହତ୍ୟା ଭଳି ଏ ଗର୍ହିତ ପାପ କଲି ସେମାନେ ସମସ୍ତେ ସ୍ୱାର୍ଥପର। କେହି ମୋର ନୁହଁନ୍ତି। ମୋ କର୍ମଫଳ ହିଁ କେବଳ ମୋର। ପ୍ରଚଣ୍ଡ ଅନୁତାପ ଅଗ୍ନିରେ ଜଳୁଛି ମୋ ମନ ଏବଂ ଆତ୍ମା। କେଉଁପରି ମୋର ପାପ ଦୂର ହେବ ମୋତେ ବତାଇ ଦିଅନ୍ତୁ।ଯେଉଁ ପଥ ଅନୁସରଣ କଲେ ମୋ ପାପ ଦୂର ହେବ ମୋତେ କହନ୍ତୁ ଭଗବନ୍। ସେହି ଦିବ୍ୟଜ୍ଞାନର ଗଙ୍ଗାଜଳ ମୋତେ ଦିଅନ୍ତୁ ଯାହା ମୋର ଏହି ଜନ୍ମର ଗର୍ହିତ ପାପ ଧୋଇଦେବ।"


ପାଦତଳେ ପଡ଼ିଥିବା କ୍ରନ୍ଦନରତ ରତ୍ନାକରକୁ ଉଠାଇ ଆଲିଙ୍ଗନ କଲେ ବ୍ରହ୍ମଦେବ। ରତ୍ନାକର'ର ଦେହରେ ଅପୂର୍ବ ଶିହରଣ ଖେଳିଗଲା।ଯୋଡ ହସ୍ତରେ ରତ୍ନାକର କହିଲା ଆପଣ ନିଶ୍ଚିତ ଭାବରେ କେହି ଜଣେ ମହାତ୍ମା।ମୋ ଜୀବନର ଅର୍ଜିତ ପାପ ବିନଷ୍ଟ କରିବା ପାଇଁ ଆପଣ ଯାହା କହିବେ ମୁଁ କରିବାକୁ ପ୍ରସ୍ତୁତ। ବ୍ରହ୍ମଦେବ କହିଲେ ନିକଟରେ ଥିବା ଏହି ଝରଣାରେ ସ୍ନାନ କରି ତୁମେ ଧ୍ୟାନରେ ବସିଯାଅ ରତ୍ନାକର।ତୁମ କର୍ଣ୍ଣରେ ମୁଁ ଯେଉଁ ମନ୍ତ୍ର ଦେବି,ଯେଉଁ ନାମ କହିବି ତୁମେ ତାହା ଅବିରତ ଜପ କଲେ ତୁମର ପାପ ଦୂରହେବ। ତପସ୍ବୀଙ୍କ କହିବା ଅନୁଯାୟୀ ରତ୍ନାକର ନିକଟସ୍ଥ ଝରଣାରେ ସ୍ନାନ କରି ଧ୍ୟାନମୁଦ୍ରାରେ ବସିଗଲା।ତପସ୍ୱୀ ରୂପୀ ବ୍ରହ୍ମଦେବ ତା କାନରେ 'ରାମ'ନାମ ମନ୍ତ୍ର କହି ତାହା ଅବିରତ ଜପ କରିବା ପାଇଁ କହିଲେ।


ମରାମରି, ହଣାକଟାକୁ ଜୀବିକା ଭାବରେ ଗ୍ରହଣ କରିଆସିଥିବା ଦସ୍ୟୁ ରତ୍ନାକର ପାଟିରେ ରାମ ନାମ ପଶୁଛି କୁଆଡୁ !ପାଟିରୁ ତା'ର ଖାଲି ମରା ମରା ଶବ୍ଦ ବାହାରିଲା। ବ୍ରହ୍ମା ଏକ କୌଶଳ କଲେ।ରାମ ରାମ ଜପ ନକରି ମରା ମରା ଅବିରତ ଜପ କରିବାପାଇଁ ସେ ରତ୍ନାକରକୁ କହିଲେ।ମରା ମରା ଶବ୍ଦ କହୁ କହୁ ସ୍ବତଃ ରାମ ରାମ ଶୁଣାଗଲା।ଗୁରୁ ଗମ୍ଭୀର ସ୍ବରରେ ସେହି ରାମ ନାମ ଅରଣ୍ୟ ପ୍ରଦେଶକୁ ଝଙ୍କୃତ କଲା।

 ପବିତ୍ର ବାତାବରଣ ଖେଳିଗଲା ବନ ପ୍ରଦେଶରେ। ହଠାତ୍ ବାସନ୍ତୀ ମଳୟ ବହିବାରେ ଲାଗିଲା।କୂଜନ ବନ୍ଦ କରି ବୃକ୍ଷ ଡାଳରେ ପକ୍ଷୀମାନେ ନୀରବରେ କାନଡ଼େରି ଶୁଣିବାକୁ ଲାଗିଲେ ପବିତ୍ର ରାମ ନାମ।ପାଟିରେ ତୃଣ ଥାଇ ସ୍ଥିର ଅପଲକ ନେତ୍ରରେ ମୃଗ ମୃଗୀ କାନଡ଼େରି ଶୁଣିଲେ ସେ ପବିତ୍ର ନାମର ମଧୁର ଝଙ୍କାର।କୁଳୁ କୁଳୁ ନାଦରେ ବହି ଯାଉଥିବା ଝରଣା ଅଟକି ଗଲା କ୍ଷଣିକ ପାଇଁ। ଶତ୍ରୁତା ଭୁଲିଯାଇ ବ୍ୟାଘ୍ର ସହିତ ମୃଗ,ବାଜପକ୍ଷୀ ସହିତ କପୋତ ଏକତ୍ର ରହି ରାମନାମର ମଧୁର ତରଙ୍ଗକୁ କାନଡ଼େରି ଶୁଣିବାକୁ ଲାଗିଲେ।


ରାମ ନାମ ଜପ କରୁଥିବା ରତ୍ନାକରକୁ ବ୍ରହ୍ମଦେବ କହିଲେ ବତ୍ସ ! ଆମେ ଏ ସ୍ଥାନକୁ ନଫେରିବା ପର୍ଯ୍ୟନ୍ତ ତୁମେ ରାମ ନାମ ଜପ କରୁଥାଅ।ଆମେ ଫେରିଲେ ପାପ ଖଣ୍ଡନର ଅନ୍ୟ ଉପାୟ ବତାଇ ଦେବୁ।

ତପସ୍ବୀଙ୍କ ପ୍ରସ୍ଥାନ ପରେ ଅବିରାମ ରାମ ନାମ ଜପ କଲା ରତ୍ନାକର।ଘରସଂସାର ,ଶୟନ ଭୋଜନ ସବୁ କିଛି ଭୁଲିଯାଇ ନିଜକୁ ରାମ ନାମ ଭିତରେ ହଜାଇ ଦେଲା ରତ୍ନାକର। କେତେବେଳେ ଦିନ ଆସେ କେତେବେଳେ ରାତି, ତାକୁ କିଛି ଜଣା ପଡ଼େ ନାହିଁ।ବହୁ ବର୍ଷ ଏହିପରି ବିତିଗଲା।କ୍ରମେ ରତ୍ନାକର ବସିଥିବା ଆସ୍ଥାନ ଉଇ ହୁଙ୍କାରେ ପରିଣତ ହେଲା।ତା ଦେହ ଚାରିପଟେ ବିରାଟ ଉଇହୁଙ୍କା ସୃଷ୍ଟି ହେଲା; ତା ଭିତରେ ରହିଗଲା ରତ୍ନାକର। ତଥାପି ରାମ ନାମର ଝଙ୍କାର ଉଇ ହୁଙ୍କା ଭିତରୁ ଭାସି ଆସୁଥାଏ।

ମର୍ତ୍ତ୍ୟ ଲୋକରେ ଏକ ବର୍ଷ ଦେବଲୋକରେ ଏକ ଦିନ ସହିତ ସମାନ। କିଛି ଦିନ ସ୍ବର୍ଗରେ ରହି ବ୍ରହ୍ମଦେବ ମର୍ତ୍ତ୍ୟଲୋକକୁ ଫେରିଲେ, ରତ୍ନାକରକୁ ଭେଟିବା ପାଇଁ।ରତ୍ନାକରକୁ ଯେଉଁଠାରେ ସେ ଧ୍ୟାନରେ ବସାଇ ଚାଲିଯାଇଥିଲେ ସେ ସ୍ଥାନରେ ଦେଖିଲେ ଉଭା ହୋଇଛି ଏକ ବିରାଟ ଉଇ ହୁଙ୍କା।ହୁଙ୍କାରେ ଦୁଇଟି କଣାରେ ଦେଖାଯାଉଛି ଦୁଇଟି ଜୁଳୁ ଜୁଳୁ ଆଖି।ହୁଙ୍କା ଭିତରୁ ଭାସି ଆସୁଛି ରାମ ନାମର ଅମୃତ ଲହରୀ।

ଆଶ୍ଚର୍ଯ୍ୟ ଚକିତ ବ୍ରହ୍ମଦେବ କମଣ୍ଡଳୁରୁ ମନ୍ତ୍ରଜଳ ବଲ୍ମୀକ ବା ହୁଙ୍କା ଉପରେ ସିଞ୍ଚିଲେ। ଉଭେଇ ଗଲା ବଲ୍ମୀକ;ସେ ସ୍ଥାନରେ ବସିଥିଲେ ଦିବ୍ୟ ଜ୍ୟୋତିସମ୍ପନ୍ନ ଶ୍ବେତଶ୍ମଶ୍ରୁଧାରୀ ଏକ ତପସ୍ବୀ।

ବ୍ରହ୍ମଦେବ ଧୀରକଣ୍ଠରେ ଡାକିଲେ ରାମ ନାମର ପବିତ୍ର ଜଳରେ ଅବଗାହନ କରିଥିବା ହେ ନିଷ୍ପାପ ଶାଶ୍ଵତ ପୁରୁଷ ! ବଲ୍ମୀକ ଭିତରୁ ପୁନର୍ଜନ୍ମ ପାଇଥିବାରୁ ଆଜିଠାରୁ ଆପଣଙ୍କ ନାମ ବାଲ୍ମୀକି।ହେ ମହାତ୍ମା ! ଅଶ୍ରୁତପୂର୍ବ ଆପଣଙ୍କ ତପସ୍ୟା। ଏହି ସ୍ଥାନରେ ନିଜର ପବିତ୍ର ଆଶ୍ରମ ପ୍ରତିଷ୍ଠା କରି ଜଗତକୁ ଜ୍ଞାନ ଆଲୋକରେ ଆଲୋକିତ କରନ୍ତୁ ଏବଂ ପବିତ୍ର ରାମନାମର ମାହାତ୍ମ୍ୟ ପ୍ରଚାର କରନ୍ତୁ।ଇତି ମଧ୍ୟରେ ଭଗବାନ ବିଷ୍ଣୁ ଶ୍ରୀରାମଚନ୍ଦ୍ର ରୂପରେ, ପୃଥିବୀର ପାପ ଭାରା ନିବାରଣ କରିବା ପାଇଁ ଅବତାର ନେଇ ସାରିଛନ୍ତି।ତାଙ୍କ ପବିତ୍ର ଜୀବନ ଗାଥା ବର୍ଣ୍ଣନା କରିବା ପାଇଁ ଏକା ଆପଣ ହିଁ ସମର୍ଥ।

ମହର୍ଷି ବାଲ୍ମୀକିଙ୍କୁ ଆଲିଙ୍ଗନ କରି ଆଶୀର୍ବାଦ ଦେଇ ବ୍ରହ୍ମଲୋକକୁ ଚାଲିଗଲେ ବେଦପତି।

ବ୍ରହ୍ମାଙ୍କ ପ୍ରସ୍ଥାନ ପରେ ସେହି ସ୍ଥାନରେ ଗୋଟିଏ ଭବ୍ୟ ଆଶ୍ରମ ପ୍ରତିଷ୍ଠା କଲେ ବାଲ୍ମୀକି।ତାଙ୍କ ସହିତ ଋଷି ଭରଦ୍ୱାଜ ଏବଂ ଶାର୍ଙ୍ଗରବ ଆଦି ମହର୍ଷି ମାନେ ଆସି ଯୋଗଦେଲେ। ଶାଶ୍ଵତ ପରିବେଶରେ ରହି ଦିବାନିଶି ରାମ ନାମ ସଙ୍କୀର୍ତ୍ତନ କରି ଆଶ୍ରମବାସୀ ଆନନ୍ଦରେ କାଳାତିପାତ କରୁଥାନ୍ତି।

ସେ ଅରଣ୍ୟରେ ଯେତେ ସବୁ ପଶୁପକ୍ଷୀ ରହିଥିଲେ ସେମାନେ ରାମ ନାମ କୀର୍ତ୍ତନ ଶୁଣିବା ପାଇଁ ଆଶ୍ରମ ପ୍ରାଙ୍ଗଣକୁ ଧାଇଁ ଆସୁଥିଲେ। ସନ୍ଧ୍ୟା ସମୟରେ ଆଶ୍ରମମନ୍ଦିରରେ ଘଣ୍ଟାରବ ହେଲେ ସବୁ ପକ୍ଷୀମାନେ ଏକତ୍ରିତ ହୁଅନ୍ତି। ଆଳତି ସମୟରେ ରାମ ନାମ ଭଜନ ହେଲେ ପକ୍ଷୀମାନେ ସ୍ବର ଧରି ରାବ ଦିଅନ୍ତି।ପକ୍ଷୀ ମାନଙ୍କର ଏପରି ବ୍ୟବହାରରେ ବାଲ୍ମୀକିଙ୍କ ମନ ପୁଲକିତ ହୋଇଯାଏ।ଆଶ୍ରମ ପରିସରରେ ହିଂସା ଦ୍ୱେଷର ନାମଗନ୍ଧ ନଥାଏ।ବ୍ୟାଘ୍ର ସହିତ ଛାଗ ଆସି ଆଶ୍ରମ ପ୍ରାଙ୍ଗଣରେ ଏକତ୍ର ଶୟନ କରନ୍ତି।ନିଜ ତଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମକୁ ପାଇ ତମସା ନଦୀ ଆନନ୍ଦ ଆତିଶଯ୍ୟରେ ପ୍ରଫୁଲ୍ଲିତ କାନନରେ କୁଳୁ କୁଳୁ ନାଦରେ ବହିଯାଉଥାଏ।

ଏହିପରି ଆନନ୍ଦରେ ସମୟ କଟି ଯାଉଥିଲା ମହର୍ଷି ବାଲ୍ମୀକି'ଙ୍କର। ଦିନେ ଶିଷ୍ୟମାନଙ୍କ ଗହଣରେ ମହର୍ଷି ବାଲ୍ମୀକି ତମସା କୂଳ କାନନରେ ଭ୍ରମଣ କରୁଥିଲେ।ବସନ୍ତ ସମୟ। ଫଳ ପୁଷ୍ପର ସୌରଭରେ ମହକି ଯାଉଥିଲା ଅତି ସୁନ୍ଦର କାନନ ପ୍ରକୃତି।ଡାଳରୁ ଡାଳକୁ ଡେଇଁ ପକ୍ଷୀମାନେ କ୍ରୀଡା କରୁଥିଲେ। ଏହି ସମୟରେ ନିକଟସ୍ଥ ଚନ୍ଦନ ବୃକ୍ଷରେ ଗୋଟିଏ କ୍ରୌଞ୍ଚ ପକ୍ଷୀ-ଦମ୍ପତି କାମବିହ୍ବଳ ହୋଇ ଆସି ବସିଲେ।


କ୍ରମଶଃ


Rate this content
Log in

Similar oriya story from Classics