ସରଯୂ ନଦୀର ତୀରେ - ୩୯
ସରଯୂ ନଦୀର ତୀରେ - ୩୯
ତମସା ନଦୀ ପାର ହୋଇ, ଅତି ସନ୍ତର୍ପଣରେ ରାମ ଲକ୍ଷ୍ମଣ ଓ ସୀତା, ମନ୍ତ୍ରୀ ସୁମନ୍ତ୍ରଙ୍କ ସହିତ ଗୋଟିଏ ରଥରେ ଗଙ୍ଗାନଦୀ ଦିଗରେ ଆଗେଇ ଯାଉଥିଲେ।ରାତିର ଶୀତଳ ସ୍ପର୍ଶରେ ସମଗ୍ର ପୃଥିବୀ ଶୋଇ ଯାଇଥିଲା।କେବଳ ଜାଗ୍ରତ ଥିବା ବୃକ୍ଷଲତାର ଡାଳରୁ ରାତିର ଶିଶିର ବିନ୍ଦୁ ଟପ୍ ଟପ୍ ହୋଇ ପଡୁଥିଲେ। ତମସା ତୀରର କାନନ ପ୍ରକୃତି ସତେ ଯେପରି କ୍ରନ୍ଦନରତ ଥିଲା। ରାତ୍ରିରେ ଅସମୟରେ ରଥ ଶବ୍ଦରେ ବିଚଳିତ ଏକ ବାୟସର କା କା ଶବ୍ଦ ଶୁଣାଗଲା;ସତେ ଯେପରି ପକ୍ଷୀଟି କହୁଥିଲା..ଏ କଣ ପ୍ରଭୁ ! ପ୍ରଜାମାନଙ୍କୁ ଠକିଦେଇ ଲୁଚି ଲୁଚି ଚାଲି ଯାଉଛନ୍ତି ! ଘୋର ଅନ୍ୟାୟ।"
କ୍ଷିପ୍ର ଗତିରେ ଆଗେଇଯାଇ,ପ୍ରଭାତ ପୂର୍ବରୁ ବହୁ ପଥ ଅତିକ୍ରମ କରିଯାଇଥିଲେ ରାମ ଲକ୍ଷ୍ମଣ ସୀତା ଓ ସୁମନ୍ତ୍ର।ମହାମନ୍ତ୍ରୀ ସୁମନ୍ତ୍ରଙ୍କୁ ଚାହିଁ ରାମଚନ୍ଦ୍ର କହିଲେ.. ଶୀଘ୍ର ଆମକୁ ଗଙ୍ଗାନଦୀ କୂଳରେ ପହଞ୍ଚାଇ ଦେଇ ଅଯୋଧ୍ୟା ଫେରିଯାଅ ସୁମନ୍ତ୍ର।ପିତାଙ୍କୁ ଆଶ୍ଵସନା ଦିଅ,ମୋ ଦୁଃଖିନୀ ଜନନୀ କୌଶଲ୍ୟା ଓ ସୁମିତ୍ରାଙ୍କୁ ଶାନ୍ତ୍ବନା ଦିଅ।" ଅନେକ କ୍ଷୁଦ୍ରନଦୀ,ଉପନଦୀ ପାରହୋଇ ଶେଷରେ ଗଙ୍ଗାନଦୀ କୂଳରେ ରାମ ଲକ୍ଷ୍ମଣ ଏବଂ ସୀତା ପହଞ୍ଚିଲେ।
ଏଣେ ତମସା ନଦୀ କୂଳରେ ପ୍ରଭାତ ଅଯୋଧ୍ୟା ବାସୀଙ୍କପାଇଁ ଅନେକ ନୈରାଶ୍ୟ ନେଇ ଆସିଥିଲା।ରାମ,ଲକ୍ଷ୍ମଣ, ସୀତା ଏବଂ ସୁମନ୍ତ୍ରଙ୍କୁ ନଦେଖି ପ୍ରଜାଗଣ ଚିନ୍ତାରେ ପଡିଯାଇଥିଲେ। ସେମାନଙ୍କ ମନରେ ସନ୍ଦେହ...ସତେ କ'ଣ ଅଯୋଧ୍ୟାବାସୀଙ୍କୁ ପରିତ୍ୟାଗ କରି ରାମ ଅରଣ୍ୟକୁ ଚାଲିଗଲେ ?" ଏହି ସମୟରେ କିଛି ପ୍ରଜା କୁହାକୁହି ହେଲେ...ଏଇ ଦେଖ ! ରଥ ଚକ'ର ଚିହ୍ନ ଅଯୋଧ୍ୟା ଆଡ଼କୁ ପଡ଼ିଛି; ନିଶ୍ଚିତ ଭାବରେ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଯାଇଛନ୍ତି।
ଏହି ସମ୍ବାଦ ପ୍ରଜାମାନଙ୍କ ମଧ୍ୟରେ ବନ-ଅଗ୍ନି ଭଳି ଖେଳିଗଲା।ଆନନ୍ଦରେ ଅଯୋଧ୍ୟାର ପ୍ରଜାଗଣ . ଯାହାହେଉ,ଶେଷରେ ଭଗବାନ ଆମ ଗୁହାରି ଶୁଣିଛନ୍ତି, ରାମଚନ୍ଦ୍ର ଅଯୋଧ୍ୟା ଫେରିଯାଇଛନ୍ତି।ରଥ ଚକ'ର ଚିହ୍ନକୁ ଅନୁସରଣ କରି ଅଯୋଧ୍ୟାବାସୀ ତମସା କୂଳ ତ୍ୟାଗକରି ଅଯୋଧ୍ୟାକୁ ନିଜ ନିଜ ଗୃହକୁ ଫେରିଗଲେ।ନଗ୍ରରେ ପହଞ୍ଚିବା ପରେ ହିଁ ସେମାନେ ବାସ୍ତବତା ହୃଦୟଙ୍ଗମ କଲେ ଏବଂ କୈକେୟୀଙ୍କୁ ଅଜସ୍ର ଗାଳିଦେବା ଆରମ୍ଭ କରିଦେଲେ।
ଗଙ୍ଗାନଦୀ ତଟରେ ପହଞ୍ଚିଲେ ରାମଚନ୍ଦ୍ର। ତାହା ଥିଲା ଉତ୍ତର କୋଶଳର ଦକ୍ଷିଣତମ ସୀମା।ରଥରୁ ଅବତରଣ କରି ଶ୍ରୀରାମ ଅଯୋଧ୍ୟା ଦିଗକୁ ଯୋଡହସ୍ତରେ ଚାହିଁ କହିଲେ...ସ୍ବର୍ଗଠାରୁ ଅଧିକ ହେ ମୋର ଜନ୍ମଭୂମି ଅଯୋଧ୍ୟା ! ନଗରୀ ମାନଙ୍କର ରାଣୀ, ଆଜି କର୍ତ୍ତବ୍ୟ ଆହ୍ବାନରେ ତୋର ପୁତ୍ର ରାମଚନ୍ଦ୍ର ତୋଠାରୁ ବିଦାୟ ନେଉଛି ମାତା ! ସତେ କଣ ଚଉଦବର୍ଷ ପରେ ତୋ କୋଳକୁ ଫେରି ଆସିବି ? ସତେ କଣ ଫେରିଆସି ତୋ ବୁକୁରେ ଫେରି ପାଇବି ମୋ ସ୍ବର୍ଗସମ ପିତା ଏବଂ ପ୍ରାଣସମା ମାତାମାନଙ୍କୁ? ସେ ଅବ୍ୟକ୍ତ ଅନୁଭବ ଯେପରି ମୁଁ ଫେରିପାଇବି ସେହି ଆଶୀର୍ବାଦ ଦେ ଜନନୀ।ମୋ କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରି ଚଉଦ ବର୍ଷ ପରେ ମୁଁ ତୋ କୋଳକୁ ଫେରି ଆସେ।"
ଦିନ ଢଳି ଆସୁଥାଏ।ଗଙ୍ଗାକୂଳ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ପ୍ରଶଂସା କରୁ କରୁ ଆଗେଇ ଯାଉଥିଲେ ରାମଚନ୍ଦ୍ର।ଏକ ଅତୀବ ସୁନ୍ଦର ସ୍ଥାନରେ ପହଞ୍ଚିବାପରେ ସେଠାରେ ଅଟକି ଗଲେ ପ୍ରଭୁ।ଗଙ୍ଗା ଜଳରେ ସ୍ନାନକରି, ସନ୍ଧ୍ୟା ଶେଷକରି କୁଶାସନରେ ବୃକ୍ଷମୂଳରେ ବସି ଦିନର ଶ୍ରମ ଅପନୋଦନ କରୁକରୁ ରାମଚନ୍ଦ୍ର କହିଲେ..ପ୍ରିୟ ଲକ୍ଷ୍ମଣ ! କି ସୁନ୍ଦର ଏହି ସ୍ଥାନଟି ! ନିକଟରେ ମୋର ପ୍ରିୟ ବନ୍ଧୁ ଗୁହକଙ୍କ ରାଜଧାନୀ। ଆଜି ଆମ୍ଭେମାନେ ଏହି ସ୍ଥାନରେ ହିଁ ରାତ୍ରି ଯାପନ କରିବା।
ରାମଚନ୍ଦ୍ରଙ୍କ ପାଟିରୁ କଥା ଶେଷ ନ'ହେଉଣୁ ନିଷାଦରାଜ ଗୁହକ ସେଠାରେ ଉପସ୍ଥିତ ହୋଇ ଶ୍ରୀରାମଙ୍କ ପାଦତଳେ ମସ୍ତକ ଅବନତ କଲେ।ନିଷାଦରାଜଙ୍କୁ କୋଳେଇ ନେଲେ ଶ୍ରୀରାମ। କହିଲେ..ହେ ମୋର ପ୍ରିୟ ବନ୍ଧୁ !ଆପଣଙ୍କ ସ୍ଥାନ ମୋ ହୃଦୟରେ।"ଗଭୀର ଆଲିଙ୍ଗନରେ ହଜିଗଲେ ଦୁଇବନ୍ଧୁ ।ଧାର ଧାର ଅଶ୍ରୁ ବହି ଯାଉଥାଏ ଗୁହକଙ୍କ ଆଖିରୁ। କହିଲେ..ଧନ୍ୟ ହେଲି ମୋ ପ୍ରଭୁ ! ଆଜି ଆପଣଙ୍କ ଦର୍ଶନ ପାଇ କୋଟି ତପସ୍ୟାର ଫଳ ପ୍ରାପ୍ତି ହେଲା।ସବୁ ଶୁଣିଛି,ଆପଣଙ୍କ ଜୀବନରେ ଆସିଥିବା ଝଡ଼ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅବଗତ ପ୍ରଭୁ ! ଏହା ଦୈବୀମାୟା ବ୍ୟତୀତ ଅନ୍ୟ କିଛି ନୁହେଁ। କିନ୍ତୁ କିଛି ଚିନ୍ତା କରନ୍ତୁ ନାହିଁ ! ମୋର ଏ ରାଜ୍ୟ ଆପଣଙ୍କର। ଏଠାରେ ବିନା ସଂକୋଚରେ ୧୪ ବର୍ଷ ବନବାସ ସମୟ ଅତିବାହିତ କରନ୍ତୁ।ଆପଣଙ୍କ ସେବାରେ ନିଜକୁ ନିୟୋଜିତ କଲେ ମୁଁ ନିଜକୁ ଧନ୍ୟ ମନେ କରିବି"।
ହସିଲେ ରାମଚନ୍ଦ୍ର; କହିଲେ..ଆପଣଙ୍କର ମୋ ଉପରେ ସ୍ନେହ ସବୁ ପ୍ରଶ୍ନବାଚୀର ଉର୍ଦ୍ଧ୍ବରେ ବନ୍ଧୁ ଗୁହକ ! କିନ୍ତୁ ମୁଁ ସତ୍ୟସନ୍ଧ;ଆପଣଙ୍କ ରାଜ୍ୟରେ ବସବାସ କଲେ ମୋର ସତ୍ୟ ପୂରଣ ହୋଇପାରିବ ନାହିଁ।ମୋ ପିତା,ମାତା କୈକେୟୀଙ୍କୁ ଦେଇଥିବା ଶପଥ ପୂର୍ଣ୍ଣ ହେବ ନାହିଁ।ଆପଣଙ୍କ ରାଜଧାନୀରେ ପ୍ରବେଶ କରି ଆପଣଙ୍କ ଆତିଥ୍ୟ ଗ୍ରହଣ କରିବା ମୋ ପାଇଁ ସମ୍ଭବ ନୁହେଁ ବନ୍ଧୁ ! ଆପଣଙ୍କ ଆନ୍ତରିକତାପୂର୍ଣ୍ଣ କଥା ହିଁ ମୋ ପାଇଁ ଯଥେଷ୍ଟ।"
ଅଳ୍ପ ନିରବତା ପରେ ଶ୍ରୀରାମ କହିଲେ.. ବନ୍ଧୁ ଗୁହକ ! ଏହି ରଥରେ ଯୋଚା ଯାଇଥିବା ଅଶ୍ବମାନେ ମୋ ପିତାଙ୍କର।ସେମାନଙ୍କୁ ପେଟଭରି ଖାଇବାକୁ ଦିଅନ୍ତୁ;ଆଉ ଯଦି ସମ୍ଭବ ହୁଏ କିଛି ଫଳମୂଳର ବ୍ୟବସ୍ଥା କରନ୍ତୁ।ପିତୃସତ୍ୟର ନିୟମ ଅନୁଯାୟୀ ବନବାସ ସମୟରେ ରନ୍ଧନ ଖାଦ୍ୟ ମୋ ପାଇଁ ନିଷେଦ୍ଧ।
ରାମଚନ୍ଦ୍ରଙ୍କ ସର୍ତ୍ତ ଶୁଣି ଗୁହକଙ୍କ ଆଖିରେ ଲୁହ ଆସିଗଲା।ଶ୍ରୀରାମଙ୍କପାଇଁ ସୁପକ୍ବ ଫଳାହାର ବ୍ୟବସ୍ଥା କରି,ଲକ୍ଷ୍ମଣ ଏବଂ ସୀତାଙ୍କ ପାଇଁ କିଛି ରନ୍ଧନ ଖାଦ୍ୟର ବ୍ୟବସ୍ଥା କରିବାକୁ ଯାଉଥିଲେ ଗୁହକ।ଲକ୍ଷ୍ମଣ ଏବଂ ସୀତା ବାଧାଦେଇ କହିଲେ.. ବନବାସ ସମୟରେ ପ୍ରଭୁଙ୍କର ଖାଦ୍ୟ,ପେୟ ଏବଂ ଜୀବନ ଧାରାରୁ ଆମ୍ଭମାନଙ୍କର ଜୀବନ ଧାରା କିପରି ଭିନ୍ନ ହେବା ଆର୍ଯ୍ୟ ଗୁହକ ? ଆଜିଠାରୁ ଆସନ୍ତା ଚଉଦବର୍ଷ ଆମେ ସମସ୍ତେ ଫଳାହାର କରି ଜୀବନ ବିତାଇବୁ।"
ଲକ୍ଷ୍ମଣଙ୍କ ଭ୍ରାତୃଭକ୍ତି ଏବଂ ସୀତାଙ୍କର ସମର୍ପିତ ଭାବନାରେ ବିଗଳିତ-ହୃଦୟ ଗୁହକ କହିଲେ.. ଆପଣମାନଙ୍କ ସାନ୍ନିଧ୍ୟରେ ମୋର ଜୀବନ ଧନ୍ୟ ହୋଇଗଲା; ମୋତେ ମଧ୍ୟ ଆପଣ ଇତିହାସ ପୃଷ୍ଠାରେ ଅମର କରିଦେଲେ।"
ଭୋଜନାନ୍ତେ ବୃକ୍ଷମୂଳରେ ବିଶ୍ରାମ ନେଲେ ଶ୍ରୀରାମ ଏବଂ ସୀତା। କିଛି ଦୂରରେ ବାଲୁକାଶଯ୍ୟା ଉପରେ ବସି ଲକ୍ଷ୍ମଣ,ସୁମନ୍ତ୍ର ଏବଂ ଗୁହକ ଅଯୋଧ୍ୟାର ଭବିଷ୍ୟତ କଥା ଚିନ୍ତା କରି ଗଭୀର ଆଲୋଚନାରେ ମଗ୍ନ ଥିଲେ। କିଛି ସମୟ ପରେ ଗୁହକ କହିଲେ... ଭ୍ରାତା ଲକ୍ଷ୍ମଣ ! ଆପଣ ଶୟନ କରନ୍ତୁ। ମୁଁ ଏବଂ ମୋର ବ୍ୟକ୍ତିମାନେ ଆପଣମାନଙ୍କୁ ଜଗି ରହିବୁ।ଏ ସ୍ଥାନ ମୋ ରାଜ୍ୟ ସୀମା ଭିତରର ଅରଣ୍ୟ। ଏଠାରେ ଆପଣଙ୍କ ନିରାପତ୍ତା ପାଇଁ କିଛି ଭୟ ନାହିଁ।"
ଲକ୍ଷ୍ମଣଙ୍କ ଆଖିରେ ଯନ୍ତ୍ରଣା ଚହଲି ଉଠିଲା, କହିଲେ..ଭାଇ ଗୁହକ! କିପରି ମୁଁ ନିଦ୍ରା ଯାଇ ପାରିବି ! ରାଜର୍ଷି ଜନକଙ୍କ ଅଲିଅଳି କନ୍ୟା, ବିଶାଳ ଉତ୍ତର କୋଶଳର କୁଳବଧୂ ମୋର ମାତୃସମା ସୀତା କୁଶଶଯ୍ୟାରେ ଶାୟିତା;ମୋ ପିତୃସମ ଭ୍ରାତା, ଅଯୋଧ୍ୟାର ଜ୍ୟୋଷ୍ଠ ରାଜପୁତ୍ର ଶ୍ରୀରାମ ବୃକ୍ଷମୂଳରେ କୁଶ ଶଯ୍ୟା ଉପରେ ବିଶ୍ରାମ ରତ;ମୋ ଆଖିକୁ କିପରି ନିଦ୍ରା ଆସିବ କୁହ ?"
କରୁଣାକ୍ତ କଣ୍ଠରେ ଗୁହକ କହିଲେ.. ତାହେଲେ ଆସନ୍ତା ଚଉଦବର୍ଷ କାଳ ଆପଣ ବିନିଦ୍ର ରଜନୀ କଟାଇବେ ଭ୍ରାତା ଲକ୍ଷ୍ମଣ !"ଧୀର ଏବଂ ଦୃଢ଼ କଣ୍ଠରେ ଲକ୍ଷ୍ମଣ କହିଲେ..ମୋ ଜ୍ୟେଷ୍ଠ ଭ୍ରାତାଙ୍କ ସତ୍ୟ ପାଳନ ଆଗରେ ମୋର ଏହି ତପସ୍ୟା ତ ଅତି ନଗଣ୍ୟ ନା ଭ୍ରାତା ଗୁହକ।
କ୍ରମଶଃ
