ସରଯୂ ନଦୀର ତୀରେ (୩୭)
ସରଯୂ ନଦୀର ତୀରେ (୩୭)
ଅଭୂତପୂର୍ବ ବଳିଦାନ
=================================
କୈକେୟୀଙ୍କ ହୃଦୟହୀନତା ଦେଖି ରାଜପରିବାରର ଦାସ ଦାସୀ ମଧ୍ୟ ଛି ଛି କରିବା ଆରମ୍ଭ କରିଦେଲେ।ଘୃଣା କ୍ରୋଧ ଓ ଅସହାୟତା ଦଶରଥଙ୍କ ମନକୁ ଏମିତି ଜାବୁଡି ଧରିଲା ସତେ ଅବା ମହାବଳ ବାଘ ଅହିରାଜର ଦୃଢ଼ ବନ୍ଧନରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି। ପିତାଙ୍କ ମାନସିକ ଯନ୍ତ୍ରଣା ଓ ଅସହାୟତା ହୃଦୟଙ୍ଗମ କରି ରାମ ପିତାଙ୍କ କୋଳରେ ମଥା ରଖି କହିଲେ..ମୋ ଧର୍ମ ଓ କର୍ତ୍ତବ୍ୟ ପାଳନ ଆଗରେ ଆପଣଙ୍କ ଦୁଃଖ ବାଧକ ନହେଉ ପିତାଶ୍ରୀ। ପିତୃସତ୍ୟ ପାଳନ କରି ମୁଁ କେବଳ ଇହକାଳ ପରକାଳର ନିନ୍ଦାରୁ ଆପଣଙ୍କୁ ମୁକ୍ତି ଦେବାପାଇଁ ଚାହୁଁନାହିଁ,ରଘୁକୁଳର ମର୍ଯ୍ୟାଦା ଓ ପରମ୍ପରା ରକ୍ଷା କରିବାକୁ ଯାଉଛି।ଆପଣ ମୋତେ ଏଥିପାଇଁ ସାହଯ୍ୟ କରନ୍ତୁ ପିତାଶ୍ରୀ। ଯେଉଁ ସୈନ୍ୟ ସାମନ୍ତ ଏବଂ ପାର୍ଥିବ ସୁଖସ୍ବଚ୍ଛନ୍ଦ୍ୟ ମୋର ବନବାସ ସମୟରେ ଦେଇ ମୋ ଦୁଃଖ ଲାଘବ କରିବାପାଇଁ ଆପଣ ଚାହୁଁଛନ୍ତି,ତା'ଦ୍ୱାରା ମାତା କୈକେୟୀଙ୍କ ପାଖରେ ଆପଣ କରିଥିବା ସତ୍ୟର ସର୍ତ୍ତ ଭଙ୍ଗହେବ।ମାତାଙ୍କ ସର୍ତ୍ତ ଅନୁଯାୟୀ ବଳ୍କଳ ପିନ୍ଧି ମୁନି ଋଷିଙ୍କ ଭଳି ମୁଁ ଅରଣ୍ୟରେ ଜୀବନ ବିତାଇବି।ସେଭଳି ସର୍ତ୍ତ ପାଳନ ମୋ ଆତ୍ମାକୁ ପବିତ୍ର କରିବ।ଅରଣ୍ୟରେ ମୋର ଦାସ ଦାସୀ ଧନସମ୍ପଦର କିଛି ଆବଶ୍ୟକତା ନାହିଁ ପିତାଶ୍ରୀ। ମୁଁ ସବୁ ତ୍ୟାଗ କରିସାରିଛି,ଆପଣ ମୋତେ ଆଉ ବନ୍ଧନରେ ପକାନ୍ତୁ ନାହିଁ।"
ଶ୍ରୀରାମଙ୍କ ପାଟିରୁ କଥା ସରିବା ପୂର୍ବରୁ କୈକେୟୀ,ମନ୍ଥରା ଦ୍ୱାରା ରାମ ସୀତା ଓ ଲକ୍ଷ୍ମଣଙ୍କୁ ପାଇଁ ବଳ୍କଳ ବସ୍ତ୍ର ଆଣି ଥୋଇଦେଲେ।ନିକଟସ୍ଥ ପ୍ରକୋଷ୍ଠକୁ ଯାଇ ରାମ,ଲକ୍ଷ୍ମଣ ଓ ସୀତା ବଳ୍କଳ-ବସ୍ତ୍ର ପରିଧାନ କଲେ। ସୀତାଙ୍କୁ ବଳ୍କଳ-ବସ୍ତ୍ର ପରିହିତା ଦେଖି ଉପସ୍ଥିତ ସମସ୍ତ ପରିଜନଙ୍କ କ୍ରନ୍ଦନ ରୋଳରେ ପରିବେଶ କରୁଣାକ୍ତ ହୋଇଗଲା। କିନ୍ତୁ କୈକେୟୀଙ୍କ ମୁହଁରେ ଫୁଟି ଉଠିଲା କ୍ରୂର ହସ। ଗ୍ଲାନି ଓ କ୍ରୋଧରେ କମ୍ପିଗଲେ ଦଶରଥ।କୈକେୟୀଙ୍କୁ ଚାହିଁ କହିଲେ.. ରାକ୍ଷସୀ ! କୁଳବଧୂକୁ ମଧ୍ୟ ଛାଡିଲୁ ନାହିଁ;ତାକୁ ମଧ୍ୟ ବଳ୍କଳ-ବସ୍ତ୍ର ଧରାଇଦେଲୁ !"
କୁଟୀଳ ହସରୁ ଧାରେ ଫୁଟି ଉଠିଲା କୈକେୟୀଙ୍କ ଓଠରେ। କହିଲେ..ମୋର ଏଥିରେ କଣ ଅପରାଧ ! ସୀତା ନିଜର ପତ୍ନୀଧର୍ମ ପାଳନ କରି ରାମ ସହିତ ଅରଣ୍ୟକୁ ଯିବାପାଇଁ ଇଚ୍ଛା କରିଛି, ମୁଁ ତ ବାଧ୍ୟ କରିନାହିଁ।କେବଳ ତା ଧର୍ମ ପାଳନରେ ସାହାଯ୍ୟ କରିଛି ମାତ୍ର।ସେ ଅରଣ୍ୟରେ ଯୋଗିଆଣୀ ବେଶରେ ରହୁ କି ରାଜରାଣୀ ବେଶରେ, ନିଷ୍ପତ୍ତି ତା'ର। ଆପଣ ବଧୂ-ସ୍ନେହର ତୀରରେ ମୋତେ କାହିଁକି ରକ୍ତାକ୍ତ କରୁଛନ୍ତି ରାଜା ?ଶୀଘ୍ର ରାମକୁ ବିଦାୟ ଦିଅନ୍ତୁ। ପିତୃସତ୍ୟ ପାଳନ ପାଇଁ ନିଷ୍ପତ୍ତି ନେଲାପରେ ଏଠାରେ ତାର ଅଧିକ ସମୟ ରହିବା କଣ ଆବଶ୍ୟକ ? ଶୀଘ୍ର ଭରତକୁ ମାମୁଁଘରୁ ଡକାଇ ଆଣନ୍ତୁ।ରାମର ରାଜ୍ୟାଭିଷେକ ପାଇଁ ଯେଉଁ ବିପୁଳ ବ୍ୟବସ୍ଥା ହୋଇଛି, ତାହା ଭରତର ଅଭିଷେକ ପାଇଁ ଉପଯୋଗ ହେଉ।"
ମାତା କୈକେୟୀ, କୌଶଲ୍ୟା ଏବଂ ସୁମିତ୍ରାଙ୍କ ପଦରଜ ମଥାରେ ଲଗାଇ,ପିତାଙ୍କ ପାଦତଳେ ମଥା ଟେକି ରାମ ଲକ୍ଷ୍ମଣ ଓ ସୀତା ବନଯାତ୍ରା ପାଇଁ ବାହାରିଲେ।ପ୍ରସ୍ଥାନ ପୂର୍ବରୁ ପିତା ଏବଂ ଅନ୍ୟାନ୍ୟ ଅନ୍ତେବାସୀଙ୍କ ପାଖରେ ହାତଯୋଡି ରାମଚନ୍ଦ୍ର କହିଲେ.. ପୁତ୍ର ଶୋକରେ ଅଧୀରା ମୋ ସ୍ନେହମୟୀ ଜନନୀଙ୍କୁ ପିତାଙ୍କ ସେବାପାଇଁ ଛାଡିଯାଉଛି ।ମୋ ସହିତ ବନକୁ ଯିବାପାଇଁ ଚାହୁଁଥିଲେ ମୋ ଦୁଃଖିନୀ ଜନନୀ।କେବଳ ପତ୍ନୀର କର୍ତ୍ତବ୍ୟ ପାଳନ ତାଙ୍କୁ ନିରସ୍ତ କରିଛି। ଅତି ସରଳ ହୃଦୟା ମୋର ମାତା; ଈର୍ଷା ଦ୍ୱେଷ ଲୋଭ ମୋହ ପରଶ୍ରୀ କାତରତା ଭଳି ଅବଗୁଣ ତାଙ୍କ ହୃଦୟକୁ ଛୁଇଁନାହିଁ।ଅରଣ୍ୟଵାସରୁ ଫେରିଆସି ମୁଁ ତାଙ୍କ ସେବା କରି ମୋର ମାତୃଋଣ ସୁଝିବାକୁ ଚାହେଁ।ଫେରିବା ପରେ ମୁଁ ଯେପରି ନଶୁଣେ ଯେ ମୋତେ କୋଳେଇ ନେବାପାଇଁ ମୋ ମାଆ ଆଉ ଇହଧାମରେ ନାହାଁନ୍ତି।"
କରୁଣାକ୍ତ ହୋଇଗଲା ପରିବେଶ। ସଂଜ୍ଞାହୀନା ହୋଇ ପଡ଼ି ଯାଉଥିବା କୌଶଲ୍ୟାଙ୍କୁ ସମ୍ଭାଳି ନେଲେ ସୁମିତ୍ରା। ଅସୀମ ଧୈର୍ଯ୍ୟ ଫୁଟି ଉଠୁଥିଲା ସୁମିତ୍ରାଙ୍କ ମୁଖମଣ୍ଡଳରେ। ରାମାୟଣର ଏହି ମହାନ ଚରିତ୍ର ଉପରେ କେହି ବିଶେଷ ଆଲୋକପାତ କରି ନାହାଁନ୍ତି।କୁଳର ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ର ଏବଂ କୁଳବଧୂ ସୀତାଙ୍କର ବନବାସ ସମୟର ଦୁଃଖ ଲାଘବ କରିବାପାଇଁ ନିଜ ହୃଦୟର ଅଭିନ୍ନ ଅଙ୍ଗ ଲକ୍ଷ୍ମଣଙ୍କୁ ସେ ରାମଙ୍କ ସହିତ ଯିବାପାଇଁ, ଛାତିରେ ପଥର ରଖି ସମ୍ମତି ଦେଇଛନ୍ତି।ବଧୂ ଉର୍ମିଳାଙ୍କ ମନର ଯନ୍ତ୍ରଣା କେତେ ବିଚଳିତ କରିନଥିବା ତାଙ୍କୁ ! ଦୁଃଖରେ ହୃଦୟ ଚିରି ହୋଇ ଯାଉଥିଲେ ମଧ୍ୟ ଅସୀମ ଧୈର୍ଯ୍ୟର ସହିତ ସେ କୌଶଲ୍ୟାଙ୍କୁ ଶାନ୍ତ୍ବନା ଦେଇଛନ୍ତି। ଛାତିରେ ପଥର ରଖି କିଛି ଦୂରରେ ସ୍ଥାଣୁ ଭଳି ଠିଆ ହୋଇଛନ୍ତି ଉର୍ମିଳା।ଆଖିର ଲୁହ ଚିବୁକ ଦେଇ ଓଠ ଉପରକୁ ଗଡ଼ି ଆସିଛି।ଲକ୍ଷ୍ମଣଙ୍କ ବିଦାୟକାଳୀନ ଦୁଇପଦ କଥା ମନରେ ଗଣ୍ଠି କରି ରଖିଛନ୍ତି। ଲକ୍ଷ୍ମଣ କହିଛନ୍ତି..ପ୍ରାଣପ୍ରିୟା ଉର୍ମିଳେ ! ପିତାଙ୍କଠାରୁ ଅଧିକ ଅଟନ୍ତି ମୋ ଜ୍ୟେଷ୍ଠ ଭ୍ରାତା।ତାଙ୍କପ୍ରତି ମୋର କର୍ତ୍ତବ୍ୟ ପାଳନ କରିବାରେ ମୋତେ ସାହାଯ୍ୟ କର। ତୁମେ ମୋ ସହିତ ବନକୁ ଗଲେ ମୁଁ ସୁଚାରୁ ରୂପେ ମୋର କର୍ତ୍ତବ୍ୟ ପାଳନ କରିପାରିବି ନାହିଁ। ଏଠାରେ ମୋର ପ୍ରାଣସମା ମାତା ସୁମିତ୍ରା ଏବଂ କୌଶଲ୍ୟାଙ୍କ ସେବାରେ ଅବହେଳା ମଧ୍ୟ ମୁଁ ଚାହେଁ ନାହିଁ। ସେଥିପାଇଁ ତୁମକୁ ପ୍ରାସାଦରେ ଛାଡି ଯାଉଛି।"
ସୁମିତ୍ରା ଲକ୍ଷ୍ମଣଙ୍କୁ ଚାହିଁ ଅଶ୍ରୁଳ ନେତ୍ରରେ କହିଲେ..ବାବୁରେ ! ରାମ ପ୍ରତି ତୋର ଶ୍ରଦ୍ଧା ଓ ଭକ୍ତି ଦେଖି ମନ ମୋର ଆନନ୍ଦ ଓ ଗର୍ବରେ ପୂରିଯାଉଛି। ରାମ କେବଳ ତୋର ବଡ଼ ଭାଇ ନୁହେଁ, ଉତ୍ତରକୋଶଳ ସିଂହାସନର ଉତ୍ତରାଧିକାରୀ ଏବଂ ରଘୁ କୁଳ ସଂସ୍କାରର ରକ୍ଷକ। ବର୍ତ୍ତମାନ ଘଟିଯାଉଥିବା ଘଟଣା ଦେବକୂଟ ଭଳି ଲାଗୁଛି। ଚଉଦ ବର୍ଷ ପରେ ମୋ ପ୍ରିୟ ପୁତ୍ର ରାମ ଫେରିଆସି ଅଯୋଧ୍ୟାର ସିଂହାସନ ଆରୋହଣ କରିବ। ସେ ତୋର ଗୁରୁ ଏବଂ ରାଜା। ତୋ ପାଇଁ ସେ ପିତାଙ୍କ ସହିତ ସମାନ।ସୀତା ମଧ୍ୟ ତୋର ମାତୃସମା।ମୋ ପ୍ରତି ଯେପରି ସ୍ନେହ ସମ୍ମାନ ତୋ ମନରେ ରହିଛି ସୀତାକୁ ସେପରି ସମ୍ମାନ ଦେବାରେ ଅବହେଳା କରିବୁ ନାହିଁ।ଏହା ଆମ ରଘୁକୁଳର ରୀତି।ହସି ହସି ବନକୁ ଯା';ତୋ ଫେରିବା ବାଟକୁ ଅନାଇ ରହିଲି ଧନ।ଅରଣ୍ୟରେ ଭାଇ ଭାଉଜଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବୁ।"
ଲକ୍ଷ୍ମଣଙ୍କ କପାଳ ଚୁମ୍ବନ କରି ଅଶ୍ରୁଳ ବିଦାୟ ଦେଲେ ସୁମିତ୍ରା।
ମୁହଁ ତଳକୁ ପୋତି ରାମ ଲକ୍ଷ୍ମଣ ଓ ସୀତା ପ୍ରାସାଦରୁ ଯେତେବେଳେ ବାହାରିଗଲେ ଅନ୍ତେବାସୀଙ୍କର ହୃଦୟ ବିଦାରକ କ୍ରନ୍ଦନରେ ପରିବେଶ ବେଦନାକ୍ତ ହୋଇଗଲା। ଦୁଃଖ ଏବଂ ଆତ୍ମଗ୍ଲାନିରେ ମୁହଁ ଘୋଡାଇ ବସିଗଲେ ଦଶରଥ।ଭାବୁଥିଲେ.. ନିଶ୍ଚୟ ପୂର୍ବଜନ୍ମରେ ମୁଁ କିଛି ଗର୍ହିତ ପାପ କରିଛି;ହୁଏତ କେଉଁ ଜନନୀ କୋଳରୁ ସନ୍ତାନ ଛଡ଼ାଇ ନେଇଛି,ଧେନୁ ପାଖରୁ କ୍ଷୀର ପାନ କରୁଥିବା ବତ୍ସା ଛଡ଼ାଇ ନେଇଛି କିମ୍ବା ସ୍ୱାମୀ କୋଳରୁ ପତ୍ନୀକୁ ଛଡ଼ାଇ ନେଇଛି;ନହେଲେ ଏତେ କଷ୍ଟ ମୋତେ ବିଧାତା କାହିଁକି ଦିଅନ୍ତେ?"
ରାଜାଙ୍କର ମନେ ପଡିଗଲା ଶ୍ରବଣ କୁମାର କଥା।ଦୂର-ଅତୀତରେ ଥରେ ତମସାକୂଳ ଅରଣ୍ୟରେ, ଶିକାର ସମୟରେ ଅଜ୍ଞାତରେ ଶରବିଦ୍ଧ କରି ଋଷିପୁତ୍ର ଶ୍ରବଣ କୁମାରଙ୍କ ପ୍ରାଣ ନେଇଥିଲେ ଦଶରଥ। ପୁତ୍ର ଶୋକରେ ଜର୍ଜରିତ ଋଷି ଅଭିଶାପ ଦେଇଥିଲେ--ମୋ ଭଳି ଦିନେ ତୁମେ ମଧ୍ୟ ପୁତ୍ର ଶୋକରେ ପ୍ରାଣତ୍ୟାଗ କରିବ।"
ଆଜି ସେ ସମୟ ଉପସ୍ଥିତ।ବିଧାତାର ବିଧାନ କିଏ ବା ଅନ୍ୟଥା କରିବ ?
ବାହାରେ କ୍ରନ୍ଦନ ରୋଳ ଶୁଭୁଛି। ଶକ୍ତି ସଞ୍ଚୟ କରି ନିଜର ଦୁର୍ବଳ ଶରୀରକୁ ଭୂମିରୁ ଉଠାଇଲେ ଦଶରଥ,ଦ୍ବିତଳ ପ୍ରାସାଦରୁ ତଳକୁ ଚାହିଁଲେ। ରାଜପ୍ରାସାଦର ସିଂହଦ୍ଵାର ଅତିକ୍ରମ କରି ଯାଉଛନ୍ତି ରାମ ଲକ୍ଷ୍ମଣ ସୀତା।ସତେ ଯେପରି ରଘୁକୁଳର ବଳ,ବୀର୍ଯ୍ୟ,ପୁରୁଷାକାର ଓ ସୌନ୍ଦର୍ଯ୍ୟ ଅଭିମାନ କରି ସ୍ୱଦେହରେ ପ୍ରାସାଦଛାଡି ଚାଲି ଯାଉଛନ୍ତି।ଦଶରଥଙ୍କ ମୁଖରୁ ବାହାରି ଆସିଲା ହୃଦୟ ବିଦାରକ ଦୁଇଟି ଶବ୍ଦ--ହେ ରାମ !"
ପର ମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ ଦଶରଥ; ସୁମନ୍ତ୍ରଙ୍କୁ ଡକାଇ କହିଲେ..ଯାଅ ମହାମନ୍ତ୍ରୀ,ମୋର ଦୁଇ ପୁତ୍ର ଓ ପୁତ୍ର ବଧୂକୁ ରାଜ୍ୟ ସୀମାନ୍ତ ପର୍ଯ୍ୟନ୍ତ ରଥରେ ବସାଇ ନେଇଯାଅ।
କ୍ରମଶଃ....
