ସରଯୂ ନଦୀର ତୀରେ (୩୬)
ସରଯୂ ନଦୀର ତୀରେ (୩୬)
ଶାଶ୍ବତ ପ୍ରେମରେ ଏକ ପ୍ରଛନ୍ନ ଶକ୍ତିଥାଏ;ତାହା ଶ୍ରୀରାମ ଓ ସୀତାଙ୍କ ଭଳି ପତି-ପତ୍ନୀ ଛଡ଼ା ଆଉ କିଏ ବା ବୁଝି ପାରିବ? ପ୍ରିୟତମାର ଆକୁଳ ନିବେଦନରେ ବିଗଳିତ ହେଲା ଦାଶରଥିଙ୍କ ହୃଦୟ। ପ୍ରୀତିପୂର୍ଣ୍ଣ କଣ୍ଠରେ ଶ୍ରୀରାମ କହିଲେ..ପ୍ରାଣସମା ଜାନକୀ ! ଚାଲ ମୋ ସହିତ, ତୁମ ବିନା ଅରଣ୍ୟ-ଜୀବନ ମୋ ପାଇଁ ମଧ୍ୟ ଦୁର୍ବିସହ ହୋଇପଡିବ।"
ଶ୍ରୀରାମଙ୍କ ମୁଖରୁ କଥା ଶେଷ ନହେଉଣୁ, ଲକ୍ଷ୍ମଣ ଏବଂ ସୁମିତ୍ରା ଉପସ୍ଥିତ ହେଲେ।ଲକ୍ଷ୍ମଣ କହିଲେ..କାୟା ସହିତ ଛାୟା ଭଳି ମୁଁ ଆପଣଙ୍କ ଜୀବନର ଅଭିନ୍ନ ଅଙ୍ଗ;ଆପଣଙ୍କଠାରୁ ଦୂରରେ ରହି ବଞ୍ଚିବା ମୋ ପାଇଁ ସମ୍ଭବ ନୁହେଁ ଅଗ୍ରଜ!ଆପଣଙ୍କ ଅନୁପସ୍ଥିତିରେ, ଶୁଷ୍କ କାଠଖଣ୍ଡ ବା ଚେତନାଶୂନ୍ୟ ଶରୀର ନେଇ ମୁଁ ଅଯୋଧ୍ୟା ରାଜପ୍ରସାଦ ଭିତରେ ରହିପାରିବି ନାହିଁ; ମୁଁ ମଧ୍ୟ ଆପଣଙ୍କ ସହିତ ଅରଣ୍ୟକୁ ଯିବି।"
ଶ୍ରୀରାମ ମନା କରିବାକୁ ଯାଉଥିଲେ, କିନ୍ତୁ ସୁମିତ୍ରା କହିଲେ.. ଲକ୍ଷ୍ମଣ ତୋ ସହିତ ଯାଉ ରାମ।ବୋହୂ ଏକାକୀ ତୋ ସହିତ ଯାଉଛି।ଅରଣ୍ୟରେ ଅନେକ ହିଂସ୍ରଯନ୍ତୁ ଓ ମାୟାବୀ ରାକ୍ଷସ ରହିଛନ୍ତି।ବୋହୂର ସୁରକ୍ଷାପାଇଁ ଲକ୍ଷ୍ମଣ ତୋ ସହିତ ଯିବା ନିହାତି ଆବଶ୍ୟକ।"
ଲକ୍ଷ୍ମଣଙ୍କୁ ଚାହିଁ ଅଶ୍ରୁଳ ନେତ୍ରରେ ସୁମିତ୍ରା କହିଲେ..ରାଜାଘରେ ଐଶ୍ୱର୍ଯ୍ୟ-ଆଭିଜାତ୍ୟ ଭିତରେ ବଢ଼ିଥିବା ମୋ ଜାନକୀ ଅଯୋଧ୍ୟା ଉଆସର ପୁନେଇଁ ଜହ୍ନ।ସେ ଚାଲିଗଲେ ଘର ଅନ୍ଧାର ହୋଇଯିବ। ଅଲିଅଳି ଜାନକୀ ତୋତେ ଲାଗିଲା ଲକ୍ଷ୍ମଣ।ନିଶାଚରମାନେ ରାତିରେ ମାୟା ସୃଷ୍ଟି କରି ବିତ୍ପାତ କରନ୍ତି। ସେଥିପାଇଁ ରାତିରେ ମଧ୍ୟ ପ୍ରତି ମୁହୂର୍ତ୍ତରେ ହାତରେ ଧନୁଶର ଧରି ମୋ ପୁତ୍ର ଓ ବଧୂଙ୍କୁ ଜଗିରହିଥିବୁ।
ସୀତାଙ୍କ ପ୍ରକୋଷ୍ଠରେ ଅଶ୍ରୁଳ ନେତ୍ରରେ ପହଞ୍ଚିଲେ କୌଶଲ୍ୟା।ସୀତା ଓ ଲକ୍ଷ୍ମଣଙ୍କୁ ରାମଙ୍କ ସହିତ ବନକୁ ବାହାରିବା ଦେଖି ଦୁଃଖରେ ଭରିଗଲା ତାଙ୍କ ହୃଦୟ;ଆଖିରେ ଆଖିଏ ଲୁହ। କହିଲେ ଗ୍ରହଣ ଲାଗିଗଲା ମୋ ସୁନା ସଂସାରକୁ।ବଧୂଙ୍କୁ କୋଳେଇ ନେଇ କହିଲେ ମାଆରେ ! ତୋ ପିତା ଜନକ ଓ ମାତା ସୁନୟନା ଯେବେ ପଚାରିବେ ସୀତା କାହିଁ ବୋଲି,କଣ ମୁଁ ଉତ୍ତର ଦେବି ?ମୋ ନୟନ ପିତୁଳା, ମୋ ହୃଦ-ଚନ୍ଦନ ରାମ-ଲକ୍ଷ୍ମଣ-ସୀତା ! ତୁମମାନଙ୍କୁ ବନକୁ ପଠାଇ ତୁମର ଏ ଦୁଃଖିନୀ ଜନନୀ ବଞ୍ଚିବ କିପରି ?"
କିଛି ନିରବତା ପରେ କୋହ ସମ୍ବରଣ କରି କୌଶଲ୍ୟା କହିଲେ ପତ୍ନୀଧର୍ମ ପାଳନ କରିବାରେ ମୁଁ ତତେ ବାଧା ଦେବିନାହି ମାଆ,ତୁ ଯା'। କିନ୍ତୁ ମନେ ରଖିଥିବୁ ଗୋଟିଏ କଥା ଅରଣ୍ୟରେ ଅନେକ ମାୟାବୀ ନିଶାଚର ଅଛନ୍ତି।ମାୟାରେ ନାନାପ୍ରକାର ଅଲୌକିକ ପଦାର୍ଥ ସୃଷ୍ଟିକରି କୌଶଳରେ ତୁମକୁ ଠକିବା ପାଇଁ ସେମାନେ ଚେଷ୍ଟା କରିବେ। ତେଣୁ ଅରଣ୍ୟ-ରହଣି ଭିତରେ କିଛି ଅଲୌକିକ, ସୁନ୍ଦର, ଅପୂର୍ବ ପଦାର୍ଥ ଦେଖି ପାଇବାପାଇଁ ସ୍ବାମୀ ବା ଦେବର ପାଖରେ ଜିଦ୍ କରିବୁ ନାହିଁ ମା'।" କୌଶଲ୍ୟାଙ୍କ ଅଶ୍ରୁ ବନ୍ୟାରେ ଜନକନନ୍ଦିନୀ ସମ୍ପୂର୍ଣ୍ଣ ପ୍ଲାବିତା ହୋଇଗଲେ। ଦଶରଥଙ୍କ ଠାରୁ ବିଦାୟ ନେବାପାଇଁ କୈକେୟୀଙ୍କ ପ୍ରକୋଷ୍ଠରେ ପହଞ୍ଚିଲେ ଲକ୍ଷ୍ମଣ ଓ ସୀତାଙ୍କ ସହିତ ଦାଶରଥି। ପ୍ରକୋଷ୍ଠ ବାହାରେ ବିରାଜମାନ କରୁଥିଲା ଶ୍ମଶାନର ଶାନ୍ତି। ଦ୍ୱାରଦେଶରେ ଦୁଃଖରେ ମ୍ରିୟମାଣ ସୁମନ୍ତ୍ର ନତମସ୍ତକ ହୋଇ ବସିଥିଲେ।ସୁମନ୍ତ୍ରଙ୍କୁ ଯଥୋଚିତ ସମ୍ମାନ ଜଣାଇ ରାମଚନ୍ଦ୍ର କହିଲେ ଆର୍ଯ୍ୟ ସୁମନ୍ତ୍ର ! ପିତାଙ୍କଠାରୁ ବିଦାୟ ନେବା ସମୟ ଆମ୍ଭମାନଙ୍କ ପାଇଁ ଉପସ୍ଥିତ। ଆମ୍ଭମାନଙ୍କର ଆଗମନର ସୂଚନା ପିତାଶ୍ରୀଙ୍କୁ ଜଣାଇ ଦିଅନ୍ତୁ ।" ଅଳ୍ପସମୟ ମଧ୍ୟରେ କୈକେୟୀଙ୍କ ପ୍ରକୋଷ୍ଠରୁ ଅନୁମତି ଆସିଗଲା। ପ୍ରକୋଷ୍ଠ ଭିତରର ଦୃଶ୍ୟ ଥିଲା ଅତ୍ୟନ୍ତ ଦୁଃଖପୂର୍ଣ୍ଣ; ଭୂମିରେ ପଡ଼ିଥିଲେ ରାଜା ଦଶରଥ।ଭୂଲୁଣ୍ଠିତ ମୁକୁଟ, ଅସ୍ତବ୍ୟସ୍ତ ଶୁକ୍ଳ-ଶ୍ମଶ୍ରୁ ଓ କେଶରାଜି, ଜ୍ୟୋତିହୀନ ଭୟାର୍ତ୍ତ ମୁଖ ମଣ୍ଡଳ;ଦନ୍ତ-ଉତ୍ପାଟିତ ବୃଦ୍ଧ ଦନ୍ତାବଳ ହସ୍ତୀ ପରି ଭୂମିରେ ପଡ଼ିଥିଲେ ଦଶରଥ।ଦେହରେ ଶକ୍ତି ନଥିଲା ଉଠି ବସିବାପାଇଁ, ସତେ ଅବା ପ୍ରଶାନ୍ତ ମହାସାଗର ଜଳହୀନ ହୋଇଯାଇଛି,ହିମହୀନ ହୋଇଯାଇଛି ହିମବନ୍ତ,ପୂର୍ଣ୍ଣ-ଗ୍ରହଣର କବଳରେ ସତେ ଅବା ପଡିଯାଇଛନ୍ତି ଅଂଶୁମାନ।
ରାମ ପିତାଙ୍କ ପ୍ରକୋଷ୍ଠରେ ପହଞ୍ଚି ଭକ୍ତିପୂତ ପ୍ରଣାମ କରି କହିଲେ ଆମେ ତିନି ଜଣ ବନବାସ ପାଇଁ ବର୍ତ୍ତମାନ ପ୍ରସ୍ଥାନ କରିବୁ, ଆଶୀର୍ବାଦ ଦିଅନ୍ତୁ ପିତା ଶ୍ରୀ ! ଚଉଦ ବର୍ଷପରେ ଆପଣଙ୍କ କୋଳକୁ ଆମେ ଫେରିଆସିବୁ।ରାମଙ୍କୁ ଆଲିଙ୍ଗନ କରିବାପାଇଁ ବାହୁ ପ୍ରସାରିତ କରି ଆଗେଇ ଆସୁ ଆସୁ ତଳେ ପଡିଯାଉଥିଲେ ଦଶରଥ,ରାମ ସମ୍ଭାଳି ନେଲେ। କାନ୍ଦି କାନ୍ଦି କହିଲେ ଦଶରଥ ପୁତ୍ର ରାମ ! ରସାଳ ପକ୍ବଫଳ ବୋଲି ଭାବି ବିଷଫଳ ଆହାର କରିଥିବା ଜୀବନ୍ମୃତ ପକ୍ଷୀଭଳି ବର୍ତ୍ତମାନ ମୋର ଅବସ୍ଥା। ନାଗସାପ ତଣ୍ଟିରେ ଚୁଚୁନ୍ଦ୍ରା ଭଳି କୈକେୟୀ ପାଖରେ କରିଥିବା ଶପଥ ମୋ ତଣ୍ଟିରେ ଅଟକି ଯାଇଛି ପୁତ୍ର ! ମୁଁ ସିନା ଅସହାୟ,ତୁ ତ ଅସହାୟ ନୁହଁ।ବୀରଭୋଗ୍ୟା ବସୁନ୍ଧରା,ନିଜ ବାହୁବଳରେ ଅଯୋଧ୍ୟା ସିଂହାସନ ଅଧିକାର କରି ରାଜତ୍ଵ କର ପୁତ୍ର। ମୋତେ ଗାଦିଚ୍ୟୁତ କରି ଆଜି ହିଁ ରାଜ୍ୟାଭିଷେକ କରି ଉତ୍ତର କୋଶଳ ଶାସନ କର।ତୋ ବିରୁଦ୍ଧରେ ହୋଇଥିବା ସମସ୍ତ ଷଡ଼ଯନ୍ତ୍ରର ପରିସମାପ୍ତି ହେଉ।"
ଏହାହିଁ ଥିଲା ଦଶରଥଙ୍କ ମନରେ କଥା। କୈକେୟୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିବାର ଶେଷ ଅସ୍ତ୍ର।
କିନ୍ତୁ ଧୀର ଓ ନିର୍ଲିପ୍ତ କଣ୍ଠରେ ରାମଚନ୍ଦ୍ର କହିଲେ.. ରାଜସିଂହାସନର ଲୋଭ ମୋର ଆଗେ ନଥିଲା କିମ୍ବା ଏବେ ମଧ୍ୟ ନାହିଁ ପିତାଶ୍ରୀ ! ଆପଣ ଅଯୋଧ୍ୟାର ରାଜା। ଆହୁରି ହଜାର ବର୍ଷ ଆପଣ ଅଯୋଧ୍ୟାରେ ରାଜତ୍ଵ କରନ୍ତୁ।ଆପଣ ମୋର ପିତା,ଗୁରୁ ଓ ଦେବତା।ଆପଣ ମୋତେ ଶିଖାଇଛନ୍ତି ଇକ୍ଷ୍ବାକୁ ବଂଶର ମର୍ଯ୍ୟାଦା,ସଂସ୍କୃତି ଓ ସଂସ୍କାର। ପିତୃସତ୍ୟ ପାଳନ କରିବା ମୋର ପ୍ରଥମ ଓ ପରମ କର୍ତ୍ତବ୍ୟ।ମୋ ମନ ଏଠାରେ ନାହିଁ ପିତାଶ୍ରୀ,ଶରୀର ଏଠାରେ କିନ୍ତୁ ମନ ମୋର ଦଣ୍ଡକ ଅରଣ୍ୟରେ ଭ୍ରମଣ କରୁଛି।ମୋ ସହିତ ଲକ୍ଷ୍ମଣ ଏବଂ ସୀତା ମଧ୍ୟ ଯାଉଛନ୍ତି।ଆମକୁ ବିଦାୟ ଦିଅନ୍ତୁ ପିତାଶ୍ରୀ ! ଆଶୀର୍ବାଦ କରନ୍ତୂ,ଚଉଦ ବର୍ଷ ବନବାସ ଶେଷକରି ଆମେ ଫେରିଆସି ଆପଣଙ୍କ ପାଦ ବନ୍ଦନା କରୁ।"
ବାହୁବଳରେ ରାଜ୍ୟ ଅଧିକାର କରିବା ପ୍ରସ୍ତାବକୁ ରାମଚନ୍ଦ୍ର ପ୍ରତ୍ୟାଖ୍ୟାନ କରିବା ପରେ ଦଶରଥଙ୍କ ଶେଷଆଶା ମଉଳିଗଲା।କୋହ ସମ୍ବରଣ କରି କହିଲେ ଠିକ୍ ଅଛି ପୁତ୍ର ! ସବୁବେଳେ ମୋର ଆଶୀର୍ବାଦ ତୁମମାନଙ୍କ ମଥାଉପରେ ରହିଛି।ପିତୃସତ୍ୟ ପାଳନ କରି ବଂଶର କୀର୍ତ୍ତି ଉଜ୍ଜ୍ୱଳ କର।ନିର୍ବିଘ୍ନରେ ଚଉଦ ବର୍ଷ ବନବାସ ଶେଷକରି ଫେରିଆସି ଅଯୋଧ୍ୟାର ସିଂହାସନ ଗ୍ରହଣ କର।ଏ ବୃଦ୍ଧ ପିତାକୁ କ୍ଷମା କରିଦିଅ ପୁତ୍ର !
ପିତାଙ୍କ ପାଦରେ ମଥା ନତକରି ଶ୍ରୀରାମ କହିଲେ ମନରୁ ସମସ୍ତ ଦୁଃଖ ଦୂର କରନ୍ତୁ ପିତାଶ୍ରୀ ! ଭରତକୁ ମାତୁଳାଳୟରୁ ଡକାଇ ଆଣି ସିଂହାସନରେ ଅଭିଷିକ୍ତ କରନ୍ତୁ। ଅଯୋଧ୍ୟା ସିଂହାସନ ପାଇଁ ତାଠାରୁ ଯୋଗ୍ୟ ବ୍ୟକ୍ତି ଆଉ କେହି ନାହାନ୍ତି। ରାଜସିଂହାସନରେ ବସିବାର ଆଶା ବା ଲୋଭ ମୋର କେବେ ମଧ୍ୟ ନଥିଲା,ତେଣୁ ହରାଇବାର ଦୁଃଖ ଆସିବାର ପ୍ରଶ୍ନ ନାହିଁ।ଲୋଭ ଓ ମୋହ ହିଁ ପରିବାରର ସମସ୍ତ ଅଶାନ୍ତିର କାରଣ।"
କିଛି ନିରବତା ପରେ ଶ୍ରୀରାମ କହିଲେ.. ପିତୃସତ୍ୟ ପାଳନ କରିବା ମୋର ଏକମାତ୍ର ଲକ୍ଷ୍ୟ; ତାହା ନକରି ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଲାଭକଲେ ମଧ୍ୟ ମାନସିକ ଶାନ୍ତି ମୋତେ ମିଳିବନାହିଁ।ଆପଣ ମୋର ଦେବତା ସମାନ;ଆପଣଙ୍କ ନିର୍ଦ୍ଦେଶ ମୋ ପାଇଁ ଆଦେଶ।ଆପଣଙ୍କ ଯଶ ରକ୍ଷା ନକରି ମୁଁ ସ୍ବର୍ଗଆଧିପତ୍ୟ ଲାଭକଲେ ମଧ୍ୟ ମନର ଶାନ୍ତି ହରାଇ ବସିବି।ଅରଣ୍ୟର ପ୍ରାକୃତିକ ପ୍ରାଣ-ପ୍ରାଚୁର୍ଯ୍ୟ ଭିତରେ,ମୁନିଋଷିଙ୍କ ଗହଣରେ ଚଉଦଵର୍ଷ ମୋର ଚଉଦ ଦିନ ଭଳି ବିତିଯିବ। ଆପଣ ମନରୁ ସମସ୍ତ ଶଙ୍କା ଓ ଦୁଃଖ ଦୂରକରି ମୋତେ ବିଦାୟ ଦିଅନ୍ତୁ ପିତାଶ୍ରୀ !"
ଦଶରଥ ସୁମନ୍ତ୍ରଙ୍କୁ ଚାହିଁ କହିଲେ ଠିକ୍ ଅଛି, ଅଯୋଧ୍ୟାର ସେନାପତି ମାନଙ୍କୁ ଆଦେଶ ଦିଅ ସୁମନ୍ତ୍ର,ସୈନ୍ୟ ସାମନ୍ତଙ୍କୁ ନେଇ ରାମ ସହିତ ବନକୁ ଯିବାକୁ ପ୍ରସ୍ତୁତ ହୁଅନ୍ତୁ।ଅରଣ୍ୟରେ ରାମଲକ୍ଷ୍ମଣ ଓ ସୀତା ପାଇଁ ସମସ୍ତ ସୁଖ ସୁବିଧା ଯୋଗାଇ ଦିଅ।ବନବାସର କଷ୍ଟ ଯେପରି ମୋ ରାମ ଅନୁଭବ ନକରୁ।"
ଭୃକୁଞ୍ଚନ କରି କୈକେୟୀ କହିଲେ ବାଃ ରାଜା, ବାଃ !କି ବଦାନ୍ୟତା ! ଆମ୍ବରୁ ସବୁ ରସ ଚିପୁଡ଼ି ମାଙ୍କଡକୁ ଦେଲାଭଳି ଭରତକୁ ଶୂନ୍ୟ ରାଜ୍ୟ ଦେବାର କି ପରିକଳ୍ପନା ! ଭରତ କଣ ଜାରଜ ସନ୍ତାନ ।
କ୍ରମଶଃ
