Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୩୫)

ସରଯୂ ନଦୀର ତୀରେ (୩୫)

4 mins
380



ଅବାରିତ ଅଶ୍ରୁ ବହିଯାଉଥାଏ କୌଶଲ୍ୟାଙ୍କ ଆଖିରୁ।ପଣନ୍ତ କାନିରେ ଲୁହ ପୋଛୁ ପୋଛୁ ରାମଙ୍କୁ ଚାହିଁ କହିଲେ ତୁ ଠିକ୍ କହିଚୁ ମୋ ଧନ। ସ୍ବାମୀ ହିଁ ସ୍ତ୍ରୀର ଇହ ପରକାଳର ଦେବତା।ପତିର ସେବା ହିଁ ନାରୀର ପ୍ରଥମ କର୍ତ୍ତବ୍ୟ।ତୋ ବୃଦ୍ଧ,ପୀଡ଼ିତ ପିତାଙ୍କର ସେବା କରିବାପାଇଁ ମୋତେ ଘରେ ରହିବାକୁ ପଡିବ। ତୁ ଯାଆ ଧନ,ମୋ ଆଶୀର୍ବାଦ ନେଇ ତୁ ବନକୁ ଯା'।ପିତୃସତ୍ୟ ପାଳନ କରି ରଘୁବଂଶର ମର୍ଯ୍ୟାଦା ରକ୍ଷାକର। ମୁଁ ପାଖେ ପାଖେ ନଥିଲେ କଣ ହେଲା,ମୋ ଆଶୀର୍ବାଦ କବଚ ହୋଇ ତୋତେ ଅରଣ୍ୟରେ ସବୁବେଳେ ରକ୍ଷା କରିବ।


ସ୍ନେହମୟୀ ଜନନୀଙ୍କର ମମତା ଓ ଲୁହଭିଜା କଥାରେ ଆଦ୍ର ହୋଇଗଲା ଦାଶରଥିଙ୍କ ତନୁମନ। ମୁହଁରେ ଫୁଟି ଉଠିଲା ଧ୍ରୁବତାରାର ଔଜଲ୍ୟ।ଦେହରେ ଭରିଗଲା ଅସୀମ ଶକ୍ତି। ମାଆର ଆଶୀର୍ବାଦର ଅଲୌକିକ ଶକ୍ତି ପ୍ରଥମଥର ପାଇଁ ହୃଦୟଙ୍ଗମ କଲେ ରାମ।ପଣନ୍ତ କାନିରେ ଶ୍ରୀରାମଙ୍କ ମୁଖ ପୋଛିଦେଇ ମଥାରେ ମମତାଭରା ଚୁମ୍ବନ ଦେଇ କୌଶଲ୍ୟା କହିଲେ..ଯାଆ ମୋ ରଙ୍କୁଣୀ ଧନ।ବନବାସ ସମୟରେ ତୋତେ ନାରାୟଣ ଚକ୍ର ଘୋଡାଇ ରକ୍ଷା କରନ୍ତୁ।


ଅଯୋଧ୍ୟା ରାଜପରିବାର ଭିତରେ ବହି ଯାଇଥିବା ଝଡର ସୂଚନା ପ୍ରଜାମାନଙ୍କ ପାଖରେ ପହଞ୍ଚି ନଥିଲା। କିନ୍ତୁ ରାଜ୍ୟାଭିଷେକ କାର୍ଯ୍ୟ ବିଳମ୍ବ ହେବାରୁ ପ୍ରଜାମାନଙ୍କ ମନ ନାନା ପ୍ରକାର ଆଶଙ୍କାରେ ଭରିଯାଇଥିଲା। ମନ୍ତ୍ରୀ ଏବଂ ପାରିଷଦଗଣ ପ୍ରାସାଦ ଭିତରର ଘଟଣା ଅଳ୍ପେ ବହୁତେ ଜାଣିଥିଲେ ମଧ୍ୟ ପ୍ରଘଟ କରିବା ପାଇଁ କୁଣ୍ଠାବୋଧ କରୁଥିଲେ।ଜାନକୀଙ୍କ ପାଖରେ ଅଚିରେ ସମ୍ବାଦ ପହଞ୍ଚିଗଲା। ଶ୍ରୀରାମ ଯେତେବେଳେ ତାଙ୍କ ପ୍ରକୋଷ୍ଠରେ ପହଞ୍ଚିଲେ, ଅନ୍ତରରେ ଏବଂ ବାହାରେ ଶାନ୍ତ ଜଣା ପଡୁଥିଲେ ବୈଦେହୀ।ସେ ଜାଣିଥିଲେ ସମସ୍ୟା ଯେତେ ଜଟିଳ ହେଲେ ମଧ୍ୟ ରାମଚନ୍ଦ୍ର ତାର ସମୁଚିତ ସମାଧାନ କରିବେ।ଏ' ଆତ୍ମବିଶ୍ବାସ ତାଙ୍କ ଦାମ୍ପତ୍ୟ ଜୀବନରେ ପାରସ୍ପରିକ ପ୍ରେମ ଓ ବିଶ୍ବାସର ଭରସାର ପ୍ରତୀକ ଥିଲା।


ଶ୍ରୀରାମଙ୍କୁ ଦେଖି ସୀତା କହିଲେ... ମୁଁ ଏ କଣ ଶୁଣୁଛି ପ୍ରଭୁ ! ପିତୃସତ୍ୟ ପାଳନ କରିବାପାଇଁ ତୁମେ ଚଉଦ ବର୍ଷ ବନବାସ ଯିବ ?" ଅଳ୍ପ ହସି ରାମଚନ୍ଦ୍ର କହିଲେ.. ହଁ ଜାନକୀ ! ତୁମେ ଠିକ୍ ଶୁଣିଛ।ମୋ ସ୍ଥାନରେ ଅନୁଜ ଭରତ ଅଯୋଧ୍ୟାର ରାଜଦଣ୍ଡ ଗ୍ରହଣ କରିବେ।ମୋତେ ବନୌକା ବେଶରେ ଚଉଦ ବର୍ଷ ବନବାସରେ ଯିବାପାଇଁ ପଡିବ। ପିତାଙ୍କଠାରୁ ଏହିଭଳି ସତ୍ୟ କରାଇ ନେଇଛନ୍ତି ମାତା କୈକେୟୀ।ଏହା ଦୈବୀବିଧାନ ଜାନକୀ, ଏଥିରେ ମାତା ବା ପିତାଙ୍କର କିଛି ଭୁଲ୍ ନାହିଁ।

ଚଉଦ ବର୍ଷ ଚଉଦ ଦଣ୍ଡ ପରି କଟିଯିବ; ମୁଁ ତୁମ ପାଖକୁ ଶୀଘ୍ର ଫେରିଆସିବି ଜାନକୀ ! ମୋ ଅନୁପସ୍ଥିତିରେ ମନରେ ଦୁଃଖ ଆଣିବ ନାହିଁ।ପିତା ଏବଂ ମାତା ମାନଙ୍କର ଠିକ୍ ସେବାଯତ୍ନ କରୁଥିବ,ଭରତକୁ ରାଜାର ପ୍ରାପ୍ୟ ସମ୍ମାନ ଦେବ,ଜ୍ୟେଷ୍ଠ କୁଳବଧୂ ଭାବରେ ପରିବାରର ସମସ୍ତ ଦାୟିତ୍ବ ସୁଚାରୁରୂପେ ତୁଲାଇବ ପ୍ରିୟେ। ଆଜି,ଏହି ମୁହୂର୍ତ୍ତରେ ହିଁ ମୋତେ ଯିବାପାଇଁ ପଡିବ,ବିଦାୟ ଦିଅ।"


ଘୋର ଅଭିମାନରେ ସୀତାଙ୍କ ମୁଖମଣ୍ଡଳ ଆରକ୍ତ ହୋଇଗଲା। କହିଲେ..ଏ କି ନିଷ୍ଠୁରତା ପ୍ରଭୁ ! ପ୍ରାଣଠାରୁ ଅଧିକ ମୋର ସ୍ବାମୀ ! ଦାମ୍ପତ୍ୟ-ଧର୍ମ ବିଷୟରେ ମୋଠାରୁ ଅଧିକ ଜାଣନ୍ତି ଆପଣ।ପତି ବ୍ୟତୀତ ପତ୍ନୀର ପରିଚୟ ବା କ'ଣ ସ୍ବାମୀ ! ବିବାହ ବେଦୀରେ, ହୋମ ଅଗ୍ନିଙ୍କୁ ସାକ୍ଷୀ ରଖି ନେଇଥିବା ଶପଥ କଣ ଭୁଲିଗଲ ପ୍ରାଣେଶ୍ଵର ! ଭୁଲିଗଲ ବାସର ରାତିରେ ଦେଇଥିବା ପ୍ରତିଶ୍ରୁତି ?କହିଥିଲ..ସୀତେ ! ଶରୀର ସିନା ଭିନ୍ନ,ଆମ ଦୁହିଁଙ୍କର ଆତ୍ମା ଏକ।ରାମ ଏବଂ ସୀତା ଅଭିନ୍ନ।" ଏବେ ଆତ୍ମାକୁ ଶରୀରରୁ ଭିନ୍ନ କରି କିପରି ତୁମେ ଯାଇପାରିବ ପ୍ରଭୁ ? ତୁମ ବିନା ମୁଁ ପରିଚୟ ହୀନା ,ତୁମ ବିନା ମୁଁ ଗନ୍ଧହୀନା ମଉଳା ଫୁଲ।ତୁମ ବିନା ମୁଁ ଝଡବିଧ୍ବସ୍ତ ଉପବନ,ଜଳବିହୀନ ଜାହ୍ନବୀ। ତୁମଠାରୁ ଦୂରରେ ରହି ମୋ ଜୀବନର ପରିଚୟ ମୃତ୍ୟୁର ଉପତ୍ୟକା ବ୍ୟତୀତ ଅନ୍ୟ କିଛି ନୁହେଁ ସ୍ବାମୀ। ମୋତେ ଏକାକୀ ଛାଡି ଗଲେ ଫେରିଆସି ମୋତେ ଆଉ ପାଇବ ନାହିଁ ;ବହୁ ଆଗରୁ ମୋ ଜୀବନର ଜବନିକା ପଡ଼ି ସାରିଥିବ।"

ଧାର ଧାର ଲୁହ ଝରି ଯାଉଥିଲା ସୀତାଙ୍କ ଆଖିରୁ।


ସୀତାଙ୍କ ଅଭିମାନ ଭରା ମୁହଁରେ ଦୁଇ ଆଖିରୁ ଝରୁଥିବା ଅଶ୍ରୁ ପୂର୍ଣ୍ଣମୀ ଜହ୍ନରୁ ଅମୃତଧାର ଝରୁଥିବା ଭଳି ପ୍ରତୀୟମାନ ହେଉଥିଲା।ପ୍ରାଣପ୍ରିୟାର ବେଦନାକ୍ତ-ଲୁହରେ ଭିଜିଗଲା ପ୍ରଭୁଙ୍କ ସମ୍ବେଦନଶୀଳ ହୃଦୟ। କହିଲେ ମୋତେ ଭୁଲ୍ ବୁଝନାହିଁ ପ୍ରିୟତମା ! ଅରଣ୍ୟରେ ଜୀବନ କାଟିବା ଏତେ ସହଜ ନୁହେଁ, ହିଂସ୍ର ବଣ୍ୟଯନ୍ତୁରେ ପରିପୂର୍ଣ୍ଣ ଅରଣ୍ୟରେ,ମାୟାବୀ ରାକ୍ଷସମାନେ ମଧ୍ୟ ରହି ଘୋର ବିତ୍ପାତ ସୃଷ୍ଟି କରନ୍ତି।କଣ୍ଟାଗୁଳ୍ମରେ ପୂର୍ଣ୍ଣ ଅରଣ୍ୟପଥ ଅତିକ୍ରମ କରିବା ତୁମପରି କୋମଳାଙ୍ଗୀ ପାଇଁ ସମ୍ଭବ ନୁହେଁ ଜାନକୀ।ରକ୍ତାକ୍ତ ହେବ ତୁମର କୋମଳ ପାଦ;କଣ୍ଟାଝଣ୍ଟାରେ ଚିରି ହୋଇ କୋମଳ ଦେହରେ କ୍ଷତ ସୃଷ୍ଟିହେବ;ଫଳମୂଳ ଭୋଜନ କରି ଦୁର୍ବଳ ହୋଇଯିବ ତୁମର ଶରୀର। କାହିଁ ଅଯୋଧ୍ୟାର ରାଣୀ ହଂସପୁରର ତୂଳିତଳ୍ପଶେଯ, କାହିଁ ଭୟଙ୍କର ଦଣ୍ଡକାରଣ୍ୟର ପତ୍ର-କୁଡିଆରେ ତୃଣ ଓ ପତ୍ରର ଆସନ ! ତୁମେ ବନଯାତ୍ରାର କଷ୍ଟ ସହ୍ୟ କରିପାରିବ ନାହିଁ ଜାନକୀ।"


ଶ୍ରୀରାମଙ୍କ ଠାରୁ କଥା ଛଡ଼ାଇନେଇ ସୀତାକହିଲେ ଅରଣ୍ୟରେ ମୋର କିଛି ଅସୁବିଧା ହେବନାହିଁ ପ୍ରଭୁ ! ଆପଣ ମୋ ପାଖେରେ ଥିଲେ ମୋ ସୁରକ୍ଷା ଆପେ ଆସିଯିବ।ସୁବାହୁ ରାକ୍ଷସ ଓ ତାଡକା ରାକ୍ଷସୀକୁ ବଧ କରିବା ପରେ ରାକ୍ଷସମାନେ ଆପଣଙ୍କ ନାମ ଶୁଣି ପଳାୟନ କରନ୍ତି ବୋଲି ଶୁଣିଛି।କେବଳ ରାମ ନାମ ନୁହେଁ,ଆରାମ,ବିରାମ, ଅଭିରାମ ଭଳି ଶବ୍ଦଶୁଣି ସେମାନେ ଭୟରେ ପଳାୟନ କରନ୍ତି କାରଣ ଏହି ଶବ୍ଦଭିତରେ "ରାମ"ଶବ୍ଦ ରହିଛି।ଆପଣଙ୍କ ହାତରେ ଧନୁର୍ବାଣ ଥିଲେ,ରାକ୍ଷସ ବା ହିଂସ୍ରଜନ୍ତୁ ଦୂରର କଥା ନିଜେ ଜନ୍ତୁପତି ମଧ୍ୟ ଭୟ କରନ୍ତି।"


ଅଳ୍ପ ନିରବତା ପରେ ସୀତା କହିଲେ..ଅରଣ୍ୟରେ ତୃଣ ବା ପଲ୍ଲବ ଶେଯରେ ମୋତେ ନିଦ୍ରା ଆସିବନାହିଁ ବୋଲି କ‌ହୁଛ ପ୍ରଭୁ ? ଏଠାରେ ତ ରାଜପ୍ରାସାଦରେ ମଧ୍ୟ ତୁଳିତଳ୍ପରେ ଶୋଇବାକୁ ତୁମେ ଏପର୍ଯ୍ୟନ୍ତ ଦେଇନାହିଁ;ତୁମ କୋଳର ଦୋଳିରେ ମୋତେ ସବୁବେଳେ ଝୁଲାଇଛ; ତାହା ମୋର ଅଭ୍ୟାସରେ ପରିଣତ ହୋଇଛି। ଅରଣ୍ୟରେ ମୋତେ ପତ୍ର ବା ତୃଣଶେଯରେ ଶୋଇବାକୁ ଦେବ ବୋଲି ମୋର ବିଶ୍ବାସ ନାହିଁ।" ଏହା କହୁ କହୁ ଲାଜରେ ତଳକୁ ମୁହଁ ପୋତିଦେଲେ ଜାନକୀ। ଶ୍ରୀରାମଙ୍କ ଆଖିରେ ପ୍ରେମ ଝଲକି ଉଠିଲା। ପ୍ରିୟତମାର ସଲ୍ଲଜ ଅବନତ ମୁହଁର ମଧୁ ଆକଣ୍ଠ ପାନ କରୁ କରୁ ଶ୍ରୀରାମ କହିଲେ ତୁମେ କଣ ଭାବୁଛ ସୀତେ,ତୁମ ବିରହ ଦୁଃଖ ମୋତେ ବିଧୁର କରିବ ନାହିଁ ? କିନ୍ତୁ ବନରେ ଯଦି କିଛି

ସୀତା କହିଲେ କିଛି ହେବନାହିଁ ପ୍ରଭୂ ! ବରଂ ହସି ଖେଳି ସମୟ ଆନନ୍ଦରେ କଟିଯିବ। କିଛିଦିନ ପୂର୍ବରୁ ତ ଆମେ କଥା ହେଉଥିଲେ ଦଣ୍ଡକାରଣ୍ୟକୁ ବୁଲିଯିବାପାଇଁ।ଅରଣ୍ୟର ଭୀମକାନ୍ତ ଦୃଶ୍ୟ,ପର୍ବତରୁ ଲମ୍ଫଦେଇ ପତିତ ହେଉଥିବା ଜଳପ୍ରପାତରେ ସୂର୍ଯ୍ୟଙ୍କ ହିରଣ୍ମୟୀ କିରଣର ମନଲୋଭା ଶୋଭା, ବିଭିନ୍ନ ପକ୍ଷୀ ମାନଙ୍କର ସୁମଧୁର କାକଳିର ସଙ୍ଗୀତ, ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟ ଭିତରେ ହସ୍ତୀ ବ୍ୟାଘ୍ର ଆଦି ପଶୁମାନଙ୍କର ଭୟଙ୍କର ଗର୍ଜନ ଶ୍ରବଣ ଓ ଦର୍ଶନ କରିବା ସଙ୍ଗେ ସଙ୍ଗେ ମୁନିଋଷି ମାନଙ୍କ ସହିତ ସମୟ ଅତିବାହିତ କରିବାକୁ ପ୍ରବଳ ଇଚ୍ଛା ଅଛି ପ୍ରଭୁ ! ଆଜି ସେ ସୁଯୋଗ ଆସିଛି,ଚଉଦ ବର୍ଷ ଆମର ଚଉଦ ଦିନ ଭଳି ବିତିଯିଵ। ତାଛଡା,ତୁମର ଅର୍ଦ୍ଧାଙ୍ଗିନୀ ଭାବେ ତୁମ ସୁଖ ଓ ଦୁଃଖର ଅଧା ଭାଗିଦାରୀ ମୋର। ଏହି ମନ୍ତ୍ର ମୋତେ ବିବାହ ବେଦୀରୁ ମିଳିଛି।ଏହା ମଧ୍ୟ ପିତାମାତା ମୋତେ ସଂସ୍କାରରେ ଦେଇଛନ୍ତି।ମୋ ଅଳି ନ'ରଖି ମୋତେ ସାଙ୍ଗରେ ନନେଲେ ନଖାଇ ନପିଇ ତୁମ ନାମ ଜପି ଜପି ପ୍ରାଣତ୍ୟାଗ କରିବି।"ସୀତାଙ୍କ ଆବେଗ ଭରା ଅନୁରୋଧ ରାମଚନ୍ଦ୍ରଙ୍କ ଆଖିରେ ଅଶ୍ରୁ ଆଣିଦେଲା। କହିଲେ ମୁଁ ଭାଗ୍ୟବାନ ସୀତେ ! ତୁମଭଳି ସମର୍ପିତ-ପ୍ରାଣା ପତ୍ନୀକୁ ଛାଡି ବନବାସରେ ଗଲେ ମୁଁ ମଧ୍ୟ ଶାନ୍ତିରେ ରହି ପାରିବି ନାହିଁ।ମୋ ସହିତ ଯିବାପାଇଁ ପ୍ରସ୍ତୁତ ହୁଅ।


କ୍ରମଶଃ



Rate this content
Log in

Similar oriya story from Classics