Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୩୨)

ସରଯୂ ନଦୀର ତୀରେ (୩୨)

4 mins
118



(ରାମାୟଣର ଅମର କଥା)

       ୩୨


ଶୃଙ୍ଖଳିତ ହସ୍ତୀ ପରି ଭୂମିରେ ପଡ଼ିଥିଲେ ଦଶରଥ। ମାନସିକ ଯନ୍ତ୍ରଣା ଶରୀରକୁ ଦୁର୍ବଳ କରିଦେଇଥିଲା। ଆଖିରୁ ବହି ଯାଉଥିଲା ଧାର ଧାର ଅଶ୍ରୁ।ଭାବୁଥିଲେ,ମହାକାଳ ଫଳ ଭଳି ସୁନ୍ଦର ଡଉଲ ଡାଉଲ ଦେଖାଯାଉଥିବା କୈକେୟୀ ମନରେ କେଉଁ ଅପଦେବତା ଏତେ ବିଷ ଭରିଦେଲା ! ସୁନାର ସଂସାରକୁ ଚୁନା କରିବାପାଇଁ କାହାର ଏ ଷଡ଼ଯନ୍ତ୍ର ! ଅନୁନୟ ବିନୟ ଭାବରେ ହାତଯୋଡି କୈକେୟୀଙ୍କୁ ଦଶରଥ କହିଲେ..ମୋ ଉପରେ ଦୟାକର ରାଣୀ,ମୋ ପରିବାର ଉପରେ ଦୟାକର।ରାମ ବନବାସ ଗଲେ ପରିବାର ଆମର ଛାରଖାର ହୋଇଯିବ। ପୁତ୍ରକଷ୍ଟରେ ମୋର ପ୍ରାଣ ଚାଲିଯିବ। ରାଣୀ କୌଶଲ୍ୟା ପୁତ୍ର ଓ ପତିକୁ ହରାଇ ଆଉ କ'ଣ ଜୀବନରେ ରହିପାରିବେ? ରାମକୁ ଜୀବନରୁ ବଳି ଭଲ ପାଉଥିବା ଭରତ କଦାପି ତୋର ଏ ଷଡ଼ଯନ୍ତ୍ରକୁ ସମର୍ଥନ କରିବନାହିଁ। ଅଯୋଧ୍ୟାର ସବୁ ପ୍ରଜାଙ୍କର ଘୃଣାର ପାତ୍ରୀ ହେବୁ ତୁ। ସଂସାର ମୋତେ ସ୍ତ୍ରୈଣ ବୋଲି ଉପହାସ କରିବ।ତୋର ଏ ଜିଦ୍ ଯୋଗୁଁ ରଘୁବଂଶ କଳଙ୍କିତ ହେବ କୈକେୟୀ;ମୋ ଉପରେ ଦୟା କର,ମୋ ରାମ ଉପରେ ଦୟା କର।


ଚିହିଁକି ଉଠିଲେ କୈକେୟୀ ..ଦୟା ! କାହିଁକି ଏତେ ପକ୍ଷପାତିତା ?ରାମ କଣ ଏକା ତୁମର ପୁତ୍ର,ଭରତ ନୁହେଁ ?ରାମକୁ ରାଜା କରିବା ଚିନ୍ତା କରିବା ସମୟରେ ଭରତ କଥା ତ ତୁମ ମନକୁ ଆସିନଥିଲା।ତାକୁ ମାମୁଁ ଘରକୁ ପଠାଇ ଦେଇ ତରବରରେ ଏଠାରେ ରାମର ରାଜ୍ୟାଭିଷେକ କରାଇବାକୁ ବସିଛ,ନା ମୁଁ ତାହା କରାଇଦେବି ନାହିଁ।ରାମଙ୍କୁ ବନୌକା ବେଶରେ,ଜଟାଜୁଟ ବାନ୍ଧି,ଗଛର ବଳ୍କଳ ପିନ୍ଧି ଦଣ୍ଡକାରଣ୍ୟକୁ ସଙ୍ଗେ ସଙ୍ଗେ ଯିବାପାଇଁ ପଡିବ ଏବଂ ଭରତକୁ ମାତୁଳାଳୟରୁ ଡକାଇଆଣି ରାଜ ସିଂହାସନରେ ଅଭିଷିକ୍ତ କରିବାକୁ ପଡ଼ିବ।।ସତ୍ୟ ରକ୍ଷା କରି ମୁଁ ମାଗିଥିବା ଏ ଦୁଇଟି ବର ନଦେଲେ ମୁଁ ଆତ୍ମହତ୍ୟା କରିବି।ସେ ଆତ୍ମହତ୍ୟା ପାପ ତୁମ ମୁଣ୍ଡରେ ଯିବ।ସତ୍ୟଭ୍ରଷ୍ଟ ହେବା ଯୋଗୁଁ ତୁମକୁ ସମସ୍ତେ ଘୃଣା କରିବେ।ତୁମେ ନର୍କଯନ୍ତ୍ରଣା ଭୋଗ କରିବ।"


 କ୍ରୋଧ ଏବଂ ଯନ୍ତ୍ରଣାର ସମିଶ୍ରଣ ଦଶରଥଙ୍କ କଣ୍ଠରେ... ଆଃ ! ରାକ୍ଷସୀ,ରାମଙ୍କୁ କାହିଁକି ଏତେ କଷ୍ଟ ଦେବାକୁ ଚା‌ହୁଁ ତୁ ? ତୋର କ'ଣ କ୍ଷତି କରିଛି ରାମ ? କୌଶଲ୍ୟାଠାରୁ ଅଧିକ ସ୍ନେହ ତୋତେ କରେ ରାମ। ଏକଥା ଭୁଲିଗଲୁ ! ତୋ ମୁଣ୍ଡରେ କେଉଁ ରାକ୍ଷସୀ ଏତେ ଦୁର୍ବୁଦ୍ଧିର ହଳାହଳ ଭରିଦେଇଛି !" 


ସାଗରର ଗଭୀର ଜଳ ଭିତରେ ଆଗ୍ନେୟ ଗିରି ବିସ୍ଫୋରଣ ହେଲେ ସଙ୍ଗେ ସଙ୍ଗେ ଯେପରି ତାର ପ୍ରଭାବ ଉପରକୁ ଜଣାପଡ଼େ ନାହିଁ, କୈକେୟୀଙ୍କ ଅନ୍ତଃପୁରରେ ଘଟି ଯାଉଥିବା ଏହି ଦୁଃଖଦ ନାଟକର ତିଳେମାତ୍ର ଆଭାସ ରାଜ ପରିବାରରେ କିମ୍ବା ରାଜଧାନୀରେ କେହି ମଧ୍ୟ ପାଇନଥିଲେ। ଅଯୋଧ୍ୟାରେ ସବୁଦିନପରି ହିରଣ୍ମୟୀ କିରଣ ବିଞ୍ଛିଦେଇ ସୂର୍ଯ୍ୟ ଦେବତା ସପ୍ତାଶ୍ବ ଝପଟାଇ ଆକାଶ ମାର୍ଗରେ ଉପସ୍ଥିତ।ନିଜ କୁଳରେ ଘଟିଥିବା ଅନ୍ତଃପୁର ଷଡ଼ଯନ୍ତ୍ର କଥା ବୋଧହୁଏ ଦିନମଣି ମଧ୍ୟ ଜାଣି ପାରି ନାହାଁନ୍ତି।ଉତ୍ସବ ମୁଖର ଅଯୋଧ୍ୟାର ରାଜପଥ ଓ ଉପଗଳି, ତୋରଣ ଓ ପୁଷ୍ପମାଳରେ ସୁସଜ୍ଜିତ।କୁଳଗୁରୁ ବଶିଷ୍ଠଙ୍କ ସହିତ ମହର୍ଷି ଜାବାଳି, ବାମଦେବ ଓ କଶ୍ୟପ ତଥା ମହାମନ୍ତ୍ରୀ ସୁମନ୍ତ୍ର,ସମସ୍ତ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ଶେଷକରି, ବିଶାଳ ସୁବର୍ଣ୍ଣ ଭାଣ୍ଡ ମାନଙ୍କରେ ପବିତ୍ର ନଦୀ ମାନଙ୍କର ଜଳ ପୂର୍ଣ୍ଣକରି ରାଜପ୍ରସାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛନ୍ତି। ବିବିଧ ପ୍ରକାର ବାଦ୍ୟର ତାଳେ ତାଳେ ରାଜଧାନୀର ଆନନ୍ଦମୁଖର ଜନତା ନୃତ୍ୟ ଗୀତରେ ମଗ୍ନ। ବ୍ରାହ୍ମଣମାନଙ୍କ ବେଦପାଠରେ ମୁଖରିତ ସମସ୍ତ ଦେବସ୍ଥଳୀ;

ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଅଯୋଧ୍ୟାର ରାଜପଥ।


ଏଣେ ଶ୍ରୀରାମ ଓ ସୀତା ପବିତ୍ର ଅଭିମନ୍ତ୍ରିତ ଜଳରେ ସ୍ନାନ କରି ଦେବାର୍ଚ୍ଚନା ଶେଷକରି ଅଭିଷେକ ମଣ୍ଡପକୁ ଯିବାପାଇଁ ଅପେକ୍ଷା କରିଛନ୍ତି। ରାଜପ୍ରାସାଦର ସିଂହଦ୍ଵାରରେ ପହଞ୍ଚି ଆଶ୍ଚର୍ଯ୍ୟ ହେଲେ ବଶିଷ୍ଠ;କାହାନ୍ତି ମହାରାଜା ଦଶରଥ ! ଆଜିଭଳି ଦିନରେ ମହାରାଜାଙ୍କ ଅନୁପସ୍ଥିତି ଏକ ଅସାଧାରଣ ଘଟଣା। ବଶିଷ୍ଠ ସୁମନ୍ତ୍ରଙ୍କୁ କହିଲେ..ଶୀଘ୍ର ଯାଇ ମହାରାଜାଙ୍କୁ ସମ୍ବାଦ ଦିଅ ସୁମନ୍ତ୍ର ! ମାହେନ୍ଦ୍ର ବେଳା ଗଡିଯାଉଛି,ଅଭିଷେକ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ହେବ।


ଅଳିନ୍ଦ ପରେ ଅଳିନ୍ଦ ଅତିକ୍ରମ କରି ସୁମନ୍ତ୍ର କୈକେୟୀଙ୍କ ହଂସପୁରରେ ପହଞ୍ଚିଲେ।ପରିଚାରିକା କୈକେୟୀଙ୍କୁ ସମ୍ବାଦ ଦେବାପରେ ରୁଦ୍ଧଦ୍ବାର ଖୋଲିଲା।ଭିତରେ ପ୍ରବେଶ କରି ଆଶ୍ଚର୍ଯ୍ୟ ହେଲେ ସୁମନ୍ତ୍ର।ଭୂମିରେ ପଡିଛନ୍ତି ଦଶରଥ;କେବଳ ରାମ ରାମ ଶବ୍ଦ ମୁଖରୁ ବାହାରୁଛି।ପାଖରେ ପଲ୍ୟଙ୍କ ଉପରେ ବସିଛନ୍ତି କୈକେୟୀ।ନିର୍ଲିପ୍ତ ମୁଖମଣ୍ଡଳ।ସୁମନ୍ତ୍ରଙ୍କୁ ଆଶ୍ଚର୍ଯ୍ୟ ଚକିତ ଦେଖି କୈକେୟୀ କହିଲେ.. କିଛି ବ୍ୟସ୍ତ ହେବାର ନାହିଁ ସୁମନ୍ତ୍ର ! ମହାରାଜା ସାମାନ୍ୟ ଅସୁସ୍ଥ ଅନୁଭବ କରୁଛନ୍ତି।ସେ ରାମଚନ୍ଦ୍ରକୁ ସାକ୍ଷାତ କରିବାକୁ ଚାହାଁନ୍ତି,ଶୀଘ୍ର ରାମକୁ ଏଠାକୁ ନେଇ ଆସ।


ସୁମନ୍ତ୍ର ଘଟଣାକୁ ସାଧାରଣ ଭାବରେ ନେଇ ପାରିଲେ ନାହିଁ। ଗୁରୁତ୍ଵ ଅନୁଭବ କରି ସଙ୍ଗେ ସଙ୍ଗେ ଶ୍ରୀରାମଙ୍କ ପାଖରେ ପହଞ୍ଚି ସମସ୍ତ ଘଟଣା ବର୍ଣ୍ଣନା କଲେ।ଉଦ୍ବିଘ୍ନ ମନରେ ରାମଚନ୍ଦ୍ର ପିତାଙ୍କ ପାଖରେ ପହଞ୍ଚି କୈକେୟୀଙ୍କୁ ପଚାରିଲେ...ପିତାଙ୍କର କଣ ହୋଇଛି ଜନନୀ ! ପଲ୍ୟଙ୍କରେ ବିଶ୍ରାମ ନକରି କାହିଁକି ଭୁଲୁଣ୍ଠିତ ହୋଇ ପଡିଛନ୍ତି ମୋର ପିତା !ଶୀଘ୍ର କୁହ ଜନନୀ,କଣ ହୋଇଛି ପିତାଙ୍କର !


ଭୂମିରେ ପଡିଛନ୍ତି ଦଶରଥ।ବୃନ୍ତଚ୍ୟୁତ ପଦ୍ମଫୁଲ ରୌଦ୍ରତାପରେ ଝାଉଁଳି ଗଲା ପରି ଦେଖା ଯାଉଛି ତାଙ୍କ ମୁଖମଣ୍ଡଳ।ରାମଚନ୍ଦ୍ର ପ୍ରକୋଷ୍ଠରେ ପହଞ୍ଚିବା ଜାଣି ମଧ୍ୟ ତାଙ୍କ ମୁହଁକୁ ଚାହିଁ ପାରୁନାହାନ୍ତି ଦଶରଥ।


ପିତାଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି ରାମ।ଉତ୍ତର ନପାଇ କୈକେୟୀଙ୍କୁ ପଚାରୁଛନ୍ତି.. ପିତା ମୋ ଉପରେ କାହିଁକି ରୁଷ୍ଟ ହୋଇଛନ୍ତି ଜନନୀ ! ମୋତେ ଦେଖି ଆନନ୍ଦରେ କୋଳକୁ ନେଇ ମଥା ଚୁମ୍ବନ କରନ୍ତି;ଆଜି କାହିଁକି ମୋଆଡ଼ୁ ମୁହଁ ବୁଲାଇ ନେଉଛନ୍ତି !କଣ ମୋର ଅପରାଧ ?


କୈକେୟୀ କହିଲେ...ତୁମର କିଛି ଅପରାଧ ନାହିଁ ରାମ;ରାଜା ନିଜ ମନର ଅପରାଧ ବୋଧ ଯୋଗୁଁ ତୁମ ମୁହଁକୁ ଚାହିଁ ପାରୁନାହାନ୍ତି।ଅତୀତରେ ମୋ ଉପରେ ସନ୍ତୁଷ୍ଟ ହୋଇ ସେ ଶପଥ କରିଥିଲେ ମୋତେ ଦୁଇଟି ବର ଦାନ କରିବାପାଇଁ। ବର୍ତ୍ତମାନ ମୁଁ ସେହି ଦୁଇଟି ବର ମାଗିବାରୁ ସେ ତାହା ପାଳନ କରିପାରିବାରେ କଷ୍ଟ ଅନୁଭବ କରୁଛନ୍ତି,କାରଣ ତାସହିତ ତୁମର ସ୍ବାର୍ଥ ଜଡ଼ିତ।ତୁମେ ହିଁ ସମସ୍ୟାର ସମାଧାନ କରିପାରିବ ରାମ।


ଆଶ୍ଚର୍ଯ୍ୟ ହେଲେ ରାମଚନ୍ଦ୍ର, କହିଲେ.. ଜନନୀ ! ସତରେ ମୁଁ ପିତାଙ୍କ ଦୁଃଖର କାରଣ !! କୁହ ଜନନୀ , ମୁଁ କଣ କଲେ ପିତାଙ୍କ ମନରୁ ଦୁଃଖ ଦୂର ହେବ ?ତୁମେ ତ ଜାଣ ମାତେ !ପିତାଙ୍କପାଇଁ ରାମ ଜୀବନ ଦେଇପାରେ,ଅଗ୍ନିରେ ଝାସ ଦେଇପାରେ, ସମୁଦ୍ରରେ ଲମ୍ଫ ଦେଇ ପ୍ରାଣ ଦେଇପାରେ।ମୋତେ ଆଦେଶ କର ମାତେ ! ଯାହା ଆବଶ୍ୟକ ମୁଁ କରିବି।


ହୃଦୟହୀନା କୈକେୟୀ କହିଲେ..ତୁମେ ଶପଥ କର ରାମ, ମୁଁ ଯାହା କହିବି ତୁମେ କରିବ।"ଆଶ୍ଚର୍ଯ୍ୟ ହୋଇ ରାମ କହିଲେ..ମୋ କଥା ଉପରେ ଆପଣଙ୍କର ଆସ୍ଥା ନାହିଁ ଜନନୀ ! ରାମଚନ୍ଦ୍ରକୁ ଆପଣ ଜାଣନ୍ତି ନାହିଁ !!ଆବଶ୍ୟକ ହେଲେ ପିତାଙ୍କ ପାଇଁ ହଳାହଳ ପାନକରି ଜୀବନ ତ୍ୟାଗ କରିବି।ଆଦେଶ କରନ୍ତୁ ମୁଁ କଣ କଲେ ପିତାଙ୍କ ମନରୁ ଦୁଃଖ ଦୂର ହେବ ?


କୈକେୟୀ କହିଲେ.. ଶୁଣ ରାମ ! ଅତୀତରେ ଦେବାସୁର ସଂଗ୍ରାମରେ ତୁମ ପିତାଙ୍କର ସାରଥୀ ହୋଇ ତାଙ୍କ ରଥ ଚାଳନା କରୁଥିଲି। ଶମ୍ବରାସୁରର ବାଣ ଆଘାତରେ ତୁମ ପିତା ଯେତେବେଳେ ଭୀଷତ ଆହତ ହୋଇ ରଥ ଉପରେ ପଡ଼ି ମୃତ୍ୟୁ ଅପେକ୍ଷାରେ ଥିଲେ ଚତୁରତା ସହିତ ରଥକୁ ଦୂରକୁ ନେଇ ମୁଁ ତାଙ୍କ ଜୀବନ ରକ୍ଷା କରିଥିଲି।ସେ ସମୟରେ ସେ ଶପଥ କରିଥିଲେ ମୋତେ ଦୁଇଟି ବର ଦେବାପାଇଁ।ସେ ଦୁଇଟି ବର ମୁଁ ତାଙ୍କୁ ବର୍ତ୍ତମାନ ମାଗିବାରୁ ସେ ଧର୍ମସଙ୍କଟର ସମ୍ମୁଖୀନ।ତା ଭିତରୁ ଗୋଟିଏ ବର ହେଲା ଭରତ ଅଯୋଧ୍ୟାର ରାଜା ହେବ; ଦ୍ବିତୀୟରେ ତୁମେ ବନୌକା ବେଶରେ ଜଟାଜୁଟ ଧାରଣ କରି, ବୃକ୍ଷ ବଳ୍କଳ ପିନ୍ଧି ଚଉଦ ବର୍ଷ ବନବାସ ଯିବ।ଏହା ହିଁ ତୁମ ପିତାଙ୍କ କଷ୍ଟର କାରଣ।ସତ୍ୟ ରକ୍ଷା ନକଲେ ରଘୁକୁଳ କଳଙ୍କିତ ହେବ ଏବଂ ସେ ନର୍କଗାମୀ ହେବେ;ରକ୍ଷା କଲେ ଜ୍ୟେଷ୍ଠପୁତ୍ରର ସ୍ବାର୍ଥରେ ବ୍ୟାଘାତ ଲାଗିବ।କୁହ ରାମ ! ଏହାର ସମାଧାନ ତୁମ ହାତରେ ଅଛି ନା ନାହିଁ ?"


ରାମଚନ୍ଦ୍ରଙ୍କ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା; କହିଲେ... ଏହି ସାମାନ୍ୟ କଥା ଜନନୀ ! ମୋ ଅନୁଜ ପ୍ରାଣସମ ଭରତ ଅଯୋଧ୍ୟାର ରାଜା ସିଂହାସନରେ ବସିବ,ଏହାଠାରୁ ବଳି ଆନନ୍ଦର କଥା କ'ଣ ଅଛି ମାତେ ! ପିତାଙ୍କ ସତ୍ୟରକ୍ଷା ପାଇଁ ଇକ୍ଷ୍ବାକୁବଂଶୀ ରାମ ହସି ହସି ନିଜର ଜୀବନ ବିସର୍ଜନ କରିପାରେ ଜନନୀ,ବନବାସ ତ ସାମାନ୍ୟ କଥା।


ସ୍ବାର୍ଥର ଭୟଙ୍କର ରାକ୍ଷସୀକୁ ବଳିଦାନର ନିରିହ ବାଳକ ଏଭଳି ହତ୍ୟା କରିଦେବା କଳ୍ପନାର ଅନ୍ତର୍ଗତ ନଥିଲା। ରାମଚନ୍ଦ୍ରଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ କୈକେୟୀ।ଏତେ ସହଜରେ ତାଙ୍କ ଆଶା ପୂରଣ ହେବବୋଲି ସେ ଭାବି ନଥିଲେ।


ଆରମ୍ଭ ହେଲା ଏହିଠାରୁ ବଳିଦାନର ଅନବଦ୍ୟ କାହାଣୀ।ସେ ବଳିଦାନ ନିଜ ସ୍ବାର୍ଥ ସାଧନ ପାଇଁ ନଥିଲା,ଜଗତର ମଙ୍ଗଳ ପାଇଁ ଥିଲା ସେ ବଳିଦାନ।...


କ୍ରମଶଃ.....



Rate this content
Log in

Similar oriya story from Classics