Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୩୧)

ସରଯୂ ନଦୀର ତୀରେ (୩୧)

4 mins
123



ରାମାୟଣ ଯୁଗରେ ସତ୍ୟ ଓ ଧର୍ମକୁ ସମାଜରେ ଗୁରୁତ୍ଵ ଦିଆ ଯାଉଥିଲା।ସତ୍ୟ ରକ୍ଷାକରି ସମୁଦ୍ର ଯେପରି କୂଳ ଲଙ୍ଘନ କରେନାହିଁ,ସୂର୍ଯ୍ୟ ଚନ୍ଦ୍ର ଆତଯାତ ହୁଅନ୍ତି, ଦିବାରାତ୍ରି ସଂଘଟିତ ହୁଏ,ସେହିପରି ସତ୍ୟରକ୍ଷା ମନୁଷ୍ୟର ପୁରୁଷାକାରର ପରିଚୟ ଭାବେ ପରିଗଣିତ ହେଉଥିଲା।ସତ୍ୟସନ୍ଧ ଦଶରଥ ଜାଣିଥିଲେ ସେ କୈକେୟୀଙ୍କୁ ଦେଇଥିବା ବାକ୍ୟ ରକ୍ଷା ନକଲେ ରଘୁବଂଶ ଦେବଲୋକରେ ଏବଂ ମର୍ତ୍ତ୍ୟଲୋକରେ ଘୃଣିତ ହେବ।ଆପ୍ତ ବାକ୍ୟ ତାଙ୍କର ମନେପଡିଲା..ରଘୁକୁଳ ରୀତି ସଦା ଚଲି ଆୟୀ;ପ୍ରାଣ ଯାୟେ ପର ବଚନ ନଯାୟୀ। 


ଧର୍ମଭୀରୁ ଦଶରଥଙ୍କ ମନ ଧର୍ମସଙ୍କଟର ବୁଢିଆଣୀ ଜାଲରେ ପଡ଼ିଥିବା ଅସହାୟ କୀଟ ଭଳି ଛଟପଟ ହେଉଥିଲା।ଅପର ପକ୍ଷରେ ରାଜାଙ୍କୁ ଦଶଦିଗପାଳ,ପଞ୍ଚମହାଭୂତ ଏବଂ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ନାମରେ ଶପଥ କରାଇ କୈକେୟୀ ସ୍ବାର୍ଥ ସାଧନ ଦିଗରେ ନିଜକୁ ଦୃଢସ୍ଥିତିରେ ରଖିଥିଲେ ବୋଲି ମନେ କରୁଥିଲେ।କ୍ଷୁଧିତା ବାଘୁଣୀ କୈକେୟୀ,ତ୍ରସ୍ତ ଭୁଲୁଣ୍ଠିତ ଚେତନା ଶୂନ୍ୟ ହରିଣ ଛୁଆ ଦଶରଥଙ୍କୁ ଚାହିଁ ରହିଥିଲେ।


କୈକେୟୀଙ୍କ ମୋହ ଓ ସ୍ବାର୍ଥ ପ୍ରଣୋଦିତ ଦାବି ସମୟ ଉପଯୋଗୀ ନଥିଲା।ଆଜିକାଲି ତ ସମାଜରେ ଅଧିକାଂଶ ପରିବାରରେ ଏଭଳି ଘଟଣା ଅତି ସାଧାରଣ ବୋଲି ବିବେଚିତ ହୁଏ। ଅନେକେ ଯୁକ୍ତି କରନ୍ତି ଯେ ପରିବାର ଭିତରେ ନିଜ ପିଲାଙ୍କ ଭବିଷ୍ୟତ ଚିନ୍ତା ମାଆ ଯଦି କରେ ସେଥିରେ କ୍ଷତି କ'ଣ? କିନ୍ତୁ କୈକେୟୀଙ୍କର ଦାବି କୌଣସି ସାଧାରଣ ପରିବାରର ଭିତିରି କଥା ନଥିଲା,ଏହା ଅଯୋଧ୍ୟା ପାଇଁ ଏକ ଜନସ୍ବାର୍ଥ ମାମଲା ଥିଲା। ଯେଉଁ ରାଜପୁତ୍ରଙ୍କୁ ଉତ୍ତର କୋଶଳର ପ୍ରଜାପୁଞ୍ଜ ଏକ ମନ, ଏକ ହୃଦୟରେ ରାଜା କରିବା ପାଇଁ ଇଚ୍ଛା କରୁଥିଲେ ତାଙ୍କୁ ସେ ଅଧିକାରରୁ ବଞ୍ଚିତ କରିବା ଅଧିକାର କୈକେୟୀଙ୍କର ଆସିଲା କୁଆଡୁ ?


ପୁ୍ନଶ୍ଚ ନିଜ ପୁତ୍ରର ଭବିଷ୍ୟତ-ସ୍ୱାର୍ଥକୁ ଆଖି ଆଗରେ ରଖି ସପତଣୀର ପୁତ୍ରକୁ ଚଉଦ ବର୍ଷ ବନବାସ ପଠାଇବା ଷଡ଼ଯନ୍ତ୍ର ସେ ସମୟରେ ଅଶ୍ରୁତପୂର୍ବ ଓ ମାନବିକତାର ପରିପନ୍ଥୀ ତଥା ସମ୍ବେଦନହୀନ କାର୍ଯ୍ୟ ଥିଲା।ପୁତ୍ରକୁ ରାଜସିଂହାସନରେ ଅଭିଷିକ୍ତ ଦେଖିବାର ଆଶା ଓ ନିଶା କୈକେୟୀଙ୍କୁ ହୃଦୟହୀନା,ଅବିବେକୀ ରାକ୍ଷସୀରେ ପରିଣତ କରି ଦେଇଥିଲା;ସେ ଲୋକମତ କିମ୍ବା ଆକ୍ଷେପକୁ ହେୟଜ୍ଞାନ କରି କେବଳ ନିଜ ପୁତ୍ର ଭରତକୁ ରାଜା କରିବା ସ୍ବପ୍ନରେ ହଜିଯାଇଥିଲେ।ସ୍ବାର୍ଥର ପରଳ ତାଙ୍କ ଆଖିରେ ମାଡ଼ି ଯାଇଥିଲା।ଭଲ ମନ୍ଦ ସେ ଦେଖି ପାରୁନଥିଲେ।ତାଙ୍କ ବିବେକ,ଲୋଭ ଓ ମୋହର ଦାସତ୍ବ ସ୍ବୀକାର କରି ସାରିଥିଲା। କୈକେୟୀଙ୍କ ଆଖିରେ ଥିଲା କ୍ଷୁଧିତା ବାଘୁଣୀର ଭୟଙ୍କର ହିଂସ୍ରତା।


ଦଶରଥ ଆଖି ଖୋଲିଲେ।ରାଜାଙ୍କର ଏଭଳି ଅବସ୍ଥାରେ ମଧ୍ୟ କୈକେୟୀଙ୍କ ଆଖିରେ ତିଳେମାତ୍ର ଦୟାଭାବ ନଥିଲା।ନିର୍ଦ୍ଦୟ ଭାବେ କୈକେୟୀ କହିଲେ..କଣ ମୋ ପୁତ୍ର ରାଜା ହେବା କଥା ଶୁଣି ଚେତା ବୁଡିଗଲା ରାଜା ? ଏଭଳି ପକ୍ଷପାତିତା ସଂସାରରେ ବିରଳ।ମୋ ପାଖରେ କରିଥିବା ସତ୍ୟ ପାଳନ କରି, ମୁଁ ମାଗିଥିବା ଦୁଇଟି ବର ପ୍ରଦାନ କର,ନହେଲେ ସତ୍ୟଭ୍ରଷ୍ଟ ହୋଇ କଳଙ୍କର ବୋଝ ମୁଣ୍ଡାଇ ଘୃଣ୍ୟ ଜୀବନ ଯାପନ କର।


ମନ୍ତ୍ରଦ୍ବାରା ବିବଶ ,ମୋଡିଭିଡି ହୋଇ ପଡିଥିବା ଅହିରାଜ ଭଳି ଭୂଇଁରେ ପଡ଼ିଥିଲେ ଦଶରଥ।ସାହସ ସଞ୍ଚୟ କରି ଘୃଣାପୂର୍ଣ୍ଣ ଆଖିରେ କୈକେୟୀଙ୍କୁ ଚାହିଁଲେ ଦଶରଥ।ଅନାୟତ ଭୀଷଣ କ୍ରୋଧରେ ଜଳୁଥିଲା ତାଙ୍କର ଦୁଇ ଆଖି। କହିଲେ..କୁଳ ଧ୍ବଂସକାରୀ ରାକ୍ଷସୀ ! ରାମ ତୋର କ'ଣ କ୍ଷତି କରିଛି !ନିଜ ମା'ଠାରୁ ସେ ତୋତେ ଅଧିକ ଭଲ ପାଏ।ତାପ୍ରତି ତୁ ଏତେ ନିଷ୍ଠୁର କିପରି ହୋଇ ପାରୁଛୁ? ମୁଁ ତୋତେ ଏକ ନାରୀ ବୋଲି ଭାବିଥିଲି, ଆଜି ଜାଣିଲି ତୁ ଏକ କାଳସର୍ପ,କେକୟରୁ ଆସିଛୁ ମୋତେ ଦଂଶନ କରିବାପାଇଁ।ତୋର ଏ ଘୃଣ୍ୟକାର୍ଯ୍ୟ ଦେଖି ଅଯୋଧ୍ୟାର ଜନସାଧାରଣ ଘୃଣାରେ ଛି ଛି କରିବେ।କାହା ଆଗରେ ମଧ୍ୟ ତୁ ମୁହଁ ଦେଖାଇ ପାରିବୁ ନାହିଁ।ଉପରକୁ ଯାଇ ପୂର୍ବପୁରୁଷଙ୍କୁ କି ଉତ୍ତର ଦେବୁ ରାକ୍ଷସୀ ?ତୋର ଏ ଶପଥ ଫେରାଇ ନେ କୈକେୟୀ।ମୋ ବଂଶକୁ ଧ୍ବଂସ ମୁଖରୁ ରକ୍ଷା କର।ଦଶରଥଙ୍କ କ୍ରୋଧ କୈକେୟୀଙ୍କ ମନକୁ ଆହୁରି ଦୃଢ଼ କଲା। ମନ୍ଥରା କଥା ମନେପଡିଲା ତାଙ୍କର।ମନ୍ଥରା କହିଥିଲା.. କୈକେୟୀ ! ପୁତ୍ର ଭରତକୁ ଯେବେ ରାଜା କରିବାକୁ ଚାହୁଁ, ଦଶରଥଙ୍କର କୌଣସି କଥା ତୁ ଶୁଣିଵୁନାହିଁ।ରାଜା ଅନେକ କ୍ରୋଧ କରିବେ,ଅନୁନୟ ବିନୟ ହୋଇ ମଧ୍ୟ ଶପଥ ଫେରାଇ ନେବାପାଇଁ ପ୍ରୟାସ କରିବେ। କିଛି ଶୁଣିବୁ ନାହିଁ।


ଦଶରଥଙ୍କ କୌଣସି କଥାର ପ୍ରଭାବ କୈକେୟୀଙ୍କ ଉପରେ ପଡ଼ୁନଥିଲା।ନିଜ ଜିଦ୍'ରେ ଅଟଳ ରହିଲେ କୈକେୟୀ।ଦଶରଥ କହିଲେ କେଉଁ କାରଣ ଦର୍ଶାଇ ମୁଁ ରାମଚନ୍ଦ୍ରକୁ ବନକୁ ପଠାଇବି କୈକେୟୀ।ତୁ କ'ଣ ଜାଣୁନା ଯେ ରାମ ପ୍ରଜାମାନଙ୍କର କେତେ ପ୍ରିୟ ! ରାମ ସମଗ୍ର ଅଯୋଧ୍ୟାର ପ୍ରାଣକେନ୍ଦ୍ର।ଜିଦ୍ ତ୍ୟାଗକର କୈକେୟୀ,ନହେଲେ ପ୍ରଜାମାନଙ୍କର କ୍ରୋଧ ଓ ଭର୍ତ୍ସନାର ଶିକାର ହୋଇ,କେବଳ ତୁ କାହିଁକି ମୁଁ ଏବଂ ସାରା ଇକ୍ଷ୍ବାକୁ ବଂଶ କଳଙ୍କିତ ହେବ।


ହୃଦୟର କୋହ ସମ୍ବରଣ କରି ଦଶରଥ କହିଲେ..ତୁତ‌ ଜାଣୁ କୈକେୟୀ ମୁଁ ରାମକୁ ଛାଡି ଦଣ୍ଡେ ମାତ୍ର ରହି ପାରିବି ନାହିଁ।ବିନା ଆଲୋକ,ବିନା ଜଳରେ ହୁଏତ କିଛି ସମୟ ମୋର ପ୍ରାଣ ରହିପାରେ କିନ୍ତୁ ରାମଚନ୍ଦ୍ରକୁ ଛାଡି ମୋର ଶରୀରରେ ପ୍ରାଣ ଦଣ୍ଡେ ମାତ୍ର ରହିବ ନାହିଁ।


କୈକେୟୀଙ୍କୁ ନିରୁତ୍ତର ଦେଖି ଦଶରଥ ପୁଣି କହିଲେ..ଏହା କଦାପି ସତ୍ୟ ହୋଇନପାରେ,ତୁ ନିଶ୍ଚୟ ମୋ ସହିତ ଖେଳୁଛୁ କୈକେୟୀ। ଦୟାକରି ଏ ଖେଳ ବନ୍ଦ୍ କର।ତୋର ଏ ଖେଳ ମୋ ପାଇଁ କାଳ ହେଉଛି ରାଣୀ।


କୈକେୟୀ ଦୃଢ଼ତାର ସହିତ କହିଲେ ଏହା କୌଣସି ଖେଳ ନୁହେଁ ମହାରାଜ୍।ଏହା ଦିବାରାତ୍ରି, ଚନ୍ଦ୍ରସୂର୍ଯ଼୍ୟ ଭଳି ନିରାଟ ସତ୍ୟ। ତୁମେ ସତ୍ୟସନ୍ଧ ଏବଂ ମୁଁ ଦୁଇଟି ବର ପ୍ରାର୍ଥୀ। ଏଠାରେ "ଖେଳ" ଭଳି ଶବ୍ଦ ଆସିଲା କୁଆଡୁ ? ଅତି ସାଧାରଣ ମୋର ଦୁଇଟି ଦାବି...ପ୍ରଥମ,ମୋ ପୁତ୍ର ଭରତ ରାଜା ହେଉ ଏବଂ ଦ୍ବିତୀୟ ରାମଚନ୍ଦ୍ର ଚଉଦ ବର୍ଷ ପାଇଁ ବନବାସ ଯାଉ। ମୁଁ ରାମଚନ୍ଦ୍ରର ଜୀବନ ମାଗି ନାହିଁ,କେବଳ ବନକୁ ପଠାଇବାପାଇଁ କହିଛି।କି ପ୍ରକାର ରାଜା ତୁମେ ଦଶରଥ ? ଚନ୍ଦ୍ରବଂଶର ରାଜା ଶିବି ଏବଂ ତୁମ ବଂଶର ରାଜା ହରିଶ୍ଚନ୍ଦ୍ରଙ୍କ କଥା ଭୁଲିଗଲ ?ଶିବି,ନିଜ ଜୀବନକୁ ଭୃକ୍ଷେପ ନକରି ନିଜ ଅଙ୍ଗରୁ ମାଂସ କାଟି ଛଞ୍ଚାଣରୂପୀ ଇନ୍ଦ୍ରଙ୍କୁ ଦେଇ ବଂଶର ମହିମା ବର୍ଦ୍ଧନ କରିଥିଲେ।ରାଜା ହରିଶ୍ଚନ୍ଦ୍ର ଦାନରେ ନିଜର ରାଜ୍ୟ,ରାଜପଦ ସବୁ ବିଶ୍ବାମିତ୍ରଙ୍କୁ ଅର୍ପଣ କରି,ଏପରିକି ନିଜ ପତ୍ନୀଙ୍କୁ ମଧ୍ୟ ବନ୍ଧକ ଦେଇ,ନିଜେ ଶ୍ବଶାନରେ ଚଣ୍ଡାଳର କାମ କରି ସତ୍ୟ ରକ୍ଷା କରିଥିଲେ।ପୁତ୍ର ରୋହିତାଶ୍ବର ଶବକୁ ବିନା ପାଉଣାରେ ଦାହ କରିବାକୁ ମନା କରିଦେଇ କର୍ତ୍ତବ୍ୟ କର୍ମର ଅପୂର୍ବ ନିଦର୍ଶନ ଛାଡି ଯାଇଛନ୍ତି ତୁମ ପୂର୍ବଜ।ତୁମେ ସେହି ବଂଶର ରାଜା ଟି ଦଶରଥ ! ପୁତ୍ର ମୋହର ବଶବର୍ତ୍ତୀ ହୋଇ ତୁମେ ସତ୍ୟ ଲଙ୍ଘନ କରିବ ! ତୁମ ନାମ ଉପରେ ଛେପ ଖଙ୍କାର ପଡିବ ରାଜା।ତୁମେ ଇକ୍ଷ୍ବାକୁ ବଂଶର କଳଙ୍କ ଭାବେ ପରିଚିତ ହେବ।


କୈକେୟୀଙ୍କ ଉଦ୍'ଗାରିତ ବିଷରେ ଦଶରଥଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ହୋଇ ଆସୁଥିଲା।ଗଭୀର ଯନ୍ତ୍ରଣା ହୃଦୟ ତନ୍ତ୍ରୀରେ ଖେଳିଗଲା।ଉଚ୍ଚାରଣ କଲେ ଦୁଇଟି ଶବ୍ଦ ଆଃ ରାକ୍ଷସୀ !!



Rate this content
Log in

Similar oriya story from Classics