ସରଯୂ ନଦୀର ତୀରେ (୨୯)
ସରଯୂ ନଦୀର ତୀରେ (୨୯)
ସତ୍ୟସନ୍ଧ ରାଜାଏବଂ ମନ୍ଥରା କୈକେୟୀଙ୍କ କାନକୁ ଆହୁରି ବିଷାକ୍ତ କରିବାକୁ କହିଲା... କୌଶଲ୍ୟା କଣ ତୋର ପ୍ରିୟ ସଜନୀ ନା ମାଆ ପେଟର ଭଉଣୀ ? ତୋର ସଉତୁଣୀ ସିଏ ସଉତୁଣୀ।ତୁ ରାଜାଙ୍କର ସୁନ୍ଦରୀ ଗେହ୍ଲୀ ଭାରିଜା ତ, ସେଥିପାଇଁ ସେ ରକ୍ତଚାଉଳ ଚୋବୋଉଚି।ତୋର କ୍ଷତି କରିବାକୁ ସିଏ ସୁଯୋଗ ଅପେକ୍ଷାରେ ଅଛି। ସୁଯୋଗ ପାଇଲେ ତା ଛାତିରେ ଜଳୁଥିବା ନିଆଁରେ ସେ ତତେ ଜାଳିଦେବ କୈକେୟୀ,ତୁ ପାଉଁଶ ହୋଇଯିବୁ ,ତୋର ଅସ୍ତିତ୍ବ ରହିବ ନାହିଁ।ମୋ ଭଲ କଥା ତତେ ଭେଲ ଲାଗୁଚି;ଦେଖିବୁ ରାମ ରାଜା ହେଲା ପରେ ତୁ ଆଉ ତୋ ପୁଅ ଦାଣ୍ଡର ଭିକାରି ହେବ।ମୋର କଣ ଅଛି ମୁଁ ତ ପୋଇଲିଟାଏ,ମତେ ଭିକ ମାଗିବାକୁ ଲାଜ ଲାଗିବନି।ତୁମ ମାଆ ପୁଅଙ୍କ ପାଇଁ ମୋର ଚିନ୍ତା। ସେଥିପାଇଁ ବେଳ ଥାଉଁ ଥାଉଁ କିଛି ପ୍ରତିକାର କର କୈକେୟୀ। କୌଣସି ପ୍ରକାରେ ଭରତ ରାଜା ହେବା ଆବଶ୍ୟକ।ରାମ ରାଜ୍ୟରୁ ବିତାଡିତ ହେବା ଦରକାର।"
ଅତୀତରେ ଦଶରଥ ଯେତେବେଳେ କୈକେୟୀଙ୍କୁ ବିବାହ କରିଥିଲେ କେକୟ ରାଜ୍ୟର ରାଜା ତାଙ୍କୁ ଏକ ସର୍ତ୍ତରେ କନ୍ୟାଦାନ କରିଥିଲେ।ସର୍ତ୍ତ ଥିଲା ଯେ କୈକେୟୀଙ୍କ ପୁତ୍ର ରାଜ ସିଂହାସନରେ ବସିବ। କୌଶଲ୍ୟାଙ୍କର କୌଣସି ପୁତ୍ର ସନ୍ତାନ ନହେବାରୁ ଏହି ସର୍ତ୍ତ ପାଳନ ପାଇଁ କିଛି ବାଧା ନଥିଲା। କିନ୍ତୁ କୈକେୟୀଙ୍କର ମଧ୍ୟ କୌଣସି ପୁତ୍ର ସନ୍ତାନ ହେଲେ ନାହିଁ।ପୁତ୍ର ଲାଭ ଆଶାରେ ଦଶରଥ ସୁମିତ୍ରାଙ୍କୁ ବିବାହ କଲେ;ତାଙ୍କର ମଧ୍ୟ କିଛି ପୁତ୍ର ସନ୍ତାନ ହେଲେ ନାହିଁ।ପରେ ଋଷ଼୍ୟଶୃଙ୍ଗଙ୍କୁ ରାଜ୍ୟକୁ ଆଣି ଯଜ୍ଞ ଅନୁଷ୍ଠାନ କରିବା ପରେ ହିଁ ତିନି ରାଣୀ ପୁତ୍ରବତୀ ହେଲେ।ଭାଇଙ୍କ ଭିତରେ ରାମଚନ୍ଦ୍ର ଥିଲେ ପ୍ରଥମ,ଭରତ ଦ୍ବିତୀୟ, ଲକ୍ଷ୍ମଣ ତୃତୀୟ ଏବଂ ସର୍ବକନିଷ୍ଠ ଶତ୍ରୁଘ୍ନ।
ଇତି ମଧ୍ୟରେ କେକୟ ରାଜାଙ୍କ ସର୍ତ୍ତ କଥା କୈକେୟୀ ଭୁଲି ଯାଇଥିଲେ। ଅଗତ୍ୟା ମନ୍ଥରା ତାଙ୍କୁ ମନେପକାଇ ଦେଇ କହିଲା..ଦଶରଥ ପରା ତୋ ପିତାଙ୍କ ପାଖରେ ସର୍ତ୍ତ ରଖିଥିଲେ ତୋ ପୁଅକୁ ରାଜା କରିବେ,କୁଆଡ଼େ ଗଲା ସେ ସର୍ତ୍ତ ?କାଳେ ସେ ପ୍ରଶ୍ନ ଉଠିବ ବୋଲି ଭରତକୁ ମାତୁଳ ରାଜ୍ୟକୁ ପଠାଇ ଦେଇ ତରତରରେ ରାମକୁ ରାଜା କରାଯାଉଛି।ଏ ଷଡ଼ଯନ୍ତ୍ର ତତେ କିଛି ଦେଖାଯାଉନାହିଁ କୈକେୟୀ ?ଭୀଷଣ ଷଡ଼ଯନ୍ତ୍ର ଚାଲିଛି ତତେ ଭିକାରୁଣୀ କରିବାକୁ।
କୈକେୟୀଙ୍କୁ ଭୟ ମାଡ଼ି ବସିଲା।ମଥା ଘୂରିଗଲା ତାଙ୍କର।ତଳେ ପଡିଯାଉଯାଉ ନିଜକୁ ସମ୍ଭାଳି ନେଲେ କୈକେୟୀ।ଭୟଭୀତା ହୋଇ କହିଲେ..ତୁ ସତ କହୁଚୁ ମନ୍ଥରା। ମୁଁ ସରଳ ବିଶ୍ୱାସୀ ବୋକୀଟାଏ।କହ ମନ୍ଥରା ମୁଁ ଏବେ କ'ଣ କରିବି ?
ମନ୍ଥରା କହିଲା.. ସେକଥା ବି ମତେ କହିବାକୁ ପଡିବ ରାଣୀ ?ତୋର ମନେ ନାହିଁ ,ଯେତେବେଳେ ଦେବାସୁର ସଂଗ୍ରାମ ଲାଗିରହିଥିଲା ଇନ୍ଦ୍ରଙ୍କ ପକ୍ଷରେ ରହି ସମ୍ବରାସୁର ବିରୁଦ୍ଧରେ ଦଶରଥ ଯୁଦ୍ଧ କରୁଥିଲେ।ସେ ସମୟରେ ତୁ ତାଙ୍କ ରଥରେ ସାରଥୀ ଥିଲୁ।ସମ୍ବରାସୁରର ଅସ୍ତ୍ର ଆଘାତରେ ଯେତେବେଳେ ଦଶରଥ ଭୀଷଣ ଆହତ ହୋଇ ଅଚେତ ହୋଇ ରଥରେ ପଡିଗଲେ ସେତେବେଳେ ତୁ ତାଙ୍କ ରଥକୁ ବିଜୁଳି ବେଗରେ ରଣକ୍ଷେତ୍ରରୁ ଦୂରକୁ ନେଇଯାଇଥିଲୁ।ଦଶରଥଙ୍କ ଜୀବନ ରକ୍ଷା ହୋଇ ଯାଇଥିଲା।ତୋର ପ୍ରତ୍ୟୁତ୍ପନ୍ନମତିତାରେ ସନ୍ତୁଷ୍ଟ ହୋଇ ଦଶରଥ ତୋତେ ଦୁଇଟି ବର ଯାଚିଥିଲେ।ଭବିଷ୍ୟତରେ ଆବଶ୍ୟକ ପଡିଲେ ସେ ଦୁଇଟି ବର ମାଗିବୁ ବୋଲି ଦଶରଥଙ୍କୁ ତୁ କହିଥିଲୁ।ଦଶରଥ ସତ୍ୟ କରିଥିଲେ ଭବିଷ୍ୟତରେ ତୁ ଯାହା ମାଗିବୁ ସେ ତୋତେ ନିଶ୍ଚୟ ଦେବେ।
କିଛି ସମୟ ନୀରବ ରହିଲା ମନ୍ଥରା।ଆଖି ତାର ଜଳୁଥିଲା।କପାଳରେ କୁଟିଳ ରେଖା।ଦେବକୁଟ ତା ମସ୍ତିଷ୍କ ଦେଇ ବାହାରିବାକୁ ପ୍ରୟାସ କରୁଥିଲା। ଯେଉଁ ଭୀଷଣ ଝଡ଼ ଉତ୍ତର କୋଶଳର ରାଜନୀତିକୁ ଦୋହଲାଇ ଦେବ ତାହା ତା'ମନ ଉପସାଗରରେ ଦାନା ବାନ୍ଧୁଥିଲା।
ଅଧୈର୍ଯ୍ୟ ହୋଇ କୈକେୟୀ ପଚାରିଲେ..ନୀରବ କାହିଁକି ରହିଲୁ ମନ୍ଥରା ?କହ ଶୀଘ୍ର ମତେ ଉପାୟ କହ। କେଉଁ ଉପାୟରେ ମୁଁ ମୋ ଭରତକୁ ଭୀଷଣ ରାଜନୈତିକ ଷଡଯନ୍ତ୍ରରୁ ରକ୍ଷା କରିପାରିବି ?"
ମନ୍ଥରା କହିଲା..ସେହି ବର ଦୁଇଟି ମାଗିବାର ସମୟ ଏବେ ଉପସ୍ଥିତ କୈକେୟୀ।ପ୍ରଥମ ବର ମାଗିବୁ,ରାମଚନ୍ଦ୍ର ବଦଳରେ ଭରତ ରାଜା ହେବ। କିନ୍ତୁ ଏତିକିରେ ତୋ ସମସ୍ୟାର ସମାଧାନ ହେବନାହିଁ।ଭରତ ରାଜା ହେଲେ ମଧ୍ୟ ରାମଚନ୍ଦ୍ରର ଅଯୋଧ୍ୟାରେ ଉପସ୍ଥିତି ଭରତ ପାଇଁ ସବୁବେଳେ ବିପଦ ହୋଇ ରହିବ।କଳେ ବଳେ କୌଶଳେ ସେ ରାଜଗାଦି ଅକ୍ତିଆର କରିବାକୁ ଷଡ଼ଯନ୍ତ୍ର କରିବ।ତେଣୁ ରାମକୁ ଅଯୋଧ୍ୟାରୁ ତଡିବା ନିହାତି ଆବଶ୍ୟକ। ତେଣୁ ତୁ ଦ୍ବିତୀୟ ବର ମାଗିବୁ ରାମଚନ୍ଦ୍ର ଚଉଦ ବର୍ଷ ପାଇଁ ବନବାସ ଯାଉ।ଚଉଦ ବର୍ଷକାଳ ବଣଜଙ୍ଗଲରେ ବୁଲିବା ଅବସରରେ ରାମ, ରାକ୍ଷସ କିମ୍ବା ବଣ୍ୟଯନ୍ତୁଙ୍କ ଶିକାର ହେବ।ଭରତ ପାଇଁ ଆଉ ଅଡ଼ୁଆ ନଥିବ; ବାଉଁଶ ତ ରହିବ ନାହିଁ, ବାଂଶୁରୀ ବାଜିବ କୁଆଡୁ ?
ତୋତେ ଦୁଇଟି ବର ଦେବାପାଇଁ ରାଜା ଯେଉଁ ସତ୍ୟ କରିଛି ତା'ର ସଠିକ୍ ଉପଯୋଗ କରି ଏ ବିପଦରୁ ତୁ ରକ୍ଷା ପାଇବୁ କୈକେୟୀ।ସତ୍ୟ ନଭାଙ୍ଗିବା ହେଉଛି ରଘୁକୁଳର ରୀତି।କାଳ କାଳ ଧରି ଏହା ରହିଆସିଛି।ସତ୍ୟ ଭାଙ୍ଗିଲେ କୁଳକୁ କଳଙ୍କ ହେବ।ତୋର କଥାକୁ ଅନ୍ୟଥା କରିବାପାଇଁ ରାଜା ଦଶରଥର ଉପାୟ ନାହିଁ ।"
କୈକେୟୀଙ୍କ ଆଖି ଉଜ୍ଜ୍ବଳ ଦେଖାଗଲା।ମନ୍ଥରାକୁ ଆଲିଙ୍ଗନ କରି କହିଲେ... ବାଃ ମନ୍ଥରା ! କି ମୁଣ୍ଡ ତୋର ! କି ବୁଦ୍ଧି ପାଇଛୁ ତୁ ! ତୋ ଉପକାର ମୁଁ ଭୁଲି ପାରିବି ନାହିଁ।"
ମନ୍ଥରା କହିଲା.. ମୁଁ ସିନା ବୁଦ୍ଧି ଦେଲି, କିନ୍ତୁ ତା'ର ସଫଳତା ସହିତ କାର୍ଯ୍ୟକାରୀ କରିବା ତୋ ହାତରେ।ମନକୁ ଦୃଢ଼ କର କୈକେୟୀ। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ତୋ ମନକୁ ଆସିବା ଉଚିତ ନୁହେଁ ଯେ ତୁ କିଛି ଅନୈତିକ ବା ହୃଦୟହୀନ କାମ କରୁଛୁ। ଗୋଟିଏ ଚିରା ମଇଳା ଶାଢୀ ପିନ୍ଧି,ଦେହରୁ ସବୁ ଅଳଙ୍କାର କାଢି ଫିଙ୍ଗି ଦେଇ ଭୁଇଁରେ ମୁହଁ ମାଡି ଶୋଇରହିବୁ। ରାଜା ଶୟନ କକ୍ଷକୁ ଆସିଲେ ତା ମୁହଁକୁ ଚାହିଁବୁ ନାହିଁ। ରାଜା ତୋର ଏ ଅବସ୍ଥା ଦେଖି ସହ୍ୟ କରି ପାରିବନାହିଁ। ସେହି ସୁଯୋଗରେ ପୂର୍ବେ କରିଥିବା ସତ୍ୟ ବଚନ ତାକୁ ମନେପକାଇ ଦେବୁ ଏବଂ ବର ଦୁଇଟି ମାଗିନେବୁ।"
ଯୋଜନା ଅନୁଯାୟୀ କୈକେୟୀ ଦୀନହୀନ ଦୟନୀୟ ବେଶରେ ଭୁଇଁରେ ଶୋଇ ରହିଲେ ଦଶରଥଙ୍କୁ ଅପେକ୍ଷା କରି।
ମନ୍ଥରାର ଏହି କୁମନ୍ତ୍ରଣା ପୂର୍ବରୁ କୈକେୟୀଙ୍କ ମନ ପଦ୍ମପତ୍ରର ଜଳପରି ନିର୍ମଳ ଓ ନିରାସକ୍ତ ଥିଲା।ରାମଙ୍କୁ ସେ ଭରତ ଠାରୁ ଅଧିକ ଭଲ ପାଉଥିଲେ।ଲୋଭ,ମୋହ,ଭୟ ଏବଂ ସ୍ବାର୍ଥପରତା ତାଙ୍କ ନିର୍ମଳ ମନକୁ କଳୁଷିତ କରିଦେଲା।ଏହା ଦେବତାଙ୍କ ମାୟା ହେଉ ବା ଯାହାକିଛି ହେଉ କୁସଙ୍ଗ କେଉଁପରି ସମ୍ପର୍କ ଫୁଲକୁ କୀଟଦ୍ରଂଷ୍ଟ କରିଦିଏ ଏହି ଘଟଣା ତା'ର ଉଦାହରଣ।
ମୋହ,ଭୟ ଓ ଅସୁରକ୍ଷାଭାବ ଏକ ସରଳ ଚରିତ୍ରକୁ ଜଟିଳରେ ପରିଣତ କରିଦିଏ। ମନ୍ଥରା କୈକେୟୀଙ୍କ ମୁଣ୍ଡରେ "ଅସୁରକ୍ଷା" ନାମକ ଏକ ଅଜଣା ଅଦେଖା ଭୂତ ପୁରାଇବା ପରେ ଭବିଷ୍ୟତ ଚିନ୍ତା ତାଙ୍କୁ ଭୟଭୀତ କରିବା ଆରମ୍ଭ କଲା।ଅପତ୍ୟ ମୋହ ପ୍ରତିଟି ନାରୀର ରକ୍ତଗତ ଦୁର୍ବଳତା। ଭବିଷ୍ୟତରେ ଶ୍ରୀରାମ ଭରତଙ୍କୁ ଦାଣ୍ଡର ଭିକାରୀ କରିଦେବେ ବୋଲି ଯେଉଁ ବଦ୍ଧମୂଳ ଧାରଣା ମନ୍ଥରା କୈକେୟୀଙ୍କ ମୁଣ୍ଡରେ ସଫଳତା ସହିତ ରୋପଣ କଲା ତାହା ତାଙ୍କ ମନରେ ସମ୍ପର୍କ ପ୍ରତି ଅବିଶ୍ବାସ ଭାବ କେବଳ ସୃଷ୍ଟି କଲାନାହିଁ ବରଂ ଦୃଢକଲା।ରାମାୟଣର ଏହି ଘଟଣା ଭିତରେ ସର୍ବକାଳୀନ ସତ୍ୟ ଲୁଚି ରହିଛି...ବିନ୍ଦୁଏ ବିଷ ବିଶାଳ ଅମୃତ ଭାଣ୍ଡକୁ ମଧ୍ୟ ବିଷାକ୍ତ କରିଦିଏ।
କ୍ରମଶଃ
