STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୨୭)

ସରଯୂ ନଦୀର ତୀରେ (୨୭)

4 mins
164


ଶ୍ରୀରାମଚନ୍ଦ୍ରଙ୍କ ହାତରେ ଭାର୍ଗବ ପର୍ଶୁରାମଙ୍କ ଦର୍ପଦଳନ ସମ୍ବାଦ ଅଯୋଧ୍ୟାବାସୀଙ୍କ ପାଖରେ ବିଜୁଳି ବେଗରେ ପହଞ୍ଚିଗଲା।ଦଶରଥ ଚାରି ପୁତ୍ରଙ୍କ ବିବାହ ଉତ୍ସବ ଶେଷ କରି ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ବାଦଟି ଆନନ୍ଦର ତରଙ୍ଗରେ ପରିଣତ ହୋଇ ସମଗ୍ର ଉତ୍ତର କୋଶଳକୁ ପ୍ଲାବିତ କରିଦେଲା। ରାଜକୁମାର ଏବଂ ରାଜବଧୂଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜଧାନୀ ଅଯୋଧ୍ୟାର ଘରେ ଘରେ ଫୁଲ ଓ ଆମ୍ବପତ୍ରର ତୋରଣ ଶୋଭା ପାଇଲା।ଦ୍ବରେ ଦ୍ବାରେ ଝୋଟି ଓ ଚିତା ସହିତ ପୂର୍ଣ୍ଣକୁମ୍ଭ ସୁନ୍ଦର ଶାଶ୍ଵତ ମନଲୋଭା ଦୃଶ୍ୟ ସୃଷ୍ଟିକଲା। ଅଯୋଧ୍ୟା ନଗରୀ ଫୁଲ ତୋରଣରେ ସଜ୍ଜିତ ହୋଇ ସ୍ବର୍ଗର ନନ୍ଦନକାନନର ସୌନ୍ଦର୍ଯ୍ୟକୁ ମଧ୍ୟ ନିନ୍ଦା କଲା।


ରାମ ଏବଂ ସୀତା ଅଯୋଧ୍ୟାରେ ଆନନ୍ଦରେ ବାରବର୍ଷ କାଳ ମଧୁର ଦାମ୍ପତ୍ୟ ଅତିବାହିତ କଲେ।


ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କର ଏହି ଅବତାରଙ୍କୁ ମାନବ କଲ୍ୟାଣ ପାଇଁ ଦୁଃଖକଷ୍ଟ ଭୋଗ କରିବା ସମୟ ଏବେ ଉପସ୍ଥିତ।ଯେଉଁ ବିଶ୍ବସମ୍ରାଟ ସମଗ୍ର ସୃଷ୍ଟିର ଆଧାର, ଯେ ସର୍ବନିୟନ୍ତା, ସର୍ବଦ୍ରଷ୍ଟା ଓ ସର୍ବଶକ୍ତିମାନ ସେ ଚାହିଁଥିଲେ କ୍ଷଣକରେ ରାକ୍ଷସ ସମାଜକୁ ଧ୍ବଂସକରି ତ୍ରିଭୁବନରେ ଶାନ୍ତି ପ୍ରତିଷ୍ଠା କରି ପାରିଥାନ୍ତେ। କାହିଁକି ତାଙ୍କୁ ଏତେ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଲା ! ସ୍ରଷ୍ଟା ନିଜେ କହନ୍ତି... ଯେତେବେଳେ ମୁଁ ଧରାପୃଷ୍ଠରେ ଯେଉଁ ଅବତାର ନିଏ ମୋର ଖେଳ ସେହି ଅବତାରର ଅନୁଭୂତି ଏବଂ ଅନୁଭଵ ମାଧ୍ୟମରେ ସଂଘଟିତ ହୁଏ।"

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି/ଦେବତା ହେଲେ ହେଁ ମରଇ। ସେହି ସୀମିତ ଜୀବନକାଳ ଭିତରେ ଅତିମାନବ ରୂପ ଓ ମନ ନେଇ "ଅବତାର" ଯେଉଁ ଲୀଳା କରିଥାଆନ୍ତି ତା ଭିତରେ ଜନସମାଜ ପାଇଁ ଅନେକ ନିର୍ଦ୍ଦେଶ, ଉଦାହରଣ ଛଳରେ ରହିଯାଏ।ନରଜନ୍ମ ଦୁର୍ଲଭ ତଥା ସଂସାର ଓ ପ୍ରକୃତିର ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ବୋଲି ସେହି ଲୀଳାଖେଳାରୁ ଜଣାଯାଏ।


ଦଶରଥ ତାଙ୍କର ସବୁ ପୁତ୍ରମାନଙ୍କୁ ଖୁବ୍ ଭଲ ପାଉଥିଲେ। କିନ୍ତୁ ଶ୍ରୀରାମଙ୍କ ପ୍ରତି ତାଙ୍କର ସ୍ନେହ ସ୍ବତନ୍ତ୍ର ଥିଲା,କାରଣ ଶ୍ରୀରାମଙ୍କ ଠାରେ ସମସ୍ତ ଦେବୋପମ ଗୁଣ ଥିଲା। ବୁଦ୍ଧିମତ୍ତା, ଆଚାର, ବ୍ୟବହାର, ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟାରେ ସେ ଜମ୍ବୁ ଦ୍ବୀପରେ ସେହି ସମୟରେ ଅନୁପମ ଓ ଅପ୍ରତିଦ୍ଵନ୍ଦୀ ଥିଲେ। 


କାମଦେବଙ୍କ ପରି ରାମଚନ୍ଦ୍ରଙ୍କର ସୁନ୍ଦର ଶରୀର,ବିଶାଳ ଭୁଜରେ ହସ୍ତୀର ଶକ୍ତି,ନିର୍ଭିକ ମନ,ଦୟାଦ୍ର ପବିତ୍ର ହୃଦୟ, ସୁମଧୁର ବାଣୀ, ଅତୁଳନୀୟ ଗୁରୁଭକ୍ତି,ଗଭୀର ଜ୍ଞାନୋଦୀପ୍ତ ଚତୁରତା ତଥା ଜଣେ ସୁଶାସକ ଠାରେ ଥିବା ସମସ୍ତ ଗୁଣ ଦେଖି ପ୍ରଜାଗଣ ତାଙ୍କର ଭୂୟସୀ ପ୍ରଶଂସାରେ ମଗ୍ନଥିଲେ ଏବଂ ଅତି ଶୀଘ୍ର ତାଙ୍କୁ ରାଜା ଭାବରେ ପାଇବା ଆଶାରେ ଅପେକ୍ଷା କରି ରହିଥିଲେ।


ପ୍ରଜାମାନଙ୍କର ଏହି ଅପେକ୍ଷା ଦଶରଥଙ୍କୁ ଅଜଣା ନଥିଲା।ନିଜର ବୟସାଧିକ୍ଯ ଯୋଗୁଁ ସେ ଚାହୁଁଥିଲେ ରାମଚନ୍ଦ୍ରଙ୍କ ହାତରେ ରାଜଦଣ୍ଡ ଦେଇ ବିଶ୍ରାମ କରିବେ। ଦିନେ ରାଜଦରବାରରେ ଏହି ପ୍ରସ୍ତାବ ଦଶରଥ ଉପସ୍ଥାପନ କଲେ।

ଗହ ଗହ କମ୍ପୁଥାଏ ରାଜଦରବାର।ସଭାରେ ମହାନ ପଣ୍ତିତ ଓ ଋଷିମାନଙ୍କ ସମେତ ସୁଦକ୍ଷ,ସୁଚତୁର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।ଜାବାଳି,ବାମଦେବ,କଶ୍ୟପ ଆଦି ମହର୍ଷି,ବଶିଷ୍ଠଙ୍କ ଭଳି ବ୍ରହ୍ମର୍ଷି ଏବଂ ମହାମନ୍ତ୍ରୀ ସୁମନ୍ତ୍ର ସଭାରେ ଉପସ୍ଥିତ ଥାଆନ୍ତି।ସମସ୍ତେ ଉପବେଶନ କରିବା ପରେ ଜଳଦଗମ୍ଭୀର କଣ୍ଠରେ ଦଶରଥ କହିଲେ... ଉପସ୍ଥିତ ଥିବା ସମସ୍ତ ସଭାସଦ ଗଣ ଏବଂ ଜ୍ଞାନକଳ୍ପ ଋଷିବୃନ୍ଦ !ସମସ୍ତେ ଜାଣନ୍ତି,ମୋ ପୂର୍ବଜଙ୍କ ଭଳି ମୁଁ ଅଯୋଧ୍ୟାକୁ ସନ୍ତାନ ଭଳି ପାଳନ କରି ଆସିଛି।ସମୟ ସାକ୍ଷୀ,ପ୍ରଜାନୁରଞ୍ଜନକୁ ମୁଁ ଜୀବନର ଶ୍ରେଷ୍ଠ ତପସ୍ୟା ଭାବେ ଗ୍ରହଣ କରିଛି। କିନ୍ତୁ ମୁଁ ବର୍ତ୍ତମାନ ବୃଦ୍ଧ।ମୋର ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ର ହାତରେ ରାଜ୍ୟଭାର ଅର୍ପଣ କରିବାପାଇଁ ମୁଁ ନିଷ୍ପତ୍ତି ନେଇଛି।ବାମ ହାତରେ ବାମଦେବଙ୍କ ଧନୁ ଭଗ୍ନ କରିଥିବା ଏବଂ ବାମ ହସ୍ତରେ ପର୍ଶୁରାମଙ୍କ ଦର୍ପ ଦଳନ କରିଥିବା ସର୍ବଗୁଣ ସମ୍ପନ୍ନ,ଆଚାର-ଶ୍ରେଷ୍ଠ ମୋ ବୀର ପୁତ୍ର ରାଜଚନ୍ଦ୍ର ଯେ ଅଯୋଧ୍ୟା ସିଂହାସନ ପାଇଁ ଯୋଗ୍ୟ ଦାୟାଦ ଏଥିରେ ମୋ ମନରେ ତିଳେମାତ୍ର ସନ୍ଦେହ ନାହିଁ।ରାମଚନ୍ଦ୍ରକୁ ରାଜ୍ୟ ଶାସନ ଦାୟିତ୍ୱ ଅର୍ପଣ କରି,ମୋ ପୂର୍ବଜ ମାନଙ୍କ ପଦାନୁସରଣ କରି ଅରଣ୍ୟରେ ମୁନିଋଷି ମାନଙ୍କ ସେବାରେ ମୋର ଶେଷ ଜୀବନ ବ୍ୟତୀତ କରିବାପାଇଁ ମୁଁ ଚାହେଁ। 


କିଛି ନୀରବତା ପରେ ଦଶରଥ କହିଲେ..ରଘୁବଂଶର ପରମ୍ପରା ଅନୁଯାୟୀ ସିଂହାସନର ଉତ୍ତରାଧିକାରୀ ଚୟନ ପାଇଁ ରାଜସଭାର ସ୍ବୀକୃତି ଆବଶ୍ୟକ। ଏହି ସଭାରେ ଆପଣମାନଙ୍କ ଅନୁମତି ମିଳିଲେ ମୁଁ ରାମଚନ୍ଦ୍ରର ରାଜ୍ୟାଭିଷେକ ଆୟୋଜନ କରିବି।"


"ସାଧୁ ସାଧୁ" ବାଣୀରେ ଅଯୋଧ୍ୟାର ରାଜସଭା ଗୁଞ୍ଜରିତ ହେଲା। ଉପସ୍ଥିତ ସମସ୍ତ ସଭାସଦଗଣ,ରାମଚନ୍ଦ୍ର ରାଜା ହେବା ସପକ୍ଷରେ ମତଦାନ କଲେ।ଦଶରଥଙ୍କ ହୃଦୟ ସରସୀ ସଦ୍ୟ ପ୍ରସ୍ଫୁଟିତ ଆତ୍ମତୃପ୍ତିର କୁମୁଦିନୀରେ ପରିପୂର୍ଣ୍ଣ ହୋଇଗଲା।ଏକ ସ୍ବରରେ ଉପସ୍ଥିତ ସଭାସଦ ମତଦେଲେ... ଯଥାଶୀଘ୍ର ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ଦେଖିବାପାଇଁ ଉତ୍ତର କୋଶଳର ପ୍ରଜାପୁଞ୍ଜ ଉତ୍କଣ୍ଠା ସହିତ ଅପେକ୍ଷା କରିଛନ୍ତି।


କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ଦଶରଥ କହିଲେ...ଗୁରୁଦେବ ! ଏବେ ପବିତ୍ର ଚୈତ୍ରମାସ ଚାଲିଛି।ସମଗ୍ର ପୃଥିବୀ ଫୁଲର ରଙ୍ଗ ଓ ସୁରଭିରେ ସୁଶୋଭିତ।ଶୁଭକାର୍ଯ୍ୟ ପାଇଁ ଏହାଠାରୁ ବଳି ଉତ୍ତମ ସମୟ ଆଉ କାହିଁ? ଅଭିଷେକ ପାଇଁ ଆପଣ ଶୁଭମୁହୂର୍ତ୍ତ ନିର୍ଦ୍ଧାରଣ କରନ୍ତୁ। 


ମହାମନ୍ତ୍ରୀ ସୁମନ୍ତ୍ର ,ରାଜାଙ୍କ ଆଦେଶ ନେଇ ରାମଚନ୍ଦ୍ରଙ୍କ ପାଖରେ ପହଞ୍ଚି ରାଜସଭାରେ ଉପସ୍ଥିତ ହେବାପାଇଁ ଅନୁରୋଧ ଜଣାଇଲେ।ରାଜସଭାରେ ହୋଇଥିବା ନିଷ୍ପତ୍ତି ବିଷୟରେ ରାମଚନ୍ଦ୍ରଙ୍କୁ କିଛି ଜ୍ଞାତ ନଥିଲା। ସଭାରେ ଉପସ୍ଥିତ ହୋଇ ସେ ପିତାଙ୍କ ପାଦ ବନ୍ଦନା କଲେ। ବଶିଷ୍ଠଙ୍କଠାରୁ ରାଜସଭାର ନିଷ୍ପତ୍ତି ଶୁଣି ଧୀରକଣ୍ଠରେ ରାମଚନ୍ଦ୍ର କହିଲେ..ଆପଣଙ୍କ ଇଚ୍ଛା ମୋ ପାଇଁ ଆଦେଶ ବ୍ୟତୀତ ଅନ୍ୟ କିଛି ନୁହେଁ।ଯେଉଁ ଦାୟିତ୍ଵ ଆପଣ ମୋତେ ଅର୍ପଣ କରିବେ ତାହା କର୍ତ୍ତବ୍ୟ-କର୍ମ ଭାବରେ ଗ୍ରହଣ କରି ସୁଚାରୁରୂପେ ଆନନ୍ଦରେ ସମ୍ପାଦନା କରିବି।


ରାମଚନ୍ଦ୍ରଙ୍କୁ ଆଶୀର୍ବାଦ ଦେଇ ଦଶରଥ କହିଲେ..ପୁତ୍ର ! ତୁମର ବିନମ୍ରତା ଓ ପ୍ରଜାବତ୍ସଳ ମନୋଭାବ ପାଇଁ ତୁମେ ପ୍ରଜାମାନଙ୍କ ହୃଦୟ ସିଂହାସନରେ ରାଜତ୍ଵ କରୁଛ। ଅଯୋଧ୍ୟା ସିଂହାସନରେ ବସି ରାଜଦଣ୍ଡ ଧାରଣ କରିବା ପରେ ତୁମର ସେ ବିନମ୍ରତା ଏବଂ ପ୍ରଜାନୁରଞ୍ଜନ ବହୁଗୁଣିତ ହେଉ।ରଘୁ ଏବଂ ଇକ୍ଷାକୁଙ୍କ ଠାରୁ ତୁମେ ଅଧିକ ଯଶବାନ ହୁଅ,ଏହା ମୋର ଆଶୀର୍ବାଦ। 

ରାଜସଭା ସାଙ୍ଗ କରି ଦଶରଥ ଏବଂ ରାମଚନ୍ଦ୍ର ନିଜ ନିଜ ପ୍ରକୋଷ୍ଠକୁ ଚାଲିଗଲେ।


ଅଳ୍ପ ସମୟ ପରେ ହଠାତ୍ ସୁମନ୍ତ୍ର ରାମଚନ୍ଦ୍ରଙ୍କ ପାଖରେ ପହଞ୍ଚି କହିଲେ.. କୁମାର ! ଆପଣ ଶୀଘ୍ର ପିତାଙ୍କ ପାଖରେ ଉପସ୍ଥିତ ହୁଅନ୍ତୁ। କିଛି ଗୁରୁତ୍ଵପୂର୍ଣ୍ଣ ବିଷୟରେ ସେ ଆଲୋଚନା କରିବା ପାଇଁ ଇଚ୍ଛୁକ।" ଆଶ୍ଚର୍ଯ୍ୟ ହେଲେ ରାମଚନ୍ଦ୍ର;କଣ କାରଣ ହୋଇପାରେ !


ପିତାଙ୍କ ପାଖରେ ପହଞ୍ଚିବାପରେ ତାଙ୍କୁ ପାଖରେ ବସାଇ ଦଶରଥ କହିଲେ..ପୁତ୍ର ! ମୋର ମନ ଭୀଷଣ ଆନ୍ଦୋଳିତ।ଗତ ରାତିରେ ମୁଁ ସ୍ବପ୍ନରେ ଅନେକ ଅଶୁଭ ଅପଶକୁନ ଦେଖିଛି। ସେହି ସ୍ବପ୍ନରୁ ନିକଟ ଭବିଷ୍ୟତରେ ମୋର ମୃତ୍ୟୁ ହେବାର ସୂଚନା ମଧ୍ୟ ମିଳୁଛି।ତେଣୁ ଅତି ଶୀଘ୍ର ତୁମର ରାଜ୍ୟାଭିଷେକ କରିବାପାଇଁ ମୋର ଇଚ୍ଛା। ବର୍ତ୍ତମାନ କୁମାର ଭରତ ମାତୁଳାଳୟରେ । ଏହା ତୁମ୍ଭ ରାଜ୍ୟାଭିଷେକ ପାଇଁ ପ୍ରକୃଷ୍ଟ ସମୟ।କୁମାର ଭରତ ତୁମର ଅତିପ୍ରିୟ, କିନ୍ତୁ ମନୁଷ୍ୟର ମନ କେତେବେଳେ ପରିବର୍ତ୍ତନ ହେବ,ଜାଣିବା ସହଜ ନୁହେଁ। ଆସନ୍ତା କାଲି ଶୁଭ ମୁହୂର୍ତ୍ତ ରହିଛି।ମୋର ଇଚ୍ଛା କାଲି ହିଁ ତୁମର ରାଜ୍ୟାଭିଷେକ ହେଉ।ଏ ସମ୍ବନ୍ଧରେ କୁଳଗୁରୁଙ୍କ ସହିତ ମୁଁ ଆଲୋଚନା କରିଛି। ଅଭିଷେକ ପୂର୍ବରୁ ତୁମକୁ କିଛି ନୀତି ନିୟମ ପାଳନ କରିବାକୁ ପଡ଼ିବ ।ତୁମେ ଏବଂ ବଧୂ ସୀତା ଆଜି ରାତିରେ ଶୁଦ୍ଧପୁତ ହୋଇ କୁଶାସନରେ ଶୟନ କରିବ। ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ ଶେଷକରି ଦେବାର୍ଚନା ଶେଷ କରି ତୁମେ ଦୁହେଁ ଅଭିଷେକ ମହୋତ୍ସବ ପାଇଁ ପ୍ରସ୍ତୁତ ହୁଅ ।"


ପିତାଙ୍କ ନିର୍ଦ୍ଦେଶକୁ ଆଦେଶ ଭାବେ ଗ୍ରହଣ କରି,ମାତାଙ୍କ ପ୍ରକୋଷ୍ଠରେ ଏହି ସୁସମ୍ବାଦ ଦେବାପାଇଁ ବାହାରିଲେ ରାମଚନ୍ଦ୍ର। ରାଣୀ ହଂସପୁରରେ ପ୍ରଥମେ କୈକେୟୀଙ୍କୁ ଭେଟି ସେ ଯେତେବେଳେ ଏ ସୁସମ୍ବାଦ ଦେଲେ,ଆନନ୍ଦରେ ଆତ୍ମହରା ହୋଇଗଲେ କୈକେୟୀ। ରାମଚନ୍ଦ୍ରଙ୍କ କପାଳ ଚୁମ୍ବନ କରି ଆଶୀର୍ବାଦ ଦେଇ କହିଲେ..ଦେବୋପମ ପୁତ୍ର ମୋର ! ଯଶସ୍ବୀ ହୁଅ।


କ୍ରମଶଃ ।



Rate this content
Log in

Similar oriya story from Classics