STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୨୬)

ସରଯୂ ନଦୀର ତୀରେ (୨୬)

5 mins
215

ପର୍ଶୁରାମଙ୍କ ଆଗରେ ଯୋଡହସ୍ତରେ ଦଶରଥ କହିଲେ..ଜ୍ଞାନର ଭଣ୍ଡାର,ବ୍ରାହ୍ମଣଶ୍ରେଷ୍ଠ,ଆଚାରଶ୍ରେଷ୍ଠ,ଯୁଗପୁରୁଷ ହେ ଭାର୍ଗବ ! ଏଭଳି କ୍ରୋଧ ଆପଣଙ୍କ ବିଶାଳ ବ୍ୟକ୍ତିତ୍ୱର ଅନୁରୂପ ନୁହେଁ।ଏହା ବୀରବାଦ୍ୟ ନୁହେଁ,ବିବାହ ଉତ୍ସବର ବାଦ୍ୟ।ଆପଣଙ୍କ ବୀରତ୍ବକୁ ତାତ୍ସଲ୍ୟ କରିବା ଦୁଃସାହସ କିଏ କରିପାରିବ ପ୍ରଭୁ !

ଅନେକ ଦାନ, ଧର୍ମ, ଉପବାସ,ହୋମ ଯଜ୍ଞ ଇତ୍ୟାଦି କରି ଶେଷରେ ବୃଦ୍ଧକାଳରେ ଶୃଷ୍ୟଶୃଙ୍ଗଙ୍କ କୃପାରୁ ଚାରୋଟି ପୁତ୍ର ସନ୍ତାନ ଲାଭ କରିଛି।ସେମାନଙ୍କର ବିବାହ ଉତ୍ସବ ଶେଷକରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛି।ପିଲାମାନଙ୍କୁ ପାଦ ଧୂଳି ଦେଇ ଆଶୀର୍ବାଦ କରନ୍ତୁ ବ୍ରାହ୍ମଣଶ୍ରେଷ୍ଠ, ସେମାନଙ୍କର ଆୟୁଷ ବୃଦ୍ଧି ହେବ।"


ଭୟଙ୍କର ଗର୍ଜନ କରି ପର୍ଶୁରାମ କହିଲେ. ମୁଁ ଦୁଗ୍ଧପୋଷ୍ୟ ବାଳକ ନୁହେଁ ଦଶରଥ !ସମସ୍ତ ସମ୍ବାଦ ମୋର ହସ୍ତଗତ ହୋଇଛି।ମୋର ପୂଜ୍ୟ ଦେବତା ଆଶୁତୋଷଙ୍କର ପୁରାତନ ଧନୁ ଭାଙ୍ଗି ତୋର ଜ୍ୟେଷ୍ଠ ପୁତ୍ର ରାମ ଜନକ ନନ୍ଦିନୀ ସୀତା'ର ପାଣି ଗ୍ରହଣ କରିଛି। ସେହି ଅହଙ୍କାରରେ ଏ' ବୀରବାଦ୍ୟ ବଜାଇ ତୋ ପୁତ୍ର ରାମ ସସୈନ୍ୟ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛି।ତା' ଭଳି କ୍ଷତ୍ରିୟମାନଙ୍କର ଗର୍ବ ଚୂର୍ଣ୍ଣକରି ମୁଁ ୨୧ଥର ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିଛି,ଏହା ତୋତେ ଭଲ ଭାବରେ ଜଣା। ତଥାପି ତୋ'ପୁତ୍ରର ଏ ଅହଂକାର ! ଆଜି ମନେ ହେଉଛି ରଘୁକୁଳକୁ ବିନାଶ ନକରି ମୁଁ ବଡ଼ ଭୁଲ୍ କରିଛି।"


ପର୍ଶୁରାମଙ୍କ କ୍ରୋଧ ଶାନ୍ତ କରିବାପାଇଁ ଦଶରଥ କହିଲେ ରଘୁବଂଶୀମାନେ ଆପଣଙ୍କୁ ଅବଜ୍ଞା କରିବାର ଦୁଃସାହସ କିପରି କରିପାରିବେ ଭାର୍ଗବ ? ଯେଉଁ ପ୍ରକାର ଜଗତର କଲ୍ୟାଣ ଆପଣଙ୍କ ଜୀବନର ଲକ୍ଷ୍ୟ ସେହିପରି ପ୍ରଜାନୁରଂଜନ ରଘୁବଂଶୀ ମାନଙ୍କର ଜୀବନର ମନ୍ତ୍ର।ଆପଣ ତ ଜାଣନ୍ତି ସୃଷ୍ଟିର କଲ୍ୟାଣ ନିମନ୍ତେ ଦେବତାମାନଙ୍କ ପକ୍ଷ ନେଇ କିପରି ମୁଁ ଦାନବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲି।ଆପଣ ତ ସତ୍ୟ ଓ ଧର୍ମର ପୃଷ୍ଠପୋଷକ। ସର୍ବଦା ଧର୍ମ ଓ ସତ୍ୟ ପଥ ଅନୁସରଣ କରିବାରେ ରଘୁବଂଶୀମାନେ ମଧ୍ୟ ଅଗ୍ରଣୀ।ଆସନ୍ତୁ ଦେବ ! ମୋର ପୁତ୍ର ଓ ବଧୂମାନଙ୍କୁ ଆଶୀର୍ବାଦ ଦେଇ ରଘୁବଂଶକୁ ଗୌରବାନ୍ବିତ କରନ୍ତୁ। ମୋ ପୁତ୍ରମାନେ ବାଳୁତ ଓ 'କ୍ଷୀରକଣ୍ଠ'।ଆପଣଙ୍କ ସହିତ ବିବାଦ କରିବାର ଯୋଗ୍ୟତା ସେମାନଙ୍କର କାହିଁ ପର୍ଶୁରାମ !"


ପର୍ଶୁରାମଙ୍କ କ୍ରୋଧ ଶାନ୍ତ କରିବାରେ ସମର୍ଥ ହେଲେ ନାହିଁ ଦଶରଥ।ଦଶରଥଙ୍କୁ ଚାହିଁ ରୈଣୁକେୟ କହିଲେ ମୋର ଗୁରୁ ଦେବଦେବ ମହାଦେବଙ୍କ ଧନୁ ଭଗ୍ନ କରି,ଯେଉଁ ରାମ ମୋତେ ଅପମାନିତ କରିଛି ଏବଂ ମୋର ବୀରତ୍ବକୁ ଆହ୍ବାନ କରିଛି,ତାକୁ ମୁଁ ଏହି ମୁହୂର୍ତ୍ତରେ ଭେଟିବାକୁ ଚାହେଁ ଦଶରଥ;ତୋ ପାଖରେ ଏଠାରେ ମୋର କିଛି କାର୍ଯ୍ୟ ନାହିଁ ।"

ବୀରବାଦ୍ୟ ସ୍ଥିର ପଡି ଯାଇଥିଲା।ଅଖଣ୍ଡ ନୀରବତା ଛାଇ ଯାଇଥିଲା ସୈନ୍ୟମାନଙ୍କ ମଧ୍ୟରେ;ସତେ ଯେପରି ଲେଲିହାନ ଅଗ୍ନି ଶିଖା ଉପରେ କେହି ଜଳ ବର୍ଷା କରିଦେଲେ। କିଛି ଦୂରରେ ଦଣ୍ଡାୟମାନ ଲକ୍ଷ୍ମଣ ପର୍ଶୁରାମଙ୍କ କ୍ରୋଧ ଲକ୍ଷ୍ୟ କରୁଥିଲେ। ପର୍ଶୁରାମଙ୍କୁ ଶୁଣାଯିବା ଭଳି ଉଚ୍ଚ କଣ୍ଠରେ ସୌମିତ୍ରି କହିଲେ..ସୈନ୍ୟଗଣ ! କାହାର ଏ ପ୍ରଳାପ ? ମନେହେଉଛି ଆମ୍ଭ ସୈନ୍ୟମାନଙ୍କ ମଧ୍ୟରେ କେହି ଜଣେ ବାଚାଳ ପ୍ରବେଶ କରିଛି।"


ଅହିରାଜ ଲାଞ୍ଜରେ ସତେ ଯେପରି କେହି ଟେକାଟିଏ ପକାଇଦେଲା।ସର୍ପ ଯେପରି ଫୁତ୍କାର କରି ଲାଞ୍ଜରେ ଠିଆ ହୋଇଯାଏ, ଲକ୍ଷ୍ମଣଙ୍କ କଥା ଶୁଣି ସେହିପରି କ୍ରୋଧରେ ଦଶରଥଙ୍କୁ ଚାହିଁ ପର୍ଶୁରାମ କହିଲେ ଏହାକୁ କ୍ଷୀରକଣ୍ଠ କହୁଥିଲ ରାଜା ଦଶରଥ !ଏ ତ ବିଷକଣ୍ଠ,ଏହାର କଣ୍ଠରୁ ନିର୍ଗତ ବାକ୍ୟରେ ଭରି ରହିଛି ହଳାହଳ ।" ସଙ୍ଗେ ସଙ୍ଗେ ଲକ୍ଷ୍ମଣ ପ୍ରତ୍ୟୁତ୍ତରରେ କହିଲେ ଓଃ, ତାହେଲେ ମୋତେ ବିଷକଣ୍ଠ ଶିବ ମନେକରି ପୂଜା କରିବାପାଇଁ ଆସିଛ ବ୍ରାହ୍ମଣ ? ଶୁଣିଛି ସେ କୁଆଡେ ତୁମ୍ଭର ଗୁରୁ। କିନ୍ତୁ ଗୁରୁଙ୍କୁ ପୂଜା କରିବାପାଇଁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିବା କଣ ଆବଶ୍ୟକ ?କୁଶ,ବଟୁ,ପାତ୍ରି ଧରି ଆସିଥିଲେ ଜଣା ପଡିଥାନ୍ତା ଯେ ଆଶୁତୋଷଙ୍କ ପୂଜାର୍ଚ୍ଚନା ପାଇଁ ତୁମେ ଆସିଛ;ଏ ଧନୁ ଓ ପର୍ଶୁ'ର ପୂଜାର୍ଚ୍ଚନାରେ କି ଆବଶ୍ୟକତା ରହିଛି ?"


ଲକ୍ଷ୍ମଣଙ୍କ ଶ୍ଲେଷ ବାକ୍ୟ ଶୁଣି ଭୀଷଣ କ୍ରୋଧରେ କମ୍ପିଗଲା ପର୍ଶୁରାମଙ୍କ ସମଗ୍ର ଅବୟବ।ଭୟଙ୍କର ଗର୍ଜନ କରି ଯାମଦଗ୍ନ୍ୟ କହିଲେ ଅପଗଣ୍ଡ ମୁର୍ଖ, ଜାଣି ନାହୁଁ ତୁ କାହା ସହିତ ବାର୍ତ୍ତାଳାପ କରୁଛୁ ? ମୁଁ ରୈଣୁକେୟ ପର୍ଶୁରାମ,ଚାହିଁଲେ ଏହି ମୁହୂର୍ତ୍ତରେ ତୋ କାନ୍ଧରୁ ମସ୍ତକ ବିଚ୍ୟୁତ କରିଦେବି।" ପର୍ଶୁରାମ ଯେପରି କ୍ରୋଧରେ ଗର୍ଜନ କରି କହୁଥିଲେ,ଲକ୍ଷ୍ମଣ ସେତିକି ଶାନ୍ତ କଣ୍ଠରେ କହିଲେ କଣ ଆପଣଙ୍କ ନାମ, ପର୍ଶୁରାମ? ଶୁଣିବା ଭଳି ମନେ ହେଉଛି ଏହି ନାମ;ଆପଣ ସେହି ପର୍ଶୁରାମ ନୁହଁନ୍ତି ତ ଯେ ମାତାଙ୍କୁ ହତ୍ୟାକରି ମାତୃହନ୍ତା କଳଙ୍କ ମସ୍ତକରେ ବହନ କରିଥିଲେ !" ଏଥର ସୀମା ପାର କରିଗଲା ପର୍ଶୁରାମଙ୍କ କ୍ରୋଧ। କହିଲେ ମୁର୍ଖ ! ଏତେ କଥା ଯଦି ଜାଣିଛୁ ତାହେଲେ କ'ଣ ଜାଣିନାହୁଁ ଯେ ପିତାଙ୍କ ଆଜ୍ଞା ପାଳନ କରିବାପାଇଁ ମୁଁ ସେ ଅପରାଧ କରିଥିଲି? ପିତା ମୋ ପିତୃଭକ୍ତିରେ ସନ୍ତୁଷ୍ଟ ହୋଇ ଯେତେବେଳେ ବର ମାଗିବା ପାଇଁ କହିଥିଲେ, ମୁଁ ମାତାଙ୍କ ଜୀବନ ମାଗିଥିଲି ଏବଂ ମାତା ରେଣୁକା ପୁନର୍ଜନ୍ମ ପାଇଥିଲେ।"


ଲକ୍ଷ୍ମଣ ପୁନର୍ବାର ଶ୍ଲେଷ କଣ୍ଠରେ କହିଲେ ଏତେ ଯଦି ତୁମର ପ୍ରଗାଢ ପିତୃଭକ୍ତି ଥିଲା ପିତା ଯମଦଗ୍ନିଙ୍କୁ ସହସ୍ରାର୍ଜୁନ ବଧ କରିବା ସମୟରେ କେଉଁଠାରେ ଲୁଚିଥିଲ ବ୍ରାହ୍ମଣ ଗୋସାଇଁ ?


ଆଉ ଧୈର୍ଯ୍ୟ ଧରିବା ସମ୍ଭବ ନଥିଲା ପର୍ଶୁରାମଙ୍କର;ପର୍ଶୁ ଉତ୍ତୋଳନ କରି କହିଲେ ମୋ ହାତରେ ଆଜି ତୋର ଶେଷଦିନ ବାଳକ।ମୋ ପିତୃହନ୍ତା ସହସ୍ରାର୍ଜୁନକୁ ଯେଉଁପରି ସେଦିନ ଯମାଳୟକୁ ପ୍ରେରଣ କରିଥିଲି,ଆଜି ତୋତେ ସେହିପରି ନିଃଶେଷ କରିବି।"


ଅଦୂରରେ ଏହି ନାଟକ ଉପଭୋଗ କରୁଥିବା ଶ୍ରୀରାମଚନ୍ଦ୍ର କହିଲେ ଅସ୍ତ୍ର ସମ୍ବରଣ କରନ୍ତୁ ଭାର୍ଗବ। ମୁଁ ଯେବେ ଆପଣଙ୍କ ପାଖରେ ଦୋଷ କରିଛି ବୋଲି ମନେ କରୁଛନ୍ତି,ଲକ୍ଷ୍ମଣ ପାଖରେ ଆପଣଙ୍କର କଣ କାର୍ଯ୍ୟ ?ମୋ ପାଖକୁ ଆସନ୍ତୁ।ପ୍ରଥମେ ମୋର ପ୍ରଣାମ ଗ୍ରହଣ କରି କହନ୍ତୁ ମୋର ଅପରାଧ କଣ?"


ପର୍ଶୁରାମଙ୍କ କ୍ରୋଧ ଜୀବନ୍ତ ଆଗ୍ନେୟଗିରି ଭଳି ଥିଲା।ରାମଚନ୍ଦ୍ରଙ୍କୁ ଚାହିଁ ସେ କହିଲେ ତୁ ତାହେଲେ ରାମ ?ବଣ ଭିତରେ ପଶି ତାଡକା ନାମ୍ନୀ ଗୋଟାଏ ବଳହୀନା ବୁଢ଼ୀ ଅସୁରୁଣୀ ଏବଂ ତା ପୁତ୍ରକୁ ହତ୍ୟାକରି ମୋ ଆଗରେ ବୀରତ୍ବ ଦେଖାଉଛୁ ? ବହୁତ କାଳରୁ ଥୁଆ ହୋଇଥିବାରୁ ପୁରୁଣା ଓ କୀଟଦ୍ରଂଷ୍ଟ ହୋଇଯାଇଥିଲା ଶିବଧନୁ। ତାକୁ ଭାଙ୍ଗିବାରେ କେତେ ବା ଶକ୍ତି ଆବଶ୍ୟକ? ଏଥିପାଇଁ ତୁ ସସୈନ୍ୟ ବୀରବାଜା ବଜାଇ ମୋତେ ତାତ୍ସଲ୍ୟ କରୁଛୁ ?"


ଶାନ୍ତ ଓ ଦୃଢ କଣ୍ଠରେ ରାମଚନ୍ଦ୍ର କହିଲେ ହେ ଭାର୍ଗବ ! ପୃଥିବୀରୁ କ୍ଷତ୍ରିୟ ମାନଙ୍କର ଦୌରତ୍ମ୍ୟ ଶେଷକରି ଧରାକୁ କ୍ଷତ୍ରିୟଶୂନ୍ୟ କରିବା ପରେ ହତ୍ୟା ଜନିତ ପାପର ପ୍ରାୟଶ୍ଚିତ କରିବା ପାଇଁ ଆପଣ ମହର୍ଷି କଶ୍ୟପଙ୍କ ଦ୍ବାରା ଅଶ୍ଵମେଧ ମହାଯଜ୍ଞ ଅନୁଷ୍ଠାନ କରିଥିଲେ। ତତ୍ପରେ ଆପଣ କଶ୍ୟପଙ୍କୁ ବିଜିତ ପୃଥିବୀ ଦାନ କରି ତପସ୍ୟା ଆଚରି ନେଇଥିଲେ।ଆପଣଙ୍କ ମହତ କାର୍ଯ୍ୟ ପୃଥିବୀରେ ଶେଷ ହୋଇଛି ।ଆଉ କାହିଁକି ତପସ୍ୟା ତ୍ୟାଗ କରି ପୁନର୍ବାର ଏଠାକୁ ଆପଣଙ୍କ ଆଗମନ ?"


ପର୍ଶୁରାମ ଶ୍ରୀରାମଙ୍କର କୌଣସି କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ।ଅଧୈର୍ଯ୍ୟ ହୋଇ କହିଲେ ବିଶ୍ଵକର୍ମା ଯେଉଁ ଦୁଇଟି ବିଶାଳ ଧନୁ ନିର୍ମାଣ କରିଥିଲେ,ତା ଭିତରୁ ଗୋଟିଏ ଦେଇଥିଲେ ଶିବଙ୍କୁ ଏବଂ ଅନ୍ୟଟି ବିଷ୍ଣୁଙ୍କୁ। ବିଷ୍ଣୁଙ୍କ ଧନୁ କାଳକ୍ରମେ ମୋ ପିତା ଯମଦଗ୍ନିଙ୍କ ମାଧ୍ୟମରେ ମୋର ହସ୍ତଗତ ହେଲା। ସେହି ଧନୁ ବର୍ତ୍ତମାନ ମୋ ବାହୁରେ ବିରାଜମାନ।ଜନକଙ୍କ ଗୃହରେ ଥିବା ଶିବଧନୁ ପୁରାତନ ଓ କୀଟଦ୍ରଂଷ୍ଟ ହୋଇଥିଲା। ସେହି ପୁରୁଣା ଧନୁକୁ ଭାଙ୍ଗିବାରେ କିଛି ବିଶେଷତ୍ଵ ନାହିଁ।ଯେବେ ମୋ ହାତରେ ଥିବା ବିଷ୍ଣୁଧନୁରେ ଗୁଣ ଚଢାଇ ପାରିବ ତା'ହେଲେ ମୁଁ ଜାଣିବି ତୁମର ବୀରତ୍ବ।"


ହସିଦେଇ ଶ୍ରୀରାମ କହିଲେ ଯେପରି ଆପଣଙ୍କ ଇଚ୍ଛା ଭାର୍ଗବ।"ଶ୍ରୀରାମ ପର୍ଶୁରାମଙ୍କ ହାତରୁ ଧନୁ ଆଣିବାପାଇଁ ହାତ ବଢ଼ାଇବା ସମୟରେ ସବାରି ଭିତରେ ବସିଥିବା ଜାନକୀଙ୍କ ମନ ଦୁଃଖରେ ଭରିଗଲା।ସେ ଭାବିଲେ ମୋ ପିତାଙ୍କ ଭଳି ଆଉ ଜଣେ ଋଷି ରାମଚନ୍ଦ୍ରଙ୍କୁ ଧନୁ ବଢାଉଛନ୍ତି ଗୁଣ ଚଢାଇବା ପାଇଁ; ସ୍ବାମୀ ମୋ ପାଇଁ ସପତଣୀ ଆଣିବେ ନାହିଁ ତ !"

ପର୍ଶୁରାମ ଶ୍ରୀରାମଙ୍କ ହାତକୁ ବିଷ୍ଣୁଙ୍କ ଧନୁ ବଢ଼ାଇବା ସଙ୍ଗେ ସଙ୍ଗେ ତାଙ୍କ ଦେହରୁ ବିଷ୍ଣୁକଳା ହରଣ କରିନେଲେ ଶ୍ରୀରାମ।ଅବଲୀଳାକ୍ରମେ ଧନୁରେ ଗୁଣ ଚଢାଇ ଶ୍ରୀରାମ ପଚାରିଲେ.. ମହାତ୍ମା ପର୍ଶୁରାମ ! ବିଷ୍ଣୁଙ୍କ ଧନୁରେ ଥରେ ଶାୟକ ଖଞ୍ଜିବା ପରେ ସେ ବାଣ ଫେରାଇ ହୁଏନାହିଁ। କୁହନ୍ତୁ ଏ ବାଣରେ ମୁଁ କଣ ବିନାଶ କରିବି ?"


ପର୍ଶୁରାମଙ୍କ ହାତରୁ ଧନୁ ଯିବା ସଙ୍ଗେ ସଙ୍ଗେ ତାଙ୍କ ଶରୀରର ଜ୍ୟୋତି ନିଷ୍ପ୍ରଭ ହୋଇଗଲା।ତାଙ୍କର ପୂର୍ବ ବଳବୀର୍ଯ୍ୟ, ଅହଂକାର ଆଉ ରହିଲା ନାହିଁ।ଜଣେ ସାଧାରଣ ଋଷି ଭଳି ସେ ଯୋଡ ହସ୍ତରେ କହିଲେ ମୁଁ ଜାଣି ପାରିଛି ଆପଣ କିଏ। ସ୍ବୟଂ ବିଷ୍ଣୁଙ୍କ ଅବତାର ହେ ରାମଚନ୍ଦ୍ର ! ଧନୁରେ ଚଢାଇ ଥିବା ବାଣରେ ମୋର ପାପଭାର ଛେଦନ କରନ୍ତୁ ଏବଂ ସମସ୍ତ ପୁଣ୍ୟ ବିଛେଦନ କରି ସ୍ବୟଂ ତାହା ଗ୍ରହଣ କରନ୍ତୁ।" ଏହା ପରେ ପର୍ଶୁରାମ ମହେନ୍ଦ୍ର ପର୍ବତକୁ ତପସ୍ୟା କରିବା ପାଇଁ ପ୍ରସ୍ଥାନ କଲେ। ସବାରିରେ ଦୁଃଖରେ ମ୍ରିୟମାଣ ହୋଇ ବସିଥିବା ପ୍ରିୟତମା ସୀତାଙ୍କ ପାଖକୁ ଆସି ଧୀର ସ୍ବରରେ ରାମଚନ୍ଦ୍ର କହିଲେ ଦୁଃଖିତ ହେବାର କିଛି ନାହିଁ ଜାନକୀ ! ଶକ୍ତି ପରୀକ୍ଷା ଚାଲିଥିଲା;ଅବଶ୍ୟ ଦ୍ବିତୀୟ ବିବାହ ପାଇଁ ସେ ପରୀକ୍ଷା ନଥିଲା।  


କ୍ରମଶଃ


Rate this content
Log in

Similar oriya story from Classics