ସରଯୂ ନଦୀର ତୀରେ (୨୫)
ସରଯୂ ନଦୀର ତୀରେ (୨୫)
ବିଦେହ ମଣ୍ଡଳରେ ଶିବଧନୁ ଭାଙ୍ଗିବାର ପ୍ରଚଣ୍ଡ ଶବ୍ଦ ଅଯୋଧ୍ୟାରେ ଶୁଣାଯିବା ପାଇଁ ବେଶି ସମୟ ଲାଗିଲା ନାହିଁ। ସବୁଠାରୁ କ୍ଷୀପ୍ର ଗତିରେ ଧାବମାନ ଅଶ୍ବରେ ମିଥିଳାର ଦୂତ ଅଯୋଧ୍ୟାରେ ପହଞ୍ଚି ଏହି ସୁସମ୍ବାଦ ଯେତେବେଳେ ଦଶରଥଙ୍କୁ ଦେଲା,ଆନନ୍ଦରେ ଆତ୍ମହରା ହୋଇଗଲେ ଦଶରଥ।ପୁତ୍ର ଦ୍ବୟଙ୍କୁ ବିଶ୍ଵାମିତ୍ରଙ୍କ ସହିତ ବନ ପ୍ରଦେଶକୁ ପଠାଇବା ପରଠାରୁ ନାନା ଆଶଙ୍କାରେ ତାଙ୍କ ମନ ପୂର୍ଣ୍ଣ ହୋଇ ରହିଥିଲା। ଅଗତ୍ୟା ଦୂତଠାରୁ ଯେତେବେଳେ ସମ୍ବାଦ ପାଇଲେ ଯେ ରାମଚନ୍ଦ୍ର ଶିବ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି,ତାଙ୍କର ମନେହେଲା ଯେପରି ତପ୍ତ ତନୁରେ ତାଙ୍କର କେହି ଅପର୍ଯ୍ୟାପ୍ତ ଶୀତଳ ଚନ୍ଦନ ବୋଳିଦେଲା।
ମିଥିଳାର ଦୂତକୁ ଉପଯୁକ୍ତ ପୁରସ୍କାର ଦେଇ ସଦଳବଳେ, କୁଳଗୁରୁ ବଶିଷ୍ଠ, ଦୁଇ ପୁତ୍ର ଭରତ ଏବଂ ଶତ୍ରୁଘ୍ନଙ୍କୁ ସାଙ୍ଗରେ ନେଇ ମିଥିଳାରେ କ୍ଷୀପ୍ର ବେଗରେ ପହଞ୍ଚିଲେ ଦଶରଥ।ଦଶରଥଙ୍କୁ ସମସ୍ତ ପ୍ରକାର ରାଜକୀୟ ଅଭ୍ୟର୍ଥନା ଦେଇ ଜନକ କହିଲେ...ହେ ଉତ୍ତର କୋଶଳାଧୀଶ ! ମୋ ପ୍ରିୟତମା କନ୍ୟା ସୀତାଙ୍କୁ ଜ୍ୟେଷ୍ଠା ବଧୂ ରୂପରେ ଗ୍ରହଣ କରି ମୋତେ ବାଧିତ କରିବା ହୁଅନ୍ତୁ।ତା ସଙ୍ଗେ ସଙ୍ଗେ ମୋର ଦ୍ଵିତୀୟା କନ୍ୟା ଉର୍ମିଳାକୁ କୁମାର ଲକ୍ଷ୍ମଣଙ୍କ ପାଇଁ ଗ୍ରହଣ କରନ୍ତୁ।ମୋର ଭ୍ରାତା କୁଶଧ୍ବଜଙ୍କର ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀ ନାମ୍ନୀ ଦୁଇ ରୂପବତୀ ଓ ଗୁଣବତୀ କନ୍ୟା ରତ୍ନ ଅଛନ୍ତି।ସେ ଦୁହିଁଙ୍କୁ ମଧ୍ୟ କୁମାର ଭରତ ଓ ଶତ୍ରୁଘ୍ନ ବିବାହ କଲେ ମୋର ଏବଂ ଅନୁଜ କୁଶଧ୍ବଜଙ୍କ ପରିବାର ନିଜକୁ ଧନ୍ୟ ମନେ କରିବେ।ଆପଣ ଆମ୍ଭମାନଙ୍କର ଅନୁରୋଧ ରକ୍ଷା କରନ୍ତୁ ରଘୁକୁଳ ତିଳକ।"
ଦଶରଥଙ୍କ ହୃଦୟ ଆକାଶ ପୂଣ୍ଣମାସୀ ଜ୍ୟୋତ୍ସ୍ନାଲୋକରେ ଉଦ୍ଭାସିତ ହୋଇଗଲା।ଜନକଙ୍କ ପ୍ରସ୍ତାବକୁ ଆନନ୍ଦରେ ଗ୍ରହଣ କଲେ ଦଶରଥ। ଚାରି ପୁତ୍ରଙ୍କର ବିବାହ ଉତ୍ସବ ମହା ଆଡମ୍ବରରେ ସମ୍ପନ୍ନ କରି,ଘୋରତୂର ବୀର ବାଦ୍ୟ ବଜାଇ ଅଯୋଧ୍ୟାକୁ ଫେରୁଥିଲେ ଦଶରଥ।
ଘୋର ବୀର ବାଦ୍ୟରେ ତ୍ରିଭୁବନ ପ୍ରକମ୍ପିତ ହେଲା।ସହ୍ୟାଦ୍ରି ପର୍ବତମାଳା ଉପରେ ଆଶ୍ରମରେ ଥାଇ ଯଜ୍ଞରେ ଆହୂତି ଦେଉଥିଲେ ପର୍ଶୁରାମ। ହଠାତ୍ ଵୀରଵାଦ୍ୟ ଗର୍ଜନରେ ଯଜ୍ଞକୁଣ୍ଡରୁ ଅଗ୍ନି ନିର୍ବାପିତ ହୋଇଗଲେ।ବାମ ହାତରେ ଧନୁ ଧାରଣ କରି ଏବଂ ଦକ୍ଷିଣ ହାତରେ ପର୍ଶୁ ଉତ୍ତୋଳନ କରି ଭୟଙ୍କର ଗର୍ଜନ କରି ଯଜ୍ଞକୁଣ୍ଡ ନିକଟରେ ଦଣ୍ଡାୟମାନ ହେଲେ ପର୍ଶୁରାମ। ରକ୍ତବର୍ଣ୍ଣ ଚକ୍ଷୁରୁ ପ୍ରତୀତ ହେଉଥିଲା ସତେ ଯେପରି ବନ ପ୍ରଦେଶରେ ଦାବାନଳ ଲାଗିଗଲା।ଦେହରୁ ଉଡୁଥିବା ବିଭୂତିରୁ ମନେ ହେଉଥିଲା ହୃଦୟରେ ଜଳୁଥିବା କ୍ରୋଧାଗ୍ନିରୁ ଯେପରି ଧୂମ ନିର୍ଗତ ହେଉଛି।ନିକଟସ୍ଥ ବୃକ୍ଷରେ ବାହୁକୁ ପିଟି ମେଘ ଘଡଘଡି ଶବ୍ଦରେ ପର୍ଶୁରାମ ଶିଷ୍ୟମାନଙ୍କୁ ଜିଜ୍ଞାସା କଲେ...କାହାର ଏ ବୀରବାଦ୍ଯ ! କେଉଁ ନିର୍ବୋଧ କ୍ଷତ୍ରିୟ ବୀରବାଦ୍ୟ ବଜାଇବାର ଧୃଷ୍ଟତା କରୁଛି !ମୂର୍ଖ କଣ ଜାଣେନା ଯେ ମୁଁ ଏକୋଇଶି ଥର ପୃଥିବୀ ନିକ୍ଷତ୍ରିୟ କରିଛି !"
ପର୍ଶୁରାମ ଥିଲେ ବିଷ୍ଣୁଙ୍କ ଷଷ୍ଠ ଅବତାର।ନାମ ତାଙ୍କର ଥିଲା ରାମ;ହାତରେ ପର୍ଶୁ ଧାରଣ କରୁଥିବାରୁ ସେ ପର୍ଶୁରାମ ନାମରେ ପରିଚିତ ଥିଲେ।ପିତା ଥିଲେ ମହର୍ଷି ଯମଦଗ୍ନି ଏବଂ ମାତାଙ୍କ ନାମ ଥିଲା ରେଣୁକା। ସେଥିପାଇଁ ସେ ଯାମଦଗ୍ନ୍ୟ ଏବଂ ରୈଣୁକେୟ ନାମରେ ମଧ୍ୟ ବିଦିତ। ମହର୍ଷି ଭୃଗୁଙ୍କ ବଂଶରେ ସେ ଜନ୍ମ। ସେଥିପାଇଁ ଭାର୍ଗବ ପର୍ଶୁରାମ ନାମରେ ସେ ପରିଚିତ। ସୃଷ୍ଟିରେ ଥିବା ଆଠଜଣ ଅମର ପୁରୁଷଙ୍କ ମଧ୍ୟରେ ସେ ଅନ୍ୟତମ। ମହେନ୍ଦ୍ର ପର୍ବତ ସହିତ ନିବିଡ଼ ଭାବରେ ତାଙ୍କ ନାମ ଜଡ଼ିତ।ଉଭୟ ତ୍ରେତୟା ଓ ଦ୍ଵାପର ଯୁଗରେ (ରାମାୟଣ ଏବଂ ମହାଭାରତ ଯୁଗ)ତାଙ୍କ ବୀରତ୍ବ ପାଇଁ ସେ ଥିଲେ ବହୁଚର୍ଚ୍ଚିତ ଚରିତ୍ର।
ଯେଉଁ ସମୟରେ ପୃଥିବୀରେ କ୍ଷତ୍ରିୟ ମାନଙ୍କର ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଥିଲା ଏବଂ ପ୍ରଜା ମାନଙ୍କ ରକ୍ଷକ ନହୋଇ ସେମାନେ ଭକ୍ଷକ ସାଜିଥିଲେ, ସେହି ସମୟରେ ସେମାନଙ୍କୁ ବିନାଶ କରି ଧର୍ମ ପ୍ରତିଷ୍ଠା କରିବା ପାଇଁ ବିଷ୍ଣୁ ପର୍ଶୁରାମ ଅବତାର ନେଇଥିଲେ। କ୍ଷତ୍ରିୟ ମାନଙ୍କର ଶୋଷଣର ପ୍ରତୀକ ଥିଲେ ମାହେଷ୍ମତି ପୁରର ରାଜା କାର୍ତ୍ତବୀର୍ଯ୍ୟ-ଅର୍ଜୁନ।ସହସ୍ର ବାହୁ ଥିବାରୁ ସହସ୍ରାର୍ଜୁନ ବା ସହସ୍ରବାହୁ ନାମରେ ସେ ପରିଚିତ ଥିଲେ। ଏଭଳି ପ୍ରତାପଶାଳୀ ଥିଲେ ଯେ ଏକଦା ଦଶଗ୍ରୀବ ରାବଣକୁ ପରାସ୍ତ କରି ବନ୍ଦୀକରି ରଖିଥିଲେ। ମହର୍ଷି ପୁଲସ୍ତ୍ୟଙ୍କ ଅନୁରୋଧ କ୍ରମେ ସେ ରାବଣକୁ ମୁକ୍ତି ଦେଇଥିଲେ।
ଏକଦା ଦତ୍ତାତ୍ରେୟଙ୍କ ଉପାସକ ଥିବା ମାହେଷ୍ମତୀର ଏହି ରାଜା ଘୋର ଅହଂକାରୀ ଓ ପ୍ରଜା ପ୍ରପୀଡକ ହୋଇଗଲେ। ପୃଥିବୀର ଅନ୍ୟ କ୍ଷତ୍ରିୟମାନେ ମଧ୍ୟ ତାଙ୍କ ଦେଖାଦେଖି ପ୍ରଜାମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ।ଆଶ୍ରମରେ ତପସ୍ୟା କରୁଥିବା ବ୍ରାହ୍ମଣ ମାନଙ୍କ ସମ୍ପତ୍ତି ମଧ୍ୟ ଲୁଣ୍ଠନ କରିବାରେ ପଶ୍ଚାତପଦ ହେଉନଥିଲେ ସେମାନେ।ଏହା ଥିଲା ବ୍ରାହ୍ମଣ ନୀତି ଓ ଧର୍ମ ବିରୁଦ୍ଧରେ କ୍ଷତ୍ରିୟ ମାନଙ୍କର ଶୌର୍ଯ୍ୟ ଶକ୍ତିର ପରୀକ୍ଷାର ସମୟ।
ଦିନେ ଘୋର ଅହଂକାରୀ ସହସ୍ରାର୍ଜୁନ ସମୁଦ୍ର ତଟରେ ଦଣ୍ଡାୟମାନ ହୋଇ ବରୁଣଙ୍କୁ ପ୍ରଶ୍ନ କଲେ କୁହ ବରୁଣ ! ସ୍ବର୍ଗ,ମର୍ତ୍ତ୍ୟ ପାତାଳ ତ୍ରିଭୁବନରେ ମୋଠାରୁ ଅଧିକ ବଳଶାଳୀ କିଏ ଅଛି ?
ବରୁଣ କହିଲେ ଭାର୍ଗବ ପର୍ଶୁରାମ ତୁମଠାରୁ ଅଧିକ ବଳବାନ।" ଭୟଙ୍କର କ୍ରୋଧରେ ଆରକ୍ତ ହେଲା ସହସ୍ରାର୍ଜୁନଙ୍କ ଚକ୍ଷୁ।ସେଠାରୁ ସେ ପହଞ୍ଚିଲେ ଯମଦଗ୍ନିଙ୍କ ଆଶ୍ରମରେ।ସେ ସମୟରେ ପର୍ଶୁରାମ ଆଶ୍ରମରେ ଅନୁପସ୍ଥିତ ଥିଲେ। ଯମଦଗ୍ନି ସହସ୍ରାର୍ଜୁନ ଏବଂ ତାଙ୍କ ସୈନିକଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କଲେ।ସୁରଭୀ ନାମକ ଗୋଟିଏ କାମଧେନୁ ଆଶ୍ରମରେ ଥିଲା। ସେହି ଧେନୁ ଯମଦଗ୍ନିଙ୍କର ସମସ୍ତ ଅଭିଳାଷା ପୂରଣ କରୁଥିଲା।ଧେନୁଟିକୁ ଦେଖି ସହସ୍ରାର୍ଜୁନଙ୍କ ମନରେ ଲୋଭ ଜାତ ହେଲା।ସେ ସୁରଭୀକୁ ନେବାପାଇଁ ଇଚ୍ଛା ପ୍ରକାଶ କଲେ, କିନ୍ତୁ ଦେବାପାଇଁ ଯମଦଗ୍ନି ଅନିଚ୍ଛା ପ୍ରକାଶ କଲେ।
ବଳାତ୍କାରେ ସୁରଭୀକୁ ଅପହରଣ କରି ଆଶ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଦେଲେ ସହସ୍ରାର୍ଜୁନ ଏବଂ ଯମଦଗ୍ନିଙ୍କ ମସ୍ତକ ବିକର୍ତ୍ତନ କଲେ। ଆଶ୍ରମକୁ ଫେରି ପର୍ଶୁରାମ ସବୁ ଶୁଣିବା ପରେ ଧନୁ ଏବଂ ପର୍ଶୁ ଧାରଣ କରି ସହସ୍ରାର୍ଜୁନ ସହିତ ଏକାକୀ ଯୁଦ୍ଧ କରିବାପାଇଁ ବାହାରିଗଲେ।ସସ୍ରାର୍ଜୁନଙ୍କର ବିଶାଳ ସେନା ବାହିନୀକୁ ଏକା ଧ୍ବସ୍ତ ବିଧ୍ବସ୍ତ କରି ସହସ୍ରାର୍ଜୁନର ସହସ୍ର ବାହୁ ଛେଦନ କଲେ ଭାର୍ଗବ ଏବଂ ତାଙ୍କୁ ଯମାଳୟ ପ୍ରେରଣ କଲେ।
ତା ପରଠାରୁ ଆରମ୍ଭ ହେଲା ତାଙ୍କର କ୍ଷତ୍ରିୟ ମାରଣ ଅଭିଯାନ।ବାର ବାର ଏକୋଇଶି ବାର ସେ ପୃଥିବୀକୁ ନିକ୍ଷତ୍ରିୟ କରିଛନ୍ତି।ଭୟରେ କ୍ଷତ୍ରିୟମାନେ ବୀର ବାଦ୍ୟ ବଜାଇବା ଭୁଲିଗଲେ।କେବଳ ଦଶରଥଙ୍କର କିଛି କ୍ଷତି କରିନଥିଲେ ପର୍ଶୁରାମ କାରଣ ରଘୁବଂଶୀମାନେ ପ୍ରଜା ପାଳକ ଥିଲେ, ପ୍ରପୀଡ଼କ ନୁହେଁ।
ଆଜି ରାମଚନ୍ଦ୍ରଙ୍କ ବୀର ବାଦ୍ୟ ଶୁଣି ପର୍ଶୁରାମଙ୍କ ଧମନୀରେ ନିଆଁ ଲାଗି ଯାଇଛି।ଘୋର ଗର୍ଜନ କରି ମହାବାତ୍ୟା ଭଳି ଧାଇଁଛନ୍ତି ପର୍ଶୁରାମ ବୀର ବାଦ୍ୟ ବଜାଇ ଯାଉଥିବା ମୂର୍ଖ କ୍ଷତ୍ରିୟକୁ ଉପଯୁକ୍ତ ଶାସ୍ତି ଦେବାପାଇଁ।
ଦୂରରୁ ଏହି ପ୍ରଚଣ୍ଡ ଅନଳ ମାଡ଼ି ଆସୁଥିବା ଦେଖି ଦଶରଥଙ୍କ ମନରେ ଭୟ ଜାଗ୍ରତ ହୋଇଛି।ଯୋଡ ହସ୍ତରେ ପର୍ଶୁରାମଙ୍କ ପାଦତଳେ ବସି ପ୍ରାର୍ଥନା କରିଛନ୍ତି ଦଶରଥ ମହାପ୍ରଭୁ ! ଏ ବାଦ୍ୟ ଆପଣଙ୍କ ଅବଜ୍ଞା ପାଇଁ ନୁହେଁ; ପିଲାମାନଙ୍କର ବିବାହ ଉତ୍ସବ ବାଦ୍ୟ। ସେମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ପ୍ରଭୁ।"
କ୍ରମଶଃ
