Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୨୪)

ସରଯୂ ନଦୀର ତୀରେ (୨୪)

4 mins
372



ବ୍ରାହ୍ମ ମୁହୂର୍ତ୍ତରୁ ନିତ୍ୟକର୍ମ ଶେଷକରି ଶ୍ରୀରାମ ଓ ଲକ୍ଷ୍ମଣ ଜନକଙ୍କ ପ୍ରାସାଦରେ ସୀତାଙ୍କ ସ୍ଵୟମ୍ବର ଦର୍ଶନ ପାଇଁ ପ୍ରସ୍ତୁତ ହେଲେ।ରାମଚନ୍ଦ୍ରଙ୍କ ଆଖିଆଗରେ, ପୂର୍ବଦିନ ରାଜୋଦ୍ୟାନରେ ଭେଟିଥିବା ସୀତାଙ୍କ ଅପରୂପ ସୌନ୍ଦର୍ଯ୍ୟ ହିଁ ଭାସି ଯାଉଥାଏ ;ମନର ନିଭୃତ କୋଣରେ ଆଶା ଥାଏ ଯେ ଗୁରୁଦେବ ବିଶ୍ବାମିତ୍ର ତାଙ୍କୁ ନିଶ୍ଚିତ ଭାବରେ ନିର୍ଦ୍ଦେଶ ଦେବେ ଧନୁରେ ଗୁଣ ଚଢାଇବା ପାଇଁ। ରାମଚନ୍ଦ୍ରଙ୍କ ମନକଥା ଜାଣିପାରି ଲକ୍ଷ୍ମଣ କହିଲେ ଅଗ୍ରଜ ! ଯାହାଙ୍କ ମଥା ଉପରେ ଆଶୁତୋଷ ଶିବଙ୍କ ଆଶୀର୍ବାଦ ରହିଥିବ ସେ ନିଶ୍ଚିତ ଭାବରେ ବିଶାଳ ଶିବଧନୁ ଉତ୍ତୋଳନ କରି ଗୁଣ ଚଢାଇ ପାରିବ।"


ହସିଦେଲେ ରାଜୀବ ଲୋଚନ; କହିଲେ ଲକ୍ଷ୍ମଣ ! ଈଶ୍ବରଙ୍କଠାରୁ ମଧ୍ୟ ଉର୍ଦ୍ଧ୍ବରେ ଗୁରୁଙ୍କ ସ୍ଥାନ।ଦେଖ କିପରି ଗୁରୁଦେବ ବିଶ୍ଵାମିତ୍ରଙ୍କ ଆଶୀର୍ବାଦରେ ଆମ୍ଭେ ଦୁହେଁ ଅନେକ ଯୁଦ୍ଧ ବିଦ୍ୟା ଓ ରଣକୌଶଳର ଅଧିକାରୀ ହୋଇ ପାରିଛନ୍ତି। ଗୁରୁଙ୍କ ଆଶୀର୍ବାଦ ବିନା କିଛି ସମ୍ଭବ ନୁହେଁ ଅନୁଜ।"


ଏହି ସମୟରେ କୈଳାସ କନ୍ଦରରେ ବସି ପ୍ରଭୁଙ୍କର ଏ ମାନବୀୟ ଲୀଳା ସନ୍ଦର୍ଶନ କରି ପାର୍ବତୀ କୌତୁହଳରେ ଶିବଙ୍କୁ ପଚାରୁଛନ୍ତି ବୈକୁଣ୍ଠବିହାରୀଙ୍କର ଏ କି ଲୀଳା ପ୍ରଭୁ !ନିଜେ ପ୍ରଭୁ କଣ ଜାଣନ୍ତି ନାହିଁ ଯେ ସେ ସ୍ବୟଂ ବିଷ୍ଣୁଙ୍କ ଅବତାର ! ଶିବଧନୁରେ ଗୁଣ ଚଢାଇବାପାଇଁ ତାଙ୍କର ଗୁରୁଙ୍କ ଅନୁମତି ବା ଆଶୀର୍ବାଦ କ'ଣ ଆବଶ୍ୟକ? "


ମୃଦୁ ହସି ଶିବ କହିଲେ ତାଙ୍କୁ ବା କ'ଣ ଅଜଣା ଦେବୀ ! କିନ୍ତୁ ମାନବୀୟ ଲୀଳା ପାଳନ ଅବସରରେ ତାଙ୍କ ଅଲୌକିକ ଦୈବୀ ଶକ୍ତିର ଉପଯୋଗ କରିବାପାଇଁ ଚାହୁଁ ନାହାଁନ୍ତି ଶ୍ରୀବିଷ୍ଣ।ତିଳ ତିଳ କରି ଉପଭୋଗ କରିବାପାଇଁ ଚାହୁଁଛନ୍ତି ତାଙ୍କର ଏ ମାନବ ଅବତାରର ପ୍ରତି ମୁହୂର୍ତ୍ତକୁ।ଆଗକୁ ଏପରି ଅନେକ ପରିସ୍ଥିତିର ସମ୍ମୁଖୀନ ହେବେ ଶ୍ରୀବିଷ୍ଣ; ପ୍ରତିଥର ନିଜକୁ ମର୍ଯ୍ୟାଦାର ସୀମାରେଖା ଭିତରେ ରଖି ମାନବ ଧର୍ମ ପାଳନ କରିବେ ଏବଂ ବିଶ୍ବ ଆଗରେ ନିଦର୍ଶନ ରଖିଯିବେ.. "ମର୍ଯ୍ୟାଦା ପୁରୁଷୋତ୍ତମ" କାହାକୁ କୁହାଯାଏ,ମାନବ ଧର୍ମ କିପରି ହେବା ଆବଶ୍ୟକ,ପିତା ମାତା, ଗୁରୁ ଓ ମୁରବୀ ମାନଙ୍କ ବିନା ଆଶୀର୍ବାଦରେ ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଷ୍ପତ୍ତି ନିଜେ କିଭଳି ସମାଜରେ କେହି ନେବା ଉଚିତ ନୁହେଁ ଇତ୍ୟାଦି ମର୍ଯ୍ୟାଦା ପ୍ରତିଷ୍ଠା କରିବାକୁ ଚାହାଁନ୍ତି ଶ୍ରୀବିଷ୍ଣୁ। ଆଗକୁ ଆଗକୁ ଅନେକ କିଛି ଦେଖିବାକୁ ଅଛି ଦେବୀ ! ପ୍ରଭୁଙ୍କ ଲୀଳାରୁ ସୃଷ୍ଟି ହେବ ମାନବ ସମାଜ ପାଇଁ ମହାନ ବାର୍ତ୍ତା। ସମାଜ ପାଇଁ ମର୍ଯ୍ୟାଦାର ସୀମାରେଖା ଆଙ୍କି ଦେବେ ବିଶ୍ବପତି।"


ଶ୍ରୀରାମ ଏବଂ ଲକ୍ଷ୍ମଣ ସ୍ଵୟମ୍ବର ଗୃହରେ ପ୍ରବେଶ କଲେ। ବିଶାଳ ମଞ୍ଜୁଷା ଭିତରେ ରଖାଯାଇଥିଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଶିବଧନୁ।ଧନୁ ପୂଜା କରାଯାଇ ସେଥିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଧନୁକୁ ସାଦର ପ୍ରଣାମ କରି ଶ୍ରୀରାମ ଏବଂ ଲକ୍ଷ୍ମଣ ନିଜର ଆସନ ଗ୍ରହଣ କଲେ। ବିଭିନ୍ନ ଦେଶରୁ ଆସିଥିବା ରାଜା ଏବଂ ରାଜପୁତ୍ରଙ୍କ ଉପସ୍ଥିତିରେ ସଭାଗୃହ ଗହ ଗହ କମ୍ପୁଥିଲା।ନିଜ ସିଂହାସନରେ ଆସୀନ ଥିଲେ ରାଜର୍ଷି ଜନକ। ଦେବସଭାର ସୌନ୍ଦର୍ଯ୍ୟକୁ ନିନ୍ଦା କରୁଥିଲା ଜାନକୀଙ୍କ ସ୍ଵୟମ୍ବର ସଭା। ମୁନିଋଷିମାନଙ୍କର ଆଗମନ ପରେ ନିଜ ଆସନରୁ ଅବତରଣ କରି ବିଶ୍ଵାମିତ୍ର ସମେତ ସମସ୍ତ ମହାଜନମାନଙ୍କ ପାଦପୂଜା କଲେ ଜନକ।


ସଭା ମଧ୍ୟରେ ମାଳବ,ନେପାଳ,ଭୂପାଳ, ମତ୍ସ୍ୟ ଆଦି ରାଜାଙ୍କ ସମେତ ଉପସ୍ଥିତ ଥିଲେ ଶହ ଶହ ରାଜା ଓ ରାଜପୁତ୍ର।ଦେବ ସଭାର ବିଭିନ୍ନ ଦେବତାଙ୍କ ଭଳି ଦେଖାଯାଉଥିଲେ ସେମାନେ, କିନ୍ତୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ଆଗରେ ସେମାନଙ୍କ ରୂପ ନିଷ୍ପ୍ରଭ ଦେଖା ଯାଉଥିଲା। ସମସ୍ତଙ୍କ ଆଖି ଲାଖି ରହିଥିଲା ବିଶ୍ଵାମିତ୍ରଙ୍କ ନିକଟରେ ବସିଥିବା ରାଜୀବ ନୟନ,ଧନୁଷ୍ପାଣି,ଶ୍ୟାମଳ ବରଣ,ଲୋକାଭିରାମ ଶ୍ରୀରାମ ଏବଂ କୋଟି କାମ ସୌନ୍ଦର୍ଯ୍ୟକୁ ନିନ୍ଦା କରୁଥିବା ଅନୁଜ ଲକ୍ଷ୍ମଣଙ୍କ ଉପରେ।


ସଭାକୁ ସମ୍ବୋଧିତ କରି ଜନକ ସ୍ବୟଂବରର ନିୟମାବଳୀର ଅବତାରଣା କରି କହିଲେ ମୋର ପଣ ଅନୁଯାୟୀ ଯେଉଁ ବୀର ଏଠାରେ ରଖାଯାଇଥିବା ବିଶାଳ ଶିବ ଧନୁରେ ଗୁଣ ଚଢାଇ ପାରିବେ, ମୋ କନ୍ୟା ସୀତାର ପାଣିଗ୍ରହଣ କରିବା ଯୋଗ୍ୟତା ସେ ଅର୍ଜନ କରିବେ। କିନ୍ତୁ ଯେହେତୁ ଏହା ଏକ ସ୍ବୟଂବର,ପତିଙ୍କୁ ସ୍ବୟଂ ବରଣ କରିବା ଅଧିକାର କନ୍ୟା ଉପରେ ନ୍ୟସ୍ତ।ଧନୁରେ ଗୁଣ ଚଢାଇ ଯୋଗ୍ୟତା ଅର୍ଜନ କରିଥିବା ବୀରଙ୍କ ମଧ୍ୟରୁ ଜଣଙ୍କୁ ସୀତା ସ୍ବୟଂ ବରଣ କରିବାପରେ ତାଙ୍କ ସହିତ ମହା ଆଡ଼ମ୍ବରରେ ବିବାହ ସମ୍ପନ୍ନ ହେବ। ଉପସ୍ଥିତ ରାଜା ଓ ରାଜପୁତ୍ରମାନେ ଯେବେ ଏହି ସର୍ତ୍ତାବଳୀରେ ସମ୍ମତ, ତାହେଲେ ମୋ ପ୍ରାଣସମା କନ୍ୟା ସୀତାଙ୍କୁ ସଭାରେ ଉପସ୍ଥିତ କରାଯିବ।"


ଏହି ସର୍ତ୍ତରେ ସମସ୍ତ ରାଜା ଓ ରାଜପୁତ୍ରମାନେ ସମ୍ମତ ହେବା ପରେ ସଖୀମାନଙ୍କ ଗହଣରେ ରାଜକନ୍ୟା ସୀତାଙ୍କୁ ସଭାଗୃହରେ ଉପସ୍ଥିତ କରାଗଲା।ହାତରେ ବରମାଲ୍ୟ ଧରି ସଖୀଙ୍କ ଗହଣରେ ତାରାଙ୍କ ମଧ୍ୟରେ ଚନ୍ଦ୍ରମା ଭଳି ଦେଖାଯାଉଥିବା ଯୋଜନଗନ୍ଧା ସୀତା ସଭାଗୃହରେ ପ୍ରବେଶ କଲେ।ତାଙ୍କ ରୂପଆଲୋକରେ ସଭାଗୃହର ଔଜଲ୍ୟ ଶତଗୁଣିତ ହେଲା। ମିଥିଳାର ନିଷ୍କଳଙ୍କ ଚନ୍ଦ୍ରମାଙ୍କୁ ଆଖି ଆଗରେ ଦେଖି ରାମଚନ୍ଦ୍ରଙ୍କର ହୃଦ ଆକାଶକୁ ରାମ ସୁନ୍ଦର ଚନ୍ଦ୍ର ଜ୍ୟୋତ୍ସ୍ନା ବିଚ୍ଛୁରିତ କରିଦେଲେ।ସଭାରେ ଉପସ୍ଥିତ ରାଜା ଓ ରାଜପୁତ୍ର ମାନଙ୍କ ପରିଚୟ ଯେତେବେଳେ ସୀତାଙ୍କ କାନରେ ଜନୈକା ସଖୀ ବର୍ଣ୍ଣନା କହୁଥିଲା, ତାହା ରାମଚନ୍ଦ୍ରଙ୍କ ନିକଟକୁ ଆସି ଅଟକି ଗଲା।


 ସୀତା କହିଲେ..ଥାଉ ସଖୀ ! ଆଉ କାହାର ପରିଚୟ ଆବଶ୍ୟକ ନାହିଁ।ମୋର ମନ ମୟୂରୀ ଆଗରେ ନବଘନ ସ୍ବରୂପ ରାମଚନ୍ଦ୍ର ବର୍ଷନ୍ତ ଶ୍ରାବଣ ହୋଇ ଉପସ୍ଥିତ।ଏଇ ହିଁ ମୋ ମନର ଦେବତା।ମା' ଗୌରୀ ଓ ଆଶୁତୋଷଙ୍କ ପାଦରେ ମୋର ଏତିକି ମିନତି, ଜ୍ୟେଷ୍ଠ ଅଯୋଧ୍ୟା ରାଜକୁମାର ଶିବଧନୁରେ ଗୁଣ ଚଢାଇ ମୋତେ ଅର୍ଦ୍ଧାଙ୍ଗିନୀର ସୌଭାଗ୍ୟ ପ୍ରଦାନ କରନ୍ତୁ।"ଦେବୀଙ୍କର ମିନତି ଶୁଣି କୈଳାସ କନ୍ଦରରେ ଥାଇ ଶିବ ପାର୍ବତୀଙ୍କୁ ହସି ହସି କହିଲେ ଲକ୍ଷ୍ମୀଙ୍କ ମନୋବାଞ୍ଛା ଶୀଘ୍ର ପୂର୍ଣ୍ଣ କର ଦେବୀ।"


ପ୍ରତିଯୋଗିତା ଆରମ୍ଭ ହେଲା। ମତ୍ସ୍ୟ,ଭୂପାଳ,ନେପାଳ,ମାଳବ ସମେତ ଶହ ଶହ ରାଜ୍ୟରୁ ଆସିଥିବା ସମସ୍ତ ରାଜା ଓ ରାଜପୁତ୍ରମାନେ ଜଣ ଜଣ କରି ନିଜର ଶକ୍ତି ପ୍ରଦର୍ଶନ କଲେ ଧନୁ ପାଖରେ।ଧନୁରେ ଗୁଣ ଚଢାଇବା ତ ଦୂରର କଥା ତାକୁ ମଞ୍ଜୁଷା ଭିତରୁ ଉଠାଇବା କାହାପାଇଁ ସମ୍ଭବ ହେଲାନାହିଁ।ଖାଲି ଆସ୍ଫାଳନ କରି, ହୁଁ ହାଁ ଇତ୍ୟାଦି ଶବ୍ଦ ସୃଷ୍ଟି କରି ବୀରମାନେ ଯେ ଯାହା ସ୍ଥାନକୁ ଫେରିଆସି ନିଜ ନିଜର ଆସନ ମଣ୍ଡନକରି ନିଜର ଉତ୍ତରୀୟରେ ସ୍ବେଦ ପୋଛିବାକୁ ଲାଗିଲେ।ଲକ୍ଷ୍ମଣ ଏହାଦେଖି ନିଜର କୌତୁହଳ ସମ୍ବରଣ କରିପାରୁ ନଥାନ୍ତି।ଅମିୟ ମୃଦୁ ହସ ଲାଗି ରହିଥାଏ ଶ୍ରୀରାମଙ୍କ ମୁହଁରେ। ଶ୍ରୀରାମଙ୍କ କାନ ପାଖରେ ସୌମିତ୍ରୀ କହିଲେ..ଅଗ୍ରଜ ! ମୋର ତିଳେ ମାତ୍ର ସନ୍ଦେହ ନାହିଁ ଯେ ମୈଥିଳୀ ମୋର ପୂଜନୀୟା ଭାଉଜ ହେବାକୁ ଯୋଗ୍ୟା।କେବଳ ଗୁରୁଙ୍କ ଆଦେଶକୁ ଅପେକ୍ଷା।" ଲକ୍ଷ୍ମଣଙ୍କ କଥା ଶ୍ରୀରାମଙ୍କ କର୍ଣ୍ଣରେ ସୁଧା ବୃଷ୍ଟି କଲା।ଅମିୟ ସଲ୍ଲଜ ହସର ଧାରଟିଏ ଖେଳିଗଲା ଶ୍ରୀରାମଙ୍କ ମୁହଁରେ।


ସମସ୍ତ ରାଜା ଏବଂ ରାଜପୁତ୍ରମାନଙ୍କର ବିଫଳତା ଦେଖି ଗଭୀର ଦୁଃଖ ପ୍ରକାଶ କରି ଜନକ କହିଲେ.. ଆଜି କ'ଣ ପୃଥିବୀ ବୀର ଶୂନ୍ୟ ହୋଇଗଲା ! ମୋର ପଣ ଭାଙ୍ଗିବା ପାଇଁ ଜମ୍ବୁ ଦ୍ବୀପରେ କଣ ଆଉ ବୀର ନାହାଁନ୍ତି ?"


ଉପସ୍ଥିତ ରାଜା ମହାରାଜାମାନେ ଲଜ୍ଜାରେ ମୁହଁ ତଳକୁ ପୋତିଦେଲେ।ଜନକଙ୍କ ପ୍ରଶ୍ନର ଉତ୍ତରରେ ବ୍ରହ୍ମର୍ଷି ବିଶ୍ଵାମିତ୍ର କହିଲେ.. ଅଛନ୍ତି ରାଜର୍ଷି ! ମୋର ଶିଷ୍ୟ ଅଯୋଧ୍ୟା ଜ୍ୟେଷ୍ଠ ରାଜପୁତ୍ର ଶ୍ରୀରାମ ସେଥିପାଇଁ ସମର୍ଥ। ଦୁର୍ଦ୍ଧାନ୍ତ ସୁବାହୁ ଏବଂ ତାଡକା ରାକ୍ଷସୀକୁ ବିନାଶ କରିଥିବା ଅପରିସୀମ ଶକ୍ତିର ଅଧିକାରୀ ରାଜୀବ ଲୋଚନ ପୁରୁଷଶ୍ରେଷ୍ଠ ରାମଚନ୍ଦ୍ର ମଧ୍ୟ କଲ୍ୟାଣୀ ସୀତା ପାଇଁ ସୁଯୋଗ୍ୟ ପୁରୁଷ।ତାଙ୍କୁ ଧନୁରେ ଗୁଣ ଚଢାଇବା ପାଇଁ ସୁଯୋଗ ଦିଆଯାଉ।"


ଜନକଙ୍କ ଅନୁମତି ନେଇ, ବିଶ୍ଵାମିତ୍ରଙ୍କ ପାଦ ସ୍ପର୍ଶ କରି ରାମଚନ୍ଦ୍ର ଶିବ ଧନୁ ନିକଟରେ ଉପସ୍ଥିତ ହେଲେ।ଶିବଙ୍କୁ ସ୍ମରଣ କରି ଏବଂ ଧନୁକୁ ନମସ୍କାର କରି ଧନୁ ଉଠାଇଲେ ଶ୍ରୀରାମ।ଅବଲୀଳା କ୍ରମେ ଧନୁକୁ ସହଜରେ ଫୁଲରେ ନିର୍ମିତ ଧନୁପରି ଉଠାଇ ଦେଲେ ଶ୍ରୀରାମ। ପୁରୁଷୋତ୍ତମଙ୍କ ବିଶାଳ ଭୁଜରେ ମହଣ ମହଣ ଓଜନର ଧନୁଟି ଗୋଟିଏ ଖେଳନା ଭଳି ଦେଖାଗଲା !


ଅବଲୀଳାକ୍ରମେ ଧନୁରେ ଗୁଣ ଚଢାଇବା ପାଇଁ ପ୍ରୟାସ କରିବା ସମୟରେ ମଡ ମଡ କରି ବିଶାଳ ଶବ୍ଦରେ ଭାଙ୍ଗିଗଲା ଶିବଧନୁ।ଘୋର ଗର୍ଜନରେ ପ୍ରକମ୍ପିତ ହେଲା ସ୍ବର୍ଗ,ମର୍ତ୍ତ୍ୟ ପାତାଳ।ସପ୍ତ ସିନ୍ଧୁରେ ଉଠିଲା ଉତ୍ତାଳ ଲହରୀ।ବାସୁକୀଙ୍କ ମସ୍ତକ ଉପରେ ଦୋହଲିଗଲା ପୃଥିବୀ।ଭୟଙ୍କର ଭୂମିକମ୍ପ ହେବାର ପ୍ରତ୍ୟୟ ସୃଷ୍ଟି ହେଲା।ଭଗ୍ନ ଧନୁକୁ ଯଥାସ୍ଥାନରେ ରଖିଦେଇ ଧନୁକୁ ନମସ୍କାର କଲେ ରାଜୀବ ଲୋଚନ।

ଆନନ୍ଦରେ ସୀତାଙ୍କ ହୃଦସିନ୍ଧୁ ଉଛୁଳି ପଡ଼ିଲା।


କ୍ରମଶଃ


Rate this content
Log in

Similar oriya story from Classics