ସରଯୂ ନଦୀର ତୀରେ (୨୨)
ସରଯୂ ନଦୀର ତୀରେ (୨୨)
ଅହଲ୍ୟା ଶ୍ରୀରାମଙ୍କ ଦ୍ଵାରା ଶାପମୁକ୍ତ ହେବା ପରେ ମହର୍ଷି ଗୌତମ ତାଙ୍କୁ ସାଦରେ ଗ୍ରହଣ କଲେ।ସତେ ଯେପରି ସେ ଏହି ମୁହୂର୍ତ୍ତଟିକୁ ଅପେକ୍ଷା କରିଥିଲେ। ମୁନି ଆଶ୍ରମରେ ହଠାତ୍ ବାସନ୍ତିକ ପରିବେଶ ସୃଷ୍ଟି ହେଲା।ମଧୁର ମନ୍ଦ ମଳୟରେ ପୁଲକିତ ହେଲେ ଆଶ୍ରମ ଉପବନର ବୃକ୍ଷଲତା।ହରିଣ ହରିଣୀ ସେମାନଙ୍କ ଶାବକଙ୍କୁ ନେଇ ଆଶ୍ରମ ପ୍ରାଙ୍ଗଣରେ ପହଞ୍ଚି ନିର୍ଭୟରେ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ଦେହରେ ଘଷି ହେଲେ।ଶୁକ ଶାରୀ ପିକ ମୟୂର ଫୁଲଚୁଇଁ ଆଦି ପକ୍ଷୀଗଣ ମଧୁର ସଙ୍ଗୀତରେ ରଘୁବଂଶୀଙ୍କ ଗୁଣଗାନ କରିବା ଆରମ୍ଭ କରିଦେଲେ।ଆନନ୍ଦ ସାଗରରେ ଅବଗାହନ କଲା ଗୌତମଙ୍କ ଆଶ୍ରମ।
ସମସ୍ତଙ୍କଠାରୁ ବିଦାୟ ନେଇ ମିଥିଳା ନଗରୀରେ ପ୍ରବେଶ କଲେ ବିଶ୍ଵାମିତ୍ରଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣ ଏବଂ ସିଦ୍ଧାଶ୍ରମରୁ ଆସିଥିବା ଋଷିବୃନ୍ଦ। ମିଥିଳାର ରାଜପଥରେ ଚହଳ ପଡ଼ିଗଲା।ନଗ୍ରବାସୀମାନେ ଏଭଳି ସୁନ୍ଦର ଯୁବକ ଆଗରୁ ଦେଖିନଥିଲେ।କରୁଣାକର, ଗୁଣନିଧି,ବିପ୍ରପ୍ରିୟ, ଧାର୍ମିକ,ଦଶରଥଙ୍କ ପୁତ୍ର ଦ୍ବୟଙ୍କର କ୍ଷଣମାତ୍ର ଦର୍ଶନ ଆଶାରେ ପୁରନାରୀମାନେ ଗୃହମଧ୍ୟରୁ ରାଜପଥକୁ ଚାଲି ଆସିଲେ। କନ୍ଦର୍ପ ବିନିନ୍ଦିତ ରୂପ ଦେଖି ଅନେକ ନାରୀଙ୍କ ମନରେ ବେପଥୁ ସୃଷ୍ଟି ହେଲା।
ବିଶ୍ଵାମିତ୍ରଙ୍କ ଆଗମନ ସମ୍ବାଦ ପାଇ, ତାଙ୍କୁ ପାଛୋଟି ନେବାପାଇଁ ରାଜର୍ଷି ଜନକ,କୁଳଗୁରୁ ଶତାନନ୍ଦଙ୍କ ସହିତ ରାଜପ୍ରାସାଦରୁ ବାହାରି ଆସିଲେ। ବିଶ୍ଵାମିତ୍ରଙ୍କ ପାଦ ବନ୍ଦନା କରି ଏବଂ ଅନ୍ୟ ମୁନିଋଷି ମାନଙ୍କୁ ସାଦର ଅଭ୍ୟର୍ଥନା କରି ରାଜର୍ଷି କହିଲେ ମିଥିଳା ଭୂମି ଆଜି ଆପଣଙ୍କ ଆଗମନରେ ପବିତ୍ର ହୋଇଗଲା ଗାଧି ନନ୍ଦନ ବ୍ରହ୍ମର୍ଷି ବିଶ୍ଵାମିତ୍ର ! ଆପଣଙ୍କ ଆଶୀର୍ବାଦ ଗଙ୍ଗାଜଳରେ ଅବଗାହନ କରି ମୋର ପ୍ରଜାପୁଞ୍ଜ ସମେତ ରାଜ-ଅବରୋଧର ସମସ୍ତ ଅନ୍ତେବାସୀ ପବିତ୍ର ହୋଇଗଲେ।ମୋ' କନ୍ୟା କଲ୍ୟାଣୀ ସୀତାର ସ୍ଵୟମ୍ବର ମହୋତ୍ସବ ଏବଂ ମୋ ଯଜ୍ଞାନୁଷ୍ଠାନ ଆପଣଙ୍କ ଉପସ୍ଥିତିରେ ପବିତ୍ର ଓ ଗୌରବାନ୍ବୀତ ହୋଇଯିବ ବ୍ରହ୍ମର୍ଷି।"
ବିଶ୍ଵାମିତ୍ରଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣଙ୍କୁ ଦେଖି ବିସ୍ମିତ ହୋଇ ଜନକ ପଚାରିଲେ ଦେବପୁତ୍ର ସମାନ ଦେଖାଯାଉଥିବା ଏହି ଯୁବକ ଦ୍ବୟ କିଏ ପ୍ରଭୁ ! କନ୍ଦର୍ପ ବିନିନ୍ଦିତ ରୂପ, ଆଜାନୁଲମ୍ବିତ ବାହୁ, ମଥାରେ ସୁବର୍ଣ୍ଣ ମୁକୁଟ,ହାତରେ ପିନାକ ଭଳି ବିଶାଳ ଧନୁ,ପୃଷ୍ଠଦେଶରେ ବାଣପୂର୍ଣ୍ଣ ଭବ୍ୟ ତୂଣୀର !କିଏ ଏମାନେ ! କେଉଁ ରାଜ୍ୟର ଶୋଭାକୁ ନ୍ୟୂନକରି ମୋ ରାଜ୍ୟର ସୌନ୍ଦର୍ଯ୍ୟ ଏ ଦୁହେଁ ବଢାଇଛନ୍ତି ବ୍ରହ୍ମର୍ଷି !!ଜଣଙ୍କର ଲବଣି-କୋମଳ ଶ୍ୟାମଳ ଶରୀର,ଅନ୍ୟ କୁମାରର ତପ୍ତକାଞ୍ଚନ ଗୌରବର୍ଣ୍ଣ ; ପବିତ୍ର ଗଙ୍ଗା ଯମୁନା ସ୍ବଦେହରେ ଧରାବତରଣ କରିନାହାନ୍ତି ତ!"
ଜନକଙ୍କ ଆଶ୍ଚର୍ଯ୍ୟପୂର୍ଣ୍ଣ ଜିଜ୍ଞାସା ଶୁଣି ବିଶ୍ଵାମିତ୍ର କହିଲେ..ଏ ଦୁହେଁ ଅଯୋଧ୍ୟାର ରାଜପୁତ୍ର ଶ୍ରୀରାମ ଏବଂ ତାଙ୍କ ଅନୁଜ ଲକ୍ଷ୍ମଣ।ରାକ୍ଷସ ମାନଙ୍କ ଦୌରାତ୍ମ୍ୟରୁ ସିଦ୍ଧାଶ୍ରମରେ ଯଜ୍ଞ ରକ୍ଷା କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ମୁଁ ଅଯୋଧ୍ୟାରୁ ଆଣିଥିଲି। ଅଶ୍ରୁତପୂର୍ବ ଏମାନଙ୍କ ବୀରତ୍ବ।ତାଡକା ଏବଂ ସୁବାହୁଙ୍କୁ ବିନାଶ କରି ମାରିଚକୁ ନାରାଚ ମୁନରେ ଶହେ ଯୋଜନକୁ ଫିଙ୍ଗି ଦେଇଛନ୍ତି ରାମଚନ୍ଦ୍ର।ବନପ୍ରଦେଶ ବର୍ତ୍ତମାନ ରାକ୍ଷସ ମାନଙ୍କ କବଳରୁ ମୁକ୍ତ।ସୀତାଙ୍କ ସ୍ଵୟମ୍ବର ଏବଂ ଆପଣଙ୍କଦ୍ବାରା ଅନୁଷ୍ଠିତ ହେବାକୁ ଯାଉଥିବା ଯଜ୍ଞ ଦର୍ଶନ କରିବା ଉଦ୍ଦେଶ୍ୟରେ ଏଠାକୁ ଏମାନଙ୍କ ଆଗମନ।"
ବିଶ୍ଵାମିତ୍ରଙ୍କଠାରୁ ଏହା ଶୁଣିବାପରେ ଜନକଙ୍କ ହୃଦସିନ୍ଧୁ ଆନନ୍ଦରେ ଉଛୁଳି ପଡ଼ିଲା। ରାମ ଲକ୍ଷ୍ମଣଙ୍କୁ ଆଶୀର୍ବାଦ କରି ଜନକ କହିଲେ ଅଯୋଧ୍ୟା ଯୁବରାଜ,ଦଶରଥ ନନ୍ଦନ ରଘୁବଂଶୀ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ମିଥିଳାକୁ ସୁସ୍ବାଗତମ୍।" ତା'ପରେ ବିଶ୍ବାମିତ୍ରଙ୍କୁ ଚାହିଁ ଜନକ କହିଲେ.. ରାଜଆତିଥ୍ୟ ଗ୍ରହଣ କରିବାପାଇଁ ଅଯୋଧ୍ୟା ଯୁବରାଜଙ୍କୁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ବ୍ରହ୍ମର୍ଷି, ଅନୁରୋଧ ରକ୍ଷା କରନ୍ତୁ।"
ଶ୍ରୀରାମଚନ୍ଦ୍ରଙ୍କୁ ଦେଖି ଜନକଙ୍କ ହୃଦୟ ଭାବାବେଗରେ ପରିପୂର୍ଣ୍ଣ ହୋଇଗଲା।ଭାବିଲେ...ମୋ ଅନ୍ତରାତ୍ମା ଚାହୁଁଛି ଏ ସୁପୁରୁଷ ମୋ କନ୍ୟା ସୀତାର ପାଣିଗ୍ରହଣ କରନ୍ତୁ। ସ୍ବୟମ୍ବର ଆୟୋଜନ କରି କି ବିରାଟ ଭୁଲ୍ କଲି;ଦଶରଥଙ୍କ ପାଖକୁ ପ୍ରସ୍ତାବ ନେଇ ଯାଇଥିଲେ ରାମଚନ୍ଦ୍ରଙ୍କ ସହିତ ସୀତାର ବିବାହ ସମ୍ଭବ ହୋଇଥାନ୍ତା।ଏବେ ସର୍ତ୍ତ ଅନୁଯାୟୀ ଶିବଧନୁରେ ଗୁଣ ଛଡ଼ାଇବା କାର୍ଯ୍ୟ ଏ କଣ କରିପାରିବେ !"
ଜନକଙ୍କ ମନକଥା ସତେ ଯେପରି ଜାଣିପାରିଲେ ବିଶ୍ଵାମିତ୍ର। କହିଲେ ରାଜର୍ଷି ! ରାମ ଲକ୍ଷ୍ମଣଙ୍କ ଇଚ୍ଛା ସେ ଦୁହେଁ ଆପଣଙ୍କ ଶିବଧନୁ ଦର୍ଶନ କରିବେ।
ବିଶ୍ଵାମିତ୍ର ଏବଂ ଶ୍ରୀରାମ-ଲକ୍ଷ୍ମଣଙ୍କୁ ଶ୍ରଦ୍ଧାର ସହିତ ଅତିଥି ଭବନକୁ ପାଛୋଟି ନେଲେ ଜନକ। ସ୍ନାନାଦି ଶେଷକରି ଗୁରୁଙ୍କ ପାଦପୂଜା କରିବା ପରେ ଶିବଧନୁ ଦର୍ଶନ କରିବା ପାଇଁ ବାହାରିଲେ ଭ୍ରାତା ଦ୍ୱୟ।ଅପୂର୍ବ ସେ ଧନୁର ଶୋଭା ! ବିଶାଳ ଧନୁର ଦିବ୍ୟ ଜ୍ୟୋତିରେ ସ୍ଥାନିତ ହୋଇଥିବା ପ୍ରକୋଷ୍ଠ ଝଲକି ଉଠୁଥିଲା। ବିଶ୍ଵାମିତ୍ରଙ୍କୁ ରାମଚନ୍ଦ୍ର ଏ ଅପୂର୍ବ ଧନୁର ଇତିହାସ ଜିଜ୍ଞାସା କଲେ।
ବିଶ୍ଵାମିତ୍ର କହିଲେ ସତ୍ୟଯୁଗରେ କଥା;ବ୍ରହ୍ମାଙ୍କ ମାନସ ସନ୍ତାନ ଦକ୍ଷ ପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରୁଥିଲେ।ଦକ୍ଷଙ୍କର ୬୦ଟି କନ୍ୟାରତ୍ନ ଥିଲେ। ସେମାନେ ବିଭିନ୍ନ ଦେବତା ଏବଂ ମହର୍ଷି ମାନଙ୍କୁ ବିବାହ କରିଥିଲେ। ଶିବ ପ୍ରଜାପତିଙ୍କ ଅନ୍ୟତମ ଜାମାତା ଥିଲେ ମଧ୍ୟ ଦକ୍ଷ ତାଙ୍କୁ ଭଲ ପାଉନଥିଲେ କିମ୍ବା ଉଚିତ ସମ୍ମାନ ଦେଉନଥିଲେ,କାରଣ ତାଙ୍କ ଅନିଚ୍ଛା ସତ୍ତ୍ବେ କନ୍ୟା ସତୀ ଶ୍ମଶାନ ବିହାରୀ ଶିବଙ୍କ ପାଣି ଗ୍ରହଣ କରିଥିଲେ।
ଅଗତ୍ୟା ଅନୁଷ୍ଠିତ ହେଉଥିବା ମହାଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଜାମାତାଙ୍କୁ ପ୍ରଜାପତି ନିମନ୍ତ୍ରଣ କରିଥିଲେ।ପିତାଙ୍କ ଗୃହରେ ଏ ବିଶାଳ ମସୋତ୍ସବ,କନ୍ୟା ସତୀ ପତିଗୃହରେ ଶାନ୍ତିରେ ରହନ୍ତେ ବା କିପରି ?ପିତ୍ରାଳୟ ଯିବାପାଇଁ ସେ ଶିବଙ୍କ ପାଖରେ ଅଳିକଲେ।ଶିବ କହିଲେ...ଅନାହୂତ ହୋଇ ପିତ୍ରାଳୟକୁ ଯିବା ଉଚିତ ହେବନାହିଁ ଦେବୀ ! ତୁମ ପିତା ମୋ ବ୍ୟତୀତ ଅନ୍ୟ ସମସ୍ତ ଜାମାତାଙ୍କୁ ନିମନ୍ତ୍ରଣ କରିଛନ୍ତି। ମୁଁ ସେ ସ୍ଥାନକୁ ଅପମାନିତ ହେବାପାଇଁ ଯିବାକୁ ଚାହୁଁନାହିଁ।"
ଶିବଙ୍କ ନାସ୍ତିବାଣୀ ଶୁଣି ସତୀଙ୍କ ଆଖିରେ ଅଶ୍ରୁ ଆସିଗଲା। ସତୀଙ୍କୁ ପ୍ରାଣରୁ ବଳି ଭଲ ପାଉଥିଲେ ଶିବ।ପ୍ରିୟତମାଙ୍କ ଆଖିର ଲୁହ ଶିବଙ୍କ ହୃଦୟକୁ ବିଗଳିତ କଲା। କହିଲେ.. ଦେବୀ ! ଅନାହୂତ ହୋଇ ମୁଁ ଯିବାର ପ୍ରଶ୍ନ ଉଠୁନାହିଁ।ନନ୍ଦି ଓ ଭୃଙ୍ଗିଙ୍କୁ ସାଙ୍ଗରେ ନେଇ ତୁମେ ପିତ୍ରାଳୟ ଯାଅ। କିନ୍ତୁ ମନେରଖ, ସେଠାରେ ତୁମକୁ କେହି ଅପମାନିତ କଲେ ତୁମେ କାହାକୁ କିଛି ନକହି ଶୀଘ୍ର ଫେରି ଆସିବ।"
ନନ୍ଦି ଓ ଭୃଙ୍ଗିଙ୍କ ସହିତ ସତୀ ଦକ୍ଷଙ୍କ ଯଜ୍ଞସ୍ଥଳରେ ପହଞ୍ଚିଲେ। ସେଠାରେ ତାଙ୍କର ସମସ୍ତ ଭଗ୍ନୀ ଏବଂ ଭଗ୍ନୀପତିମାନେ ଶିବଙ୍କ ନାମରେ ଅପଶବ୍ଦ କହି ତାଙ୍କୁ ବ୍ୟଙ୍ଗ ବିଦ୍ରୁପ କଲେ।ନିଜେ ଦକ୍ଷ ପ୍ରଜାପତି ମଧ୍ୟ ଶିବଙ୍କୁ ଜାଙ୍ଗଳି, ଲଙ୍ଗଳା, ଶ୍ମଶାନବାସୀ ଭୂତ ଏବଂ ଗଞ୍ଜେଇଟଣା ପାଗଳ ବୋଲି କହି ଉପହାସ କଲେ।ପତିଙ୍କପ୍ରତି ଏଭଳି ଅପଶବ୍ଦ ସତୀ ସହ୍ୟ କରିପାରିଲେ ନାହିଁ। ପ୍ରଜାପତିଙ୍କ ଯଜ୍ଞକୁଣ୍ଡରେ ସେ ନିଜକୁ ଝାସ ଦେଲେ।
ନନ୍ଦି ଭୃଙ୍ଗି ଶିବଙ୍କ ପାଖରେ ଯେତେବେଳେ ଏ ସମ୍ବାଦ ପହଞ୍ଚାଇଲେ ଭୟଙ୍କର କ୍ରୋଧରେ ଗର୍ଜନ କଲେ ଭୂତେଶ।ମୁକ୍ତ କେଶ,ଆକାଶକୁ ଲାଗିଥାଏ ମସ୍ତକ,ଅର୍ଦ୍ଧ ଉଲଗ୍ନ ଅବୟବ। ବିଶାଳ ଧନୁ ଏବଂ ଖଡ୍ଗ ଧରି ଘୋର ଗର୍ଜନକରି ଯଜ୍ଞ ସ୍ଥଳରେ ପହଞ୍ଚିଲେ ଧୂର୍ଜଟି।ପାଦପାତରେ ପ୍ରକମ୍ପିତ ହେଲା ବିଶ୍ବବ୍ରହ୍ମାଣ୍ଡ।ଜାମାତାଙ୍କର ଏଭଳି ପ୍ରଳୟଙ୍କରୀ ରୂପଦେଖି ଦକ୍ଷଙ୍କ ପତ୍ନୀ କ୍ରୋଧ ଶାନ୍ତ କରିବାପାଇଁ ବନ୍ଦାପନା ଥାଳି ଧରି ଆଗରେ ଉଭା ହେଲେ। ପତ୍ନୀ ବିୟୋଗ ଶିବଙ୍କୁ ଜ୍ଞାନ ଶୂନ୍ୟ କରିଦେଇଥିଲା।
ଯଜ୍ଞପୀଠରେ ଦକ୍ଷ ପ୍ରଜାପତିଙ୍କୁ ନିଜ ସମକ୍ଷରେ ପାଇ ତାଙ୍କ ମସ୍ତକ ବିକର୍ତ୍ତନ କଲେ ଧୂର୍ଜଟି।ଯଜ୍ଞ କୁଣ୍ଡ ଭିତରୁ ଅଣ୍ଡାଳି ସତୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଧରି ତାଣ୍ଡବ ନୃତ୍ୟ କରି ପାଗଳଙ୍କ ପରି ଚଉଦ ବ୍ରହ୍ମାଣ୍ଡ ଘୂରିବୁଲିଲେ ଭୂତେଶ।ଦେବତାମାନେ ପ୍ରମାଦ ଗଣିଲେ।ହାତରେ ଧନୁଧରି ଦକ୍ଷଙ୍କର ସମସ୍ତ ଜାମାତାଙ୍କୁ ବଧ କରିବାପାଇଁ ଶିବ ଖୋଜି ବୁଲିଲେ।
ଶିବଙ୍କ କ୍ରୋଧ ଶାନ୍ତ କରିବାପାଇଁ ବିଷ୍ଣୁଙ୍କ ପାଖରେ ପ୍ରାର୍ଥନା କଲେ ସମସ୍ତ ଦେବତା।ଯେ ପର୍ଯ୍ୟନ୍ତ ଶିବଙ୍କ କାନ୍ଧରେ ସତୀଙ୍କ ଶବ ରହିଛି ସେ ପର୍ଯ୍ୟନ୍ତ ଶିବଙ୍କୁ ସମ୍ଭାଳିବା କଷ୍ଟସାଧ୍ୟ। ବିଷ୍ଣୁ ଚକ୍ର ପ୍ରେରଣ କରି ସତୀଙ୍କ ଶବକୁ ଖଣ୍ଡ ଖଣ୍ଡ କଲେ।ଧାବମାନ ଶିବଙ୍କ କାନ୍ଧରୁ ସେ ବିକର୍ତ୍ତିତ ଖଣ୍ଡମାନ ବିଭିନ୍ନ ସ୍ଥାନରେ ପଡ଼ି ଦ୍ବାଦଶ ଶକ୍ତି ପୀଠର ସୃଷ୍ଟି ହେଲା।
ସମସ୍ତ ଦେବତା ଶିବଙ୍କୁ ଅନୁନୟ ବିନୟରେ ,କ୍ରୋଧ ଶାନ୍ତ କରିବାପାଇଁ ପ୍ରାର୍ଥନା କଲେ।ଶେଷରେ ମହେଶ୍ବରଙ୍କ କ୍ରୋଧ ଶାନ୍ତ ହେଲା।ହାତରେ ଧରିଥିବା ବିଶାଳ ଧନୁ ସେ ଫିଙ୍ଗିଦେଲେ। ପ୍ରଜାପତିଙ୍କ ବିକର୍ତ୍ତିତ ମସ୍ତକଟି ଯଜ୍ଞକୁଣ୍ଡରେ ଜଳିଯାଇଥିବାରୁ ଏକ ଛାଗଳ ମସ୍ତକ ତାଙ୍କ ଶରୀରରେ ରୋପଣ କରି ତାଙ୍କୁ ଜୀବନଦାନ ଦେଇ,ଶିବ ହିମାଳୟକୁ ଚାଲିଗଲେ ତପସ୍ୟା ପାଇଁ।"
ଦକ୍ଷଯଜ୍ଞର ଉପାଖ୍ୟାନ ବର୍ଣ୍ଣନା କରି ବିଶ୍ଵାମିତ୍ର ରାମଙ୍କୁ କହିଲେ..ବତ୍ସ ! ଏ ହେଉଛି ଶିବଙ୍କର ସେହି ଧନୁ।ଜନକଙ୍କ ପୂର୍ବଜ "ଦେବରାଟ" ସେହି ଧନୁକୁ ପାଇ ନିଜ ପ୍ରାସାଦରେ ପୂଜା କରୁଥିଲେ।ଅନେକ କାଳରୁ ଜନକଙ୍କ ପ୍ରାସାଦରେ ପୂଜା ପାଇଁ ଆସୁଛି ଏହି ଧନୁ।"
ବିଶ୍ଵାମିତ୍ରଙ୍କଠାରୁ ଧନୁର ମାହାତ୍ମ୍ୟ ଶୁଣି ନତମସ୍ତକ ହୋଇ ଶିବଧନୁକୁ ପୂଜା କଲେ ଶ୍ରୀରାମ ଓ ଲକ୍ଷ୍ମଣ।
କ୍ରମଶଃ
