STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୨୧)

ସରଯୂ ନଦୀର ତୀରେ (୨୧)

3 mins
251


ବାଲ୍ମୀକି ରାମାୟଣରେ ଅହଲ୍ୟା ଉପାଖ୍ୟାନ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି। ବାଲ୍ମୀକି ଅହଲ୍ୟାଙ୍କ ସହିତ ସୂର୍ଯ୍ୟଙ୍କ ପାପାଚାର କଥା ବର୍ଣ୍ଣନା କରିନାହାନ୍ତି।ଆଶ୍ରମରେ ଗୌତମ ଋଷିଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେବଳ ଇନ୍ଦ୍ର ଅହଲ୍ୟାଙ୍କ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିବାପାଇଁ ଛଦ୍ମ ବେଶରେ ଋଷିଙ୍କ ରୂପ ଧାରଣ କରି ଅହଲ୍ୟାଙ୍କୁ ପ୍ରେମ ଭିକ୍ଷା କରିଛନ୍ତି ବୋଲି ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଅଛି।


ଛଦ୍ମାବରଣ ମନୁଷ୍ୟର ସ୍ବଭାବର ପାର୍ଥକ୍ୟକୁ ଲୁଚାଇ ପାରେନାହିଁ। ଅହଲ୍ୟା ଛଦ୍ମବେଶୀ ଇନ୍ଦ୍ରଙ୍କୁ, ପତିଙ୍କ ତୁଳନାରେ ସ୍ବଭାବର ଭିନ୍ନତା ଯୋଗୁଁ ଚିହ୍ନି ପାରିଥିଲେ। କିନ୍ତୁ ରୂପ ଅହଙ୍କାରରେ ଭାସିଯାଇ ସେ ଭାବିଲେ ବାଃ !ଦେବତାମାନଙ୍କର ରାଜା ଇନ୍ଦ୍ର ମଧ୍ୟ ମୋ ରୂପର ପୂଜାରୀ ! ସେ ସମୟରେ ସେ ଭାବିଛନ୍ତି ବ୍ରହ୍ମାଙ୍କ ମାନସପୁତ୍ରୀ ହୋଇଥିବାରୁ ସେ ଦେବଭୋଗ୍ୟା ହେବାପାଇଁ ଉପଯୁକ୍ତା;ମର୍ତ୍ତ୍ୟଧାମର ଜଣେ ସାଧାରଣ ସନ୍ୟାସୀର ଅଙ୍କଲକ୍ଷ୍ମୀ ହେବାପାଇଁ ନୁହେଁ।


ଗୋଟିଏ ମୁହୂର୍ତ୍ତର ଆବେଗରେ ସେ ଭାସିଯାଇ ନିଜକୁ ଇନ୍ଦ୍ରଙ୍କ ପାଖରେ ସମର୍ପଣ କରିଦେଇଛନ୍ତି।ପାପ କାର୍ଯ୍ୟଟି ସମାପ୍ତ ହେଵା ପରେ ତାଙ୍କର ଚୈତନ୍ୟ ଉଦୟ ହୋଇଛି।ଏହି ସମୟରେ ପତି ଗୌତମ ଆଶ୍ରମକୁ ଫେରି ଆସିବା ଆଭାସ ପାଇଛନ୍ତି ଅହଲ୍ୟା।ଇନ୍ଦ୍ରଙ୍କୁ ପଳାୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଇନ୍ଦ୍ର ଗୌତମଙ୍କୁ ଅତିକ୍ରମ କରି ଯାଇ ପାରିନାହାନ୍ତି।ଘଟଣା ସ୍ଥଳରେ ଇନ୍ଦ୍ରଙ୍କୁ ଦେଖି ଗୌତମ ଘଟିଥିବା ଅନୈତିକ ପାପ କର୍ମର ଆଭାସ ପାଇଛନ୍ତି।ସେ ଇନ୍ଦ୍ରଙ୍କୁ ଭର୍ତ୍ସନା କରି କହିଛନ୍ତି ନିଜକୁ ଦେବତା ବୋଲାଉଥିବା କାମାସକ୍ତ ପାଷଣ୍ଡ ଇନ୍ଦ୍ର ! ମୋର ଅଭିଶାପ ଗ୍ରହଣ କର ,ତୁମେ ନପୁଂସକ ହୋଇ ଯାଅ ଏବଂ ତୁମ ଶରୀରରେ ସହସ୍ର ଯୋନି ସୃଷ୍ଟିହେଉ।


ତା'ପରେ ମହର୍ଷି ଗୌତମଙ୍କ କୋପଦୃଷ୍ଟିର ଶିକାର ହୋଇଛନ୍ତି ଅହଲ୍ୟା। ଅହଲ୍ୟା ପତିଙ୍କର ପାଦ ଧରି କ୍ଷମା ଭିକ୍ଷା କରିଛନ୍ତି; କହିଛନ୍ତି ଇନ୍ଦ୍ର ଛଦ୍ମରେ ଆପଣଙ୍କ ବେଶ ଧାରଣ କରିଥିବାରୁ ମୁଁ ଚିହ୍ନି ପାରିନାହିଁ। ମୋତେ କ୍ଷମା ଦିଅନ୍ତୁ ପରମେଶ୍ବର।"


ଗୌତମ କହିଛନ୍ତି ପାପ କର୍ମ କରିବା ସମୟରେ ବେଶ ଭିତରେ ଲୁଚିଥିବା ଆଚାର ଓ ବ୍ୟବହାରର ସୂକ୍ଷ୍ମତାକୁ ତୁମେ ଠିକ୍ ଅନୁଭବ କରି ତାକୁ ଅଣଦେଖା କରିବା ଅର୍ଥ ତୁମର ପ୍ରେମ ଜନିତ ଦୁର୍ବଳତା ପତ୍ନୀଧର୍ମକୁ ହେୟଜ୍ଞାନ କରିଛି।ତୁମେ ଶାସ୍ତି ପାଇବା ଯୋଗ୍ୟା।ତୁମ ଶାସ୍ତି ଜଗତ ପାଇଁ ଉଦାହରଣୀୟ ହେବ। ତୁମେ ପଥର ପାଲଟି ଯାଅ।ଲୋକ ଲୋଚନର ଅନ୍ତରାଳରେ ତୁମେ ପାପକର୍ମ ପାଇଁ ଅନୁଶୋଚନାରେ ତିଳ ତିଳ ଦଗ୍ଧିଭୂତା ହୁଅ।"


ଏହି ଭୟଙ୍କର ଅଭିଶାପରୁ ମୁକ୍ତିଲାଭ କରିବା ଉପାୟ ଜିଜ୍ଞାସା କରିଛନ୍ତି ଅହଲ୍ୟା।ଅନୁଶୋଚନାରେ ଦଗ୍ଧିଭୂତା ପତ୍ନୀଙ୍କ ଅନୁନୟ ଏବଂ ଅଶ୍ରୁ ଗୌତମଙ୍କ ମନରେ ଦୟା ଭାବ ସୃଷ୍ଟି କରିଛି।ସେ କହିଛନ୍ତି କେବଳ ବିଷ୍ଣୁ ହିଁ ତୁମର ଏ ପାପକୁ କ୍ଷମା ଦେଇ ତୁମକୁ ଉଦ୍ଧାର କରିପାରିବେ। ତ୍ରେତୟା ଯୁଗରେ ରାମ ଅବତାରରେ ଧରାବତରଣ କରି ପ୍ରଭୁ ଯେତେବେଳେ ଏହି ପଥ ଦେଇ ଯାତ୍ରା କରିବେ ତାଙ୍କ ପଦରଜ ତୁମକୁ ଏହି ମହା ଅଭିଶାପରୁ ମୁକ୍ତି ଦେବ।"


ଏହା କହି ଗୌତମ ଆଶ୍ରମ ତ୍ୟାଗକରି ହିମାଳୟକୁ ତପସାଧନା ପାଇଁ ଚାଲି ଯାଇଥିଲେ।ଅନୁଶୋଚନାରେ ତିଳ ତିଳ ଦଗ୍ଧିଭୂତା ହୋଇଛନ୍ତି ପାଷାଣୀ ଅହଲ୍ୟା।ରାମଚନ୍ଦ୍ରଙ୍କ ପଦରେଣୁ ପଡ଼ିବା ପରେ ସେ ପୁନର୍ବାର ପୂର୍ବ ଶରୀର ଫେରି ପାଇଛନ୍ତି।ଅନୁଶୋଚନା ତାଙ୍କ ଶରୀର ଓ ମନକୁ ପବିତ୍ର ଜାହ୍ନବୀରେ ପରିଣତ କରିଦେଇଛି।ରାମଚନ୍ଦ୍ରଙ୍କ ପଦବନ୍ଦନା କରିବାକୁ ଯିବା ସମୟରେ ପ୍ରଭୁ କହିଛନ୍ତି...ଏ କଣ କରୁଛ ମାତେ ! ତୁମେ ମୋର ବନ୍ଦନୀୟା।ତୁମ ତପସ୍ୟା ତୁମକୁ ନାରୀ ମାନଙ୍କ ମଧ୍ୟରେ ମହାସତୀ ନାରୀରେ ପରିଣତ କରିଛି।ଉଠ ମାତା ଅହଲ୍ୟା !ତୁମେ ଜଗତ ପାଇଁ ଉଦାହରଣ ପାଲଟି ଯାଇଛ। ଭୁଲ୍ ଯେତେ ବଡ଼ ହେଉନା କାହିଁକି ଅନୁଶୋଚନା ଦ୍ବାରା ତାର ପ୍ରାୟଶ୍ଚିତ ହୁଏ। ପ୍ରାୟଶ୍ଚିତ ଦସ୍ୟୁକୁ ସନ୍ୟାସୀରେ ପରିଣତ କରିପାରେ।"


ଏହି ସମୟରେ ଗୌତମ ହିମାଳୟରୁ ଫେରି ଆସିଛନ୍ତି ଏବଂ ଅହଲ୍ୟାଙ୍କୁ ସାଦରେ ଗ୍ରହଣ କରିଛନ୍ତି। ଶ୍ରୀରାମ ଏବଂ ଲକ୍ଷ୍ମଣ ମହର୍ଷିଙ୍କ ପାଦ ବନ୍ଦନା କରି ଆଶ୍ରମରୁ ବିଦାୟ ନେଇଛନ୍ତି।


ପୂର୍ବ ଅଧ୍ୟାୟରେ ଅହଲ୍ୟାଙ୍କ ସହିତ ସୂର୍ଯ୍ୟ ଏବଂ ଇନ୍ଦ୍ରଙ୍କର ପାପ ପ୍ରଣୟର କଥା ବର୍ଣ୍ଣନା କରାଯାଇଥିଲା।ନାନା ମୁନିଙ୍କ ନାନା ମତ। ଏଠାରେ ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ତଥ୍ୟକୁ ଆଧାର କରି ଅହଲ୍ୟା-ଚରିତ ଅବତାରଣା କରାଯାଇଛି।ତଥ୍ୟ ଯାହା ହେଉନା କାହିଁକି ନିଷ୍କର୍ଷ ଗୋଟିଏ ପ୍ରାୟଶ୍ଚିତ ଏବଂ ଅନୁଶୋଚନା ଚରିତ୍ର ବଦଳାଇ ଦିଏ।


ଆଜିକାଲିର ସମାଜ ପରି ତତ୍କାଳୀନ ସମାଜରେ ମଧ୍ୟ ପରକୀୟା ଗୁପ୍ତପ୍ରେମର ଅନେକ ଉଦାହରଣ ଥିଲା। ଅହଲ୍ୟାଙ୍କ ଚରିତ୍ର ମାଧ୍ୟମରେ ଆଦିକବି ବାଲ୍ମୀକି, ପ୍ରାୟଶ୍ଚିତ କରିଥିବା ନାରୀ ବା ନର'କୁ ତାର ପାପକର୍ମ ପାଇଁ କ୍ଷମା ଦେବାପାଇଁ ସମାଜକୁ ନିର୍ଦ୍ଦେଶ ଦେଇଛନ୍ତି। ଗୌତମ, ବିନା ଦ୍ବିଧାରେ ଅହଲ୍ୟାଙ୍କୁ ଗ୍ରହଣ କରିବା ଉଦାହରଣ ପଛରେ ସମାଜ ପ୍ରତି ସନ୍ଦେଶ ରହିଛି ଯେ କ୍ଷମାଠାରୁ ବଳି ସ୍ୱର୍ଗୀୟ ଅନ୍ୟକିଛି ନାହିଁ।କ୍ଷମା, ଦାତା ଓ ଗ୍ରହିତା ଉଭୟଙ୍କୁ ମହାନ୍ କରିଥାଏ। 


ପରିସ୍ଥିତିରେ ପଡି ମନୁଷ୍ୟ ଅନେକ ସମୟରେ ପାପ କର୍ମ କରେ। ପରକୀୟା ପ୍ରେମ ସମାଜରେ କେତେ ପରିବାରକୁ ନଷ୍ଟ କରିଦିଏ।ଏପରି ପାପକର୍ମ ଯେବେ ଅନୁଶୋଚନା ଓ ପ୍ରାୟଶ୍ଚିତ ଦ୍ବାରା ସୁଧାରି ହୁଏ,ତାହେଲେ ଅନେକ ଭାଙ୍ଗିଯାଉଥିବା ସଂସାର ସଜାଡି ହୋଇଯାଏ।ପରପୁରୁଷ ବିତ୍ତଶାଳୀ,ସୁନ୍ଦର ଏବଂ ଦେବତା ସଦୃଶ ହୋଇଥିଲେ ମଧ୍ୟ ନିଜ ସାଧାରଣ ପୁରୁଷ ସର୍ବଦା ପୂଜନୀୟ ଏବଂ ନିଜ ଦରିଦ୍ର ପରିବାର ହିଁ ସ୍ବର୍ଗଭୂମି ବୋଲି ପ୍ରତ୍ୟେକ ନାରୀ ବିବେଚନା କରିବା ବିଧେୟ।  


ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ପାଇ ନିଜେ କ୍ଷମା,କ୍ଷମାଦାତା ଗୌତମ ଏବଂ କ୍ଷମାଗ୍ରହିତା ଅହଲ୍ୟା ଶାଶ୍ବତ ଚିରନ୍ତନ ଭାବନା ଓ ଚରିତ୍ରରେ ପରିଣତ ହୋଇ ଯାଆନ୍ତି। ଏହିଭଳି ମହାନ୍ ଆମ ସନାତନ ଧର୍ମ ଓ ସଂସ୍କୃତିର ବାର୍ତ୍ତା।


କ୍ରମଶଃ


Rate this content
Log in

Similar oriya story from Classics