Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୧୮)

ସରଯୂ ନଦୀର ତୀରେ (୧୮)

4 mins
477



ସୂର୍ଯ୍ୟବଂଶୀ ରାଜା ସଗରଙ୍କ ୬୦ହଜାର ପୁତ୍ରଙ୍କ ଉପରକୁ ଯେଉଁ ଦୁର୍ଦ୍ଦିନ ମାଡ଼ି ଆସିଥିଲା ତାହା ରାମ-ଲକ୍ଷ୍ମଣଙ୍କ ଆଗରେ ବର୍ଣ୍ଣନା କରିବାକୁ ଯାଇ ବିଶ୍ଵାମିତ୍ର କହିଲେ ବତ୍ସ ! ସମୟର ଗତି ବିଚିତ୍ର।ସମୟ ସବୁବେଳେ ସମାନ ଯାଏ ନାହିଁ। ମହାରାଜା ସଗରଙ୍କ ରାଣୀ କେଶିନୀ କେବେ କଣ ସ୍ବପ୍ନରେ ମଧ୍ୟ କଳ୍ପନା କରିଥିଲେ ଯେ ତାଙ୍କର ଏକମାତ୍ର ପୁତ୍ର ଅସମଞ୍ଜସ ଏକ ଅର୍ଦ୍ଧପାଗଳ ପ୍ରଜାପ୍ରପୀଡକ ନରରାକ୍ଷସ ପ୍ରକୃତିର ମନୁଷ୍ୟରେ ପରିଣତ ହେବେ ! ଅସମଞ୍ଜସ'ର ଅତ୍ୟାଚାରରେ ପ୍ରଜାମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ।ରାସ୍ତାରେ ଯାଉଥିବା ଛୋଟ ପିଲାଙ୍କୁ ସେ ନଦୀ ଭିତରକୁ ଫିଙ୍ଗି ବୁଡାଇ ମାରିବାରେ ଅଦ୍ଭୁତ ଆନନ୍ଦ ପାଉଥିଲେ। ଏପରି କି ଗର୍ଭିଣୀ ନାରୀର ପେଟ ଚିରି ଗର୍ଭାଶୟରେ ଥିବା ପିଲାକୁ ବାହାରକରିବା ଭଳି ପାଶବିକ କାମ କରିବାରେ ସେ ଆନନ୍ଦ ପାଉଥିଲେ।ପ୍ରଜାମାନେ ରାଜପୁତ୍ର ବିରୁଦ୍ଧରେ ଅଭିଯୋଗ କଲେ।ସଗର ଅନେକ ଚେଷ୍ଟା କଲେ ଅସମଞ୍ଜସକୁ ଭଲ ବାଟକୁ ଆଣିବା ପାଇଁ, କିନ୍ତୁ ସବୁ ଚେଷ୍ଟା ବିଫଳ।ଶେଷରେ ରାଜା ସଗର ପୁତ୍ର ଅସମଞ୍ଜସକୁ ନିର୍ବାସନ ଦଣ୍ଡ ଦେବାପାଇଁ ବାଧ୍ୟ ହେଲେ।

ସେ ସମୟରେ ଅସମଞ୍ଜସର ପତ୍ନୀ ଗର୍ଭବତୀ ଥିଲେ।ଯଥା ସମୟରେ ତାଙ୍କର ଯେଉଁ ପୁତ୍ର ଭୂମିଷ୍ଠ ହେଲା ସେ ଥିଲା ପିତା ଅସମଞ୍ଜସର ଚରିତ୍ରର ସମ୍ପୂର୍ଣ୍ଣ ବିପରୀତ। ଏହି ପୁତ୍ରର ନାମ ରଖାଗଲା ଅଂଶୁମାନ। କ୍ରମେ ସେ ଏକ ଜ୍ଞାନୀ,ଗୁଣୀ ଧର୍ମପରାୟଣ ଯୁବକରେ ସେ ପରିଣତ ହେଲେ।ଯୁବରାଜ ଅଂଶୁମାନ ସୂର୍ଯ୍ୟଙ୍କ ଭଳି ପ୍ରଚଣ୍ଡ ଜ୍ୟୋତିଷ୍ମାନ ଥିଲେ ।ତାଙ୍କ ବଳ ବିକ୍ରମ ଓ ଦେବୋପମ ଚରିତ୍ର ଦେଖି ରାଜା ସଗରଙ୍କ ଆନନ୍ଦ-ସାଗର କୂଳ ଲଙ୍ଘନ କରୁଥିଲା।ସେ ଭାବିଲେ ଅଯୋଧ୍ୟାର ସିଂହାସନ ପାଇଁ ଉପଯୁକ୍ତ ଦାୟାଦ ମିଳିଗଲା। କିନ୍ତୁ କାଳର ଗତି ବଡ କୁଟିଳ।

ଦିନେ ରାଜା ସଗର ଚିନ୍ତା କଲେ ଅଂଶୁମାନଙ୍କୁ ଅଯୋଧ୍ୟାର ସିଂହାସନ ଅର୍ପଣ କରି ମୁନିଋଷି ମାନଙ୍କ ଗହଣରେ ବାନପ୍ରସ୍ଥ ଜୀବନ ବିତାଇବେ।ତା ପୂର୍ବରୁ ଏକ ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ସେ ମନସ୍ଥ କଲେ। ଅଯୋଧ୍ୟାର ଧ୍ଵଜା ଧାରଣ କରି ଅଶ୍ଵ ଚଉଦ ବ୍ରହ୍ମାଣ୍ଡ ଭ୍ରମଣ କରି ଫେରି ଆସିଲା।ନିଜେ ଅଂଶୁମାନ ତାକୁ ଅଶ୍ବଶାଳରେ ବନ୍ଧନ କଲେ।ପରଦିନ ଯଜ୍ଞରେ ପୂର୍ଣ୍ଣାହୂତି ଦେବାର ଯୋଜନା ଥିଲା। କିନ୍ତୁ ପ୍ରଭାତରେ ଦେଖାଗଲା ସେ ଅଶ୍ଵ ଚୋରି ହୋଇ ଯାଇଛି।

ବାସ୍ତବରେ ସେ ଅଶ୍ବକୁ ଇନ୍ଦ୍ରଦେବ ଚୋରାଇ ନେଇଥିଲେ।ଯଜ୍ଞରେ ପୂର୍ଣ୍ଣାହୂତି ହେବା ପୂର୍ବରୁ ବିଘ୍ନ ସୃଷ୍ଟି କରି ଯଜ୍ଞକୁ ବିଫଳ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରଦେବ ଏଭଳି କର୍ମ କରିଥିଲେ। ରାଜା ସଗର ଯଜ୍ଞାନୁଷ୍ଠାନ କରି ଅସୀମ ଶକ୍ତି ଲାଭକରି କାଳେ ଇନ୍ଦ୍ରପଦ ହସ୍ତଗତ କରିବେ, ସେହି ଭୟରେ ଇନ୍ଦ୍ର ଏହି ଚୋରି କାର୍ଯ୍ୟଟି କରିଥିଲେ। ଅଂଶୁମାନ ସ୍ବର୍ଗ ମର୍ତ୍ତ୍ୟ ପାତାଳ ,ସବୁସ୍ଥାନ ଖୋଜି ଖୋଜି ଫେରିଲେ, କିନ୍ତୁ ଯଜ୍ଞଅଶ୍ବକୁ କେଉଁଠାରେ ମଧ୍ୟ ପାଇଲେ ନାହିଁ।

ରାଜା ସଗର ନିଜର ଷାଠିଏ ହଜାର ପୁତ୍ରଙ୍କୁ ଯଜ୍ଞ ଅଶ୍ଵ ଖୋଜିବା କାର୍ଯ୍ୟରେ ବିନିଯୁକ୍ତ କଲେ।ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ଷାଠିଏ ହଜାର ପୁତ୍ର ଏକ ବିଶାଳ ସୈନ୍ୟ ବାହିନୀ ପରି ମାଡ଼ି ଚାଲିଲେ।ଅଶ୍ବକୁ ସେମାନେ ସ୍ବର୍ଗ ଓ ମର୍ତ୍ତ୍ୟମଣ୍ଡଳରେ କେଉଁଠାରେ ମଧ୍ୟ ପାଇଲେ ନାହିଁ। କେଉଁ ଭୂତଳ ଗହ୍ୱରରେ କେହି କାଳେ ଅଶ୍ବକୁ ଲୁଚାଇଥିବ ଭାବି ସେମାନେ ଭୂପୃଷ୍ଠର ତିନି ଭାଗ ମାଟି ଖୋଳି ପକାଇଲେ। ସେହି ତଡାଗରେ ଜଳ ପ୍ରବେଶ କରି ସୃଷ୍ଟି ହେଲା ସପ୍ତ ମହାସାଗର ଏବଂ କ୍ଷୁଦ୍ର କ୍ଷୁଦ୍ର ଉପସାଗର ସମୂହ।

ଶେଷରେ ସେମାନେ ପାତାଳରେ ପ୍ରବେଶ କଲେ।ଇତି ମଧ୍ୟରେ ଇନ୍ଦ୍ରଦେବ ପାତାଳ ପୁରରେ ଥିବା କପିଳ ମୁନିଙ୍କ ଆଶ୍ରମରେ ଅଶ୍ବଟି ବାନ୍ଧି ଦେଇଥିଲେ। ତପସ୍ୟାରେ ମଗ୍ନ କପିଳମୁନି ଏକଥା ଜାଣିନଥିଲେ। ରାଜା ସଗରଙ୍କ ଷାଠିଏ ହଜାର ପୁତ୍ର ଅଶ୍ବକୁ ଖୋଜି ଖୋଜି କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ।ସେଠାରେ ଅଶ୍ବକୁ ଠାବ କରି ତପସ୍ୟାରତ ମୁନିଙ୍କ ଆଶ୍ରମକୁ ଆକ୍ରମଣ କରି ଧ୍ବସ୍ତ ବିଧ୍ବସ୍ତ କରିଦେଲେ ଏବଂ ମୁନିଙ୍କୁ ଚୋର ବୋଲି ମନେକରି, ତପ ଭଙ୍ଗ କରି ତାଙ୍କୁ ପ୍ରହାର କରିବା ଆରମ୍ଭ କରିଦେଲେ। ନିର୍ଦ୍ଦୋଷ ମୁନିଙ୍କ ଚକ୍ଷୁରୁ ନିର୍ଗତ ହେଲା କ୍ରୋଧାଗ୍ନି।ସେ ଅଗ୍ନିରେ ଦଗ୍ଧିଭୂତ ହୋଇ ଭସ୍ମରେ ପରିଣତ ହେଲେ ଷାଠିଏ ସହସ୍ର ସଗରପୁତ୍ର। ଭସ୍ମର ପାହାଡ ସୃଷ୍ଟି ହେଲା।ତା ଭିତରୁ ଭାସି ଆସୁଥିଲା ମୁକ୍ତି ପାଇନଥିବା ଷାଠିଏ ହଜାର ଆତ୍ମାଙ୍କର ମର୍ମନ୍ତୁଦ ଚିତ୍କାର।

ବହୁବର୍ଷ ବିତିଗଲା।ସଗର ବଡ଼ ଚିନ୍ତିତ ହୋଇପଡ଼ିଲେ।ନାଁ ଫେରିଲେ ଷାଠିଏ ହଜାର ପୁତ୍ର ନାଁ ଯଜ୍ଞଅଶ୍ବ।ସଗର,ପୌତ୍ର ଅଶୁମାନଙ୍କୁ ନିର୍ଦ୍ଦେଶ ଦେଲେ ପିତୃବ୍ୟ ମାନଙ୍କୁ ଖୋଜି ବାହାର କରିବା ପାଇଁ। ଅଂଶୁମାନ ସ୍ବର୍ଗ ଓ ମର୍ତ୍ତ୍ୟମଣ୍ଡଳ ଖୋଜିବାପରେ ପାତାଳରେ ପହଞ୍ଚି କପିଳ ମୁନିଙ୍କ ଆଶ୍ରମରେ ଯଜ୍ଞ-ଅଶ୍ବକୁ ଠାବ କଲେ।ଅଶ୍ଵ ମନଆନନ୍ଦରେ ତୃଣକ୍ଷେତ୍ରରେ ଭୋଜନରତ ଥିଲା। କିନ୍ତୁ ଆଶ୍ରମ ପ୍ରାଙ୍ଗଣରୁ ଷାଠିଏ ହଜାର ଭସ୍ମୀଭୂତ ପିତୃବ୍ୟ ମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ହୃଦୟ ତାଙ୍କର ବିଦିର୍ଣ୍ଣ ହୋଇଗଲା।

ସେଠାରେ ସଂଯୋଗ ବଶତଃ ଅଂଶୁମାନଙ୍କ ସହିତ ପକ୍ଷୀରାଜ,ଶ୍ରୀନାରାୟଣଙ୍କ ବାହନ ଗରୁଡଙ୍କ ଭେଟ ହୋଇଗଲା।ଗରୁଡ, ସମ୍ପର୍କରେ ଅଂଶୁମାନଙ୍କର ମାମୁଁ-ଅଜା,କାରଣ ଗରୁଡ ଥିଲେ ସଗରଙ୍କ ପତ୍ନୀ ସୁମତୀଙ୍କର ଭ୍ରାତା। ଦୁଃଖରେ ମ୍ରିୟମାଣ ଅଣନାତିକୁ ଦେଖି ଗରୁଡ କହିଲେ: ବତ୍ସ ଅଂଶୁମାନ ! ଏଠାରେ ତୁମର ପିତୃବ୍ୟମାନେ କପିଳ ମହର୍ଷିଙ୍କ କ୍ରୋଧର ଶିକାର ହୋଇ ଭସ୍ମରେ ପରିଣତ ହୋଇଛନ୍ତି। ସେମାନଙ୍କ ଅତୃପ୍ତ ଆତ୍ମାମାନେ ପାଉଁଶ ସ୍ତୁପ ଭିତରୁ ମୁକ୍ତିଲାଭ ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି। କିନ୍ତୁ ସେମାନଙ୍କର ମୁକ୍ତି ଏତେ ସହଜରେ ହେବନାହିଁ।ସ୍ଵର୍ଗରୁ ଯେବେ ପବିତ୍ର ଗଙ୍ଗା ଧରାବତରଣ କରି ଶେଷରେ ପାତାଳକୁ ଆସି ଏହି ପାଉଁଶ ସ୍ତୁପକୁ ପ୍ଳାବିତ କରିବେ ତା'ହେଲେ ତୁମ ପିତୃବ୍ୟମାନେ ମୁକ୍ତିଲାଭ କରିବେ। ତାହା ଏତେ ସହଜ କଥା ନୁହେଁ।ମୋ କଥା ମାନି ତୁମେ ଯଜ୍ଞ ଅଶ୍ବକୁ ନେଇ ଫେରିଯାଇ ପ୍ରଥମେ ଯଜ୍ଞ ସମାପନ କର।

ମାମୁଁ-ଅଜାଙ୍କଠାରୁ ଏହା ଶୁଣି ଅଂଶୁମାନ ଯଜ୍ଞଅଶ୍ବକୁ ନେଇ ଯଥାଶୀଘ୍ର ଅଯୋଧ୍ୟା ଫେରିଆସି ସଗରଙ୍କୁ ସମସ୍ତ ଘଟଣାବଳୀ ଜଣାଇଲେ। ଦୁଃଖରେ ମ୍ରିୟମାଣ ସଗର ଭାବିଲେ, ସେ ନିଜେ ତାଙ୍କ ପୁତ୍ରମାନଙ୍କ ମୃତ୍ୟୁ ପାଇଁ ଦାୟୀ।

ଫେରି ପାଇଥିବା ଯଜ୍ଞ ଅଶ୍ବକୁ ନେଇ ସେ ଅଶ୍ଵମେଧ ଯଜ୍ଞ ସମ୍ପୂର୍ଣ୍ଣ କଲେ।ଏହାପରେ ପୁତ୍ରମାନଙ୍କୁ ଫେରି ପାଇବାପାଇଁ ସେ ଘୋର ତପସ୍ୟାରେ ନିମଗ୍ନ ହେଲେ। ବହୁକାଳ ବିତିଗଲା, କିନ୍ତୁ ତାଙ୍କୁ ତପସ୍ୟାର କିଛି ଫଳ ମିଳିଲା ନାହିଁ। ମନସ୍ତାପ, ଦୁଃଖ ଏବଂ ପଶ୍ଚାତ୍ତାପରେ ତାଙ୍କର ମୃତ୍ୟୁ ହେଲା।ତାଙ୍କପରେ ଅଯୋଧ୍ୟାର ସିଂହାସନ ଅଂଶୁମାନ ଆରୋହଣ କଲେ। ଅଂଶୁମାନ ପୂର୍ବଜ ମାନଙ୍କ ମୁକ୍ତି ପାଇଁ ବହୁବର୍ଷ ତପସ୍ୟା କରି ବିଫଳ ହେଲେ। ଅଂଶୁମାନଙ୍କ ପରେ ପ୍ରଥିତଯଶା ରାଜା ଦୀଲିପ ଅଯୋଧ୍ୟାର ରାଜସିଂହାସନ ଆରୋହଣ କଲେ।ସେ ମଧ୍ୟ ହୋମ ଯଜ୍ଞ ପୂଜାପାଠ ଏବଂ ତପଶ୍ଚର୍ଯ୍ୟା କରି ଷାଠିଏ ହଜାର ପୂର୍ବଜମାନଙ୍କ ଆତ୍ମାକୁ ମୁକ୍ତି ଦେବାପାଇଁ ଗଭୀର ପ୍ରୟାସ କଲେ;କିନ୍ତୁ ସଫଳ ହେଲେ ନାହିଁ।

ଦୀଲିପଙ୍କ ପରେ ତାଙ୍କ ସୁପୁତ୍ର ଭଗିରଥ ଅଯୋଧ୍ୟାର ରାଜସିଂହାସନ ଅଳଙ୍କୃତ କଲେ।ପୂର୍ବଜ ମାନଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ସେ ପଣ ନେଲେ।ଘୋର ତପସ୍ୟା ବଳରେ ବିଭିନ୍ନ ଦେବାଦେବୀଙ୍କୁ ସନ୍ତୁଷ୍ଟ କରି କିପରି ପବିତ୍ର ଗଙ୍ଗାଙ୍କୁ ପୃଥିବୀକୁ ଆଣି ସମଗ୍ର ମାନବ ସମାଜର କଲ୍ୟାଣ କରିବା ସଙ୍ଗେ ସଙ୍ଗେ ଇକ୍ଷ୍ବାକୁ ବଂଶର ଗୌରବ ବଢ଼ାଇଥିଲେ ତାହା ଏକ ରୋମାଞ୍ଚକର କାହାଣୀ ।


କ୍ରମଶଃ



Rate this content
Log in

Similar oriya story from Classics