Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୧୭)

ସରଯୂ ନଦୀର ତୀରେ (୧୭)

4 mins
993



ମିଥିଳାରୁ ରାଜର୍ଷି ଜନକଙ୍କ ଯଜ୍ଞକାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇ ବିଶ୍ଵାମିତ୍ର ଏବଂ ତାଙ୍କ ଶିଷ୍ୟବୃନ୍ଦ ପ୍ରସ୍ତୁତ ହେଲେ।ରାମ ଲକ୍ଷ୍ମଣଙ୍କୁ ଚାହିଁ ବିଶ୍ଵାମିତ୍ର କହିଲେ ବତ୍ସ ! ମିଥିଳାଧିପତି ନିଜ ଅପୂର୍ବ ସୁନ୍ଦରୀ ପାଳିତା କନ୍ୟା ସୀତାଙ୍କ ବିବାହ ପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି।ତାଙ୍କ ପୂର୍ବପୁରୁଷ 'ଦେବରାଟ' ଆଶୁତୋଷ ଶିବଙ୍କ ଠାରୁ ଗୋଟିଏ ବିଶାଳ ଧନୁ ପାଇଥିଲେ।ଜନକ ପଣ କରିଛନ୍ତି ସେହି ଧନୁରେ ଯେଉଁ ବ୍ୟକ୍ତି ପ୍ରତ୍ୟଞ୍ଚା ଚଢାଇ ପାରିବ ସେ ସୀତାଙ୍କ ପାଣିଗ୍ରହଣ କରିବ।ବହୁ ବୀର ଜନକଙ୍କ ରାଜପ୍ରସାଦକୁ ଆସି ବିଫଳ ହୋଇ ଫେରିଯାଇଛନ୍ତି।ମୋ ମତରେ ତୁମେ ସେହି ସ୍ବତନ୍ତ୍ର ଧନୁକୁ ଦେଖିବା ଆବଶ୍ୟକ।ଯଜ୍ଞ ମହୋତ୍ସବରେ ଯୋଗ ଦେବାପାଇଁ ରାଜା ଜନକ ଆମ୍ଭମାନଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରିଛନ୍ତି।ତୁମେ ଦୁହେଁ ମଧ୍ୟ ଆମ୍ଭମାନଙ୍କ ସହିତ ଯାଇ ସେହି ଉତ୍ସବ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶିବଧନୁ ମଧ୍ୟ ଦର୍ଶନ କରିବା ଉଚିତ।


ସୀତା ଏବଂ ଶିବଧନୁ ବିଷୟରେ ଅଧିକ ଜାଣିବା ପାଇଁ ରାମଚନ୍ଦ୍ରଙ୍କର ଜିଜ୍ଞାସା ଦୂର କରିବାକୁ ଯାଇ ବିଶ୍ଵାମିତ୍ର କହିଲେ ବତ୍ସ ! ଜନକ କେବଳ ଜଣେ ପରମ ବୀର ନୁହଁନ୍ତି,ବେଦ ବେଦାନ୍ତ ଏବଂ ବିଭିନ୍ନ ଶାସ୍ତ୍ରରେ ସେ ମଧ୍ୟ ଜଣେ ମହାନ ଜ୍ଞାନୀ।ପରମଜ୍ଞାନୀ ଯାଜ୍ଞବଳ୍କ୍ୟଙ୍କ ଶିଷ୍ୟ ଭାବରେ ସେ ବ୍ରହ୍ମଜ୍ଞାନ ଶାସ୍ତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି। ରାଜା ହେବା ପୂର୍ବରୁ ତାଙ୍କର ନାମ ଥିଲା ଶିରଧ୍ବଜ ଏବଂ ତାଙ୍କ ଅନୁଜଙ୍କ ନାମ କୁଶଧ୍ବଜ। ପରମ୍ପରା ଅନୁଯାୟୀ ମିଥିଳାର ରାଜଦଣ୍ଡ ଗ୍ରହଣ କରି ଯେଉଁମାନେ ସିଂହାସନ ଆରୋହଣ କରନ୍ତି ସେମାନେ ଜନକ ନାମରେ ନାମିତ ହୁଅନ୍ତି।ଜନକ ଶବ୍ଦର ଅର୍ଥ ପିତା। ସିଂହାସନ ଆରୋହଣ କରି ପିତା ସଦୃଶ ପ୍ରଜାମାନଙ୍କୁ ପାଳନ କରିବା ଉଚିତ ବୋଲି ଏଭଳି ପରମ୍ପରା ବିଦେହ ବା ମିଥିଳା ରାଜ୍ୟରେ ରହିଛି।

 

ଯଜ୍ଞାନୁଷ୍ଠାନ କରିବା ପୂର୍ବରୁ ନିର୍ଦ୍ଧାରିତ ସ୍ଥାନକୁ କର୍ଷଣ କରା ଯିବାର ବିଧି ରହିଛି। ଏକଦା ଯଜ୍ଞାନୁଷ୍ଠାନ କରିବା ପାଇଁ ରାଜା ଜନକ ନିଜେ କ୍ଷେତ୍ର କର୍ଷଣ କରୁଥିବା ସମୟରେ ସେହି ସ୍ଥାନରେ ଗୋଟିଏ ସୁନ୍ଦରୀ ଶିଶୁ କନ୍ୟାକୁ ଠାବ କଲେ।ସୀତ ବା ଲଙ୍ଗଳ ସୀଆରରୁ ମିଳିଥିବାରୁ କନ୍ୟାର ନାମ ସୀତା ରଖାଗଲା। ରାଜା ଜନକ ସନ୍ତାନହୀନ ହୋଇଥିବାରୁ କନ୍ୟାଟିକୁ ଯତ୍ନରେ ଆଦରି ନେଇ ରାଣୀ ସୁନୟନାଙ୍କ କୋଳକୁ ବଢାଇ ଦେଲେ।ରାଣୀଙ୍କ ଆନନ୍ଦ କହିଲେ ନସରେ।ରାଜପୁରୀରେ ଆନନ୍ଦର ଲହରୀ ଖେଳିଗଲା। ସୀତା ପରିବାରକୁ ଆସିବା ପରେ ଜନକ ଆଉ ଗୋଟିଏ କନ୍ୟା ସନ୍ତାନର ପିତା ହେଲେ;କନ୍ୟାଟିଏ ନାମ ରଖାଗଲା ଉର୍ମିଳା।


ଜନକଙ୍କ ଅନୁଜ କୁଶଧ୍ବଜ ଏବଂ ତାଙ୍କ ପତ୍ନୀ ଚନ୍ଦ୍ରଦ୍ଭାଗା ମଧ୍ୟ ଦୁଇଟି ଅପୂର୍ବ ସୁନ୍ଦରୀ କନ୍ୟାଙ୍କର ଜନକ ଜନନୀ ହେଲେ। ସେମାନଙ୍କ ନାମ ମାଣ୍ଡବୀ ଏବଂ ଶ୍ରୁତକୀର୍ତ୍ତି। ଚାରି ରାଜକନ୍ୟା ସୀତା, ଉର୍ମିଳା, ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀ ଜନକଙ୍କ ପ୍ରାସାଦର ଚାରୋଟି ଅମୂଲ୍ୟ ହୀରା।


ଭୂମି(ପୃଥିବୀ)କର୍ଷଣ କରୁଥିବା ସମୟରେ ସୀତାଙ୍କୁ ପାଇଥିବାରୁ ତାଙ୍କର ଅନ୍ୟ ନାମ ଥିଲା ପାର୍ଥିବୀ। ପୃଥିବୀରେ ଥିବା ସମସ୍ତ ସୁନ୍ଦରତାର ସମାହାର ଅଟନ୍ତି ଜନକ ନନ୍ଦିନୀ।ଯୋଜନ ଯୋଜନ ଧରି ତାଙ୍କର ଅଙ୍ଗବାସ ପ୍ରସରିତ ହେଉଥିବାରୁ ତାଙ୍କର ଅନ୍ୟନାମ ଯୋଜନଗନ୍ଧା।ବିଦେହ ରାଜ୍ୟର ରାଜକନ୍ୟା ହୋଇଥିବାରୁ ସେ ବୈଦେହୀ ନାମରେ ମଧ୍ୟ ପରିଚିତା ।

ସୀତା ଯେତେବେଳେ ବିବାହ ଯୋଗ୍ୟା ହେଲେ ଜନକ ଚିନ୍ତାରେ ପଡିଲେ।ଏତେ ସୁନ୍ଦର ଗୁଣବତୀ ଓ ରୂପବତୀ କନ୍ୟା ପାଇଁ ଯୋଗ୍ୟ ବରପାତ୍ର ସେ କେଉଁଠାରୁ,କିପରି ପାଇବେ ?ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଲେ ମଧ୍ୟ ସୀତାଙ୍କ ପାଇଁ କାହାକୁ ସେ ଯୋଗ୍ୟ ବିବେଚିତ କଲେନାହିଁ। ବିବାହ ଯୋଗ୍ୟା କନ୍ୟାର ଚିନ୍ତା ସବୁବେଳେ ଜନକଙ୍କୁ ଘାରିଲା।ଶେଷରେ ସେ ଏକ ନିଷ୍ପତ୍ତି ରେ ପହଞ୍ଚିଲେ।

ଶିବଧନୁ ଏକ ବିଶିଷ୍ଟ ଦୈବିକଧନୁ,ଯାହା ସାଧାରଣ ମନୁଷ୍ୟ ପାଇଁ ,ବ୍ୟବହାର କରିବା ତ ଦୂରର କଥା, ତଳୁ ଉଠାଇ ପ୍ରତ୍ୟଞ୍ଚା ଦେବା ମଧ୍ୟ ସମ୍ଭବ ନୁହେଁ। ଏହି ଶିବଧନୁରେ ଯେଉଁ ବ୍ୟକ୍ତି ଗୁଣ ଚଢାଇପାରିବ ନିଶ୍ଚିତ ଭାବରେ ସେ ଜଣେ ଶ୍ରେଷ୍ଠ ବୀର ଏବଂ ଜନକ ନନ୍ଦିନୀଙ୍କର ଉପଯୁକ୍ତ ପତି ହେବାପାଇଁ ଯୋଗ୍ୟ।


ବିଶ୍ଵାମିତ୍ରଙ୍କଠାରୁ ବୈଦେହୀଙ୍କୁ ବିବାହ କରିବା ସର୍ତ୍ତ ଏବଂ ଶିବଧନୁ ବିଷୟରେ ଅବଗତ ହୋଇ ଶ୍ରୀରାମ ଏବଂ ଲକ୍ଷ୍ମଣ ମିଥିଳା ଯାତ୍ରା କରି ଜନକଙ୍କ ପାଖରେ ଥିବା ଶିବଙ୍କର ସେହି ଅଲୌକିକ ଧନୁ ଦେଖିବାପାଇଁ ଆଗ୍ରହ ପ୍ରକାଶ କଲେ।ବିଶ୍ଵାମିତ୍ରଙ୍କ ସହିତ ସିଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଏବଂ ରାମ, ଲକ୍ଷ୍ମଣ ମିଥିଳା ଅଭିମୁଖେ ଯାତ୍ରା ଆରମ୍ଭ କଲେ।ବିଶ୍ଵାମିତ୍ରଙ୍କ ଦଳବଳ ସହିତ ବନପ୍ରଦେଶର ସମସ୍ତ ପଶୁପକ୍ଷୀ ମଧ୍ୟ ମିଥିଳା ଯିବାପାଇଁ ତତ୍ପର ହେଲେ।ସତେ ଯେମିତି ଅପରୂପା ଜନକ ନନ୍ଦିନୀଙ୍କୁ ଦର୍ଶନ କରି ଚକ୍ଷୁକର୍ଣ୍ଣର ବିବାଦ ମେଣ୍ଟାଇବାକୁ ଚାହୁଁଥିଲେ ସମସ୍ତେ।ସେମାନଙ୍କୁ ବୁଝାସୁଝା କରି ବନ ଭିତରକୁ ପଠାଇ ଦେଇ ଶିଷ୍ୟ ଗହଣରେ ମିଥିଳା ଦିଗରେ ଅଗ୍ରସର ହେଲେ ବିଶ୍ଵାମିତ୍ର।


ଅନେକ ପଥ ଅତିକ୍ରମ କରିବାପରେ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଣନଦୀ ମୁହାଣରେ ପହଞ୍ଚିଲେ ଦୁଇ ରାଜପୁତ୍ରଙ୍କ ସହିତ ବିଶ୍ବାମିତ୍ର । ସେହି ସ୍ଥାନର ଐତିହ୍ୟ ବର୍ଣ୍ଣନା କରିବା ପରେ ସେଠାରେ ରାତ୍ରୀଯାପନ କରି ପ୍ରଭାତରୁ ମିଥିଳା ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ।ବାଟରେ ଗୋଟିଏ ନାତି-ଗଭୀର ନଦୀ ପାର ହେବାପରେ ମଧ୍ୟାହ୍ନ ସମୟକୁ ସମସ୍ତେ ଗଙ୍ଗାକୂଳରେ ପହଞ୍ଚିଲେ।


ପବିତ୍ର ଗଙ୍ଗାନଦୀରେ ସ୍ନାନ ଶେଷକରି ରାମ, ଲକ୍ଷ୍ମଣ ଏବଂ ବିଶ୍ଵାମିତ୍ରଙ୍କ ସାଙ୍ଗରେ ଯାଉଥିବା ସମସ୍ତ ମୁନିଋଷି ନିଜ ନିଜର ପୂଜାର୍ଚ୍ଚନା ଶେଷ କଲେ।ଗଙ୍ଗାତଟର ବାଲୁକା ଶଯ୍ୟା ଉପରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଗଲା।ଭୋଜନ ପରେ ବିଶ୍ଵାମିତ୍ରଙ୍କ ଚାରିପାଖରେ ସମସ୍ତେ ଘେରି ବସିଲେ।ବିଶ୍ବାମିତ୍ର ରାମଲକ୍ଷ୍ମଣଙ୍କୁ କହିଲେ ଏହି ପବିତ୍ର ଗଙ୍ଗା ନଦୀ ସହିତ ତୁମ ସୂର୍ଯ୍ୟବଂଶୀ ରାଜା ସଗରଙ୍କର ସମ୍ବନ୍ଧ ରହିଛି।ସ୍ବର୍ଗବାସିନୀ ଗଙ୍ଗା କିପରି ଧରାବତରଣ କରି ଭାଗିରଥୀରେ ପରିଣତ ହେଲେ ମୋଠାରୁ ଶୁଣ


ପର୍ବତଶ୍ରେଷ୍ଠ ହିମବାନ ଏବଂ ତାଙ୍କ ସହଧର୍ମିଣୀ ମନୋରମାଙ୍କ ଗୃହମଣ୍ଡନ କରୁଥିଲେ ତାଙ୍କର ଦୁଇ ଅପରୂପା ସୁନ୍ଦରୀ କନ୍ୟା ଗଙ୍ଗା ଏବଂ ଉମା।ଗଙ୍ଗାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ଦେବତାମାନେ ତାଙ୍କୁ ବିଷ୍ଣୁଙ୍କ ଅଙ୍କଲକ୍ଷ୍ମୀ କରିବା ଉଦ୍ଦେଶ୍ୟରେ ହିମବାନଙ୍କ ପାଖରୁ ମାଗିନେଲେ।ଗଙ୍ଗା ବିଷ୍ଣୁଙ୍କ ଅଙ୍କଲକ୍ଷ୍ମୀ ହୋଇ ଦୁଇ ସପତଣୀ ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ସହିତ ବୈକୁଣ୍ଠ ନିବାସିନୀ ହୋଇ ରହିଲେ।ହିମବାନଙ୍କ କନିଷ୍ଠା କନ୍ୟା ଉମା ଆଶୁତୋଷ ଶିବଙ୍କୁ ବିବାହ କରି କୈଳାସ ନିବାସିନୀ ହୋଇ ରହିଲେ।


ଏଣେ ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ସଗର,ସନ୍ତାନ ସନ୍ତତି ବିନା ମହା ଦୁଃଖରେ କାଳାତିପାତ କରୁଥିଲେ।ଦୁଇ ରାଣୀ କେଶିନୀ ଏବଂ ସୁମତିଙ୍କ ସହିତ ରାଜା ସଗର ହିମାଳୟକୁ ଯାଇ ଘୋର ତପସ୍ୟାରେ ନିମଗ୍ନ ହେଲେ।ରାଜାଙ୍କର ଏଭଳି କୃଚ୍ଛ୍ର ସାଧନାରେ ସନ୍ତୁଷ୍ଟ ହୋଇ ଋଷି ଭୃଗୁ ରାଜାଙ୍କୁ ବରଦାନ କରି କହିଲେ ହେ ରାଜନ୍ ! ତୁମ ସାଧନା ନିଷ୍ଫଳ ହେବନାହିଁ।ତୁମେ ଅସଂଖ୍ୟ ସନ୍ତାନର ଜନକ ହେବ।ତୁମ ଦୁଇ ରାଣୀଙ୍କ ମଧ୍ୟରୁ ଜଣେ ଗୋଟିଏ ପୁତ୍ର ସନ୍ତାନର ଜନନୀ ହେବେ, କିନ୍ତୁ ଅନ୍ୟରାଣୀ ୬୦ ହଜାର ପୁତ୍ରଙ୍କର ଜନନୀ ହେବାର ସୌଭାଗ୍ୟ ଲାଭକରିଵେ। ସେମାନେ ସମସ୍ତେ ତୁମର ବଂଶ ବୃଦ୍ଧି କରିବେ।


ଭୃଗୁଙ୍କ ପାଦତଳେ ପ୍ରଣିପାତ କରି ଦୁଇ ରାଣୀ ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଲେ।ଭୃଗୁ ପଚାରିଲେ ତୁମ ଭିତରୁ କିଏ ଗୋଟିଏ ପୁତ୍ରରେ ସନ୍ତୁଷ୍ଟ ହେବ ? ରାଣୀ କେଶିନୀ କହିଲେ ମୋର ଗୋଟିଏ ମାତ୍ର ପୁତ୍ର ଆବଶ୍ୟକ।ଅନ୍ୟ ରାଣୀ ସୁମତି ଷାଠିଏ ସହସ୍ର ପୁତ୍ରଙ୍କ ଜନନୀ ହେବାରେ ନିଜକୁ ଭାଗ୍ୟବତୀ ମନେ କଲେ।


ଯଥା ସମୟରେ ଦୁଇ ରାଣୀଙ୍କର ପୁତ୍ର ସନ୍ତାନ ଜାତ ହେଲେ।ରାଣୀ କେଶିନୀଙ୍କର ଏକମାତ୍ର ପୁତ୍ରର ନାମ ଥିଲା"ଅସମଞ୍ଜସ"।

ରାଣୀ ସୁମତି ଏକ ମାଂସ ପିଣ୍ଡୁଳାକୁ ଜନ୍ମଦେଲେ; ସେଥିରୁ ସୃଷ୍ଟ ହେଲେ ଷାଠିଏ ହଜାର ବଳଶାଳୀ ସନ୍ତାନ।ସଗରଙ୍କ ଦୁର୍ଭାଗ୍ୟକୁ କେଶିନୀଙ୍କ ପୁତ୍ର ଅସମଞ୍ଜସ ଏକ ବିକୃତ ମସ୍ତିସ୍କ ଅର୍ଦ୍ଧପାଗଳ ବ୍ୟକ୍ତିରେ ପରିଣତ ହେଲା।ତା'ଦ୍ବାରା ପ୍ରଜାମାନେ ଅନେକ କଷ୍ଟ ପାଇଲେ।ଅବଶ୍ୟ କିଛି କାଳ ପରେ ଅସମଞ୍ଜସଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହେଲା। ଅଂଶୁମାନ ନାମକ ସେହି ପୁତ୍ର ସନ୍ତାନର ଚରିତ୍ର ପିତାଙ୍କ ଚରିତ୍ରର ଠିକ୍ ଓଲଟା ଥିଲା।ସେ ଜଣେ ସାହସୀ ,ଧର୍ମ ପରାୟଣ ଏବଂ ମାନବଵାଦୀ ବ୍ୟକ୍ତି ଥିଲେ। ମହା ଆନନ୍ଦରେ ରାଜା ସଗର କାଳାତିପାତ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ପରିବାର ଉପରକୁ ବିପଦ ମାଡ଼ି ଆସିଲା।


କ୍ରମଶଃ.....


Rate this content
Log in

Similar oriya story from Classics