Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୬)

ସରଯୂ ନଦୀର ତୀରେ (୧୬)

4 mins
1.0K



ସିଦ୍ଧାଶ୍ରମର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ବିଶ୍ଵାମିତ୍ର କହିଲେ ହେ ରଘୁବଂଶୀ ! ଏ ହେଉଛି ସେହି ସିଦ୍ଧାଶ୍ରମ ଯେଉଁଠାରେ ପ୍ରଥମେ ସ୍ବୟଂ ନାରାୟଣ ଶହଶହ ବର୍ଷଧରି ଯୋଗ କରିଥିଲେ ଏବଂ ପରେ ଋଷି କଶ୍ୟପ ମଧ୍ୟ ତପସାଧନା କରିଥିଲେ। ଏହିଠାରେ ଦେବମାତା ଅଦିତିଙ୍କ ଗର୍ଭରୁ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନ ଜନ୍ମ ହୋଇଥିଲେ।ପରମ ପବିତ୍ର ଏହି ସ୍ଥାନରେ ବର୍ତ୍ତମାନ ମୋର ଆଶ୍ରମ ବିଦ୍ୟମାନ।ଆସ, ଏଠାରେ ଯେଉଁ ମୁନିଋଷିମାନେ ଅଛନ୍ତି ମୁଁ ସେମାନଙ୍କ ସହିତ ତୁମ ଦୁହିଁଙ୍କୁ ପରିଚିତ କରାଇଦିଏ।


ସିଦ୍ଧାଶ୍ରମର ମୁନିଋଷି ମାନଙ୍କର ପାଦ ବନ୍ଦନା କରି ରାମଲକ୍ଷ୍ମଣ ସେମାନଙ୍କ ଆଶୀର୍ବାଦ ଗ୍ରହଣ କଲେ। ମୁନିଋଷିମାନେ ଅଯୋଧ୍ୟାର ଦୁଇ ଯୁବରାଜଙ୍କର ବୀରତା ବିଷୟରେ ଆଗରୁ ଶୁଣିଥିଲେ। ରାକ୍ଷସମାନଙ୍କ ବିନାଶ କରି ଧରାପୃଷ୍ଠରେ ଶାନ୍ତି ସ୍ଥାପନ କରିବା ପାଇଁ ବିଷ୍ଣୁ ରାମଙ୍କ ରୂପରେ ଅବତାର ନେଇଛନ୍ତି ବୋଲି ମୁନି ଋଷି ମାନେ ଆଗରୁ ଆଭାସ ପାଇଥିଲେ।ତାଡକା ରାକ୍ଷସୀର ବିନାଶ ପରେ ସେମାନଙ୍କର ଚକ୍ଷୁକର୍ଣ୍ଣର ବିବାଦ ମେଣ୍ଟିଗଲା।ରାକ୍ଷସମାନଙ୍କ ଦୌରାତ୍ମ୍ୟ ଯୋଗୁଁ ବହୁକାଳ ଧରି ସେମାନେ ନିର୍ବିଘ୍ନରେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରି ପାରୁ ନଥିଲେ।ଯଜ୍ଞ ଚାଲିଥିବା ସମୟରେ ରାକ୍ଷସମାନେ ଆସି ଯଜ୍ଞକୁଣ୍ଡରେ ପରିସ୍ରା କରିବା ସଙ୍ଗେ ସଙ୍ଗେ ହାଡ଼ ମାଂସ ରକ୍ତ ଓ ଅମେଧ୍ୟ ପକାଇ ଯଜ୍ଞସ୍ଥଳକୁ ଅପବିତ୍ର କରୁଥିଲେ।ମୁନିଋଷି ମାନଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରୁଥିଲେ।


ରାମ ଲକ୍ଷ୍ମଣଙ୍କ ଆଗମନରେ ଆଶ୍ରମରେ ଆନନ୍ଦ ଲହରୀ ଖେଳିଗଲା। ବିଶ୍ଵାମିତ୍ର କହିଲେ.. କାଲିଠାରୁ ମୋ ଆଶ୍ରମରେ ଯଜ୍ଞକାର୍ଯ୍ୟ ଆରମ୍ଭ ହେବ।ସାତ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯଜ୍ଞକାର୍ଯ୍ୟ।ଯଜ୍ଞ ଆରମ୍ଭ ପୂର୍ବରୁ ମୁଁ ସଙ୍କଳ୍ପ କରିବି।ସଙ୍କଳ୍ପ ପରଠାରୁ ଯଜ୍ଞ ଶେଷ ହେବା ପର୍ଯ୍ୟନ୍ତ ମୁଁ ମୌନବ୍ରତ ଧାରଣ କରିବି। ସେହି ସମୟରେ ଆଶ୍ରମ ଦ୍ୱାରଦେଶରେ ରହି ରାକ୍ଷସମାନଙ୍କ ଆକ୍ରମଣରୁ ତୁମେ ଦୁହେଁ ଯଜ୍ଞ ରକ୍ଷା କରିବ।ମନେରଖ ରାମଚନ୍ଦ୍ର ! ତାଡକା ରାକ୍ଷସୀର ବିନାଶ ପରେ ତାର ଦୁଇ ପୁତ୍ର ସୁବାହୁ ଏବଂ ମାରିଚ ରକ୍ତମୁଖା ହୋଇଛନ୍ତି।ମାତାର ମୃତ୍ୟୁରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ରାକ୍ଷସ ବାହିନୀ ଧରି ଆଶ୍ରମ ଉପରେ ଘୋର ଆକ୍ରମଣ କରିଦେବେ।ଯଜ୍ଞ ନଷ୍ଟ କରିବା,ଆଶ୍ରମ ଧ୍ବଂସ କରିବା ଏବଂ ତୁମ ଦୁହିଁଙ୍କୁ ବଧ କରିବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ। ତେଣୁ ତୁମକୁ ଅତ୍ୟନ୍ତ ସତର୍କତା ସହିତ ଆଶ୍ରମ ରକ୍ଷା କରିବାକୁ ପଡିବ।"


ଏହା ଶୁଣି ଶ୍ରୀରାମ କହିଲେ...ଆପଣ ନିର୍ବିଘ୍ନରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରନ୍ତୁ ମୁନିଶ୍ରେଷ୍ଠ; ଶୁଭ କର୍ମରେ ତିଳେ ମାତ୍ର ବିଘ୍ନ ଘଟିବାକୁ ଆମେ ଦେବୁନାହିଁ।ସୁବାହୁ ଓ ମାରିଚକୁ ବିନାଶ କରି ସେମାନଙ୍କ ସୈନ୍ୟବାହିନୀକୁ ଧ୍ବଂସ କରିବୁ,ଏହା ଆମର ଶପଥ।


ଶ୍ରୀରାମଚନ୍ଦ୍ରଙ୍କଠାରୁ ଅଭୟ ବାଣୀ ଶୁଣି ଆସ୍ବସ୍ତ ହେଲେ ବିଶ୍ଵାମିତ୍ର।ପରଦିନ ପ୍ରାତଃ କାଳରୁ ଯଜ୍ଞ ଆରମ୍ଭ ହୋଇଗଲା।ସଙ୍କଳ୍ପବଦ୍ଧ ବିଶ୍ଵାମିତ୍ର ମୌନବ୍ରତ ଧାରଣ କରିଥାନ୍ତି।ଅନ୍ୟ ଋଷିମାନେ ମନ୍ତ୍ରପାଠ କରି ଯଜ୍ଞରେ ଆହୂତି ଦେଉଥାନ୍ତି।ଘୃତ,ଶାକଲ୍ୟ ଆଦି ପଦାର୍ଥ ଅଗ୍ନିରେ ପଡ଼ି ସୁଗନ୍ଧିତ ବାତାବରଣ ଆଶ୍ରମରେ ସୃଷ୍ଟି ହେଉଥାଏ; ତାହା ମଧ୍ୟ ପରିବେଶକୁ ଅତ୍ୟନ୍ତ ପବିତ୍ର କରିଦେଉଥାଏ।


କେଉଁ ସମୟରେ ସୁବାହୁ ଓ ମାରିଚ ଯଜ୍ଞ ପୀଠ ଆକ୍ରମଣ କରିବା ସମ୍ଭାବନା ଅଛି ବୋଲି ଶ୍ରୀରାମ ଜିଜ୍ଞାସା କରିବାରୁ ଋଷିମାନେ କହିଲେ...ପ୍ରତି ମୁହୂର୍ତ୍ତରେ ସତର୍କ ରହିବାକୁ ପଡିବ, କିନ୍ତୁ ଷଷ୍ଠ ଦିନରେ, ଯେତେବେଳେ ହୋମାଗ୍ନି ଆକାଶ ସ୍ପର୍ଶ କରିବା, ରାକ୍ଷସମାନେ ଯଜ୍ଞପୀଠକୁ ଆକର୍ଷିତ ହୋଇ ଆସିବା ସମ୍ଭାବନା ଅଧିକ।


ସେମାନଙ୍କ ଅନୁମାନ ଠିକ୍ ଥିଲା। ପାଞ୍ଚଦିନ ନିର୍ବିଘ୍ନରେ ବିତିଗଲା। ଯଜ୍ଞକୁଣ୍ଡର ଲେଲିହାନ ଅଗ୍ନିରୁ ନିର୍ଗତ ଧୂମ ଶିଖା ଆକାଶ ସ୍ପର୍ଶ କରୁଥାଏ।ବେଦ ପାଠରେ ଗୁଞ୍ଜରିତ ହେଉଥାଏ ସମଗ୍ର ବନପ୍ରଦେଶ। ଷଷ୍ଠଦିନ ପ୍ରଭାତରେ ଲକ୍ଷ୍ମଣ ରାମଚନ୍ଦ୍ରଙ୍କୁ କହିଲେ.ଜ୍ୟେଷ୍ଠଭ୍ରାତ ! ଆଜି ନିଶ୍ଚିତ ଭାବରେ ରିକ୍ଷସମାନେ ଆଶ୍ରମ ଉପରେ ଆକ୍ରମଣ କରିବେ;ଆମକୁ ସାବଧାନ ରହିବାପାଇଁ ପଡିବ।"ଲକ୍ଷ୍ମଣଙ୍କ ପାଟିରୁ କଥା ନସରୁଣୁ ଆକାଶରେ କଳାମେଘ ଘୋଟିଗଲା ଭଳି ଜଣାଗଲା।ମାରିଚ ଏବଂ ସୁବାହୁ କାନଫଟା କିଳିକିଳା ଶବ୍ଦକରି ରାକ୍ଷସ ସୈନ୍ୟ ବାହିନୀ ଦ୍ଵାରା ଆଶ୍ରମ ଉପରର ଆକାଶକୁ ସମ୍ପୂର୍ଣ୍ଣ ଘୋଡାଇ ଦେଲେ।


ସୁବାହୁ ଏବଂ ମାରିଚ ଯଜ୍ଞ ବେଦୀ ଉପରକୁ ମାଂସ ରକ୍ତ ଓ ଅମେଧ୍ୟ ପଦାର୍ଥ ପକାଇବା ଆରମ୍ଭ କଲେ।ସେ ସବୁ ତଳେ ପଡ଼ିଲା ପୂର୍ବରୁ ରାମଚନ୍ଦ୍ର ଅଗ୍ନିବାଣ ପ୍ରହାର କରି ସେ ସମସ୍ତ ଜାଳି ପୋଡ଼ି ପାଉଁଶ କରିଦେଲେ।ମାରିଚ ପର୍ବତ ଭଳି ଏକ ବିଶାଳ ପ୍ରସ୍ଥର ଖଣ୍ଡ ରାମ ଲକ୍ଷ୍ମଣଙ୍କ ଉପରକୁ ଫିଙ୍ଗିବା ଦେଖି ରାମଚନ୍ଦ୍ର ତାହା ଏକ ଅଭେଦ୍ୟ ବାଣ ପ୍ରୟୋଗ କରି ଖଣ୍ଡଖଣ୍ଡ କରିଦେଲେ।

 

ଆଶ୍ରମଉପର ଆକାଶରେ ଖଣ୍ଡେ କଳାମେଘ ଭଳି ଦେଖାଯାଉଥିବା ମାରିଚ ରାକ୍ଷସ ପ୍ରତି ଲକ୍ଷ୍ମଣଙ୍କ ଦୃଷ୍ଟି ଆକର୍ଷଣ କରି ରାମଚନ୍ଦ୍ର କହିଲେ..ଦେଖ ଲକ୍ଷ୍ମଣ ! ଏ ହେଉଛି ମାରିଚ।ଏହା ଉପରକୁ ମୁଁ ପବନାସ୍ତ୍ର ପ୍ରୟୋଗ କରୁଛି।"


ଘୋର ଘର୍ଘର ନାଦରେ ପବନାସ୍ତ୍ର ଶ୍ରୀରାମଙ୍କ ଧନୁରୁ ନିର୍ଗତ ହୋଇ ମାରିଚ ଦେହରେ ବାଜିଵାକ୍ଷଣି ପବନରେ ତୁଳା ପରି ମହାକାଶରେ ଶହେ ଯୋଜନ ଦୂରକୁ ଉଡିଯାଇ ସମୁଦ୍ରକୂଳରେ ପଡ଼ିଲା ମାରିଚ। ଶ୍ରୀରାମଚନ୍ଦ୍ରଙ୍କ ବାଣର ପ୍ରତାପ ଦେଖି ସେହି ସ୍ଥାନରୁ ଆଉ ଫେରିଆସି ଯୁଦ୍ଧ କରିବାକୁ ସେ ଭୟକଲା। ଶ୍ରୀରାମଙ୍କ ବାଣ ଡରରେ ସେ ରାକ୍ଷସରୁ ତପସ୍ୱୀରେ ପରିବର୍ତ୍ତିତ ହୋଇଗଲା।ରାମଙ୍କ ନାମ ତ ଭିନ୍ନ କଥା 'ଆରାମ' 'ବିରାମ' 'ଅଭିରାମ' ଭଳି ଶବ୍ଦ ଶୁଣିଲେ ତାର ଛାତି ଥରିଉଠୁଥିଲା। ସମୁଦ୍ର କୂଳରେ ସେ ତପସ୍ୟାରେ ନିମଗ୍ନ ହୋଇଗଲା।ରାମଙ୍କର ଗୋଟିଏ ବାଣ ଏକ ରାକ୍ଷସର ଚରିତ୍ର ବଦଳାଇ ଦେଲା।


ଏଣେ ଭାଇର ଏ ଦୁର୍ଦ୍ଦଶା ଦେଖି ସୁବାହୁ ରାମଲକ୍ଷ୍ମଣଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲା।ଯଜ୍ଞରେ ବାଧା ସୃଷ୍ଟି ହେବା ଚିନ୍ତାରେ ରାମଚନ୍ଦ୍ର ଅଧିକ ବିଳମ୍ବ କରିବାକୁ ଚାହୁଁ ନଥିଲେ। ସେ ଆଗ୍ନେୟାସ୍ତ୍ର ପ୍ରହାର କଲେ।ବାଣ ସୁବାହୁର ବକ୍ଷ ଭେଦ କଲା। ବିଶାଳ ପର୍ବତ ସଦୃଶ ରାକ୍ଷସର ମୃତଦେହ ତଳେ ପଡ଼ିଲା।ସୁବାହୁର ମୃତ୍ୟୁ ପରେ ରାକ୍ଷସମାନେ ସେ ସ୍ଥାନ ତ୍ୟାଗକରି ପଳାୟନ କଲେ।ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ବାଣ ସମୂହ ସେମାନଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କଲେ।ନିର୍ବିଘ୍ନରେ ଯଜ୍ଞ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା।


ରାମ ଲକ୍ଷ୍ମଣଙ୍କ ସଫଳତା ଦେଖି ଆନନ୍ଦରେ ଆତ୍ମହରା ହୋଇ ପଡିଲେ ବିଶ୍ଵାମିତ୍ର।ରାମଙ୍କ ଅଲୌକିକ ଐଶ୍ୱରୀୟ ଶକ୍ତି ସମ୍ବନ୍ଧରେ ସେ ଆଭାସ ପାଇଥିଲେ ମଧ୍ୟ ସ୍ବଚକ୍ଷୁରେ ତାହା ଦର୍ଶନ କରିବା ପରେ ଆତ୍ମତୃପ୍ତିରେ ତାଙ୍କ ହୃଦୟ ପୂର୍ଣ୍ଣ ହୋଇଗଲା। ରାମ ଲକ୍ଷ୍ମଣଙ୍କୁ କୋଳାଗ୍ରତ କରି ପିତୃପ୍ରତିମ ସ୍ନେହବୋଳା କଣ୍ଠରେ ବିଶ୍ଵାମିତ୍ର କହିଲେ..ବତ୍ସ ! ରାକ୍ଷସ ମାନଙ୍କୁ ବିନାଶ କରି ତଥା ଯଜ୍ଞରକ୍ଷା ଭଳି ମହତ କାର୍ଯ୍ୟ କରି ତୁମେ ସନାତନଧର୍ମର ପୃଷ୍ଠପୋଷକ ସମସ୍ତ ମୁନିଋଷିଙ୍କ ଆଶୀର୍ବାଦ ଲାଭ କରିଛ।ହେ ରଘୁକୁଳ ପୂର୍ଣ୍ଣଚନ୍ଦ୍ର ! ଦେଖ ଆକାଶରେ ଦେବତା ମାନେ ମଧ୍ୟ ତୁମ ଉପରେ ସନ୍ତୁଷ୍ଟ ହୋଇ ପୁଷ୍ପ ବୃଷ୍ଟି କରିବା ପାଇଁ ଅପେକ୍ଷା କରିଛନ୍ତି।"


ଆକାଶକୁ ଚାହିଁଲେ ରାମଚନ୍ଦ୍ର। ଇନ୍ଦ୍ରାଦି ଦେବତାମାନେ ପୁଷ୍ପ ବୃଷ୍ଟି କରୁଛନ୍ତି।ସମସ୍ତ ଦେବତାଙ୍କୁ ସବିନୟ ପ୍ରଣାମ ଜଣାଇଲେ ଦୁଇ ରଘୁବଂଶୀ।


ଏହି ସମୟରେ ବିଦେହ ରାଜ୍ୟର ରାଜଧାନୀ ମିଥିଳାରୁ ସ୍ବତନ୍ତ୍ର ଦୂତ ଆସି ବିଶ୍ଵାମିତ୍ରଙ୍କୁ,ଜନକ କୁମାରୀ ସୀତାଙ୍କ ସ୍ଵୟମ୍ବର ମହୋତ୍ସବରେ, ମୁନି ମାନଙ୍କ ସହିତ ଯୋଗ ଦେବାପାଇଁ ନିମନ୍ତ୍ରଣ ଜଣାଇଲେ। 


କ୍ରମଶଃ



Rate this content
Log in

Similar oriya story from Classics