Kulamani Sarangi

Classics

3.2  

Kulamani Sarangi

Classics

ସରଯୂ ନଦୀର ତୀରେ (୧୫)

ସରଯୂ ନଦୀର ତୀରେ (୧୫)

5 mins
502



ବିନମ୍ରତା ଗୁଣୀ ଜନ ମାନଙ୍କର ଅଳଙ୍କାର। ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ଧରାବତରଣ କରିଥିବା ନାରାୟଣ ନିଜେ ସେହି ସ୍ୱର୍ଗୀୟ ଗୁଣର ନିଦର୍ଶନ।ଯୋଡ ହସ୍ତରେ ବିଶ୍ବାମିତ୍ରଙ୍କୁ ଚାହିଁ ରାମଚନ୍ଦ୍ର କହିଲେ...ଭଗବନ୍ ! ଗୁରୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୁଏନାହିଁ।ଆପଣଙ୍କ ଆଶୀର୍ବାଦ ପାଇଲେ, ମୁଁ ଏବଂ ମୋର ଅନୁଜ ଲକ୍ଷ୍ମଣ, ସୁବାହୁ ଏବଂ ମାରିଚଙ୍କୁ ବିନାଶ କରି ଯଜ୍ଞରକ୍ଷା ସଙ୍ଗେ ସଙ୍ଗେ ବନଦେଶରେ ଶାନ୍ତି ସ୍ଥାପନ କରିପାରିବୁ।


ଶ୍ରୀରାମଙ୍କ ବିନମ୍ର କଥା ଶୁଣି ବିଶ୍ଵାମିତ୍ର ଭାବୁଥିଲେ.. ସ୍ବୟଂ ଭଗବାନ ତାଙ୍କ ଆଶୀର୍ବାଦ ଭିକ୍ଷା କରୁନାହାନ୍ତି ଯେ ଗୁରୁଙ୍କର ମାହାତ୍ମ୍ୟ ସମ୍ବନ୍ଧରେ ବିଶ୍ବକୁ ସଙ୍କେତ ଦେଉଛନ୍ତି। ଗୁରୁଙ୍କର ଆସନ ବାସ୍ତବରେ ଈଶ୍ବରଙ୍କ ଉର୍ଦ୍ଧ୍ବରେ।


ଗୁରୁଙ୍କ ସହିତ ଦୁଇଭାଇ ବିଶ୍ଵାମିତ୍ରଙ୍କ ଆଶ୍ରମ ଦିଗରେ ଅଗ୍ରସର ହେଲେ। କିଛିଦୂର ଯିବାପରେ ଏକ ଅତ୍ୟନ୍ତ ମନୋରମ ସ୍ଥାନରେ ସମସ୍ତେ ପହଞ୍ଚିଲେ।ଆଗରେ ଏକ ବିରାଟ ପର୍ବତ ଏବଂ ତା'ର ସୁନ୍ଦର ଉପତ୍ୟକା ଦେଖି ଶ୍ରୀରାମ ଜିଜ୍ଞାସା କଲେ ..ଗୁରୁଦେବ ! ଆମେ କଣ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଗଲେଣି?ଏ ଯେଉଁ ଆଶ୍ରମ ଆମେ ଆଗରେ ଦେଖୁଛେ,ଏହାର ନାମ କ'ଣ ?


ବିଶ୍ଵାମିତ୍ର କହିଲେ..ତୁମେ ଠିକ୍ କହିଛ ଶ୍ରୀରାମ,ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛନ୍ତି। ତୁମେ ଏଠାରେ ଯେଉଁ ଆଶ୍ରମ ଦେଖୁଛ,ତାର ନାମ 'ସିଦ୍ଧାଶ୍ରମ'। ଏହା ଏକ ଅତି ପୁରାତନ ଆଶ୍ରମ। ଏଠାରେ ଯୋଗେଶ୍ଵର ନାରାୟଣ,ଯୋଗର ମାହାତ୍ମ୍ୟ ପ୍ରତିପାଦନ କରିବାପାଇଁ ବହୁକାଳ ଯୋଗାସନରେ ବସି ସାଧନା କରିଥିଲେ।ରାଜା ମହାବଳିଙ୍କର ଗର୍ବ ଗଞ୍ଜନ କରିବା ପାଇଁ ଏହି ସ୍ଥାନରେ,ଶ୍ରୀନାରାୟଣ,ମାତା ଅଦିତିଙ୍କ ଗର୍ଭରୁ ବାମନ ଅବତାର ନେଇଥିଲେ।ଏହା ଶୁଣି ରାମଚନ୍ଦ୍ର କହିଲେ..ଗୁରୁଦେବ ! ଶାଶ୍ବତ ବାମନ ଅବତାର କଥା କହି ଆମ୍ଭମାନଙ୍କର କର୍ଣ୍ଣ ପବିତ୍ର କରନ୍ତୁ।"


ସ୍ବୟଂ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ଜିଜ୍ଞାସା ଦେଖି ମନେମନେ ଆମୋଦିତ ହେଉଥିଲେ ବିଶ୍ଵାମିତ୍ର; ଭାବିଲେ..ନିଜ ପୂର୍ବକଥା ଜାଣିବାକୁ କେତେ ଆଗ୍ରହ ସତେ ପ୍ରଭୁଙ୍କର !"

ଶ୍ରୀରାମଚନ୍ଦ୍ରଙ୍କ ଜିଜ୍ଞାସା ମେଣ୍ଟାଇବା ପାଇଁ ବଳି-ବାମନ ଚରିତ ବର୍ଣ୍ଣନା କଲେ ବିଶ୍ଵାମିତ୍ର।....


ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କ ପରେ ତାଙ୍କ ପୁତ୍ର ବିରୋଚନ ରାକ୍ଷସ କୁଳର ଜଣେ ଧର୍ମପରାୟଣ ରାଜା ଭାବରେ ବହୁବର୍ଷ ରାଜ୍ୟ ଶାସନ କଲେ।ତାଙ୍କ ସଦ୍'ଗୁଣର ପ୍ରଭାବରେ ତାଙ୍କ ପୁତ୍ର ବଳି ଜଣେ ଉତ୍ତମ ରାକ୍ଷସ-ରାଜା ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।ବଳି ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। କିନ୍ତୁ ଯେତେବେଳେ ଭଲ ଗୁଣ ସହିତ ଅହଙ୍କାର ମିଶିଯାଏ, ତାହା ସମାଜପାଇଁ କଲ୍ୟାଣକାରୀ ହୁଏନାହିଁ।ନିଜ ଦାତାପଣକୁ ନେଇ ବଳିଙ୍କର ମନରେ ଅହେତୁକ ଅହଙ୍କାର ରହିଥିଲା। ଯେଉଁ ବ୍ୟକ୍ତି ଯାହା ମାଗୁଥିଲା ତାହା ଅକୁଣ୍ଠ ଚିତ୍ତରେ ବଳି ଦାନ କରି ଦେଉଥିଲେ।ତାଙ୍କ ବ୍ୟକ୍ତିତ୍ଵ ଦେବରାଜ ଇନ୍ଦ୍ରଙ୍କ ସହିତ ସମାନ ଥିଲା।


କେବଳ ଦାନୀ ନୁହଁନ୍ତି,ମହା ପରାକ୍ରମୀ ମଧ୍ୟ ଥିଲେ ରାକ୍ଷସରାଜ ବଳି।ସେ ସମୟରେ ଦେବତା ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ସର୍ବଦା ସଂଗ୍ରାମ ଲାଗୁଥିଲା।ଏହା ଦୁଇ ସପତଣୀଙ୍କ ପୁତ୍ରମାନଙ୍କ ଭିତରର ଲଢେଇ ଥିଲା। ମହର୍ଷି କାଶ୍ୟପଙ୍କର ଦିତି ଓ ଅଦିତି ନାମକ ଦୁଇ ପତ୍ନୀ ଥିଲେ। ଦିତିଙ୍କ ଗର୍ଭରୁ ରାକ୍ଷସ ମାନେ ଏବଂ ଅଦିତିଙ୍କ ଗର୍ଭରୁ ଦେବତା ମାନେ ଜନ୍ମ ନେଇଥିଲେ।ସ୍ବର୍ଗରେ ଇନ୍ଦ୍ରାସନ ପାଇଁ ସବୁବେଳେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଲାଗୁଥିଲା। ଅଗତ୍ୟା ବଳିଙ୍କର ପ୍ରଭାବ ବୃଦ୍ଧି ଏବଂ ଦାନୀପଣ ଦେଖି ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ପ୍ରମାଦ ଗଣିଲେ।ଇନ୍ଦ୍ର, ଅଗ୍ନି,ବାୟୁ,ବରୁଣ ଆଦି ଦେବଗଣ ସିଦ୍ଧାଶ୍ରମର ନାରାୟଣଙ୍କ ପାଖରେ ପହଞ୍ଚି ଏହି ଆସନ୍ନ ବିପଦରୁ ଦେବତାମାନଙ୍କୁ ରକ୍ଷା କରିବାପାଇଁ ପ୍ରାର୍ଥନା କଲେ।


ନାରାୟଣଙ୍କ ଉପରେ ସବୁବେଳେ ପକ୍ଷପାତିତାର ଆରୋପ ଲାଗିଥାଏ। କୁହାଯାଏ ବୈକୁଣ୍ଠବାସୀ ସର୍ବଦା ଦେବତାମାନଙ୍କ ପକ୍ଷ ନିଅନ୍ତି।ସମୁଦ୍ର ମନ୍ଥନ ସମୟରେ ସାଗରରୁ ପ୍ରାପ୍ତ ଅମୃତ କଳସୀ ସେ ମୋହିନୀ ବେଶରେ ରାକ୍ଷସଙ୍କ ପାଖରୁ ଚୋରାଇ ନେଇ ଦେବତାଙ୍କୁ ପରୋଷି ଦେଇଥିଲେ।


ବାସ୍ତବରେ କଣ ବିଷ୍ଣୁ କେବେ ପକ୍ଷପାତିତା କରିପାରନ୍ତି ! ଯେଉଁମାନେ ସଂସାରର ମଙ୍ଗଳ କରନ୍ତି ସେମାନଙ୍କୁ ବିଷ୍ଣୁ, କୃପାର ଅମୃତ ଦେଇ ଦେବ-ଆସନ ବା ଇନ୍ଦ୍ରାସନ ଦାନ କରିଥାନ୍ତି।ଜଳ ଦାନ କରି ବିଶ୍ୱକୁ ଶସ୍ୟଶ୍ୟାମଳା କରୁଥିବା ଇନ୍ଦ୍ର, ଉପଯୁକ୍ତ ତାପମାନ ଦେଇ ସୃଷ୍ଟିକୁ ବଞ୍ଚାଇ ରଖୁଥିବା ଅଗ୍ନି,ଜୀବନାମୃତ ଜଳ ଦାନ କରୁଥିବା ବରୁଣ, ପ୍ରାଣବାୟୁ ଦେଇ ପ୍ରାଣୀ ଜଗତକୁ ଜୀବନ୍ତ ରଖିଥିବା ମରୁତ ଏବଂ ସେହିଭଳି ଅନ୍ୟାନ୍ୟ ଦେବତାଙ୍କ ପକ୍ଷ ନ'ନେଇ,ଜଗତର କ୍ଷତି କରୁଥିବା ଅତ୍ୟାଚାରୀ ରାକ୍ଷସ ମାନଙ୍କ ପକ୍ଷ କଣ ବିଷ୍ଣୁ ନିଅନ୍ତେ ? 


ରାକ୍ଷସମାନଙ୍କ ରାଜା ଧର୍ମପରାୟଣ ଏବଂ ଉତ୍ତମ ହେଲେ ମଧ୍ୟ,ସେ ଇନ୍ଦ୍ରାସନ ଭାଭକଲେ, ଦେବଶକ୍ତିର ଅପଚୟ ଘଟି ରକ୍ଷ-ଶକ୍ତିର ପ୍ରାବଲ୍ୟ ଘଟିବା ସ୍ବଭାବିକ। ବିଷ୍ଣୁଙ୍କ ଉପରେ ପକ୍ଷପାତିତା ଆରୋପ ଲଗାଇବା ପୂର୍ବରୁ ଏହା ଚିନ୍ତା କରିବା ଆବଶ୍ୟକ।


ରାକ୍ଷସରାଜ ମହାବଳିଙ୍କର ଶକ୍ତି ବୃଦ୍ଧି ଦେଖି ଇନ୍ଦ୍ରାଦି ଦେବତାମାନେ ବିଷ୍ଣୁଙ୍କ ପାଖରେ ପହଞ୍ଚି ଏହି ସମସ୍ୟାର ପ୍ରତିକାର କରିବାପାଇଁ ଅନୁରୋଧ କଲେ। ମର୍ତ୍ତ୍ୟମଣ୍ଡଳ ବିଷ୍ଣୁଙ୍କର ଅତି ସୁନ୍ଦର ସୃଷ୍ଟି। ଧରାଧାମକୁ ରାକ୍ଷସ ଶକ୍ତିର ପ୍ରଭାବରୁ ମୁକ୍ତ କରିବା ପାଇଁ ଯୁଗେ ଯୁଗେ ସେ ଅବତାର ନିଅନ୍ତି:ଭାରା ନିବାରଣେ ମୁରାରୀ/ମନୁଷ୍ୟ ଦେହେ ଅବତରି। ବର୍ତ୍ତମାନ ପଞ୍ଚମ ଅବତାର ବା ବାମନ ଅବତାର ନେବାର ସମୟ ଆସିଗଲା।ଦେବ-ମାତା ଅଦିତିଙ୍କ ଗର୍ଭରୁ,କାଶ୍ୟପଙ୍କ ଔରସରୁ ବାମନ ରୂପରେ ବିଷ୍ଣୁ ଜନ୍ମଗ୍ରହଣ କଲେ।


ଜନ୍ମ ସମୟରେ ଅଦ୍ଭୁତ ଶରୀର ଥିଲା ବିଷ୍ଣୁଙ୍କର;କ୍ଷୁଦ୍ର ବଳିଷ୍ଠ ଶରୀର, ଶଙ୍ଖ ଚକ୍ର ଗଦା ଓ ପଦ୍ମରେ ଶୋଭିତ ଚତୁର୍ଭୁଜ, ହୃଦୟରେ ଶ୍ରୀବତ୍ସ ଲାନ୍'ଛନ ଚିହ୍ନ,ଗଳାରେ ମଣିହାର,କର୍ଣ୍ଣରେ କିରୀଟ କୁଣ୍ଡଳ, କ୍ଷୁଦ୍ର ଶରୀର ଦେଖି ଦେବତାମାନେ ଚିନ୍ତାରେ ପଡିଲେ।ଭାବିଲେ..ଏତେ କ୍ଷୁଦ୍ର ଶରୀର ନେଇ ମହାବଳଶାଳୀ ଦାନବଙ୍କର କିପରି ସମ୍ମୁଖୀନ ହେବେ ବାମନ !


ଦେବମାତା ଅଦିତି ମଧ୍ୟ ବାମନଙ୍କୁ ଦେଖି ମୁଣ୍ଡ କୋଡି କାନ୍ଦିବା ଆରମ୍ଭ କରିଦେଲେ।ସେ କଶ୍ୟପଙ୍କୁ କହିଲେ.. କାହିଁକି ଏପରି ବାମନଟିଏ ମୋ କୋଳରେ ଦେଲେ !ମୋର ସପତଣୀମାନଙ୍କ ପୁତ୍ରମାନେ ମହା ବଳଶାଳୀ ରାକ୍ଷସ, ସେମାନଙ୍କ ମୁକାବିଲା ଏ କ୍ଷୁଦ୍ର ପ୍ରାଣୀ କିପରି କରିବ ? ସେମାନେ ତ ଏହାକୁ ବ୍ୟଙ୍ଗ ଵିଦ୍ରୁପ କରି ଅପମାନିତ କରିବେ।


କଶ୍ୟପ କହିଲେ...ମନରେ ଦୁଃଖ ଆଣନାହିଁ ଦେବୀ ! ଶରୀର ଗଠନରୁ ଶକ୍ତିର ପରିଚୟ ମିଳେନାହିଁ। ଯେଉଁମାନେ ବାମନ ମାନଙ୍କୁ ବିଦ୍ରୁପ କରନ୍ତି,ଜାଣିବା ଉଚିତ ଯେ ଶକ୍ତି ମସ୍ତିଷ୍କରେ ଥାଏ,ଶରୀରରେ ନୁହେଁ।ଏ ତ ନାରାୟଣଙ୍କ ଅବତାର !ପୃଥିବୀରୁ ରାକ୍ଷସମାନଙ୍କ ଉତ୍ପାତ ଦୂର କରିବା ପ୍ରଭୁଙ୍କ ଉଦ୍ଦେଶ୍ୟ।ଜନ୍ମ ସମୟରେ ତାଙ୍କର ଚତୁର୍ଭୁଜ ସହିତ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଦେଖି ପାରିଲ ନାହିଁ ଦେବୀ ! ଏ ପରା ସ୍ବୟଂ ବିଷ୍ଣୁଙ୍କ ଅବତାର। ତୁମେ ବାସ୍ତବରେ ଭାଗ୍ୟବତୀ।"


କିଛି ଦିନ ପରେ ବଳି ରାଜାଙ୍କୁ ଦାନ ମାଗିବା ଉଦ୍ଦେଶ୍ୟରେ ବାମନ ରାକ୍ଷସ ରାଜାଙ୍କ ପ୍ରାସାଦ ନିକଟରେ ପହଞ୍ଚିଲେ। ଆଃ ! କି ଲାବଣ୍ୟ ମୂର୍ତ୍ତି ପ୍ରଭୁଙ୍କର !ବାମନଙ୍କ କାନ୍ଧରେ ଉପବିତ,ହାତରେ ତାଳପତ୍ର ଛତା,ବେଦପୋଥି ଓ ରୁଦ୍ରାକ୍ଷ ମାଳା,କୁଶବଟୁ ସହିତ ତାମ୍ରପାତ୍ରୀ।ବାମ କନ୍ଧରେ ଉତ୍ତରୀୟ,କର୍ଣ୍ଣରେ କୁଣ୍ଡଳ ଏବଂ କପାଳରେ "ଜଗତବସୁ ଚିତା"। 


ବଳି ରାଜାଙ୍କ ସିଂହ ଦ୍ବାରରେ ଉପସ୍ଥିତ ହୋଇ ସାମବେଦ ଆବୃତ୍ତି କଲେ ବାମନ। ସୁଲଳିତ ଗୁରୁଗମ୍ଭୀର କଣ୍ଠରେ ବାମନ ଯେତେବେଳେ ବେଦପାଠ କଲେ ସମଗ୍ର ବିଶ୍ବ ବିହ୍ଵଳିତ ହୋଇଗଲା।ଶୁଷ୍କ କାଠରେ ଜୀବନ ସଞ୍ଚାର ହେଲା,କାନନରେ ପଶୁପକ୍ଷୀ ସ୍ତବ୍ଧ ହୋଇ ରହିଗଲେ,ସାଗରରେ ଉଠିଲା ଉତ୍ତାଳ ତରଙ୍ଗ।ଭୋଜନରେ ବସିଥିବା ରାଜା ବଳିଙ୍କ ଶରୀର ରୋମାଞ୍ଚିତ ହୋଇଗଲା।ଭାବିଲେ ବଳି... ଆଃ, କେତେ ବିପ୍ରଙ୍କୁ ଦାନ ଦେଇଛି, ଏଭଳି ସୁଲଳିତ କଣ୍ଠରେ ବେଦପାଠ ମୁଁ ଏପର୍ଯ୍ୟନ୍ତ କାହାଠାରୁ ଶୁଣି ନାହିଁ !

 

ଭୋଜନ ତ୍ୟାଗ କରି ବଳି ଉଠିଲେ।ବାମନ ବେଶରେ ବିଷ୍ଣୁଙ୍କ ଆଗମନ ସମ୍ବାଦ ଦାନବ-ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ପହଞ୍ଚିଲା।ରାକ୍ଷସ ଶକ୍ତିକୁ ଧ୍ବଂସ କରିବାକୁ ଏହା ବିଷ୍ଣୁମାୟା ବୋଲି ଜାଣିପାରି ଅବିଳମ୍ବେ ବଳିଙ୍କ ପ୍ରାସାଦରେ ପହଞ୍ଚିଲେ ଶୁକ୍ର ଏବଂ ବଳିଙ୍କୁ ସାବଧାନ କରାଇ କହିଲେ...ଏ ହେଉଛନ୍ତି ବିଷ୍ଣୁଙ୍କ ଅବତାର, ରାକ୍ଷସ ଶକ୍ତିର ବିନାଶ ପାଇଁ ତାଙ୍କ ଆଗମନ। ତାଙ୍କୁ କୌଣସି ଦାନ ଦେବାପାଇଁ ସତ୍ୟ କରିଵ ନାହିଁ ରାଜା।


ଗୁରୁଦେବଙ୍କ କଥା ଶୁଣି ହସିଲେ ରାଜା ବଳି; କହିଲେ..ଦାନ ଦେବା ମୋର ଧର୍ମ। ବିଷ୍ଣୁଙ୍କ ମାୟାକୁ ଡରି ମୁଁ ମୋର ଧର୍ମ କିପରି ତ୍ୟାଗ କରିବି ଗୁରୁଦେବ ? ସ୍ବୟଂ ବିଷ୍ଣୁଙ୍କର ମୁଁ ପରମ ଭକ୍ତ। ବିଷ୍ଣୁ କଦାପି ମୋର ଅମଙ୍ଗଳ ଚାହିଁବେ ନାହିଁ। ବିଷ୍ଣୁ ଯେବେ ମୋତେ ନର୍କଗାମୀ କରିବାକୁ ଚାହାଁନ୍ତି ତାହା ନିଶ୍ଚିତ ଭାବରେ ମୋର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବ।


କାଳବିଳମ୍ବ ନକରି ଆଗନ୍ତୁକ ବ୍ରାହ୍ମଣଙ୍କ ପାଖରେ ପହଞ୍ଚିଲେ ବଳି। ବିଷ୍ଣୁଙ୍କ ଅଦ୍ଭୁତ ରୂପ ଦେଖି ମୋହାଞ୍ଜନ ଲାଗିଗଲା ବଳିଙ୍କର ଆଖିରେ।କରପତ୍ର ଯୋଡି କହିଲେ...ହେ ବ୍ରାହ୍ମଣ ମହାତ୍ମା ! କହନ୍ତୁ,ବଳି ଆପଣଙ୍କର କେଉଁ ସେବାପାଇଁ ଉପଯୁକ୍ତ।ଆପଣ ଯେଉଁ ଦାନ ଚାହିଁବେ, ମୁଁ ଦେବାପାଇଁ ପ୍ରସ୍ତୁତ।


ବଳିଙ୍କୁ ଆଶୀର୍ବାଦ କରି ବାମନ କହିଲେ... ମୋତେ ଯେବେ ଦାନ ଦେବାପାଇଁ ଇଚ୍ଛୁକ, ତାହେଲେ ତୁମକୁ ଶଙ୍ଖରେ ଜଳ ଧରି ତ୍ରିବାର ସତ୍ୟ କରିବାପାଇଁ ପଡିବ।

ରାଜା କହିଲେ.. ତାହା ତ ମୁଁ ନିଶ୍ଚୟ କରିବି ଦ୍ୱିଜଶ୍ରେଷ୍ଠ ! କିନ୍ତୁ ତା ପୂର୍ବରୁ ଆପଣଙ୍କ ପଦଧୌତ କରିବାର ସୌଭଗ୍ୟ ମୋତେ ପ୍ରଦାନ କରନ୍ତୁ।


ଏହା କହି ବଳି ସୁବର୍ଣ୍ଣ ଘଟରେ ଜଳ ନେଇ ବାମନଙ୍କ ପାଦ ଧୌତ କରିବାକୁ ପ୍ରୟାସ କଲେ।ଗୁରୁ ଶୁକ୍ରାଚାର୍ଯ୍ୟ ଏହି ଅବସରରେ ସୁବର୍ଣ୍ଣ ଘଟର ନାଡିରେ ରହି ଜଳର ଗତି ରୋଧକଲେ। ବାମନରୂପୀ ବିଷ୍ଣୁ ଏହା ଜାଣିପାରି ହାତରେ ଧରିଥିବା କୁଶ ସୁବର୍ଣ୍ଣ ଘଟର ନାଡିରେ ଗେଞ୍ଜିଦେଲେ।କୁଶ ଶୁକ୍ରଚାର୍ଯ୍ୟଙ୍କର ଗୋଟିଏ ଆଖିକୁ ବିଦ୍ଧ କରିଦେଲା। ଯନ୍ତ୍ରଣାରେ ବ୍ୟତିବ୍ୟସ୍ତ ହୋଇ ଶୁକ୍ର ସେ ସ୍ଥାନ ତ୍ୟାଗକରି ପଳାୟନ କଲେ। ସେହିଦିନ ଠାରୁ ଶୁକ୍ରାଚାର୍ଯ୍ୟ କଣା ବା ଏକାକ୍ଷ ହୋଇଗଲେ।


ବଳି ଶଙ୍ଖରେ ଜଳ ଧରି ଶପଥ କରିବାପରେ ବାମନ କହିଲେ..ମୋର ମାତ୍ର ତିନିପାଦ ଭୂମି ଆବଶ୍ୟକ ରାଜନ୍।ଗରିବ ବ୍ରାହ୍ମଣ ମୁଁ, ଆଉ ଅଧିକ ସମ୍ପଦ କଣ କରିବି।"ଏହା ଶୁଣି ବଳି ଆଶ୍ଚର୍ଯ୍ୟ ହେଲେ ! ସେ ଭାବିଥିଲେ ବାମନ ତାଙ୍କ ରାଜ୍ୟ ବା ରାଜପଦ ମାଗିନେବେ, କିନ୍ତୁ ଏ କ'ଣ ମାଗୁଛନ୍ତି ବ୍ରାହ୍ମଣ ! ମାତ୍ର ତିନି ପାଦ ଭୂମି !!"ହସି ହସି ବଳି କହିଲେ..ଆଦେଶ କରନ୍ତୁ ଦ୍ବିଜଶ୍ରେଷ୍ଠ, କେଉଁଠାରୁ ତିନିପାଦ ଭୂମି ଆପଣଙ୍କର ଆବଶ୍ୟକ।


ଚାହୁଁ ଚାହୁଁ ବାମନଙ୍କ ଶରୀର ବଢ଼ିବାରେ ଲାଗିଲା। ବିଶାଳ ଶରୀର, ମହାକାଶକୁ ଲାଗିଥିଲା ମସ୍ତକ। ଶ୍ରୀବିଷ୍ଣୁଙ୍କ ବିଶାଳ ରୂପ ଦେଖି ଯୋଡହସ୍ତରେ ବଳି ମସ୍ତକ ନୁଆଇଁ କହିଲେ..ନିସ୍ତରିଲି,ନିସ୍ତରିଲି ପ୍ରଭୁ !


ବାମନରୂପୀ ବିଷ୍ଣୁଙ୍କର ଗୋଟିଏ ପାଦ ସ୍ବର୍ଗଭୂମି ଏବଂ ଦ୍ବିତୀୟ ପାଦ ମର୍ତ୍ତ୍ୟଲୋକକୁ ଘୋଟିଗଲା। ତା'ପରେ ନାଭିଦେଶରୁ ବାହାରିଲା ତୃତୀୟ ପାଦ।ବିଷ୍ଣୁ ପଚାରିଲେ..କୁହ ଦୈତ୍ୟରାଜ ! କେଉଁ ଠାରେ ଅଛି ତୁମ ତୃତୀୟ ପାଦ ଭୂମି !"


ତୃତୀୟ ପାଦ ରଖିବା ପାଇଁ ନିଜ ଶିର ଦେଖାଇ ଦେଲେ ଦୈତ୍ୟରାଜ ବଳି। ବାମନ ରୂପୀ ବିଷ୍ଣୁ କହିଲେ..ହେ ମୋର ପରମ ଭକ୍ତ ! ଏହି ପାଦର ଚାପରେ ମୁଁ ତୁମକୁ ପାତାଳ ପୁରକୁ ପ୍ରେରଣ କରୁଛି; ସେଠାରେ ତୁମେ ଅମରତ୍ବ ଲାଭକରି ଚିରକାଳ ରାଜତ୍ବ କର।



Rate this content
Log in

Similar oriya story from Classics