ସରଯୂ ନଦୀର ତୀରେ (୧୪)
ସରଯୂ ନଦୀର ତୀରେ (୧୪)
ତାଡକା କିପରି ଏକ ସୁନ୍ଦରୀ ତରୁଣୀରୁ ରାକ୍ଷସୀରେ ପରିଣତ ହେଲା ବର୍ଣ୍ଣନାକରି ବିଶ୍ଵାମିତ୍ର କହିଲେ..ବତ୍ସ ରାମ ! କର୍ମ ହିଁ ମାନବକୁ ଦାନବ ଏବଂ ଦାନବକୁ ମାନବରେ ପରିଣତ କରେ।
ଅଗସ୍ତ୍ୟଙ୍କ ଉପରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ଅଭିଶାପରେ ପୁତ୍ର ଦ୍ବୟଙ୍କ ସହିତ ତାଡକା ନରଭକ୍ଷୀ ରକ୍ଷ ଜାତିରେ ପରିଣତ ହୋଇଛି।ଅରଣ୍ୟ ମଧ୍ୟରେ ଯଜ୍ଞସ୍ଥଳୀକୁ ଅପବିତ୍ର କରୁଥିବା ଏବଂ ମୁନିଋଷିମାନଙ୍କର ପ୍ରାଣ ବିନାଶ କରୁଥିବା ତଥା ଗୋ ବ୍ରାହ୍ମଣ ରକ୍ତରେ ତର୍ପଣ କରୁଥିବା ଏହି ରାକ୍ଷସୀ ଏବଂ ତା'ର ରାକ୍ଷସ ପୁତ୍ର ଦ୍ବୟ ମାରିଚ ଓ ସୁବାହୁକୁ ବିନାଶ କରି ବନପ୍ରଦେଶରେ ଶାନ୍ତି ସ୍ଥାପନ କରିବା ତୁମର ଧର୍ମ।
ଜଗତର କଲ୍ୟାଣ ନିମନ୍ତେ ତୁମର ଜନ୍ମ।ଯଜ୍ଞ ଓ ହୋମ କୁଣ୍ଡରେ ପରିଶ୍ରା କରି ଏବଂ ରକ୍ତ ହାଡ଼ ମାଂସ ପକାଇ ସନାତନ ଆର୍ଯ୍ୟ ଧର୍ମକୁ ଅପବିତ୍ର କରୁଥିବା ପ୍ରାଣୀ ନାରୀ ହୁଅନ୍ତୁ ଅଥବା ବ୍ରାହ୍ମଣ, ସେମାନେ ବିନାଶ ଯୋଗ୍ୟ। ସେମାନଙ୍କୁ ହତ୍ୟା କଲେ ପାପ ଲାଗେନାହିଁ। କ୍ଷତ୍ରିୟର ଧର୍ମ ପ୍ରଜାମାନଙ୍କୁ ରକ୍ଷା କରିବା।ହଜାର ହଜାର ପ୍ରାଣୀଙ୍କର ଜୀବନ ନେଉଥିବା ବ୍ୟକ୍ତି ନାରୀ ହେଲେ ମଧ୍ୟ ତାକୁ ବିନାଶ କଲେ ତୁମ କୀର୍ତ୍ତି ବା ପୌରୁଷରେ କଳଙ୍କ ଲାଗିବ ନାହିଁ।ତୁମେ ବିନା ସଙ୍କୋଚରେ ତାଡକାକୁ ବିନାଶ କର।"
ବିଶ୍ଵାମିତ୍ରଙ୍କଠାରୁ ଏହା ଶୁଣି ରାମଚନ୍ଦ୍ର କହିଲେ..ଆପଣଙ୍କ ଚରଣ ସ୍ପର୍ଶକରି ମୁଁ କହୁଛି ମୁନି ଶ୍ରେଷ୍ଠ ! ମୁଁ ଆଜି ନିଶ୍ଚିତ ଭାବରେ ତାଡକାକୁ ବିନାଶ କରିବି।" ଏହା କହି ଯେତେବେଳେ ରାମଚନ୍ଦ୍ର ଧନୁରେ ଗୁଣ ଚଢାଇ ଟଙ୍କାର କଲେ ସେ ଶବ୍ଦରେ ଥର ଥର ହୋଇ ତ୍ରିଭୁବନ କମ୍ପିଗଲା।ସ୍ବର୍ଗରେ ଇନ୍ଦ୍ରଙ୍କ ଆସନ ଥରିଗଲା।ବାସୁକୀ ମଥା ଉପରେ କମ୍ପିଗଲେ ଧରିତ୍ରୀ।ସପ୍ତସିନ୍ଧୁରେ ଉତ୍ତାଳ ଲହରୀ କୂଳରେ ମଥା ପିଟିଲେ।ବନପ୍ରଦେଶର ହିଂସ୍ରଯନ୍ତୁମାନେ ଭୟରେ ଇତସ୍ତତ ପଳାୟନ କଲେ। ସ୍ବର୍ଗରେ ଥାଇ ଦେବତାମାନେ ଜାଣି ପାରିଲେ ଯେ ନର ଅବତାରରେ ନାରାୟଣଙ୍କର ଧରାରେ ଭାରା ନିବାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଇନ୍ଦ୍ରଙ୍କ ସହିତ ସମସ୍ତ ଦେବଗଣ ପ୍ରଭୁଙ୍କର ଏହି ରାକ୍ଷସ-ଧ୍ଵଂସଲୀଳାର ଅୟମାରମ୍ଭ ଦେଖିବାପାଇଁ ଏକତ୍ରିତ ହେଲେ।
ରଘୁବଂଶୀଙ୍କର ବାରମ୍ବାର ଧନୁ ଟଙ୍କାର ଶବ୍ଦରେ ଆଶ୍ଚର୍ଯ୍ୟ ହୋଇ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କଲା ତାଡକା। କନ କନ ହୋଇ ଚାହିଁଲା.. କେଉଁଆଡୁ ଏକ ଶବ୍ଦ ଭାସି ଆସୁଛି ! ଶବ୍ଦ ନିର୍ଗତ ହେଉଥିବା ଦିଗକୁ ଧାଇଁଲା ରାକ୍ଷସୀ। କିଛି ଦୂରରେ ବିଶ୍ଵାମିତ୍ରଙ୍କ ସହିତ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖି କ୍ରୋଧରେ ଗର୍ଜନ କରି,ଗିରି ଗହ୍ଵର ପରି ମୁଖକୁ ବ୍ୟାଦାନ କରି ଭକ୍ଷଣ କରିବାକୁ ଧାଇଁଲା ଦାନବୀ।ଶାଳ ବୃକ୍ଷ ପରି ତାର ବିଶାଳ ଶରୀର;ଆକାଶକୁ ମସ୍ତକ ଲାଗିଥିଲା;ଫୁରୁ ଫୁରୁ ହୋଇ ଉଡୁଥିଲା ମଥାର କେଶ। କୁମ୍ଭାରଚକ ପରି ଚକ୍ଷୁଦ୍ବୟ ଭୟଙ୍କର ବେଗରେ ଘୁରୁଥିଲା।ଗଭୀର କୂପ ଭଳି ଦେଖାଯାଉଥିଲା ଦୁଇ ନାଶା ଗହ୍ଵର।
ପାଦଘାତରେ ପୃଥିବୀ ପ୍ରକମ୍ପିତ ହେଉଥିଲା; ଯେଉଁ ବେଗରେ ସେ ଧାଉଁଥିଲା,ତା ଦ୍ବାରା ଘୂର୍ଣ୍ଣିଝଡ ସୃଷ୍ଟି ହେଉଥିଲା।ପଶୁମାନେ ଇତସ୍ତତ ଧାଇଁ ପଳାଉଥିଲେ।ବୃକ୍ଷଡାଳରୁ ଉଡିଯିବାପାଇଁ ଅବସର ନପାଇ ପକ୍ଷୀମାନେ ବୃକ୍ଷ ସହିତ ତଳେ ପଡି ପ୍ରାଣ ହରାଉଥିଲେ।ଧରଣୀର ପ୍ରକମ୍ପକୁ ବାସୁକୀ ସହି ନପାରି ସ୍ତୁତି କଲେ..ହେ ପ୍ରଭୁ ! ଶୀଘ୍ର ଦାନବୀକୁ ବିନାଶ କର,ମୋ ମୁଖରୁ ରକ୍ତସ୍ରାବ ହେବା ଆରମ୍ଭ ହେଲାଣି।ଧରଣୀ ଉପରେ ରାକ୍ଷସୀର ପାଦ ପ୍ରହାର ମୁଁ ଆଉ ସହ୍ୟ କରି ପାରିବି ନାହିଁ।"
ଦୁଇ ବାହୁ ପ୍ରସାରିତ କରି ମାଡି ଆସିଲା ରାକ୍ଷସୀ, କହୁଥିଲା..ହା ହା ହା, ବହୁଦିନ ପରେ ମୋତେ ଦିବ୍ୟ ଭୋଜନ ମିଳିଛି।କୋମଳ-ଶରୀର ଦୁଇ ବାଳକଙ୍କୁ ଭୋଜନ କରି ଆଜି ମୋର ରସନା ତୃପ୍ତ ହେବ।"
ରାକ୍ଷସୀର ବିସ୍ତାରିତ ଦୁଇ ବିଶାଳ ଭୁଜକୁ କଦଳୀ ଗଛ କାଟିବା ପରି ବାଣ ପ୍ରୟୋଗ କରି ଛେଦନ କଲେ ଶ୍ରୀରାମ।ବିଶାଳ ଶାଳଗଛ ପଡ଼ିଲା ଭଳି ଦୁଇ ବାହୁ ତଳେ ପଡି ଛଟ ପଟ ହେଉଥାନ୍ତି।ଦୁଇ ବାହୁ ଛିଣ୍ଡି ଯିବାରୁ ରାକ୍ଷସୀ ଏକ ରୁଧିର ସ୍ନାତ ବିଶାଳ ପର୍ବତ ଭଳି ଦେଖାଗଲା।ଭୟଙ୍କର କ୍ରୋଧରେ ରାମଲକ୍ଷ୍ମଣ ସମେତ ବିଶ୍ବାମିତ୍ରଙ୍କୁ ଜୀବନ୍ତ ଗିଳି ଦେବା ପାଇଁ ଧାଇଁ ଆସିଲା ରାକ୍ଷସୀ।ଏହାଦେଖି ଲକ୍ଷ୍ମଣ ରାକ୍ଷସୀର ନାଶା ଏବଂ ମୁଖ-ଗହ୍ବରକୁ ବାଣପ୍ରହାର କଲେ।
ରାମଚନ୍ଦ୍ର ଭାବିଥିଲେ.. ନାରୀ ହୋଇଥିବାରୁ କେବଳ ହାତ ଦୁଇଟି କାଟି ତାଡକାକୁ ଛାଡ଼ିଦେବେ,ଜୀବନସାରା ଅକର୍ମଣ୍ୟ ହୋଇ ରହିବା ପାଇଁ। କିନ୍ତୁ ତାଡକା ସେଠାରୁ ଚାଲିଯିବା ପରିବର୍ତ୍ତେ ଆକ୍ରମଣ କରିବା ଆରମ୍ଭ କରିଦେଲା।ଗୋଡ଼ ଦ୍ବାରା ବିରାଟ ପଥର ଖଣ୍ଡ ରାମଲକ୍ଷ୍ମଣଙ୍କ ଉପରକୁ ଫିଙ୍ଗିବା ଆରମ୍ଭକଲା।
ଏହା ଦେଖି ବିଶ୍ଵାମିତ୍ର କହିଲେ..ଆଉ ଦୟା ନଦେଖାଇ ରାକ୍ଷସୀକୁ ଶୀଘ୍ର ଯମ ପୁରକୁ ପଠାଇଦିଅ ଶ୍ରୀରାମ।ଦୟାର ପାତ୍ରୀ ନୁହେଁ ଏହି ରାକ୍ଷସୀ।
ଗୁରୁଙ୍କ ନିର୍ଦ୍ଦେଶକୁ ଆଦେଶ ମନେକରି ଏକ ଅମୋଘ ବାଣ ପ୍ରୟୋଗ କଲେ ଶ୍ରୀରାମ। ସେହି ବାଣ ରାକ୍ଷସୀର ବକ୍ଷ ଭେଦ କଲା।ଏକ ବିକଟାଳ ଗର୍ଜନ ସହିତ ରାକ୍ଷସୀର ଶରୀର ଭୂଇଁରେ ପଡ଼ିଲା।"ଜୟ ରଘୁବଂଶୀ ରାମଚନ୍ଦ୍ରଙ୍କର ଜୟ" ଶବ୍ଦରେ ଆକାଶ ପ୍ରକମ୍ପିତ ହେଲା।ଦେବତାମାନେ ସ୍ବର୍ଗରୁ ପୁଷ୍ପବୃଷ୍ଟି କଲେ ।ବନ ପ୍ରଦେଶରେ ଖେଳିଗଲା ଆନନ୍ଦର ଲହରୀ। ମୁନିଋଷିମାନେ ଶାନ୍ତିରେ ନିଶ୍ୱାସ ମାରିଲେ।
ବିଶ୍ଵାମିତ୍ର ରାମଚନ୍ଦ୍ରଙ୍କୁ କହିଲେ...ଏତିକିରେ ତୁମର ଦାୟିତ୍ଵ ପୂର୍ଣ୍ଣ ହୋଇନାହିଁ ରଘୁବଂଶୀ। ରାକ୍ଷସୀର ନିଧନରେ ତାର ଦୁଇ ପୁତ୍ର ମାରିଚ ଏବଂ ସୁବାହୁ ପ୍ରତିହିଂସା ପରାୟଣ ହୋଇ ଘୋର ବିତ୍ପାତ ସୃଷ୍ଟି କରିବେ। ସେମାନଙ୍କ ବିନାଶ ସହିତ ବନପ୍ରଦେଶରେ ଶାନ୍ତି ସ୍ଥାପନ ସମ୍ଭବ ହେବ।
ଏହି ସମୟରେ ଦେବତାମାନଙ୍କର ଆକାଶବାଣୀ ହେଲା... ବ୍ରହ୍ମର୍ଷି ବିଶ୍ଵାମିତ୍ର ! ଆପଣଙ୍କ ପାଖରେ ଯେତେ ଦିବ୍ୟାସ୍ତ୍ର ରହିଛି ତାହା ଆପଣ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରଦାନ କରନ୍ତୁ।ତା ସହିତ ସେହି ଅସ୍ତ୍ର ମାନଙ୍କର ପ୍ରୟୋଗ ଏବଂ ସଂହାର ବିଧି ମଧ୍ୟ ଆପଣ ରାମଚନ୍ଦ୍ରଙ୍କୁ ଶିଖାଇ ଦିଅନ୍ତୁ। ରାଜା ଥିବା ସମୟରେ ଯେଉଁ ମହାନ ଅସ୍ତ୍ର ଉପରେ ଆପଣ ପାରଙ୍ଗମ ଥିଲେ, ବ୍ରହ୍ମର୍ଷି ହେବା ପରେ ସେ ବିଦ୍ୟାର ସଦୁପଯୋଗ ହୋଇ ପାରୁନାହିଁ।ଜଗତର କଲ୍ୟାଣ ନିମନ୍ତେ ସେ ବିଦ୍ୟା ରାମଚନ୍ଦ୍ରଙ୍କୁ ଦାନ କରନ୍ତୁ।ପୁସ୍ତକରେ ଥିବା ବିଦ୍ୟା ଏବଂ ପରହସ୍ତରେ ଥିବା ଧନ କୌଣସି କାର୍ଯ୍ୟରେ ଆସେନାହିଁ।
ନିଜ ମନ କଥା ଦେବତା ମାନଙ୍କଠାରୁ ଶୁଣି ଆନନ୍ଦିତ ହେଲେ ବ୍ରହ୍ମର୍ଷି ବିଶ୍ଵାମିତ୍ର। ସେଦିନ ବିଶ୍ରାମ ନେଇ,ପରଦିନ ପ୍ରାତଃ କାଳରେ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ବିଶ୍ଵାମିତ୍ର କହିଲେ...ବତ୍ସ ! ମୋଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତିର ସମୟ ତୁମପାଇଁ ଆସିଛି।ଯାଅ,ସ୍ନାନ ଶେଷକରି ଶୁଦ୍ଧପୁତ ହୋଇ ମୋ ପାଖରେ ବସ। ସେହି ସମସ୍ତ ଦିବ୍ୟାସ୍ତ୍ର ଗ୍ରହଣ କରିବା ସଙ୍ଗେ ସଙ୍ଗେ ତା'ର ପ୍ରୟୋଗ ଏବଂ ସଂହାର ବିଧି ମଧ୍ୟ ମୁଁ ତୁମକୁ ଶିକ୍ଷା ଦେବି।
ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ସ୍ନାନ ଶେଷକରି ଶୁଦ୍ଧପୁତ ହୋଇ ଗୁରୁଙ୍କ ପାଦ ବନ୍ଦନା ପରେ ଅନେକ ଦିବ୍ୟ ଅସ୍ତ୍ର ବିଶ୍ଵାମିତ୍ରଙ୍କ ଠାରୁ ଗ୍ରହଣ କଲେ।ତା ଭିତରେ ପ୍ରମୁଖ ଅସ୍ତ୍ର ଥିଲେ ବିଷ୍ଣୁ ଚକ୍ର,କାଳଚକ୍ର,ଧର୍ମଚକ୍ର,ଦଣ୍ଡଚକ୍ର,ଇନ୍ଦ୍ରଚକ୍ର ରୁଦ୍ରଚକ୍ର ବଜ୍ରାସ୍ତ୍ର,ବରୁଣପାଶ,କାଇଁଶିକ,ବ୍ରହ୍ମାସ୍ତ୍ର,ବ୍ରହ୍ମଶିରା,ବ୍ରହ୍ମାଗ୍ନି,କାଳପାଶ ଯମପାଶ ପାଶୁପତ ନାରାୟଣାସ୍ତ୍ର ବାୟବ୍ୟାସ୍ତ୍ର,ଗନ୍ଧର୍ବାସ୍ତ୍ର ମୋହନାସ୍ତ୍ର,ମହାକାଳ, ପ୍ରମୋହନ, ସନ୍ତାପନ ଅସ୍ତ୍ର ଇତ୍ୟାଦି।
ଏ ସମସ୍ତ ଅସ୍ତ୍ରଶସ୍ତ୍ର ପାଇବା ପରେ ସେମାନଙ୍କ ପ୍ରୟୋଗ ଏବଂ ସଂହାର ମନ୍ତ୍ର ମଧ୍ୟ ବିଶ୍ଵାମିତ୍ରଙ୍କ ଠାରୁ ଶିକ୍ଷା କଲେ ରାମ ଏବଂ ଲକ୍ଷ୍ମଣ।
ବିଦ୍ୟାଶିକ୍ଷା ପରେ ଗୁରୁଙ୍କ ପାଦ ବନ୍ଦନା କରି ରାମଚନ୍ଦ୍ର କହିଲେ..ପ୍ରଭୁ ! ଆପଣ ଆଜି ମୋତେ ଯେଉଁ ମହାନ୍ ଶିକ୍ଷା ଦେଲେ ଜଣେ କ୍ଷତ୍ରିୟ ପାଇଁ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆପଣଙ୍କୁ ମୁଁ ଗୁରୁଦକ୍ଷିଣା ଦେବାପାଇଁ ପ୍ରସ୍ତୁତ। ଗୁରୁଦକ୍ଷିଣାରେ ମୋ ଜୀବନ ପର୍ଯ୍ୟନ୍ତ ମୁଁ ଦାନ କରିପାରେ ଭଗବନ୍ ! ଆଦେଶ କରନ୍ତୁ।
ହସିଲେ ବିଶ୍ଵାମିତ୍ର, କହିଲେ... ମୁଁ ଜାଣେ ରାମଚନ୍ଦ୍ର,ତୁମେ ମୋ ପାଇଁ ଜୀବନ ମଧ୍ୟ ଦେଇପାରିବ। ତୁମ ଜୀବନ ତ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ; ଗୁରୁ ଦକ୍ଷିଣାରେ ତୁମ ଜୀବନ ମୁଁ କାହିଁକି ମାଗିବାକୁ ଯିବି ? ଯେବେ ଗୁରୁଦକ୍ଷିଣା ଦେବାକୁ ଚାହୁଁଛ,ସୁବାହୁ ଓ ମାରିଚ'ର ଦୌରାତ୍ମ୍ୟରୁ ମୋର ଆଶ୍ରମ ଏବଂ ଏହି ବନପ୍ରଦେଶକୁ ମୁକ୍ତ କରିବା ଗୁରୁଦକ୍ଷିଣା ଦିଅ।
କ୍ରମଶଃ....
