ସରଯୂ ନଦୀର ତୀରେ (୧୩)
ସରଯୂ ନଦୀର ତୀରେ (୧୩)
ଅଯୋଧ୍ୟା ନଗ୍ର ଅତିକ୍ରମ କରି ବିଶ୍ଵାମିତ୍ରଙ୍କ ସହିତ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣ ବନପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କଲେ।ଦିନ ଅତିକ୍ରାନ୍ତ ହେବା ପରେ ପବିତ୍ର ସରଯୂ ନଦୀ କୂଳରେ ସମସ୍ତେ ରାତ୍ରି ଯାପନ ପାଇଁ ସ୍ଥିର କଲେ। ବିଶ୍ରାମ ପାଇଁ ଯିବା ପୂର୍ବରୁ ବିଶ୍ଵାମିତ୍ର ରାମ ଏବଂ ଲକ୍ଷ୍ମଣଙ୍କୁ କହିଲେ... ବତ୍ସ ! ପବିତ୍ର ସରଯୂ ନଦୀରେ ସ୍ନାନ କରି ମୋ ପାଖରେ ବସ। 'ବଳା' ଏବଂ 'ଅତିବଳା' ନାମକ ଦୁଇଟି ବିଶିଷ୍ଟ ବିଦ୍ୟା ମୁଁ ତୁମକୁ ଶିକ୍ଷା ଦେବି। ଏହି ଦୁଇଟି ବିଦ୍ୟା କ୍ଷୁଧା,ତୃଷା ଦୂରିଭୂତ କରିବାରେ ସାହାଯ୍ୟ କରିବ।ଏହି ଦୁଇ ବିଦ୍ୟା ବଳରେ ଜାଗ୍ରତ କିମ୍ବା ବିନିଦ୍ର ସମୟରେ ରାକ୍ଷସ ମାନଙ୍କ ଆକ୍ରମଣରୁ ମଧ୍ୟ ରକ୍ଷା ମିଳିପାରିବ। ଏହି ଦୁଇ ବିଦ୍ୟାରେ ନୈପୁଣ୍ୟ ଲାଭ କରିଥିବା ବ୍ୟକ୍ତି ଜ୍ଞାନ ଏବଂ ବୁଦ୍ଧିରେ ବିଶ୍ବରେ ଧୁରନ୍ଧର ହୋଇଥାନ୍ତି।
ବିଶ୍ଵାମିତ୍ରଙ୍କଠାରୁ ବଳା ଓ ଅତିବଳା ବିଦ୍ୟା ଆୟତ୍ତ କରି ରାମ ଲକ୍ଷ୍ମଣ ଅସୀମ ଶକ୍ତି ଲାଭ କରିବା ସଙ୍ଗେସଙ୍ଗେ କ୍ଷୁଧା ଓ ତୃଷାକୁ ନିୟନ୍ତ୍ରଣ କରିପାରିଲେ। ସେମାନେ ସେହି ରାତ୍ରିରେ ସରଯୂ ତଟରେ ବିଶ୍ରାମ ନେଇ ପରଦିନ ଅରଣ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ।
କିଛି ପଥ ଅତିକ୍ରମ କରିବା ପରେ ସେମାନେ ଅଙ୍ଗ ଦେଶରେ "କାମାଶ୍ରମ" ନାମକ ସ୍ଥାନରେ ପହଞ୍ଚିଲେ।ଆଶ୍ରମରେ ଥିବା ମୁନି ଋଷି ମାନଙ୍କ ସହିତ ରାମ-ଲକ୍ଷ୍ମଣଙ୍କ ପରିଚୟ କରାଇବା ପରେ ବିଶ୍ବାମିତ୍ର ଦୁଇଭାଇଙ୍କ ଆଗରେ କାମାଶ୍ରମ'ର ଐତିହ୍ୟ ବର୍ଣ୍ଣନା କରି କହିଲେ...
ଅତୀତରେ ଏହି ସ୍ଥାନରେ ଶିବ ଘୋର ତପସ୍ୟାରେ ନିମଗ୍ନ ଥିବା ସମୟରେ ଦେବଲୋକକୁ ଏକ ଭୟଙ୍କର ବିପଦ ମାଡିଆସିଲା।ତାରକାସୁର ନାମକ ଏକ ଅସୁର ସ୍ବର୍ଗପୁରରେ ଘୋର ବିତ୍ପାତ ସୃଷ୍ଟି କଲା।ସେ ବିତ୍ପାତରୁ ମୁକ୍ତିପାଇବା ପାଇଁ ଏକମାତ୍ର ଉପାୟ ଥିଲା ଶିବଙ୍କ ଔରସରୁ ପାର୍ବତୀଙ୍କଠାରୁ ଜାତ ପୁତ୍ର କାର୍ତ୍ତିକେୟଙ୍କ ଦ୍ଵାରା ତାରକାସୁରର ବିନାଶ। କିନ୍ତୁ ଘୋର ତପସ୍ୟାରେ ମଗ୍ନ ଶିବଙ୍କ ସହିତ ପାର୍ବତୀଙ୍କର ମିଳନ କିପରି ସମ୍ଭବ ! ଦେବତାମାନେ ଶିବଙ୍କ ତପସ୍ୟା ଭାଙ୍ଗିବା ଦାୟିତ୍ଵ କାମଦେବଙ୍କୁ ଅର୍ପଣ କଲେ।କାମଦେବଙ୍କ ପୁଷ୍ପବାଣ ପ୍ରହାରରେ ଶିବଙ୍କର ତପସ୍ୟା ଭଙ୍ଗ ହେଲା ସିନା କିନ୍ତୁ ମହାକ୍ରୋଧରେ କନ୍ଦର୍ପଙ୍କ ଉପରେ ଶିବ କ୍ରୋଧାଗ୍ନି ବର୍ଷଣ କଲେ। ତୃତୀୟ ନେତ୍ରରୁ ନିର୍ଗତ ହେଲା ଅଗ୍ନି ସ୍ଫୁଲିଙ୍କ ଏବଂ ସେହି ଅଗ୍ନିରେ କନ୍ଦର୍ପ ଭସ୍ମୀଭୂତ ହୋଇଗଲେ। ସେହି ଦିନ ଠାରୁ କନ୍ଦର୍ପ ବିଦେହ ବା ଅନଙ୍ଗ ନାମ ଧାରଣ କରି ଅଦୃଶ୍ୟ ହୋଇ ରହିଛନ୍ତି।କାମଦେବଙ୍କ ନାମ ଅନୁସାରେ ଏହି ଆଶ୍ରମର ନାମ "କାମାଶ୍ରମ।"
କାମାଶ୍ରମର ଐତିହ୍ୟ ବିଶ୍ବାମିତ୍ରଙ୍କ ଠାରୁ ଶୁଣିବା ପରେ ରାମ ଲକ୍ଷ୍ମଣ ଆଶ୍ରମର ଅନ୍ତେବାସୀଙ୍କ ଠାରୁ ବିପୁଳ ଆତିଥ୍ୟ ଗ୍ରହଣ କରି ସେଠାରେ ବିଶ୍ରାମ ନେଲେ।ପରଦିନ ନୌକାରେ ଗଙ୍ଗାନଦୀ ପାରିହେବା ସମୟରେ ନଦୀ ମଧ୍ୟରେ ଘୋର ଗର୍ଜନ ଶୁଣାଗଲା। ରାମଚନ୍ଦ୍ର ଏହି ଗର୍ଜନର କାରଣ ଜିଜ୍ଞାସା କରିବାରୁ ବିଶ୍ଵାମିତ୍ର କହିଲେ...ହେ ରଘୁବଂଶୀ ! ଏହା ଗଙ୍ଗା ନଦୀ ସହିତ ସରଯୂ ନଦୀର ମିଳନରୁ ଉପୁଜିଥିବା ଶବ୍ଦ।ମାନ ସରୋବରରୁ ଜାତ ପବିତ୍ର ସରଯୂ ନଦୀ ଏହିଠାରେ ଗଙ୍ଗାନଦୀ ସହିତ ମିଳିତ ହୋଇଛନ୍ତି। ଏହି ନଦୀ ଅଯୋଧ୍ୟା ନଗରୀର ପ୍ରାଣକେନ୍ଦ୍ର। ଅଯୋଧ୍ୟାକୁ ଶସ୍ୟ ଶ୍ୟାମଳା,ସୁଜଳା ସୁଫଳା କରିବାରେ ଏହି ନଦୀର ଭୂମିକା ପ୍ରମୁଖ।"ଏହା ଶୁଣି ଦୁଇ ଭାଇ ଦୁଇ ପବିତ୍ର ନଦୀଙ୍କ ଉଦ୍ଦେଶ୍ୟରେ ନତମସ୍ତକ ହୋଇ ପ୍ରଣିପାତ କଲେ।
ଗଙ୍ଗାନଦୀ ପାର ହୋଇ ଦୁଇ ରାଜପୁତ୍ର ବିଶ୍ଵାମିତ୍ରଙ୍କ ସହିତ ଘୋର ଅରଣ୍ୟ ମଧ୍ୟରେ ପ୍ରବେଶ କଲେ।ଅରଣ୍ୟର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଏବଂ ସୁନ୍ଦର ଥିଲା।ବୃକ୍ଷ, ଲତା,ଗୁଳ୍ମରେ ପରିପୂର୍ଣ୍ଣ ସେ ବନ ପ୍ରଦେଶରେ ଭୟଙ୍କର ହିଂସ୍ର ଯନ୍ତୁ ପରିପୂର୍ଣ୍ଣ ହୋଇ ରହିଥିଲେ।ଶାଳ ପିଆଶାଳ କୁରୁମ ହରିଡା ଆମ୍ବ ଅଁଳା ନାରିକେଳ ତାଳ ଶାଗୁଆନ ଆଦି ବୃକ୍ଷ ବହୁକାଳରୁ ରହି ସୂର୍ଯ୍ୟ କିରଣ ଆଶାରେ ଆକାଶକୁ ଛୁଇଁବାକୁ ପ୍ରତିଯୋଗିତା କରି ଦେଇଥିଲେ ।ନିଘଞ୍ଚ ବନାନୀର ଭୟପ୍ରଦ ଗାମ୍ଭୀର୍ଯ୍ୟ ଦେଖି ଆଶ୍ଚର୍ଯ୍ୟାନ୍ଵିତ ରାମ ଓ ଲକ୍ଷ୍ମଣଙ୍କୁ ଚାହିଁ ବିଶ୍ଵାମିତ୍ର କହିଲେ.. ବତ୍ସ ! ଏହି ଅରଣ୍ୟର ନାମ ଦଣ୍ଡକ ଅରଣ୍ୟ।ଅତୀତରେ ଏହି ନିଘଞ୍ଚ ଅରଣ୍ୟରେ ଅଗସ୍ତିଙ୍କ ଆଶ୍ରମ ରହିଥିଲା। ବର୍ତ୍ତମାନ ଏଠାରେ ତାଙ୍କ ଆଶ୍ରମ ନାହିଁ। ସମୟ ଥିଲା ଯେତେବେଳେ ଏହି ସ୍ଥାନ ଜନମାନବ ଅଧ୍ୟୁଷିତ ଥିଲା।ଏବେ କିନ୍ତୁ ରାକ୍ଷସ,ରାକ୍ଷସୀଙ୍କ କ୍ରୀଡାସ୍ଥଳୀ।ତାଡକା ନାମ୍ନୀ ଏକ ଦୁର୍ଦ୍ଧାନ୍ତ ରାକ୍ଷସୀ ଏବଂ ତା'ର ଦୁଇ ପୁତ୍ର ସୁବାହୁ ଏବଂ ମାରିଚଙ୍କର ଏହା କର୍ମସ୍ଥଳୀ।ରାକ୍ଷସୀ ତାଡକା ଦେହରେ ଶହେ ହାତୀର ବଳ।ତାର ଜନ୍ମବୃତାନ୍ତ କହୁଛି ଶୁଣ
ଅତୀତରେ ସୁକେତୁ ନାମକ ଏକ ଧର୍ମପରାୟଣ ଯକ୍ଷ-ରାଜା ସନ୍ତାନହୀନ ହୋଇ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଥିଲେ। ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନାହାର ରହି ବହୁକାଳ ବିଧାତାଙ୍କୁ ତପସ୍ୟା କରିବାରୁ ବିଧାତା ସନ୍ତୁଷ୍ଟ ହୋଇ କହିଲେ..ବତ୍ସ ! ତୁମ୍ଭ ଭାଗ୍ୟରେ ପୁତ୍ର ସନ୍ତାନ ନାହିଁ।ତୁମେ ଏକ କନ୍ୟା ଲାଭ କରିବ,ଯେ ଅତ୍ୟନ୍ତ ସୁନ୍ଦରୀ ହେବା ସଙ୍ଗେ ସଙ୍ଗେ ଅସୀମ ବରଶାଳିନୀ ମଧ୍ୟ ହେବ।
କାଳକ୍ରମେ ତାଡକା ନାମ୍ନୀ ଏକ ସୁନ୍ଦରୀ କନ୍ୟା ସୁକେତୁଙ୍କ କୋଳ ମଣ୍ଡନ କଲା। କନ୍ୟାର ଯୌବନ ପ୍ରାପ୍ତି ପରେ ସୁନ୍ଦ ନାମକ ଏକ ଯକ୍ଷକୁ ତାଡକାକୁ ବିବାହ ଦେଲେ ସୁକେତୁ।ଯକ୍ଷକନ୍ୟା ତାଡକା ମଧୁର ଦାମ୍ପତ୍ୟ ଅତିବାହିତ କରୁଥିଲା।ସୁନ୍ଦ'ଙ୍କ ଔରସରୁ ତାଡକା ଦୁଇଟି ପୁତ୍ର ସନ୍ତାନଙ୍କ ଜନନୀ ମଧ୍ୟ ହେଲା।ପୁତ୍ର ଦୁଇଟି ଅତ୍ୟନ୍ତ ରୂପବାନ ଏବଂ ବଳଶାଳୀ ମଧ୍ୟ ଥିଲେ। ସେମାନଙ୍କ ନାମ ଥିଲା ସୁବାହୁ ଏବଂ ମାରିଚ। ଦୁର୍ଭାଗ୍ୟ ବଶତଃ ସୁନ୍ଦ, ଅଗସ୍ତ୍ୟଙ୍କ ଅଭିଶାପ ଯୋଗୁ ଅକାଳରେ ପ୍ରାଣ ହରାଇଲେ। ଏହି ଘଟଣା ତାଡକା,ସୁବାହୁ ଏବଂ ମାରିଚକୁ ଅଗସ୍ତ୍ୟଙ୍କ ବିରୁଦ୍ଧରେ ପ୍ରତିଶୋଧ ପରାୟଣ କରିଦେଲା। ସେମାନେ ଅଗସ୍ତ୍ୟଙ୍କ ଆଶ୍ରମକୁ ଆକ୍ରମଣ କରି ଯଜ୍ଞ ନଷ୍ଟ କରିବା ଆରମ୍ଭ କରିଦେଲେ। କ୍ରୋଧାନ୍ୱିତ ହୋଇ ଅଗସ୍ତ୍ୟ ସେମାନଙ୍କୁ କୁରୂପ, କଦାକାର ନରଭକ୍ଷୀ ରାକ୍ଷସ ହେବାପାଇଁ ଅଭିଶାପ ଦେଲେ।
ଏହି ଘଟଣା ପରେ ଅଧିକ ପ୍ରତିଶୋଧ ପରାୟଣ ହୋଇ ତାଡକା ଏବଂ ତା'ର ଦୁଇ ପୁତ୍ର ଦଣ୍ଡକ ଅରଣ୍ୟରେ ସବୁ ମୁନିଋଷି ମାନଙ୍କର ଯଜ୍ଞସ୍ଥଳ ନଷ୍ଟ କରିବା ଆରମ୍ଭ କରିଦେଲେ।ଯଜ୍ଞ କୁଣ୍ଡରେ ପରିସ୍ରା କରିଵା, ବେଦୀ ଉପରେ ହାଡ଼ ମାଂସ ରକ୍ତ ପକାଇବା ଭଳି ଘୃଣ୍ୟ କାର୍ଯ୍ୟ କରି ଘୋର ବିତ୍ପାତ ସୃଷ୍ଟି କରୁଛନ୍ତି ଏହି ରାକ୍ଷସ ମାନେ।
କିଛି ନିରବତା ପରେ ବିଶ୍ଵାମିତ୍ର କହିଲେ.. ବର୍ତ୍ତମାନ ଅଗସ୍ତ୍ୟଙ୍କ ଆଶ୍ରମ ଏହି ଅରଣ୍ୟରେ ନଥିଲେ ମଧ୍ୟ ତାଡକା ଏବଂ ତା'ର ଦୁଇ ପୁତ୍ର ମୋର ଏବଂ ଅନ୍ୟ ମୁନିଋଷି ମାନଙ୍କ ହୋମ,ଯଜ୍ଞରେ ଅନେକେ ବିଘ୍ନ ସୃଷ୍ଟି କରୁଛନ୍ତି।ଜଗତର କଲ୍ୟାଣ ନିମନ୍ତେ ଯେଉଁ ଯଜ୍ଞକର୍ମ ଉଦ୍ଦିଷ୍ଟ ତାକୁ ନଷ୍ଟ ଏବଂ ଅପବିତ୍ର କରୁଥିବା ରାକ୍ଷସ, ରାକ୍ଷସୀ ମାନଙ୍କୁ ବିନାଶ କରିବା କ୍ଷତ୍ରିୟ ମାନଙ୍କର କର୍ତ୍ତବ୍ୟ।ତାଡକା ଏବଂ ତା'ର ଦୁଇ ପୁତ୍ର ମାରିଚ ଓ ସୁବାହୁଙ୍କୁ ବିନାଶ କରି ବନପ୍ରଦେଶରେ ଶାନ୍ତି ସ୍ଥାପନ କର ରାମ। ଅତି ଘୃଣ୍ୟ କର୍ମ କରୁଥିବା ଏହି ଦୁର୍ଦ୍ଧାନ୍ତ ରାକ୍ଷସୀ ନାରୀ ହେଲେ ମଧ୍ୟ କୌଣସି ଦୟାମାୟାର ପାତ୍ରୀ ନୁହେଁ।ସେମାନଙ୍କୁ ବିନାଶ କରି ଯଜ୍ଞ ରକ୍ଷାକର ଶ୍ରୀରାମ।
