STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୦)

ସରଯୂ ନଦୀର ତୀରେ (୧୨୦)

4 mins
362


ପ୍ରାସାଦ ଭିତରେ ଆନନ୍ଦରେ ବସିଥିବା ଲଙ୍କପତି ରାବଣର କାନରେ ବାନର ମାନଙ୍କର ହର୍ଷୋଲ୍ଲାସ ପଡିବା ପରେ ଆଶ୍ଚର୍ଯ୍ୟ ହୋଇ ସେ ଭୃତ୍ୟମାନଙ୍କୁ ପ୍ରଶ୍ନକଲା ବାନର ମାନଙ୍କର ଏ' ପ୍ରକାର ଆନନ୍ଦିତ ହେବାର କାରଣ କ'ଣ ? ନାଗଫାଶରେ ରାମ ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ସେମାନଙ୍କ ମଧ୍ୟରେ ହାହାକାର ପଡିଯିଵା କଥା। ନିଶ୍ଚୟ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶୀଘ୍ର ଏହାର କାରଣ ମୋତେ ଅବଗତ କରାଅ।"

କିଛି ରାକ୍ଷସ ପ୍ରାଚୀର ଉପରେ ଚଢ଼ି ଯାହା ଦେଖିଲେ ଭୟରେ ସେମାନଙ୍କ ଶରୀର କମ୍ପିବାକୁ ଲାଗିଲା।ସେମାନେ ଅବିଳମ୍ବେ ରାବଣ ଆଗରେ ଜଣାଇଲେ ପ୍ରଭୁ ! ସୁଗ୍ରୀବଙ୍କ ଅଧିନାୟକତ୍ବରେ ବିଶାଳ ବାନର ସେନା ଲଙ୍କାଗଡ ଉପରେ ଆକ୍ରମଣ ଆରମ୍ଭ କରିଦେଲେଣି।ରାମ ଲକ୍ଷ୍ମଣ ଉଭୟେ ଜୀବିତ ଅଛନ୍ତି ଲଙ୍କେଶ।ହାତୀ ଲୁହା ଶିଙ୍କୁଳି ଛିଣ୍ଡାଇବା ପରି ଦୁଇ ଭାଇ ନାଗଫାଶ ଛିଣ୍ଡାଇ,ରକ୍ତମୁଖା ହୋଇ ମାଡ଼ି ଆସୁଛନ୍ତି।" 

ଶ୍ରୀରାମ ଓ ଲକ୍ଷ୍ମଣ ଜୀବିତ ଥିବା ସମ୍ବାଦ ପାଇ ଆଶ୍ଚର୍ଯ୍ୟ ହୋଇ ଦଶାନନ କହିଲା କିପରି ଏହା ସମ୍ଭବ ! ନାଗଫାଶରୁ ମୁକ୍ତ ହେବା ପୁନର୍ଜନ୍ମ ପାଇବା ସହିତ ସମାନ। ଏପର୍ଯ୍ୟନ୍ତ ନାଗଫାଶରୁ କେହି ମୁକ୍ତିଲାଭ କରିନାହାଁନ୍ତି। ତୁମମାନଙ୍କ କଥା ଯେବେ ସତ୍ୟ ତାହେଲେ ବାସ୍ତବରେ ଆମେ ମହା ବିପଦର ସମ୍ମୁଖୀନ ହେବାପାଇଁ ଯାଉଛନ୍ତି।"

ତତ୍ପରେ ଭୟଙ୍କର କ୍ରୋଧରେ ଗର୍ଜନ କରି ଦଶାନନ ଧୂମ୍ରାକ୍ଷ ନାମକ ଦୁର୍ଦ୍ଦାନ୍ତ ରାକ୍ଷସଙ୍କୁ କହିଲା ଧୂମ୍ରାକ୍ଷ , ତୁମ ଭଳି ବୀର ଥାଉଁ ଥାଉଁ ମୁଁ କାହିଁକି ଚିନ୍ତିତ ହେବି ?କାଳ ବିଳମ୍ବ ନକରି ସୈନ୍ୟ ସାମନ୍ତ ନେଇ, ସେ ନଗଣ୍ୟ ମାନବ ଦୁହିଁଙ୍କୁ ବିନାଶ କରି ଶୀଘ୍ର ମୋ ନିକଟରେ ସୁସମ୍ବାଦ ଜଣାଅ।"

ରାଜାଙ୍କଠାରୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇ ଗର୍ବରେ ଧୂମ୍ରାକ୍ଷର ଛାତି କିଛି ପରିମାଣରେ ଚଉଡ଼ା ହୋଇ ଗଲା। ବିଶାଳ ରକ୍ଷସେନା ନେଇ,ପଶ୍ଚିମ ଗଡ଼ଦ୍ବାର ଅତିକ୍ରମ କରି ଧୂମ୍ରାକ୍ଷ ଦେଖିଲା ବାନର ସେନା ହନୁମାନଙ୍କ ନେତୃତ୍ବରେ ଦ୍ବାର ଭାଙ୍ଗି ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।ବାନର ଓ ରାକ୍ଷସ ସେନାମାନଙ୍କ ମଧ୍ୟରେ ଲାଗିଗଲା ଭୟଙ୍କର ସଂଗ୍ରାମ।ଉଭୟ ପକ୍ଷର ଅନେକ ସୈନ୍ୟ ବୀରଗତି ପ୍ରାପ୍ତ ହେଲେ।ରକ୍ତନଦୀ ବହିଗଲା ଗଡର ପଶ୍ଚିମ ଦ୍ବାରରେ। ଭୟଙ୍କର ଥିଲା ହନୁମାନଙ୍କର କରାଳ ରୂପ।ଧୂମ୍ରାକ୍ଷକୁ ନିର୍ମମ ଭାବରେ ହତ୍ୟା କଲେ ମହାବୀର ହନୁମାନ।

ଧୂମ୍ରାକ୍ଷର ମୃତ୍ୟୁ ସମ୍ବାଦ ରାବଣର କ୍ରୋଧାଗ୍ନିରେ ଘୃତ ଆହୂତି ସହିତ ସମାନ ଥିଲା।ସଶରୀର କମ୍ପିଗଲା ଦଶାନନ;ଥରିଗଲା ମଥାରେ ଖଚିତ ବିଂଶ ମୁକୁଟ ।ବଜ୍ରଦମସ୍ତ୍ର ନାମକ ଦୁର୍ଦ୍ଦମନୀୟ ରାକ୍ଷସବୀରକୁ ସମ୍ବୋଧନ କରି ରାବଣ କହିଲା..ହେ ଅଦ୍ୱିତୀୟ ସାହସୀ ବୀର ! ଯାଅ ଅବିଳମ୍ବେ ରାମ-ବାହିନୀ ସହିତ ଦୁଇ ଜଟାଧାରୀଙ୍କୁ ବିନାଶ କରି ନିଜର ତଥା ଲଙ୍କାଗଡର ନାମ ଉଜ୍ଜଳ କର।"

ବଜ୍ରଦମସ୍ତ୍ର ମଧ୍ୟ ଅଧିକ ସମୟ ତିଷ୍ଠି ପାରିଲା ନାହିଁ।ଭୟଙ୍କର ଯୁଦ୍ଧରେ ଅଙ୍ଗଦଙ୍କ ହାତରେ ପ୍ରାଣ ହରାଇଲା ବିଚରା ରାକ୍ଷସ।ଅଙ୍ଗଦଙ୍କ ହସ୍ତରେ ବଜ୍ରଦମସ୍ତ୍ରର ବିନାଶ ପରେ ମହା ଆନନ୍ଦରେ "ଜୟ ଶ୍ରୀରାମ" ଶବ୍ଦରେ ଗଗନ ପବନ ପ୍ରକମ୍ପିତ କରିଦେଲେ ବାନର ସେନା। ବଜ୍ରଦମସ୍ତ୍ର ପରି ମହାବୀରର ବୀରଗତି ପ୍ରାପ୍ତି ରାବଣର ଆତ୍ମବିଶ୍ବାସକୁ ଦୋହଲାଇ ଦେଲା। ସେନାପତି ପ୍ରହସ୍ତକୁ ସମ୍ବୋଧନ କରି ରାବଣ କହିଲା ମହାବୀରଙ୍କ ମଧ୍ୟରେ ଅନ୍ୟତମ ଅକମ୍ପନକୁ ଯଥାଶୀଘ୍ର ରଣଭୂମିକୁ ପ୍ରେରଣ କର ପ୍ରହସ୍ତ। ମହାନ୍ ରାକ୍ଷସ ଯୋଦ୍ଧା ମାନଙ୍କୁ ନେଇ ରାମ,ଲକ୍ଷ୍ମଣ , ସୁଗ୍ରୀବ ଓ ବିଭୀଷଣଙ୍କୁ ବିନାଶ କରି ଅକମ୍ପନ ମୋ ପାଖରେ ସୁସମ୍ବାଦ ପରିବେଷଣ କରୁ। ମୁଁ ଚାହେଁ ଆଜି ହିଁ ଦୁଇ ଜଟାଧାରୀ ଯମାଳୟ ଯାତ୍ରା କରନ୍ତୁ।"

ରାକ୍ଷସ ଯୋଦ୍ଧାମାନଙ୍କ ମଧ୍ୟରେ ଅଜେୟ ଥିଲା ଅକମ୍ପନ।ଭୟଙ୍କର ଯୁଦ୍ଧ ଲାଗିଗଲା ଦୁଇ ପକ୍ଷ ମଧ୍ୟରେ।ବହିଗଲା ରକ୍ତର ନଦୀ।ରଣକ୍ଷେତ୍ରର ଧୂଳି ଆକାଶରେ ସୂର୍ଯ୍ୟଙ୍କୁ ଢାଙ୍କି ଦେଲା।ଉଭୟ ପକ୍ଷରୁ ଅନେକ ବୀରଙ୍କ ରକ୍ତରେ ରଞ୍ଜିତ ହେଲା ଯୁଦ୍ଧଭୂମି।ଅକମ୍ପନକୁ ଏକକ ଯୁଦ୍ଧରେ ପରାସ୍ତ କରିବା ଅସମ୍ଭବ ମନେ ହେଲା।କୁମୁଦ,ନଳ,ମୈନ୍ଦ ଓ ଦ୍ବିଭିଦ ଅକମ୍ପନକୁ ଆକ୍ରମଣ କଲେ। ଅକମ୍ପନର ଆକ୍ରମଣରେ ମଧ୍ୟ ବାନର ସୈନ୍ୟ ଛିନ୍ନଭିନ୍ନ ହୋଇ ପଳାୟନ କଲେ। ମନେହେଲା ସତେ ଯେପରି ସମସ୍ତ ବାନର ସେନା ଅକମ୍ପନ ହାତରେ ଗୋଟିଏ ଦିନରେ ସମାପ୍ତ ହୋଇଯିବେ। 

ପରିସ୍ଥିତି ବିପରୀତ ଦେଖି ଭୟଙ୍କର ବେଗରେ ମାଡ଼ି ଆସିଲେ ସଙ୍କଟମୋଚନ ହନୁମାନ।ଏକ ଗିରିଚୂଡା ଉତ୍ପାଟିତ କରି ଅକମ୍ପନ ଉପରକୁ କ୍ଷେପଣ କଲେ ହନୁମାନ।ଏକ ଅମୋଘ ବାଣ ପ୍ରୟୋଗକରି ଅକମ୍ପନ ସେ ବିଶାଳ ପ୍ରସ୍ତରଖଣ୍ଡକୁ ମହାଶୂନ୍ୟରେ ଖଣ୍ଡ ଖଣ୍ଡ କରିଦେଲା।ଏଥର ନିଜର ମହା କାୟା ବିସ୍ତାର କଲେ ମାରୁତି ଏବଂ ଏକ ବିଶାଳ ବୃକ୍ଷ ଉତ୍ପାଟନ କରି ରାକ୍ଷସ ମାନଙ୍କୁ ଗୋଡ଼ାଇ ଗୋଡାଇ ବିନାଶ କଲେ।ମହାବୀର ହନୁମାନଙ୍କ ହାତରେ ନିହତ ହେଲା ଅକମ୍ପନ।

ଅକମ୍ପନର ମୃତ୍ୟୁ ସମ୍ବାଦ ପାଇ ରାବଣ ଭାଙ୍ଗି ପଡ଼ିଲା। ତଥାପି ଅହଂକାର ଓ କ୍ରୋଧରୁ ଶକ୍ତି ସଞ୍ଚୟ କରି ଗଡର ରକ୍ଷା ବ୍ୟବସ୍ଥା ତନ୍ନ ତନ୍ନ କରି ସର୍ବେକ୍ଷଣ କରି ନୂତନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲା ରାବଣ। ସେନାପତି ପ୍ରହସ୍ତକୁ ସମ୍ବୋଧନ କରି ରାବଣ କହିଲାଏହି ବାନରମାନଙ୍କୁ ଆମେ ସମସ୍ତ ରାକ୍ଷସ  ସୈନ୍ୟ ନେଇ ଏକା ବେଳକେ ଆକ୍ରମଣ କରି ସମୂଳେ ବିନାଶ କରିବା। କୁମ୍ଭକର୍ଣ୍ଣ,ନିକୁମ୍ଭ , ମୁଁ ସ୍ଵୟଂ, ତୁମେ କିମ୍ବା ଇନ୍ଦ୍ରଜିତ ମଧ୍ୟରୁ ଜଣକୁ ଏହି ଗୁରୁଦାୟିତ୍ବ ନେବାପାଇଁ ପଡିବ।ଛାର ମର୍କଟ ମାନଙ୍କ ଆଗରେ ଆମେ କାହିଁକି ଭୟଭୀତ ହେବା ?ସେମାନଙ୍କୁ ଯୁଦ୍ଧବିଜ୍ଞାନ ବିଷୟରେ କ'ଣ ଜଣା !କେବଳ ବୃକ୍ଷ ଓ ପ୍ରସ୍ତରଖଣ୍ଡ ବ୍ୟବହାର କରିବା ବ୍ୟତୀତ ଅନ୍ୟ କେଉଁ ଅସ୍ତ୍ର ଚାଳନା ସେମାନେ ଜାଣନ୍ତି ନାହିଁ।"

ପ୍ରହସ୍ତ କରଯୋଡି କହିଲା ଲଙ୍କେଶ ! ସମୟ ବର୍ତ୍ତମାନ କଡ଼ ଲେଉଟାଇ ସାରିଲାଣି। ପରିସ୍ଥିତି ଆମ ସପକ୍ଷରେ‌ ନାହିଁ।ପରିସ୍ଥିତି ବିପରୀତ ହେବା ପରେ ଅନେକଥର ଆମେ ଆପଣଙ୍କୁ ଉପଦେଶ ଦେଇଛୁ ସୀତାଙ୍କୁ ରାମଙ୍କ ପାଖରେ ସମର୍ପଣ କରି ଏହି ଯୁଦ୍ଧର ଅନ୍ତ କରିବାପାଇଁ।ଆମ୍ଭମାନଙ୍କର ପ୍ରାର୍ଥନା ଗୃହିତ ହୋଇନାହିଁ। ମୃତ୍ୟୁକୁ ମୋର ଭୟ‌ ନାହିଁ। ଦେଶପାଇଁ ପ୍ରାଣ ବିସର୍ଜନ କରିବା ମୋ ପାଇଁ ଗର୍ବର ବିଷୟ। ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଁ ସହମତ।ସମଗ୍ର ସେନାବାହିନୀର ଅଗ୍ରଭାଗରେ ରହି ମୁଁ ବାନର ସେନାମାନଙ୍କ ଉପରକୁ ଆକ୍ରମଣ କରିବାକୁ ପ୍ରସ୍ତୁତ।"

ଏହିପରି ଆରମ୍ଭ ହେଲା ଲଙ୍କାଗଡର ସେନାପତି ପ୍ରହସ୍ତର ଭୟଙ୍କର ଯୁଦ୍ଧଯାତ୍ରା। ପ୍ରହସ୍ତର ଆହ୍ବାନରେ ରକ୍ଷସେନା ବାନର ମାନଙ୍କ ଉପରକୁ ଡେଇଁ ପଡିଲେ, ଅଗ୍ନିଶିଖାରେ ପତଙ୍ଗ ଲମ୍ଫ ଦେଲାଭଳି।ମହାବୀର ପ୍ରହସ୍ତର ରଣ ହୁଙ୍କାର ଦେଖି ଶ୍ରୀରାମ ବିଭୀଷଣଙ୍କୁ ପଚାରୁଛନ୍ତି ହେ ଲଙ୍କପତି ! ବିଶାଳ ରାକ୍ଷସ ସେନାର ଅଗ୍ରଭାଗରେ,ଭୟଙ୍କର ଗର୍ଜନ କରି ମାଡ଼ି ଆସୁଥିବା ଏହି ଯୋଦ୍ଧା କିଏ ?" ବିଭୀଷଣ ଉତ୍ତର ଦେଲେ ପ୍ରଭୁ! ଏ ହେଉଛି ଲଙ୍କାଗଡର ସେନାପତି ପ୍ରହସ୍ତ;ଏକ ମହାନ ଯୋଦ୍ଧା ଏବଂ ରାବଣର ପ୍ରମୁଖ ଉପଦେଷ୍ଟା ମଧ୍ୟରୁ ଅନ୍ୟତମ।"

ପ୍ରହସ୍ତ ସହିତ ବାନରବୀର ମାନଙ୍କର ଭୀଷଣ ସଂଗ୍ରାମ ଲାଗିଗଲା। ବାନରମାନେ ପ୍ରସ୍ତରଖଣ୍ଡ ଏବଂ ବିଶାଳ ବୃକ୍ଷ ଉତ୍ପାଟନ କରି ରାକ୍ଷସ ମାନଙ୍କ ଉପରେ ପ୍ରହାର କଲେ।ରାକ୍ଷସମାନେ ଧନୁ ଖଡ୍'ଗ ଭାଲ ଇତ୍ୟାଦି ଧରି ବାନରମାନଙ୍କୁ ଆକ୍ରମଣ କଲେ। ପ୍ରହସ୍ତ ଏବଂ ତାର ସହାୟକ ରାକ୍ଷସ ନରାନ୍ତକ,ମହାନନ୍ଦ ଏବଂ କୁମ୍ଭହନୁ ସହିତ ଶ୍ରୀରାମଙ୍କ ପକ୍ଷର ଦ୍ବିବିନ୍ଦ,ଦୁର୍ମୁଖ ଏବଂ ଜାମ୍ବବାନ ଆଦି ବୀରମାନେ ଭୀଷଣ ସଂଗ୍ରାମରେ ମଜ୍ଜିଗଲେ।ରାବଣର ସେନାପତି ପ୍ରହସ୍ତ ସହିତ ବାନରବୀର ନୀଳ'ଙ୍କର ବହୁ ସମୟ ପର୍ଯ୍ୟନ୍ତ ଘୋର ସଂଗ୍ରାମ ଲାଗିରହିଲା।ପ୍ରହସ୍ତ ଏକ ଲୌହ ଗଦା ଧରି ନୀଳ ଉପରେ ପ୍ରହାର କରିବାକୁ ଆଗେଇ ଆସିଲା।ନୀଳ ଏକ ଗିରିଶୃଙ୍ଗ ଉପାଡ଼ି ପ୍ରହସ୍ତ ଉପରେ ପ୍ରହାର କରିବାରୁ ପ୍ରହସ୍ତର ମସ୍ତକ ଚୂର୍ଣ୍ଣ ହୋଇଗଲା।ଲଙ୍କାର ସେନାପତି ଏବଂ ରାବଣର ଅତି ଅନ୍ତରଙ୍ଗ ମନ୍ତ୍ରୀ ପ୍ରହସ୍ତ ବୀରଗତି ପ୍ରାପ୍ତ ହେଲା।"

ଏହି ବିରାଟ ବିଜୟ ପରେ ରାକ୍ଷସସୈନ୍ୟମାନେ ଛିନ୍ନଭିନ୍ନ ହୋଇ ପଳାୟନ କଲେ।ନୀଳ ଶ୍ରୀରାମଙ୍କ ଆଗରେ ନତମସ୍ତକ ହୋଇ ଯୁଦ୍ଧର ପରିଣାମ ଜଣାଇଲେ। ଶ୍ରୀରାମ,ଲକ୍ଷ୍ମଣ ଏବଂ ସମସ୍ତ ବାନର ଯୋଦ୍ଧା ପ୍ରହସ୍ତର ମୃତ୍ୟୁ ସମ୍ବାଦ ପାଇ ନୀଳ'ଙ୍କ ପ୍ରଶଂସାରେ ଶତମୁଖ ହେଲେ।


କ୍ରମଶଃ....

(କୁଳମଣି ଷଡଙ୍ଗୀ)


Rate this content
Log in

Similar oriya story from Classics