STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨)

ସରଯୂ ନଦୀର ତୀରେ (୧୨)

4 mins
227


ବ୍ରହ୍ମର୍ଷି ବିଶ୍ଵାମିତ୍ରଙ୍କ ଅଯୋଧ୍ୟା ରାଜପୁରୀକୁ ଅକସ୍ମାତ ଆଗମନ ଦଶରଥଙ୍କ ମନରେ ଭୟ ସଞ୍ଚାର କଲା।ବିଶ୍ଵାମିତ୍ରଙ୍କ ଶକ୍ତି ବିଷୟରେ ସେ ସମ୍ପୂର୍ଣ ଅବଗତ ଥିଲେ।ନିଜ ପୂର୍ବଜ ରାଜା ହରିଶ୍ଚନ୍ଦ୍ର ବିଶ୍ଵାମିତ୍ରଙ୍କ ଯୋଗୁଁ କିପରି ରାଜ୍ୟ,ରାଜପଦ ,ସମସ୍ତ ସମ୍ପଦ ଏବଂ ଭାର୍ଯ୍ୟାଙ୍କୁ ହରାଇ ଶ୍ମଶାନ ରକ୍ଷକ ଚଣ୍ଡାଳର ଜୀବନ ବିତାଇଥିଲେ ତାହା ତାଂକୁ ଅବିଦିତ ନଥିଲା।ନିଜ ସିଂହାସନରୁ ଓହ୍ଲାଇ ବିଶ୍ଵାମିତ୍ରଙ୍କୁ ରାଜପ୍ରାସାଦକୁ ପାଛୋଟି ନେଇ କରପତ୍ର ଯୋଡି ଦଶରଥ କହିଲେ..ମୋର ଏବଂ ପ୍ରଜାମାନଙ୍କ ପୂର୍ବଜନ୍ମର ସୁକୃତ ଯୋଗୁଁ ମୋ ରାଜ୍ୟରେ ଆପଣଙ୍କର ପାଦ ପଡ଼ିଲା ବ୍ରହ୍ମର୍ଷି !ମୋର ଆନନ୍ଦର ସୀମା ନାହିଁ।ଅନ୍ଧକୁ ନେତ୍ର ମିଳିଲେ,ବନ୍ଧ୍ୟାକୁ ପୁତ୍ର ମିଳିଲେ ଏବଂ ଦରିଦ୍ରକୁ ସୁବର୍ଣ୍ଣ ଥଳି ମିଳିଲେ ଯେପରି ଆନନ୍ଦମିଳେ,ଆପଣଙ୍କ ଆଗମନ ମୋତେ ସେହିଭଳି ଆନନ୍ଦ ପ୍ରଦାନ କରିଛି ମୁନିଶ୍ରେଷ୍ଠ।ଏ ଦାସାନୁଦାସ ଆପଣଙ୍କର କେଉଁ କାର୍ଯ୍ୟରେ ଆସିବ ଆଦେଶ କରନ୍ତୁ ବ୍ରହ୍ମର୍ଷି ! ତ୍ରିବାର ସତ୍ୟ, ଆପଣଙ୍କ ଇଚ୍ଛା ଆଦେଶ ଭାବରେ ଅବିଳମ୍ବେ ପାଳିତ ହେବ।"


ଦଶରଥଙ୍କ ଆତିଥ୍ୟରେ ପରମ ସନ୍ତୋଷ ଲାଭକରି ବିଶ୍ଵାମିତ୍ର କହିଲେ ମୁଁ ମାଗିବା ପୂର୍ବରୁ ଆପଣ ଦେବାପାଇଁ ତ୍ରିଵାର ସତ୍ୟ କରି ମୋତେ ଆସ୍ବସ୍ତ କରିଛନ୍ତି ରାଜା ଦଶରଥ ! ମହାନ୍ ଇକ୍ଷ୍ବାକୁ ବଂଶର ରୀତି ରହିଆସିଛି, ସେମାନେ କେବେ ସତ୍ୟ ଭଙ୍ଗ କରନ୍ତି ନାହିଁ। ଦେଇଥିବା କଥା ସେମାନଙ୍କ ପାଇଁ ଧନୁରୁ ନିର୍ଗତ ବାଣ ସହିତ ସମାନ। ଅଧିକ ଗୌରଚନ୍ଦ୍ରିକା ନଦେଇ ମୁଁ ମୋର ଇଚ୍ଛା ବ୍ୟକ୍ତ କରୁଛି ରାଜନ୍;ମୋ ସହିତ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କୁ ଅରଣ୍ୟ ପ୍ରଦେଶକୁ ପ୍ରେରଣ କରନ୍ତୁ।ମୋ ଅଭୟ ବାହୁ ଛାୟା ତଳେ ସେମାନେ ରହି ମୁନି ଋଷି ମାନଙ୍କ ଯଜ୍ଞରେ ବିଘ୍ନ ସୃଷ୍ଟି କରୁଥିବା ରାକ୍ଷସ ସୁବାହୁ,ମାରିଚ ଏବଂ ସେମାନଙ୍କ ମାତା ରାକ୍ଷସୀ ତାଡକାଙ୍କୁ ବିନାଶ କରି ଯଜ୍ଞ ରକ୍ଷା ସହିତ ବନ ପ୍ରଦେଶରେ ଶାନ୍ତି ସ୍ଥାପନ କରିବେ।"


ଵିଶ୍ବାମିତ୍ରଙ୍କ କଥା ଶୁଣି ଭୟରେ ଶିହରି ଉଠିଲେ ଦଶରଥ ଆପଣ ଏ କଣ କହୁଛନ୍ତି ମୁନି ଶ୍ରେଷ୍ଠ ! କାହିଁ ଦୁଗ୍ଧପୋଷ୍ୟ ବାଳକ ରାମ,ଲକ୍ଷ୍ମଣ, କାହିଁ ଦୁର୍ଦ୍ଧାନ୍ତ,ଦୁର୍ଜୟ,ଦୁନିର୍ବାର ଦୟାହୀନ ରାକ୍ଷସ ସୁବାହୁ ଏବଂ ମାରିଚ !ଗୁରୁକୁଳରେ ରହି ବାଲ୍ୟ ଏବଂ ପୌଗଣ୍ଡ ଅତିବାହିତ କରି ଅଳ୍ପଦିନ ତଳେ ମାତାଙ୍କ କୋଳକୁ ଫେରିଛନ୍ତି ମୋ ପୁତ୍ରମାନେ।ସେମାନଙ୍କୁ ମୃତ୍ୟୁମୁଖକୁ କିପରି ଠେଲିଦେବି ମୁନିଶ୍ରେଷ୍ଠ ! ଆପଣ ତ ଅସୀମ ଶକ୍ତିର ଅଧିକାରୀ। ଏହି ରାକ୍ଷସମାନେ ଆପଣଙ୍କ ତପୋଶକ୍ତିର ମହାବାତ୍ୟା ଆଗରେ ତୁଚ୍ଛ ତୁଳା ସଦୃଶ।ଆପଣ ପୁଣି ସେମାନଙ୍କୁ ଦମନ କରିପାରିଲେ ନାହିଁ ଯେ ଦୁଇଟି ବାଳକ ଉପରେ ନିର୍ଭର କରୁଛନ୍ତି ! ଆପଣ ପରିହାସ କରୁନାହାନ୍ତି ତ ମୁନିଶ୍ରେଷ୍ଠ !


ବିଶ୍ଵାମିତ୍ର କହିଲେ ଆପଣ ସତ୍ୟ କହିଛନ୍ତି ଦଶରଥ ! ମୁଁ ଗାଧିନନ୍ଦନ ବିଶ୍ଵାମିତ୍ର, ଅସ୍ତ୍ରଶସ୍ତ୍ର ଚାଳନାରେ ଅସୀମ ଶକ୍ତିର ଅଧିକାରୀ ମୋର ତପୋଶକ୍ତି ଆଗରେ ଏହି ରାକ୍ଷସଗଣ ମଧ୍ୟ ତୁଚ୍ଛ। କିନ୍ତୁ ନର୍କର କୀଟ ସଦୃଶ ଯେଉଁ ରାକ୍ଷସମାନେ ଯଜ୍ଞକୁଣ୍ଡରେ ପରିସ୍ରା କରି ଏବଂ ହାଡ଼ ମାଂସ ରକ୍ତ ଆଦି ଯଜ୍ଞ ସ୍ଥଳରେ ପକାଇ ଯଜ୍ଞକୁ ଅବବିତ୍ର କରୁଛନ୍ତି ସେମାନଙ୍କୁ ବଧ କଲେ ମୋର ପାପ ହେବ ତଥା ତପୋଶକ୍ତିର ଅପଚୟ ହେବ। ବ୍ରହ୍ମର୍ଷିରେ ପରିଣତ ହେବା ପରେ ଅସ୍ତ୍ରଶସ୍ତ୍ର ଧାରଣ କରି ଶତ୍ରୁ ସଂହାର କରିବା ମୋର ନୀତି ବିରୁଦ୍ଧ କାର୍ଯ୍ୟ।ଯଜ୍ଞ ରକ୍ଷା କରିବା କ୍ଷତ୍ରିୟର ଧର୍ମ।ବନ ପ୍ରଦେଶରେ ରହୁଥିବା ମୁନିଋଷି ଏବଂ ପ୍ରଜା ମଧ୍ୟ ଆପଣଙ୍କ ପ୍ରଜା ଦଶରଥ ! ସେମାନେ ଆପଣଙ୍କ ବାହୁବଳ ଉପରେ ନିର୍ଭର କରନ୍ତି। ସେମାନଙ୍କ ପ୍ରତି ଆପଣଙ୍କର କର୍ତ୍ତବ୍ୟ ରହିଛି ନା ନାହିଁ ?"


ଦଶରଥ କହିଲେ ନିଶ୍ଚିତ ଭାବରେ ଅଛି ମୁନିଶ୍ରେଷ୍ଠ ; ମୁଁ ନିଜେ ଅଯୋଧ୍ୟାର ଅଜେୟ ସେନାବାହିନୀ ନେଇ ରାକ୍ଷସ ମାନଙ୍କୁ ବିନାଶ କରିବି। ସେଥିପାଇଁ ରାମ,ଲକ୍ଷ୍ମଣଙ୍କ ଭଳି ବାଳକ ଯିବା ଆବଶ୍ୟକ ନାହିଁ।ସୁବାହୁ,ମାରିଚ ଏବଂ ତାଡକା ଲଙ୍କପତି ରାବଣର କୁଟୁମ୍ବ-ଜନ।ଦଶାନନ ନିର୍ଦ୍ଦେଶରେ ସେମାନେ ଏହି ବନ ପ୍ରଦେଶରେ ମୁନିଋଷି ମାନଙ୍କୁ ଯାତନା ଦେଉଛନ୍ତି। ସେମାନଙ୍କ ସହିତ ମୋର ବାଳୁତ ପୁତ୍ରଦ୍ବୟ ଯୁଦ୍ଧରେ ଲିପ୍ତ ହେବା ସମ୍ବାଦ ପାଇ ଲଙ୍କେଶ୍ବର ରାବଣ ପୁଷ୍ପକ ବିମାନରେ ନିଜେ ଆସି ଭୟଙ୍କର ଯୁଦ୍ଧ କରି ମୋ ପୁତ୍ରଙ୍କୁ ବିନାଶ କରିବ। ଆପଣ ଯଜ୍ଞରକ୍ଷା ଦାୟିତ୍ଵ ମୋ ଉପରେ ନ୍ୟସ୍ତ କରନ୍ତୁ ବ୍ରହ୍ମର୍ଷି। ମୁଁ ରାକ୍ଷସମାନଙ୍କୁ ପରାଜିତ କରିବାରେ ସମର୍ଥ।ଦେବ-ଦାନବ ଯୁଦ୍ଧରେ ଦେବତାଙ୍କ ପକ୍ଷରେ ରହି ମୁଁ ରାକ୍ଷସ ମାନଙ୍କୁ କିପରି ବିନାଶ କରିଥିଲି ତାହା ଆପଣଙ୍କୁ ତ ଅବିଦିତ ନାହିଁ ମୁନି ଶ୍ରେଷ୍ଠ।ଦୟାକରି ଯୁଦ୍ଧରେ ଅନଭିଜ୍ଞ ମୋର ବାଳୁତ ପୁତ୍ର ରାମ ଓ ଲକ୍ଷ୍ମଣଙ୍କୁ କ୍ରତୁରକ୍ଷା ଉଦ୍ଦେଶ୍ୟରେ ନିଜ ସହିତ ନେବାପାଇଁ ଜିଦ୍ କରନ୍ତୁ ନାହିଁ ବ୍ରହ୍ମର୍ଷି।"


ବିଶ୍ଵାମିତ୍ରଙ୍କର, ଯଜ୍ଞରକ୍ଷା ପାଇଁ ରାମଲକ୍ଷ୍ମଣଙ୍କୁ ନିଜ ସହିତ ବନ ପ୍ରଦେଶକୁ ନେବା ଜିଦ୍ କଥା ରାଣୀହଂସପୁରରେ ପହଞ୍ଚି ଯାଇଥିଲା। ଅନ୍ତଃପୁର, ରାଣୀ ମାନଙ୍କର କ୍ରନ୍ଦନ ରୋଳର କାରୁଣ୍ୟରେ ଭରିଗଲା।କୌଶଲ୍ୟା ଏବଂ ସୁମିତ୍ରା ବିଶ୍ବାମିତ୍ରଙ୍କ ପାଦତଳେ ପଡ଼ି ଏଭଳି ଛିଦ୍'ରୁ କ୍ଷାନ୍ତ ହେବାପାଇଁ ପ୍ରାର୍ଥନା କଲେ।


ରାଜପରିବାରର ଏଭଳି ମନୋଭାବ ବିଶ୍ଵାମିତ୍ରଙ୍କ କ୍ରୋଧ ଅଗ୍ନିରେ ଘୃତ ସଦୃଶ କାର୍ଯ୍ୟ କଲା। କ୍ରୋଧାନ୍ୱିତ ହୋଇ ବ୍ରହ୍ମର୍ଷି କହିଲେ ରାମ-ଲକ୍ଷ୍ମଣଙ୍କ ଅଲୌକିକ ଶକ୍ତି ବିଷୟରେ ମୁଁ ସମ୍ପୂର୍ଣ୍ଣ ଅବଗତ ରାଜା ଦଶରଥ;ସେମାନଙ୍କୁ ସାମାନ୍ୟ ମନୁଷ୍ୟ ବୋଲି ବିବେଚନା କରନାହିଁ। ସେମାନଙ୍କ ଧରାବତରଣ ବିଧି ନିର୍ଦ୍ଦେଶିତ। ଅତ୍ୟାଚାରୀ ରକ୍ଷକୁଳ ଧ୍ବଂସ କରି ସ୍ୱର୍ଗ ଏବଂ ମର୍ତ୍ତ୍ୟମଣ୍ଡଳରେ ଶାନ୍ତି ସ୍ଥାପନ କରିବାପାଇଁ ନିଜେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ବିଷ୍ଣୁଙ୍କ ଅବତାର ନେଇ ଧରାବତରଣ କରିଛନ୍ତି। ଆମ୍ଭେମାନେ ନିମିତ୍ତ ମାତ୍ର।"


ଦଶରଥଙ୍କର ବିଶ୍ବାସ ହେଉନଥିଲା ଯେ ଜ୍ୟେଷ୍ଠପୁତ୍ର କୋମଳମତି ବାଳକ ରାମ ବିଷ୍ଣୁଙ୍କ ଅବତାର।ଅନୁନୟ ବିନୟ ହୋଇ ଦଶରଥ କହିଲେ ରାମ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେବା ଜିଦ୍ ତ୍ୟାଗ କରନ୍ତୁ ବ୍ରହ୍ମର୍ଷି।ମୋତେ ଆଦେଶ ଦିଅନ୍ତୁ ସୁବାହୁ,ମାରିଚ ଓ ତାଡକାକୁ ବଧ କରିବାପାଇଁ।"


ଭୟଙ୍କର କ୍ରୋଧରେ ଥରି ଉଠିଲେ ବ୍ରହ୍ମର୍ଷି ବିଶ୍ଵାମିତ୍ର...ଏଇ କଣ ତା'ହେଲେ ତୁମ ତ୍ରିବାର ସତ୍ୟର ନିଦର୍ଶନ ରାଜା ଦଶରଥ ! ଇକ୍ଷ୍ବାକୁ ବଂଶରେ ସତ୍ୟରକ୍ଷା ପାଇଁ ସର୍ବସ୍ବ ତ୍ୟାଗ କରିବା ଉଦାହରଣ ଅନେକ ରହିଛି। ତୁମେ ବଂଶ ପରମ୍ପରା ଭାଙ୍ଗି,ସତ୍ୟ ଭଙ୍ଗକରି,ମୁନିଋଷିଙ୍କ ସ୍ୱାର୍ଥକୁ ଉପେକ୍ଷାକରି, ପାରିବାରିକ ସ୍ବାର୍ଥ ବଳୟ ଭିତରେ ଯେବେ ସୁଖଶାନ୍ତିରେ ରହିପାରିବ ରହିପାର।"


ବିଶ୍ଵାମିତ୍ରଙ୍କ କ୍ରୋଧ ଦେଖି, ଅଭିଶାପ ଆଶା କରି ସ୍ବର୍ଗରେ ଦେବତାମାନେ ମଧ୍ୟ ପ୍ରମାଦ ଗଣିଲେ। ଏହି ସମୟରେ ବଶିଷ୍ଠ ହସ୍ତକ୍ଷେପ କରି କହିଲେ.. ରାଜା ଦଶରଥ ! ତୁମ୍ଭ କାର୍ଯ୍ୟ ତୁମ ବଂଶପରମ୍ପରାର ପରିପନ୍ଥୀ।ସତ୍ୟ କରି ପାଳନ ନକରିବା ରଘୁବଂଶୋଚିତ କାର୍ଯ୍ୟ ନୁହେଁ। ମନରୁ ସମସ୍ତ ଆଶଙ୍କା ଦୂର କରି ରାମ ଲକ୍ଷ୍ମଣଙ୍କୁ ବିଶ୍ଵାମିତ୍ରଙ୍କ ସହିତ ଯିବାପାଇଁ ଦିଅ। ବିଶ୍ଵାମିତ୍ର ଅସୀମ ଶକ୍ତିର ଅଧିକାରୀ।ରାମଲକ୍ଷ୍ମଣଙ୍କ ଉପରେ କୌଣସି ବିପଦ ଆସିବାକୁ ସେ ଦେବେ ନାହିଁ। ମୁଁ ନିଜେ ରାମଲକ୍ଷ୍ମଣଙ୍କୁ ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଇଛି। ସେମାନଙ୍କ ଶକ୍ତି ଆଗରେ ବିଶ୍ବର ସମସ୍ତ ଶକ୍ତି ତୁଚ୍ଛ। ବ୍ରହ୍ମର୍ଷି ଆଗତ ଭବିଷ୍ୟତ ଜ୍ଞାତା,ସେ ଠିକ୍ କହୁଛନ୍ତି।ବିଲକ୍ଷଣ ପ୍ରତିଭାର ଅଧିକାରୀ ରାମଚନ୍ଦ୍ର ବିଷ୍ଣୁଙ୍କ ଅବତାର, ଅତ୍ୟାଚାରୀ ରକ୍ଷକୁଳର ବିନାଶ ପାଇଁ ଧରାବତରଣ କରିଛନ୍ତି। ବିନା ଦ୍ବନ୍ଦ୍ବରେ ରାମ ଲକ୍ଷ୍ମଣଙ୍କୁ ବିଶ୍ଵାମିତ୍ରଙ୍କ ସହିତ କ୍ରତୁରକ୍ଷା ପାଇଁ ବନପ୍ରଦେଶକୁ ଯିବାପାଇଁ ଦେଇ ରାଜୋଚିତ କର୍ତ୍ତବ୍ୟ ପାଳନ କର।"

ବଶିଷ୍ଠଙ୍କ କଥାଶୁଣି ଦଶରଥଙ୍କ ମନରେ ବିଶ୍ବାସ ଆସିଲା।ବିଶ୍ବାମିତ୍ରଙ୍କ ହାତରେ ସେ ରାମ ଲକ୍ଷ୍ମଣଙ୍କୁ ସମର୍ପଣ କଲେ।


ରାମ ଏବଂ ଲକ୍ଷ୍ମଣ ମୁନିଙ୍କ ପାଦ ବନ୍ଦନା କରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ, ପିତାମାତା ଏବଂ କୁଳଗୁରୁ ବଶିଷ୍ଠଙ୍କ ଆଶୀର୍ବାଦ ନେଇ ଯଜ୍ଞରକ୍ଷା ପାଇଁ ବନପ୍ରଦେଶ ଅଭିମୁଖେ ଯାତ୍ରା କଲେ।

କଟି ଦେଶରେ ଶାଣିତ ତରବାରୀ,ହସ୍ତରେ ଧନୁର୍ବାଣ ଏବଂ ଦିବ୍ୟାସ୍ତ୍ରରେ ପରିପୂର୍ଣ୍ଣ ତୂଣୀରରେ ବିମଣ୍ଡିତ ହୋଇ ଦୁଇ ରାଜକୁମାର ଯେତେବେଳେ ଅଯୋଧ୍ୟାର ରାଜପଥ ଉପରେ ବିଶ୍ବାମିତ୍ରଙ୍କ ସହିତ ଯାତ୍ରା କରୁଥିଲେ,ନଗ୍ରବାସୀଙ୍କ ଚକ୍ଷୁ ଆନନ୍ଦ ଓ ବିସ୍ମୟରେ ବିସ୍ତାରିତ ହୋଇ ରହିଥିଲା।


କ୍ରମଶଃ


Rate this content
Log in

Similar oriya story from Classics