Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୧)

ସରଯୂ ନଦୀର ତୀରେ (୧୧)

4 mins
308



 ବଶିଷ୍ଠଙ୍କ ତୁଳନାରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ଅପଚେଷ୍ଟା କରି ବିଶ୍ଵାମିତ୍ର ତ୍ରିଶଙ୍କୁଙ୍କୁ ସ୍ବଦେହରେ ସ୍ବର୍ଗକୁ ପଠାଇବା ପ୍ରୟାସରେ ନିଜ ତପୋଶକ୍ତିର ପ୍ରଭୂତ ଅପଚୟ କଲେ। ଶେଷରେ ସେ ହୃଦୟଙ୍ଗମ କଲେ ଯେ ଦ୍ବିତୀୟ ସ୍ବର୍ଗ ସୃଷ୍ଟି କରିବା ପ୍ରୟାସ ତାଙ୍କର ଅପଚେଷ୍ଟା ମାତ୍ର ଥିଲା। ସ୍ରଷ୍ଟାଙ୍କ ବିରୁଦ୍ଧରେ ଯାଇ କେହି କେବେ ସଫଳ ହେଲାଣି ?ନିଜ ତପୋଶକ୍ତିକୁ ପୁନଃ ପରିପୂର୍ଣ୍ଣ କରିବା ପାଇଁ ବିଶ୍ଵାମିତ୍ର ପ୍ରଭାସ କ୍ଷେତ୍ରକୁ ଯାଇ ଘୋର ତପସ୍ୟାରେ ନିଜକୁ ନିୟୋଜିତ କରିଦେଲେ।


ଦେବତାମାନେ ବିବ୍ରତ ହୋଇପଡିଲେ।ଇନ୍ଦ୍ର ଭାବିଲେ ବିଶ୍ଵାମିତ୍ର ତପୋଶକ୍ତିର ଅପବ୍ୟବହାର କରି ତାଙ୍କ ଇନ୍ଦ୍ରପଦ ଛଡ଼ାଇ ନେବେ।ଅନ୍ୟ ଦେବତାମାନେ ଭାବିଲେ ସେମାନଙ୍କ ଉପରେ ପ୍ରଭୁତ୍ବ ବିସ୍ତାର କରି ବିଶ୍ଵାମିତ୍ର ଅତ୍ୟାଚାର କରିପାରନ୍ତି। କାହାର ତପ ଭାଙ୍ଗିବାକୁ ହେଲେ ଦେବତା ମାନଙ୍କର ତିନୋଟି ଚରିତ୍ର ମନେ ପଡ଼ନ୍ତି; କନ୍ଦର୍ପ,ରତି ଏବଂ କେହି ଜଣେ ସ୍ବର୍ଗ ଗଣିକା ଅପ୍ସରା।


ଅଗତ୍ୟା ଅପ୍ସରା ମେନକାଙ୍କୁ ଡାକି ତାଙ୍କୁ ବିଶ୍ଵାମିତ୍ରଙ୍କ ତପ ଭଗ୍ନ କରିବା ଦାୟିତ୍ବ ଅର୍ପଣ କଲେ ଦେବରାଜ ଇନ୍ଦ୍ର।ତାଙ୍କ ପଛେ ପଛେ ରତି ଏବଂ କନ୍ଦର୍ପଙ୍କୁ ପ୍ରେରଣ କଲେ ସୁଯୋଗ ଦେଖି ପାଞ୍ଚଟି ଫୁଲଶର ବିଶ୍ଵାମିତ୍ର ଏବଂ ମେନକାଙ୍କ ଉପରକୁ ପ୍ରହାର କରି ଉଭୟଙ୍କ ମନରେ ପ୍ରେମ ଆକର୍ଷଣ ସୃଷ୍ଠି କରିବାପାଇଁ। ଏହି ପାଞ୍ଚଟି ଫୁଲ ଶରର ନାମ ଥିଲା ଅରବିନ୍ଦ, ଅଶୋକ,ଚୁତ,ନବମଲ୍ଲୀକା ଓ ନୀଳୋତ୍ପଳ।କହିବା ବାହୁଲ୍ୟ ଏହି ଫୁଲଶରର ପ୍ରେମ ଉଦ୍ରେକକାରୀ ପ୍ରଭାବରୁ କେହି ମଧ୍ୟ ମୁକ୍ତି ପାଇପାରନ୍ତି ନାହିଁ। ତେଣୁ ବଜ୍ରଠାରୁ ଅଧିକ ଶକ୍ତିଶାଳୀ ଏହି ଅସ୍ତ୍ରକୁ ଇନ୍ଦ୍ର ମଝିରେ ମଝିରେ ପ୍ରୟୋଗ କରିଥାନ୍ତି।


ଘୋର ତପସ୍ୟାରେ ମଗ୍ନ ବିଶ୍ବାମିତ୍ର ମେନକାଙ୍କ ପାଉଁଜି ଶବ୍ଦରେ ଯେତେବେଳେ ଆଖି ଖୋଲିଲେ, ସ୍ବପ୍ନ ସୁନ୍ଦରୀଙ୍କ ଅପୂର୍ବ ପୁଷ୍ପକୋମଳ ଅଙ୍ଗବଲ୍ଲରୀର ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରିଦେଲା। ଏହି ସୁଯୋଗରେ କନ୍ଦର୍ପ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ। ବିଶ୍ଵାମିତ୍ରଙ୍କ କୃଚ୍ଛ୍ର ତପସ୍ୟା ତୁଚ୍ଛ ତୁଳା ପରି ପୁଷ୍କର କ୍ଷେତ୍ରର ମହାକାଶରେ ଉଡିଗଲା।ମେନକାଙ୍କ ବାହୁବନ୍ଧନ ଭିତରେ ନିଜକୁ ସମର୍ପଣ କରିଦେଲେ ବିଶ୍ଵାମିତ୍ର।ଭୁଲିଗଲେ ନିଜର ପ୍ରଜ୍ଞା ଏବଂ ପ୍ରତିଜ୍ଞା।


ଏହିପରି ଦଶବର୍ଷ ବିତିଗଲା।ସ୍ବର୍ଗ ଗଣିକାଙ୍କ କାମାଗ୍ନିରେ ଦଗ୍ଧିଭୂତ ହୋଇଗଲା ବିଶ୍ବମିତ୍ରଙ୍କର ସମସ୍ତ ତପଶ୍ଚର୍ଯ୍ୟା। ହଠାତ୍ ତାଙ୍କର ଚୈତନ୍ୟ ଉଦୟ ହେଲା।ଘୋର ଗ୍ଳାନିରେ ହୃଦୟ ପୂର୍ଣ୍ଣ ହୋଇଗଲା। ବିଶ୍ଵାମିତ୍ରଙ୍କର ଏହି ପରିବର୍ତ୍ତନ ଦେଖି ଭୟରେ କମ୍ପିଗଲେ ମେନକା;ଅପେକ୍ଷା କରିଥିଲେ ତାଙ୍କ ଉପରେ ପଡ଼ିବାକୁ ଯାଉଥିବା ଋଷିଙ୍କ ପ୍ରଚଣ୍ଡ ଅଭିଶାପକୁ। ଭୀତତ୍ରସ୍ତା ମେନକାଙ୍କୁ ଶାନ୍ତ୍ବନା ଦେଇ ବିଶ୍ଵାମିତ୍ର କହିଲେ..ଭୟ କରନାହିଁ ମେନକା,ଏହା ମୋର ଭୁଲ୍;ତୁମେ ନିର୍ଦ୍ଦୋଷ।ନିଜର କାମନା ଉପରେ ନିୟନ୍ତ୍ରଣ ହରାଇଥିବା ତପସ୍ବୀର ଅଭିଶାପ ଦେବାର କିଛି ଅଧିକାର ନାହିଁ। ମୁଁ ଜାଣେ ଏହା ଦେବତା ମାନଙ୍କର ଚଞ୍ଚକତା। ମୁଁ କିନ୍ତୁ ତପସ୍ୟା ବଳରେ ବ୍ରହ୍ମର୍ଷି ହେବାପାଇଁ ବଦ୍ଧପରିକର।ତୁମେ ଏହିକ୍ଷଣି ଆଶ୍ରମ ତ୍ୟାଗକରି ଚାଲିଯାଅ।


ତପୋଶକ୍ତିର ପୁନରୁଦ୍ଧାର ପାଇଁ ପୁଷ୍କର କ୍ଷେତ୍ର ତ୍ୟାଗକରି ହିମାଳୟକୁ ଚାଲିଗଲେ ବିଶ୍ବାମିତ୍ର। ସେଠାରେ, ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବ୍ରହ୍ମର୍ଷି ହେବା ପ୍ରୟାସରେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ସେ ତପସ୍ୟାରେ ମଗ୍ନ ରହିଲେ।ସେ ଯୁଗରେ ତପୋବଳରେ ମୁନିଋଷି ମାନେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ।

ବିଶ୍ଵାମିତ୍ରଙ୍କ ତପସ୍ୟା ଦେବତାମାନଙ୍କୁ ପୁନର୍ବାର ବିବ୍ରତ କଲା ଏବଂ ସେମାନେ ପ୍ରତିକାର ପାଇଁ ପୁ୍ନଶ୍ଚ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ।


ବ୍ରହ୍ମା ହିମାଳୟ ପାଦଦେଶରେ ବିଶ୍ଵାମିତ୍ରଙ୍କ ଆଗରେ ପହଞ୍ଚି କହିଲେ..ଉଠ ପୁତ୍ର ! ଘୋର ତପୋବଳରେ ତୁମେ ଅଲୌକିକ ଶକ୍ତି ଲାଭ କରିଛ।ତୁମେ ସାଧାରଣ ଋଷି ହୋଇ ରହିନାହିଁ,ତୁମେ ମହର୍ଷିରେ ପରିଣତ ହୋଇଛ।


ବ୍ରହ୍ମାଙ୍କର ଏହି କଥା ଶୁଣି ବିଶ୍ଵାମିତ୍ର ବିମର୍ଷ ମନରେ ଭାବିଲେ... ଏତେ ବର୍ଷର ତପସ୍ୟା ପରେ ସେହି ମହର୍ଷି ହୋଇ ମୁଁ ରହିଗଲି ! ଏହା ନିଶ୍ଚିତ ଭାବରେ ମୋ ନିଜର ଇନ୍ଦ୍ରିୟ ଉପରେ ବାରମ୍ବାର ନିୟନ୍ତ୍ରଣ ହରାଇବା ଯୋଗୁଁ ଘଟିଛି।

କରପତ୍ର ଯୋଡି ସେ ବ୍ରହ୍ମାଙ୍କୁ ପଚାରିଲେ.. ବର୍ତ୍ତମାନ କଣ ମୁଁ ମୋର ଇନ୍ଦ୍ରିୟ ମାନଙ୍କ ଉପରେ ନିୟନ୍ତ୍ରଣ ରଖିପାରିବି ବିଧାତା ?


ହସିଦେଇ ବ୍ରହ୍ମଦେବ କହିଲେ..କଦାପି ନୁହେଁ।ନିଜର ଇନ୍ଦ୍ରିୟ ମାନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ଭଳି ତପୋଶକ୍ତି ତୁମର ଆସିନାହିଁ ବିଶ୍ବାମିତ୍ର। ବ୍ରହ୍ମର୍ଷି ହେବାର ତପୋବଳ କେବଳ ବଶିଷ୍ଠଙ୍କର ହିଁ ରହିଛି।


ବିଶ୍ଵାମିତ୍ରଙ୍କ ମନ ଦୁଃଖରେ ଭରିଗଲା;ଭାବିଲେ କି ଲାଭ ଏପରି ମହର୍ଷି ହୋଇ ରହିବାରେ ?ମୋର ସମସ୍ତ ତପୋଶକ୍ତି ବଶିଷ୍ଠଙ୍କ ହାତରେ ଥିବା ଦଣ୍ଡ ବା ବାଡି ଆଗରେ ଅସହାୟ।ଏହା ଭାବି ବିଶ୍ଵାମିତ୍ର ଆହୁରି ଏକ ହଜାର ବର୍ଷ ଘୋର ତପସ୍ୟାରେ ନିଜକୁ ନିୟୋଜିତ କଲେ; ଉଦ୍ଦେଶ୍ୟ ଥିଲା ଇନ୍ଦ୍ରିୟ ମାନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ।


ଏଥର ଦେବରାଜ ଇନ୍ଦ୍ର ସ୍ବର୍ଗ ଗଣିକା ରମ୍ଭାଙ୍କୁ ବିଶ୍ବାମିତ୍ରଙ୍କ ତପ ଭଗ୍ନ କରିବା ଦାୟିତ୍ବ ଦେଲେ। ରମ୍ଭା ଋଷିଙ୍କଠାରୁ ଅଭିଶାପ ପାଇବା ଭୟରେ ଥରିବାକୁ ଆରମ୍ଭ କଲେ।ଦେବରାଜ କହିଲେ.. କିଛି ଡରିବାର ନାହିଁ ରମ୍ଭା।ତୁମର ସହାୟତା ପାଇଁ ମୁଁ କନ୍ଦର୍ପ,ରତି ଏବଂ ବସନ୍ତ ଋତୁ ଓ ମଳୟ ପବନଙ୍କୁ ତୁମ ସହିତ ପ୍ରେରଣ କରୁଛି। ସେମାନଙ୍କ ପ୍ରଭାବରେ ନିଜର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ହରାଇବସିବେ ବିଶ୍ଵାମିତ୍ର।


ଏପଟେ ଖାଇ କୁ ସେପଟେ ସମୁଦ୍ର।ଇନ୍ଦ୍ରଙ୍କ ଆଦେଶରେ ଅବମାନନା କଲେ ଦଣ୍ଡ,ରାଜଦ୍ରୋହ ଓ ଅଭିଶାପ ମିଳିବ।ସେପଟେ ବିଶ୍ବାମିତ୍ରଙ୍କ କ୍ରୋଧର ଶିକାର ହେଲେ କଣ ହେବ ଜଣାନାହିଁ।


ରାଜାଜ୍ଞାକୁ ଅବଜ୍ଞା ନକରି ରମ୍ଭା, ରତି,କନ୍ଦର୍ପ,ବସନ୍ତ ଓ ମଳୟ ସହିତ ବିଶ୍ଵାମିତ୍ରଙ୍କ ଆଶ୍ରମ ଆଗରେ ପହଞ୍ଚିଲେ।ମନ୍ଦ ମଳୟ ସ୍ପର୍ଶରେ ଏବଂ ଫୁଲର ପ୍ରହାରରେ ବିଶ୍ଵାମିତ୍ରଙ୍କ ଶରୀରରେ ସ୍ପନ୍ଦନ ଖେଳିଗଲା।ନିମିଳିତ ଆଖି ଖୋଲି ଚାହିଁଲେ ବିଶ୍ଵାମିତ୍ର।ଆଗରେ ଭୂବନ ମୋହିନୀ ରୂପରେ ଉଭା ହୋଇଛନ୍ତି ରମ୍ଭା।ଦେବତାଙ୍କ କୂଟ ଜାଣିପାରିଲେ ବିଶ୍ବାମିତ୍ର।କ୍ରୋଧରେ ଏକ ବିଦ୍ୟୁତ ତରଙ୍ଗ ଖେଳିଗଲା ତାଙ୍କ ମସ୍ତିଷ୍କରେ।ରମ୍ଭାଙ୍କୁ ଚାହିଁ ଅଭିଶାପ ଦେଲେ ବିଶ୍ଵାମିତ୍ର.. ଇନ୍ଦ୍ରିୟ ମାନଙ୍କୁ ବଶିଭୂତ କରିବାକୁ ପ୍ରୟାସ କରୁଥିବା ଏକ ତପସ୍ବୀର ତପୋଭଙ୍ଗ କରିବା ଅପରାଧର ଦଣ୍ଡ ଭୋଗ କର ସ୍ବର୍ଗଗଣିକା ! ଦଶ ହଜାର ବର୍ଷ ପର୍ଯ୍ୟନ୍ତ ତୁମେ ପଥର ପାଲଟି ଯାଅ।"ବିଶ୍ଵାମିତ୍ରଙ୍କ ଅଭିଶାପ ଅଚିରେ ଫଳବତୀ ହେଲା।


କିନ୍ତୁ ଏହାର ଅର୍ଥ ନିଜେ ବୁଝି ପାରିଲେ ବିଶ୍ଵାମିତ୍ର ନିଜ କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରିନାହାନ୍ତି ସେ। ଇନ୍ଦ୍ରିୟ ବଶିଭୂତ ହେଲେ କିପରି !


ନିଜ ବିଫଳତାରେ ଗଭୀର ମ୍ରିୟମାଣ ବିଶ୍ଵାମିତ୍ର ହିମାଳୟ ତ୍ୟାଗକରି ପୂର୍ବଦିଗରେ ଅଗ୍ରସର ହୋଇ ଏକ ଆଶ୍ରମ ସ୍ଥାପନ କରି ଘୋର ତପସ୍ୟାରେ ନିମଜ୍ଜିତ ହେଲେ।ଏଥର ସେ ପ୍ରାଣବାୟୁ ନିୟନ୍ତ୍ରଣ କରି, ଯାବତୀୟ ସାଂସାରିକ ଚିନ୍ତା ତ୍ୟାଗ ଦେଇ ଏଭଳି ଘୋର ତପସ୍ୟାରେ ନିମଜ୍ଜିତ ହେଲେ ଯେ ତପ ପ୍ରଭାବରେ ତାଙ୍କ ଶରୀରରୁ ଧୂମ ଏବଂ ଅଗ୍ନି ବାହାରି ଆକାଶକୁ ବ୍ୟାପିବା ଆରମ୍ଭ କଲା।ଏଥର ବ୍ରହ୍ମଦେବ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ତପସ୍ୟାରୁ ବିରତ ହେବାପାଇଁ କହିଲେ..ଏଥର ଉଠ ବ୍ରହ୍ମର୍ଷି ବିଶ୍ଵାମିତ୍ର।କୃଚ୍ଛ୍ର ସାଧନା ବଳରେ ତୁମେ ବ୍ରହ୍ମର୍ଷିରେ ପରିଣତ ହୋଇଛ।


ବ୍ରହ୍ମଦେବଙ୍କୁ ନିଜ ସମକ୍ଷରେ ଉପସ୍ଥିତ ଦେଖି ପାଦପୂଜା କରି ବିଶ୍ଵାମିତ୍ର କହିଲେ ..ଏହା କଣ ସତ୍ୟ ! ମହାତ୍ମା ବଶିଷ୍ଠ କଣ ଏବେ ମୋତେ ବ୍ରହ୍ମର୍ଷି ଭାବେ ଗ୍ରହଣ କରିବେ ?


ଏହି ସମୟରେ ବଶିଷ୍ଠ ସେଠାରେ ଉପସ୍ଥିତ ହେଲେ।ତାଙ୍କୁ ଦେଖି ବିଶ୍ବାମିତ୍ରଙ୍କ ମନ ତାଙ୍କ ପ୍ରତି ଭକ୍ତି,ପ୍ରେମ ଓ ସମ୍ମାନରେ ପୂରିଉଠିଲା। ଈର୍ଷା ବା ଦ୍ୱେଷର ଚିହ୍ନବର୍ଣ୍ଣ ବି ନଥିଲା।ଅପୂର୍ବ ଆଲୋକରେ ଉଦ୍ଭାସିତ ହୋଇଗଲା ବିଶ୍ଵାମିତ୍ରଙ୍କ ହୃଦୟ।ସେ ହୃଦୟଙ୍ଗମ କରିପାରିଲେ ଯେ ସବୁ ଇନ୍ଦ୍ରିୟ ମାନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିଛନ୍ତି ସେ।ଏହା ତାଙ୍କର ଗଭୀର ପ୍ରଜ୍ଞା ଯୋଗୁଁ ସମ୍ଭବ ହୋଇ ପାରିଛି। ବଶିଷ୍ଠଙ୍କ ପାଦ ବନ୍ଦନା କରି ତାଙ୍କୁ କୋଳାଗ୍ରତ କଲେ ବିଶ୍ଵାମିତ୍ର। ବଶିଷ୍ଟ ସପ୍ରେମ ସମ୍ବୋଧନ କଲେ...ସ୍ବାଗତମ୍ ବ୍ରହ୍ମର୍ଷି ବିଶ୍ବାମିତ୍ର।ଯଶୋମୟ ହେଉ ଆପଣଙ୍କ ତପୋଶକ୍ତି।"

ବଶିଷ୍ଠଙ୍କ ବ୍ରହ୍ମର୍ଷି ସମ୍ବୋଧନରେ ଆନନ୍ଦରେ ପରିପୂର୍ଣ୍ଣ ହେଲା ବିଶ୍ଵାମିତ୍ରଙ୍କ ହୃଦୟ।


ସେହି ବ୍ରହ୍ମର୍ଷି ବିଶ୍ଵାମିତ୍ର ଆଜି ଦଶରଥଙ୍କ ରାଜସଭାରେ ଉପସ୍ଥିତ ।



Rate this content
Log in

Similar oriya story from Classics