STORYMIRROR

Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୦୭) - ଅଶ୍ରୁତପୂର୍ବ ତୁମର କାର୍ଯ୍ୟ ହନୁମାନ !

ସରଯୂ ନଦୀର ତୀରେ (୧୦୭) - ଅଶ୍ରୁତପୂର୍ବ ତୁମର କାର୍ଯ୍ୟ ହନୁମାନ !

5 mins
55


ଦକ୍ଷିଣ ଦିଗରୁ ଫେରିଥିବା ବାନର ଦଳ ଆନନ୍ଦରେ କିଷ୍କିନ୍ଧ୍ୟାର ରୋଜୋଦ୍ୟାନ ଉଜାଡିବା ସମ୍ବାଦ,ଉଦ୍ୟାନ ରକ୍ଷକ 'ଦଧିମୁଖ' ଠାରୁ ଶୁଣି ସୁଗ୍ରୀବ, ବିରକ୍ତ ହେବା ପରିବର୍ତ୍ତେ ଆନନ୍ଦିତ ହେଲେ। ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚି ସୁଗ୍ରୀବ କହିଲେ..ପ୍ରଭୁ ! ଦକ୍ଷିଣ ଦିଗରୁ ଫେରିଥିବା ବାନର ଦଳର ଆନନ୍ଦ ଉତ୍ସବ ଦେଖି ମୁଁ ସ୍ଥିର ନିଶ୍ଚିତ ଯେ ମାତା ସୀତାଙ୍କର ସନ୍ଧାନ ମିଳିଗଲା।"ଆନନ୍ଦ ଗଦ୍'ଗଦ କଣ୍ଠରେ ଶ୍ରୀରାମ ସୁଗ୍ରୀବଙ୍କୁ କହିଲେ.. କଥା ନୁହେଁ,ଆପଣ କଥା ଛଳରେ ସୁଧା ବୃଷ୍ଟି କଲେ ମିତ୍ର ! ଶୀଘ୍ର ଯୁବରାଜ ଅଙ୍ଗଦ, ମନ୍ତ୍ରୀ ହନୁମାନ ଏବଂ ବୟୋଜ୍ୟେଷ୍ଠ ଜାମ୍ବବାନଙ୍କ ସହିତ ଅନ୍ୟ ବାନରବନ୍ଧୁମାନଙ୍କୁ ମୋ ନିକଟରେ ଉପସ୍ଥିତ କରାନ୍ତୁ। ଜାନକୀ ବିରହରେ ହୃଦୟ ମୋର ତପ୍ତ ମରୁଭୂମିରେ ପରିଣତ ହୋଇଯାଇଛି। ପ୍ରିୟତମାର କୁଶଳ ସମ୍ବାଦ ଶୀତଳ ବାରିଧାରା ହୋଇ ସେ ମରୁରେ ଦୁର୍ବା ସୃଷ୍ଟି କରୁ।"


ଆଗେ ଆଗେ ଅଙ୍ଗଦ,ଜାମ୍ବବାନ,ତାରାକ୍ଷ,ନଳ,ନୀଳ ଏବଂ ସେମାନଙ୍କ ପଛରେ ,ଆନନ୍ଦ ଆତିଶଯ୍ୟରେ କୋଳାହଳ କରି ଦକ୍ଷିଣ ଦିଗରୁ ଆସିଥିବା ବାନର ବାହିନୀ ରାମ,ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ସମ୍ମୁଖରେ ପହଞ୍ଚିଲେ।ସମସ୍ତଙ୍କ ପଛରେ କରଯୋଡ଼ି ଦଣ୍ଡାୟମାନ ହୋଇଥିଲେ ମାରୁତି।ମହାନ ବ୍ୟକ୍ତି ମାନଙ୍କର ଲକ୍ଷଣ ଏହିପରି।ନିଜ ସଫଳ କାର୍ଯ୍ୟର ଡିଣ୍ଡିମ ସେମାନେ ନିଜେ କେବେହେଲେ ପିଟନ୍ତି ନାହିଁ। ସେମାନଙ୍କ କାର୍ଯ୍ୟରୁ ସେମାନଙ୍କ ପରିଚୟ ମିଳେ।


ବାନର ମାନଙ୍କୁ ସମ୍ବୋଧିତ କରି ଶ୍ରୀରାମ କହିଲେ..ହେ ମୋର ପ୍ରିୟ ବାନର ବନ୍ଧୁଗଣ, ମୋ ପ୍ରାଣସମା ସୀତାର ସମ୍ବାଦ ଦେଇ ବିଦଗ୍ଧ ପ୍ରାଣକୁ ଶୀତଳ କର।କର ଯୋଡ଼ି ଜାମ୍ବବାନ କହିଲେ.. ପ୍ରଭୁ ! ଏହି ଅଭିଯାନର ପ୍ରକୃତ ମହାନାୟକ ତ ସମସ୍ତଙ୍କ ପଛରେ ଦଣ୍ଡାୟମାନ।" ତାପରେ ହନୁମାନଙ୍କୁ ଚାହିଁ ଜାମ୍ବବାନ କହିଲେ..ଆସ ହନୁମାନ, ସୀତା ମାତାଙ୍କ ସମ୍ବାଦ ଦେଇ ପ୍ରଭୁଙ୍କ ବିଚଳିତ ମନକୁ ଶାନ୍ତ କର।"

 

ମଥା ଅବନତ କରି ହନୁମାନ କହିଲେ.. କୋଟି ଜନ୍ମର ସୌଭାଗ୍ୟରୁ ପବିତ୍ରତାର ମହାନ୍ ଦେବୀ ମାତା ସୀତାଙ୍କୁ ଦର୍ଶନ କରି ଆପଣଙ୍କର ଏ ଭୃତ୍ୟ ଫେରିଛି ପ୍ରଭୁ !ରାବଣର ଲଙ୍କା ଗଡରେ ଅଶୋକ କାନନରେ ସୁରକ୍ଷିତା ଅଛନ୍ତି ମୋ ଜନନୀ ।"

ତତ୍ପରେ ହନୁମାନ ଦକ୍ଷିଣ ଦିଗକୁ ଚାହିଁ,କର ଯୋଡି କହିଲେ..ପରମ ଆରାଧ୍ୟ ମୋର ମାତା ! ପ୍ରଭୁ ଶ୍ରୀରାମଙ୍କ ସମକ୍ଷରୁ ଏ ନଗଣ୍ୟ ପୁତ୍ର ଆପଣଙ୍କୁ ପ୍ରଣାମ ଜଣାଉଛି; ଗ୍ରହଣ କରନ୍ତୁ।"


ମାରୁତିଙ୍କଠାରୁ ଏ ସୁସମ୍ବାଦ ଶୁଣି ଲକ୍ଷ୍ମଣ ଓ ସୁଗ୍ରୀବ ଆନନ୍ଦରେ ଶ୍ରୀରାମଙ୍କୁ ଆଲିଙ୍ଗନ କଲେ। ହନୁମାନଙ୍କୁ ଶ୍ରୀରାମ କୋଳେଇ ନେଇ ମଥାରେ ଚୁମ୍ବନ ଦେଇ କହିଲେ..ତୁମର ସାନ୍ନିଧ୍ୟ ମୋ ଜୀବନକୁ ଧନ୍ୟ କରିଦେଇଛି ହନୁମାନ ! କୁହ,କୁହ ପ୍ରିୟ ମାରୁତି ! କେଉଁଠାରେ ଅଛି ମୋ କନକ ପ୍ରତିମା ? ସୁରକ୍ଷିତ ଅଛି ତ ମୋ ପ୍ରାଣପ୍ରିୟା ? କୁହ ମାରୁତି କିପରି ତୁମେ ମୋ ସୀତାଙ୍କୁ ଭେଟିଲ ,ତାଙ୍କ ସହିତ ଯାହା ତୁମର କଥୋପକଥନ ହେଲା,ସବୁ ଟିକିନିଖି ମୋ ଆଗରେ ବର୍ଣ୍ଣନା କର।"


ସମ୍ପାତିଙ୍କଠାରୁ ସୀତାଙ୍କ ସମ୍ବାଦ ମିଳିବା ପରଠାରୁ ସୀତାଙ୍କ ସହିତ ଅଶୋକ ବନରେ ଭେଟ ଏବଂ ଲଙ୍କାଦାହନ ଇତ୍ୟାଦି ସମସ୍ତ ଘଟଣା ଟିକିନିଖି ବର୍ଣ୍ଣନା କରି ହନୁମାନ କହିଲେ.. ପ୍ରଭୁ ! ଶହେ ଯୋଜନ ସମୁଦ୍ର ପାର ହୋଇ,ରାବଣର ଭବନକୁ ତନ୍ନ ତନ୍ନ କରି ଖୋଜିବା ପରେ ମାତା ସୀତାଙ୍କୁ ମୁଁ ଅଶୋକ ବନରେ ଦର୍ଶନ କଲି।ଶିଶପା ବୃକ୍ଷ ତଳେ ମଣ୍ଡପ ଉପରେ,ଭୟଙ୍କର ରାକ୍ଷସୀ ମାନଙ୍କଦ୍ବାରା ପରିବେଷ୍ଠିତା ହୋଇ ବସିଥିଲେ ମୋ ଜନନୀ।ଆଖିରୁ ବହି ଯାଉଥିଲା ଅବାରିତ ଅଶ୍ରୁ। ମୁହଁରୁ ପ୍ରତି ମୁହୂର୍ତ୍ତରେ ବାହାରୁଥିଲା "ଶ୍ରୀରାମ" ନାମ ଜପ।

ଦେଖିଛି ପ୍ରଭୁ ! ପାପାତ୍ମା ରାବଣର ଅନୁନୟ ବିନୟ ଠାରୁ ଆରମ୍ଭ କରି ଧମକ ଚମକରେ ଭୟଭୀତ କରିବାର ସମସ୍ତ ଉପାୟ ପବିତ୍ର ସତୀତ୍ଵ ଆଗରେ ହାର ମାନି ଯାଇଛି।ରାବଣର ମହାଶକ୍ତି ମାତାଙ୍କ ହାତରେ ଥିବା ଗୋଟିଏ ତୃଣ ଆଗରେ ଅସହାୟ ହୋଇ ଯାଇଛି। ସିଂହୀ ଆଗରୁ ଶୃଗାଳ ପଳାୟନ କଲାଭଳି ମାତାଙ୍କ ନିକଟରୁ ବାରମ୍ବାର ନିରସ୍ତ ହୋଇ ଫେରିଛି ରାବଣ। ବହୁଦିନ ଧରି ଆପଣଙ୍କ ସନ୍ଦେଶ ନପାଇ ଏବଂ ରାବଣ ତଥା ଭୟଙ୍କର ରାକ୍ଷସୀ ମାନଙ୍କର ବ୍ୟବହାରରେ ହତୋତ୍ସାହିତା ହୋଇ ମାତା ଯେତେବେଳେ ଜୀବନ ହାରିଦେବାପାଇଁ ନିର୍ଣ୍ଣୟ ନେଉଥିଲେ ସେହି ସମୟରେ ମୋର ଉପସ୍ଥିତି ମାତାଙ୍କୁ ନୂତନ ଆଶାର ଆଲୋକ ଦେଖାଇଛି।

ମାତାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ମୁଁ ଯେତେବେଳେ ଶିଶପା ବୃକ୍ଷରେ ବସି ଇକ୍ଷ୍ବାକୁ ବଂଶର ଗାଥା ଗାୟନ କଲି, ଆଃ ! କି ଉଜ୍ଜ୍ୱଳ ଆଲୋକ ରଶ୍ମି ଉଦ୍ଭାସିତ ହେଲା ମାତାଙ୍କ ମୁଖମଣ୍ଡଳରେ ! କହିଲେ..ମୋ ପ୍ରଭୁଙ୍କ କଥା ଶୁଣାଇ କିଏ ମୋ ଶ୍ରବଣରେ ଅମୃତ ବୃଷ୍ଟି କରୁଛି ! ଲଙ୍କାରେ ରାମନାମ କାହା କଣ୍ଠରୁ ଶୁଣାଯାଉଛି ! ଏହା ସ୍ବପ୍ନ ନା ସତ୍ୟ !! ସତେ କଣ ଏ ଦାସୀ ପ୍ରଭୁଙ୍କ ଚରଣ କମଳ ଦର୍ଶନ କରିପାରିବ !"


ମୋଠାରୁ ଆପଣଙ୍କ ସମ୍ବାଦ ପାଇ କୋଟିନିଧ ପାଇଲା ଭଳି ଆନନ୍ଦିତା ହେଲେ ମାତା।ଆପଣଙ୍କ ଅନାମିକା ମୁଦ୍ରିକା ମୋଠାରୁ ପାଇ ବାରମ୍ବାର ନୟନରେ ଓ ମଥାରେ ଲଗାଉଥାନ୍ତି ଜନନୀ ଏବଂ କହୁଥାନ୍ତି...ଏ ଅଭାଗିନୀ ପାଇଁ କେତେ ଦୁଃଖ ସତେ ପାଉଛନ୍ତି ମୋ ପ୍ରାଣପ୍ରିୟ ପତି ଏବଂ ଦେବୋପମ ଦେବର !


ସୁଗ୍ରୀବଙ୍କ ସହିତ ଆପଣଙ୍କ ମିତ୍ରତା କଥା ବର୍ଣ୍ଣନା କରି ମୁଁ ମାତା ସୀତାଙ୍କୁ କହିଲି..ବିରହ ବିଧୁର ପ୍ରଭୁ ଶ୍ରୀରାମଙ୍କ ମୁଖରେ ଅବିରତ ଆପଣଙ୍କ ନାମ ରହିଛି ମାତା। ଅଶ୍ରୁଳ ନେତ୍ରରେ ଆପଣଙ୍କୁ ଦିବାନିଶି ଖୋଜି ବୁଲୁଛନ୍ତି ଶ୍ରୀରାମ। ଅତି ଶୀଘ୍ର ବାନରବାହିନୀ ନେଇ, ସିନ୍ଧୁ ପାରହୋଇ ଶ୍ରୀରାମ ଆପଣଙ୍କୁ ରାବଣ କବଳରୁ ଉଦ୍ଧାର କରିବେ।


ଆପଣଙ୍କ କଥା ଶୁଣି ଅବୋଧ ବାଳିକା ଭଳି କ୍ରନ୍ଦନ କରି ମାତା ସୀତା କହିଲେ... ଅବର୍ଣ୍ଣନୀୟ ମୋ ପ୍ରଭୁଙ୍କ ମହିମା, ସାମାନ୍ୟ ରାବଣ ତାଙ୍କ ଶକ୍ତି ଆଗରେ କିଛି ନୁହେଁ।ଖର,ଦୂଷଣ,ତ୍ରିଶିରା'ଙ୍କ ସମେତ ଜନସ୍ଥାନର ଚଉଦ ହଜାର ରାକ୍ଷସଙ୍କୁ ଯେ ଏକାକି ବିନାଶ କରିପାରନ୍ତି,ଅବଲୀଳାକ୍ରମେ ଶିବଧନୁରେ ପ୍ରତ୍ୟଞ୍ଚା ଚଢାଇବା ବେଳେ ଯାହା ହାତରେ ଶିବଧନୁ ଖଣ୍ଡିଏ କାଠିପରି ଭାଙ୍ଗିଯାଏ,ତାଡକା ଭଳି ରାକ୍ଷସୀ ଏବଂ ସୁବାହୁ ଭଳି ଭୟଙ୍କର ରାକ୍ଷସ ଯାହା ହାତରେ କ୍ଷଣକରେ ଇହଲୋକ ତ୍ୟାଗ କରନ୍ତି,ସେ ଶ୍ରୀରାମଙ୍କ ଆଗରେ ସାମାନ୍ୟ ରାବଣ ତୁଚ୍ଛ ତୂଳା ବ୍ୟତୀତ କିଛି ନୁହେଁ ହନୁମାନ !ତେବେ କାହିଁକି ପ୍ରଭୁ ମୋତେ ଏ ରାକ୍ଷସ ରାଜ୍ୟରୁ ଉଦ୍ଧାର କରୁନାହାନ୍ତି ? କଣ ମୋର ଅପରାଧ ହନୁମାନ ! ସତେ କଣ ପ୍ରଭୁ ମୋତେ ଭୁଲିଗଲେ ? ହନୁମାନ ! ରାବଣ ଦେଇଥିବା ସମୟ ଅବଧି ଅନୁଯାୟୀ ମାତ୍ର ଦୁଇମାସ ମୋର ଜୀବନ କାଳ। ସେହି ଦୁଇମାସ ଭିତରେ ମୋ ପ୍ରଭୁଙ୍କୁ ମୋ ପାଖକୁ ନେଇଆସ ମାରୁତି ।"


ମୁଁ ମାତାଙ୍କୁ କହିଲି.. ମୁଁ ଆପଣଙ୍କୁ ମୋ କାନ୍ଧରେ ବହନକରି ସାଗର ପାର ହୋଇ ପ୍ରଭୁଙ୍କ ପାଖକୁ ନେଇଯିବି, ମୋତେ ଆଦେଶ ଦିଅନ୍ତୁ। କିନ୍ତୁ ମାତା କଣ କହିଲେ ଜାଣନ୍ତି ପ୍ରଭୁ ? କହିଲେ.. ଏହାଦ୍ବାରା ପ୍ରଭୁ ଶ୍ରୀରାମଙ୍କର ଯଶବାନା କଳଙ୍କିତ ହେବ। ଶୃଗାଳ ରାବଣ ମୋତେ ଛଳନାରେ ଚୋରିକରି ନେଇ ଆସିଛି। ସିଂହ ଶ୍ରୀରାମ ଯେବେ ସେପରି କରିବେ, ସିଂହ ଓ ଶୃଗାଳ ଭିତରେ ପ୍ରଭେଦ କଣ ରହିଲା ହନୁମାନ ? ଇକ୍ଷ୍ବାକୁ ବଂଶର ଦୁଇ ସିଂହ ରାମ,ଲକ୍ଷ୍ମଣଙ୍କୁ ତୁମେ ମୋ ପାଖକୁ ଶୀଘ୍ର ନେଇଆସ। ଅହଙ୍କାର ଓ ଅନାଚାରର ଗଡକୁ ଶୀଘ୍ର ଧ୍ବଂସ କର ମାରୁତି।"


ମୋ' ସାକ୍ଷାତର ପ୍ରମାଣ ସ୍ବରୂପ ,କାନିରେ ବାନ୍ଧିଥିବା ମଥାମଣି ମୋ ହାତରେ ଦେଇ ମାତା କହିଲେ.. ହନୁମାନ ! ମୋ ଜନନୀ ସୁନୟନାଙ୍କ ପ୍ରଦତ୍ତ ଏହି ମଥାମଣି ମୋ ମଥାରେ ମୋ ଶ୍ବଶୁର ସ୍ନେହରେ ଲଗାଇ ଦେଇଥିଲେ। ଏହି ଅଳଙ୍କାର ମୋ ପ୍ରଭୁଙ୍କର ଅତି ପ୍ରିୟ।ମଧୁର ଦାମ୍ପତ୍ୟ ସ୍ନେହର ମୁକସାକ୍ଷୀ ଏହି ମଥାମଣିକୁ ଦେଖି ପ୍ରଭୁ ଜାଣିପାରିବେ ଯେ ମୋ ସହିତ ତୁମର ସାକ୍ଷାତ ହୋଇଛି।"


ହନୁମାନଙ୍କ ହାତରୁ ପ୍ରିୟତମା ସୀତାଙ୍କ ମଥାମଣି ନେଇ ବାରମ୍ବାର ହୃଦରେ ଲଗାଇ ଅଶ୍ରୁଳ ନେତ୍ରରେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ..ଏଇ ଦେଖ ଲକ୍ଷ୍ମଣ ସୀତାଙ୍କ ମଥାମଣି ।"

ଲକ୍ଷ୍ମଣ କହିଲେ.... ହଁ ଅଗ୍ରଜ,ଆପଣ ଚିହ୍ନି ପାରିଛନ୍ତି ଅର୍ଥ ନିଶ୍ଚୟ ତାହା ମାତା ଜାନକୀଙ୍କ ଅଳଙ୍କାର ହୋଇଥିବ। ମୁଁ ତ ସୀତା ମାତାଙ୍କ ପାଉଁଜି ବ୍ୟତୀତ ତାଙ୍କର ଅନ୍ୟ କୌଣସି ଅଳଙ୍କାର ଚିହ୍ନି ପାରିବି ନାହିଁ।"


ହନୁମାନ କହିଲେ...ପ୍ରଭୁ ! ଲଙ୍କା ବିଶାଳ ସାଗର ମଧ୍ୟରେ ଅବସ୍ଥିତ ଥିବାରୁ ମାତା ଜାନକୀ ସନ୍ଦେହ ପ୍ରକାଶ କରି କହିଲେ... ବିଶାଳ ସାଗର ଲଂଘନ କରି ଲଙ୍କା ଗଡରେ ପ୍ରବେଶ କରି ରାବଣକୁ ବିନାଶ କରିବା ସତରେ କ'ଣ ସମ୍ଭବ ହନୁମାନ ? ମୁଁ ଦିବାସ୍ବପ୍ନ ଦେଖୁନାହିଁ ତ ?ମାତାଙ୍କୁ ଆଶ୍ୱାସନା ଦେଇ ମୁଁ କହିଛି.. ଯେବେ ହନୁମାନ ଲଙ୍କା ଗଡରେ ପ୍ରବେଶ କରି ,ଆପଣଙ୍କ ସନ୍ଧାନ ନେଇ,ଲଙ୍କାକୁ ଜାଳିପୋଡି କୋକୁଆ ଭୟ ସୃଷ୍ଟି କରିପାରିଲା, ତାହେଲେ ସୁଗ୍ରୀବଙ୍କ ବିଶାଳ ମର୍କଟ ସେନାବାହିନୀ ପାଇଁ ଲଙ୍କାଜୟ କାହିଁକି ଅସମ୍ଭବ ବୋଲି ଆପଣ ଭାବୁଛନ୍ତି ?ଆପଣ ନିଶ୍ଚିନ୍ତ ରହନ୍ତୁ,ଅବିଳମ୍ବେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବିନାଶ କରି ଆପଣଙ୍କୁ ଉଦ୍ଧାର କରିବେ।


ମାତା ଜାନକୀଙ୍କ ଠାରୁ ବିଦାୟ ନେବା ସମୟରେ ସେ ମୋତେ ଆଶୀର୍ବାଦ ଦେଇ କହିଛନ୍ତି.. ହନୁମାନ,ମୋର କୁଶଳ ବାର୍ତ୍ତା ପ୍ରଭୁଙ୍କ ନିକଟରେ ପହଞ୍ଚାଇ, ଭ୍ରାତା ଲକ୍ଷ୍ମଣ ଏବଂ କିଷ୍କିନ୍ଧ୍ୟା ରାଜା ସୁଗ୍ରୀବଙ୍କୁ ମୋର ଶୁଭକାମନା ଜଣାଇବ।"


ହନୁମାନଙ୍କର ସଫଳ ଅନୁସନ୍ଧାନ ଯାତ୍ରାର ବିବରଣୀ ଶୁଣି ଆନନ୍ଦ ଗଦ୍'ଗଦ ହୋଇ ଶ୍ରୀରାମ କହିଲେ.. ହନୁମାନ,ତୁମେ ଯାହା କରିଛ, ତାହା ଅଦ୍ଭୂତ ଓ ଅଶ୍ରୁତପୂର୍ବ।


କ୍ରମଶଃ...


Rate this content
Log in

Similar oriya story from Classics