ସରଯୂ ନଦୀର ତୀରେ (୧୦)
ସରଯୂ ନଦୀର ତୀରେ (୧୦)
ଯେଉଁ ସମୟରେ ବିଶ୍ଵାମିତ୍ର ନିଜକୁ ବଶିଷ୍ଠଙ୍କଠାରୁ ବଡ଼ ତପସ୍ୱୀ ବୋଲି ପ୍ରମାଣିତ କରିବାକୁ ଆପ୍ରାଣ ପ୍ରୟାସ ଚଳାଇଥିଲେ ସେ ସମୟରେ ଏକ ରୋଚକ ଘଟଣା ଘଟିଲା।ସୂର୍ଯ୍ୟ ବଂଶରେ ତ୍ରିଶଙ୍କୁ ନାମକ ଜଣେ ରାଜା,ନିଜ ଶରୀରର ସୌନ୍ଦର୍ଯ୍ୟରେ ନିଜେ ଏତେ ବିମୋହିତ ହୋଇଥିଲେ ଯେ ନିଜର ସୁନ୍ଦର ଅବୟବକୁ ଚିତାଗ୍ନି ଗ୍ରାସ ନକରୁ ବୋଲି ସେ ଚାହୁଁ ଥିଲେ; ଅର୍ଥାତ୍ ସ୍ବଦେହରେ ସ୍ୱର୍ଗକୁ ଯାଇ ଦେବତା ମାନଙ୍କ ଆଗରେ ନିଜ ରୂପକୁ ନେଇ ବଡିମା ଦେଖାଇବାକୁ ଚାହୁଁଥିଲେ।
ସେ ମହାଶୟ ବ୍ରହ୍ମର୍ଷି ବଶିଷ୍ଠଙ୍କର ଜଣେ ପ୍ରିୟ ଶିଷ୍ୟ ମଧ୍ୟ ଥିଲେ। ବଶିଷ୍ଠଙ୍କ ଆଗରେ ନିଜ ଇଚ୍ଛା ବ୍ୟକ୍ତ କରି ସ୍ବଦେହରେ ସ୍ବର୍ଗକୁ ଯିବାପାଇଁ ଯେଉଁ ହୋମଯଜ୍ଞ ଅନୁଷ୍ଠାନ ଆବଶ୍ୟକ, ତାହା କରିବାପାଇଁ ଅନୁରୋଧ କଲେ।ବଶିଷ୍ଠ ମୃଦୁ ଭର୍ତ୍ସନା କରି କହିଲେ...ବତ୍ସ ! ତୁମେ ସୂର୍ଯ୍ୟ ବଂଶ ସମ୍ଭୂତ ଜଣେ ପ୍ରଜାବତ୍ସଳ ଉତ୍ତମ ରାଜା।ତୁମର ଏଭଳି ଇଚ୍ଛା ହାସ୍ୟାସ୍ପଦ। ମୃତ୍ୟୁ ପରେ ଶରୀର ଚିତାଗ୍ନିରେ ଭସ୍ମୀଭୂତ ହୋଇ ପଞ୍ଚତତ୍ତ୍ବରେ ମିଶିଯାଏ;କେବଳ ରହିଥାଏ ଯଶୋଦେହ। ଏପରି ଦୁଃରାଶା ମନରୁ ଦୂର କର ଏବଂ ନିଜ ଯଶକୁ ଅମର କରିବାପାଇଁ ପ୍ରୟାସ କର। ତାହା ତୁମକୁ ପ୍ରଜାଙ୍କ ହୃଦୟରେ ମଧ୍ୟ ଅମର କରିଦେବ।
କିନ୍ତୁ ରାଜାଙ୍କ ଝୁଙ୍କ ଲାଗିଥିଲା ସ୍ବଦେହରେ ସ୍ଵର୍ଗାରୋହଣ।
ନିରାଶ ହୋଇ ତ୍ରିଶଙ୍କୁ ବଶିଷ୍ଠଙ୍କ ପୁତ୍ର ମାନଙ୍କ ଆଗରେ ଏ ଦିଗରେ ସାହାଯ୍ୟ ଭିକ୍ଷା କଲେ।ଏପରି ଆଶା ପୂରଣ ହେବା ଅସମ୍ଭବ ବୋଲି ବଶିଷ୍ଠ କହିବା ସତ୍ତ୍ୱେ ତ୍ରିଶଙ୍କୁ ବାରମ୍ବାର ଅନୁରୋଧ କରିବାରୁ ଋଷିଙ୍କ ପୁତ୍ରମାନେ ତାଙ୍କୁ ବ୍ୟଙ୍ଗବିଦ୍ରୂପ କରି ବିତାଡିତ କରିଦେଲେ।ଋଷିପୁତ୍ରମାନଙ୍କ ଦ୍ବାରା ଅପମାନିତ ହୋଇ ତ୍ରିଶଙ୍କୁ କ୍ରୋଧିତ ହୋଇ କହିଲେ... ତୁମ୍ଭେମାନେ ଏବଂ ତୁମ୍ଭମାନଙ୍କ ପିତାଙ୍କର ଏହା ତପୋଶକ୍ତିର ବହିର୍ଭୂତ,ତେଣୁ ଜଣେ ଉତ୍ତମ ଋଷିଙ୍କ ପାଖକୁ ଗଲେ ସେ ମୋ ଅଭିଳାଷା ପୂରଣ କରିବେ"।ତ୍ରିଶଙ୍କୁ ଋଷିପୁତ୍ରମାନଙ୍କୁ ଅଧିକ ବିରକ୍ତ କରିବାରୁ ସେମାନେ କହିଲେ..ଏତେ ଆତ୍ମ ଗର୍ବ ତୁମର ! ତୁମେ ଏହିକ୍ଷଣି ଏକ ଚାଣ୍ଡାଳରେ ପରିଣତ ହୁଅ।"
ଋଷି କୁମାର ମାନଙ୍କ ଅଭିଶାପ ତକ୍ଷଣାତ୍ ଫଳବତୀ ହେଲା। ସକାଳୁ ଉଠି ଦର୍ପଣରେ ସେ ନିଜକୁ ଚିହ୍ନି ପାରିଲେ ନାହିଁ। କୁତ୍ସିତ ଶରୀର,ଚିରାଫଟା ଅଙ୍ଗବସ୍ତ୍ର ଦେଖି ରାଜପ୍ରାସାଦର କେହି ଅନ୍ତେବାସୀ ମଧ୍ୟ ତାଙ୍କୁ ଚିହ୍ନି ପାରିଲେ ନାହିଁ ଏବଂ ଗଳାଧକ୍କା ଦେଇ ପ୍ରାସାଦ ବାହାରକୁ ତଡିଦେଲେ।ଭୋକ ଉପାସରେ ଏଣେ ତେଣେ ବୁଲି ବୁଲି ପ୍ରାୟ ମୃତ୍ୟୁ ମୁଖରେ ପଡିବା ପୂର୍ବରୁ, ଭାଗ୍ୟବଳରୁ ବିଶ୍ବାମିତ୍ରଙ୍କ ଆଶ୍ରମ ପ୍ରାଙ୍ଗଣରେ ତ୍ରିଶଙ୍କୁ ପହଞ୍ଚିଲେ।
ଆଗନ୍ତୁକଙ୍କ ଦୁର୍ଦ୍ଦଶା ଦେଖି ଏବଂ ତପୋବଳରେ ତାଙ୍କ ପରିଚୟ ଜାଣି ଦୟାଦ୍ର ହୃଦୟରେ ବିଶ୍ଵାମିତ୍ର କହିଲେ..ଆପଣ ରାଜା ତ୍ରିଶଙ୍କୁ ନାଁ ? ଏପରି ଅବସ୍ଥା ଆପଣଙ୍କର କିଏ କଲା ?"
ଯାହାକିଛି ତାଙ୍କ ସହିତ ଘଟିଥିଲା ବର୍ଣ୍ଣନା କରି ତ୍ରିଶଙ୍କୁ ବିଶ୍ଵାମିତ୍ରଙ୍କ ପାଦତଳେ ପଡ଼ି କହିଲେ.. ମହାତ୍ମା ! ମୁଁ କଦାପି ଧର୍ମପଥରୁ ବିଚ୍ୟୁତ ହୋଇନାହିଁ, କୌଣସି ପାପ କର୍ମ କରିନାହିଁ କିମ୍ବା କାହାପ୍ରତି ଅନ୍ୟାୟ କରିନାହିଁ।ମୋର ଗୋଟିଏ ମାତ୍ର ଦୋଷ ଯେ ମୁଁ ସ୍ବଦେହରେ ସ୍ୱର୍ଗକୁ ଯିବା ଇଚ୍ଛା ମୋ ଗୁରୁ ବଶିଷ୍ଠ ଏବଂ ତାଙ୍କ ପୁତ୍ର ମାନଙ୍କ ଆଗରେ ବ୍ୟକ୍ତ କରିଛି। ସେଥିପାଇଁ ସେମାନେ ମୋତେ ଅଭିଶାପ ଦେଇ ଚଣ୍ଡାଳରେ ପରିଣତ କରିଛନ୍ତି;ଆପଣ ଦେଖୁଛନ୍ତି ତ ଆଉ କହିବି କ'ଣ?"
ବିଶ୍ବମିତ୍ର ସହଜରେ ଦୁଃଖିତ, ବିଚଳିତ, ପ୍ରଭାବିତ ଏବଂ କ୍ରୋଧିତ ହେଲାଭଳି ଏକ ଚରିତ୍ର ଥିଲେ।ତ୍ରିଶଙ୍କୁଙ୍କ କାହାଣୀ ତାଙ୍କୁ ବିଚଳିତ କଲା।ସେ ଭାବିଲେ ଏଭଳି ଜଣେ ଭଲ ରାଜା ସ୍ବର୍ଗକୁ ସ୍ବଦେହରେ ଯିବା ଉଚିତ୍। ତା'ଛଡା ଘଟଣା ବଶିଷ୍ଠଙ୍କ ସହିତ ସମ୍ବନ୍ଧିତ ଥିଲା; ବଶିଷ୍ଠ ଯାହା କରିନପାରିବେ, ତାହା ସେ କରି ଦେଖାଇବାକୁ ଚାହୁଁଥିଲେ। ତେଣୁ ସେ ତ୍ରିଶଙ୍କୁଙ୍କୁ କହିଲେ..ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କୁ ସ୍ବଦେହରେ ସ୍ବର୍ଗକୁ ପଠାଇବା ବ୍ୟବସ୍ଥା କରିବି"।
ସେଥିପାଇଁ ବିଶ୍ଵାମିତ୍ର ଏକ ବିରାଟ ଯଜ୍ଞର ଆୟୋଜନ କଲେ। ସେହି ଯଜ୍ଞକୁ ପୃଥିବୀର ସମସ୍ତ ମୁନିଋଷି ମାନଙ୍କୁ ନିମନ୍ତ୍ରଣ କରାଗଲା। କିନ୍ତୁ ବଶିଷ୍ଠ କିମ୍ବା ତାଙ୍କ ପୁତ୍ରମାନେ ସେଥିରେ ଯୋଗଦେଲେ ନାହିଁ।ଅନ୍ୟ ମୁନିଋଷିମାନେ ବିଶ୍ବାମିତ୍ରଙ୍କ କ୍ଷଣକୋପକୁ ଡରି ଯଜ୍ଞ ଅନୁଷ୍ଠାନରେ ଯୋଗ ଦେଲେ।ଯଜ୍ଞ ଅନୁଷ୍ଠାନରେ ଏପରି ଏକ ସମୟ ଆସିଲା ଯେତେବେଳେ ଦେବତାମାନଙ୍କୁ ଆହ୍ବାନ କରାଗଲା ଅବତରଣ କରି ପୂଜା ଗ୍ରହଣ କରିବାପାଇଁ। କିନ୍ତୁ କୌଣସି ଦେବତା ଏହି ଆହ୍ବାନକୁ ଗ୍ରହଣ କଲେନାହିଁ,କାରଣ ଯଜ୍ଞର ଉଦ୍ଦେଶ୍ୟ ସେମାନଙ୍କୁ ଜଣାଥିଲା।ଜଣେ ମନୁଷ୍ୟ ସ୍ବଦେହରେ ସ୍ବର୍ଗକୁ ଯାଉ, ସେମାନେ ଚାହୁଁ ନଥିଲେ।ଏହାର ଅର୍ଥ ଯଜ୍ଞ ବିଫଳ ହେଲା।ଯଜ୍ଞରେ ନିଜର ଅନିଚ୍ଛା ସତ୍ତ୍ବେ ଯୋଗ ଦେଇଥିବା ମୁନି ଋଷି ମାନେ ମନେ ମନେ ହସୁଥାନ୍ତି।
ଦେବତାମାନେ ଅବତରଣ ନକରିବାରୁ ମହାକ୍ରୋଧରେ ବିଶ୍ଵାମିତ୍ର ଆହୂତି ଦେଇ କହିଲେ...ଦେଖ ତ୍ରିଶଙ୍କୁ! ମୋ ତପ ଶକ୍ତି ବଳରେ କିପରି ମୁଁ ତୁମକୁ ସ୍ବଦେହରେ ସ୍ବର୍ଗକୁ ପ୍ରେରଣ କରୁଛି।
ଯଜ୍ଞ କୁଣ୍ଡରେ ଲେଲିହାନ ବହ୍ନିଶିଖା ଜଳି ଉଠିଲା। ଆହୂତି ଦେଇ ବିଶ୍ଵାମିତ୍ର କହିଲେ...ତ୍ରିଶଙ୍କୁ ! ସ୍ବଦେହେ ସ୍ବର୍ଗମ୍ ଗଚ୍ଛ।
ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତ୍ରିଶଙ୍କୁଙ୍କ ଶରୀର ସ୍ବଦେହରେ ସ୍ବର୍ଗଗାମୀ ହେଲା।ସ୍ବର୍ଗରେ ପ୍ରବେଶ କରିବା ସମୟରେ ଇନ୍ଦ୍ର ତ୍ରିଶଙ୍କୁଙ୍କୁ ତଳକୁ ଠେଲିଦେଇ କହିଲେ.. କୁତ୍ସିତ ଚାଣ୍ଡାଳ ଶରୀରଧାରୀ ଗୁରୁଦ୍ରୋହୀ ତ୍ରିଶଙ୍କୁ ! ସ୍ବର୍ଗରେ ତୁମର ସ୍ଥାନ ନାହିଁ।ତଳକୁ ଯାଅ।"
ତ୍ରିଶଙ୍କୁଙ୍କ ଶରୀର ଅଧୋମୁଖୀ ହେଲା।ଏହା ଦେଖି ପୁନର୍ବାର ଯଜ୍ଞରେ ଆହୂତି ଦେଇ ବିଶ୍ଵାମିତ୍ର କହିଲେ.. ଯେଉଁ ଠାରେ ଅଛ ସେଠାରେ ଅଟକି ଯାଅ ତ୍ରିଶଙ୍କୁ ! ତଳକୁ ଆସ ନାହିଁ। ସେହି ସ୍ଥାନରେ ମୁଁ ତୁମପାଇଁ ଏକ ଦ୍ଵିତୀୟ ସ୍ବର୍ଗ ସୃଷ୍ଟି କରିବି।"
ତ୍ରିଶଙ୍କୁଙ୍କ ଶରୀର ଆକାଶରେ ଜାଜ୍ଜ୍ୱଲ୍ୟମାନ ତାରା ଭଳି ଅଟକି ରହିଲା।ଦେବତାମାନଙ୍କ ଉପରେ କ୍ରୋଧିତ ହୋଇ ବିଶ୍ଵାମିତ୍ର କହିଲେ..ମୋ ତପୋବଳରେ,ବ୍ରହ୍ମାଙ୍କ ଭଳି ମୁଁ ମୋର ସ୍ଵତନ୍ତ୍ର ଆକାଶ,ତାରା ମଣ୍ଡଳ ଏବଂ ସ୍ବର୍ଗ ନିର୍ମାଣ କରିବି। ସେଠାରେ ସ୍ବତନ୍ତ୍ର ଇନ୍ଦ୍ର,ଚନ୍ଦ୍ର,ବରୁଣ ଓ ଅନ୍ୟାନ୍ୟ ଦେବତାଙ୍କୁ ମୁଁ ନିଯୁକ୍ତ କରିବି। ସେହି ସ୍ବର୍ଗରେ ସ୍ବଦେହରେ ଅବସ୍ଥାନ କରିବେ ତ୍ରିଶଙ୍କୁ।"
ବିଶ୍ବାମିତ୍ରଙ୍କର ସ୍ବତନ୍ତ୍ର ସ୍ବର୍ଗ ନିର୍ମାଣ ପ୍ରୟାସ ଦେଖି ଦେବତାମାନେ ପ୍ରମାଦ ଗଣିଲେ।ଏହା ସୃଷ୍ଟିର ନିୟମର ବ୍ୟତିକ୍ରମ ହେବ,ସନ୍ଦେହ ନାହିଁ।ସମସ୍ତ ଦେବତା ଯୋଡ ହସ୍ତରେ ବିଶ୍ଵାମିତ୍ରଙ୍କୁ କହିଲେ..କ୍ରୋଧ ସମ୍ବରଣ କର ମହାତ୍ମା !
ଆପଣ ଯେଉଁ ନଭମଣ୍ଡଳ ସହିତ ତାରକାପୁଞ୍ଜ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ତ୍ରିଶଙ୍କୁ ଜାଜ୍ଜ୍ୱଲ୍ୟମାନ ହୋଇ କାଳ କାଳ ପାଇଁ ରହନ୍ତୁ, ଠିକ୍ ଆପଣଙ୍କ ଚିରଭାସ୍ବର କୀର୍ତ୍ତି ଭଳି।ଆପଣ ଆମ୍ଭମାନଙ୍କର ମିତ୍ରତା ଗ୍ରହଣ କରନ୍ତୁ। ଦ୍ବିତୀୟ ସ୍ବର୍ଗ ନିର୍ମାଣ ବନ୍ଦ୍ କରନ୍ତୁ।"
ଦେବତାମାନଙ୍କର ସୁମଧୁର କଥାରେ ବିଶ୍ବାମିତ୍ରଙ୍କ କ୍ରୋଧ ଶାନ୍ତ ହେଲା,ଯଜ୍ଞାଗ୍ନି ଶୀତଳ ବାରିରେ ନିର୍ବାପିତ ହେଲାଭଳି।
ବିଶ୍ଵାମିତ୍ରଙ୍କର ଏହି କାର୍ଯ୍ୟ ଯୋଗୁଁ ତାଙ୍କର ତପୋଶକ୍ତି ବିଶେଷ ଭାବେ କ୍ଷୀଣ ହୋଇଗଲା।ସେ ହୃଦୟଙ୍ଗମ କଲେ, ପୁନର୍ବାର ଘୋର ତପସ୍ୟା କଲେ ହିଁ ସେ ପୂର୍ବ ଶକ୍ତି ଫେରି ପାଇବେ। ତେଣୁ ସେ ପଶ୍ଚିମ ଦିଗକୁ ଯାଇ ପୁଷ୍କର କ୍ଷେତ୍ରରେ ଘୋର ତପସ୍ୟାରେ ନିଜକୁ ନିୟୋଜିତ କଲେ।
