ସ୍ବପ୍ନରେ ଜଣେ ଶାସକ (ପ୍ରଥମ ଭାଗ )
ସ୍ବପ୍ନରେ ଜଣେ ଶାସକ (ପ୍ରଥମ ଭାଗ )
ମୋ ମସ୍ତିଷ୍କର ଇଛାମାନେ ବିଭିନ୍ନ ବର୍ଗର, ସମସ୍ତଙ୍କର ଲକ୍ଷ୍ୟ ଅଲଗା । ସେମାନେ ବହୁରୂପୀ କେତେବେଳେ ବି ବଦଳି ଯାଇପାରନ୍ତି । ବେଳେବେଳେ ସେମାନଙ୍କୁ ଆୟତରେ ଆଣିବାକୁ ପଡ଼େ । ମୋ ଇଛାମାନଙ୍କୁ ଜଣେ ଜଣେ ପୁରୁଷ ଓ ମହାପୁରୁଷରେ ବିଭକ୍ତ କରାଯାଇଛି । କିଏ ପାଠ ପଢି ବଡ଼ ମଣିଷ ହେବ, କିଏ ଲେଖକ, ଚିତ୍ରକର, ସମାଜସେବୀ, ଶାସକ ହେବ ଇତ୍ୟାଦି ଇତ୍ୟାଦି । ଏ ମଧ୍ୟରୁ କାହାକୁ ବାଛିବି ? କ'ଣ ହେବି ? ଏଭଳି ପ୍ରଶ୍ନର ଉତ୍ତର ବାଛିବା ଅଧିକ କଷ୍ଟସାଧ୍ୟ ଥିଲା । ଏସବୁ ଲକ୍ଷ୍ୟମାନଙ୍କ ଭିତରୁ ଏବେ ଅନେକ ପୁରୁଷ ଇଛା ସମାଧିସ୍ଥ ହୋଇ ସାରିଲେଣି ।
ପୁରୁଷ ଇଛାମାନେ ଅମାବାସ୍ୟା ଘନ ଅନ୍ଧାର ରାତିରେ ସାମୁକା ଭଳି ଜାକିଜୁକି ହୋଇ ଶୋଇ ପଡିଛନ୍ତି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ । ନିଦର ଘୁଙ୍ଗୁଡି ଅଢୁଆଲରେ ମୋ ଇଛା ସ୍ବପ୍ନ ହୋଇଗଲା ପରେ ଆକାଶରୁ ହଠାତ୍ ସୂର୍ଯ୍ୟ ରଶ୍ମି ସହ କେତେଜଣ ଡେଣାମେଳି ଝୁଲି ରହିଥିଲେ ମୋ ମୁଣ୍ଡ ଉପରେ । ମତେ ତଥାସ୍ତୁ କହି "ତୁ ରାଜା ହେବୁ !" କହୁଥିବାର ଅନିଶ୍ଚିତ ଭବିଷ୍ୟ କଥା ଶୁଣିବାକୁ ପାଇଲି । ତା ପରବର୍ତ୍ତୀ ମୋ କାହାଣୀ...
ଅନ୍ୟମାନେ ଡେଣା ମେଲାଇ ଉଡ଼ି ବୁଲୁଥିଲେ ଛୋଟ ବଡ଼ ପରୀ ହୋଇ । ସ୍ବପ୍ନର ଦୁନିଆରେ ଅମାନିଆ ଝିପିଝିପି ବର୍ଷା, ସେଇ ବର୍ଷାରେ ନାଚୁଥିଲେ ଗୋଟିଏ ବର୍ଷା ଭିଜା ସିନେମାର ଦୃଶ୍ୟ ଭଳି । କଣ୍ଠ ଶିଳ୍ପୀ ଇଛାମାନେ ଗାଉଥାନ୍ତି ସାତ ସୁର ସଂଗୀତ ଓ ଚିତ୍ରଶିଳ୍ପୀମାନେ କାନଭାସରେ ଆଙ୍କୁଥିଲେ ରଙ୍ଗବେରଙ୍ଗର ଚିତ୍ରପଟ୍ଟ । ଯୋଦ୍ଧା ଇଛାମାନେ ବୀରତ୍ବର ପରିଚୟ ଦେଇ ସାମ୍ରାଜ୍ୟ ରକ୍ଷା କରୁଥିବା ବେଳେ ବୈଜ୍ଞାନିକ ଇଛାମାନେ ଚନ୍ଦ୍ର ପୃଷ୍ଠକୁ ଯିବା ଆସିବା କରି ସେଠାରେ ପ୍ରେମିକା ପାଇଁ ଘର ତୋଳିବାକୁ ଅଦମ୍ୟ ଅଭିପ୍ରୟାସ କରୁଥାନ୍ତି ।
ହଁ ପ୍ରେମିକ ଇଛାମାନେ ପ୍ରେମ କରୁଛନ୍ତି କିନ୍ତୁ ନିଃଶବ୍ଦ ରାତ୍ରିରେ ଅନ୍ୟର ସ୍ବପ୍ନ ଦୁନିଆକୁ ଯାଇ ପ୍ରେମିକାମାନଙ୍କ ସହ ପ୍ରଣୟ କରୁଛନ୍ତି ନଚେତ୍ ଜୋର୍ ଜବରଦସ୍ତି ଧର୍ଷଣ ହେଉଛି । ସେଇ ପ୍ରେମିକ ଇଛାମାନେ ନିଶାସକ୍ତ ଅବସ୍ଥାରେ ମୋ ଅତି ପ୍ରିୟ ଇଛାମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଦେଉଥିଲେ । ଏହା ମତେ କୃର ମନେ ହେଲା । ପାପ ଓ ପୂଣ୍ୟର ନିକିତିରେ ପାପ ଭାରୀ ହେଲା ବେଳକୁ ବାକି ଇଛାମାନେ ତାଙ୍କର ଶକ୍ତ ଆଘାତରେ ନିଜକୁ ଲୀନ କରିବାରେ ବିଳମ୍ବ କରୁନଥିଲେ ।
ସ୍ବପ୍ନ ରାଇଜର ଇଛାମାନେ ଭ୍ରୁଣ-ବାଳକ-କିଶୋର ପରି ସ୍ତର ଅତିକ୍ରମ କରି ଯୌବନରେ ପଦାର୍ପଣ କରୁଛନ୍ତି । ମୁଁ ବି ସେ ଭିତରୁ ଜଣେ । ସରଳ, ଶାନ୍ତ ଓ ନିଷ୍କପଟରୁ ଲମ୍ପଟ, ପାପୀ ଓ ଅସାଧୁକୁ ପ୍ରତ୍ୟାବର୍ତ୍ତନ କରୁଥିବାର ନଜରରେ ଆସୁଛନ୍ତି । ସେମାନଙ୍କୁ କିଛି ଜ୍ଞାନୀ,ସାଧୁ ଓ ମୁଁ ଆୟତକୁ ଆଣୁଛୁ ତଥାପି ନିଜ ନିଜ ଭିତରେ ଲଢେଇ କରି ଲହୁଲୁହାଣ ହେଉଛନ୍ତି ।
ଜାଣିବାକୁ ଇଛା କଲି ସେମାନେ କ'ଣ ଚାହୁଁଛନ୍ତି ?
ସଂଘର୍ଷମୟ ମସ୍ତିଷ୍କର ଅସନ୍ତୁଳନ ବିଗିଡି ଯିବାରୁ ସମସ୍ତଙ୍କ ମନରେ ଚିନ୍ତାର ପରିମାଣ ଆପେ ଆପେ ବଢିବାକୁ ଲାଗିଲା । ସମସ୍ତେ ଚିନ୍ତିତ ହୋଇପଡ଼ିଲେ । ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିଲା । ନିଜ ନିଜ ଭିତରେ ଅନେକ ଆଲୋଚନାର ଦ୍ବନ୍ଦ ସୃଷ୍ଟି ହେଲା ପରେ ଶେଷରେ ସମସ୍ତଙ୍କ ସମର୍ଥନ ସତ୍ତ୍ୱେ ସୀମା ନିର୍ଦ୍ଧାରଣ କରାଯାଇ ନଥିବା ଭୌଗୋଳିକ ସାମ୍ରାଜ୍ୟରେ ସଭାର ଆୟୋଜନ କରାଗଲା । ଦୂରଦୂରାନ୍ତରୁ ବଡ ବଡ ହସ୍ତି , ଯୋଗୀ , ତପସ୍ବୀମାନଙ୍କୁ ନିମନ୍ତ୍ରଣ କରିଦେଲୁ । ଶାନ୍ତ ଶୀତଳ ପାହାଡ଼ିଆ ପରିବେଶ,
ଜଳ, ବୃକ୍ଷଲତା, ପତ୍ର ଓ ପୁଷ୍ପରେ ଭରି ରହିଥିବା ସ୍ଥାନକୁ ସଭା ପାଇଁ ବଛାଗଲା । ଗୋଟିଏ ସୁନ୍ଦର ବଡ଼ ଫୁଲ ସହ ଅନେକ ଗୁଡ଼ିଏ ପତ୍ର ଫୁଲରେ ଇଛାମାନେ ବସି ମହା ଆନନ୍ଦରେ ଝୁଲି ଝୁଲି ବସିବାର ବ୍ୟବସ୍ଥା କରାଗଲା । ପଣ୍ଡିତ, ଗୁଣିଜ୍ଞାନୀ ଇଛାମାନଙ୍କ ପାଇଁ ସ୍ବତନ୍ତ୍ର ଫୁଲ ଆସନର ବ୍ୟବସ୍ଥା ହୋଇଥିଲା । ମତେ ବି ସେଇ ସ୍ବତନ୍ତ୍ର ଫୁଲରେ ହିଁ ବସିବାକୁ ଦିଆଗଲା । ମୁଁ ଗୋଟିଏ କୋଣରେ ଚୁପ୍ ହୋଇ ବସିରହିଲି ।
ଜଣେ ଯଶସ୍ବୀ ବୟସ୍କ ଇଛା ଦ୍ବାରା ସଭାର ପ୍ରାରମ୍ଭ ହେଲା । ଅନେକ ସମସ୍ୟା ବିଷୟରେ କଥାବାର୍ତ୍ତା ଚାଲିଥାଏ । ବିଭିନ୍ନ ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ଲେଖାଯାଉଥାଏ ।
ମୁଁ ଫୁଲର ପାଖୁଡ଼ା ଦୁଇଟିକୁ ଧରି ଠିଆହୋଇ ବଡ଼ ପାଟିରେ କହିଲି - "ଇଛାମାନଙ୍କୁ ସମୟ ଅନୁସାରେ ସ୍ବତନ୍ତ୍ରତା ଦିଆଯାଉ ସେମାନେ ସ୍ଥିତି ଓ ସମୟ ଅନୁଯାୟୀ କାର୍ଯ୍ୟ କରନ୍ତୁ ସମସ୍ତଙ୍କର ଅଧିକାର ଅଛି ।" ସମସ୍ତେ ମୋ ଆଡ଼କୁ ଏକ ଲୟରେ ଚାହିଁରହିଲେ । ଭୁଲ୍ କହିଦେଲି କି ?
କିଛି ସମୟ ତାଙ୍କ ତାଙ୍କ ଭିତରେ କଥାବାର୍ତ୍ତା କଲେ । ଏ ପର୍ଯ୍ୟନ୍ତ ରାଜାର ସିଂହାସନ ଖାଲି ପଡ଼ିଥାଏ । କାହାକୁ କରିବେ ରାଜା ? ଏତେ ବଡ଼ ସାମ୍ରାଜ୍ୟର କୁଳାଧିପତି !
ମୋ ବାଲ୍ୟବନ୍ଧୁ ଚିତ୍ରକର ମୋ ପାଖକୁ ହଠାତ୍ ଉଡିଆସି ମତେ ନଦୀ ପାଖକୁ ଡାକିନେଲା । ବଡ଼ ଉପରେ ଚଟାଣରେ ବସି ପଚାରିଲା- "ତୁ ଭୁଲ କହି ଦେଲୁ କି ?" ମୁଁ ବିସ୍ମିତ ହୋଇ କହିଲି - "ହୋଇଥାଇପାରେ !"
ଟିକିଏ ବିଳମ୍ବରେ ଦୁହେଁ ସଭାସ୍ଥଳକୁ ଫେରିଆସିଲୁ । ଛୋଟ ଛୋଟ ଫୁଲ ଗୁଡ଼ିକରେ ଆମକୁ ସ୍ବାଗତ କରାଯାଉଥାଏ ଆମେ ଆଶ୍ଚର୍ଯ୍ୟ ହୋଇ ନିଜ ଆସନ ଆଡକୁ ବଢିଲୁ । ସମସ୍ତେ ନିଜ ନିଜ ଆସନରୁ ଉଠିପଡି ସମ୍ମାନ ଜଣାଉଥିଲେ । ମତେ ପ୍ରଥମେ ଅପମାନିତ ବୋଧ ହେଲା ।
ଜଣେ ତପସ୍ବୀ ମହାଶୟ ସମସ୍ତଙ୍କୁ ଶାନ୍ତ କରାଇ କହିଲେ-"ଆପଣଙ୍କୁ ଆମ ସମସ୍ତଙ୍କ ସ୍ବୀକୃତି ପରେ ଏ ସାମ୍ରାଜ୍ୟର ସମ୍ରାଟ ରୂପେ ଘୋଷଣା କରାଯାଇଛି । ଆପଣ ରାଜାର ସିଂହାସନ ଆରୋହଣ କରନ୍ତୁ ପୁଣି ଏ ସଭାକୁ ଆଗକୁ ନେଇଚାଲନ୍ତୁ ।"
ମୋ ହୃଦସ୍ପନ୍ଦନ କିଛି ସମୟ ପାଇଁ ବ୍ୟାକୁଳ ହୋଇଗଲା । କ'ଣ ସବୁ କହିବି ବୋଲି ଜଣେ ରାଜା ପରି ଭାବିବାକୁ ଲାଗିଗଲି ।
ସିଂହାସନରୁ ଉଠି ସପଥ ନେଲି - "ମୁଁ ସମ୍ରାଟ ମନୋହର ସିଂ ଲୁଇସ୍ ସପଥ ନେଉଛି ଯେ ଆମ ସାମ୍ରାଜ୍ୟର ସୁଖସୁବିଧା, ଉନ୍ନତି ପାଇଁ ଠିକ୍ ସମୟରେ ଉଚିତ୍ ନିସ୍ପତି ନେବି । ହିଂସା, କ୍ରୋଧିତ, ଇର୍ଷାନ୍ବିତ ଇଛାମାନଙ୍କ ପାଇଁ ଉଚିତ ନିୟମ ପ୍ରଣୟନ କରିବି । ସମସ୍ତଙ୍କ ମଙ୍ଗଳ ପାଇଁ କାର୍ଯ୍ୟକରିବି ।"
ସମସ୍ତେ ତାଳିମାରି ଅଭିବାଦନ ଜଣାଇଲେ । ବିଜ୍ଞ ଓ ଶକ୍ତିଶାଳି ଭାରତ ନନ୍ଦାଙ୍କୁ ମୋର ମହାମନ୍ତ୍ରୀର ଦର୍ଜା ଦିଆଗଲା । ଚିତ୍ରକରଙ୍କୁ ସାମ୍ରାଜ୍ୟର ନକ୍ସା ପାଇଁ ଦାୟିତ୍ବ ଦିଆଗଲା ।
ମୁଁ ଜଣେ ସମ୍ରାଟର କର୍ତ୍ତବ୍ୟ ଅନୁସାରେ ହାତଗଣତି କେତେ ବର୍ଷ ନୂଆ ରୂପ, ଢଙ୍ଗ ଓ ନୂଆ ମୋଡରେ ସାମ୍ରାଜ୍ୟ ବିସ୍ତାର କଲି । ଅଜାଣତରେ ମୋ ସାମ୍ରାଜ୍ୟର ଇଛାମାନେ ବହୁଗୁଣିତ ହେବାରେ ଲାଗିଲେ ପୁଣି ସେମାନଙ୍କର ସଂଖ୍ୟା ବୃଦ୍ଧି ହେବାରେ ଲାଗିଲା । ସେମାନେ ସଂପୂର୍ଣ୍ଣ ସ୍ବାଧୀନ ଭାବରେ ଇତସ୍ତତଃ ବିତରଣ କରିବାରେ ଲାଗିଗଲେ । ଥରେ ଥରେ ଭୟ ଓ ହତାଶା ବୋଧହୁଏ ଯେ ଯଦି ବିଦେଶୀ ଇଛାମାନଙ୍କ (ସାଙ୍ଗ ଓ ସ୍ତ୍ରୀ ଲୋକର ଇଛାମାନେ) ସହ କବଳିତ ହୋଇଯିବେ ତେବେ ସାମ୍ରାଜ୍ୟରେ ବଡ଼ ସମସ୍ୟା ଦେଖାଦେବ।
ବାକି ପରବର୍ତ୍ତୀ ଅଧ୍ୟାୟକୁ ଅପେକ୍ଷା କରନ୍ତୁ...