ଏଇ ଏବେ ଏବେ ବୁଝାପଡେ
ଏଇ ଏବେ ଏବେ ବୁଝାପଡେ
ପତ୍ର ଝଡା ଦେଲା ବେଲେ କେହି ଆସୁନଥିଲେ । ଏବେ ମୁଁ କଁଅଳ ପତ୍ରରେ ଭର୍ତ୍ତି ପୂର୍ଣ୍ଣ ବୃକ୍ଷଟିଏ, ସମସ୍ତେ ମୋ ଛାଇରେ ବସୁଛନ୍ତି । କେତେ ଦଶନ୍ଧିରୁ ଗାଁ ରାସ୍ତା କଡ଼ରେ ଠିଆ ହୋଇଛି ସେ କଥା ପାଖରେ ଥିବା ବୁଢ଼ା ବରଗଛ ଭଲଭାବରେ ଜାଣେ ।
ମୋ ଛାଇ ମୂଳକୁ ଆସି କିଏ କିଏ କଥା ହେଉଥିଲେ, କାଳେ ମୁଁ ବଡ଼ ହୋଇଗଲିଣି । ମୋ ହାଡ଼ ମାଂସ (କାଠ) ବହୁତ୍ ଶକ୍ତ ବୋଲି ବିନା ଦ୍ୱିଧା କରି ବଡ଼ ପାଟିରେ କଥା ହେଉଥିଲେ !! ମୁଁ ମଣିଷର ବହୁତ୍ କାମରେ ଆସେ ତେଣୁ ସେମାନେ ମତେ କାଟି ଦେବା ବିଷୟରେ ସମୟ ଧାର୍ଯ୍ୟ କରୁଥିଲେ ।
ଦିନକର କଥା ଏଇ ଧୂ ଧୂ ଖରାରେ କେତେ ଜଣ ଆସି, ଚାଷ ବିଷୟରେ ଅନେକ ଆଲୋଚନା କଲେ । ମୁଁ ଭାବିଲି, ଯାହା ହେଉ ତାଙ୍କ ଜମିରେ ଚାଷ କଲେ ଛୋଟ ଛୋଟ ବୃକ୍ଷମାନେ ଆରାମରେ ବଢିପାରିବେ। ହେଲେ ନା..ନା.. !! ହିଡରେ ଯେତେ ଗଛ ଅଛି ତାକୁ କାଟି ଦେଲେ ଚାଷ ଅଧିକ ହେବ ନଚେତ୍ ସେଇ ଗଛର ଛାଇରେ ଚାଷ କମ୍ ପରିମାଣରେ ହେବ ବୋଲି ମନ୍ତବ୍ୟ ଦେଉଥିଲେ ।
ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ଦିନର କାଟିବା କଥାରୁ ମନେ ପଡ଼ିଲା । ଗତ ବର୍ଷା ଋତୁରେ ଜଣେ ଆସି, ମୋ ଗୋଟିଏ ବାହୁକୁ କାଟିଲା ବେଲେ ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରିଥିଲି ସେ କଥା ମୁଁ ଆଜି ମନେ ରଖିଛି । ଆଉ ଯେତେ ରୁଧିର ବହୁଥିଲା ତାକୁ ପୋଛିବାକୁ ତ ଦୂରର କଥା, ଦେଖିବାକୁ କେହି କୃର ମନୁଷ୍ୟ ଆସିନ ଥିଲେ, ସେକଥା ବି ମନେ ଅଛି । ହେଲେ ମୋ ବଡ଼ ଭାଇ ମାଟି ଭିତରେ ମୋ ଗୋଡ଼ ଚିପି ସାନ୍ତ୍ବନା ଦେଇଥିଲେ । ତଥାପି ଏକା ଘୁମୁରି ଘୁମୁରି ବହୁତ କାନ୍ଦିଥିଲି ।
ଅବଶ୍ୟ ବୁଢା ବରଗଛ ମତେ ବହୁତ୍ ବୁଝେଇଥିଲା..."ଏ ସଂସାରରେ ଯିଏ ଉପରକୁ ସିଧା ହୋଇ ଉଠିଯାଏ ତାକୁ ତଳେ କଚାଡିବାକୁ ଏ ମନୁଷ୍ୟ ଜାତି ସବୁଠାରୁ ପ୍ରଥମେ ଧାଇଁ ଆସନ୍ତି ।"
ସେତେବେଳ ଯାଏଁ ମୁଁ ସଁଅକି ସଁଅକି କନ୍ଦୁଥିଲି ।
ବୁଢ଼ା ବରଗଛକୁ ପଚାରିଲି..."ମୁଁ ତ ଆଉ ବଙ୍କା ହୋଇ ପାରିବି ନାହିଁ, ଆଉ ଉପାୟ କ'ଣ ଅଛି ?? "
ବୁଢ଼ା ବରଗଛ- "ତତେ ଯେତେବେଳେ ମୂଳରୁ କାଟିଦେବେ ସେତେବେଳେ ବଙ୍କାହେଇ ବଢିବୁ !!"
ଏଥର ମୁଁ ଟିକିଏ ମନ ଭରି ହସିଲି...କାରଣ ସେମାନେ ଆଉ ମତେ କିଛି କରି ପାରିବେ ନାହିଁ ।
ଗ୍ରୀଷ୍ମ ପ୍ରବାହରେ ପୁନଃସ୍ଥାପନ ହୋଇ ମୋ ଡାଳପତ୍ର ପବନରେ ଦୋଳି ଖେଲୁଛନ୍ତି । ନଦୀ ନାଳ ଶୁଖି ଯାଇଛି । କାହିଁ କେତେ ଦୂରୁ ଗୋଲିଆ ପାଣି ପିଇ ଫେରିଥିବାର, ପକ୍ଷୀମାନେ ଏ ଡାଳରୁ ସେ ଡାଳକୁ ଡେଇଁ ପାଣି ଓ ଶୋଷ ବିଷୟରେ କଥା ହେଉଥାନ୍ତି ।
ଦିନ ମଧ୍ୟାହ୍ନବେଳାରୁ ଏ ମଣିଷ ଜାତି ଶୋଇ ପଡିଛନ୍ତି କି କେମିତି କେଜାଣି ଗାଁ ଟା ସାରା ନିଃଶବ୍ଦ ଓ ନିଶ୍ଚଳ ହୋଇ ଯାଇଥାଏ ।
ଅପରାହ୍ନ ରେ ଦୁଇଜଣ ଯୁବକ ଆସି ମୋ ଛାଇ ତଳେ ବସି କଥା ବାର୍ତ୍ତା ହେଉଥିଲେ । ତାତି ବଢିବା ସାଙ୍ଗେ ସାଙ୍ଗେ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ହେବାରେ ଲାଗିଛି । ରୋଗୀର ମୃତ୍ୟୁ ସଂଖ୍ୟା ଶିଖର ଛୁଇଁବାକୁ ଯାଉଛି । ମଣିଷକୁ ମଣିଷ ଛୁଇଁବାକୁ ଡରୁଛନ୍ତି । ରୋଗୀର ଶବ ଘରକୁ ଫେରୁନି...ଇତ୍ୟାଦି ଇତ୍ୟାଦି...।
ବିସ୍ମୟରେ ମୁଁ ପ୍ରଥମ ଥର ପାଇଁ ଚମକିପଡ଼ିଲି ଓ ବିଧାତା ପାଖରେ ଖୁସି ଜାହିର୍ କଲି,,,"ଯାହା ହେଉ ପ୍ରଭୁ ମଣିଷକୁ ସୁଧୁରିବାକୁ ଗୋଟିଏ ସୁଯୋଗ ଦେଉଛ,ଏବେବି ମଣିଷ ବୁଝିଗଲେ ଆମ୍ଭେମାନେ ବଞ୍ଚିଯିବୁ !!
ସାମ୍ନାରେ ଥିବା ମୋ ବଡ଼ଭାଇର ଡାଳରେ ଡାଳ ରଖି ନିଶ୍ବାସ ନେଲି, ସେ ମତେ ଏକ ଲକ୍ଷ୍ୟରେ ଅନେଇଲେ...ଯାହାର ହାତ ଧରି ଓ ସ୍ପର୍ଶ ପାଇ ମୁଁ ଏତେ ବଡ଼ ହେଇଛି ସେ ସବୁବେଳେ ମୋ ଦୁଃଖ ସୁଖରେ ଭାଗିଦାରୀ ହୋଇଥାଏ । ମୁଁ ତା ପାଖରେ ସବୁବେଳେ ଋଣୀ ହୋଇ ରହି ଯାଏ । ଆଜି ବି ତା ଭାଗର ଅଇଁଠା ଖାଦ୍ୟ ମୁଁ ଖାଏ, ମୁଁ ଜାଣେ ସେ ଭୋକରେ ଥିଲେ ବି ଅଳ୍ପ ଖାଇଦେଇ ମତେ ଖାଇବାକୁ କହିଦିଏ ।
କିଛି ଦିନ ପରେ...
ଦୁଇ ଜଣ ଡାଙ୍ଗିଆ ଧରି ମୋ ଛାଇ ତଳକୁ ଆସିଲେ ଓ ମୋ ବଡ଼ ଭାଇକୁ ମୂଳରୁ କାଟି ଦେବା ପାଇଁ କଥା ବାର୍ତ୍ତା ହେଲେ । ମୁଁ ସହ୍ୟ କରିପାରିଲି ନାହିଁ, ଗୋଟିଏ ଶୁଖିଲା କାଠ ସେମାନଙ୍କ ଉପରକୁ ଫୋପାଡିଲି । ଟିକେ ଟିକେ ବଞ୍ଚିଗଲେ । ଦୁହେଁ ବଡ଼ଭାଇର ପାଖକୁ ଗଲେ ଓ ଟାଙ୍ଗିଆରେ ହାଣିବାକୁ ଲାଗିଲେ...ତାକୁ ନ କାଟିବା ପାଇଁ ମୁଁ ଜୋର୍ ରେ ରଡିଲି !! କେହି ଶୁଣିଲେ ନାହିଁ... ଦୁଇ ଜଣ ଦୁଇ ପଟୁ ଯୋର୍ ଯୋର୍ ରେ ବାଡେଇଲେ...!!! ମୁଁ କିଛି ସମୟ ବେହୋସ୍ ହୋଇଗଲି ।
ଚେତା ଫେରିଲା ବେଲକୁ ବଡ଼ଭାଇର ଚିତ୍କାର ଓ ଟାଙ୍ଗିଆର ଠକ୍ ଠକ୍ ଶବ୍ଦ ପ୍ରତିଧ୍ୱନିତ ହେଲା...।
ବୃଦ୍ଧାବସ୍ଥାରେ ବଡ଼ଭାଇର ଯେଉଁ କାନ୍ଦ ଓ ଯନ୍ତ୍ରଣାରେ ଛଟପଟ ମୋ ଆଖିକୁ ଦେଖାଗଲା ନାହିଁ । ଭାଇ ଧିରେ ଧିରେ ଆଖି ବନ୍ଦ କରିବାକୁ ଲାଗିଲେ । ଶେଷଥର ପାଇଁ ମୋ ଆଡକୁ ଚାହିଁଲେ, ନିଜ ଦାୟିତ୍ବ ବୁଝିବାକୁ ପରାମର୍ଶ ଦେଲେ...ମୁଁ କିଛି ବି କରି ପାରିଲି ନାହିଁ...ମୋ ଆଖି ସାମ୍ନାରେ ଦେଖୁ ଦେଖୁ ମୋ ବଡ଼ଭାଇ ଭୂଇଁରେ ଲୋଟିପଡିଲେ ଆଉ ତାକୁ ଛୁଇଁବାକୁ ବହୁତ୍ ଚେଷ୍ଟା କଲି ଛୁଇଁ ବି ପାରିଲି ନାହିଁ । ମୁଁ ବଡ଼ ପାଟିରେ ଚିତ୍କାର କଲି କେହି ମୋ ଆଡକୁ ଅନେଇଲେ ନାହିଁ । ବଡଭାଇର ବିଶାଳ ଶରୀର ଦେଖୁ ଦେଖୁ ଖଣ୍ଡବିଖଣ୍ଡିତ ହୋଇଯାଉଥିଲା ।
ମୁଁ ନିସ୍ତବ୍ଧ ଓ ନିସ୍ତେଜ ହୋଇ ପୁଣି ଥରେ ଅଚେତ୍ ହୋଇଗଲି...
ଏଥର କାନ୍ଦି କାନ୍ଦି ବୁଢା ବରଗଛ ମତେ ପ୍ରକୃତିସ୍ଥ କରାଇଲେ..
ସେ ମତେ ପ୍ରତିଶୋଧ ନେବା ପାଇଁ କହିଲେ । ମୁଁ ବୁଝିଗଲି...ଆ..ଉ
ମୁଁ ଏବେ ଯାଏଁ ସେଇ ଦିନର ଅପେକ୍ଷାରେ ଅଛି, ଯେଉଁ ଦିନ ମଣିଷ ମୋ ବଂଶ ପରି ଲୋପ ହେବାରେ ଲାଗିବ ସେଇଦିନ ମୁଁ ହସି ହସି ଶୁଖିଲା କାଠ ହୋଇ ମଣିଷର ଶବ ଜାଳିବାରେ ନିଜକୁ ଜଳାଞ୍ଜଳି କରିଦେବି ।
ଏ ମନୁଷ୍ୟ ଜାତି ସବୁ ଜୀବଜନ୍ତୁର ଦୁଃଖର କାରଣ ସାଜିଛି...!!! ପୃଥିବୀର ଅସନ୍ତୁଳନ ଫଳରେ ଏଇ ଶିକ୍ଷିତ ମଣିଷ ନିଜର ସ୍ବାର୍ଥ ହାସଲ ଓ ବିଳାସପୂର୍ଣ୍ଣ ଭୋଗ ବିଳାସ ପାଇଁ ଅଶିକ୍ଷିତ ବ୍ୟବହାର କରୁଛି । ତେଣୁ ତ ଆଜି ମଣିଷର ଅବସ୍ଥା ଶୋଚନୀୟ ସ୍ଥିତିରେ ପଡ଼ିଛି ।।
