STORYMIRROR

Tankadhar Majhi

Tragedy Inspirational Thriller

3  

Tankadhar Majhi

Tragedy Inspirational Thriller

ଆଉ ତା ପରେ

ଆଉ ତା ପରେ

5 mins
245



    ଅନ୍ଧାର ଟା ଏମିତି ଭାବରେ ଘନେଇଲା ଯେ ଆକାଶରେ ତାରାଗୁଡାକ ସ୍ପଷ୍ଟ ଭାବରେ ବାରି ହେଉଥାଏ । କୁକୁର ଭୁକିବାର ଶବ୍ଦଟା ଗାଁର ନିରବତାକୁ ବାରମ୍ବାର କଟାକ୍ଷ କରୁଥାଏ । ରାତି ୧୦ଟା, ଦୁର୍ଗାପ୍ରସାଦ ନିଜ ପ୍ରାସାଦର ନିସ୍ତବ୍ଧ ଶୟନ କକ୍ଷରେ, ଟେବୁଲ ନିକଟସ୍ଥ ଚୌକିରୁ ଗୋଡ଼ ପଶ୍ଚିମ ଦିଗକୁ ଲମ୍ବାଇ ବସି ଚିନ୍ତା କରୁଛି । 


ପୁଅ ଝିଅ ଯାହା ବି ଭୁଲ କରନ୍ତି, ଅନେକାଂଶରେ ବାପା ମାଆ ହିଁ ଉତ୍ତରଦାୟୀ ହୁଅନ୍ତି । ଯାହା ପାଖରେ ଏ ବୋଝଟା ଅଧିକ ହୋଇଯାଏ, ତା'ର ସ୍ଥିତି କେମିତି ହେଉଥିବ ?? ସେଇ ବାରଣ୍ଡାର ଫୁଲ ଗଛ ପରି !! ଯେଉଁ ଗଛଟା ଫୁଲ ତ ଫୁଟିଛି ଅବଶ୍ୟ ପାଣି ବିନା ଝାଉଁଳି ପଡୁଛି । ନା ସେଇ ମାଛ ପରି, ଯେଉଁ ମାଛ ବଡ଼ ତ ହୋଇଛି କିନ୍ତୁ ପାଣି କମିବାରୁ ବ୍ୟାକୁଳ ହୋଇଉଠୁଛି । 

ଫୁଲ ଗଛ ଓ ମାଛକୁ କେବଳ ପାଣିର ଆବଶ୍ୟକତା ପଡେ...ଯେଉଁ ପାଣି ସେମାନଙ୍କର ପ୍ରତିଟି ଅବସାଦର ଶୋଷକୁ ଥର ଥର କରି ମେଣ୍ଟାଇଥାଏ । ଆଉ ଦୁର୍ଗାପ୍ରସାଦର ଶୋଷ ଅବସାଦର ! ତାକୁ ନିଶା ପାଣି ଦରକାର । ଯାହା ନିଦରେ ସ୍ବପ୍ନ ହଜାଇ ଗାଢ ନିଦ ଆଣିବ। ଚିନ୍ତାକୁ ନଷ୍ଟ କରିବା ପାଇଁ ଆଣ୍ଟିବଡି ତିଆରି କରିବ । ଏଭଳି ସ୍ଥିତିରେ ଏ ପାଣି ତାକୁ ସଂପୂର୍ଣ୍ଣ ଭାବେ ଆଶ୍ବସ୍ତି ଦେବ । 


ମଦ ଦେହ ପ୍ରତି ଖରାପ, ମଣିଷର ବିବେକ କୁ ରାକ୍ଷସରେ ପରିଣତ କରିଦିଏ ଓ ପରିବାର ର ଅର୍ଥନୀତିକୁ ଭାଙ୍ଗି ସଂପର୍କ ଓ ଇଜ୍ଜତକୁ ବି ଦୋହଲାଇ ଦିଏ । ଏକଥା ସବୁ ଦୁର୍ଗାପ୍ରସାଦ ହୃଦୟଙ୍ଗମ କରି ସାରିଛି । ଅଥଚ... ଅଥଚ ଏମିତି ପାଣି ପିଇବାକୁ ଆଜି ଏ ଅଭିଲାଷ ଜାଗ୍ରତ ହେଲା କେମିତି ?? କେବଳ ତା ଝିଅ ପାଇଁ ??


ନା..ନା... ଇଜ୍ଜତ ଗଢିଛି ! ମାନ ମହତ କମାଇଛି !! ଆଉ ତା ପରେ ତାକୁ ନିଜ ହାତରେ ଭାଙ୍ଗିଦେବା ଉଚିତ୍ ହେବ ନାହିଁ ବୋଲି ସେ ନିଷା ପାଣି ବି ପିଇ ପାରିଲା ନାହିଁ । 


ଆରାମ ବିଛଣାର ପବନ ଭର୍ତ୍ତି ତକିଆରେ ମଥା ରଖି ଶୋଇବାକୁ ଚେଷ୍ଟା କଲା କିନ୍ତୁ ଝିଅର ଭୁଲ୍ ପୁଣି ଉଜାଗର ରହିବାକୁ ବାଧ୍ୟକଲା । ଆଉ କେତେ ରାତି ଅନିଦ୍ରା ରହିବ । ଶୋଉଛି କି ନାହିଁ ଜାଣି ପାରୁନି ଅଥଚ ସକାଳ ପାହି ଯାଉଛି । ସକାଳୁ ଆଇନା ଆଗରେ ଠିଆ ହୋଇ ଆଖିକୁ ଦେଖେ, ଆଖିଟା ରକ୍ତିମ ଅସ୍ତଗାମୀ ସୂର୍ଯ୍ୟ ପରି ଆଭାସ ହୁଏ । 


ଦୁର୍ଗାପ୍ରସାଦର ପ୍ରାଣପ୍ରିୟା ଶାନ୍ତିଳତା । ପୁରୁଷ ଜୀବନର ଅର୍ଦ୍ଧାଙ୍ଗିନୀ । ତା ଆଖିରେ ଲୁହ ଜମାଟ ବାନ୍ଧି ପାରିଥାନ୍ତା କେମିତି କାନ୍ଦି କାନ୍ଦି ନୟାନ୍ତ ହୋଇ କାନ୍ଦିଛି... ବହୁତ କାନ୍ଦିଛି.. ସବୁଦିନ ପଣତର ଗୋଟିଏ ଭାଗକୁ ଲୁହରେ ଭିଜାଇ ଭିଜାଇ କାନ୍ଦିଛି । ନିଜ ଗର୍ଭରେ ବଢିଥିବା ସନ୍ତାନକୁ ଦୋଷୀ ବୋଲି କହିଛି । ଶାନ୍ତିଳତାର ଜୀବନରୁ ଧିରେ ଧିରେ ସବୁ ଶାନ୍ତି ଲିଭି ଯାଇଛି । ରାନ୍ଧିବା-ଖାଇବାର ସମୟ ବିଗିଡି ଯାଇଛି । ଘରୁ ବାହାରିବାକୁ ଜମାରୁ ଭଲ ଲାଗୁ ନାହିଁ । ପଡ଼ୋଶୀଙ୍କର ନାନା ପ୍ରଶ୍ନର ଉତ୍ତର ଦେବାକୁ ତା'ର ତିଳେମାତ୍ର ଇଛା ନାହିଁ । ସେ ମୂଳରୁ ଭାଙ୍ଗି ପଡିଛି, ତାକୁ ପୁଣି ଥରେ ଉଠି ଠିଆ ହେବାକୁ ସମୟ ଲାଗିବ । 


ଦୁର୍ଗାପ୍ରସାଦ ଓ ଶାନ୍ତିଳତା ଗୋଟିଏ କୋଠରୀରେ ଶୋଉଥିଲେ ଅବଶ୍ୟ ଝିଅ ଚାଲିଗଲା ପରଠୁ ଝିଅର କୋଠରୀରେ ଶାନ୍ତିଳତା ଏକା ଶୁଏ । କାନ୍ଥରେ ଟଙ୍ଗା ହୋଇଥିବା ପିଲାବେଳର ଫୋଟୋ ଉପରେ ନଜର ରଖେ..କାନ୍ଦେ...ଆଉ ଥରେ ଫେରି ଆସିବାକୁ ଭଗବାନ ପାଖରେ ପ୍ରାର୍ଥନା କରେ । ମନେ ପକାଏ ଛୁଆ ବେଳର ପ୍ରତିଟି ମୁହୂର୍ତ୍ତକୁ....


ଶାନ୍ତିଳତା-

ମୋ ଗେହ୍ଲା ଝିଅ ଆଦିତି । ସ୍ନେହରେ ସମସ୍ତେ ତାକୁ ଆଦି ବୋଲି ଡାକନ୍ତି ।  ସେ ଯେତେବେଳେ ମୋ ଗର୍ଭରେ ଥିଲା ମୁଁ ଅନେକ ଥର ଲାତ ଖାଇଛି । ଆନନ୍ଦର ସହ ଅନୁଭବ କରିଛି ମାତୃତ୍ୱର ଉପହାରକୁ । ଭୟ ବି ହୁଏ.. ଭୟ ନ ହେବ କେମିତି ? ପ୍ରସବ ସମୟରେ ଅଳ୍ପ କେତେକାଂଶରେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଥାଏ ବୋଲି ମୋର ଭୟ । ଟିଭି,ଖବରକାଗଜ ଓ ସୋସିଆଲ୍ ମିଡିଆରେ ଏଭଳି ମୃତ୍ୟୁ ଖବର ଦେଖିଲେ ଲୋମ ଟାଙ୍କୁରି ଉଠେ । ଶିହରି ଉଠେ ମାଆ ହେବାର ଜିଜ୍ଞାସା ।


ଗୋଧୂଳି ସନ୍ଧ୍ଯା.. ମୋ ପେଟରେ ଅଳ୍ପ ଅଳ୍ପ ବେଦନା ଆରମ୍ଭ ହେଲା । ମୁଁ ସ୍ବାମୀକୁ ଦରଦ ହେବା କଥା କହିଲି । ସ୍ବାମୀ ମୋ ଶାଶୁ ମାଆକୁ କହିଲେ । ଆମ୍ବୁଲାନ୍ସ୍ ପାଇଁ ୧୦୮ କୁ କଲ୍ କରାଗଲା । ଗାଡ଼ି ଆସିବା ଭିତରେ ସବୁ ଯୋଗାଡ଼ ହୋଇଗଲା । ମୋ ସ୍ବାମୀ ଓ ଶାଶୁ ମାଆ ଦୁହେଁ ପୂଜା କୋଠରୀରେ ସ୍ଥାପିତ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଚରଣରେ ମଥା ରଖି ପ୍ରାର୍ଥନା କରୁଥିଲେ । ଆଉ ମୁଁ ମୋ ପ୍ରିୟ ଦୁଇ ସଖାଙ୍କୁ ଦୂରରୁ ମନେ ମନେ ସମର୍ପି ଦେଉଥିଲି । ଆମ୍ବୁଲାନ୍ସ୍ ଆସି ଘରେ ପହଞ୍ଚିଲା । ଆଉ ତା ପରେ....


ହସପିଟାଲରେ ଜନ୍ମ ହେଲା ପରେ ନର୍ସ ଦିଦିକୁ ଗୋଇଠା ମାରି କେମିତି କେଜାଣି... ତାଙ୍କ ଆଙ୍ଗୁଠିକୁ ଯୋରରେ ଭିଡି ଧରି ରଖିଥିଲା ଆଦିତି । ଯେତେବେଳେ ତା ଆଙ୍ଗୁଠିକୁ ଦିଦି ଛଡ଼ାଇ ଦେଲେ ସେତେବେଳକୁ ଜୋର୍ ଜୋରରେ କାନ୍ଦିବା ଆରମ୍ଭ କରିଥିଲା । ଆଉ ଏହା ଥିଲା ତା'ର ପ୍ରଥମ କ୍ରନ୍ଦନ ।


ଆଦି କନ୍ଦୁଥାଏ...ନର୍ସି ଦିଦି ତା ଦେହକୁ ଭଲ ଭାବରେ ସଫା କରି କରି କହୁଥିଲେ- "ଶାନ୍ତି...ତମର ଝିଅଟିଏ ହୋଇଛି ।"


 ମୁଁ ଟିକିଏ ଅସୁସ୍ଥ ଅନୁଭବ କରୁଥିଲି । ମୋ ଝିଅର କ୍ରନ୍ଦନ ଟିକିଏ ଆଶ୍ବସ୍ତି ଆଣିଦେଲା ସିନା ହେଲେ ଉପଶମ ଦେଇ ପାରି ନଥିଲା । ଯେତେବେଳେ ନର୍ସ ଦିଦି ପ୍ରଥମ ସ୍ତନ୍ୟପାନ କରାଇବା ପାଇଁ ଆଦିକୁ ମୋ ପାଖକୁ ଆଣୁଥିଲେ ସେତେବେଳେ ମଧ୍ୟ ଦିଦିଙ୍କ ଆଙ୍ଗୁଠିକୁ ଧରି ପକାଇଥିଲା । ମୁଁ ଏଥର ଦୁଇ ଆଖିରେ ଦେଖିଥିଲି ଓ ନର୍ସ ଦିଦି ମୋ ଝିଅର କାରନାମା ଦେଖି ଖିଳିଖିଳି ହସୁଥିଲେ ଏ ଦୃଶ୍ୟ ମତେ ପ୍ରଚୁର ପରିମାଣରେ ସାନ୍ତ୍ବନା ଯୋଗାଇଥିଲା । 


ଆଶା ଦିଦି କବାଟକୁ ଫାଙ୍କି ଉତ୍ସୁକତାର ସହ ମୋ ସ୍ବାମୀକୁ କହୁଥିଲେ - " ଦୁର୍ଗାପ୍ରସାଦ... ତୁମର ଘରକୁ ଗୃହ ଲକ୍ଷ୍ମୀ ଆସିଛନ୍ତି ।"


ମୁଁ ସ୍ବାମୀ ଆଡକୁ ମୁହଁ ଆଉଜି ଦେଖିଲି । ନିରୀକ୍ଷଣ କରିବାକୁ ଚାହିଁଲି ଯେ ମୋ ସ୍ବାମୀର ପ୍ରତିକ୍ରିୟା କ'ଣ ଅଛି ? କାରଣ ମୁଁ କ୍ବଚିତ ଦେଖିଛି ଯେ ଝିଅ ଜନ୍ମ ହେଲେ ପ୍ରାୟ ଲୋକଙ୍କର ମୁହଁ ଶୁଖିଯାଏ । ଚିନ୍ତାରେ ମୁହଁରୁ ଶବ୍ଦଗୁଡିକ ବିସ୍ମୟଭରା ହୁଏ । ମୁହଁର ଆକୃତି ଓ ରଙ୍ଗ ମଧ୍ୟ ବେସ୍ ବଦଳି ଯାଇଥାଏ । ସେ ମଧ୍ୟରୁ ମୋ ସ୍ବାମୀ ବି ଜଣେ ହୋଇଥିବେ ବୋଲି ଟିକିଏ ସଂକୋଚ ବୋଧ କଲି !! 


ସ୍ବାମୀ ଅଧା କାଚ ଲଗା କବାଟ ନିକଟସ୍ଥ ଏକ ବ୍ୟାଞ୍ଚ୍ ଉପରେ ବସିଥାନ୍ତି । ଆଶା ଦିଦିଙ୍କର କଥା ଶୁଣି ହଠାତ୍ ଉଠି ପାଖକୁ ଧାଇଁ ଆସିଲେ । ଆଉ ନତମସ୍ତକ ହୋଇ ଉପରବାଲାକୁ ଖୁସି ଜାହିର୍ କଲେ । ଦେଖିଲି ତାଙ୍କ ଖୁସି ଦୁଇଗୁଣା ବଢିଯାଇଛି । ତାଙ୍କ ଏ ଖୁସି ମୋ ଶରୀରିକ ଦୁର୍ବଳତାକୁ ସହିବାର ଶକ୍ତି ଯୋଗାଇଥିଲା ଆଉ ମୁଁ ପ୍ରଥମ ଥର ପାଇଁ କଷ୍ଟ ଲାଘବ ନିମନ୍ତେ ଆଖିରୁ ଲୁହ ଝରାଇଥିଲି । ମୋ ଲୁହକୁ ନର୍ସ ଓ ଆଶା ଦିଦି ଦେଖି ଥିଲେ ଅଥଚ କିଛି କହି ନଥିଲେ । 


ଘର ପ୍ରତ୍ୟାବର୍ତ୍ତନ କରିବା ଦିନ ପର୍ଯ୍ୟନ୍ତ ନର୍ସ ଦିଦି ଆମ ଦୁହିଁଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେଇଥିଲେ । ସେ ଆଦିତି ସହ ଏତେ ଘନିଷ୍ଠ ହୋଇ ଯାଇଥିଲେ ଯେ ସ୍ବାସ୍ଥ୍ୟ ପରୀକ୍ଷା କଲା ସମୟରେ ତା ହାତରେ ଆଙ୍ଗୁଳି ଦେବାକୁ ଭୁଲି ନଥିଲେ ଆଉ ଆଦି ଦିଦିର ଆଙ୍ଗୁଠିରେ ହାତକୁ ଜାବୁଡ଼ି ଧରି ଦିଦିକୁ ଏକ ଲୟରେ ଅନାଇ ରହୁଥିଲା । ଏଇ କିଛି ଦିନ ଭିତରେ ଦିଦି ଆମର ଘନିଷ୍ଟ ହୋଇଯାଇଥିଲେ କେବଳ ଆଦିର ସ୍ନେହ ଓ ଆମ ଭଲପାଇବା ପାଇଁ । ଘରକୁ ଫେରିଲା ସମୟରେ ମଧ୍ୟ ସବୁ ଯୋଗାଡ଼ ଦିଦି ହିଁ କରି ଦେଇଥିଲେ ।

ସକାଳ ଦଶଟା,,,ଆମେ ଦୁହେଁ ଦିଦିକୁ ଆମ ଗାଁ ଚନ୍ଦ୍ରନଗରକୁ ଛୁଟିରେ ବୁଲି ଆସିବାକୁ ସାଦର ଆମନ୍ତ୍ରଣ କଲୁ । ଯିବା ସମୟରେ ଦୁହେଁ ଦୁହିଁଙ୍କୁ ବେସ୍ ପରିଚିତ ହେଲା ଭଳି ଦିଦି ଆଦିକୁ ଦେଖୁଥିଲେ ଏବଂ ଆଦି ଦିଦିକୁ । 

ଗାଡ଼ି ସ୍ଟାର୍ଟ ହେଲା... ଆଦି ମୋ କୋଳରେ ଥାଏ ତା ହାତକୁ ଧରି ମୁଁ ଗେହ୍ଲାରେ କହୁଥାଏ- "ଦିଦିକୁ ଟା ଟା କରି ଦେ "

ନର୍ସ ଦିଦି "ଟା...ଟା... ବା..ଏ" କହି ପଛକୁ ଫେରିଯାଇଥିଲେ ଆଉ ଆମେ ତାଙ୍କୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ କାଚ ଝର୍କା ଆଡୁ ଦେଖୁଥିଲୁ ।

କ୍ରମଶଃ...ପରବର୍ତ୍ତୀ  ଅଧ୍ୟାୟରେ


Rate this content
Log in

Similar oriya story from Tragedy