STORYMIRROR

Tankadhar Majhi

Tragedy Inspirational

2  

Tankadhar Majhi

Tragedy Inspirational

ଅଠର ବର୍ଷର ଝିଅ

ଅଠର ବର୍ଷର ଝିଅ

2 mins
61

ଗାଁ ଦାଣ୍ଡ ମଝିରେ କଥାଟା ସ୍ପଷ୍ଟ ଭାବରେ ଗୁଞ୍ଜି ଉଠୁଥିଲା । କେତେ ମୁହଁରୁ କେତେ କାନକୁ କାନ, ଚର୍ଚା କରିବାକୁ ଲୋକେ ଟିକେ ହେଲେ ସଂକୋଚ କରୁ ନଥିଲେ । ଝଡ଼ ବତାସ ବେଗରେ କଥାଟା ସମସ୍ତଙ୍କ କାନରେ ବାଜି ସାରିଥିଲା । ଅଠର ବର୍ଷର ଝିଅ ଆତ୍ମହତ୍ୟା କରୁଥିବାର ଖବର !! 


କାହିଁକି.. ? କ'ଣ ପାଇଁ.. ? କେଉଁ କାରଣରୁ ଆତ୍ମହତ୍ୟା କରୁଥିଲା ?

କେହି କିଛି ଜାଣି ନଥିଲେ ସୁଦ୍ଧା ସବୁ ଦୋଷଟା ବାପା ମାଆ ଓ ଝିଅଙ୍କ ଉପରକୁ ଲଦି ଦିଆଯାଉଥିଲା । ସେମାନଙ୍କ ଆଖିରେ ଲୁହ, ମୁହଁରେ ଲଜ୍ଜା ଓ ଦେହରେ ଭୟ ସବୁ ଏକାକାର ହୋଇ ଯାଉଥିଲା । ଦୁଇ ଦିନର ଉପହାସକୁ ବରଦାସ୍ତ କରିବା ପାଇଁ ଯଥେଷ୍ଟ ସହନଶୀଳତାର ଦରକାର ପଡୁଥିଲା ବୋଲି ବାପାମାଆ ଝିଅକୁ ବାରମ୍ବାର ବୁଝାଉଥିଲେ ।  


ସାନ ପୁଅ ଏବେ ବୁଝିବା ବୟସର ହୋଇନି । ଆତ୍ମହତ୍ୟା କ'ଣ.. ମୃତ୍ୟୁ କ'ଣ.. କିଛି ଜାଣିନି । ତଥାପି ଲୋକଙ୍କ ମୁହଁରୁ ଉପହାସ ଶୁଣିଛି ହେଲେ କେବେ ଅନୁଭବ କରି ପାରିଲାନି ଯେ ଆତ୍ମହତ୍ୟା କ'ଣ ଓ କାହିଁକି କରାଯାଏ ବୋଲି ।


ସତୀ ସୀତାର ଚରିତ୍ରରେ ଅନୁପ୍ରାଣିତ ହୋଇ ବଢୁଥିବା ଅଠର ବର୍ଷର ଝିଅ, ନର ରାକ୍ଷସର ଶିକାରରେ ବିଦ୍ଧ ହୋଇ ନିଜର ସତୀତ୍ୱ ହରାଇ ସାରିଥିଲା । ଭଗ୍ନ ସତିତ୍ବରେ ତା ବିବେକ ଅନ୍ଧ ହୋଇ ଯାଉଥିଲା, ନିଜେ ହଜି ଯାଉଥିଲା ସ୍ୱର୍ଗ ଅବା ନର୍କ ବାଟରେ । ଶେଷରେ ଆତ୍ମହତ୍ୟା କରି ସତୀତ୍ୱକୁ ପ୍ରମାଣିତ କରିଦେବ ବୋଲି ଶେଷ ନିଷ୍ପତ୍ତି ନେଲା, ଅଥଚ ବିଫଳ ହୋଇଗଲା । 


ମୃତ୍ୟୁ ବିରୁଦ୍ଧରେ ଲଢି ଲଢି ବିଜୟୀ ହୋଇଗଲା ସିନା ହେଲେ ସମାଜ ବିରୁଦ୍ଧରେ ଲଢି ହାରି ଯାଇଥିଲା । ଆଜି ଝିଅ ପରିପକ୍ୱତା, ଉଚ୍ଚ ଶିକ୍ଷିତା ଆଉ ବଗିଚାର ସବୁ ଫୁଲରୁ ଭିନ୍ନ । ଆଜି ସେ ବୁଝି ପାରୁଥିଲା ତା ନିଷ୍ପତି କେତେ କୃର ,ବିଭତ୍ସ ଓ ଭୟାନକ ଥିଲା । ପୁଣି ବୁଝି ପାରୁଥିଲା ସତୀତ୍ୱର ଗୋଟିଏ ଗୋଟିଏ ଗୁଢ ରହସ୍ୟକୁ । ମନ ଭିତରେ ଭାବୁଥିଲା, "ଆଜି ବି ମୁଁ ସେ ଅଠର ବର୍ଷ ଝିଅର ଅଂଶବିଶେଷ, ସତୀ ନା ଅସତୀ !"


ଝିଅ ବାହାଘର ଜକମକରେ ଚାଲିଛି, ବର ଶ୍ୱେତ ଅଶ୍ୱ ଚଢି ରାଜା ବେଶରେ ଆସିଛି । ଗାଁ ସାରା ଗହଳି । ଲୋକେ କେତେ ଖୁସି, କେତେ ଉତ୍ସୁକ, କେତେ ଉତ୍ସାହ ଓ ଲୋକଙ୍କ ମୁହଁରୁ କେତେ ପ୍ରଶଂସା ଶୁଣି ଶୁଣି ବାପା ମାଆଙ୍କ ଛାତିରୁ ବେଇଜ୍ଜତର ବୋଝ ଧିରେ ଧିରେ ହାଲକା ହୋଇଯାଉଥିଲା । ବାର କଥା କହୁଥିବା ଲୋକ ଆଜି ଗୋଟିଏ କଥାରେ ଅଟକି ରହୁଥିଲେ... "ଅଠର ବର୍ଷର ଝିଅ ଆଜି ଅଠେଇଶିରେ.., ଏକ ସୁସମ୍ପନ୍ନ ପରିବାରକୁ ବଧୂ ବେଶରେ ଯାଉଛି ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy