ଅଠର ବର୍ଷର ଝିଅ
ଅଠର ବର୍ଷର ଝିଅ
ଗାଁ ଦାଣ୍ଡ ମଝିରେ କଥାଟା ସ୍ପଷ୍ଟ ଭାବରେ ଗୁଞ୍ଜି ଉଠୁଥିଲା । କେତେ ମୁହଁରୁ କେତେ କାନକୁ କାନ, ଚର୍ଚା କରିବାକୁ ଲୋକେ ଟିକେ ହେଲେ ସଂକୋଚ କରୁ ନଥିଲେ । ଝଡ଼ ବତାସ ବେଗରେ କଥାଟା ସମସ୍ତଙ୍କ କାନରେ ବାଜି ସାରିଥିଲା । ଅଠର ବର୍ଷର ଝିଅ ଆତ୍ମହତ୍ୟା କରୁଥିବାର ଖବର !!
କାହିଁକି.. ? କ'ଣ ପାଇଁ.. ? କେଉଁ କାରଣରୁ ଆତ୍ମହତ୍ୟା କରୁଥିଲା ?
କେହି କିଛି ଜାଣି ନଥିଲେ ସୁଦ୍ଧା ସବୁ ଦୋଷଟା ବାପା ମାଆ ଓ ଝିଅଙ୍କ ଉପରକୁ ଲଦି ଦିଆଯାଉଥିଲା । ସେମାନଙ୍କ ଆଖିରେ ଲୁହ, ମୁହଁରେ ଲଜ୍ଜା ଓ ଦେହରେ ଭୟ ସବୁ ଏକାକାର ହୋଇ ଯାଉଥିଲା । ଦୁଇ ଦିନର ଉପହାସକୁ ବରଦାସ୍ତ କରିବା ପାଇଁ ଯଥେଷ୍ଟ ସହନଶୀଳତାର ଦରକାର ପଡୁଥିଲା ବୋଲି ବାପାମାଆ ଝିଅକୁ ବାରମ୍ବାର ବୁଝାଉଥିଲେ ।
ସାନ ପୁଅ ଏବେ ବୁଝିବା ବୟସର ହୋଇନି । ଆତ୍ମହତ୍ୟା କ'ଣ.. ମୃତ୍ୟୁ କ'ଣ.. କିଛି ଜାଣିନି । ତଥାପି ଲୋକଙ୍କ ମୁହଁରୁ ଉପହାସ ଶୁଣିଛି ହେଲେ କେବେ ଅନୁଭବ କରି ପାରିଲାନି ଯେ ଆତ୍ମହତ୍ୟା କ'ଣ ଓ କାହିଁକି କରାଯାଏ ବୋଲି ।
ସତୀ ସୀତାର ଚରିତ୍ରରେ ଅନୁପ୍ରାଣିତ ହୋଇ ବଢୁଥିବା ଅଠର ବର୍ଷର ଝିଅ, ନର ରାକ୍ଷସର ଶିକାରରେ ବିଦ୍ଧ ହୋଇ ନିଜର ସତୀତ୍ୱ ହରାଇ ସାରିଥିଲା । ଭଗ୍ନ ସତିତ୍ବରେ ତା ବିବେକ ଅନ୍ଧ ହୋଇ ଯାଉଥିଲା, ନିଜେ ହଜି ଯାଉଥିଲା ସ୍ୱର୍ଗ ଅବା ନର୍କ ବାଟରେ । ଶେଷରେ ଆତ୍ମହତ୍ୟା କରି ସତୀତ୍ୱକୁ ପ୍ରମାଣିତ କରିଦେବ ବୋଲି ଶେଷ ନିଷ୍ପତ୍ତି ନେଲା, ଅଥଚ ବିଫଳ ହୋଇଗଲା ।
ମୃତ୍ୟୁ ବିରୁଦ୍ଧରେ ଲଢି ଲଢି ବିଜୟୀ ହୋଇଗଲା ସିନା ହେଲେ ସମାଜ ବିରୁଦ୍ଧରେ ଲଢି ହାରି ଯାଇଥିଲା । ଆଜି ଝିଅ ପରିପକ୍ୱତା, ଉଚ୍ଚ ଶିକ୍ଷିତା ଆଉ ବଗିଚାର ସବୁ ଫୁଲରୁ ଭିନ୍ନ । ଆଜି ସେ ବୁଝି ପାରୁଥିଲା ତା ନିଷ୍ପତି କେତେ କୃର ,ବିଭତ୍ସ ଓ ଭୟାନକ ଥିଲା । ପୁଣି ବୁଝି ପାରୁଥିଲା ସତୀତ୍ୱର ଗୋଟିଏ ଗୋଟିଏ ଗୁଢ ରହସ୍ୟକୁ । ମନ ଭିତରେ ଭାବୁଥିଲା, "ଆଜି ବି ମୁଁ ସେ ଅଠର ବର୍ଷ ଝିଅର ଅଂଶବିଶେଷ, ସତୀ ନା ଅସତୀ !"
ଝିଅ ବାହାଘର ଜକମକରେ ଚାଲିଛି, ବର ଶ୍ୱେତ ଅଶ୍ୱ ଚଢି ରାଜା ବେଶରେ ଆସିଛି । ଗାଁ ସାରା ଗହଳି । ଲୋକେ କେତେ ଖୁସି, କେତେ ଉତ୍ସୁକ, କେତେ ଉତ୍ସାହ ଓ ଲୋକଙ୍କ ମୁହଁରୁ କେତେ ପ୍ରଶଂସା ଶୁଣି ଶୁଣି ବାପା ମାଆଙ୍କ ଛାତିରୁ ବେଇଜ୍ଜତର ବୋଝ ଧିରେ ଧିରେ ହାଲକା ହୋଇଯାଉଥିଲା । ବାର କଥା କହୁଥିବା ଲୋକ ଆଜି ଗୋଟିଏ କଥାରେ ଅଟକି ରହୁଥିଲେ... "ଅଠର ବର୍ଷର ଝିଅ ଆଜି ଅଠେଇଶିରେ.., ଏକ ସୁସମ୍ପନ୍ନ ପରିବାରକୁ ବଧୂ ବେଶରେ ଯାଉଛି ।"