ଆଉ ତା ପରେ
ଆଉ ତା ପରେ
ଭାଗ - ୩
ସୂର୍ଯ୍ୟର ରଶ୍ମିରେ ଆକାଶଟା କାଚ ଭଳି ସଫା ଲାଗୁଥିଲେ ବି କେତୋଟି ସ୍ଥାନରେ ମେଘ ମାଳ ମାଳ ହୋଇ ବିଛିଡି ପଡିରହିଛି । ଆଉ ଭୂଇଁରେ ସେ ମେଘର ଛାଇ । ସତେ ଯେମିତି ବର୍ଷା ଋତୁର ଆଗମନ ହୋଇଯାଇଛି । ଗାଁର ଗୋଟିଏ ପଟେ ପାହାଡ଼ ମୁଣ୍ଡ ଟେକି ଠିଆ ହୋଇଛି ଓ ଅନ୍ୟପଟେ ସମତଳ ଅଞ୍ଚଳରେ ଭର୍ତ୍ତି ଜଙ୍ଗଲ, ଗୋଚର ଜମି, ଚାଷ ଜମି, ପୋଖରୀ ଏବଂ ଭିନ୍ନ ଭିନ୍ନ ରକମର ରାସ୍ତା । ସମତଳ ଅଞ୍ଚଳରୁ ଟିକିଏ ଉଚ୍ଚ ଜାଗାରେ ମୁଖ୍ୟ ବସ୍ତି । ଲାଗି ଲାଗି ତିନୋଟି ପଡା ଓ ମୁଖ୍ୟ ବସ୍ତିକୁ ମିଶାଇ ଗୋଟିଏ ଗାଁ । ପ୍ରାୟତଃ ତିନି ହଜାର ଜନବସତି ବିଶିଷ୍ଟର ଏକ ଗାଁ କଳ୍ପତରୁ ନଗର । ସତରେ ପ୍ରକୃତିର ଗୋଟିଏ ବରଦାନ ଏ ଗାଁ ।
ଦୁର୍ଗା ପ୍ରସାଦ ବାପାଙ୍କ ଦେହାନ୍ତ ପରେ ସେ ଗାଁକୁ ସମ୍ଭାଳିବାର ଯେଉଁ ଗୁରୁ ଦାୟୀତ୍ୱ ନିଜ କାନ୍ଧକୁ ନେଇଥିଲେ ତାକୁ ସୁଚାରୁ ରୂପେ ପରିଚାଳନା କରିଆସୁଛନ୍ତି ମଧ୍ୟ । ପୋଲିସ୍ ର ଦରକାର କେବେ କେବେ ପଡ଼େ ସିନା ହେଲେ ତାଙ୍କ ଗାଁର ଘଟଣା ସବୁ ଗାଁରେ ହିଁ ସମାଧାନ ହୋଇଯାଏ । ପର ସମସ୍ୟାର ସମାଧାନ କରି କରି ବୁଢ଼ାଟେ ହୋଇଗଲା ସିନା ହେଲେ ଏବେ ନିଜ ସମସ୍ୟା ତା ବୁଢ଼ା ବୟସକୁ ପଙ୍ଗୁ କରିବାରେ ଲାଗିଛି । ତା ଜୀବନରେ କେତେ ଉଜୁଡା ଘର ଯୋଡିଛି ! କେତେ କେତେ ଲୋକକୁ ନ୍ୟାୟ ଓ ହକ୍ ଦେଇଛି । ଠିକ୍ ତା ବାପା ପରି... ଆଉ ଏବେ ଅଜାଗାରେ ଘା...ନା କାହାକୁ ଦେଖାଇ ପାରୁଛି ନା କହି ପରୁଛି । ବେଳେ ବେଳେ ତା ଆଖିରୁ ବଞ୍ଚିବାର ସ୍ବପ୍ନ ବି ବାଲି ଘର ପରି ଭାଙ୍ଗିବାରେ ଲାଗିଛି ।
ବାରଣ୍ଡାର ଚୌକିରେ ବସି କ'ଣ ଗୋଟେ ଭାବୁଥିଲା ଦୁର୍ଗା ପ୍ରସାଦ । ରାମୁ ବଗିଚା କାମ ସାରି ତରତର ହୋଇ ଘରକୁ ଫେରିଥିଲା ।
ଶାନ୍ତିଲତା ରୋଷେଇ କଠୋରିରୁ ଆବାଜ ଦେଲା -" ଫୋନ୍ ବାଜୁଛି..।"
ଦୁର୍ଗା ପ୍ରସାଦ- "ରାମୁ ମୋବାଇଲ୍ ଦେଖ ତ କିଏ କଲ୍ କରିଛି ?"
" ହଁ ଆଜ୍ଞା" କହି ଦୌଡିଗଲା ଦୁର୍ଗାପ୍ରସାଦର କୋଠରୀ ଭିତରକୁ । ଫୋନକୁ ଦେଖୁ ଦେଖୁ କଲ୍ ଟା କଟିଗଲା ।
ରାମୁ ମୋବାଇଲ୍ ଦେଖି କହିଲା- "ଆଜ୍ଞା ନୂଆ ନମ୍ବରରେ କଲ୍ ଆସିଛି । ଶେଷରେ 53 ଅଛି ।"
ଦୁର୍ଗା ପ୍ରସାଦ- "ହଉ ଆଣିକି ଆ..."
ରାମୁ- "ଆଜ୍ଞା"
ଦୁର୍ଗା ପ୍ରସାଦ- "ଶଳା ଏ ନୂଆ ନମ୍ବର ଗୁଡାକରେ ବହୁତ କଲ୍ ଆସୁଛି ଏବେ ! ସେ ଚୌକିରେ ବସେ ରାମୁ ।"
ମୋବାଇଲ୍ କୁ ଧରେଇ ଦେଲା ଓ ପାଖ ଚୌକିରେ ସଂକୋଚରେ ବସି ପଡ଼ିଲା ରାମୁ । ଦୁର୍ଗାପ୍ରସାଦର ପାଖ ଚୌକିରେ ସେ କେବେ ବସି ନାହିଁ, ନା ତାର ଏଭଳି ବସିବାର ଆଦେଶ କେବେ ପାଇନାହିଁ । ଆଜି ପ୍ରଥମ ଥର ବସିଛି ନିକଟରେ...ଅତି ନିକଟରେ । ଭିତରେ ଭିତରେ ଖୁସି ତ ହେଉଥିଲା ଅଥଚ ଦୁର୍ଗାପ୍ରସାଦର ଏଭଳି ଭାଙ୍ଗି ପଡିଥିବା ସ୍ଥିତି କେବେ ଦେଖି ନଥିଲା । ଆଜି କେବଳ ଆଦିତି ଦିଦି ପାଇଁ ଏ ଅବସ୍ଥା । ବହୁତ ଥର ସାହାସ ଯୋଟାଇଛି ଆଦିତି ବିଷୟରେ ପଚାରିବାକୁ, ଅବଶ୍ୟ କେବେ ଥରୁଟେ ବି ପଚାରି ପାରିନାହିଁ । ଏହା ତା ପାଇଁ ଡର ନୁହେଁ...ଜଣେ ଧର୍ମପିତା ପ୍ରତି ସମ୍ମାନ ।
ରାମୁ ପାଠ ପଢିନି ହେଲେ ଇଁରାଜୀ ସଂଖ୍ୟା ମାନଙ୍କୁ ଚିହ୍ନିପାରେ । ABCD ବି ଜାଣେ ଅଥଚ ଇଂରାଜୀ ଅକ୍ଷର ପଢିପାରେ ନାହିଁ । ଓଡ଼ିଆ ଅକ୍ଷରକୁ ଧିରେ ଧିରେ କରି ପଢିପକାଏ କିନ୍ତୁ କଷ୍ଟ ଶବ୍ଦ ଯାଗା ମାନଙ୍କରେ ଟିକିଏ ଅଟକି ରହିଯାଏ । ଦୁର୍ଗାପ୍ରସାଦ ଘରେ ନଥିବା ସମୟରେ ଖବର କାଗଜ ବି ପଢେ । ଏସବୁ ତା ଆଦିତି ଦିଦିର ଅବଦାନ । ରାମୁକୁ ସମୟ ବାହାର କରି ପଢାଇଛି ଓ ସ୍ବାଧୀନତା ମଧ୍ୟ ଦେଇଛି ।
ରାମୁ ଜଣେ ଚାକର ଭଳି ହେଲେ ସୁଦ୍ଧା ସେ ତା ଘରର ଜଣେ ପୁଅ ପରି । ନ ହେବ ବା କେମିତି...ରାମୁ ଦୁଇ ବର୍ଷର ଥିଲା । ମୃତ୍ୟୁ ଓ ଏକାନ୍ତ କ'ଣ ଜାଣି ନଥିଲା । ସେହି ସମୟରେ ତା ବାପା କ୍ଷେତରେ କାମ କରୁଥିବା ସମୟରେ ବର୍ଷା, ଘଡ଼ଘଡି଼ ଓ ବିଜୁଳି ହଠାତ ବାପାର ମୃତ୍ୟୁକୁ ନେଇ ଚାଲି ଯାଇଥିଲା । ଏ ପ୍ରକୃତି ଥିଲା ତା ବାପାର ହତ୍ୟାକାରୀ ଓ ଦୋଷୀ । ଆଉ ଘରକୁ ଫେରି ପାରିନଥିଲା ଶବ । ସେ ଦିନଠୁ ରାମୁ ବାପାର ମୁହଁ ଆଉ ଦେଖିନି । କ୍ଷେତରେ ଖାଲି ମଶାଣିକୁ ଦେଖି ଜାଣେ ଏ ନିଜ ବାପାର ବୋଲି ।
ଯେତେବେଳେ ରାମୁକୁ ଚାରି ବର୍ଷର ହୋଇଥିଲା ତା ମାଆ ଦୁର୍ଗାପ୍ରସାଦର ହାତରେ ଚାରି ଏକର୍ ଜମିର କାଗଜାତ, ଘର ଡିହ ଓ ରାମୁକୁ ଟେକିଦେଇ ଅନ୍ୟ କାହା ସହ ଘର ବସାଇବାକୁ ଚାଲିଗଲା । ତା ମାଆ ସର୍ତ୍ତ ରଖିଗଲା ଯେ, ଦୁର୍ଗାପ୍ରସାଦ ଓ ଶାନ୍ତିଳତା କେବେ ତାକୁ ତା ମାଆର ପରିଚୟ ଦେବେ ନାହିଁ । ସେହି ଦିନଠାରୁ ରାମୁ ନିଜେ ନିଜର ଯତ୍ନ ନେଇ ବଞ୍ଚିବା ଶିଖିଛି । ସହିବା ଶିଖିଛି ଆଉ ଭୁଲି ଯାଇଛି ଦେବକୀ ମାଆର ମୁହଁ ।
ଯେତେବେଳେ ରାମୁ ଏଗାର ବର୍ଷର ହୋଇଥିଲା ତା'ର ଦେବକୀ ମାଆ ବହୁତ ବର୍ଷ ପରେ ଦିନେ ଦେଖିବାକୁ ଆସିଥିଲା । ଆଉ ଏବେ ବର୍ଷକୁ ଦୁଇଥର, ନୂଆଖାଇ ଓ ରଥଯାତ୍ରାରେ ଆସେ । ପିଠାପଣା ସବୁ ଆଣିଦିଏ । ହେଲେ କେବେ ପରିଚୟ ଦିଏ ନାହିଁ ଯେ ମୁଁ ତୋ ମାଆ ବୋଲି । ଆସେ ଦିନଟିଏ ରହେ, ଦେଖେ, ଜଣେ ମାଆ ବୋଲି ଅନୁଭବ କରେ ଓ ଖାଇ କି ଫେରିଯାଏ । ଶାନ୍ତିଳତା ତା ଯଶୋଦା ମାଆ ଓ ତା ପ୍ରିୟ ଆଦି ଦିଦିର ପ୍ରକୃତ ମାଆ । ଦୁର୍ଗାପ୍ରସାଦ ତା ବାପା ଭଲି ହେଲେ ବି ଆଜ୍ଞା ବୋଲି ସମ୍ବୋଧନ କରେ । ରାମୁର ଚାଲିଚଳନ, ଆଚରଣ,ବ୍ୟବହାର ଓ କଥା ବାର୍ତ୍ତା ଗୋଟିଏ ଶିକ୍ଷିତ ପରିବାର ପରି ମନେ ହୁଏ ।
ଦୁର୍ଗା ପ୍ରସାଦ -" ରାମୁ !"
ରାମୁ- "ଆଜ୍ଞା..!!"
ଦୁର୍ଗା ପ୍ରସାଦ- "ମାସେ ବିତିଗଲା ! ତୋ ଆଦି ଦିଦିର ଖୋଜ ଖବର ମିଳିଲାନି । ନୂଆ ନମ୍ବରରେ କଲ୍ ଆସିଲେ କାଲେ ତୋ ଆଦି ଦିଦିର ହେଇଥିବ ବୋଲି ଭାବେ ହେଲେ.... ସେ କାହିଁକି ଆମକୁ ଫୋନ୍ କରିବରେ ରାମୁ ।" ଆଉ କହି ପାରିଲା ନାହିଁ...
ଏତିକି କହି ଭାଙ୍ଗିପଡୁଥିବା ହୃଦୟ ଭିତର ଦେଇ ଲୁହ ଆସି ଆଖିକୁ ଟଳମଳ କରିଗଲା । କାନ୍ଧରେ ଥିବା ଧଳା ଗାମୁଛା କାଢି ଆଖିରେ କିଛି ସମୟ ପାଇଁ ଜାକି ଧରିରହିଲା ଦୁର୍ଗା ପ୍ରସାଦ । ଯେତେବେଳେ ଗାମୁଛା କାଢିଲା ଆଖି ଲାଲ ଜଣାପଡୁଥିବାର ଅନୁମାନ କଲା ରାମୁ । ରାମୁ, ଦୁର୍ଗାପ୍ରସାଦର ଏଭଳି ଭାଙ୍ଗିପଡିବା କେବେ ଦେଖି ନଥିଲା । ବୁଢ଼ା ବୟସର ଲୁହ ଦେଖି ତା ଆଖିରୁ ମଧ୍ୟ କେତେବେଳେ ଲୁହ ଦୁଇଧାଡି଼ ଲମ୍ବି ପଡିଥିଲା ସେ ଜାଣି ପାରି ନଥିଲା । ସାନ୍ତ୍ବନା ଆଉ ସହାନୁଭୂତିର ଲଢେଇରେ ଆଜି ହାରି ଯାଉଥିଲା ରାମୁ ।
ଦୁଇ ଦୁଇଟି ବଡ଼ ପୁଅ ଯେଉଁମାନେ ବଡ଼ ବଡ଼ ସହରରେ ବଡ଼ ବଡ଼ ସ୍କୁଲ୍ , କଲେଜ୍ ରେ ରହି ବାପାର ଟଙ୍କାରେ ପାଠ ପଢିଲେ । ଚାକିରି ପାଇ ସହରରେ ରହିଲେ ଆଉ କାହାକୁ ନକହି ଲବ୍ ମ୍ୟାରେଜ୍ କରି ଘର ବସାଇଲେ । ଏମାନଙ୍କୁ କେମିତି ଆଦର୍ଶ କହିବ ରାମୁ ଆଉ ଯେଉଁ ଆଦି ଦିଦିକୁ ସେ ପ୍ରେରଣା ଓ ଆଦର୍ଶ ବୋଲି ଭାବୁଥିଲା, ସେ ଏ ପରିବାର ର ଜଣେ ବିବାହ ହୋଇ ପାରିଥାନ୍ତା । ବଡ଼ ଭାଇ ଭାଉଜ ସମସ୍ତେ ଆସିଥାନ୍ତେ । ଦୁର୍ଗା ପ୍ରସାଦ ଓ ମାଆ ସବୁ ଭୁଲକୁ ଭୁଲିଯାଇ କାନ୍ଦି କାନ୍ଦି ଆଦିତିକୁ ବିଦାୟ ଦେଇଥାନ୍ତେ । ଶେଷରେ ଆଦିତି ବି ଭୁଲ ନିଷ୍ପତି ନେଇଗଲା ।
ଆଖିରେ ଲୁହ ଭରି ସବୁ ଦୁଃଖକୁ ରାମୁ ଆଗରେ ପ୍ରକାଶ କରିଗଲା ଦୁର୍ଗା ପ୍ରସାଦ ବୋଧେ କେବେଠୁ ସେ ଗୋଟିଏ ମୌକା ଖୋଜୁଥିଲା । କିଛି କହି ଦେଇ ଅବଶ୍ୟ ଟିକିଏ ହାଲକା ଓ ଫୁର୍ତ୍ତି ଅନୁଭବ କଲା ।
ଦୁର୍ଗା ପ୍ରସାଦ - "ଆଉ କାହାକୁ କହିବିରେ ରାମୁ...ଶେଷରେ ତୁ ଜଣେ ତ ମୋ ପାଖରେ ରହିଛୁ । ମୋ ଦୁଃଖ ସୁଖ ବୁଝିବାକୁ !!"
ନିଃସ୍ତବ୍ଧ ହୋଇ ଯାଇଥିଲା ଘର । ରାମୁ ମୁହଁ ତଳକୁ କରି ଚୌକିରେ ସେମିତି ବସି ରହିଥିଲା ଯେମିତି ପ୍ରଥମରୁ ବସିଥିଲା । ଆଉ ଶାନ୍ତିଲତା ରନ୍ଧାଗୃହର ଦ୍ବାରରେ ବସି ଆଖିରୁ ଲୋତକ ଝରାଇବାରେ ଲାଗିଥିଲା । ଆଉ ଦୁର୍ଗା ପ୍ରସାଦର ପୋଷା କୁକୁର ସେମିତି ଜିଭ ଲହ ଲହ କରି ଦୁର୍ଗାପ୍ରସାଦ ଓ ରାମୁକୁ ଦେଖୁଥିଲା ।
କ୍ରମଶଃ..ପରବର୍ତ୍ତୀ ଅଧ୍ୟାୟରେ...