STORYMIRROR

Tankadhar Majhi

Inspirational Thriller

3  

Tankadhar Majhi

Inspirational Thriller

ଆଉ ତା ପରେ

ଆଉ ତା ପରେ

2 mins
354


         ସୂର୍ଯ୍ୟ ଅନେକ ଦିନରୁ ମେଘ ଆଢୁଆଳରେ ଲୁଚି ନଥିଲା ବୋଲି ଆଜି ଭୋର ସକାଳୁ ଅଦିନିଆ କଳା ମେଘର ପଛରେ ଲୁଚି ଲୁଚି ଟିକେ ବିଳମ୍ବରେ ଦେଖା ଦେଇଥିଲା । ଗାଈ ଗୋରୁ ଗାଁ ଦାଣ୍ଡରୁ ହମା ରଡି କରି ଜଙ୍ଗଲ ମୁହାଁ । ସ୍ତ୍ରୀ ଲୋକମାନେ ନଳକୂପରେ ଭର୍ତ୍ତି । ସମସ୍ତଙ୍କ ପାଟିରୁ ସଙ୍କୋଚଭରା ଟୁପୁରୁ ଟାପୁରୁ ଶବ୍ଦ ଗୁଞ୍ଜରଣ କରୁଥିଲା ଅଥଚ ସ୍ପଷ୍ଟ ଭାବରେ ଶୁଭୁନଥିଲା । ପୂର୍ବ ଦିଗକୁ ଲମ୍ବିଯାଇଥିବା ରାସ୍ତା କଡ଼ରେ ଥିବା ପୋଖରୀ ନିକଟରେ ଲୋକମାନେ ରୁଣ୍ଡ ହୋଇ "ତୁଣ୍ଡ ବାଇଦ ଶହସ୍ର କୋସ" ଭଳି ଭିନ୍ନ ଭିନ୍ନ ମତ ପ୍ରକାଶ କରୁଥିଲେ । 


ଗାଁ ମୁଖିଆ ଦୁର୍ଗାମାଧବ ର ଝିଅ ରାତିରେ ଫେରାର୍ ହୋଇଯାଇଛି !! କାହା ସହିତ ଯାଇଛି ? ଆଗରୁ କାହା ସହିତ ତାର ସଂପର୍କ ଥିଲା କି ? କେତେବେଳେ କେମିତି ଗଲା ?? ଇତ୍ୟାଦି ଇତ୍ୟାଦି...ଏମିତି ସହସ୍ର ପ୍ରଶ୍ନକୁ ପବନ ହଜମ କରି ସାରିଥିଲେ ବି ପ୍ରଶ୍ନ ଗୁଡିକର ଶେଷ ନଥିଲା । ପ୍ରଶ୍ନ ଉପରେ ପ୍ରଶ୍ନ, ତଥାପି କାହାରି ଉତ୍ତର ଗ୍ରହଣୀୟ ମନେ ହେଉନଥିଲା । ବିଶ୍ବାସ ଲାଗୁ ନଥିଲେ ବି କଥାଟା ଚାରି ଦିଗକୁ ପ୍ରଚାର ହୋଇ ସାରିଥିଲା ।


ମଧ୍ୟରାତ୍ରରୁ ଦୁର୍ଗାମାଧବ ଜୀବନରେ ଅର୍ଜିଥିବା ଇଜ୍ଜତକୁ ବଞ୍ଚାଇ ରଖିବାକୁ ଚୌକି ଉପରେ ବସି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛି । ତା ନିଜ ଘନିଷ୍ଠ ପରିଜନ ମାନଙ୍କୁ ଫୋନ୍ ଯୋଗେ ସୂଚନା ଦେଇଛି, ତା ଝିଅକୁ ଫେରାଇ ଆଣିବାକୁ । ଆଖିରେ ନିଦ ତ ନାହିଁ ହେଲେ ଲୁହ ନିଶ୍ଚୟ ଝରିଛି । 


"ଏସବୁ ଚଳଚିତ୍ରରେ ଭଲ ଲାଗେ ସିନା ପ୍ରକୃତ ଜୀବନରେ ତ ନଘଟିବା କଥା !!" 


ଜଣେ ବାପାର, ଦୁଃଖର ଓଜନ୍ ଓ ଇଜ୍ଜତ୍ ର ମୂଲ୍ୟ କେତେ ?? ତା'ର ହିସାବ ନିକାଶ ଦୁର୍ଗାମାଧବ ଏଇ ଗୋଟିଏ ରାତିରେ ପାଇ ସାରିଛି । ଜଣେ ବାପା ହିସାବରେ କାନ୍ଦିଛି ପୁଣି ଜଣେ ବାପାର କର୍ତ୍ତବ୍ୟରେ ଝିଅକୁ ଖୋଜିଛି । ପରିବାର ର ଦୁଃଖରେ ସହଭାଗୀ ହୋଇ ଦୁଃଖୀ ବି ହୋଇଛି । ତଥାପି ସେ ଭାଙ୍ଗି ପଡିନି । ଏହା ତାର ଗର୍ବ କି ଅହଂକାର ନୁହେଁ ଏହା ତା'ର ଆତ୍ମବଳ । ସେଥି ପାଇଁ ତ ଗାଁ ଲୋକେ ତାକୁ ଗାଁ ମୁଖିଆ କରିଛନ୍ତି ।


ଝିଅ ଘରୁ ଗୋଡ଼ କାଢି କୁଆଡେ଼ କାହା ସହ ଚାଲିଗଲା ତା'ର ଖୋଜ ଖବର ଆଉ ମିଳିଲା ନାହିଁ । ଦୁଇ ଦିନ ବିତିଗଲା !! ତୃତୀୟ ଦିନରେ ଏକ ଅଜଣା ନମ୍ବରରୁ ଚାରିଥର୍ ମିସ୍ କଲ୍ ଆସିଲା ପରେ..ଏକ ଲମ୍ବା କଲ୍ ଆସିଲା । ବାପା... ଏକ ନିଷ୍ପ୍ରଭ ଶବ୍ଦ... !!

ଏତିକିରେ କଲ୍ ଟି ପୁଣି କଟିଗଲା ।

 

ଦୁର୍ଗାମାଧବର କଣ୍ଠ ଅବରୁଦ୍ଧ ହୋଇଗଲା, ଥରିଲା ହାତରୁ ମୋବାଇଲ୍ ଟା ମାରବଲ୍ ଚଟାଣ ଉପରେ ଖସିପଡିଲା । ନିଜ ଆବଦ୍ଧ କୋଠରୀ ଭିତରେ ଏ ଶବ୍ଦଟି ତା କର୍ଣ୍ଣରେ ବାରମ୍ବାର ପ୍ରତିଧ୍ୱନିତ ହେଲା । ଚୌକି ଉପରୁ ମୋବାଇଲକୁ ଉଠାଇ ନିଜ ପଟୁ କଲ୍ ଲଗାଇଲା । 

ଲମ୍ବା କଲ୍ ପରେ ରିସିଭ୍ ହେଲା- ହ୍ୟାଲୋ...କିଏ ?? 

ଏଥର ଶବ୍ଦଟା ସାଫ୍ ଜଣା ପଡୁଥିଲା ଅଥଚ ଅଚିହ୍ନା ମନେ ହେଲା । 

ସେପଟୁ ଗୋଟେ ଶିଶୁର ମାଁ ମାଁ କହୁଥିବାର ଶବ୍ଦ ଚିହ୍ନେଇ ଦେଉଥିଲା ଯେ ସେ ତା ଝିଅର କଲ୍ ନୁହେଁ ।

ଶିଶୁର ମାଁ ଆସି ପଚାରିଲା-"ହ୍ୟା...ଲୋ......ହ୍ୟାଲୋ... କିଏ ?? "

ର..ଙ୍ଗ୍  ନମ୍ବ..ର୍... ଏତିକି କହି ଲାଲ୍ ବଟମକୁ ବୁଢ଼ା ଆଙ୍ଗୁଠିରେ ବାରମ୍ବାର ଆଘାତ କରିଚାଲୁଥିଲା ଦୁର୍ଗାମାଧବ । ନିସ୍ତବ୍ଧ ହୋଇ ଚୌକି ଉପରେ ବସି ନିଜକୁ ଧର୍ଯ୍ୟରେ ରହିବାକୁ ଚେଷ୍ଟା କଲା ।


ମନେ ପକାଇଲା ଅଲମ୍ପିକ୍ ର ସେହି ଦୌଡ ପ୍ରତିଯୋଗିତା ଓ ରନର୍ ମାନଙ୍କ ବିଷୟରେ ଯାହା ଟିଭି ମାଧ୍ୟମରେ ବେସ୍ ଆନନ୍ଦର ସହ ଦେଖିଥିଲା । ଯେଉଁମାନେ କେବଳ ୧୨/୧୩ ସେକେଣ୍ଡ ପାଇଁ ୧୨/୧୩ ବର୍ଷ ପରିଶ୍ରମ କରିଥାନ୍ତି ।


କ୍ରମଶଃ...ଅନ୍ୟ ଅଧ୍ୟାୟରେ.. 



Rate this content
Log in

Similar oriya story from Inspirational