Tankadhar Majhi

Children Stories Inspirational Children

4.3  

Tankadhar Majhi

Children Stories Inspirational Children

ହାତ ପାହାନ୍ତାର ତାରା

ହାତ ପାହାନ୍ତାର ତାରା

3 mins
222



ଜୁଲୁଜୁଲିଆ ପୋକଟିଏ ଉଡ଼ି ବୁଲିବାକୁ ବହୁତ ଭଲ ପାଏ । ଅନ୍ଧାର ଆବୋରି ଥିବା ସ୍ଥାନଗୁଡିକରେ ଉଡ଼ି ଉଡ଼ି ନିଜକୁ ସମାଲୋଚକ ଭାବେ । ନିଜକୁ ତୁଳନା କରେ ମହଳର କାନ୍ଥ ଓ ବିଜୁଳି ଖୁଣ୍ଟରେ ଲାଗିଥିବା ବଲବ୍ ସହ, ହେଲେ ସବୁଥର ଭଲି ଏଥର ବି ହାରିଯାଏ । ପୁଣି ନିଜର କ୍ଷୁଦ୍ର ଆଲୋକରେ ଜଳି ଜଳି ନିଜଠାରେ ନିଜେ ପରିହାସିତ ହୁଏ । ଯେଉଁ ଆଲୋକର ଗର୍ବ କରେ ତାହା ସବୁବେଳେ ଭାଙ୍ଗୁଥାଏ ତଥାପି ନିଜକୁ କ୍ଷୁଦ୍ର ମଣେ ନାହିଁ ।


ଜୁଲୁଜୁଲିଆ ପୋକ... 

ନିଜ ଆଲୋକର ପ୍ରକୃତ ମୂଲ୍ୟ ଖୋଜିବାକୁ ଉଡି ବୁଲିଲା ସହରର ବଡ଼ ବଡ଼ କୋଠା ଓ ଗରୀବ କୁଡ଼ିଆ ଘର ଆଡକୁ । ପ୍ରଥମେ ଅଲୌକିକ ମହଳ ଭିତରକୁ ପଶିଗଲା । ଛୋଟ ଛୋଟ ପିଲାମାନଙ୍କ ପାଖରେ ଉଡ଼ିବୁଲିଲା ହେଲେ କେହି ବି ତାକୁ ନିରେଖି ଚାହିଁଲେ ନାହିଁ । ସେଇଠି ହଜିଯାଉଥିଲା ବିଜୁଳି ଆଲୁଅରେ । 


ଭାବିଥିଲା କୁନି କୁନି ଶିଶୁମାନେ ତାକୁ ଦେଖି ଧରିବାକୁ ଚେଷ୍ଟା କରିବେ ଏବଂ ସେ ତାଙ୍କ ହାତ ପାହାନ୍ତାରୁ ଉଡିଯାଉଥିବ । ଧରିବାକୁ ତା ପଛରେ ଧାଇଁବେ, ମଜା ଆସିବ !ବେଳେବେଳେ ଏକଦମ୍ ଛୁ ମାରି ପୁଣି ଫେରି ଆସୁଥିବ ତାଙ୍କ ପାଖକୁ । ହେଲେ ନା ! ସେମିତି କିଛି ବି ହେଲାନି । ସମସ୍ତେ ମୋବାଇଲ ଗେମ୍ ରେ ବ୍ୟସ୍ତ ଦେଖା ଯାଉଥିଲେ ଆଉ ବାକି ଲୋକ ଟିଭି ଦେଖିବାରେ । ଜୁଲୁଜୁଲିଆ ପୋକ ଖୁବ୍ ମନ ଦୁଃଖ କଲା, ତା ସାଥିରେ ଖେଲିବାକୁ କେହି ଜଣେ ବି ମିଳିଲେ ନାହିଁ । ଏକଦମ୍ ଜୋରରେ ସେଇଠୁ ଉଡିଆସିଲା ଅନ୍ଧାର ଭାଗକୁ । ଟିକ ଟିକ ଅନ୍ଧାର ଭିତରେ ନିଜକୁ ଆଶ୍ବସ୍ତ ମନେ କଲା । ଚିନ୍ତାକଲା, ସେ ଆଉ କେତେଦିନ ବଞ୍ଚିବ ! ଜନ୍ମ ଅପେକ୍ଷା ମୃତ୍ୟୁ ଅନେକାଂଶରେ ସତ୍ୟ । ଜନ୍ମ ମାଁ କୁ ଜଣେଇ କି ହେଲେ ଆସେ ଅଥଚ ମୃତ୍ୟୁ.... ନା..ନା...! ସମସ୍ତ ଜୀବ ଜୀବନର ରହସ୍ୟ ବଡ଼ ଜଟିଳ ତାକୁ ବୁଝୁବୁଝୁ ହିଁ ଜୀବନ ସରିଯାଏ । 


ପରବର୍ତ୍ତୀ ସନ୍ଧ୍ୟାରେ ଅନ୍ଧାର ଘେରି ଆସୁଥିବା ବେଳେ ମନରେ ଅସୁମାରୀ ସ୍ବପ୍ନ ଭରି ବଲବ୍ ଜଲୁନଥିବା ଅଞ୍ଚଳ ଆଡ଼କୁ ଉଡ଼ିଗଲା । ସେଇଠି ଗରିବ ମାଟିଝାଟି ଘର ର ମାଟିକାନ୍ଥରେ କିଛି ସମୟ ବସି ନିରୀକ୍ଷଣ କଲା । ହାଫ୍ ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧା କିଛି ପିଲା ଘର ଅଗଣାରେ କୁଦାକୁଦି କରି ଖେଳୁଛନ୍ତି । ନିଜକୁ ପ୍ରସ୍ତୁତ କରିନେଲା । 


ଉଡି ଆସିଲା ପାଖରେ ବସିଥିବା ପିଲାଟି ପାଖକୁ, ତା ଆଖ ପାଖରେ ଉଡିଲା । ପିଲାଟି ତାକୁ ଧରିବାକୁ ଚେଷ୍ଟା କଲା, ସହଜରେ ଧରି ପାରିଲା ନି; ଅନ୍ୟ ପିଲାମାନେ ଖେଳ ଛାଡ଼ି ତାକୁ ଦେଖି ଦୌଡ଼ି ଆସିଲେ । ତାକୁ ବହୁତ ଆନନ୍ଦିତ ଲାଗିଲା । ନିଜ ଯୋଜନା ମୁତାବକ ଦୌଡେଇଲା । ପିଲାମାନେ ହସିମଜା ହୋଇ ହାତରେ ଧରିବାକୁ ବ୍ୟାକୁଳ ହୋଇ ଉଠିଲେ । କେହି ଜଣେ ଗାମୁଛାରେ ଝାଡି଼ଦେଲା, ତଳେ ଏକ ମୁହାଁ ହୋଇ ପଡିଗଲା । କ୍ଷଣିକ ପାଇଁ ଉଠି ପାରିଲା ନାହିଁ ପରେ ହାତରେ ଧରିବାକୁ ଗଲା ବେଲେ ପୁଣି ଉଡିପଲାଇଲା । ଏଥର ସେଇ ଉଚ୍ଚ କାନ୍ଥରେ ବସି ବିଶ୍ରାମ ନେଲା । 

 

ମାଆ ଡାକ ଦେବାରୁ ପିଲାମାନେ ନିଜ ନିଜ ଘରକୁ ଫେରି ଗଲେ । ଜୁଲୁଜୁଲିଆ ପୋକ ଏକା ରହି ଯାଇଥିଲା ବାହାରେ । ରାତ୍ରି ତା କଳା ରଙ୍ଗକୁ ଆହୁରି ବିକଟ କରିବାରେ ଟିକେ ବି ସଂକୋଚ କଲାନି । ରାତ୍ରିଚର ଜୀବଜନ୍ତୁ ତୁହାକୁ ତୁହା ବୋବାଳି କରିଲେ । 


 ଶୋଇବାର ସମୟ ହୋଇ ସାରିଥିଲା । ଘରେ ଡିବିରି ବତୀ ବି ଲିଭାଯାଇଥିଲା । ଏତେ ବେଳଯାଏଁ ସମସ୍ତେ ନିଜ ନିଜ ବିଛଣାରେ ଲୋଟି ସାରିଥିଲେ ହେଲେ ଜୁଲୁଜୁଲିଆ ପୋକ ଘର ଭିତରକୁ ଯାଇ କାନ୍ଥରୁ ସବୁ ଦେଖୁଥାଏ । ତା ଆଲୁଅ ବି ମସ୍ତ ଦିମ୍ ଦିମ୍ ହୋଇ ଜଲୁଥାଏ । କାନ୍ଥ ସବୁ ଅନ୍ଧାରରେ ହଜିଯାଇଥିବା ବେଳେ ଆକାଶର ତାରା ଭଳି ସେ ହିଁ ଝଲସୁଥାଏ । 


ଶୋଇଲା ସମୟରେ ପିଲାଟି ଉପରକୁ ଚାହିଁଲା । ଉପରେ ତାକୁ ଦେଖି ବହୁତ ଆନନ୍ଦିତ ହେଲା । ଚମତ୍କାର ଲାଗୁଥିଲେ ବି ପିଲାଟି ଜାଣି ସାରି ଥିଲା ଯେ ଗୋଟିଏ କିଟ ବୋଲି । 

ପିଲାଟି ମାଆକୁ ପଚାରୁଥିଲା- "ମାଆ ଆକାଶରେ ତାରା ଭଲି ଆମ ଘର ଭିତରେ ବି ତାରା ଅଛି । ସେଇ ଦେଖୁନ କାନ୍ଥରେ କେମିତି ଦିପ୍ ଦିପ୍ ହୋଇ ଜଲୁଛି ।"

ମାଆ ପିଲାଟିର ଆଙ୍ଗୁଳି ଆଡକୁ ନଜର ବୁଲେଇଲା । ଯେଉଁଠି ଜୁଲୁଜୁଲିଆ ପୋକ ବସି ନିଜ ଆଲୁଅର ମୂଲ୍ୟ ବଖାଣୁଥାଏ । ମାଆ ବହୁତ ଖୁସି ହୋଇଗଲା ଆଉ କହିଲା- "ପୁଅ ଏ ଆମ ହାତ ପାହାନ୍ତାର କ୍ଷୁଦ୍ର ତାରା ।"


ସେହି ମାଆ ଏତିକି ଭାବୁଥିଲା ଯେ ମଣିଷର ଜୀବନ ଶେଷ ହେଲା ପରେ ଯେଉଁ ଆକାଶର ତାରାମଣ୍ଡଳ ହୋଇ ଯାଆନ୍ତି ସେ ଭିତରୁ ଏ ବି ଜଣେ । 


ଜୁଲୁଜୁଲିଆ ପୋକ ଅତି ସହଜରେ ଜଣାଇ ଦେଲା ଯେ "ମୁଁ କ୍ଷୁଦ୍ର ହୋଇ ଅନ୍ଧାରକୁ ବିନାଶୁଛି ପାରୁଛି" ।


Rate this content
Log in