ସଂସାର ଭିତର କଥା
ସଂସାର ଭିତର କଥା
ଗ୍ରାମର ନାମ ମଧୁପୁର।ଛୋଟ ପରିବାରଟିଏ । ମାଧବ ଘରର ମୁରବୀ,ତାର ସ୍ତ୍ରୀ ମାଳତୀ,ପୁଅ ରାଜା ଏବଂ ଝିଅ ସୁନି ବାସ୍ ।ରାଜାର ବୟସ ବାର ବର୍ଷ,ସୁନିର ବୟସ ପାଞ୍ଚ ବର୍ଷ ।।ମାଧବ ମୂଲ ଲାଗି ଯାହା ରୋଜଗାର କରେ ସେଇଥିରେ ଚାରିଜଣ କଷ୍ଟେ ମଷ୍ଟେ ଚଳିଯାନ୍ତି । ରାଜା ସପ୍ତମ ଶ୍ରେଣୀର ଛାତ୍ର।ସୁନି ପଢା ଆରମ୍ଭ କରୁଥାଏ । ଯେଉଁଦିନ ମାଧବ କାମକୁ ନ ଯାଏ ସେଦିନ ଘର ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।ପୁଅଟିକୁ ପଢ଼ାଇବା ପାଇଁ ମାଧବକୁ କଷ୍ଟ ହେଲେ ମଧ୍ୟ ସେ ପଛକୁ ହଟେନାହିଁ। ମାଳତୀ କୁହନ୍ତି ଆମ ପୁଅ ପାଠପଢି ମଣିଷ ହେଲେ ଆମ ଦୁଃଖ ଯିବ ।
ଦିନେ ମାଧବଙ୍କ ଦେହ ଖରାପ ହେଲା । ତିନି ଚାରି ଦିନ ଘରେ ଜରରେ ପଡ଼ି ରହିଲେ। କ'ଣ କରିବେ ଯେତେ ମେଡିସିନ୍ ଦେଲେ ବି ଜର କମୁନି।ଏଣେ ପାଖରେ ପଇସା ଯାହା ଥିଲା ସବୁ ଖର୍ଚ୍ଚ ହେଇ ଗଲାଣି।ବିଚରା ମାଳତୀ କରେ କ'ଣ।ତାଙ୍କୁ କିଛି ବୁଦ୍ଧି ବାଟ ଦେଖା ଯାଉ ନ ଥାଏ ।ରାଜା ବି ବ୍ୟସ୍ତ ହୋଇ ପଡୁଥାଏ କିପରି ବାପା ଭଲ ହେବେ ।ରାଜା ଯାଇ ଡାକ୍ତରଙ୍କୁ ସବୁ କଥା କହିଲା । ଡାକ୍ତର ବାବୁ କହିଲେ ତମ ବାପାଙ୍କୁ ନିମୋନିଆ ହୋଇ ଯାଇଛି । ମୁଁ ତ ସବୁ ଚେଷ୍ଟା କରି ସାରିଲିଣି ।ତୁମେ ବାପାଙ୍କୁ କଟକ ନେଇଯାଅ ।ରାଜା ମୁଣ୍ଡରେ ସତେକି ବଜ୍ର ପଡ଼ିଲା କି ଆଉ । କ'ଣ କରିବ ?ପାଖରେ ଗୋଟିଏ ବୋଲି ଟଙ୍କା ନାହିଁ କଟକ ନେବ କିପରି ?ରାଜା ଡାକ୍ତରଙ୍କ ଗୋଡ଼ ହାତ ଧରି କାନ୍ଦି କାନ୍ଦି ନିଜର ଅସୁବିଧା ଜଣାଇଲା । ଡାକ୍ତର ବାବୁ କ'ଣ ବା କରିବେ ।ରାଜାର ଭଲ ସ୍ଵଭାବ ଦେଖି ନିଜର ସାଙ୍ଗ କରିଥିବା ନସି°ହୋମକୁ ପଠାଇଦେଲେ । କହିଲେ ତୁମେ ବ୍ୟସ୍ତ ହୁଅନି ମୁଁ ସବୁ କଥା ଫୋନରେ ଡାକ୍ତରଙ୍କୁ ଜଣାଇ ଦେଇଛି ତୁମର ଟଙ୍କା ଖର୍ଚ୍ଚ ହେବାର ନାହିଁ ତୁମେ ଆଗ ସେଠାକୁ ଶୀଘ୍ର ନେଇଯାଅ ।ରାଜା ନିଜ ସାଇକେଲରେ ବାପାଙ୍କୁ ବସାଇ ଗଡ଼େଇ ଗଡ଼େଇ ନସି°ହୋମରେ ପହଞ୍ଚି ଆଡ଼ମିଶନ କରାଗଲା ।ସେ ଡାକ୍ତର ବି ପଇସା ପତ୍ର କିଛି ରଖିଲେନି । ବିଚରା ମାଳତୀ ମାଗି ମୁଗି ଆଣି ଖାଇବା ପିଇବା ଖର୍ଚ୍ଚ ସମ୍ଭାଳୁ ଥାନ୍ତି । ତିନି ଦିନ ପରେ ଧୀରେ ଧୀରେ ମାଧବ ସୁସ୍ଥ ହେବାକୁ ଲାଗିଲେ । ଏବଂ ତାଙ୍କୁ ମେଡିସିନ ଦେଇ ଘରକୁ ପଠାଇଦେଲେ।ଘରେ କଣ ବା ଅଛି ଯେ ଖାଇବେ ।ଛୋଟ ଛୁଆଦିଟା ଭୋକରେ ଆଉଟୁ ପାଉଟୁ ହେଇ କିଛି କହି ପାରୁ ନ ଥାନ୍ତି କେବଳ ସୁନି କୁ କୁ ହେଇ କାନ୍ଦୁଥାଏ ।ମାଳତୀ କିଛି ଉପାୟ ନ ପାଇ ଘରେ ଥିବା ଦୁଇ ଖଣ୍ଡ ବାସନ ବନ୍ଧା ପକାଇ ଛୁଆଙ୍କ ମୁହଁରେ ଆହାର ପକେଇଲେ । ଏମିତି କେତେଦିନ ଚଳିବ । ରାଜା କହିଲା ବୋଉ ମୁଁ ଆଉ ପାଠ ପଢିବିନି ଯାଉଛି କୋଉଠି କାମ କରିବି କୋଉ ଦୋକାନରେ କାମ କଲେ ତ ଦିପଇସା ରୋଜଗାର କରି ପାରିବି । ମାଳତୀ ରାଜା ମୁହଁକୁ ଚାହିଁ କାନ୍ଦି ଉଠିଲେ ଓ କହିଲେ କ'ଣ କହିଲୁ ତୁ କାମ କରିବୁ ! ନା ନା,ତତେ ମୁଁ କାମ କରେଇ ଦେବିନି । ବରଂ ମୁଁ ଯାଉଛି କା ଘରେ ପାଇଟି କରି ଟଙ୍କା ରୋଜଗାର କରିବି । ତୋର ବର୍ତ୍ତମାନ ପଢ଼ିବା ସମୟ ।ମୋ ଧନଟା ପରା ଦେଖିବୁ ତୋର କିଛି ଅସୁବିଧା ହେବନି। ମୁଁ ପରା ବଞ୍ଚିଛି ।ତୋ ବାପା ଆଉ ଦିନ କେଇଟାରେ ଭଲ ହେଇ ଯିବେନି ।ରାଜା କହିଲା, ନାହିଁ ଲୋ ବୋଉ ତତେ ମୁଁ କୁଆଡ଼େ ଛାଡିବିନି । ମୁଁ ପୁଅ ଥାଉଁ ଥାଉଁ ମୋ ବୋଉ ଯିବ କାହା ଘରେ ବାସନ ମାଜିବ,ଘର ଓଳେଇବ ମୁଁ ଏହା ଦେଖି ପାରିବିନି ଲୋ ବୋଉ । ଏହି ସମୟରେ ପଡିଶା ଘର ଦାମବାବୁ ଆସି ପହଁଚିଲେ।ମାଳତୀ କହିଲା ଆରେ ଦାମ ବାବୁ,ଆପଣ କେମିତି ଆସିଗଲେ ଅବେଳାରେ।ଦାମ କହିଲା ଭାଉଜ ,ଭାଇ ଦେହ କୁଆଡେ ଖରାପ ଥିବାର ମୁଁ ଶୁଣିଲି ।କଣ ହେଇଛି ଭାଇଙ୍କର । ମୁଁ ଗାଆଁରେ ନ ଥିଲି ତ ।ଏବେ ଆସି ପହଞ୍ଚୁଛି ।ଭାଇଙ୍କ କଥା ଶୁଣି ଚାଲି ଆସିଲି ।ଏଇ ନିଅ ଏ ବିସ୍କୁଟ,ସେଓ ଆଣିଥିଲି ରଖ ଭାଇଙ୍କୁ ଦେବ। ଆରେ ରାଜା ପଢ଼ାପଢ଼ି କେମିତି ଚାଲିଛି।ରାଜା କହିଲା କ'ଣ କହିବି ଦାଦା,ବାପାଙ୍କ ଦେହ ଖରାପ ହେବା ଦିନରୁ ଘରେ ମୁଠାଏ ଦାନା ନାହିଁ। ବୋଉ ବାସନ ବନ୍ଧା ପକେଇ ଯାହା ଆଣିଥିଲା ସେଇଥିରେ ଦୁଇ ଦିନ ଚଳିଗଲୁ ।ଆପଣ ମୋ ପାଇଁ ଗୋଟେ କାମ ବୁଝି ଦିଅନ୍ତନି ମୁଁ କାମ କରିବି ମୁଁ ଆଉ ଏ ଘରର ଦୁଃଖ ସହି ପାରୁନି କି ଦେଖି ପାରୁନି ।ମୋ ବୋଉ କହୁଛି ତୁ ପାଠପଢ ମୁଁ ଯାଇ ପର ଘରେ ପାଇଟି କରି ତତେ ପଢେଇବି ।ତମେ କହିଲ ଦାଦା ଏହା କ'ଣ ଠିକ୍। ମୁଁ ଘରେ ପୁଅ ଥାଉ ଥାଉ ମୋ ବୋଉ ଯିବ କାମ କରିବାକୁ ।ତା ହେଇ ପାରିବ ନାହିଁ।ମୋର ପାଠ ଦରକାର ନାହିଁ ମୋର ମୋ ବୋଉ ଦରକାର।
ଦାମ କହିଲେ କେହି କାମ କରିବା ଦରକାର ନାହିଁ ମୁଁ ଏହାର ସମାଧାନ କରି ଦେଉଛି । ଆଚ୍ଛା ଭାଇ ଆପଣଙ୍କୁ ଏବେ ଭଲ ଲାଗୁଛି ତ ? ଦେହରେ ଆଉ ଜର ନାହିଁ ତ ? ମାଧବ କହିଲେ ଏବେ ଟିକେ ଭଲ ଲାଗୁଛି ହେଲେ କମଜୋରି ଲାଗିଲା ପରି ଜଣା ପଡୁଛି । ଖିଆପିଆ ଠିକ୍ ସେ ନାହିଁ ତ ସେଇଥିପାଇଁ। ଧିରେଧିରେ ସବୁ ଠିକ୍ ହୋଇଯିବ ।ଜାଣିଲ ଦାମ,ମୋର ସବୁବେଳେ ମୋ ପରିବାର ଚିନ୍ତା । ମୁଁ ପଡିଗଲି ତୋ ଭାଉଜ କୋଉଠୁ କ'ଣ ଆଣି କେମିତି ଛୁଆଙ୍କୁ ଚଳୋଉଛି ମୁଁ କିଛି ବୁଝି ପାରୁନି । ପଚାରିଲେ କହୁଛି ତୁମେ ବୁଝିବା ଦରକାର ନାହିଁ।ଆଗ ତମ ଦେହ ଭଲ ହେଇଯାଉ ।ତମେ କହିଲ ଦାମ ମୁଁ ଘରର ମୁରବି,ଇଏ ମତେ ସବୁ କଥା ଲୁଚାଇବାଟା କ'ଣ ଠିକ୍ ?ଦାମ କହିଲେ ତମେ କାହିଁ ବ୍ୟସ୍ତ ହେଉଛ ଯେ ଯାହା ହବାର କଥା ହେଇ ସାରିଲାଣି।ଏବେ ମୁଁ ଆସି ଯାଇଛି ମାନେ ଆଉ କିଛି ଅସୁବିଧା ହେବନି।
କ୍ରମଶଃ
