ସଂସାର ଭିତର କଥା (ଭାଗ-୪)
ସଂସାର ଭିତର କଥା (ଭାଗ-୪)
ଆଗରୁ ଜାଣିଥିଲେ ଯେ ବାପା ବୋଉ ଏବଂ ଝିଅ ଚିଠି ପଢ଼ି ସାରିଛନ୍ତି ଏବଂ ମାଳତୀ ଖାଇବାକୁ ଡାକିଛନ୍ତି । ତାପରେ..... ଦିନ ପରେ ଦିନ ଗଡି ଚାଲିଛି ।ଅନୋଉ ଅନୋଉ ରାଜାର ଫାଇନାଲ୍ ପରୀକ୍ଷା ସରିଗଲା ।ରାଜା ବେଷ୍ଟଟେନଥ୍ ବେଷ୍ଟ ହୋଇଛି । ସମସ୍ତଙ୍କ ଖୁସି କହିଲେ ନ ସରେ ।ଘର ଠାରୁ ବାହାର ପର୍ଯ୍ୟନ୍ତ ରାଜା ବିଷୟରେ ଚର୍ଚ୍ଚା ଲାଗି ରହିଥାଏ ।ଏତକ କେବଳ ସମ୍ଭବ ହୋଇଛି ଦାମ ବାବୁଙ୍କ ପାଇଁ।ତେଣୁ ରାଜା ସର୍ବ ପ୍ରଥମେ ଯାଇ ଦାମ ଦାଦାଙ୍କ ପାଦତଳେ ପଡ଼ି କାନ୍ଦି ଉଠିଛି ।
ରାଜା-ଦାଦା,ଆଜି ଆପଣଙ୍କ ସାହାଯ୍ୟର ଫଳ ମୁଁ ପାଇ ଯାଇଛି ।ଆପଣ ସାହାଯ୍ୟ କରି ନ ଥିଲେ ମୁଁ କିଏ ନା କଲେଜ କିଏ ?ସବୁ ତୁମରି ଦାନ ଦାଦା ।
ଦାମ-ଏ ପାଗଳା,ଏମିତି କ'ଣ କହୁଛୁ କିରେ । ମୁଁ ପରା ଦାଦା, ବାପା ପରି ।ମୋ ପୁଅକୁ ପଢେଇଲି ବୋଲି ଏତେ ମହାନ କାମଟା କରି ଦେଇଛି ଯେ ତୁ କାନ୍ଦି ପକୋଉଛୁ । ଛିଃ,ମୋ ସୁନା ପୁଅଟା ପରା ।ଆରେ ଆଜି ମୋ ଛାତି କୁଣ୍ଡେ ମୋଟ ହୋଇ ଯାଉଛିରେ ।ମୋ ଟଙ୍କାର ମୂଲ୍ୟ ତୁ ଠିକ୍ ରଖି ପାରୁଛୁ ।ତତେ ତ ଈଶ୍ବର ସାହା ହୋଇଛନ୍ତି । ମୁଁ ଆଉ ଅଧିକାଟା କ'ଣ କରିଦେଲି କି ?
ରାଜା- ଦାଦା,ଆପଣ ମଣିଷ ନୁହଁନ୍ତି, ମୋ ପାଇଁ ଭଗବାନ ।ଆପଣ ସାହା ହୋଇ ନ ଥିଲେ ମୁଁ କ'ଣ ଗ୍ରାଜୁଏସନ୍ କଂପ୍ଲିଟ କରି ପାରିଥାନ୍ତି ?
ଦାମ- ଛାଡ ସେ ସବୁ କଥା । ହଁ କ'ଣ କହୁଥିଲି କି କାଲି ମୁଁ ପେପର ପଢ଼ୁଥିଲି ଦେଖିଲି ବ୍ୟାଙ୍କରେ କ୍ଲାର୍କ ପୋଷ୍ଟ ପାଇଁ ଆବେଦନ ପତ୍ର ଦେଇଛି ।ତୁ ଯଦି ଫର୍ମ ପକାଇ ଦିଅନ୍ତୁ ତ ଭଲ ହୁଅନ୍ତା ।ଦେଖିବା ଯାହା ହବା କଥା ହେବ ।ମୋର ବି ଊଣା ଅଧିକେ ବ୍ୟାଙ୍କରେ ଚିହ୍ନା ଜଣା ଅଛନ୍ତି ।ତୁ ଆଗ ଫର୍ମ ଫିଲପ୍ କରି ପକେଇଦେ ଆଗକୁ ଚେଷ୍ଟା ତ କରିବା ନା କ'ଣ କହୁଛୁ ।
ରାଜା- ଯାହା ଆପଣଙ୍କ ଇଛା ।ଆଗ ମୁଁ ଘରକୁ ଯାଇ ଏ ଖୁସି ଖବରଟା ଦେଇସାରେ ତା ପରେ ଯେଉଁ କଥା ।
ଦାମ-ଠିକ୍ କହିଚୁ ।ଯା ଶୀଘ୍ର ଖାଇନେ ଏଇ ଏଗାରଟା ବସରେ ପଳେଇଲେ ସନ୍ଧ୍ୟାବେଳେ ଘରେ ପହଞ୍ଚି ଯିବୁ ।
ରାଜା- ହଁ ଦାଦା ।ଯାଉଛି ମୁଁ ଆଗ ଖାଇନିଏ ।ଆପଣ ଆସୁ ନାହାଁନ୍ତି ମୋ ସାଙ୍ଗରେ ଖାଇନେବେ ।
ଦାମ- ନାଇଁ ରେ, ମୁଁ ପରା ଏବେ ଜଳଖିଆ କରିଥିଲି ତୁ ଯା ।ଭାବୁଛି ମୁଁ ବି ତୋ ସାଙ୍ଗରେ ଗାଆଁକୁ ଯାଇ ବୁଲି ଆସିବି ।
ରାଜା- ବଢିଆ ହବ ।ଆସନ୍ତୁ ସାଂଗ ହୋଇ ଯିବା ।
ଦାମ- ତୁ କାମ ସାରେ । ମୁଁ ଖାଲି ଟିକେ ଵାହାରୁ ଆସୁଛି ।
ରାଜା- ଠିକ୍ ଅଛି ଦାଦା ।(ଦାମ ଚାଲିଗଲେ,ଏଇ ସମୟରେ ରାନୀ ଆସି ପହଁଚିଲେ)
ରାନୀ-ହେଇ, କ'ଣ କରୁଛ !ଇଏ କ'ଣ । କ'ଣ ବେଡିଙ୍ଗ୍ ବସ୍ତାନି ବନ୍ଧା ହେଲାଣି । କ'ଣ ମତେ ଏକୁଟିଆ ଛାଡ଼ିଦେଇ ଚାଲି ଯିବନା କ'ଣ ? ମୁଁ ଯଦି ଠିକ୍ ସମୟରେ ନ ଆସିଥାନ୍ତି ତ କଥା ସରିଥିଲା ।
ରାଜା- କ'ଣ ଏମିତି ପାଗିଳିଙ୍କ ପରି ହେଉଛ । ପରୀକ୍ଷା ତ ସରିଲା , ରେଜଲ୍ଟ ତ ବାହାରିଲା । ମୁଁ ଏଠି ରହି ଆଉ କ'ଣ କରିବି ଯେ ।
ରାନୀ- ଆଛା ! ତମ ମନରେ ପୁଣି ଏତେ କଥା ଅଛି ନା ! ମୁଁ କ'ଣ ଏଠି କିର୍ତ୍ତନ କରିବି କି ?ଏ ରାଜା ,ତମର କ'ଣ ମୋ କଥା ଜମାରୁ ମନରେ ନାହିଁ ? ମୁଁ ତମକୁ ଏତେ ଭଲ ପାଉଛି ଅଥଚ ତମର ରିଆକସନ କିଛି ଦେଖୁନି ତ !!!ସତ କହିଲ,ତମେ କଣ ମତେ ଭଲ ପାଅନା !! ମୁଁ କେତେ ଆଶା ଭରସା ରଖିଛି ତମ ଉପରେ ଅଥଚ...
ରାଜା- ଏ ରାନୀ,ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ।ତମେ କେଉଁଠି ଆଉ ମୁଁ କେଉଁଠି ।ତମେ କେତେ ବଡ଼ ଘରର ଝିଅ ମୁଁ ଗାଉଲୀ ମଫସଲୀ ପୁଣି ମୂଲିଆର ପୁଅ ।ଏଇଟା କ'ଣ ସମାଜ ଗ୍ରହଣ କରିବ ନା ତମ ଘରେ ରାଜି ହେବେ ।ତମ ଘରେ ତମ ବାପା ମୋ କଥା ଶୁଣିଲେ ମତେ ଜୀବନରୁ ମାରିଦେବେ ।
ରାନୀ- ତମେ ମୋ ବାପାଙ୍କୁ ଜାଣିନ ବୋଲି ଏ କଥା କହୁଛ ।ମୋ ବାପା ବୋଧେ ଦୁନିଆରେ ଏକ ନମ୍ବର ବାପା ।ମାଛିକୁ ମ ବୋଲି କୁହନ୍ତିନି ।ମତେ ଭାରି ଭଲ ପାଆନ୍ତି ।।ଆଉ ମୋ ମାଆ ତ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ପରା ।ମୋ ଇଛାକୁ ସମ୍ମାନ ଦିଅନ୍ତି ।ଥରେ ଚାଲୁନା ଆମ ଘରଆଡେ ଯିବା ।ତମ ନିଜ ଆଖିରେ ଦେଖିଲେ ବିଶ୍ୱାସ କରିବ ।
ରାଜା-ଠିକ୍ ଅଛି ।ଯିବା ଯେ ହେଲେ ଏବେ ମୋର ଘରକୁ ଯିବା ନିହାତି ଦରକାର ।କାରଣ ମୋ ଦାଦା ଆସୁଛନ୍ତି ମତେ ସାଙ୍ଗରେ ନେଇ ଘରକୁ ଯିବେ ।ମୋ ଘରେ ସମସ୍ତେ ଅପେକ୍ଷା କରିଥିବେ । ମୁଁ ପରା ଦେଢ଼ ବର୍ଷ ହେବ ଘରକୁ ଯାଇନି ।ତମେ ବ୍ୟସ୍ତ ହୁଅନି । ମୁଁ ଘରୁ ବୁଲି ଆସେ ।ତାପରେ ଦିନେ ସୁବିଧା ଦେଖି ତମ ଘରଆଡେ ଯିବି ।।
ରାନୀ- ରାଜା !!ମୋ ମନ କଥା ଥରେ ବୁଝିବାକୁ ଚେଷ୍ଟା କର ।ତମ ବିନା ମୁଁ ବଞ୍ଚି ପାରିବିନି ।କେତେ କେତେ ଟୋକା ମୋ ପଛରେ ପଡ଼ିଥିଲେ ହେଲେ ତମ ଛଡ଼ା ମୁଁ କାହାକୁ ମନ ଦେଇନି କି କାହାକୁ କଥା ଦେଇନି ।।ତମେ ଆଉ ଡେରି କରନା ।ତମ ଦେଖା ମିଳିବ କି ନାହିଁ ଜାଣେନା । ହେଲେ ମନେ ରଖିଥିବ, ମୁଁ ମାତ୍ର ପନ୍ଦର ଦିନ ଅପେକ୍ଷା କରୁଛି । ଯଦି ପନ୍ଦର ଦିନ ଭିତରେ ତମେ ମୋ ଘରେ ନ ପହଞ୍ଚିଲ ,ଦେଖିବ ରାନୀ ବୋଲି ଝିଅଟିଏ କେଉଁ ଗଛରେ ଝୁଲୁଛି ।
ରାଜା-(ରାନୀ ପାଟିରେ ହାତ ଦେଇ) କ'ଣ ସବୁ ମନକୁ ମନ ଗପି ଯାଉଛ ?ତମେ କ'ଣ ମୋ ବିଷୟରେ ଭାବୁଛ ମୁଁ ଜାଣେନା ହେଲେ ମୁଁ ବି ତମ ପ୍ରତି ଆକୃଷ୍ଟ ହୋଇ ସାରିଛି ।ତମେ ହିଁ ମତେ ପ୍ରେମ ଫାସରେ ପକାଇ ଦେଲ ।
କଥା ଦେଉଛି ରାନୀ, ନିଶ୍ଚୟ ତୁମ ଘରେ ଯାଇ ପହଞ୍ଚିବି ।
ରାନୀ-ମୋ ରାଜା ପରି କିଏ ହେବ ?(ଗାଲକୁ ଚୁମିଦେବା)
ରାଜା- ଓଃ ରାନୀ !!! ୟୁ ଆର୍ ଗ୍ରେଟ୍
ମାଧବ ଘରେ ବସି ଚାହାଁ ପିଉଥାନ୍ତି ।ମାଳତୀ ବସି ପାନ ଭାଙ୍ଗୁ ଭାଙ୍ଗୁ କହିଲେ ....
ମାଳତୀ-ଶୁଣୁଛ,ଆମ ପୁଅର ତ ପରୀକ୍ଷା ସରି ଗଲାଣି।କେବେ ସିଏ ଘରକୁ ଆସିବ କି ?ତାକୁ କେବେଠାରୁ ଦେଖିନି । ମୋ ମନ ଜମା ଭଲ ଲାଗୁନି ।
ମାଧବ- ଆରେ ଏତେ ବ୍ୟସ୍ତ ହେଲେ ଚଳିବ ।ପୁଅ ଛୁଆ , ତାର ତ ପୁଣି ମନ ଅଛି ନା ନାହିଁ !ସାଙ୍ଗ ମେଳରେ ରହି ଯାଇଥିବ । ବଳେ ଆସିବନି । ଆମ ଦାମ ପରା ସେଇଠି ରହୁଛି । ଦେଖିବ ମୋ ପୁଅର କିଛି ଅସୁବିଧା ହେବନି। ସେ ଏଇ କେଇଟା ଦିନ ଭିତରେ ଘରକୁ ନିଶ୍ଚୟ ଆସିବ ।
ତାପରେ....
(ଆର ଥରକୁ)
