suchismita Panda

Drama Fantasy Inspirational

4.5  

suchismita Panda

Drama Fantasy Inspirational

ସଂକଳ୍ପ

ସଂକଳ୍ପ

4 mins
287


         ସହରର ରାଜରାସ୍ତାଠୁ ବିଚ୍ଛିନ୍ନ ହୋଇ କଚ୍ଚା ରାସ୍ତାରେ ଦୀର୍ଘ ଲମ୍ବା ବାଟ ଗଲାପରେ ଆସେ ଏକ ସୁନ୍ଦର ସବୁଜିମାରେ ଭରା ଗାଁ ଟିଏ । ଗାଁର ଆରମ୍ଭରୁ ବହି ଯାଇଥାଏ ଗଭୀର ଚକଚକ କରୁଥିବା ସୁନ୍ଦର ଏକ ନଦୀ, ଯାହାର କୂଳେ କୂଳେ ଅନେଇ ଶସ୍ଯ ହସୁଥାନ୍ତି ସ୍ବଚ୍ଛନ୍ଦରେ । ଶାନ୍ତ ପରିବେଶ ଭିତରେ କେବଳ ଯାହା ଶୁଭାଯାଉଥାଏ ପଶୁ ପକ୍ଷୀଙ୍କ ହସଗୀତ । ମନୋହର ଗାଁଟିକୁ ଆହୁରି ସୁନ୍ଦର କରୁଥାଏ ସେଠିକାର ଜନସାଧାରଣ । ସାଧାରଣ ମଣିଷଙ୍କ ଠାରୁ ଭିନ୍ନ ସେମାନଙ୍କ ବେଶ ପୋଷାକ ଏବଂ ଚାଲି ଚଳଣି । ଗାଁ ଟି ପର୍ବତର ଉପରେ ଥାଏ ବୋଲି ସେଠି ଶୀତ ମଧ୍ୟ ବେଶୀ । ତେଣୁ ସେଠିକାର ଘର ସବୁ ନିବୁଜ ଘର। ଯେଉଁଠି ଥଣ୍ଡା ପବନ ପଶିବାର ସମ୍ଭାବନା କମ । ପୁଣି ଘର ଭିତରେ ନିଆଁ ଲଗେଇ ଶୀତରୁ ବଂଚିବାକୁ ମଧ୍ୟ ସୁବିଧା । ଏଥି ସହିତ ସେମାନଙ୍କ ପୋଷାକ ମଧ୍ୟ ବେଶ ଗରମ । ତେଣୁ ତ ସେଠି ସେମାନେ ଏତେ ଆରାମରେ ବସିତି କରୁଥାନ୍ତି । ଏତେ ଭିନ୍ନତା ଭିତରେ ମଧ୍ୟ ନିଜସ୍ୱ ସତ୍ତ୍ବା ରଖି ଯିଏ ଆସେ ତାକୁ ଚିରଦିନ ପାଇଁ ଆପଣାର କରିନେଉଥିବା ଗାଁ ଟିଏ ସିଏ । ନାଁ ତାର ମୁକ୍ତାପୁର । 

     ମୁକ୍ତାପୁରର ଅନ୍ୟ ଏକ ଆର୍କଷଣୀୟ ମୁକ୍ତା ହେଉଛି କୁସୁମ । ସଇଁ ତିରିଶି ବର୍ଷ ବୟସୀ କୋମଳ ସୌନ୍ଦର୍ଯ୍ୟରେ ମଣ୍ଡିତ ଯୁବତୀ । ସେ କାହା ଘରର ଝିଅ ନୁହେଁ କି ବୋହୂଟିଏ ମଧ୍ୟ ନୁହେଁ । କାହାରି କୌଣସି ସଂପର୍କୀୟ ମଧ୍ୟ ନୁହେଁ ସେ । ହେଲେ ସେ ସଭିଙ୍କର ଆଉ ଏଇ ମୁକ୍ତାପୁର ତାର । 

      ଥରେ ଏଇ ମୁକ୍ତାପୁରର ନଦୀ ତଟେ ଏକା ବସିଥାଏ ଅଜଣା ଝିଅଟିଏ । ଦିନ ଯାଇ ରାତି ଆସେ ତଥାପି ସେ ସେମିତି ହିଁ ବସିଥାଏ । ନା କାହାରିକୁ ସେ କିଛି କଥା କହୁଥାଏ ନା କେହି ତା ସହ କଥା ହେବାକୁ ସାହାସ ପାଉଥାଏ । ତୁନି ହୋଇ କେବଳ ମୁଣ୍ଡ ତଳକୁ କରି ବସିଥାଏ । ରାତି ମଧ୍ୟ ଧୀରେ ଧୀରେ ବଢିବାକୁ ଆରମ୍ଭ ହୁଏ । ଆଉ ଚୁପ ରହିବା ଠିକ୍ ନୁହେଁ ବୋଲି ବିଚାର କରି ଗାଁର କିଛି ଜଣ ମିଶି ତା ପାଖେ ପହଞ୍ଚନ୍ତି । ଝିଅଟି କିନ୍ତୁ ତା ନାଁ କୁ ଛାଡି ଆଉ କିଛି କହେନି । ଗାଁ ଲୋକେ ମଧ୍ୟ ଝିଅଟିର ଦୁଃଖ ଗଭୀର ବୋଲି ହୃଦୟଙ୍ଗମ କରି ଅଧିକ କିଛି ନପଚାରି ତାଙ୍କ ଗାଁର ସଦସ୍ୟ କରିରଖନ୍ତି । ସେ ଦିନଠୁ ଅଜଣା କୁସୁମ ପାଲଟାଯାଏ ମୁକ୍ତାପୁରର ଆପଣା ।

       ସମୟାନୁକ୍ରମ ଧୀରେ ଧୀରେ କୁସୁମ ହସିବାକୁ ଲାଗେ । ଦୁଃଖର ଗଭୀରତାରୁ ବାହାରି ସେ ବଂଚିବାକୁ ଆରମ୍ଭ କରେ । ମୁକ୍ତାପୁର ଗାଁ ଲୋକଙ୍କୁ ଆପଣାର କରି ସେମାନଙ୍କ ସହ ମିଶି ସେଠି ଆରମ୍ଭ କରେ ବ୍ୟବସାୟ । ଗାଁ ଲୋକଙ୍କ ପାଇଁ ପାଲଟେ ଏକ ଆଶାର କିରଣ । 

      ବର୍ଷ ପରେ ବର୍ଷ ବିତେ । ସବୁ ବର୍ଷ ପରି ଜାନୁୟାରୀରି ମକର ମେଳା ବସେ । ମୁକ୍ତାପୁର ଗାଁ ତଥା ଆଖ ପାଖ ଗାଁରୁ ଆସୁଥିବା ଲୋକଙ୍କ ଭିତରେ ଖୁବ ଭିଡ ଜମେ । ସଭିଏଁ ଏଇ କିଛି ଦିନ ବେଶ ମଜା କରନ୍ତି । ହସ ଗୀତ ନାଚ ଆଦିର ମଧ୍ୟ ଆୟୋଜନ ହୁଏ । କୁସୁମ ମଧ୍ୟ ଗାଁ ଲୋକଙ୍କ ସହ ମେଳା ଦେଖିବାକୁ ଯାଇ ବେଶ ଆନନ୍ଦ ଉପଭୋଗ କରେ । 

     ଦଶ ଦିନ ବ୍ୟପୀ ଚାଲୁଥିବା ମେଳାରେ ହଠାତ୍ କୁସୁଭର ଦେଖାହୁଏ ଗୋଟେ ଚିହ୍ନା ଚେହେରା ସହ । ଅବେଳରେ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପଡେ । ଆଗତ ବିପଦ ପ୍ରତି ଅପ୍ରସ୍ତୁତ ଥିବା କୁସୁମର ହାତ ଗୋଡ ସବୁ ବରଫ ପାଲଟିଯାଏ । ଗାଁରୁ ଆସିଥିବା ଅନ୍ୟ ମାନେ କୁସୁମର ଅବସ୍ଥା ଦେଖି ଭୟଭୀତ ହୋଇଯାନ୍ତି । ହେଲେ କୁସୁମ ସାହାସିକତା ଦେଖାଇ ସବୁକିଛି ସମ୍ଭାଳି ନିଏ । ଚିହ୍ନା ଭିତରେ ଅଚିହ୍ନା ହୋଇ ସେ ଆଉ ସେଇ ମେଳାରେ ନରହି ଫେରି ଆସେ ଘରକୁ ।

      ରାତି ସାରା କୁସୁମର ଆଖିରେ ଆଉ ନିଦ ନଥାଏ । ସକାଳ ହେଉ ହେଉ ତା ଦେହରେ ଖଇଫୁଟା ତାତି । ଏତେ ବର୍ଷ ଭିତରେ କୁସୁମର ଦେହ ଖରାପ ହେବା କଥା କେହି ଜାଣିନଥିଲେ । ଏଇ ଥର ହିଁ ପ୍ରଥମ । ହେଲେ କଣ ପାଇଁ ସେସବୁ ସଭିଙ୍କ ମନେ ପ୍ରଶ୍ନ ହୋଇଯାଏ । ଘରୋଇ ଔଷଧ ଆଦି ଦ୍ବାରା ତାତି କମେ । ଆଉ ସେ ଶୋଇପଡେ । ସଞ୍ଜ ବେଳକୁ ନିଦରୁ ଉଠି ଦେଖେ ଗାଁ ର ଅଧିକାଂଶ ଲୋକ ତା ପାଖେ ଅଛନ୍ତି । ଆଶ୍ଚର୍ଯ୍ୟ ହୋଇପଡେ । କଥା କଣ ପଚାରି ବୁଝିବାକୁ ଉଠି ବସେ । 

      ମୁକ୍ତାପୁରରେ ସବୁଠୁ ନିଜର ହୋଇଥାଏ ସେ ଜେମାମାଆଙ୍କ ସହ । ଜେମାମାଆ କୂସୁମ ଉଠିବା ଦେଖି ପାଖକୁ ଆସନ୍ତି ଭଲ ମନ୍ଦ ପଚାରିବାକୁ । ହେଲେ ତା ପୂର୍ବରୁ ଏତେ ଲୋକଙ୍କ ଭିଡ ରହସ୍ୟ ପଚାରେ କୁସୁମ । ଜେମାମାଆ ମିଛ କହି ନପାରି କହନ୍ତି "ଜଣେ ସହରୀ ବାବୁ ଆସିଛନ୍ତି । ତୋତେ ନେଇଯିବାକୁ । କହୁଛନ୍ତି ସେ ତୋତେ ଜାଣନ୍ତି ଆଉ ତୁ ମଧ୍ୟ ତାଙ୍କୁ ଜାଣୁ ।"

    କୁସୁମ ଧଡ କିନା ଉଠି ପଡି ବାହାରି ଆସେ । କଥା କିଛି ତାକୁ ପଚାରିବେ ତା ପୂର୍ବରୁ ହିଁ ସେ କହେ "ମୁକ୍ତାପୁର ମୋ ଗାଁ। ଆଉ ତମେ ସମସ୍ତେ ମୋର । ମୁଁ ଏଇ ଗାଁ, ଗାଁ ଲୋକଙ୍କୁ ଛାଡି ଆଉ କାହାରିକୁ ଚିହ୍ନିନି । ମୁଁ ଏଇ ଗାଁ ଛାଡି କୁଆଡେ ଯିବିନି ।" କୁସୁମ ମୁଖରୁ ଏତକ ଶୁଣି ଗାଁରେ ଖୁସିର ମାହୋଲ ଖେଳିଯାଏ କିନ୍ତୁ ସହରୀ ବାବୁଙ୍କର ମୁହଁ ଶୁଖିଲା ରହିଯାଏ ହାରି ଯାଇଥିବା ଦୁଃଖରେ । ବାଧ୍ୟ ହୋଇ ନିରାଶାକୁ ହାତରେ ଧରି ସେ ଫେରିବାକୁ ଲାଗନ୍ତି ।

    ଭିତରକୁ ପଶିଆସିଥାଏ କୁସୁମ । ହେଲେ ମନ ତାର ଅଶାନ୍ତ । ଜେମାମାଆ ତାକୁ ଶାନ୍ତ କରିବାକୁ ଯାଇ ମନ କଥା ଖୋଲି କହିବାକୁ କହନ୍ତି । ସେ ଏତେ ବର୍ଷର ବେଦନାକୁ କେବଳ ଦୁଇ ଧାଡିରେ କହିବାକୁ ଯାଇ କହେ -" ଏଇ ସେ ମହାନ ଖଳନାୟକ ଯିଏ ବାପା ମାଆଙ୍କ ଆଗେ, ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ମିଛ ସଂକଳ୍ପ କରି ହାତ ଧରିଥିଲେ ଏବଂ ଅର୍ଥର ଲାଳସାରେ ଜଣେ ଉଦ୍ୟୋଗପତିର ହାତରେ ବିକ୍ରି କରିଦେଇଥିଲେ । ଚୋବିଶ ଘଣ୍ଟା ଧରି ଧର୍ଷିତ ହେବାପରେ ଆଉ ଘରକୁ ନଫେରି ନିଜ ରାସ୍ତା ନିଜେ ସ୍ଥିର କରିଥିବା ସେଇ ଅଭାଗୀନି ହେଉଛି ମୁଁ ।" 

     ଜେମାମାଆ କୁସୁମକୁ କୋଳେଇ ଧରିନେଲେ । ଦୁହିଁଙ୍କ ଭିତରେ କହିବାକୁ କିଛି ନଥିଲା ହେଲେ ଚୁପ୍ ଚାପ୍ ରହଣି ଭିତରେ ବହୁତ କିଛି ଆପଣାଛାଏଁ ଗୋଟେ ମାଆଠୁ ଝିଅ ଏବଂ ଝିଅଠୁ ମାଆ ବୁଝିଯାଉଥିଲା । 


Rate this content
Log in

Similar oriya story from Drama