puspanjali das

Classics

2  

puspanjali das

Classics

ସ୍ନେହ ଡୋର

ସ୍ନେହ ଡୋର

4 mins
425


   ଅହଲ୍ୟା ସେଦିନ ଖୁବ୍ ତର ତର ରେ ଘରୁ ବାହାରି ଯାଇଥିଲା। ଟାଟାସୁମୋ ରେ ବସୁ ବସୁ ପର୍ସ ଭିତର ଟାକୁ ଭଲ କରି ଚେକ କରି ନେଉଥିଲା। ପଇସା ସାଙ୍ଗରେ ତା' ଇନହେଲର୍ ଟା ସବୁବେଳେ ପର୍ସ ରେ ରଖିଥାଏ। ଶ୍ଵାସ ରୋଗ ଟା ହେଲା ଦିନରୁ ,କେତେ ବେଳେ କେମିତି ବାହାରେ ଥିଲା ବେଳେ ଦରକାର ପଡ଼ିଯାଏ। ତା' ଛଡା,ସେଦିନ ତ ଧୂଳିପୂର୍ଣ ଜଗାଟିକୁ ବାହାରିଛି,ଆଵଶ୍ୟକ ପଡିବାର ସମ୍ଭାବନା ଟା ଯଥେଷ୍ଟ ଅଧିକା

         "ମାତୃକୃପା' ସଂସ୍ଥା ତରଫରୁ ଆଜି ଅହଲ୍ୟା କେତେଜଣ ଜରାଶ୍ରମ ର ବୃଦ୍ଧା ଙ୍କୁ ନେଇ ବାଲିଯାତ୍ରା ଦେଖାଇବା କୁ ବାହାରିଛି। ତା'ଯୋଗୁଁ କୌଣସି ବାଧା ବିଘ୍ନ ନ ଆସିବାକୁ ସବୁପ୍ରକାର ପ୍ରସ୍ତୁତି କରିଛି। ଗତ କେତେ ବର୍ଷ ହେବ ,ସେମାନଙ୍କ ଭିତରୁ କେହି ନା କେହି ଅସୁସ୍ଥ ରହିଯାଉଥିଲେ,ଯଦିଓ ସମସ୍ତେ ଉତ୍ସୁକ ଥିଲେ ତା'ସାଙ୍ଗରେ ଯିବାକୁ,ସେଥିପାଇଁ ସବୁପ୍ରକାର ବ୍ୟବସ୍ଥା କରି ତାଙ୍କ ସଂସ୍ଥା ର ପରିଚାଳିିକା,ନିବେଦିତା ଙ୍କୁ ସାଙ୍ଗରେ ମଧ୍ୟ ନେବାକୁ ଭୁଲିନାହିଁ।

    ଦିନ ଥାଉ ଥାଉ ,ସେମାନଙ୍କୁ ବୁଲାଇ ଫେରାଇ ଆଣିବାକୁ ସ୍ଥିର କରି ନିବେଦିତା ଙ୍କ ସାଙ୍ଗରେ ଗାଡ଼ିରୁ ଓହ୍ଲାଇ ପଡିଥିଲା। ଜଣ ଜଣ କରି ସାତ ଜଣ ଜାକ ବୃଦ୍ଧା ଉତଫୁଲ୍ଲିତ ହୋଇ ଓହ୍ଲାଇ ଯାଇଥିଲେ 'ବାଲିଯାତ୍ରା ' ପଡିଆ କୁ। ସମସ୍ତ ଙ୍କର ଗୋଟିଏ ଜିଦ୍ଦି ଥିଲା,ଗାନ୍ଧୀ ଶିଳ୍ପ ବଜ଼ାର ପଟ କୁ ନ ଯାଇ ଅନ୍ୟ ପଟ କୁ ଯିବାକୁ,ଯୋଉଠି ଛୋଟ ଛୁଆ ଙ୍କ ଖେଳଣା ଓ ରଙ୍ଗ ବେରଙ୍ଗ ର ଦୋକାନ ର ମେଲଣ ଲାଗିଥିଲା। ନିବେଦିତା ନିଜର ହସ କୁ ରୋକୁ ରୋକୁ ଅହଲ୍ୟା କୁ ଜଣାଇଥିଲେ,ଓ ତା'ର ସମ୍ମତି ରେ ନଅ ଜଣିଆ ପଟୁଆର ଟି ମାଡିଯାଇଥିଲେ ସେଇ ଛୋଟିଆ ଛୋଟିଆ ଦୋକାନ ଗୁଡିକ ଆଡକୁ।

   ହଠାତ୍ ଗୋଟାଏ ଜାଗାରେ ନାନା ରଙ୍ଗର କାଗଜ ଫୁଲ ର ସୁନ୍ଦର ଛୋଟିଆ ଗାଲିଚା ଟିଏ ପଡିଥିଲା ଭଳି ଲାଗିଥିଲା ଅହଲ୍ୟା କୁ। ଗୋଡ ତା'ର ଅଟକି ଯାଇଥିଲା, ଫୁଲ ଗୁଡିକର ଜୀବନ୍ତ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ,ପାଖରେ ବସିଥିବା ପିଲାଟି ଉପରେ ତା'ର ଆଖିପଡି ଯାଇଥିଲା। ପାଖକୁ ଟାଣି ହୋଇ ଚାଲି ଯାଇଥିଲା ଓ ଭଲକରି ପାଖରେ ଦେଖିବାରୁ ଚିହ୍ନି ପାରିଥିଲା ଯେ ତାଙ୍କ ଚୌକିଦାର ,ମୁରଲୀ ର ନାତି ପ୍ରଭାତ ବୋଲି।ତା'ପୁଅ ଅଂଶୁ ଓ ପ୍ରଭାତ ସମବୟସ୍କ,,ଦୁହେଁ ଏକା କ୍ଲାସ ରେ ପଢ଼ନ୍ତି,ଯଦିଓ ତା'ପୁଅ ଇଂରାଜୀ ମାଧ୍ୟମ ରେ ପଡ଼ିଲା ବେକେ,ପ୍ରଭାତ ପାଖ ଓଡ଼ିଆ ସରକାରୀ ସ୍କୁଲ ର ଛାତ୍ର। ତଥାପି କେମିତି କେଜାଣି ବନ୍ଧୁତା ର ଡୋର ଟିକେ ଦୁହିଁଙ୍କ ଭିତରେ ରହିଯାଇଥିଲା। ପ୍ରଭାତ କୁ ଦେଖିଲା କ୍ଷଣି ଅହଲ୍ୟା ର ମନ ଭିତରକୁ ପସିଆସିଥିଲା ସେଦିନର ଖରାବେଳ ର ଦୃଶ୍ୟ ଟା...ଅଂଶୁ କୁ ଡାକି ଡାକି ଅଂଶୁ ର ଦୁଇଜଣ ସାଙ୍ଗ ଙ୍କ ସାଙ୍ଗରେ ଘରକୁ ପସିଆସିଥିଲା ପ୍ରଭାତ। ସେଦିନ କିନ୍ତୁ,ଅଂଶୁ ର ପାପା, ବିକ୍ରମ ମହାପାତ୍ର ଙ୍କ ହାବୁଡ଼ରେ ପଡିଯାଇଥିଲେ ପିଲାମାନେ। ଯଦି ଓ ଅଂଶୁ ର ସାଙ୍ଗ ଦୁହେଁ ବିକ୍ରମ ଙ୍କ କଥାବାର୍ତ୍ତା ସାଙ୍ଗରେ ପରିଚିତ ଥିଲେ,ପ୍ରଭାତ କିନ୍ତୁ ପ୍ରଥମ ଥର କରି ଦେଖିଥିଲା । ଭୟ ଓ ସଂକୋଚ ର ଛାପ ସ୍ପଷ୍ଟ ବାରିହୋଇପଡୁଥିଲା ତା'ର ମୁହଁ ରୁ ,ଯେତେବେଳେ ବିକ୍ରମ ଙ୍କ ଗୁରୁଗମ୍ଭୀର ସ୍ୱର ଶୁଣିଥିଲା। ପ୍ରଥମ ଦେଖାରେ ତା'ର ପୁରା ବାୟୋ ଡାଟା ଟା ନେଇଯାଇଥିଲେ ବିକ୍ରମ ଓ ସେମାନଙ୍କୁ କାମର ଆଳ ଦେଖାଇ ଶୀଘ୍ର ବିଦା କରିଦେଇ ଅଂଶୁ କୁ ବଡ ପାଟିରେ ବୁଝାଇଦେଇଥିଲେ। ପ୍ରଭାତ ର ପରିଚୟ ଯେ ତାଙ୍କ ପୁଅ ଅଂଶୁ ର ବନ୍ଧୁ ହବାର ଯୋଗ୍ୟତା ରଖୁନି,ଏକଥା ସ୍ପଷ୍ଟ କରିଦେଇଥିଲେ। ତା'ର ଚାଲି ଚଳଣି,ଜ୍ଞାନ, କୋଉଥିରେ ମଧ୍ୟ ସେ ସମାସ୍କନ୍ଧ ହୋଇପାରିବନି ବୋଲି ଜଣାଇଦେଇ,ଅଂଶୁ କୁ ତାଗିଦ କରି ,ଉଠିଯାଇଥିଲେ ନିଜ ଷ୍ଟଡ଼ି ରୁମକୁ।

               ପ୍ରଭାତ ଓ ଅଂଶୁ ର ସାଙ୍ଗ ଦୁହେଁ ହୁଏତ ବାହାରକୁ ଯାଉ ଯାଉ କିଛି ଶୁଣି ପାରିଥିଲେ,ଯୋଉଥି ପାଇଁ ,ପ୍ରଭାତ କୁ ଆଉ କେବେହେଲେ ଅଂଶୁ ସାଙ୍ଗରେ କି ତାଙ୍କ ଘରେ ଦେଖିନଥିଲା ଅହଲ୍ୟା ବେସି ବଡ଼ ନ ହେଲେ ବି ଏତେ ଛୋଟ ବି ହେଇନଥିଲା ପ୍ରଭାତ ଯେ କିଛି ବୁଝିପାରିବନି

           ଏମିତି ଭାବୁ ଭାବୁ, ତା'ଭାବନା ରେ ପୂର୍ଣ୍ଣଛେଦ ପକାଇ ,ଅନ୍ୟ ଏକ ଦିଗରୁ ଅଂଶୁ ଧଇଁ ସଇଁ ହୋଇ ପସିଆସିଥିଲା। ଦେହରେ ତା'ର ଥିଲା ସ୍କୁଲୟୁନିଫର୍ମ। ହଠାତ୍ ଅହଲ୍ୟା କୁ ଅଚାନକ ଦେଖିଦେଇ ଅଟକି ଯାଇଥିଲା। ଅହଲ୍ୟା କି ଅଂଶୁ କିଛି କହିବା ପୂର୍ବରୁ ପ୍ରଭାତ କହିଉଠିଥିଲା–ସରି ମ୍ୟାଡାମ୍, ଅଂଶୁ କୁ ଟିକେ ସାହାଯ୍ୟ କରିବା ପାଇଁ ମୁଁ ଡାକିଥିଲି,ତା'ର କିଛି ଦୋଷ ନାହିଁ,ମତେ ଯଦି ଗାଳି ଦେବେ ,ଦିଅନ୍ତୁ, ହେଲେ ପ୍ଲିଜ ତାକୁ କିଛି କହିବେନି,ଆପଣ ଙ୍କ ସାଙ୍ଗରେ ସିଏ ଚାଲିଯିବ।

           ଏଥର ଅହଲ୍ୟା ,ଅଂଶୁ କୁ ସିଧା କରି ଅନାଇ ପଚାରିଦେଲା–କ'ଣ? ତୁ ଏଠି କେତେ ବେଳୁ? ସ୍କୁଲ ଯାଇନୁ? ମାମା ଙ୍କ ର ଗମ୍ଭୀର କଥା କେଇପଦ ରେ ଯଦିଓ ଅଂଶୁ ସାମାନ୍ୟ ବିଚଳିତ ହୋଇଯାଇଥିଲା,ତଥାପି,ପାଖକୁ ଲାଗିଆସି କହିପକାଇଥିଲା-–ମାମା,ଏଠି? ସେ ଆଇ ମାନେ ସବୁ ଅଛନ୍ତି,ଘରକୁ ଯାଇ କହିଲେ ହବନି? ପାପା ଙ୍କୁ ପ୍ଲିଜ କିଛି କହିବନି। ସେତିକିବେଳେ, ନିବେଦିତା ସାଙ୍ଗରେ ବୃଦ୍ଧା ମାନେ ତା'ପାଖକୁ ଚାଲିଆସି ,ଅହଲ୍ୟା କୁ କିଛି କହିବାକୁ ଦେଇନଥିଲେ। ମନ ଭିତରେ ଅନେକ ଉଙ୍କି ଉଠୁଥିବା ପ୍ରଶ୍ନ କୁ ନେଇ ବାଲିଯାତ୍ରା ରୁ ଫେରିଆସିଥିଲା ଅହଲ୍ୟା,ଅଂଶୁ କୁ ସାଙ୍ଗରେ ନେଇ।

            ଗାଡ଼ିରୁ ଓହ୍ଲାଇ ପ୍ରଥମେ ତନଖି ନେଇଥିଲା,ବିକ୍ରମ ଙ୍କ ର ଉପସ୍ଥିତି କୁ। ତାଙ୍କ ଅନୁପସ୍ଥିତି ରେଆଶ୍ୱସ୍ତହୋଇ ଅଂଶୁ କୁ ନିଜ ରୁମକୁ ଡାକିଦେଇଥିଲା ଅହଲ୍ୟା। ପାଖରେ ବସିପଡି ଅଂଶୁ ଆରମ୍ଭ କରିଥିଲା–ମାମା,ପ୍ରଭାତ ମତେ ହେଲ୍ପ କରିବାକୁ କହିନଥିଲା, ମୁଁ ନିଜେ ଯାଇଥିଲି। ଜାଣିଛୁ ମାମା,ପ୍ରଭାତ ର ବାପା ମା,ଗୋଟେ ଆକ୍ସିଡେଣ୍ଟ ରେ ଏକା ସାଙ୍ଗରେ ଚାଲି ଯାଇଥିଲେ,ଯେତେବେଳେ,ପ୍ରଭାତ ଜମାରୁ ଚାରି ବର୍ଷ ର ହେଇଥିଲା। ତା'ଅଜା,ମାନେ ଆମ ମୁରଲୀ କାକା ତା'କୁ ସେବେଠୁ ଏକା ପାଳି ଆସିଛନ୍ତି। ତା'ଙ୍କ ସ୍ତ୍ରୀ ତ କୋଉ କାଳ ରୁ ଉପରକୁ ଚାଲି ଯାଇଥିଲା। ପ୍ରଭାତ ପାଠପଢ଼ାରେ ଯେମିତି,ଆର୍ଟ ଓ କ୍ରାଫ୍ଟ ରେ ମଧ୍ଯ ସେମିତି ଏତେ ସୁନ୍ଦର ସୁନ୍ଦର କ୍ରାଫ୍ଟ କରିକି ତା'ଫ୍ରେଣ୍ଡ ମାନଙ୍କୁ ବାର୍ଥ ଡେ ରେ ଗିଫ୍ଟ କରେ,ସବୁ ଫୋପଡା ହବା ଜିନିଷ ରେ। ମତେ ବି ଦେଇଛି, ମୁଁ ଲୁଚେଇକି ରଖି ଛି। ଜାଣିଛି, ତୁ କିଛି କହିବୁନି,ହେଲେ, ପାପା ଙ୍କ ଆଖିରେ ପଡିଲେ ରକ୍ଷା ନାହିଁ। ଆଉ ଜାଣିଛୁ ମାମା,ତା'ର ପରୀକ୍ଷା ଅଳ୍ପ ଦିନ ଅଛି,ହେଲେ ବହୁତ ଦିନରୁ କେତେ ସୁନ୍ଦର ସୁନ୍ଦର କାଗଜ ଫୁଲ ଓ ଫୁଲଦାନୀ କରିକି,ତା'ଅଜା ଠାରୁ ଲୁଚେଇକି ରଖିଥିଲା,ଆମର ଯୋଉସବୁ ଗିଫ୍ଟ ଆସେ ତାର ରାପ୍ ଗୁଡାକୁ ମୁଁ ତାକୁ ଦିଏ,ମତେ ସୁନ୍ଦର ଫୁଲ କରିଦେବା ଆଳରେ, ସେଗୁଡିକ ରେ ସିଏ କେତେ ସୁନ୍ଦର ସୁନ୍ଦର ଫୁଲ କରେ। ଜାଣିଛୁ,ତା'ଅଜା ଙ୍କର ହାତ ଘଣ୍ଟା ଟା ଖରାପ ହୋଇଯାଇଥିବାରୁ,କେତେ ଗାଳି ସିଏ ପାପା ଙ୍କ ଠାରୁ ଖାଇଛନ୍ତି,ଠିକ ଟାଇମ ରେ ଆସି ନ ପାରି ବାରୁ। ତୁ ତ ଜାଣିଛୁ,ପାପ କେତେ ପଙ୍କଚୁଆଲ୍ ତା'ଛଡା,ତାଙ୍କର ବି ଘରେ କାନ୍ଥ ଘଣ୍ଟା କି ଟେବୁଲ ଘଣ୍ଟା ଗୋଟେ ହେଲେ ନାହିଁ। ସେଥିପାଇଁ, ପ୍ରଭାତ ବାଲି ଯାତ୍ରା ରେ ସେ ଫୁଲ ସବୁ ବିକ୍ରି କରି ତା'ଅଜା ଙ୍କ ପାଇଁ ଗୋଟେ ହାତ ଘଣ୍ଟା ଆଣିବାର ପ୍ଲାନ ଅଛି। ତା'କୁ ମୁଁ ଯେତେ ପଇସା ଯାଚିଲେ କି ଟେବୁଲ ଘଣ୍ଟା ଯାଚିଲେ,ସିଏ ଜମା ନେଲାନି ଭାରି ସ୍ୱାଭିମାନି ଟାଏ। ସେଥିପାଇଁ ମୁଁ... କହୁ କହୁ ଅଟକି ଯାଇଥିଲା । ଏଥର ଅହଲ୍ୟା ତା'ର ଅଟକି ଯାଇଥିବା ବାକ୍ୟ ଟିକୁ ପୂରଣ କରିଦେଇଥିଲା–ତୁ ସ୍କୁଲ ନ ଯାଇ ତା'ର ଗରାଖ ଯୋଗାଡ଼ କରୁଥିଲୁ,ଏଇଆ ନା

        ଅଂଶୁ ସାଙ୍ଗେ ସାଙ୍ଗ ଅହଲ୍ୟା କୁ କୁଣ୍ଢେଇ ପକାଇ କହିଉଠିଥିଲା–ତୁ କେମିତି ଜାଣିଲୁ ମାମା ଯଦିଓ ଅଂଶୁ ର ବାକ୍ୟଟିରେ ଉତ୍କଣ୍ଠା ଓ ସାମାନ୍ୟ ଭୟ ର ଛାପ ଥିଲା,ତଥାପି କେମିତି କେଜାଣି ଆତ୍ମସନ୍ତୋଷ ର ରଙ୍ଗ ଟିକକ ବି ବୋଳି ହୋଇଯାଇଥିଲା। ଅହଲ୍ୟା ଅଂଶୁ କୁ କୁଣ୍ଢାଇ ଭାବୁଥିଲା–ସତରେ ଭଗବାନ ତା'ଡାକ ଶୁଣୁଛନ୍ତି। ତା'ର ସବୁ ଧର୍ମ ର ଫଳ ସ୍ୱରୂପ ଅଂଶୁ ପାଖରେ ମଣିଷ ପଣିଆ ଟିକକ ଦେଇଛନ୍ତି। ଭଗବାନ ତା'ର ସେଇ ଗୁଣ ଟି ସବୁଦିନ ଏମିତି ରଖିଥାନ୍ତୁ ଭାବି ଆଖିରୁ ତା'ର ଆନନ୍ଧାଶ୍ରୁ ଦୁଇଟୋପା ଗଡିପଡିଥିଲା!

           


Rate this content
Log in

Similar oriya story from Classics