STORYMIRROR

Ranjit Sahu

Drama Romance Action

4  

Ranjit Sahu

Drama Romance Action

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

4 mins
339

"ଆଉ ଚାଲି ହବନି ଆଗକୁ, ଏଠୁ ତ ପୁରା ଚାରି ଆଡେ ସବୁ ଦେଖା ଯାଉଛି, ସିଟି ହଲ, ସ୍ଟାଚ୍ୟୁ ଅଫ ଲିବର୍ଟି, ସେପଟେ ମାନହଟ୍ଟନ ବ୍ରିଜ, ଏପଟେ ୱାର୍ଲଡ ଟ୍ରେଡ଼ ସେଣ୍ଟର I ଯେତିକି ଫୋଟୋ ଉଠେଇବା ଉଠେଇ ନିଅ, ଆଜି ଏତିକି ବୁଲା ହେଇ ଥାଉ, କାଲି ପୁଣି ତୁମର ଅଫିସ କାମ ସରିବା ପରେ ତ ଆସିବା," ମୁଁ କହିଲି I  " ପୂର୍ବରୁ ସନ୍ଧ୍ୟା ଭ୍ରମଣରେ ମହାନଦୀ ପୋଲର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯାଇ ଫେରିବାରେ କିଛି ଅସୁବିଧା ହେଇ ନଥିଲା ତୁମର କିନ୍ତୁ ଆଜି ଏହି ଅଳ୍ପ ଲମ୍ବର ବୃକଲୀନ ବ୍ରିଜ ଉପରେ ଅଧା ବାଟ ଯାଉ ଯାଉ ତୁମେ ଥକି ଗଲଣି ? ଏତେ ଶୀଘ୍ର କେମିତି ତୁମର ଚଲା ଅଭ୍ୟାସ ବଦଳିଗଲା? କଣ ଦେଶ ବଦଳିଗଲାରୁ ଉଦ୍ଦେଶ୍ୟ ବଦଳିଗଲା ନା ଆଉ ପୂର୍ବ ଭଳି ତୁମକୁ ସନ୍ଧ୍ୟା ଭ୍ରମଣ ଭଲ ଲାଗୁନି ?" ଇଷ୍ଟ ନଦୀ ଉପରୁ ଚାରି ଆଡେ ଦୃଷ୍ଟିପାତ କରୁ କରୁ ଟିକିଏ କଟାକ୍ଷ କରି ନିହାରିକା ପଚାରିଲା ମୋତେ I

 "କିଛି ବି ବଦଳିନି ତୁମେ ଯାହା କହିଲ ସେ ସବୁ, ଖାଲି ଟିକେ ଆଜି ଅଧିକ ନିସ୍ତେଜ ଲାଗୁଛି I ବୋଧ ହୁଏ ଏ ଗହଳି ପାଇଁ, " ମୁଁ କହିଲି I "ସବୁ ବାହାନା ତୁମର, କଟକର ଗହଳି ଭିତରେ ଦଶହରା ମେଢ ବୁଲି ଦେଖିଲା ବେଳକୁ ତୁମକୁ ଭିଡରେ ଅସୁବିଧା ହେଉ ନଥିଲା, ଏଠି ଏହି ବ୍ରିଜ ଉପରେ ସପ୍ତାହ ମଝିରେ ତୁମକୁ ଏତେ ଗହଳି ଲାଗି ଯାଉଛି I ମୁଁ ଜାଣେ ତୁମ ମନରେ ଭୟ ଅଛି କାଳେ ମଧୁମିତା ଘରକୁ ଫେରିଲେ କିଛି କହିବ," ନିହାରିକା କହିଲା I "ନା ସେମିତ କିଛି କଥା ନୁହେଁ, " ମୁଁ କୈଫିୟତ ଦେବାରେ ଲାଗି ଗଲି I "ସେମିତି କିଛି ଭାବିଥିଲେ କଣ ସିଏ ତୁମକୁ ଘରେ ଏତେ ଦିନ ରହିବାକୁ ଅନୁମତି ଦେଇ ଥାଆନ୍ତା କ? ସିଧା କହି ଦେଇଥାଆନ୍ତା, ସଂସ୍ଥାର କାମରେ ଆସିଛ, ସବୁ ଖର୍ଚ୍ଚ ତ ସଂସ୍ଥା ଦେବ, ହୋଟେଲରେ ରୁହ I ତୁମେ ମଧୁମିତାକୁ ଭୁଲ ବଝ ନାହିଁ I" "ହଁ, ମ , ମୁଁ କଣ ଆଉ ମଧୁମିତାକୁ ଜାଣିଛି କି? ଖାଲି ତୁମେ ଏକ ତାହାର କ୍ଳାସମେଟ ଥିଲ, ନୁହେଁ କି?" ଓଲଟା ମୋତେ ପ୍ରଶ୍ନ କଲା ନିହାରିକା I "ସମୟ ଆଉ ପରିବର୍ତ୍ତିତ ସମ୍ପର୍କ ସମସ୍ତଙ୍କୁ ବଦଳେଇଦିଏ କେତେକାଂଶରେ," ମୁଁ କହିଲି I " ଥାଉ ଆଉ ସେ ସବୁ ବାହାନା କରନା, ମୁଁ ଦଶ ମିନିଟରେ ଫୋଟୋ ଉଠେଇ ସାରେ, ଫେରିଯିବା ଘରକୁ I ମୋର ମଧ୍ୟ କାଲି କାମ ଅଛି I ସନ୍ଧ୍ୟା ସମୟ ଯାହା ଟିକେ ମିଳେ ବୁଲିବାକୁ ଆଉ ସେଥିରେ ତୁମର ଏତେ ବାହାପ I କାଲି ରିତେଶ କୁ କହିବି ନ ହେଲେ, ସିଏ ହିଁ ମୋତେ କୁଆଡେ ବୁଲେଇ ନେବ," ମିଛ ଅଭିମାନ କରି ନିହାରିକା ଲାଗିଗଲା ଫୋଟୋ ଉଠେଇବାରେ I ବ୍ରିଜ ମଝିରେ ଥିବା ପ୍ରାଚୀରକୁ ଆଉଜେଇ ଠିଆ ହୋଇଗଲି ମୁଁ I 

ମନେ ପଡିଗଲା କଲେଜ ଦିନର କଥା ସବୁ I କଟକର ମହାନଦୀ ପୋଲ ଉପରେ ହୋଇଥିବା ସନ୍ଧ୍ୟା ଭ୍ରମଣ ଆମର I କେବେ ମୁଁ ଆଉ ମଧୁମିତା, କେବେ ମୁଁ ଆଉ ନିହାରିକା ଆଉ ପୁଣି କେବେ କେବେ ତିନି ଜଣ ଏକା ସାଥେ I ଅନ୍ୟ ସହପାଠୀଙ୍କ ଭଳି ଆମ ତିନିଜଣଙ୍କର ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା I ତେଣୁ ବାହାରେ ଖାଇବା ଆଉ ସିନେମା ଦେଖିବା କିମ୍ବା ଅନ୍ୟ କୌଣସି ପ୍ରକାର ମନୋରଞ୍ଜନ କରିବା ଲାଗି ମନ ମଧ୍ୟ ବଳୁ ନଥିଲା I ସେଥିରେ ପୁଣି ଆମେ ଛୋଟ ଛୁଆଙ୍କୁ ସକାଳେ ପଢ଼େଇ କିଛିଟା ଅର୍ଥ ଉପାର୍ଜନ କରୁଥିଲୁ, ପାଠ ପଢିବା ସହିତ I ବର୍ଷା ଦିନକୁ ବାଦ ଦେଲେ, ମହାନଦୀ ପୋଲ ଥିଲା ଆମର ସନ୍ଧ୍ୟା ଭ୍ରମଣ ଆଉ ମନୋରଞ୍ଜନର ଏକ ମାତ୍ର ସାଧନ I ପାଠ ପଢା ପରେ ମଧୁମିତା ଶୀଘ୍ର ଚାକିରୀ ମଧ୍ୟ ପାଇଗଲା I କେମିତି କେଜାଣି ବନ୍ଧୁତ୍ଵଟି ବୈବାହିକ ବନ୍ଧନର ପରିଣତ ହୋଇଗଲା ଆଉ ମୁଁ ଓ ମଧୁମିତା ଦାମ୍ପତ୍ୟ ଜୀବନରେ ଯୋଡି ହୋଇଗଲୁ I ବାହାଘରରେ ବହୁତ ନାଚି ଥିଲା ନିହାରିକା I ପରେ କୌଣସି ଏକ ଅଣସରକାରୀ ସଂସ୍ଥାରେ ଯୋଗ ଦେଇ ସମାଜ ସେବା ଜନିତ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଗଲା I କିନ୍ତୁ ମଧୁମିତା ସହ ତାହାର ସମ୍ପର୍କ ଏକ ପ୍ରକାର ସ୍ଥିର ରହିଥିଲା ଯଦିଓ ନିୟମିତ କଥା ବାର୍ତ୍ତା ହେଉ ନଥିଲେ ନିଜର କର୍ମମୟ ଜୀବନ ହେତୁ I ମଧୁମିତା ପଢ଼ାରେ ଯେତିକି ମେଧାବୀ ଥିଲା ସେତିକି ଘର କରଣାରେ ତାହାର ଦକ୍ଷତା ଥିଲା I ନିଜର ବୁଦ୍ଧିରେ ଆମେରିକାରେ ଚାକିରୀ ଖୋଜି ଆସି ଯାଇଥିଲା ନ୍ୟୁୟର୍କ ସହରକୁ I ଛୋଟ ଛୁଆଟିକୁ ଧରି ଏକୁଟିଆ କାମ ଆଉ ଘର ସମ୍ଭାଳିବା ନିହତ ଅସମ୍ଭବ ଥିଲା I ତେଣୁ ମୁଁ ବାଧ୍ୟ ହୋଇ ନିଜର ଛୋଟ ସରକାରୀ ଚାକିରୀରୁ ଦୁଇ ବର୍ଷ ଲାଗି ଛୁଟି ନେଇଥିଲି, ଲସ ଅଫ ପେ ରେ I ଅଧିକାଂଶ ସମୟରେ ଘରର ଦାୟିତ୍ଵ ମୋ ଉପରେ ହିଁ ରହୁଥିଲା I କାମରୁ ଫେରୁ ଫେରୁ ମଧୁମିତା ବେଶ ଥକି ଯାଏ I ବେଳେ ବେଳେ ବଳକା କାମ ଘରକୁ ମଧ୍ୟ ନେଇ ଆସେ I ସନ୍ଧ୍ୟା ସମୟରେ ତେଣୁ ମୁଁ ବହୁତ ବ୍ୟସ୍ତ ହେବାରେ ଲାଗିଥିଲି, ମୋର, ଛୁଆର ଆଉ ଛୁଆର ମାଆର ସବୁ ଦେଖା ରଖା କରିବାରେ I

 ଜାତୀୟ ସଂଘର କୌଣସି ଏକ କାର୍ଯ୍ୟକ୍ରମକୁ ନିହାରିକା ନିମନ୍ତ୍ରଣ ପାଇ ମଧୁମିତାକୁ ପ୍ରଥମେ ଜଣେଇଥିଲା I ମଧୁମିତା ହିଁ ତାକୁ ନିମନ୍ତ୍ରଣ ଦେଇଥିଲା ଘରେ ଆସି ରହିବାକୁ I ଭଲ ମଧ୍ୟ ଲାଗୁଥିଲା ମଧୁମିତାକୁ, ଗପ ମାରିବାକୁ କେହି ତ ଜଣେ ମିଳିଗଲା କିଛି ଦିନ ଲାଗି ହେଉ ନା କାହିଁକି ! ନିହାରିକା ଆସିଲା ଦିନରୁ ମଧୁମିତା ସନ୍ଧ୍ୟାରେ ଶୀଘ୍ର ଫେରି ଆସୁଛି ଆଉ ଘର କାମରେ ଲାଗି ଯାଉଛି I ମୋତେ ଏକ ପ୍ରକାର ନିହାରିକାର ଦେହରକ୍ଷୀ ଆଉ ପଥ ପ୍ରଦର୍ଶକ ଭାବରେ ନିଯୁକ୍ତି ମିଳି ଯାଇଥାଏ I କେତେ ଅଜବ କଥା ସତରେ, ସଙ୍ଗିନିଟିଏ ପତ୍ନୀ ଆଉ ସନ୍ତାନର ଜନନୀ ପାଲଟିଲା ପରେ ତାହାର ଚିନ୍ତାଧାରା କେତେ ବଦଳି ଯାଏ !ବାହାରକୁ ଆସି ଆହୁରି ଅଧିକ ସ୍ମାର୍ଟ ହୋଇ ଯାଇଥିଲା ମଧୁମିତା I ଅଳ୍ପ ଶବ୍ଦରେ ବହୁତ କିଛି କହି ଯାଉଥିଲା ଯାହା କେବଳ ମୁଁ ହିଁ ବୁଝି ପାରୁଥିଲି I ନିଜର ଉଦ୍ଦେଶ୍ୟ ପୁରାଣ କରିବାକୁ କାହା ମନରେ ଟିକିଏ କଷ୍ଟ ଦେବାକୁ ଆଉ ପଛଘୁଞ୍ଚା ଦେଉ ନଥିଲା ମଧୁମିତା, ସିଏ ନିଜର ସ୍ୱାମୀ ହିଁ ହେଉ ନା କାହିଁକି ! ପ୍ରଥମ ଦୁଇ ଦିନ ମଧୁମିତା ମଧ୍ୟ ଘର ପାଖରେ ଥିବା ଗୋଟିଏ ଦୁଇଟା ସ୍ଥାନକୁ ବୁଲିବାକୁ ଆସିଥିଲା I ଛୋଟ ଶିଶୁକୁ ଧରି ଅଧିକ ଦୂରକୁ ଯିବା ବାଞ୍ଚନୀୟ ନଥିଲା ତେଣୁ ସିଏ ଘରେ ହିଁ ରହିବାକୁ ସ୍ଥିର କରିଥିଲା I "ତୁମେ କଣ ମଧୁମିତାକୁ ବହୁତ ଡରୁଛ ଜାଣେ ସିଏ ବହୁତ ରାଗି," ନିହାରିକା ପଚାରିଲା, କ୍ୟାମେରା କୁ ବ୍ୟାଗରେ ରଖି ଫେରିବାକୁ ବାହାରୁ ବାହାରୁ I "ନାହିଁ ତ ସେମିତି କାହିଁକି କହୁଛ ?" ମୁଁ ପଚାରିଲି, କିନ୍ତୁ ମନେ ମନେ ସହମତ ହେଇଗଲି ତାହା ସହ I କେଜାଣି କାହିଁକି ଆମେରିକା ଆସିବା ଆରେ ମଧୁମିତା ଅଧିକ ରାଗିବାରେ ଲାଗିଥିଲା ମୋ ଉପରେ I ରାଗରେ ଦିନେ ବେଲଣା ରୋଷେଇ ଘରୁ ବାହାରକୁ ଫୋପାଡ଼ି ଦେଇଥିଲା ଯେଉଁଥିରେ ମୋର ଗୋଡ ଆହତ ହୋଇ ଯାଇଥିଲା ଆଉ ମୋର ଚାଲିବାର କ୍ଷମତା ବେଶ କମି ଯାଇଥିଲା !"ତୁମେ ଯାହା ହେଲେ ମଧ୍ୟ ପୁରୁଷଟିଏ, ନାରୀ ମନ କାହୁଁ ବୁଝିବ ? ଭୁଲିଗଲ ଆଜି ଏଠାକୁ ଆସିଲା ବେଳେ ମଧୁମିତା ତୁମକୁ କହିଥିଲା, "ଏଇଟା ମହାନଦୀ ବ୍ରିଜ ନୁହେଁ, ଶୀଘ୍ର ଫେରିବ !"ମୁଁ ହସି ଦେଲି I ହଁ ସନ୍ଧ୍ୟା ଭ୍ରମଣର ମୋର ଦୁଇ ଜଣ ବାନ୍ଧବୀ ଦୁଇଟି ଭିନ୍ନ ବ୍ୟକ୍ତିତ୍ଵ ସାଜି ପୁଣି ଫେରିଥିଲେ ମୋ ଜୀବନରେ କିଛି ଦିନ ପାଇଁ, ଏକ ଅଜଣା ଦେଶରେ, ଯେଉଁଠାରେ କେବଳ ସେହି ବନ୍ଧନଟି ଆମକୁ ଯୋଡି ରଖିଥିଲା, ଯାହା ମହାନଦୀ ପୋଲ ଉପରେ ସ୍ଥାପନ ହୋଇଥିଲା ! କିନ୍ତୁ ସେହି ବନ୍ଧନ ଗୁଡିକର ପରିଭାଷା ବଦଳି ସାରିଥିଲା ବୋଧହୁଏ ମଧୁମିତା ଲାଗି ।


Rate this content
Log in

Similar oriya story from Drama