ସମୟ
ସମୟ
"ସମୟ କୁ ସମୟ ଦିଅ, ସବୁ ଠିକ ହେଇଯିବ "
ବାପା ଆମର ଏଇକଥା ଯେବେ ବି କହନ୍ତି, ଭାରି ଅଖାଡୁଆ ଲାଗେ I କାହିଁକିନା ...ବୁଝି ହୁଏନି -
ସମୟ ତ ସମୟ ତାକୁ ପୁଣିଗୋଟେ ସମୟ କଣ ଦିଆଯିବ ଯେ ହେଲେ ପଚାରିବାକୁ ଯୁ ନ ଥାଏ ବାପା ଭାରି ରାଗି ...ବଦରାଗି କହିଲେ ଚଳେ I ରାଗି ପାଚି ନାଲ ହେଇ ଯାନ୍ତି ସିଏ I ନାକପୁଡା ଫୁଲିଉଠେ I ଆଖି ରକ୍ତବର୍ଣ୍ଣ, ଆଉ ଦୀର୍ଘନିଶ୍ୱାସ ସାଙ୍ଗରେ ହୁଙ୍କାର ଶବ୍ଦ ଶୁଭେ ତାକୁ ଶୁଣିଲେ ଯିଏ ଯାହା ବାଟରେ ଲୁଚି ଯାଆନ୍ତି...କିଏ ଆଲନା ପଛରେ, କିଏ ଫୁଲଗଛ ସନ୍ଧିରେ ତ କିଏ ଖଟତଳେ I ହେଲେ ବୋଉ ଆମର ଭାରି ସାହସୀ ...ମୁଣ୍ଡପୋତି ବାପାଙ୍କ ସାମ୍ନାରେ ତୁନିହୋଇ ଠିଆହୋଇଥାଏ ନାଁ ଉଁ...ନାଁ ଚୁଁ
ବାପା ଗର୍ଜି ଗର୍ଜି ଅସରାଏ ବର୍ଷି ଯାଆନ୍ତି I ରାଗ ଶାନ୍ତ ହେଲାପରେ ବୋଉକୁ ପଚାରନ୍ତି "ମୁଁ କଣ ରାଗିକି ପାଟି କଲି ?"
ବୋଉ କହେ "କାଇଁ ! ଜମା ତ ଶୁଭିନି ପାଟି ତମର I ହେଲେ ରାଣ ଖାଅ, ଏତେ ରାଗିବେନି ବୋଲି , ରାଗିକି କାହାର ଅନିଷ୍ଟ କରୁଛ? ନିଜର ତ ? ବ୍ଲଡ଼ ପ୍ରେସର ଓଷଦ ଖାଉଛ , ଜଗିକି ଚଳ, କେତେବେଳେ କୋଉକଥା...ପଡିଶା ଘର ସଦାନନ୍ଦ ବାବୁଙ୍କ କଥା ଦେଖିଲ ତ ! ପରିବାର ତ କିମିତି ଛାରଖାର ହେଇଗଲା I ତଥାପି ଚେତା ପଶୁନି ? ପିଲାମାନେ ଡରରେ କିଏ କୁଆଡେ ଛପି ଯାଇଛନ୍ତି I
ଆସରେ ପିଲେ ଗାଧୁଆ ବେଳ ହେଲାଣି I ଖାଇବା ପିଇବା ସଇଲେ ...ଚୁଲି ପୋଛାପୋଛି, ବାସନ କୁସନ ସଫାସଫି...ଆଉରି କେତେ ପାଇଟି ଅଛି କି ନାହିଁ ?" ବୋଉ ଡାକ ଶୁଣିଲେ ଯେଝା ବିଳରୁ ଯିଏ ବାହାରୁ I ଗାଧୁଆ ପାଧୁଆ ସାରି ଖାଇବସୁ I
ବାପା ପଚାରନ୍ତି - "କିରେ ମୁନା ! ତୁ ମୁଣ୍ଡ ତଳକୁ ପୋତି କି କାହିଁକି ଖାଉଚୁ ?"
ମୁଁ କହେ "କିଛି ନାହିଁ ତ ବାପା I ମାଛ ରେ ଛୋଟ ଛୋଟ କଣ୍ଟା ଅଛି ତ, ଦେଖି କି ଖାଉଛି I " ହେଲେ ଭାରି ଇଚ୍ଛା ହୁଏ ପଚାରିବାକୁ ...ତମେ ଅଯଥାରେ କିଳିକିଳା ନାଦ କରୁଛ କାହିଁକି ? ତୁମ ବ୍ଲଡ଼ ପ୍ରେସର ବଢିବା ସଂଗେ ସଂଗେ ଆମର ପୋଷେ ଲେଖାଏଁ ରକ୍ତ ଶୁଖି ଯାଉଛି ଯେ I
ବୋଉ ଆଡକୁ ଚାହେଁ ଟିକେ ...ତା ଇସାରା ରେ ତାଗିଦ ର ଆଭାସ ଥାଏ I ମୁଁ ଚୁପ ରହିଯାଏI
କୁନା ମିଲି ଆଉ ମୁଁ ତରତର କି ଗୁଣ୍ଡାଗୁଡାକ ଗିଳିଦେଇ ଉଠିଆସୁ I ବାହାରକୁ ଆସି ହାତ ଧୋଇଲା ପରେ ତିନି ଭାଇ ଭଉଣୀ ହସାହସି ହଉ I
କୁନା କହେ "ବାପା କେଡେ ବେଗି ନିଆଁ ହେଇ ଯାଉଛନ୍ତି ! ହେଲେ ବୋଉ ଆମର ପୁରା କୁଲ -ବଢିଆ ମେନେଜ କରୁଛି I ସେଥିଲାଗି ବାପା ଏଇ ସମୟ ବିଷୟରେ ଏତେ କଥା କହୁଛନ୍ତି I "
ସମୟ ସହିତ ତାଳ ଦେଇ ଜୀବନ ଆଗେଇ ଚାଲେ I ବାପାଙ୍କର ଚାକିରୀ ରେ ପଦୋନ୍ନତି ହବ ସଂଗେ ସଂଗେ ଆମେ ଚାଟଶାଳୀ ରୁ ପ୍ରାଇମେରୀ ସ୍କୁଲ ..ପରେ ହାଇସ୍କୁଲ ଆଉ କଲେଜ ରେ ପାଦ ରଖୁ I ମୁଁ ଇଞ୍ଜିନିଅରିଂ କଲେଜ ରେ ନାମ ଲେଖାଏ I ମୋ ପାଠପଢା ନେଇ କେହି ବ୍ୟସ୍ତ ହୁଅନ୍ତିନି କାରଣ ସମସ୍ତଙ୍କୁ ଜଣାଥାଏ ମୋର ରେଜଲ୍ଟ ନିଶ୍ଚୟ ଭଲ ହେବ I
କିନ୍ତୁ କୁନା ର ପରୀକ୍ଷା ଫଳ ନ ବାହାରିଲା ଯାକେ ସମସ୍ତେ ଟେନସନ ରେ ରହନ୍ତି I
କାଲି ଭଳିଆ ମନେ ଅଛି - ତାର ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବାର ଥାଏ I ସକାଳୁ ଘରେ ରୋଷେଇ ବନ୍ଦ I ବୋଉ ଠାକୁରଘରେ ଅଧିଆ ପଡିଥାଏ I ବାପା ଛୁଟି ନେଇଥାନ୍ତି I କୁନା ବIଡ଼ିଆଡେ ଚୁପ ହେଇ ବସିଥାଏ I ମିଲି ଟହଲ ମାରୁଥାଏ I ଭୋକ ଜମାରୁ ସମ୍ଭାଳିପାରେନି ସିଏ I ବୋଉ ତା ଟହଲମରା ଦେଖି ଟଙ୍କା ଦଶଟା ଧରେଇଦେଲା ...କହିଲା "ଯା ଅପର୍ତି କକେଇ ଦୋକାନରୁ ଘୁଗୁନି ଖାଇ ଆସିବୁ I" ସେତିକି ବେଳେ ବାପାଙ୍କର ଅଫିସ ରୁଫୋନ ଆସିଲା - ରେଜଲ୍ଟ ଜଷ୍ଟ ଆଉଟ ହେଲା ସାର, ଆପଣଙ୍କ ପୁଅର ରୋଲ ନମ୍ବର ଟା ଦିଅନ୍ତୁ, ଆମେ ଦେଖିକି କହିବୁ ...ଅଫିସ ର କୋଉ ଷ୍ଟାଫ ବୋଧେ ଫୋନ କରିଥିଲେ I ଘଣ୍ଟେ ଭିତରେ ଫଳାଫଳ ଘୋଷିତ ହେଇଗଲା I ବାପା କିଛି ସମୟ ଚୁପ ରହିଲେ I ତାପରେ କହିଲେ "ସମୟ କୁ ସମୟ ଦିଅ ...ସବୁକିଛି ଠିକ ହେଇଯିବ I "
କୁନା ସେତେବେଳକୁ ବରଡାପତ୍ର ପରି ଥରୁଥାଏ I ବୋଉ ଠାକୁରଘରରୁ ଉଠିଆସିଲା ...ବାପାଙ୍କୁ ପଚାରିଲା -"କଣ ହେଇଚି ପୁଅର ?"
କ'ଣ ଆଉ ହବ ? ଥାର୍ଡ଼ ଡିଭିଜନ ରେ ପାସ କରିଛି ପୁଅ I "
"ମୁଁ ଏତେ ମାନସିକ,ଓଷା, ବ୍ରତ କଲି...ଠାକୁରେ ମୋ କଥା ଟୋପେହେଲେ ଶୁଣିଲେନି ? ମୋ କୁନା କୁ କଲେଜ ରେ ସିଟ ମିଳିବ ତ ?"
"ମାନସୀ! ପିଲା ତ ଆମର ପାଠ କୁ ନେଇ ସିରିୟସ ନୁହେଁ ,ଠାକୁରେ କଣ କରିବେ? ତୁଚ୍ଛାରେ ଦିଅଁ ଙ୍କୁ ନିନ୍ଦୁଛ କାହିଁକି ?
ଲୋଚାକୋଚI ହେଇଯାଇଥିବା ସମୟ ଇସ୍ତ୍ରିଦିଆ ଲୁଗାପରି ପୁଣି ଚିକ୍କଣ ହେଇଯିବ I ଧୈର୍ଯ୍ୟ ରଖ I କୁନା କୁ ଆଉ ଏକ ମୌକା ଦେଇ ଦେଖ, ହୁଏତ ସିଏ ଖୁବ ଭଲ ନମ୍ବର ରଖି ପ୍ଲୁସ ଟୁ ପାସ କରିପାରେ ...କିଏ ଜାଣିଚି ?"
ବୋଉ ଆଶ୍ଚର୍ଯ୍ୟ ହେଇଗଲା, କୁନା କୁ ଗାଳି, ମାଡ଼, ଧିକ୍କାର ବଦଳରେ ଆଉ ଏକ ମୌକା କେମିତି ଦିଆଗଲା ?
କୁନା ବି ଠିକ ବୁଝି ପାରିଲାନି ବାପା କାହିଁକି ତାକୁ ଗାଳି ଦେଲେନି I କଥା କଥା କେ ରାଗିବା ଲୋକ ସିଏ ,କାହିଁକି ସମୟ ଉପରେ ସବୁ ଛାଡିଦେଲେ ?
ବାପା ଦାଣ୍ଡଆଡ଼େ ଚାଲିଗଲେ I ହୁଏତ, ଘର ର କାହାରିକୁ ତାଙ୍କରି ନୈରାଶ୍ୟ ର ସାମାନ୍ୟତମ ଆଭାସ ବି ଦେବାକୁ ବି ଚାହୁଁନଥିଲେ I
ସମୟ ଗଡିଚାଲିଲା ତ ବାଟରେ... ଆଉ ଆମେ ତିନି ଭାଇ ଭଉଣୀ ବଡ ହେଇଗଲୁ I ବାପା କିଛିବର୍ଷ ପରେ ଚାକିରିରୁ ଅବ୍ୟାହତି ନେଲେ I ଆମେ ସରକାରୀ କ୍ଵାଟର ଛାଡି ନିଜ ଘରକୁ ଗଲୁ I ମୋର ଇଞ୍ଜିନିଅରିଂ ପଢା ସରିଗଲା ଆଉ ମୁଁ କ୍ୟାମ୍ପସ ସିଲେକ୍ସନ ରେ ଏକ ନାମୀ ମଲ୍ଟିନାସନାଲ କମ୍ପାନୀ ର ମୁମ୍ବାଇ ଅଫିସ ରେ ଜଏନ କଲି I କୁନା ବି.ଏ ପାସ କରି ଘରପାଖ ପ୍ରାଇମେରୀ ସ୍କୁଲ ରେ ଶିକ୍ଷକତା କଲା I ଘରେ ରହି ବାପା ବୋଉଙ୍କ କଥା ବୁଝା ଶୁଣା କଲା I ମିଲି କଲେଜ ରେ ଅଧ୍ୟାପନା କରୁଥିଲା ବେଳେ, ଆମ ସମସ୍ତଙ୍କର ଅନିଚ୍ଛା ସତ୍ୱେ ନିଜର ପୂର୍ବ ସହପାଠୀ ଏବଂ ଅଧୁନା ଇଂରାଜୀ ସାହିତ୍ୟ ର ଅଧ୍ୟାପକ ସମରେନ୍ଦ୍ର ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହେଲା I ଝିଅ ବିଦା ହେଲାବେଳେ ବୋଉ ଖୁବ ବିକଳ ହେଇ କାନ୍ଦୁଥାଏ .."ଠାକୁରେ, ଗୋଟିଏ ବୋଲି ଝିଅ ମୋର, କେଡେ ସୁନ୍ଦର ଚନ୍ଦ୍ରଉଦିଆ, ଗୁଣଵାନ ଜୋଇଁ ଆଣିଥାନ୍ତି , ହେଲେ କଣ କରିବି ! ଯାହା ତା ଭାଗ୍ୟ ରେ ଅଛି ...ତାକୁ କିଏ ଟାଳିପାରିବ ? ମୋ ଝିଅ କୁ ସୁଖରେ ରଖ ମାହାପ୍ରୁ "
ସତକୁ ସତ ...ଛଅଟା ମାସ ଯାଇଛିକି ନାହିଁ ...ଦିନେ ସନ୍ଧ୍ୟାବେଳେ ମିଲି ହଟାତ ଟାକ୍ସି ରୁ ଓଲ୍ହେଇଲା I ବୋଉ ସନ୍ଧ୍ୟା ଦେଇସାରି ଦାଣ୍ଡପିଣ୍ଡା ରେ ବସିଥାଏ I ହାତରେ ଥାଏ ଚା କପ ଟା ..."କିଏ , ମିଲି କିଲୋ ? କ'ଣ ଖବର ଅନ୍ତର କିଛି ନାହିଁ , ଅବେଳ ରେ ଆସିଲୁ ଯେ ? ଜୋଇଁ କାହାନ୍ତି ?"
ମିଲି କିଛି ଉତ୍ତର ନ ଦେଇ ଚପଲ ରଖି ଘର ଭିତରକୁ ଗଲା I
ବାପା ନିଉଜ ଦେଖୁଥିଲେ I
ମିଲି କୁ ଏକୁଟିଆ ପଶିବା ଦେଖି ପଚାରିଲେ "କିରେ ମା ! ସବୁ ଭଲ ତ ! ଜୋଇଁ ,ବୋଉ ସାଙ୍ଗରେ ବୋଧେ କଥା ହଉଛନ୍ତି I ଗପୁଡି ଲୋକଟେ ପରା, କେତେ କଣ ବଖାଣୁଥିବ, କେତେ ଜେରା କରୁଥିବ,କେତେ ଖବର ନଉଥିବ I
ବୁଢ଼ୀଟିଏ ହେଲାଣି, କେବେ ଆଉ ତାର ଅକଲ ଗଜୁରିବ କେଜାଣି ? ଜୋଇଁ ଆସିଛନ୍ତି ...ତାଙ୍କୁ ପାଣି ପଣା ପଚାରିଵ କ'ଣ.."
ପାଟିରୁ କଥା ଛଡେଇ ନେଲା ମିଲି -"ବାପା ମୁଁ ଏକା ଆସିଛି , ସିଏ ମୋ ସାଙ୍ଗରେ ଆସିନାହାନ୍ତି I"
" ସର୍ବ କୁଶଳ ତ ଝିଅ ? କଲେଜ ତ ଛୁଟି ନାହିଁ ...କ'ଣ ଛୁଟି ନେଇକି ଆସିଛୁ?"
"ହଁ ବାପା ..."
"ତୁ ଗଲା ପରେ, ତୋ ବୋଉ ଟା ଭାରି ଏକାଟିଆ ହେଇ ଯାଇଛି I ଆଜି ତାର ମନ ଭାରି ଉଚ୍ଚାଟ ହେଇଯିବ I କାଲି ସକାଳୁ ମତେ ବସେଇ ଉଠେଇ ଦବନି, ପରିବା ପତ୍ର ମାଛ ମାଉଁସ କେତେ ଜାତି ଜିନିଷ ବରାଦ କରିପକେଇବ I"
ମିଲି ସବୁ ଶୁଣିଯାଉଥାଏ I ତା ମୁହଁ ରେ ଖୁସି ର ସାମାନ୍ୟତମ ଝଲକ ନଥାଏ I
"କିରେ ମା, ତୁ କିଛି କହୁନୁ ଯେ ? ମୁହଁ ତୋର ଶୁଖିଯାଇଛି ...କେମିତି ସେଥI ଦିଶୁଚି !
କ'ଣ ...ଖିଆ ପିଆ ଠିକ ସେ କରିନୁକି ? ବାହାରେ ବସି ତମେ କଣ କରୁଛ କି ମିଲି ବୋଉ ? ଏଣିକି ଆସ I&nbs
p;
ଝିଅ କୁ ଗଣ୍ଡେ ଖାଇବାକୁ ଦିଅ I"
"ଆସୁଛି ...ପଡିଶା ଘର ନୂଆ ଭଡାଟିଆ କୁକୁର ଚରାଉଥିଲେ ତ ! ତାଙ୍କରି ସାଙ୍ଗେ ଟିକେ କଥା ହଉଥିଲି I
କିଲୋ ମିଲି ତୁ ଲୁଗାପଟା ବଦଳେଇନୁ ଏଯାକେ ? ବେଗି ଆସେ ..ମୁଁ ତୋର ଆଉ ବାପାଙ୍କର ଚା ବସାଉଛି I"
"ବୋଉ !"ମିଲି ମାନସୀଙ୍କୁ କୁଣ୍ଢେଇ ଧରିଲା I ଛୋଟ ପିଲାଟିଏ ପରି କଇଁ କଇଁ ହେଇ କାନ୍ଦି ଉଠିଲା I
"ତମେମାନେ ମତେ କେତେ ବୁଝେଇଥିଲ ସେତେବେଳେ ...ହେଲେ ମୁଁ ଅନ୍ଧ ହେଇଯାଇଥିଲି I ଭଲ ମନ୍ଦ ଭିତରେ ପାର୍ଥକ୍ୟ ଜାଣି ପାରିଲିନି ଲୋ ! ତାରି ସଜା ଭୋଗିବାକୁ ପଡିବ I ମତେ ପ୍ରାୟଶ୍ଚିତ କରିବାକୁ ପଡିବ I "
"କ'ଣ ହେଇଚି ଖୋଲିକି କହିବୁ ...ନା ପାଗଳଙ୍କ ଭଳିଆ ଏମିତି ବକୁଥିବୁ ? ଜାଣିଲେ ସିନା ତାର କିଛି ପ୍ରତିକାର କରିବା I "
"ତୋ ଜୋଇଁ ଗୋଟେ ମଦ୍ୟପ ଆଉ ଲମ୍ପଟ ପୁରୁଷ I କେମିତି ମୁଁ ଛଳନା ଆଉ ପ୍ରତାରଣା ର ଶିକାର ହେଇଗଲି, ଆଉ ତୁମମାନଂକୁ ପର ଭାବିନେଲି ମୁଁ ଜାଣେନି I ତୁମେ ଦେଇଥିବା ସମସ୍ତ ଗହଣା ଗାଣ୍ଠି ଏବେ ତା କବ୍ଜା ରେ I ମୋ ଦରମା, ମା ପୁଅ ମିଶି ଛଡେଇ ନେଇଯାନ୍ତି , ପ୍ରତିବାଦ କଲେ ଘରେ ଖୁବ ଅଶାନ୍ତି ହୁଏ, ଏମିତିକି ତାଙ୍କ ହାତ ଉଠିଯାଏ I କେବଳ ସେତିକି ନୁହେଁ ...ପ୍ରତିଦିନ ନିଜର ଖର୍ଚ ଲାଗି ମତେ ହାତ ପତେଇବାକୁ ପଡେ I ଆଉ ସହି ପାରିଲିନି ଲୋ ...ଚାଲି ଆସିଲି I ମୁଣ୍ଡଗୁଞ୍ଜିବାକୁ ଜାଗା ଖଣ୍ଡେ ଦବୁନି ?"
ବୋଉ ଳଥକିନି ବସିପଡିଲା ତଳେ I ବାପାଙ୍କର ଆଖିରେ ପଲକ ପଡୁନଥାଏ ..ଦି ଆଖିରୁ ଧାରା ଶ୍ରାବଣ ବହିଯାଉଥାଏ I କୁନା ଦୁଃଖ ରେ ମ୍ରିୟମାଣ ହେଇ ଦାଣ୍ଡଦୁଆରକୁ ଆଉଜି ପଡିଥାଏ I ସବୁ ଯେମିତି ଚୁପଚାପ ହେଇଯାଇଥାଏ ,ତା ଭିତରେ ମିଲି ର ଦୀର୍ଘଶ୍ୱାସ ଆଉ କୋହ ର ଶବ୍ଦ ବାରିହେଇପଡୁଥାଏ I
ରାତିଟା କୌଣସି ପ୍ରକାରେ କଟିଗଲା I ସକାଳେ ମୋ ପାଖକୁ ଖବର ଗଲା I ଫ୍ଲାଇଟ ଧରି ସନ୍ଧ୍ୟା ବେଳକୁ ପହଂଚିଲି I ମତେ ଦେଖି ବୋଉ ଆଉ ବାପା ସାମାନ୍ୟ ଆଶ୍ଵସ୍ଥ ହେଲାପରି ଲାଗିଲା I କଥା କଥାକେ ଖିଲି ଖିଲି ହସିଉଠୁଥିବା ମିଲି, ମତେ ଦେଖି ଫିକା ହସ ଟିକେ ଓଠରେ ନେସିଦେଲା I
"ମୁଁ ଭାଇ ପାଇଁ ଚା ନେଇ ଆସୁଛି" କହି ସେ ଜାଗାରୁ ଚାଲିଗଲା I
ବାପା ଥରେ ଉପରକୁ ଚାହିଁଲେ , ତାପରେ କହିଲେ "ସମୟ କୁ ସମୟ ଦିଆଯାଉ ...ସବୁ ଠିକ ହେଇଯିବ I "
ବୋଉ ବଡ ପାଟିରେ କହିଲା "ଏଠି ଜୀବନ ମରଣ ସମସ୍ୟା ... ୟାଙ୍କର କଥା ଶୁଣ ..ସେଇ ସମୟ ସମୟ ..କେତେ ରଟ ଲଗେଇବ?"
"ମାନସୀ ଘର ସଂସାର କରିଛ, ଧୈର୍ଯ୍ୟ ରଖିବା ଶିଖ, ଇଶ୍ୱର ସବୁ ଠିକ କରିଦେବେ I ସବୁ କଥାରେ ବ୍ୟସ୍ତ ହେଲେ ଚଳିବନି I ଆମେ ତାଙ୍କ ଘର ସାଙ୍ଗରେ କଥାବାର୍ତା କରିବା, ବିଫଳ ହେଲେ ବିକଳ୍ପ ବ୍ୟବସ୍ଥା କରିବା I ଝିଅ ଆମର ଶିକ୍ଷିତା, ସରକାରୀ ଚାକିରୀ କରିଛି, ସବୁ ଠିକ ହେଇଯିବ I "
କିଛିଦିନ ଉତ୍ତାରୁ ମିଲି ର ଡିଭୋର୍ସ ହେଇଗଲା I ସିଏ ଏବେ ଆମ ଘରେ I ତାରି ଚିନ୍ତା ରେ ବୋଉ ଶୁଖିଗଲା I ତା ମନରେ ଆଉ ସରାଗ ବୋଲି କିଛି ନ ଥାଏ I ମେସିନ ଭଳି କାମ କରେ,ଥକିଗଲେ ସୋଇପଡ଼େ I ଦେହ ଭଲ ଅଛି କି ନାହିଁ ପଚାରିଲେ କୁହେ "କିରେ ମୋ ଦେହ କ 'ଣ ହବ ? ଦେଖୁଚୁ କେବେ ଜର ନା ସର୍ଦି ହବାର ? ଛପନ କୋଟି ଯୁଗକୁ ବର ଆଣିଛି ପରା, ତୋରି ବାପାଙ୍କ କଥା ଟି ବୁଝ, ବ୍ଲଡ଼ ପ୍ରେସର ଅଛି, କଥା ମାନୁନାହାନ୍ତି ସିଗାରେଟ ଟାଣୁଛନ୍ତି, କଡାପାନ ଜାକୁଛନ୍ତି I ସାଙ୍ଗସାଥି କାହାରି ସାଙ୍ଗରେ ମିଶୁନାହାଁନ୍ତି I ସବୁବେଳେ ଗୁମ ହେଇକି ଖଟ ଟା ଉପରେ ବସିରହୁଚନ୍ତି I ଟିଭି ବାଟରେ ଟିଭି ଚାଲୁଛି, କିଛି ସିଏ ଆଗ୍ରହ ରେ ଦେଖୁନାହାନ୍ତି I ମତେ ଏସବୁ କଥା ଦେଖି ଭାରି ଚିନ୍ତା ହଉଚି I କୁନା କୁ କେତେଥର କହିଲିଣି ବାପା କୁ ନେଇ ଭାଇ ପାଖକୁ ଯା I ମୁମ୍ବାଇ ଦେଖିନାହାନ୍ତି ...ବୁଲି ଆସିବେ ଟିକେ ...ମନ ପରିବର୍ତନ ହେଇଯିବ I"
ଟିକେଟ କଟା ହେଲା I ବୋଉ ସାଇ ପଡିଶା ରେ କହିବୁଲିଲା ...ପୁଅ ଟିକେଟ ପଠେଇଚି, ସାନପୁଅ ୟାଙ୍କୁ ନେଇ ମୁମ୍ବାଇ ବୁଲେଇ ଆଣିବ I ରାତିପାହିଲେ ଯିବା କଥା I ଖାଇ ସାରି ବୋଉ ବାପା ଆଉ ମିଲି ଟିଭି ଦେଖୁଥାନ୍ତି I ହଠାତ ବୋଉ ଛାତି କ'ଣ ହେଇଯାଉଛି କହି ସୋଫା ହାତ ଉପରେ ମୁଣ୍ଡ ରଖିପକେଇଲା I
ତାକୁ ଦେଖି ମିଲି ପାଟିକରି ଉଠିଲା "କଣ ତୋର ହଉଚି କି ବୋଉ ?"
ବୋଉ ପାଟିରୁ ଆଉ କଥା ବାହାରୁନଥାଏ I ଠାରିକି କହିଲା "ପାଣି ଟୋପେ ଦେ I "
ବାପା ଟିଭି ଆଡେ ଅନେଇ ଅନ୍ୟକଥା ଭାବୁଥାନ୍ତି I ପାଖରେ ଏତେ କଥା ହେଇଗଲାଣି ତାଙ୍କୁ ମାଲୂମ ନ ଥାଏ I
ମିଲି ଦଉଡିଯାଇ ଗ୍ଲାସ ରେ ପାଣି ଆଣି ବୋଉ ମୁହଁ ରେ ଦେଲାବେଳକୁ ଦେଖିଲା ପାଟିବାଟେ ଫେଣ ବାହାରିଆସିଲାଣି I
ବିକଳ ହେଇ ଚିତ୍କାର ଛାଡିଲା "ବାପା ! କୁନା ଭାଇ ! ଦୌଡ଼ି ଆସ ,ବୋଉର କଣ ହେଇଗଲା ?"
କୁନା ଆଉ ବାପା ଆମ୍ବୁଲାନ୍ସ ରେ ସାଙ୍ଗେ ସାଙ୍ଗେ ନେଇଗଲେ ବୋଉକୁ I ଏମରଜେନସି ୱାର୍ଡ ରୁ ଆଇସିୟୁ କୁ ନିଆଗଲା I ଗମ୍ଭୀର ମୁହଁ କରି ଏପଟ ସେପଟ ହଉଥିବା ଜଣେ ଡାକ୍ତରଙ୍କୁ ବାପା ଭରସି କି ପଚାରିଲେ "କ'ଣ ହେଇଚି, ଆଉ ତାକୁ କେବେ ଡିସ୍ଚାର୍ଜ କରିବେ ?"
ଡାକ୍ତର ଜଣକ ଚାପା ଗଳାରେ କହିଲେ "ଅବସ୍ଥା ଭଲ ନାହିଁ , କେବଳ ଈଶ୍ୱର ଯଦି ଚାହିଁବେ କିମ୍ବା କିଛି ଚମତ୍କାର ହବ ତା'ହେଲେ ଯାଇ ..."
ବାପାଙ୍କ ମୁଣ୍ଡରେ ଯେମିତି ବଜ୍ର ପଡିଗଲା .."ତା ଦେହ ଏତେ ସରି ହେଲାଣି ,କାହାକୁ ପଦୁଟିଏ ବି କହିନି ! ହାୟ ଭଗବାନ ! ଧିକ ଏ ଜୀବନI କାନ୍ଥ କୁ ଆଉଜି ବାପା ଠିଆ ହେଇଥାନ୍ତି I ଆଖିର ଝର ଅନବରତ ଚାଲିଥାଏ, ମଝି ରେ ମଝିରେ କିଛିସମୟ ପାଇଁ ଛାତ କୁ ଚାହୁଁଥାନ୍ତି, ଦୀର୍ଘଶ୍ୱାସ ପକଉଥାନ୍ତି, ପୁଣି ଗୁଣୁ ଗୁଣୁ ହେଇ ଅଭିଯୋଗ ଭରା ସ୍ୱରରେ କିଛି କହୁଥାନ୍ତି I ବୋଧହୁଏ ଠାକୁରଙ୍କ ପାଖରେ ଅଭିଯୋଗ କରୁଥାନ୍ତି I
ପ୍ରାୟ ତିନି ଚାରି ଘଣ୍ଟା ବିତିଲା ପରେ ଡାକ୍ତରବାବୁ ଆମକୁ ଡାକିଲେ, କହିଲେ" ଭେଣ୍ଟିଲେଟର ରେ ରଖିକି ଜବରଦସ୍ତି ବଂଚେଇରଖିବାର କିଛି ମାନେ ହୁଏନି I ଆପଣମାନେ ଅନୁମତି ଦେଲେ ଆମେ ତାଙ୍କୁ ଶାନ୍ତି ରେ ଯିବାପାଇଁ ଦେବା I" ଏ କଥା ଶୁଣି ବାପା ମତେ କୁଣ୍ଢେଇଧରି ପିଲାଙ୍କ ଭଳିଆ କାନ୍ଦି ଉଠିଲେ, କହିଲେ "ଜୀବନଯାକ ସମସ୍ତଙ୍କ ସେବାରେ ତାର ଦିନ କଟିଲା,ତା ସୁଖ କଥା କେହି ତିଳେ ଚିନ୍ତା କଲେନି,ଗଲାବେଳେ ଟିକେ ଶାନ୍ତି ମିଳୁ ତା'କୁ I "
ସ୍ୱର୍ଗଦ୍ୱାର ରେ ତା'ର ଅନ୍ତିମ ଯାତ୍ରା ର ସମାପ୍ତି ଘଟିଲା I
ବଡପୁଅ ହିସାବରେ ମୁଁ କର୍ମ ଧରିଥାଏ I
ବାପା ତାଙ୍କ ଖଟ ଉପରେ ପଡ଼ିଥାନ୍ତି, ନିର୍ଜୀବ କାଠଗଡ଼ିଟିଏ ପରି I
କୁନା ଆଉ ମିଲି ମୋ ପାଖରେ ତଳେ ବସିଥାନ୍ତି I ବନ୍ଧୁବାନ୍ଧବ ମାନେ ଏପଟ ସେପଟ ହେଉଥାନ୍ତି Iପୂଜାରୀ, ରୋଷେଇଘରେ ଖାଇବା ପିଇବା ଜିନିଷ ଯୋଗାଡ ରେ ଲାଗିଥାନ୍ତି Iବ୍ରାହ୍ମଣ ଅପେକ୍ଷା ରେ ଥାଉ ସମସ୍ତେ I
ଏତିକି ବେଳେ ବାପା କହିଲେ "ସମୟ କୁ ସମୟ ଦିଅ ,ସବୁକିଛି ଠିକ ହେଇଯିବ ଜୀବନ କଣ କାହାପାଇଁ ଅଟକିଯିବ ? ବୋଉ ଗଲା ତା ବାଟରେ ଆମକୁ ଛାଡିଦେଇକି ଗଲା ହଉ ଯାଉ, ତା ବିନା ଆମକୁ ବଂଚିବାକୁ ପଡିବ ...ତାର ଅଭାବ ଟା କେହି ମେଂଟେଇ ପାରିବେନି ..ତା ଶୂନ୍ୟସ୍ଥାନ କେହି ପୂରଣ କରିପାରିବେନି ...ହେଲେ ଆମକୁ ସମୟ ସହିତ ତାଳଦେଇ ଚାଲିବାକୁ ପଡିବ,ସମୟ ସବୁ ଠିକ କରିଦେବ... ସବୁ ଠିକ କରିଦେବ I କୁନା ଚାକିରୀ କଲା କି ନାହିଁ ? ମିଲି ତା ଜୀବନ ର ଦୁଃଖ କୁ ପଛରେ ପକେଇ ଆଗେଇଗଲା କି ନାହିଁ ? ହଁ ,ଗୋଟିଏ ଅବଶୋଷ ରହିଗଲା ମୋର, ତାକୁ କାଳ ର ବିଚିତ୍ର ଗତି ବିଷୟରେ ବୁଝେଇପାରିଲିନି I ସବୁବେଳେ ପଚାରୁଥିଲା ସମୟ କୁ ଫେର ସମୟ କିଏ ଦବ ? କି ବେକାରିଆ କଥା ଗୁଡା କହୁଚ ମଁ ! "
ବୋଉ ଯିବା ଆଜିକି ଦୁଇବର୍ଷ ହେଲାଣି I
ଯେବେ ବି ମୁଁ ଜୀବନ ରେ କିଛି ଅସୁବିଧା ର ସମ୍ମୁଖୀନ ହୁଏ, ବାପାଙ୍କର ସେଇ କଥା ପଦଟି ମନେ ପଡ଼ିଯାଏ I ସତରେ, ସମୟ ଠାରୁ ବଳବାନ କେହି ନାହାନ୍ତି I Time is the greatest healer.