ସମୟ ଚକ
ସମୟ ଚକ
ସଞ୍ଜୀବ ବାବୁ ଜଣେ ଖ୍ୟାତନାମା ଲେଖକ। ଏକ ଝିପି ଝିପି ବର୍ଷା ସନ୍ଧ୍ୟାରେ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ଗାଡି ଭିତରେ ବସି ବାହାର ପରିବେଶକୁ ଏକାଗ୍ରଚିତ୍ତରେ ଚାହିଁ ବେଳେ ବେଳେ ହସି ଦେଉଛନ୍ତି ତ ବେଳେ ବେଳେ ମନ ଭିତରେ ଲୁଚିଥିବା କେଉଁ ଅଜଣା କୋହ ଲୁହ ହୋଇ ବହି ଯାଉଥାଏ।ସତେ ଯେପରି କେଉଁ ଅଜଣା ରାଇଜରେ ହଜି ଯାଇଛନ୍ତି ସେ।କିଛି ସମୟର ନୀରବତା ପରେ ସେ ଭାବନା ରାଇଜରୁ ବସ୍ତାବିକତାକୁ ଫେରି ଡ୍ରାଇଭରକୁ ଗାଡି ଚଳେଇବାକୁ କହି ନିଜ ଡାୟାରୀରେ କିଛି ଲେଖିବା ଆରମ୍ଭ କଲେ....
"ମୁଁ ସଞ୍ଜୀବ ମହାନ୍ତି। ପେଷାରେ ଅର୍ଥ ବିଭାଗର କିରାଣୀ ନିଶାରେ କଲମ ଚାଳନା। ବର୍ଷା ! ବର୍ଷା ସହ ମୋର କେତେ ଯେ ସ୍ମୃତି ଜଡିତ ତାହା କେବଳ ମୋ ହୃଦୟରେ ସାଇତା ହୋଇ ରହିଛି। ସେଇଥିପାଇଁ ତ ଯେତେବେଳେ ବି ବର୍ଷା ହୁଏ ମୁଁ ଠିକ ଏହି ସ୍ଥାନ କୁ ଚାଲି ଆସେ ନିଜ ମନକୁ ଶାନ୍ତ କରିବା ପାଇଁ।
ମୁଁ କିପରି ଜନ୍ମ ହେଲି ତାହା ତ ମୁଁ ଜାଣେନି।କିନ୍ତୁ ସମସ୍ତେ କହନ୍ତି କାଳେ ମୋତେ କିଏ ମନ୍ଦିର ପାଖରେ ଛାଡି ଯାଇଥିଲା। ତା ପରେ ମୁଁ କିପରି ବଡ ହେଲି ଚାଲିବା ବୁଲିବା ଶିଖିଲି ସେ ସବୁ ତା ମୋର କିଛି ମନେ ନାହିଁ। କିନ୍ତୁ ମତେ ଯେତେବେଳେ ଆଠ ଦଶ ବର୍ଷ ହୋଇଥିଲା ମୋ ଜୀବନରେ କିଛି ଏପରି ଘଟଣା ଘଟିଲା ଯାହା ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିଲା। ଥରେ ଲଗାତାର ଭାବେ ଚାରି ପାଞ୍ଚ ଦିନ ଯାଏଁ ବର୍ଷା ହେଲା । ବର୍ଷାରେ ମୋର ଅସ୍ଥାୟୀ ପଲିଥିନ ଵାଲା କୁଡ଼ିଆ ଘରଟି ଭାଙ୍ଗିଗଲା। ନା ମୁଣ୍ଡ ଗୁଞ୍ଜିବାକୁ ଘରଥିଲା ନା ଖାଇବାକୁ ପାଖରେ ଟଙ୍କା ! ତିନି ଦିନ ଧରି ବର୍ଷାରେ ଭିଜି ଭିଜି, କିଛି ନ ଖାଇ ମୁଁ ଅବଶ ହୋଇଯାଇଥିଲି।
ଶେଷରେ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଦୋକାନ ପାଖକୁ ଆସିଲି।ସେ ଦୋକାନରେ ଝୁଲୁଥିବା ଖାଦ୍ୟ ପଦାର୍ଥ ଗୁଡିକୁ ଦେଖି ମୋ ସ୍ୱାଭିମାନ ମରିଗଲା ଓ ମୁଁ ଗୋଟିଏ ପାଉଁରୁଟି ଉଠେଇ ବହୁ ଜୋରରେ ଦୌଡ଼ିଲି। ଧାଇଁ ଧାଇଁ ଗଲାବେଳେ ହଠାତ ଏକ ଗାଡି ଆସି ମୋତେ ପିଟିଦେଲା ଓ ମୁଁ ବେହୋସ ହୋଇଗଲି। ଚେତା ଫେରିଲା ହସ୍ପିଟାଲରେ। ପାଖରେ ଗୋଟିଏ ଧନୀ ଦମ୍ପତି ଛିଡା ହୋଇଥିଲେ।ସେ ଦିନଠୁ ମୁଁ ହସ୍ପିଟାଲରୁ ବାହାରିବା ପର୍ଯ୍ୟନ୍ତ ସେମାନେ ମଧ୍ୟ ଘରକୁ ଯାଇନଥିଲେ। କେଜାଣି କେଉଁ ବନ୍ଧନ ତାଙ୍କୁ ବାନ୍ଧି ରଖିଥିଲା। ସେମାନେ ମୋ ବିଷୟରେ ସବୁ ଜାଣି ପାରି ମୋତେ କହିଲେ......
"ମୁଁ ଭଗବାନ ମହାନ୍ତି ଆଉ ଇଏ ମୋ ସ୍ତ୍ରୀ ଭାରତୀ।ମୋତେ କ୍ଷମା କରିଦେବୁ ମୋ ଗାଡି ହିଁ ତତେ ଧକ୍କା ଦେଇଥିଲା। ସେ ଯାହା ହେଉ, ଯଦି ତୁ ଚାହୁଁବୁ ତୁ ଆଜିଠୁଁ ଆମ ପାଖରେ ରହି ଯା। ଆମେ ତୋର ବାପା ମାଆ ହେବୁ ଆଉ ତୋ ସବୁ ଆବଶ୍ୟକତା ପୂରଣ କରିବୁ।"
ଗୋଟିଏ ସାଧାରଣ ବସ୍ତିରେ ଅଳିଆ ଭିତରେ ସଢ଼ୁଥିଲା ମୋ ପରି ଏକ ଅଜଣା ପିଲା ଯିଏ ତା ଜୀବନରେ ଟିକେ ସ୍ନେହ, ମମତା, ପ୍ରେମ, ଭଲପାଇବା ପାଇଁ ଆଉଟୁ ପାଉଟୁ ହୋଉଥିଲା ସେ ଏ ସୁଯୋଗ ବା କାହିଁକି ହାତଛଡା କରିଥାନ୍ତା ଯେ ! ମାଆର ସ୍ନେହ ଓ ବାପାଙ୍କ ପ୍ରେମ ମୋତେ ମଧ୍ୟ ନୂଆଁ ସମ୍ପର୍କରେ ବାନ୍ଧିଦେଲା।ସତରେ ସେମାନେ କେତେ ମହାନ ଥିଲେ ସେମାନେ।
ସେ ଦିନ ଠାରୁ ସେମାନେ ମୋ ଲାଳନ ପାଳନରେ କେବେ ଅଣଦେଖା କରି ନଥିଲେ। ଭଲ ସ୍କୁଲ କଲେଜରେ ପାଠ ପଢେଇବାଠୁ ଆରମ୍ଭ କରି ଖାଇବା ପିଇବା ଓ ପିନ୍ଧିବା କେଉଁଥିରେ ଟିକେ ବି ଉଣା କରି ନଥିଲେ। ମୁଁ ମଧ୍ୟ ତାଙ୍କୁ କେବେ ନିରାଶ କରି ନାହିଁ। ସବୁ ବେଳେ ମୋ ପାଇଁ ସେମାନେ ଗର୍ଵ କରୁଥିଲେ। କିନ୍ତୁ କିଛି ବର୍ଷ ତଳେ ବାପା ହୃଦଆଘାତ ରେ ଦୁନିଆ ଛାଡି ଚାଲିଗଲେ ଓ ପରେ ପରେ ବୋଉ ମଧ୍ୟ ମୋତେ ଏକା କରି ଚାଲିଗଲେ। ସେ ଦିନଠୁ ଯେବେ ବି ବର୍ଷା ହୁଏ ମୁଁ ଆମର ମିଳନ,ଆମ ସମ୍ପର୍କ, ବାପା ମାଆଙ୍କ ସହ ଜଡିତ ପ୍ରତିଟି ମୁହୂର୍ତ୍ତକୁ ଜୀଇଁବାକୁ ଚାଲି ଆସେ ଯେଉଁଠି ଆମର ମିଳନ ହୋଇଥିଲା। ବେଶ କିଛି ସମୟ ବସେ ଏଇଠି ପୁଣି ଫେରିଯାଏ।
(ଆରେ ! ଆରେ ! ଡ୍ରାଇଭର ବ୍ରେକ) ଆରେ ଏ କଣ କଲୁ ତୁ । ଯା ଯା ଦେଖୁବୁ ଜା କିଏ ସେ ଓ ତାର କଣ ହେଲା।ଡ୍ରାଇଭର ଓ ସଞ୍ଜୀବ ବାବୁ ବାହାରକୁ ଧାଇଁ ଆସି ଦେଖିଲି ଗୋଟିଏ ଆଠ ଦଶ ବର୍ଷର ପିଲା ଗାଡ଼ି ବାଜି ସାମାନ୍ୟ ଆଘାତ ହୋଇଯାଇଛି। ସେ ବୋହୋସ ପଡିରହିଛି ଓ ହାତରେ ତାର ଗୋଟିଏ ପାଉଁରୁଟି....!
ସଞ୍ଜୀବ ବାବୁଙ୍କ ଆଗରେ ସବୁ ସ୍ମୃତି ଉଜ୍ଜୀବିତ ହୋଇ ଉଠିଲା। କିଛି ସମୟ ପାଇଁ ସେ ସ୍ତବ୍ଧ ହୋଇଗଲେ।ଡ୍ରାଇଭର ଡାକରେ ସେ ସାଧାରଣ ଆବସ୍ଥାକୁ ଫେରିଲେ ଓ ପିଲାଟିକୁ ଗାଡିରେ ବସେଇ ହସ୍ପିଟାଲକୁ ଗଲେ !
ଗାଡ଼ିରେ ସେ ସିଏ ପିଲାଟିର ମୁହଁକୁ ଚାହିଁ ଭାବମଗ୍ନ ହୋଇ ରହିଯାଇଥିଲେ............
Back ground : (ସମୟ ଚକରି ବୁଲେ ଘିରି ଘିରି........)
